ଚାଷ-ଆୟ ଓଡ଼ିଶାରେ ସବୁଠାରୁ କମ୍

News Story - Posted on 2017-09-12

ପ୍ରହଲାଦ କୁମାର ସିଂହ

 

ଦଶ ବର୍ଷରେ ଓଡ଼ିଶାର ଚାଷୀ ପରିବାରଙ୍କ ଆୟ ଦୁଇଗୁଣ ବଢ଼ିଛି ଏବଂ ଆଉ ୧୦ ବର୍ଷ ଭିତରେ ଏହା ପୁଣି ଦୁଇଗୁଣ ବଢ଼ିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଙ୍ଗୁଆଳମାନେ କହୁଛନ୍ତି । ବାସ୍ତବରେ କିନ୍ତୁ ଓଡ଼ିଶାରେ ଚାଷୀ ପରିବାରର ନିରୋଳା ଚାଷରୁ ଆୟ ଏବେ ସମଗ୍ର ଦେଶରେ ସବୁଠାରୁ କମ୍ ।

ରାଜ୍ୟ ସରକାର କୃଷି ବିଭାଗର ନାମ ବଦଳାଇ କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । କେବଳ ସେତିକି ନୁହେଁ ଏବେ କିଛି ବର୍ଷ ହେବ ବିଧାନସଭାରେ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ ହୋଇଥିବା ବେଳେ ସରକାର ବି କରିଛନ୍ତି ସ୍ୱତନ୍ତ୍ର କୃଷି କ୍ୟାବିନେଟ୍ । ଏହା ସତ୍ତେ୍ୱ ରାଜ୍ୟରେ କୃଷି ଓ କୃଷକଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ । ଚାପଗ୍ରସ୍ତ ହୋଇ ଅନେକ ସ୍ଥାନରେ ଚାଷୀ ଆତ୍ମହତ୍ୟା ଲାଗି ରହିଛି । ଚାଷୀଙ୍କ ଭିତରେ ବଢ଼ି ଚାଲିଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କୁହାଯାଉଛି ୨୦୨୨ ସୁଦ୍ଧା ଓଡ଼ିଶାରେ କୃଷକଙ୍କ ରୋଜଗାର ଦ୍ୱିଗୁଣିତ ହୋଇଯିବ । ୨୦୦୩ ତୁଳନାରେ ୨୦୧୩ ବର୍ଷ ବେଳକୁ ଓଡ଼ିଶାରେ କୃଷକଙ୍କ ରୋଜଗାର ଦ୍ୱିଗୁଣା ବଢ଼ିଥିବା ସତ୍ତେ୍ୱ କୃଷକ କାହିଁକି ଦାରୁଣ ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରୁଛି?

 

