ସାଧାରଣ ଲୋକଙ୍କ ପେଟକୁ ଲାତ

News Story - Posted on 2017-09-12

ସୂର୍ଯ୍ୟମଣି ମିଶ୍ର

 

ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର କେନ୍ଦ୍ରମନ୍ତ୍ରୀ, ସେ ଏବେ ବ୍ୟକ୍ତି ନୁହନ୍ତି ଅନୁଷ୍ଠାନ । ଯଦିଓ ଓଡ଼ିଶାରୁ ସେ ପ୍ରତ୍ୟକ୍ଷ କି ପରୋକ୍ଷ ଭାବେ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପଦ ପାଇନାହାନ୍ତି ତେବେ ଓଡ଼ିଆ ପୁଅ ବୋଲି ପ୍ରତିଟି ଓଡ଼ିଆ କିଏ ଆନୁଷ୍ଠାନିକ ଭାବରେ ତ ଆଉ କିଏ ଘରୋଇ ଭାବେ ନିଜକୁ ଗର୍ବ କରୁଛନ୍ତି । ଏହା ସତ୍ତେ୍ୱ ଯେ ଧର୍ମେନ୍ଦ୍ର ବାବୁ ଓଡ଼ିଶା ପାଇଁ ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ନୁହନ୍ତି । ସ୍ୱର୍ଗତ କେନ୍ଦ୍ରମନ୍ତ୍ରୀମାନଙ୍କ ନାମକୁ ଏଠାରେ ଉଲ୍ଲେଖ ନକରି ବର୍ତ୍ତମାନ ଜୀବଦ୍ଦଶାରେ ବି ଅଛନ୍ତି ଏକାଧିକ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଏହି ତାଲିକାରେ ଅଛନ୍ତି କାହ୍ନୁଚରଣ ଲେଙ୍କା, ଦେବେନ୍ଦ୍ର ପ୍ରଧାନ, ନବୀନ ପଟ୍ଟନାୟକ, ଅର୍ଜୁନ ସେଠୀ ଏବଂ ଶ୍ରୀକାନ୍ତ ଜେନା । କୌଣସି ଓଡ଼ିଆ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ମାତ୍ରେ ଦଳୀୟ ଦୃଷ୍ଟିରୁ ସେ ଯେଉଁ ଦଳର ସେହି ଦଳର କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାନ୍ତି । କେତେକ କ୍ଷେତ୍ରରେ ନିର୍ଦ୍ଦଳୀୟ ଭାବରେ ମଧ୍ୟ ସ୍ୱାଗତ କରାଯାଇଥାଏ । କାରଣ ସେ ଓଡ଼ିଶା ମାଟିର ସନ୍ତାନ । କେନ୍ଦ୍ର ମନ୍ତ୍ରୀ ହୋଇଥିବା ଏକାଧିକ ନେତା ଓଡ଼ିଶା ପାଇଁ କରିଛନ୍ତି କ’ଣ? ରେଳବାଇ, ଜଳସଂପଦ, ଖଣି ଓ ଇସ୍ପାତ ଭଳି କ୍ଷେତ୍ରରେ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଓଡ଼ିଆ ପୁଅ ଓଡ଼ିଶାର ଏହି କ୍ଷେତ୍ରଗୁଡ଼ିକ ପାଇଁ କି ବିକାଶ କରିପାରିଛନ୍ତି ।

 

ଏବେବି ୩୦ ଲକ୍ଷ ଓଡ଼ିଆ ବାହାର ରାଜ୍ୟରେ ଦାଦନ । ଭୋକ ଓ ଗରିବୀର କଳଙ୍କରେ ଓଡ଼ିଶା ମୁକ୍ତି ପାଇନି । ତେବେ ଧର୍ମେନ୍ଦ୍ର ବାବୁ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ଓଡ଼ିଶା ବିକାଶ ପାଇଁ କ’ଣ କରିପାରିବେ? ତାଙ୍କୁ କ୍ୟାବିନେଟ ପାହ୍ୟାର ପଦୋନ୍ନତି ମିଳିଛି । କ’ଣ ସାଧାରଣ ଲୋକଙ୍କ ବିକାଶ ଦିଗରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ? କେଉଁ ଆଧାରରେ ତାଙ୍କୁ କ୍ୟାବିନେଟ୍‍ ପାହ୍ୟାର ପଦୋନ୍ନତି ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କେଉଁ ଆଧାରରେ ଦକ୍ଷ ମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି?

