କଥା କହେ ଦର୍ପଣ ଲୋ, ପଚାରୁ କାହାକୁ?

News Story - Posted on 2017-09-14

ସୁଲଗ୍ନା ମହାନ୍ତି

 

ବହୁତ ଦିନ ତଳେ ଗପଟିଏ ପଢ଼ିଥିଲି। ଆଜିଯାଏଁ ଭୁଲି ପାରିନି।

 

ଗୋଟିଏ ଝିଅର ଗାଲରେ କଟା ଦାଗଟିଏ। ଲୋକେ ତା ସାଙ୍ଗେ କଥା ହେଲାବେଳକୁ ତାକୁ କମ୍ ଆଉ ତା କଟା ଦାଗକୁ ବେଶୀ ଦେଖନ୍ତି। ଝିଅଟିକୁ ଭଲ ଲାଗେନି।

 

ବହୁତ ଚିନ୍ତା କଲାପରେ ସେ ଗୋଟିଏ ପ୍ଲାଷ୍ଟିକ ସର୍ଜନ ପାଖକୁ ଗଲା। ପ୍ଲାଷ୍ଟିକ ସର୍ଜନ ତା କଟା ଦାଗକୁ ବହୁତ ସମୟ ଧରି ପରୀକ୍ଷା କଲେ। ତା’ପରେ ତାକୁ ପଚାରିଲେ, ଆପଣ ତାହେଲେ ଜଣେ ଫିଲ୍ମ ଆଟିଷ୍ଟ? ଝିଅଟି ମନା କଲା। ତା’ପରେ ପଚାରିଲେ, ଓଃ, ତାହେଲେ ଆପଣ ନିଶ୍ଚୟ ଜଣେ ମଡେଲ! ଝିଅଟି ପୁଣି ମୁଣ୍ଡ ହଲେଇ ମନାକଲା। ସର୍ଜନ କହିଲେ, ଯଦି ଆପଣ ଫିଲ୍ମ ଆର୍ଟିଷ୍ଟ କି ମଡେଲ ନୁହନ୍ତି ତା’ହେଲେ ଏଠିକି କାହିଁକି ଆସିଛନ୍ତି? ଝିଅଟି କହିଲା, କାରଣ ସାନବେଳୁ ସମସ୍ତେ ମତେ କମ୍ ଆଉ ମୋ କଟା ଦାଗକୁ ବେଶୀ ଦେଖିଛନ୍ତି। ମୋ କଟା ଦାଗ ମୋ ପରିଚୟ ହେଇଯାଇଛି। ଏଇ କଟାଦାଗ ମୋ ଅସୁନ୍ଦରତାର ପରିଚାୟକ। ଡାକ୍ତର ଝିଅଟିକୁ କ’ଣ କହିଲେ ପରେ କହିବି। ଏଠି ଆଉ କିଛି କହିଦିଏ।

 

ସାନବେଳେ ସମସ୍ତଙ୍କୁ ଊଣା ଅଧିକେ ନିଜ ରୂପକୁ ନେଇ ହୀନମନ୍ୟତାର ଶିକାର ହବାକୁ ପଡିଥାଏ। ଆମ ପିତାମାତା ବନ୍ଧୁବାନ୍ଧବ ସାଙ୍ଗସାଥୀ ସମସ୍ତଙ୍କର ଅବଦାନ ଥାଏ ଏଇ ହୀନମନ୍ୟତାକୁ ଆଉରି ବଢ଼େଇବାରେ। ଆରେ ତୋ ପୁଅଟା ଏମିତି କିଚିକିଚି କଳା କ’ଣ ହେଇଛି ମ? ତାକୁ ଟିକିଏ ଫେଆର ଏଣ୍ଡ ଲଭଲି ଲଗା। ତୋ ଝିଅଟି ଏମତି କ’ଣ ଚେପିନାକି? ତାକୁ କଉଠୁ ଗୋଟେଇ ଆଣିଛ କି? ତୋ ଭଉଣୀ ଏମିତି କ’ଣ ଗେଣ୍ଡା ଭଳି ଫୁଲିଛି! ତାକୁ କହୁନୁ ପତଳା ହବ। ତୋ ଭାଇ ଏଇଠି ଠିଆ ହେଇଛି ତା ଦାନ୍ତ ଯାଇ ପଡିଶା ଘରେ ବାଜୁଛି! କହୁନୁ ବ୍ରେସ୍ ଲଗେଇବ ଦାନ୍ତରେ। ଏମିତି କି ସାଙ୍ଗସାଥୀ ବି ଡାକିବେ ଆରେ କାଳୁ, ଏଇ ଟେରା, ଏଇ ଦାନ୍ତ, ଆରେ ମୋଟୁ, ଆରେ ବୁଟି (ବାଙ୍ଗରା), ଏଇ ଧେଡା! ଚଷମା ପିନ୍ଧିଥିଲେ ଏଇ ଚଶମିଷ୍, ଏଇ କଣା, ଏଇ କାଣୀ! ହିରୋଙ୍କର ସିକ୍ସ ପ୍ୟାକ ଦେଖି ପୁଅଟିର ମୁହଁ ଶୁଖି ଯାଉଥିବ। ଜିମ ମେମ୍ବରଶିପ୍ ନନେଲେ ଏଇ ଜୀବନ ଯେ ମୂଲ୍ୟହୀନ!!!