ଜାତୀୟ ନମୁନା ସର୍ଭେ ସଂସ୍ଥାର ୨୦୦୨-୦୩ ଓ ୨୦୧୨-୧୩ ରିପୋର୍ଟ ତଥା ଭାରତ ସରକାରଙ୍କ କୃଷି ଅର୍ଥନୀତି ଗବେଷଣା ୟୁନିଟ୍ ଓ ଆର୍ଥିକ ବିକାଶ ସଂସ୍ଥାନର ବିଶ୍ଳେଷଣକୁ ଆଧାର କରି ରାଜ୍ୟ ସରକାର ଦାବି କରୁଛନ୍ତି ଯେ ଏହି ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଚାଷୀ ପରିବାରର ହାରାହାରି ଆୟ ଦୁଇଗୁଣ ବଢ଼ି ଯାଇଛି । ଉକ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଗୋଟିଏ ବେସରକାରୀ ସଂସ୍ଥାଠାରୁ ଦିଲ୍ଲୀ ଯାଇ ଆମ କୃଷି ମନ୍ତ୍ରୀ ଏକ ପୁରସ୍କାର ଆଣିଛନ୍ତି, ଆଉ ମୁଖ୍ୟମନ୍ତ୍ରୀ ଏହାକୁ ଚାଷୀମାନଙ୍କ ଉଦ୍ଦେଶ୍ୟରେ ଗଣମାଧ୍ୟମରେ ଉତ୍ସର୍ଗ କରିଛନ୍ତି । ଭାରତର ବିଭିନ୍ନ ରାଜ୍ୟର ଚାଷୀ ପରିବାର ପିଛା କୃଷିରୁ ଆୟ ସଂକ୍ରାନ୍ତରେ ପ୍ରକାଶିତ ସରକାରୀ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୨-୧୩ ବର୍ଷରେ ନିରୋଳା ଚାଷରୁ ଓଡ଼ିଶାର ଚାଷୀ ପରିବାର ମାସିକ ହାରାହାରି ୧୪୦୭ ଟଙ୍କା ଆୟ କରିଛନ୍ତି ଯାହାକି ସାରା ଦେଶରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସବୁଠାରୁ କମ୍ । ତଳଆଡ଼ୁ ଏ କ୍ଷେତ୍ରରେ ପ୍ରଥମ ହୋଇ ବି ଆମ ରାଜ୍ୟ ପୁରସ୍କୃତ ହୋଇଛି । ଉକ୍ତ ବର୍ଷ ଜାତୀୟ ସ୍ତରରେ ଚାଷୀ ପରିବାର ପିଛା କୃଷିରୁ ମାସିକ ହାରାହାରି ଆୟ ୩୦୮୧ ଟଙ୍କା ଥିବା ବେଳେ ପଞ୍ଜାବରେ ଚାଷୀ ପରିବାର ପିଛା କୃଷିରୁ ମାସିକ ଆୟ ୧୦,୮୬୨ ଟଙ୍କା, ହରିଆନାରେ ୭,୮୬୭, ଅରୁଣାଚଳ ପ୍ରଦେଶରେ ୬,୬୪୭, ମେଘାଳୟରେ ୬,୪୬୨ ଟଙ୍କା ଥିଲା । ଅନ୍ୟ ସବୁ ରାଜ୍ୟର ଚାଷୀ ପରିବାରଙ୍କ ଚାଷରୁ ମାସିକ ହାରାହାରି ଆୟ ଓଡ଼ିଶା ଠାରୁ ଢେର୍ ଅଧିକ । ଅଥଚ ଏ କ୍ଷେତ୍ରରେ ତଳଆଡ଼ୁ ପ୍ରଥମ ହୋଇ ଆମ ସରକାର ଓ ନେତାମାନେ ଖୁସିରେ ଗଦଗଦ ।
ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୨-୧୩ ବର୍ଷରେ ଓଡ଼ିଶାର ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ ନିରୋଳା ଚାଷରୁ ୧୬,୮୯୨ ଟଙ୍କା ଥିବା ବେଳେ ପଶୁ ପାଳନରୁ ୧୫,୪୭୭, ଅଣକୃଷି ବ୍ୟବସାୟରୁ ୬,୪୫୧ ଏବଂ ମୂଲ ମଜୁରି ଆଦିରୁ ୨୦,୬୨୦ ଟଙ୍କାକୁ ମିଶାଇ ମୋଟ୍ ଆୟ ୫୯,୪୪୦ ଟଙ୍କା ବୋଲି ଦର୍ଶାଯାଉଛି । ତେବେ ଉକ୍ତ ବର୍ଷରେ ପଞ୍ଜାବରେ ଚାଷୀ ପରିବାରର ମୋଟ୍ ହାରାହାରି ବାର୍ଷିକ ଆୟ ପରିମାଣ ହେଲା ୨,୧୭,୪୫୦ ଟଙ୍କା । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଓଡ଼ିଶାରେ ଚାଷୀ ପରିବାର ଆୟର ମୁଖ୍ୟ ସ୍ରୋତ ମୂଲ ମଜୁରି ।

 