 

ଏହି ପ୍ରଶ୍ନର ଉତ୍ତର ଯାହା ତାହା ହେଲା- ପ୍ରଚଳିତ ପୁଞ୍ଜିବାଦୀ ବ୍ୟବସ୍ଥା ଓ ବଜାର ଅର୍ଥନୀତିକୁ ଠିକଣା ଭାବେ ଧର୍ମେନ୍ଦ୍ର ବାବୁ ପାଳନ କରି କର୍ପୋରେଟ ହାଉସକୁ ସନ୍ତୁଷ୍ଟ କରିପାରିଛନ୍ତି । କର୍ପୋରେଟ ହାଉସଗୁଡ଼ିକର ମୁନାଫା ଅର୍ଜନ ଦିଗରେ ଧର୍ମେନ୍ଦ୍ର ବାବୁଙ୍କ ଅବଦାନ ଯୋଗୁଁ ଓ ସାଧାରଣ ଜନତାଙ୍କ ପେଟକୁ ନାତ ମାରିଥିବା କାରଣକୁ ନେଇ ତାଙ୍କୁ ଏହି ପଦୋନ୍ନତି ମିଳିଛି!

 

ଓଧ ସାଙ୍ଗରେ ଭୁଆ ବିଲେଇ ବାଇ ହେଲା ଭଳି ଆମେ ଓଡ଼ିଆ ସାଧାରଣ ଜନତା ଧର୍ମେନ୍ଦ୍ରଙ୍କ କ୍ୟାବିନେଟ ପାହ୍ୟାକୁ ନେଇ ଆତ୍ମବିଭୋର ହୋଇପଡିଛନ୍ତି । ଗଛରେ ବେଲ ପାଚିଲେ କୁଆର କିଯାଏ ଏହି ଆପ୍ତବାକ୍ୟ ଅନୁଯାୟୀ କ୍ୟାବିନେଟ ହେବା ଯୋଗୁ ଓଡ଼ିଶାର ଦୁଃଖ ଦୂର ହେବନାହିଁ କି ଭାରତ ବର୍ଷର ସାଧାରଣ ଜନତାଙ୍କର ଦୁର୍ଦ୍ଦଶାର ଅନ୍ତ ଘଟିବ ନାହିଁ । ଏଭଳି ଭାବିବା ଭୁଲ ନିଶ୍ଚୟ । ଆଲୋଚନାର ପ୍ରସଙ୍ଗ ଯାହା ତାହା ହେଲା ମୋଦି ସରକାର ଘରୋଇ ରନ୍ଧନ ଗ୍ୟାସ ଉପରୁ ସବ୍‍ସିଡ଼ି ଉଠାଇ ନେବା ପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି । ସବ୍‍ସିଡ଼ି ଉଚ୍ଛେଦ କରିବା ପାଇଁ ନିଜ ପୂର୍ବ ଘୋଷଣାକୁ ବା ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସରକାର ବଜାୟ ରଖିବା ପାଇଁ ପ୍ରସ୍ତୁତ ନୁହନ୍ତି ।

 