 

ଦୁଇଟି ସୁନ୍ଦର ଝିଅକୁ ବି କେବେ ସାଙ୍ଗ ହେବା ଦେଖିବେନି। ସୁନ୍ଦର ଝିଅଟି ବି ସାଙ୍ଗ ହେଇଥିବ ଅସୁନ୍ଦର ଝିଅଟି ସାଙ୍ଗରେ ନିଜେ ବେଶୀ ସୁନ୍ଦର ଦିଶିବାକୁ ଆଉ ଅସୁନ୍ଦର ଝିଅଟିକୁ ଆଉରି ହୀନମନ୍ୟ କରେଇ ଦେବାପାଇଁ। ପୁଣି ଖେଳୁଥିବା ବାର୍ବି କଣ୍ଢେଇ ବି ଆସିବ ନିଖୁଣ ଶରୀରଟିଏ ନେଇ। କେଉଁଠି କିଛି ଖୁଣ ପାଇବେନି। ପରୀ କାହାଣୀଟିଏ ବି ଆରମ୍ଭ ହେବ। ସୁନ୍ଦରୀ ରାଜକୁମାରୀଟିଏ। ସତେ ଯେମିତି ଡେଣାକଟା ପରୀ। ଗୋଟିଏ ଚାଉଳରେ ଗଢ଼ା। ଝିଅଟିକୁ ଗପଟି ପଢୁପଢୁ ନିଜ ବିଷୟରେ ଭାବିବ। ତା ମନ କହିବ ନା, ଇଏ ମୁଁ ନୁହେଁ। ମୁଁ କୌଣସି ଗପର ନାୟିକା ହବାକୁ ଯୋଗ୍ୟ ନୁହେଁ। ମୁଁ ଗୋଟିଏ ଚାଉଳରେ ଗଢ଼ା ନୁହେଁ। ମୁଁ ନିଖୁଣ ନୁହେଁ। ମୁଁ ଯେ ଅସମ୍ପୂର୍ଣ୍ଣ। କ’ଣ କରିବା ବାଇଅସୁରୁଣୀ ଯେ ସବୁ ପରୀ କାହାଣୀର ନାୟିକା ନୁହେଁ!!!

 

କିନ୍ତୁ ଏଇଠି ପ୍ରଶ୍ନ ହେଲା କିଏ ଫଇସଲା କରିବ କିଏ ସୁନ୍ଦର ଅସୁନ୍ଦର!! କିଏ କହିବ କିଏ ସମ୍ପୂର୍ଣ୍ଣ ଆଉ କିଏ ଅସମ୍ପୂର୍ଣ୍ଣ!! ଆଫ୍ରିକାରେ ଯିଏ ଯେତେ କଳା ସେ ସେତିକି ସୁନ୍ଦର। ଶରୀର ହେଇଥିବ ଡ଼ଉଲ ଡାଉଲ। କିନ୍ତୁ ପାଶ୍ଚାତ୍ୟ ଦେଶରେ ରଙ୍ଗ ଧପଧପ୍ ଗୋରା ଆଉ ଶରୀରରେ ପୁଳାଏ ବି ମାଉଁସ ନ ରହିବା ଦରକାର। ଯେତିକି ହାଡୁଆ ତୁମେ ସେତିକି ସୁନ୍ଦର। ଭାରତରେ ବଡ ଆଖି ହେଲା ମୀନାକ୍ଷୀ। କିନ୍ତୁ ଏଇ ଭାରତରେ ମଣିପୁର ମିଜୋରମ ଗଲେ ବଡ ଆଖି ଦେଖିଲେ ଡାକିବେ ବାଇ। ତୁମର ବଡ ଆଖି ଅସୁନ୍ଦର ଆଖି।

 