ମୋଟାମୋଟି ଭାବେ ଓଡ଼ିଶାରେ ଚାଷୀ ପରିବାରର ମୋଟ୍ ମାସିକ ଆୟ ହାରାହାରି ୪,୯୫୩ ଟଙ୍କା ଥିବା ବେଳେ ଦୈନିକ ଆୟ ପରିବାର ପିଛା ରହୁଛି ହାରାହାରି ୧୬୨ ଟଙ୍କା ୮୪ ପଇସା । ଏଥିରୁ ନିରୋଳା କୃଷିରୁ ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ମାତ୍ର ୧,୪୦୭ ଟଙ୍କାରେ ସୀମିତ ଥିବା ବେଳେ କେବଳ କୃଷିରୁ ଦୈନିକ ହାରାହାରି ଆୟ ଚାଷୀ ପରିବାର ପିଛା ୪୭ ଟଙ୍କାରୁ କମ୍ । ଏବେ ସରକାର ଏହାକୁ ଦୁଇଗୁଣା କରିବାକୁ ଦମ୍ ଲଗାଇ ପ୍ରଚାର କରୁଛନ୍ତି । ଏହି ପ୍ରଚାର କରୁଥିବା ନେତା ଓ ଅଫିସରଙ୍କ ପରିବାର ମାସିକ ହାରାହାରି ଏତିକି ଆୟରେ ଚଳିପାରିବେ ତ?

 

ଯଦି ସରକାରଙ୍କ ଲକ୍ଷ୍ୟ ହାସଲ ହୁଏ ତେବେ ୨୦୨୨ ବେଳକୁ ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ପରିମାଣ ୯,୯୦୬ ଟଙ୍କାରେ ପହଞ୍ଚିବ ଏବଂ ନିରୋଳା ଚାଷରୁ ଆୟ ପରିମାଣ ମାସିକ ହାରାହାରି ୨,୮୧୪ ଟଙ୍କା ହୋଇପାରେ । ସେତେବେଳକୁ ମୁଦ୍ରାସ୍ଫୀତି, ଅବମୂଲ୍ୟାୟନ କେଉଁ ସୂଚକାଙ୍କରେ ପହଞ୍ଚିଥିବ ଏବଂ ଜାତୀୟ ସ୍ତରରେ ବିଶେଷକରି ପଞ୍ଜାବ, ହରିଆନା ଆଦି ରାଜ୍ୟରେ ଚାଷୀ ପରିବାରର ଚାଷ ଓ ଅନ୍ୟାନ୍ୟ ସୂତ୍ରରୁ ମାସିକ ଆୟର ପରିମାଣ ଓଡ଼ିଶାର କେତେଗୁଣରୁ ଯେ ଅଧିକ ହୋଇଥିବ ସେ ସଂକ୍ରାନ୍ତରେ କିନ୍ତୁ ଫାଇଲ୍ ଚାଷ କରୁଥିବା ଆମ କଥାକୁହା କପିଳାମାନେ ନୀରବ । ସେଇଥିପାଇଁ ପରା ଗାଁ ଗହଳର ଚାଷୀମାନେ କୁହନ୍ତି ଗାଲୁଆଙ୍କ ବାରବାଟୀ ଚାଷ । ୨୦୨୨ ବେଳକୁ ଯଦି ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟର ପରିମାଣ ଅତିକମ୍ରେ ୨୦ ହଜାର ଟଙ୍କା ନ ହୁଏ ତା’ ହେଲେ ଚାଷୀଙ୍କର ଆର୍ଥିକ ସ୍ଥିତିରେ ବିଶେଷ ଉନ୍ନତି ହେବ ନାହିଁ । ଆମ ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ପରିବାରଙ୍କ ଭରସା ଟଙ୍କିକିଆ ଚାଉଳ । ଗ୍ରାମାଞ୍ଚଳରେ ସଂଖ୍ୟାଧିକ ଚାଷୀ ପରିବାରଙ୍କୁ ଗୋଟିଏ ପଟେ ଟଙ୍କିକିଆ ଚାଉଳ ଯୋଗାଇ ଅନ୍ୟପଟେ ମଦର ବନ୍ୟା ଛୁଟାଇବା ସହିତ କୃଷି ଭିତ୍ତିକ ଶିଳ୍ପକୁ ଡୁବାଇ ସରକାର ଯେଉଁ ସମୃଦ୍ଧିର ସ୍ୱପ୍ନ ଦେଖୁଛନ୍ତି ତାହା ଧର୍ମକୁ ଆଖିଠାର ଭଳି । ପ୍ରାୟ ୬୫ ଲକ୍ଷ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକ ପରିବାରଙ୍କ ଆଖିଦୃଶିଆ ଉନ୍ନତି ନ ହେଲେ ଓଡ଼ିଶା ଦେଶର ଅନ୍ୟତମ ପଛୁଆ ରାଜ୍ୟ ହୋଇ ଯେଭଳି ରହିଛି ସେହିପରି ରହିଥିବ ।