ଗତବର୍ଷ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁନ୍‍ ମାସରେ ଘୋଷଣା କରିଥିଲେ ଯେ, ସରକାର ଘରୋଇ ଗ୍ୟାସ ଉପରୁ ପ୍ରତିମାସ ୨ ଟଙ୍କା ସିଲିଣ୍ଡର ଉପରେ ବୃଦ୍ଧି କରି କ୍ରମଶଃ ସବ୍‍ସିଡ୍‍ ଉଠାଇ ଦେବେ ବା ଉଚ୍ଛେଦ କରିବେ । ମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଜୁଲାଇରେ ନିଜ ଘୋଷଣାକୁ ପରିବର୍ତ୍ତନ କରି କହିଲେ ଯେ, ସରକାର ବର୍ତ୍ତମାନ ପ୍ରତିମାସ ୨ ଟଙ୍କା ନୁହେଁ, ୪ ଟଙ୍କା କରି ପ୍ରତି ସିଲିଣ୍ଡରରେ ବୃଦ୍ଧି କରାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ସବ୍‍ସିଡ୍‍ ଉଚ୍ଛେଦ ହେବ । ଏହି ଘୋଷଣାର ଦୁଇମାସ ପରେ ପୁଣି ମନ୍ତ୍ରୀ ନିଜ କଥାକୁ ବଦଳାଇ ୧ ସେପ୍ଟେମ୍ବରରେ ଘରୋଇ ଗ୍ୟାସର ଦାମ୍‍ ୮ ଟଙ୍କା ପ୍ରତି ସିଲିଣ୍ଡର ପିଛା ବୃଦ୍ଧି କରାଇଲେ ଏବଂ ଅଣ ସବ୍‍ସିଡ୍‍ ବା ଘରୋଇ ସବ୍‍ସିଡ୍‍ ସିଲିଣ୍ଡର ଦାମ୍‍ ବୃଦ୍ଧି କଲେ । ସରକାର ସବ୍‍ସିଡ୍‍ଧାରୀ ଗ୍ୟାସ ସିଲିଣ୍ଡରର ଦାମ୍‍ ଗୋଟିଏ ବର୍ଷରେ ୬୮ ଟଙ୍କା ବୃଦ୍ଧି କରିଛନ୍ତି । ସରକାର ଯଦି ଆସନ୍ତା ୬ ମାସ ମଧ୍ୟରେ ଏହି ଭାବରେ ସବ୍‍ସିଡ୍‍କୁ ଉଚ୍ଛେଦ କରିଦେବେ ଘରୋଇ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇ ୬୦୦ ଟଙ୍କା ହୋଇଯିବା ନିଶ୍ଚିତ ।

 

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ସରକାର ଗତବର୍ଷରୁ ଆଜିଯାଏ ୨.୮୪ କୋଟି ଦାରିଦ୍ର୍ୟ ସୀମାରେଖା ତଳେ ମିଳୁଥିବା ଲୋକଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେଇ ପ୍ରଶଂସା ଗୋଟାଇବାକୁ ଉଦ୍ୟମ କରିଥିଲେ । ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ବିଶେଷ କରି ଗରିବ ମହିଳାଙ୍କୁ ପ୍ରଦୂଷଣରୁ ବଞ୍ଚାଇବା ନାମରେ ନିଶୁଳ୍କ ଗ୍ୟାସ୍‍ ସଂଯୋଗ ଦିଆଯାଇଥିଲା । ଦେଶରେ ଗୋବର, ଘଷି, କାଠ ଭଳି ପଦାର୍ଥକୁ ଇନ୍ଧନ ଭାବେ ବ୍ୟବହାର କରିବା କାରଣରୁ ହେଉଥିବା ରୋଗ ଏବଂ ରୋଗରୁ ମୃତ୍ୟୁକୁ ରୋକିବା ପାଇଁ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଦିଆଯାଉଥିବା ଗ୍ୟାସ୍‍ ସଂଯୋଗର ସବ୍‍ସିଡ୍‍କୁ ଉଚ୍ଛେଦ କରିବା ପାଇଁ ମୋଦି ସରକାର ଘୋଷଣା କରିଛନ୍ତି । ଗ୍ୟାସ କିଣିବା ପାଇଁ ଗାଁର ଗରିବ ମହିଳା ଜଣକ ଏବେ ପ୍ରତିମାସ ୫୦୦ ଟଙ୍କା କେଉଁଠୁ ଆଣିବ । ଏହି ପ୍ରଶ୍ନର ଉତ୍ତର ଆଜିଯାଏ ସରକାର ଦେଇନାହାନ୍ତି । ୨୦୧୩-୧୪ରେ ଗୋଟିଏ ସିଲିଣ୍ଡର ଉପରେ ୫୩୦ ଟଙ୍କାର ସବ୍‍ସିଡ଼୍‍ ମିଳୁଥିଲା, କିନ୍ତୁ ଏବେ ସରକାର ଗୋଟିଏ ସିଲିଣ୍ଡର ଉପରେ ୧୧୦ ଟଙ୍କାର ସବ୍‍ସିଡ୍‍ ଦେବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି । ଏକ କଲ୍ୟାଣକାରୀ ରାଷ୍ଟ୍ରରେ ସରକାରଙ୍କ ଭୂମିକା ସୂଚାଇ ଦେଉଛି ଲୋକ ଏବେ ଘରୋଇ ଗ୍ୟାସ ଉପରେ ସବ୍‍ସିଡ୍‍ କଥାକୁ ଭୁଲିଯିବା ଉଚିତ୍‍ । ସରକାର ଲୋକଙ୍କ ଠାରୁ ଓଲଟି ଘରୋଇ ଗ୍ୟାସ ଉପରେ ୫ ପ୍ରତିଶତ ହାରରେ ୨୯ ଟଙ୍କା ପ୍ରତି ସିଲିଣ୍ଡରରେ ଜିଏସ୍‍ଟି ଅସୁଲ କରିଛନ୍ତି ।

