ପେଟ୍ରୋଲ ଦର ଛୁଇଁଲା ୮୦ ଟଙ୍କା

News Story - Posted on 2017-09-12

ତିନି ବର୍ଷ ଭିତରେ ରେକର୍ଡ଼ ଭାଙ୍ଗିଛି ପେଟ୍ରୋଲ ଦର । ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ଛୁଇଁଛି ୮୦ ଟଙ୍କା । ଉପା ସରକାର ସମୟରେ ବି ପେଟ୍ରୋଲ ଦର ଏତେ ଟଙ୍କା ହୋଇ ନଥିଲା । ଏବେକାର ସରକାର ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ଉପା ସରକାର ସମୟର ଦରର ଅଧା ହୋଇଥିଲେ ମଧ୍ୟ ଭାରତର ସାଧାରଣ ପେଟ୍ରୋଲ ଉପଭୋକ୍ତା ତାହାର ସୁଫଳ ପାଉନାହାନ୍ତି ।

 

ଆଜି ଅର୍ଥାତ ମଙ୍ଗଳବାର ସକାଳୁ ପେଟ୍ରୋଲ ଦର ଲିଟର ପିଛା ୮ ପଇସା ଓ ଡିଜେଲ ଦର ଲିଟର ପିଛା ୧୦ ପଇସା ବୃଦ୍ଧି ପାଇଛି । ଗତ ଜୁନ୍ ମାସରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର ଦୈନିକ ହିସାବରେ ବଢ଼ୁଛି ବା କମୁଛି । ତେବେ ଏହି ତିନି ମାସ ମଧ୍ୟରେ ପେଟ୍ରୋଲ ଦର ମୋଟ ଉପରେ ୭ ଟଙ୍କାରୁ ଅଧିକ ବଢ଼ି ଗଲାଣି ।

 

ଆଜି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ଥିଲା ୭୯.୪୮ ଟଙ୍କା । ୨୦୧୪ ଅଗଷ୍ଟ ମାସର ଦରଠାରୁ ଏହି ଦର ଅଧିକ । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୦.୩୮ ଟଙ୍କା, କୋଲକାତାରେ ୭୩.୧୨ ଟଙ୍କା ଏବଂ ଚେନ୍ନାଇରେ ୭୨.୯୫ ଟଙ୍କା ଧାର୍ଯ୍ୟ ଥିଲା । ସେହିପରି ଆଜି ଡିଜେଲ ଦର ଲିଟର ପିଛା ଦିଲ୍ଲୀରେ ୫୮.୭୨ ଟଙ୍କା, କୋଲକାତାରେ ୬୧.୩୭ ଟଙ୍କା, ମୁମ୍ବାଇରେ ୬୨.୩୭ ଟଙ୍କା ଏବଂ ଚେନ୍ନାଇରେ ୬୧.୮୪ ଟଙ୍କା ଥିଲା ।

 

ମୋଦି ସରକାର ସମଗ୍ର ଦେଶରେ ଭାଟ୍ ଓ ଅବକାରୀ ଆଦି ପ୍ରାୟ ୧୪ଟି ଟିକସ ଉଚ୍ଛେଦ କରି ଏକ ରାଷ୍ଟ୍ର ଏକ ଟିକସ ନୀତିରେ ସାମଗ୍ରୀ ଓ ସେବା କର ବା ଜିଏସଟି ଲାଗୁ କରିଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲକୁ ଏହି କର ପରିସରରୁ ବାହାରେ ରଖିଛନ୍ତି । ଫଳରେ ପେଟ୍ରୋଲ ଓ ଡିଜେଲ ଦର କମୁ ନାହିଁ । ପେଟ୍ରୋଲ ଉପରେ ଆଗରୁ ସାଧାରଣ ଖାଉଟି ୫୭ ପ୍ରତିଶତ ଟିକସ ଦେଉଥିଲେ । ଏବେ ତାହା ହିଁ ଦେଉଛନ୍ତି । କିନ୍ତୁ ଏହାକୁ ଜିଏସଟି ପରିସରଭୁକ୍ତ କରିଥିଲେ ଲୋକଙ୍କୁ ପେଟ୍ରୋଲ ଉପରେ ସର୍ବାଧିକ ୨୮ ପ୍ରତିଶତ ଟିକସ ଦେବାକୁ ପଡ଼ିଥାନ୍ତା । ଫଳରେ ଲୋକମାନେ ଲିଟର ପିଛା ୪୦-୪୩ ଟଙ୍କା ଦରରେ ପେଟ୍ରୋଲ ପାଇଥାନ୍ତେ ।

 

ଉପା ସରକାର ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ୧୪୦ ଡଲାର ଟପିଥିଲା । ଏବେ ଏହି ଦର ୫୫ ଡଲାର ତଳେ । ଆଜିର ଅଶୋଧିତ ପେଟ୍ରୋଲିୟମ ଦର ହେଲା ବ୍ୟାରେଲ ପିଛା ୫୧.୩୪ ଡଲାର । ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ପେଟ୍ରୋଲିୟମ ଥାଏ । ଏହାକୁ ବିଶୋଧିତ କରାଯାଇ ଏଥିରୁ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଇନ୍ଧନ ଏବଂ ପେଟ୍ରୋଲଜାତ ସାମଗ୍ରୀ ଉତ୍ପାଦନ କରାଯାଏ । ଏବେ ଡଲାରର ବିନିମୟ ମୂଲ୍ୟ ୬୫ ଟଙ୍କା । ଅର୍ଥାତ ଅଶୋଧିତ ପେଟ୍ରୋଲିୟମ ଦର ହେଉଛି ଲିଟର ପିଛା ପ୍ରାୟ ୨୧ ଟଙ୍କା । ଏହା ଉପରେ ବିଶୋଧନ ଖର୍ଚ୍ଚ ଲଗାଇଲେ ଏହି ଦର ସର୍ବାଧିକ ୩୦ ଟଙ୍କା ହେବ । ତା’ ଉପରେ ୨୮ ପ୍ରତିଶତ ଜିଏସଟି ହିସାବ ହେଲେ ଆଉ ୭ ଟଙ୍କା ମିଶିବ । ତେଣୁ ମୋଟ ଉପରେ ଦର ୩୭ ଟଙ୍କା ରହିବା କଥା । ଏହା ଉପରେ ଡିଲର କମିଶନ ଓ ପରିବହନ ଖର୍ଚ୍ଚ ମିଶାଇଲେ ତାହା ୪୩ ଟଙ୍କା ଭିତରେ ସୀମୀତ ରହିବ ।