 

ଏବେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ସରକାରୀ କର୍ମଚାରୀଙ୍କ ଯେଉଁ ବେତନ ବୃଦ୍ଧି ଘୋଷଣା କରିଛନ୍ତି ତଦନୁଯାୟୀ ଝାଡ଼ୁଦାରଙ୍କ ଭଳି ଚତୁର୍ଥ ଶ୍ରେଣୀର ନିୟମିତ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ମାସିକ ଦରମା ୧୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ମାସିକ ଦରମା ହେଉଛି ୨ ଲକ୍ଷ ୨୫ ହଜାର ଟଙ୍କା । ଏହାଛଡ଼ା ସରକାରୀ ଚାକିରିଆମାନଙ୍କୁ ବି ଆଉ ଅନେକ ସୁବିଧା ମାଗଣାରେ ସରକାର ଦେଇଥାନ୍ତି । ଏ ପରିପ୍ରେକ୍ଷୀରେ ସରକାରୀ ଦସ୍ତାବିଜ ଅନୁଯାୟୀ ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ୪,୯୫୩ ଟଙ୍କାରେ ସୀମିତ ଥିବା ବେଳେ ନିରୋଳା ଚାଷରୁ ମାସକୁ ଚାଷୀ ପରିବାର ଆୟ କରୁଛନ୍ତି ହାରାହାରି ୧,୪୦୭ ଟଙ୍କା ମାତ୍ର । ଏ ହେଉଛି ଆମ ରାଜ୍ୟର ଅନ୍ନଦାତାଙ୍କ ଦୟନୀୟ ଆର୍ôଥର୍କ ସ୍ଥିତି ।

 

ଓଡ଼ିଶାରେ କୃଷି କହିଲେ ମୁଖ୍ୟତଃ ଧାନ ଚାଷକୁ ବୁଝାଯାଏ । ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଓ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟର ବିବରଣୀ ଅନୁଯାୟୀ ଓଡ଼ିଶାରେ ଯେତେ ଧାନ ଉତ୍ପାଦିତ ହେଉଛି ତାହାର ମାତ୍ର ୩୩.୨ ପ୍ରତିଶତ ଜଳସେଚିତ ଜମିରେ ଫଳୁଛି । ଡାଲି ଜାତୀୟ ଶସ୍ୟ ତ ମାତ୍ର ୩ ପ୍ରତିଶତ ସେଚିତ ଜମିରୁ ଉତ୍ପାଦିତ ହେଉଥିବା ସରକାର ନିଜେ କହୁଛନ୍ତି । ପନିପରିବା, ଫୁଲ ଫଳ, ଡାଲି, ତୈଳବୀଜ ଆଦି ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ହେଉଥିବା ଘୋଷଣାର କାଣିଚାଏ ବି ଚାଷୀ କ୍ଷେତରେ ପହଞ୍ଚି ପାରୁନାହିଁ । ଚାଷୀ ବି ଯେତିକି ଫସଲ ଫଳାଉଛି ତାହାର ଠିକଣା ବିପଣନ, ସଂରକ୍ଷଣ ହେଉନି କି ଉଚିତ ମୂଲ୍ୟ ଦିଆଯାଉନାହିଁ । ଅଭାବରେ ସଢ଼ୁଥିବା ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ।

 