 

ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ୧୯ କେଜି ସିଲିଣ୍ଡର ଉପରେ ସରକାର ୧୮ ପ୍ରତିଶତ ହାରରେ ଜିଏସ୍‍ଟି ଅସୁଲ କରୁଛନ୍ତି । କେବଳ ଘରୋଇ ରନ୍ଧନ ଗ୍ୟାସ ନୁହେଁ, ପେଟ୍ରୋଲ ଏବଂ ଡିଜେଲ ମଧ୍ୟ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବ । ଏନେଇ କେନ୍ଦ୍ର ସରକାରରେ ବିଚାର ଚାଲିଛି । ଏଥିପାଇଁ ଘୋଷିତ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱାଧୀନ ପୂର୍ବତନ କଂଗ୍ରେସ ସରକାର ଯେଉଁ ମୁକୁଳା ଅର୍ଥନୀତିକୁ ଆପଣେଇ ପୁଞ୍ଜିପତିଙ୍କ ପାଇଁ ଭାରତର ବଜାରକୁ ଖୋଲି ଦେଇଥିଲେ ଠିକ୍‍ ସେହି ପଦ୍ଧତିକୁ ଅନୁସରଣ କରିଛନ୍ତି ମୋଦିଙ୍କ ନେତୃତ୍ୱାଧୀନ ସରକାର । ଏହାକୁ କାର୍ଯ୍ୟକାରୀ କରୁଛନ୍ତି ଧର୍ମେନ୍ଦ୍ର ବାବୁଙ୍କ ଭଳି ମନ୍ତ୍ରୀମାନେ ।

 

ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ ଡକ୍ଟର ମନମୋହନ ସିଂହଙ୍କ ନୀତି ଓ ସୂତ୍ର ଥିଲା । ତାହାକୁ ସାକାର କରିବା ପାଇଁ ଆଜିର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପଛାଉନାହାନ୍ତି, ବରଂ ବହୁପାଦ ଆଗକୁ ବଢିଛନ୍ତି । ଏହି ଆଗକୁ ବଢିବାର କାମରେ ଧର୍ମେନ୍ଦ୍ର ବାବୁ ନିଜର ଦକ୍ଷତାକୁ ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ତାଙ୍କୁ ପଦୋନ୍ନତିର ପୁରସ୍କାର ମିଳିଛି । ବର୍ତ୍ତମାନ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କାର ଏଲ୍‍ପିଜି ସବ୍‍ସିଡ଼୍‍କୁ ଉଚ୍ଛେଦ କରିବା ପାଇଁ ମନ ସ୍ଥିର କରିଥିବା ସୂଚନା ମିଳିଛି । ଏହା ପରେ କୁକିିଙ୍ଗ୍‍ ଗ୍ୟାସ, ଡିଜେଲ୍‍ ଏବଂ ପେଟ୍ରୋଲକୁ ମଧ୍ୟ ସରକାରୀ ନିୟନ୍ତ୍ରଣମୁକ୍ତ କରିବେ । ବଜାରକୁ କର୍ପୋରେଟ ଜଗତ ହାତରେ ଟେକିଦେବେ ।

 

ବଜାର ଶକ୍ତି ଆଗରେ ଏହି ପେଟ୍ରୋଲଜାତ ସାମଗ୍ରୀକୁ ଟେକିଦେବା ପାଇଁ ରାସ୍ତା ପ୍ରଶସ୍ତ କରାଯାଉଛି । ଯେକୌଣସି ଦିନ ଆକସ୍ମିକ ଭାବେ ଏହି ଟେକିଦେବାର ଦୃଶ୍ୟ ଦେଶବାସୀ ଦେଖିବେ । ଏହା ଦ୍ୱାରା ସାଧାରଣ ଜନତାଙ୍କର କିଛି ଲାଭ ହେବନାହିଁ, ବରଂ ଟିକସର ବୋଝ ବୋହିବେ । ଲାଭ ହେବ ରିଲାଏନ୍ସ ଏବଂ ଏସାର୍‍ ଦେଶୀ ଓ ବିଦେଶୀ କମ୍ପାନୀମାନଙ୍କ । ଏହି କମ୍ପାନୀଗୁଡ଼ିକ କୁକିଙ୍ଗ୍‍ ଗ୍ୟାସକୁ ମୁକ୍ତ ବଜାରରେ ବିକ୍ରି କରି ମୋଟା ଅଙ୍କର ମୁନାଫା ଅର୍ଜନ କରିବାର ସୁବିଧାକୁ ହାତଛଡ଼ା କରିବେ ନାହିଁ ।