 

ଦେଶରେ ଜିଏସଟି ଲାଗୁ ହେବା ସମୟରେ ମୋଦି ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ ଉତ୍ପାଦ ଉପରେ ମଧ୍ୟ ଏହି ଟିକସ ଲାଗୁ ହେବା ଉଚିତ ବୋଲି ମତ ଦେଇଥିଲେ । କିନ୍ତୁ ତାହା ଏଯାଏଁ ହୋଇନାହିଁ । କେନ୍ଦ୍ର କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ନେତାମାନେ ଦାବି କରୁଛନ୍ତି ଯେ ରାଜ୍ୟ ସରକାରଗୁଡ଼ିକ ବିରୋଧ କରିବାରୁ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁ ହୋଇନାହିଁ । ତେବେ ନିଜେ ଧର୍ମେନ୍ଦ୍ର ପ୍ରଧାନ କେଇ ଦିନ ତଳେ କହିଛନ୍ତି ଯେ ଦର ବୃଦ୍ଧି ସତ୍ତେ୍ୱ ଡାଇନାମିକ ପ୍ରାଇସିଂ ସିଷ୍ଟମ ବା ଦୈନିକ ଦର ନିର୍ଦ୍ଧାରଣ ବ୍ୟବସ୍ଥା ବନ୍ଦ ହେବ ନାହିଁ । ଏହି ବ୍ୟବସ୍ଥା ଫଳରେ ସାଧାରଣ ଗ୍ରାହକମାନେ ଦୈନିକ ଭିତ୍ତିରେ ତୈଳ ଦର ବୃଦ୍ଧି/ହ୍ରାସର ମୁନାଫା ପାଉଛନ୍ତି । ଏହି ବ୍ୟବସ୍ଥା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ନାମମାତ୍ର କମିଥିଲେ ବି ତାହା ତଳସ୍ତରର ଗ୍ରାହକଙ୍କ ପାଖରେ ପହଂଚୁଛି । ତାଙ୍କ ହିସାବରେ ଦୈନିକ ଦର ନିର୍ଦ୍ଧାରଣ ଗ୍ରାହକଙ୍କ ପାଇଁ ଫାଇଦାଜନକ । ସରକାର ଯେତେବେଳେ ଏହି ନିଷ୍ପତ୍ତି ନେଲେ ସେତେବେଳେ ପ୍ରଥମ ପକ୍ଷରେ ଅନ୍ତର୍ଜାତୀୟ ଦର କମିଥିଲା । ତାହାର ଫାଇଦା ଗ୍ରାହକ ପାଇଲେ । କିନ୍ତୁ ତା’ ପରଠାରୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢ଼ୁଥିବାରୁ ଭାରତରେ ମଧ୍ୟ ଦର ବୃଦ୍ଧି ପାଇବାରେ ଲାଗିଛି ।

 

ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ମୁନାଫା ସାଧାରଣ ଖାଉଟିଙ୍କ ପାଖରେ ପହଂଚାଇବା ପାଇଁ ସରକାରୀ ତୈଳ କମ୍ପାନୀଗୁଡ଼ିକ ଦରହ୍ରାସ ନକରି ପୂର୍ବ ଦରରେ ପଇସା ହିସାବରେ କମ୍ବେଶି କରିବାର ପଛରେ ଅନ୍ୟ କିଛି ରହସ୍ୟ ରହିଛି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ସରକାର ଦର କମାଉ ନଥିବାରୁ ରିଲାଏନ୍ସ କମ୍ପାନୀ ମଧ୍ୟ ଏହି ଚଢ଼ା ଦରରେ ତା’ର ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଛି । ମୋଦି ସରକାର ଆସିବା ପୂର୍ବରୁ ଦେଶରେ ଖୋଲିଥିବା ରିଲାଏନ୍ସ କମ୍ପାନୀର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିଲା । କିନ୍ତୁ ମୋଦି ସରକାରଙ୍କ ପେଟ୍ରୋଦର ନୀତି ପରେ ତାହା ସବୁ ଖୋଲିଛି ଏବଂ ବେଶ୍ ଭଲ ବ୍ୟବସାୟ କରୁଛି । ଏହି କମ୍ପାନୀକୁ ପୂର୍ବର ଉପା ସରକାର କେଜି ବେସିନ ପେଟ୍ରୋଲ ଖଣି ଉପହାର ଦେଇଥିଲେ । ସେଥିରୁ କମ୍ ଖର୍ଚ୍ଚରେ ତୈଳ ଉତ୍ତୋଳନ ହେଉଛି । ତା’ବାଦ କମ୍ପାନୀ ଅନ୍ତର୍ଜାତୀୟ ବଜାରରୁ କମ୍ ଦରରେ ଅଶୋଧିତ ପେଟ୍ରୋଲିୟମ ଆମଦାନୀ କରିବାରେ ମଧ୍ୟ କୌଣସି ବାଧା ନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top