ରାଜ୍ୟରେ କୃଷି ଭିତ୍ତିକ ଶିଳ୍ପ ବଢ଼ାଇବା ପରିବର୍ତ୍ତେ ଲୋପ କରିଦିଆଯାଉଛି । ୧୩ଟି ଯାକ ସମବାୟ ସୂତାକଳ ଏବଂ ଓଟିଏମ୍ ଓ ଅନ୍ୟ ୧୨ଟି ଲୁଗାକଳ ବନ୍ଦ କରି ଦିଆଯିବା ଏହାର ଅନ୍ୟତମ ଉଦାହରଣ । ରାଜ୍ୟରେ ଯେତେ ସଂଖ୍ୟକ ସମବାୟ ଚିନିକଳ ଥିଲା ସେଥିରୁ କେବଳ କୋମାରେ ଚାଲିଛି ଆସିକା ସମବାୟ ଚିନିକଳ । ଆଉ ସବୁ ଠପ୍ । ଧାନମଣ୍ଡଳରେ ଥିବା ଝୋଟକଳ ବର୍ଷ ବର୍ଷ ଧରି ବନ୍ଦ ହୋଇ ପଡ଼ିଛି ।

 

ଓଡ଼ିଶାରେ ଥିବା ୧୧୫ଟି ଶୀତଳ ଭଣ୍ଡାରରୁ ୮୦ଟି ଅଚଳ ବୋଲି ବିଧାନସଭାରେ ଖୋଦ୍ ମନ୍ତ୍ରୀ ଉତ୍ତର ରଖିଛନ୍ତି । ଧାତବ ଶିଳ୍ପ ପଛରେ ଧାଇଁ ଧାଇଁ ସରକାର ମାରି ଚାଲିଛନ୍ତି କୃଷି ଭିତ୍ତିକ ଶିଳ୍ପଗୁଡ଼ିକୁ । ଆମେ ଖାଇବା ଓ ଲଗାଇବା ପାଇଁ ଆବଶ୍ୟକ କରୁଥିବା ତେଲ ଅନ୍ୟ ରାଜ୍ୟରୁ ନ ଆସିଲେ ନ ଚଳେ । ଡାଲିର ଅବସ୍ଥା ବି ତଦ୍ରୁପ । ଆଳୁ, ପିଆଜ, ମାଛ, ଅଣ୍ଡା, ଫୁଲ, ପନିପରିବା, ଫଳ ଆଦି ପାଇଁ ତ ଓଡ଼ିଶା ଅନ୍ୟ ରାଜ୍ୟ ନିକଟରେ ହାତ ପତାଉଛି । ଏ ବାବଦରେ ଓଡ଼ିଶାର ଖାଉଟିମାନଙ୍କ ଠାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଉପାର୍ଜନ କରି ଲାଭବାନ ହେଉଛନ୍ତି ।

 

ସରକାର ଯେ କିଛି କରୁନାହାନ୍ତି ତାହା ନୁହେଁ । ଆଳୁ ମିଶନକୁ ଏହାର ଉଦାହରଣ ଭାବେ ନିଆଯାଇପାରେ । ଓଡ଼ିଶାକୁ ଆଳୁ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ପାଇଁ ଅଫିସରମାନେ ବ୍ୟାପକ ବିଦେଶଗସ୍ତ କରିବା ପରେ ସରକାର ଗଢ଼ିଛନ୍ତି ଆଳୁ ମିଶନ । ୨୦୧୬-୧୭ ବର୍ଷରେ ଆଳୁ ମିଶନ ମାଧ୍ୟମରେ ରାଜ୍ୟରେ ୮ ଲକ୍ଷ ମେଟ୍ରିକ ଟନ ଓ ୨୦୧୭-୧୮ରେ ୧୧ ଲକ୍ଷ ମେଟ୍ରିକ ଟନରୁ ଅଧିକ ଆଳୁ ଫଳାଇବା ଲକ୍ଷ୍ୟ ରଖାଯାଇଥିଲା । ଏହି ଲକ୍ଷ୍ୟ ଅନୁଯାୟୀ ୨୦୧୫-୧୬ରେ ୫ ଲକ୍ଷ ୨୮ ହଜାର ଓ ୨୦୧୪-୧୫ରେ ୨ ଲକ୍ଷ ୭୪ ହଜାର ମେଟ୍ରିକ ଟନ ଆଳୁ ଫଳିବା କଥା । ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାର ବାର୍ଷିକ ଆଳୁ ଚାହିଦା ପ୍ରାୟ ୧୧ ଲକ୍ଷ ମେଟ୍ରିକ ଟନ । ତେବେ ସରକାରଙ୍କ ଖାତାରେ ଫଳୁଥିବା ଆଳୁ ଓଡ଼ିଶାରେ ପ୍ରକୃତରେ ଚାଷୀ କ୍ଷେତରେ ଫଳାଉଥିବା ଆଳୁର ପରିମାଣ ଭିତରେ ଆକାଶ ପାତାଳ ଫରକ ।