 

ଦେଶରେ ଘରୋଇ ଗ୍ୟାସ ଉପଭୋକ୍ତାଙ୍କ ସଂଖ୍ୟା ୨୨ କୋଟିରୁ ଅଧିକ ମାତ୍ର । ସାର୍ବଜନୀନ କ୍ଷେତ୍ର ଅନ୍ତର୍ଗତ ଇଣ୍ଡିଆନ୍‍ ଅଏଲ୍‍ କର୍ପୋରେସନ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ରହିଛି । ଏହି କର୍ପୋରେସନଗୁଡ଼ିକ କୁକିଙ୍ଗ୍‍ ଗ୍ୟାସ ଉପଭୋକ୍ତାଙ୍କୁ ଗ୍ୟାସ ଯୋଗାଇଥାନ୍ତି । କୁକିଙ୍ଗ୍‍ ଗ୍ୟାସର ବୃଦ୍ଧିହାର ଦେଶରେ ୧୦ ପ୍ରତିଶତରୁ ଅଧିକ । ଏବେ ଏହି ୨୨ କୋଟି ଗ୍ୟାସ ଉପଭୋକ୍ତାଙ୍କ ବଜାର ଉପରେ ଦେଶୀ ବିଦେଶୀ ପୁଞ୍ଜିପତିବର୍ଗଙ୍କର ଲୋଲୁପଦୃଷ୍ଟି ପଡ଼ିଛି । ପୁଞ୍ଜିପତିବର୍ଗ ଏହି ବଜାରକୁ ନିୟନ୍ତ୍ରଣ କରିବା ସହ ଏହାକୁ କବ୍‍ଜା କରି ଲାଭ ଉଠାଇବାକୁ ଉଦ୍ୟତରତ । ସରକାର ଏହି ପୁଞ୍ଜିପତିଙ୍କ ଆକାଙ୍‍କ୍ଷା ପୂରଣ ପାଇଁ ଦେଶର ସାଧାରଣ ଜନତାଙ୍କ ପେଟକୁ ଲାତ ମାରିବାକୁ ପଛାଉନାହାନ୍ତି । ସରକାର ଦେଶ ଭିତରର ରିଲାଏନ୍ସ ଏବଂ ବ୍ରିଟିଶ ବହୁଜାତୀୟ କମ୍ପାନୀ ବିପିକୁ ଗ୍ୟାସ ଓ ତେଲ ଉତ୍ତୋଳନ କରିବା ପାଇଁ ଅନୁମତି ଦେଇଛନ୍ତି । ଯାହାଦ୍ୱାରା ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ ଏବଂ ବିପି ଦେଶର ତେଲ ଏବଂ ଗ୍ୟାସ୍‍ ସ୍ରୋତକୁ ଦୋହନ କରି ମୁନାଫା ଅର୍ଜନ କରୁଛନ୍ତି ।

 