ଦକ୍ଷିଣ କୋରିଆରେ ଦେହର ରଙ୍ଗ ସବୁଠୁ ଜରୁରୀ। ତା’ପରେ ଆଖି ଆଉ ନାକ। ଥାଇଲାଣ୍ଡ ବି ସେଇଆ। ଇରାନ ପୁଣି ପୃଥିବୀର ପ୍ଲାଷ୍ଟିକ ସର୍ଜରୀ ରାଜଧାନୀ। ମଜା କଥା ହେଲା ଭାରତରେ ଗଳି ଗଳିରେ ବିଉଟି ପାର୍ଲରର ଖୋଲିଲା ଭଳି ଦକ୍ଷିଣ କୋରିଆରେ ପ୍ଲାଷ୍ଟିକ ସର୍ଜରୀ କ୍ଲିନିକ। ସମସ୍ତଙ୍କ ଆଖି ଆଉ ନାକ ନକଲି। ଏମିତି ବି ହେଇଛି ଛୁଆଟିଏ ଜନ୍ମ ହେଲାପରେ ତା ଅସୁନ୍ଦର ରୂପ ଦେଖି ସ୍ବାମୀଟି ନିଜ ସୁନ୍ଦରୀ ସ୍ତ୍ରୀ ଉପରେ ସନ୍ଦେହ କରିଛି। ଜଣା ପଡ଼ିଛି ସ୍ତ୍ରୀଟି ପ୍ଲାଷ୍ଟିକ ସର୍ଜରୀ ପରେ ରାଜକୁମାରୀ ହେଇଛି। ଆଗରୁ ଥିଲା ଅସନି ଅସୁରୁଣୀ। ସ୍ବାମୀଟି ତାକୁ ଛାଡପତ୍ର ଦେଇଛି।

 

ଚାଇନାରେ ଛୋଟ ପାଦ ସୁନ୍ଦର। ସେଥିପାଇଁ ପାଦକୁ ସାନବେଳୁ ଚାପିକି ବାନ୍ଧିଦିଅନ୍ତି। ଭାରତରେ ସାବନା ଝିଅଟେକୁ କେତେ କଥା ଶୁଣିବାକୁ ମିଳେ। କିନ୍ତୁ ବ୍ରିଟେନ ଆଉ ବହୁତ ଇଉରୋପିଆନ ଦେଶରେ ପଇସା ଦେଇ ରଙ୍ଗ ସାବନା କରନ୍ତି ଆଉ ଗର୍ବରେ କୁହନ୍ତି ଏଇଟା ହେଲା ଫେକ୍ ଟାନ। ତେଣୁ ଏଇଠି ପ୍ରଶ୍ନ ହେଲା କିଏ କହିବ କିଏ ସୁନ୍ଦର ଆଉ କିଏ ଅସୁନ୍ଦର? ଜଣଙ୍କ ପାଇଁ ଯେଉଁଟା ସୁନ୍ଦର ଅନ୍ୟ ପାଇଁ ସେଇଟା ଅସୁନ୍ଦର। ଗୋଟିଏ ଦେଶରେ ଯେଉଁ ରୂପ ଅଲୋଡା ଅନ୍ୟ ଦେଶରେ ସେଇଟା ଲୋଭନୀୟ।

 

ତା’ହେଲେ କିଏ କହିବ? କିଏ ସଠିକ୍ ଜଣେଇବ ଉତ୍ତରଟି! ଜଣେ ଅଛି। ସିଏ କହିବ। ଆଉ ସିଏ ଯେମିତି ଠିକ୍ କଥା କହିବ ସେମିତି ଆଉ କେହି କହି ପାରିବେନି। କହିଲେ ଦେଖି ସେ କିଏ? ମୁଁ କହୁଛି ସେ କିଏ। ନିଜ ବସିବା ଜାଗାରୁ ଉଠନ୍ତୁ। ଦର୍ପଣ ସାମ୍ନାକୁ ଯାଆନ୍ତୁ। ଦର୍ପଣରେ ଦେଖନ୍ତୁ। କିଏ ଜଣେ ଠିଆ ହେଇଛି। ଠିକ୍ ଦେଖିଲେ। ସେଇ ଲୋକ ହିଁ କହିବ ଆପଣ ସୁନ୍ଦର କି ଅସୁନ୍ଦର। ଆପଣ ସମ୍ପୂର୍ଣ୍ଣ କି ଅସମ୍ପୂର୍ଣ୍ଣ।

 