 

ଉଦାହରଣ ସ୍ୱରୂପ ବିଧାନସଭାରେ ଗତ ଡିସେମ୍ବର ମାସରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଦେଇଥିବା ତଥ୍ୟରେ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ୨୦୧୫-୧୬ ବର୍ଷରେ ୨,୭୮,୭୫୦ ମେଟ୍ରିକ ଟନ ଆଳୁ ଫଳିଛି । ଅଥଚ ଗତ ବଜେଟ୍ ଅଧିବେଶନ ସମୟରେ ବିଧାନସଭାରେ ଉପସ୍ଥାପିତ ଓଡ଼ିଶା ଆର୍ଥିକ ସର୍ଭେ ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୧୫-୧୬ ବର୍ଷରେ ଓଡ଼ିଶାରେ ଆଳୁ ଉତ୍ପାଦନ ହୋଇଛି ମାତ୍ର ୫୭ ହଜାର ମେଟ୍ରିକ ଟନ । ଅର୍ଥାତ ତଥ୍ୟ ସମ୍ବଳିତ ସରକାରୀ ହିସାବ ତୁଳନାରେ ମନ୍ତ୍ରୀଙ୍କ ପ୍ରଦତ୍ତ ଆଳୁ ଉତ୍ପାଦନ ହିସାବ ପାଖାପାଖି ୫ ଗୁଣା ଅଧିକ । ଏହା ଅଧିକ କରାଯିବାର ଏକ ମୁଖ୍ୟ କାରଣ ହେଉଛି ଆଳୁ ଉତ୍ପାଦନ ଲାଗି ହେକ୍ଟର ପିଛା ଚାଷୀଙ୍କୁ ୩୦ ହଜାର ଟଙ୍କା କରି ଦିଆଯାଉଥିବା ପ୍ରୋତ୍ସାହନର ବ୍ୟାପକ ଚଳୁ । ଏହିପରି ବ୍ୟାପକ ଅର୍ଥ ବାଟମାରଣା ସତ୍ତେ୍ୱ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଅନ୍ନଦାତା ଚାଷୀ କିନ୍ତୁ ଉତ୍ପାଦନ ବଢ଼ାଇ ଚାଲିଛନ୍ତି ।

 