ସରକାରୀ ନିୟନ୍ତ୍ରଣରେ ଥିବା ଓଏନ୍‍ଜିସି ରିଲାଏନ୍ସ କମ୍ପାନୀ ଉପରେ ୩୦ ହଜାର କୋଟି ଟଙ୍କାର ଗ୍ୟାସ ଚୋରି କରିଥିବା ଅଭିଯୋଗ ଗତ ୩ ବର୍ଷ ତଳେ ଅର୍ଥାତ ୨୦୧୪ରେ କରିଥିଲେ । ସରକାର କିନ୍ତୁ ରିଲାଏନ୍ସ ବିରୋଧରେ କିଛି ପଦକ୍ଷେପ ନେବା ବଦଳରେ ଏହି କମ୍ପାନୀକୁ କୁକିଙ୍ଗ୍‍ ଗ୍ୟାସ ବିତରଣ କରିବାର ସୁଯୋଗ ଦେଇଛନ୍ତି । ସରକାର ଏହି ପର୍ଯ୍ୟାୟରେ ରିଲାଏନ୍ସକୁ ପ୍ରତିବର୍ଷ ୧.୨ ଲକ୍ଷ ଟନ୍‍ ଏଲ୍‍ପିଜି ଉତ୍ପାଦ କରି ଖୋଲା ବଜାରରେ ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି । ଗତବର୍ଷ ଜୁଲାଇରେ ରିଲାଏନ୍ସ ୪ କିଲୋଗ୍ରାମ୍‍ ଓଜନର ଛୋଟ ଏଲ୍‍ପିଜି ସିଲିଣ୍ଡର ବିକ୍ରି କରିବା ପାଇଁ ବଜାରରେ ଉପସ୍ଥିତ ଥିଲା । ସରକାର ଘରୋଇ କମ୍ପାନୀ ପାଇଁ ନିୟମକୁ ବଦଳାଇ ପେଟ୍ରୋଲିୟମ ଉତ୍ପାଦର ଆମଦାନି ଓ ବିକ୍ରିର ରାସ୍ତା ଖୋଲି ଦେଇଛନ୍ତି । ଆନ୍ତର୍ଜାତୀୟ ବଜାରରେ ଗ୍ୟାସର ଦାମ୍‍ କମୁଛି । କିନ୍ତୁ ଭାରତରେ ଏହା ବଢୁଛି । ଆନ୍ତର୍ଜାତୀୟ ବଜାରରୁ ଆସୁଥିବା ଘରୋଇ ଗ୍ୟାସକୁ ବଜାର ଶକ୍ତି ହାତରେ ଟେକିଦେବାର ପରିଣାମ ଖୁବଶୀଘ୍ର ଦେଶର ସାଧାରଣ ଜନତାଙ୍କ ସମ୍ମୁଖକୁ ଆସିବ ।
ଦେଶରେ କୁକିଙ୍ଗ୍‍ ଗ୍ୟାସର ବ୍ୟବହାର ବାର୍ଷିକ ୧୯ ନିୟୁତ ଟନ୍‍ ବୋଲି ଏକ ଆକଳନରୁ ଜଣାଯାଇଛି । ଏହି ଆବଶ୍ୟକତା ମଧ୍ୟରୁ ଅଧା ଉତ୍ପାଦନ ଦେଶ ଭିତରେ ହେଉଛି । ଦେଶରେ ଉତ୍ପାଦିତ ତେଲ ଓ ଗ୍ୟାସର ମୂଲ୍ୟ ଆନ୍ତର୍ଜାତୀୟ ବଜାର ମୂଲ୍ୟର ମୁକାବିଲାରେ ଅଧାରୁ କମ୍‍ କୁହାଯାଉଛି । କିନ୍ତୁ ଏହି ମୂଲ୍ୟବୃଦ୍ଧିକୁ ନେଇ ହେରାଫେରି ହେଉଥିବାର ଅଭିଯୋଗ ମଧ୍ୟ ହେଉଛି । ସରକାର ଓ ପୁଞ୍ଜିପତିବର୍ଗଙ୍କ ପାଇଁ ଏହି କ୍ଷେତ୍ର ବିଶେଷ ଲାଭ ଅର୍ଜନର ସମ୍ପଦ ହୋଇଛି । ସରକାରଙ୍କ ପାଇଁ ଲାଭ ହେଲେ ଦେଶ ପାଇଁ ଲାଭ ହୁଅନ୍ତା, କିନ୍ତୁ ପୁଞ୍ଜିପତିବର୍ଗଙ୍କ ପାଇଁ ଲାଭ ସେମାନଙ୍କୁ ମହାଧନୀରେ ପରିଣତ କରୁଛି । ଏଥିପାଇଁ ଆର୍ଥିକ ଅସମାନତା ବୃଦ୍ଧି ପାଇଛି ।

 

