କାହାର ପ୍ରିୟ ପଣ୍ଡା ଓ ପ୍ରଧାନ?

News Story - Posted on 2017-09-13

ଯେତେ ପୋଲ ଭୁଶୁଡ଼ିଲେ ବି ପୂର୍ତ୍ତ ସଚିବ ନଳିନି କାନ୍ତ ପ୍ରଧାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ରାଜ୍ୟ ସରକାର । ବମିଖାଲ ଫ୍ଲାଇ ଓଭର ପୋଲ ଭୁଶୁଡ଼ିବା ପରେ ଠିକାଦାର ଓ ରାଜନୀତିକ ମହଲରେ ଏମିତି ଏକ ଧାରଣା ସୃଷ୍ଟି ହୋଇଛି । ତେବେ ତାଙ୍କ ପ୍ରତି କାହିଁକି ନବୀନ ପଟ୍ଟନାୟକ ସରକାରଙ୍କର ଏତେ ଦରଦ ସେ ରହସ୍ୟ ସମସ୍ତଙ୍କୁ ଜଣାଥିଲେ ବି କେହି କହିବାକୁ ନାରାଜ ।

 

ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କ ଅନୁସାରେ ନଳିନୀ କାନ୍ତ ପ୍ରଧାନଙ୍କୁ ଯେତେବେଳେ ସୁପରିଣ୍ଟେଣ୍ଡେଣ୍ଟ ଇଂଜିନିଅର ପଦକୁ ପଦୋନ୍ନତି ଦିଆଗଲା ସେତେବେଳେ ୯ ଜଣ ଅନ୍ୟ ଦାବିଦାରଙ୍କୁ ସୁପରସେଡ କରାଯାଇଥିଲା । ସେହିପରି ଯେତେବେଳେ ତାଙ୍କୁ ପୂର୍ତ୍ତ ବିଭାଗର ସଚିବ କରାଗଲା ସେତେବେଳେ ଆଉ ୪ ଜଣ ଦାବିଦାରଙ୍କୁ ଅଣଦେଖା କରାଯାଇଥିଲା । ଅନ୍ୟମାନଙ୍କୁ ସୁପରସେଡ଼ କରି ନଳିନୀଙ୍କୁ ପଦୋନ୍ନତି ଦିଆଯିବା ପଛରେ ସରକାରଙ୍କ ଯୁକ୍ତି ଥିଲା ଯେ ସେ ଜଣେ ଅତ୍ୟନ୍ତ ଦକ୍ଷ ଇଂଜିନିଅର ।

 

ଏବେ ଦେଖନ୍ତୁ ତାଙ୍କ ଦକ୍ଷତାର ପ୍ରମାଣ । ନଳିନୀ କାନ୍ତ ପ୍ରଧାନଙ୍କୁ ୨୦୧୩ ଅଗଷ୍ଟ ମାସରେ ନବୀନ ପଟ୍ଟନାୟକ ସରକାର ପୂର୍ତ୍ତ ସଚିବ ପଦରେ ଅବସ୍ଥାପିତ କଲେ । ୨୦୧୪ ଅଗଷ୍ଟ ୨୯ ତାରିଖରେ ଘଟିଲା ମହାନଦୀ ଉପରେ ନିର୍ମାଣାଧୀନ ଜାତମୁଣ୍ଡିଆ ପୋଲ । ସେଥିରେ ୨୦ ଜଣ ଲୋକ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପାଇଁ କେହି ଏହି ଯନ୍ତ୍ରୀ-ସଚିବଙ୍କୁ ଦାୟୀ କଲେ ନାହିଁ । ୨୦୧୬ ଅଗଷ୍ଟ ୨୪ ତାରିଖରେ ମହାକାଳପଡ଼ା ବତୀଘର ପୋଲ ଭୁଶୁଡ଼ିଲା । ସେହି ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହେଲା ଓ ୨ ଜଣ ଆହତ ହେଲେ । କେହି ନଳିନୀଙ୍କୁ ଦାୟୀ କଲେ ନାହିଁ ।

 

ସେହିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପାରାଦପୀ-ହରିଦାସପୁର ରେଲ ଲାଇନ ପାଇଁ ନିର୍ମାଣାଧୀନ ଭୂତମୁଣ୍ଡାଇ ପୋଲ ଭୁଶୁଡ଼ିଲା । ୨୦୧୭ ଜୁଲାଇ ୨୬ ତାରିଖରେ ମାଲକାନଗିରି ଗୁରୁପ୍ରିୟା ସେତୁ ଭୁଶୁଡ଼ିଲା । ଏହି ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଭୁଶୁଡ଼ିଲା ବମିଖାଲ ଫ୍ଲାଇ ଓଭର ପୋଲ ।

 

ଏହା ଭିତରେ କେନ୍ଦୁଝରର ଗୋଟିଏ ପୋଲ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଲା । ତା’ର ନିର୍ମାଣ ସରିଥିଲା । ନବକଳେବର ଭିତ୍ତିଭୂମି ଯୋଜନାରେ ତିଆରି ହୋଇଥିବା ମାଳତୀପାଟପୁର ଫ୍ଲାଇ ଓଭର ପୋଲ ଦବିଗଲା । ପୋଲଟି କେତେବେଳ ଭୁଶୁଡ଼ିବ ବୋଲି ଆଶଙ୍କା କରି ତା’ ଉପରେ ଏବେ ବି ଅଧିକ ଲୋକ ଯାତାୟତ କରିବାକୁ ଡରୁଛନ୍ତି ।

 