ଚାଷୀର ନିରାପତ୍ତା ଓ ସମ୍ମାନ ବୋଲି କିଛି ନାହିଁ । ସଂସଦ ଓ ବିଧାନସଭାକୁ ଥରେ ନିର୍ବାଚିତ ହେଲେ ଜୀବନ ସାରା ପେନସନ ମିଳିବାର ବ୍ୟବସ୍ଥା ଅଛି । କିନ୍ତୁ ସରକାର, ସାହୁକାର, ପ୍ରାକୃତିକ ବିପତ୍ତି ଆଦି ପ୍ରତିକୂଳ ପରିସ୍ଥିତିକୁ ଆଜୀବନ ମୁକାବିଲା କରି ଚାଲିଥିବା ଆମ ଅନ୍ନଦାତା ଚାଷୀଙ୍କ ପାଇଁ ପେନସନ ଦେବ କିଏ? ବାସ୍ତବରେ କୃଷକ ସଶକ୍ତିକରଣ ବିଭାଗ କରିଚାଲିଛି କୃଷକଙ୍କ ଶକ୍ତି ହରଣ । ଚାଷୀ ଓ ଚାଷର ସମସ୍ୟା ସଂକ୍ରାନ୍ତରେ ୨୦୧୦ ମସିହାରେ ବସା ଯାଇଥିବା କୃଷକ କମିଶନ ଓ ୨୦୦୪ରେ ବସା ଯାଇଥିବା ଆଞ୍ଚଳିକ ବୈଷମ୍ୟ କମିଶନ ରିପୋର୍ଟରେ ବ୍ୟାପକ ବିଶ୍ଳେଷଣ କରାଯାଇ ଅନେକ ପ୍ରତିକାରାତ୍ମକ ସୁପାରିଶ ହୋଇଛି । କିନ୍ତୁ କୃଷକଙ୍କ ଶକ୍ତି ହରଣରେ ବ୍ୟସ୍ତ ବ୍ୟବସ୍ଥା ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କମିଶନଙ୍କ ରିପୋର୍ଟକୁ ତର୍ଜମା ଆଳରେ ବର୍ଷ ବର୍ଷ ଧରି ଚାପି ରଖିଛନ୍ତି । କେବଳ ଧାନ ନୁହେଁ ବଜାର ଚାହିଦାକୁ ଆଖି ଆଗରେ ରଖି ଆମ ଚାଷୀ କିଭଳି ଅଧିକ ପରିମାଣର ଅନ୍ୟ ଚାଷ କରିପାରିବେ, କୃଷି ସହିତ ପଶୁପାଳନ, କୁକୁଡ଼ା ଓ ମାଛ ଚାଷ ଆଦିର ବିକାଶ ଘଟିପାରିବ, ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର କିଭଳି ଅଧିକ ବ୍ୟବହାର ହେବ, ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ଚାଷୀ ପାଇବା ସହିତ ତାହାର ସଂରକ୍ଷଣ ଓ ଓ ବିପଣନ କରାଯାଇପାରିବ ଏବଂ ସର୍ବୋପରି ଧାତବ ଶିଳ୍ପ ପଛରେ ଧାଁ ଦୌଡ଼ ନ କରି କୃଷି ଭିତ୍ତିକ ଶିଳ୍ପ ସହିତ ଗାଁରେ ଗାଁରେ କୁଟୀର ଶିଳ୍ପ କାୟା ମେଲାଇବ ସେ ଦିଗରେ ସରକାର ଧ୍ୟାନଦେବା ଆବଶ୍ୟକ ।

 

କିନ୍ତୁ ହଜାର ହଜାର କୋଟି ଟଙ୍କା ଋଣ ଆଣି ଗୋଟାଏ ଦୁଇଟା ସହରକୁ ସ୍ମାର୍ଟ କରିବା ଆଳରେ ବ୍ୟାପକ ଲୁଟ୍ତରାଜ ପାଇଁ ଯେଉଁମାନେ ହାତ ହତିଆର ଧରି ସଜବାଜ ହୋଇ ବସିଛନ୍ତି ସେମାନେ ମହତ୍ମା ଗାନ୍ଧୀଙ୍କ ପରିକଳ୍ପିତ ଗ୍ରାମ ସ୍ୱରାଜ ବ୍ୟବସ୍ଥା ମାଧ୍ୟମରେ ଗାଁଗୁଡ଼ିକୁ ସ୍ୱାବଲମ୍ବନଶୀଳ ଓ ସ୍ମାର୍ଟ କରିବା କଥା ଚିନ୍ତା କରିପାରୁନାହାନ୍ତି । ବାସ୍ତବରେ ଚାଷୀ ହସିଲେ ଗାଁ ହସିବ ଆଉ ସବୁ ଗାଁ ହସିଲେ ରାଜ୍ୟ ହସିବ, ନ ହେଲେ ପୁଣି ବର୍ଷ ବର୍ଷ ଧରି ଦେଶର ଅନଗ୍ରସର ଓ ଗରିବ ରାଜ୍ୟ ଭାବେ ଓଡ଼ିଶା ପଛରେ ପଡ଼ି ରହିଥିବ ।

 

ସଭାପତି, ମହାତ୍ମା ଗାନ୍ଧୀ ବିଚାର ମଞ୍ଚ
ସଂପର୍କ- ୯୪୩୭୦୧୭୩୯୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top