ସବୁ ସେଇ ମନର ଖେଳ। ଯଦି ସେଇ ଲୋକ କହିଲା ଆପଣ ସୁନ୍ଦର ତାହେଲେ ଆପଣ ସୁନ୍ଦର। ତା’ପରେ ସାରା ଦୁନିଆ ଆପଣଙ୍କୁ ଯାହା କହୁ। ଯଦି ସେଇ ଲୋକ କୁହେ ଆପଣ ଅସୁନ୍ଦର ତା’ହେଲେ ଆପଣ ଅସୁନ୍ଦର। ଐଶ୍ବର୍ଯ୍ୟା ରାୟ କି ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ ଦୁନିଆ ପଛେ ବିଶ୍ବ ସୁନ୍ଦରୀ କହୁ ଆପଣ ଯିବେ ପ୍ଲାଷ୍ଟିକ ସର୍ଜନ ପାଖକୁ। ନିଜ ପୂରା ଚେହେରା ବଦଳେଇ ଦେବେ। କାରଣ ଦର୍ପଣ ଭିତର ଲୋକ କହିଛି ଆପଣ ଅସୁନ୍ଦର।

 

ତେଣୁ ଭୁଲି ଯାଆନ୍ତୁ ଦୁନିଆ କ’ଣ କହିଲା। ଲୋକେ କ’ଣ କହିଲେ! କିଏ କଣ ସାଟିର୍ଫିକେଟ ଦେଲା! ୟା ମାନେ ନୁହେଁ ମୁଣ୍ଡରେ ଉକୁଣୀ ପଚପଚ କରି ବୁଲିବେ। ଝାଳଗନ୍ଧ ଏମିତି ହଉଥିବ ଯେ ଲୋକେ ତୁମ ପାଖରୁ ଦଉଡି଼ ଚାଲିଯିବେ ଦୂରକୁ। ମୋଟା ହବା ଦୋଷ ନୁହେଁ ବୋଲି ଅଧିକା ମୋଟା ହେଇ ରୋଗକୁ ଆମନ୍ତ୍ରଣ କରିବା ବି ଠିକ୍ ନୁହେଁ। କିନ୍ତୁ ପ୍ରଶ୍ନ ଏଇଠି ନିଜ ରୂପ ପାଇଁ ହୀନମନ୍ୟତାର ଶିକାର ହବା କେତେ ଦୂର ଯଥାର୍ଥ? ନିଜକୁ ଭଲ ପାଆନ୍ତୁ। ନିଜ ଖୁଣକୁ ଭଲ ପାଆନ୍ତୁ। ନିଜ ଅସମ୍ପୂର୍ଣ୍ଣତାକୁ ଭଲ ପାଆନ୍ତୁ। କାରଣ ସେଇ ଅସମ୍ପୂର୍ଣ୍ଣତାରେ ହିଁ ଅଛି ସମ୍ପୂର୍ଣ୍ଣତା।

 

ଏଇମିତି କିଛି ସେଇ ଦିନ ସେଇ ସର୍ଜନ ବି କହିଥିଲେ ବୋଧେ ସେଇ ଝିଅକୁ। ସେଇ ଅସୁନ୍ଦରତାରେ ହିଁ ଅଛି ସୁନ୍ଦରତା। ସେଇ ବନାଏ ଆପଣଙ୍କୁ ସମସ୍ତଙ୍କୁଠୁ ଅଲଗା ଆଉ ନିଆରା। ଆପଣ ନିଜକୁ ଯେମିତି ଦେଖିବେ ଦିନେ ଦୁନିଆ ବାଧ୍ୟ ହବ ଆପଣଙ୍କୁ ସେଇ ନଜରରେ ଦେଖିବାକୁ। ଦୁନିଆ ଆପଣଙ୍କ ପରିଚୟ ତିଆରି କରିବେନି ବରଂ ଆପଣ ନିଜ ପରିଚୟ ନିଜେ ତିଆରି କରିବେ। ତେଣୁ ଏବେ ସବୁଦିନ ହେଉ ନିଜ ଖୁଣକୁ ଭଲ ପାଇବାର ଦିନ। ନିଜ ଅସମ୍ପୂର୍ଣ୍ଣତାକୁ ସ୍ବୀକାର କରିବାର ଦିନ। ଆଉ ନିଜ ଭିତରେ ନିଜ ଅସୁରୁଣୀକୁ ଖୋଜିନେଇ ତାକୁ ଆପଣେଇ ନେବାର ଦିନ।

 

ଆସିଷ୍ଟାଣ୍ଟ ପ୍ରଫେସର, ଅମୃତା ୟୁନିଭର୍ସିଟି

କୋଇମ୍ବାଟୁର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top