ଏସବୁ ଘଟଣାରେ କିନ୍ତୁ ନଳିନୀଙ୍କୁ କେହି ଦାୟୀ କରି ନାହାନ୍ତି । ସବୁ ଘଟଣାରେ ତଳତଳିଆ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କରି ସରକାର ତାଙ୍କ ଦାୟିତ୍ୱ ଶେଷ କରିଛନ୍ତି । କଂଗ୍ରେସର ଜଣେ ନେତାଙ୍କ ଅଭିଯୋଗ ଅନୁସାରେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ନିର୍ଦ୍ଦେଶ ଅନୁସାରେ ଠିକା ବଣ୍ଟନ କରନ୍ତି ଓ ପ୍ରକଳ୍ପ ବ୍ୟୟ ଅଟକଳ ବୃଦ୍ଧି କରନ୍ତି । ସେହିପରି ସେ ଶାସକ ଦଳର ମୁଖ୍ୟ ପରିଚାଳକଙ୍କ ନିର୍ଦ୍ଦେଶ ଅନୁସାରେ ଯୋଗାଡ଼ଯନ୍ତ୍ର କରନ୍ତି । ତେଣୁ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ରହିଛି ।

 

ନଳିନୀଙ୍କ ପରି ଏହି ୪-୫ ବର୍ଷ ଭିତରେ ଭୁବନେଶ୍ୱରର ଅନାମଧ୍ୟେୟ ପଣ୍ଡା ଇନଫ୍ରା କମ୍ପାନୀ ମଧ୍ୟ ବିପୁଳ ପରିମାଣର ସରକାରୀ ଅନୁକମ୍ପା ଲାଭ କରିବାରେ ସମର୍ଥ ହୋଇଛି । କମ୍ପାନୀଟି ୨୦୦୮ ମସିହାରେ ପଂଜୀକୃତ ହୋଇଥିଲା । ଏହାର ମୋଟ ମୂଲ୍ୟ ହେଉଛି ୧୮.୪୫ କୋଟି ଟଙ୍କା । କିନ୍ତୁ ଏହାକୁ ପ୍ରାୟ ୨୦୦ କୋଟି ଟଙ୍କାର କାମ ଦିଆଯାଇଛି । ଏତେ ଟଙ୍କାର କାମ କରିବାକୁ କମ୍ପାନୀ କେଉଁଠୁ କ’ଣ ଦର୍ଶାଇ ଋଣ ପାଇଲା ତାହା ରହସ୍ୟଜନକ । ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ପଣ୍ଡା କମ୍ପାନୀରେ ଶାସକ ଦଳର କେତେକ ବିଧାୟକ ଓ ପୂର୍ତ୍ତ ବିଭାଗର କେତେ ଜଣ ଯନ୍ତ୍ରୀଙ୍କର ବେଆଇନ ଅର୍ଥ ଲାଗିଛି । ତେଣୁ କମ୍ପାନୀ ୨୦୦୮ ମସିହାରେ ପଂଜୀକୃତ ହୋଇଥିଲେ ବି ଏହାକୁ ବିନା ଅଭିଜ୍ଞତାରେ ଏତେ ପୋଲ କାମ ଦିଆଯାଇଛି । କମ୍ପାନୀକୁ ମାଳତୀପାଟପୁର ପୋଲ, ଜଟଣୀ ଫ୍ଲାଇ ଓଭର ବ୍ରିଜ, ସମ୍ବଲପୁର ଫ୍ଲାଇ ଓଭର ବ୍ରିଜ, ବମିଖାଲ ପୋଲ ଓ ଲିଙ୍ଗରାଜ ବିହାର ପୋଲ କାମ ଦିଆଯାଇଛି । ଏତେ ସବୁ ପୋଲ କାମ ପାଇବା ପୂର୍ବରୁ ପଣ୍ଡା କମ୍ପାନୀ ଆଉ କେତେଟା ଏହିପରି ପୋଲ ନିର୍ମାଣ କରିଛି ତାହା ବିଚାରକୁ ନିଆଯାଇଥିଲା କି ନାହିଁ ତାହା ସନ୍ଦେହଜନକ ।

 

କାମ ପାଇବା ପାଇଁ କମ୍ପାନୀର ଏକ କୌଶଳ ହେଲା ଏହା ଯୋଜନାବଦ୍ଧ ଭାବରେ ସର୍ବନିମ୍ନ ଟେଣ୍ଡର ପକାଇଥାଏ । ସରକାରୀ ନିୟମ ଅନୁସାରେ ଏଲ-୧ ଟେଣ୍ଡର ପ୍ରସ୍ତାବକକୁ କାମ ଦିଆଯାଏ । କାମ ପାଇଲା ପରେ କମ୍ପାନୀ ବିଭିନ୍ନ ଆଳ ଦେଖାଇ ପ୍ରକଳ୍ପ ବ୍ୟୟ ଦୁଇ ତିନି ଗୁଣ ବଢ଼ାଇବାକୁ ପ୍ରସ୍ତାବ ଦିଏ । ତାହାକୁ ପୂର୍ତ୍ତ ବିଭାଗର ଯନ୍ତ୍ରୀ, ସଚିବ ଓ ମନ୍ତ୍ରୀ ଆଖିବୁଜି ଗ୍ରହଣ କରନ୍ତି । କାରଣ କମ୍ପାନୀ ଉପରେ ଏକାଧିକ ମନ୍ତ୍ରୀ, ଯନ୍ତ୍ରୀ ଓ ଆଇଏଏସ ଅଫିସରଙ୍କ କୃପାଦୃଷ୍ଟି ରହିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top