ପେଟ୍ରୋଲିୟମ ପଦାର୍ଥକୁ ସରକାରୀ ନିୟନ୍ତ୍ରଣମୁକ୍ତ କରି ଏହାକୁ ବଜାରରେ ଛାଡ଼ିବା ନୀତି ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ମନମୋହନ ସିଂହ ସରକାର ଦେଶରେ ଆରମ୍ଭ କରିଥିଲେ । ପେଟ୍ରୋଲିୟମ ଏବଂ ଗ୍ୟାସ ଲୁଟକୁ ନେଇ ସମସ୍ତ ଶାସକ ଶ୍ରେଣୀ ସହମତ । ଏହି କାରଣକୁ ନେଇ କୁକିଙ୍ଗ୍‍ ଗ୍ୟାସର ସବ୍‍ସିଡ଼ି ଉଚ୍ଛେଦ ସମ୍ପର୍କିତ ପ୍ରସଙ୍ଗ ଉପରେ କଂଗ୍ରେସ ସମେତ ସମସ୍ତ ଶାସକ ଦଳ ଏପରିକି ବିରୋଧୀ ଦଳ ନିରବ ।

 

ଗ୍ୟାସର ଗଣିତ ସଂପର୍କିତ ତଥ୍ୟ ଯାହା ତାହାହେଲା, ସରକାରଙ୍କ ଦ୍ୱାରା ଆନ୍ତର୍ଜାତୀୟ ବଜାରରେ ଏଲ୍‍ପିଜିର ଦାମ୍‍ ଗତ ମାସ ପ୍ରତି କେଜି ୨୯ ଟଙ୍କା ଥିଲା । ଏହି ଦର ଅନୁସାରେ ୧୪.୨ କେଜି ସିଲିଣ୍ଡରର ଦାମ୍‍ ହାରାହାରି ୪୧୩ ଟଙ୍କା । ସରକାର ଏହା ଉପରେ ଟିକସ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ୧୮୫ ଟଙ୍କା ଯୋଗ କରି ସିଲିଣ୍ଡରର ଦାମ୍‍ ୫୯୮ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ପର୍ଯ୍ୟାୟରେ ଧାର୍ଯ୍ୟ କରାଯାଇଥିବାରୁ ୧୪.୨ କେଜି ଘରୋଇ ଗ୍ୟାସର ଦାମ ହେଉଛି ଆମଦାନି ଗ୍ୟାସର ମୂଲ୍ୟ ୪୧୩ ଟଙ୍କା ୨୮ ପଇସା, ବୀମା ଓ ଆମଦାନି ଖର୍ଚ୍ଚ ୪.୧୫ ପଇସା, ସଟେଜ୍‍ ୯.୮୨ ପଇସା, ବଟଲିଙ୍ଗ୍‍ ଚାର୍ଜ ୩୮.୬୭ ପଇସା, ଦେଶ ଭିତରେ ପରିବହନ ଖର୍ଚ୍ଚ ୨୮.୪୦ ପଇସା, ସୁଧ (ବ୍ୟାଜ୍‍)୨.୨୨ ପଇସା, ବଣ୍ଟନ ଖର୍ଚ୍ଚ ୧୦ ପଇସା, ଆମଦାନି ମୂଲ୍ୟସବୁକୁ ମିଶାଇ ୧୫.୨୧ ପଇସା, ବିତରକ କମିଶନ ୪୭.୬୪ ପଇସା, ଜିଏସ୍‍ଟି ୨୮.୪୭ ପଇସା, ରିଟେଲ ମୂଲ୍ୟ ୫୯୭.୮୪ ପଇସା, ସବ୍‍ସିଡ୍‍ ୧୧୦.୩୨ ପଇସା, ସବ୍‍ସିଡ୍‍ ଯୁକ୍ତ ସିଲିଣ୍ଡର ୪୮୭.୮୫ ପଇସା, (ଏହା ହେଉଛି ଭାରତ ସରକାରଙ୍କ ପେଟ୍ରୋଲିୟମ ପ୍ଲାନିଙ୍ଗ୍‍ ଏବଂ ଆନାଲିସିସ୍‍ ସେଲ୍‍ ଦ୍ୱାରା ସେପ୍ଟେମ୍ବର ୨୦୧୭ର ତଥ୍ୟ) । ଜୁଲାଇ ୨୦୧୪ରେ ଆନ୍ତର୍ଜାତୀୟ ବଜାରରେ ଏଲ୍‍ପିଜିର ଦର ପ୍ରତି ମେଟ୍ରିକ୍‍ଟନ୍‍ ପିଛା ୮୩୫ ଡଲାର । ଅର୍ଥାତ୍‍ ୫୧ ଟଙ୍କା ପ୍ରତି କେଜି ଗ୍ୟାସର ଦାମ୍‍ ହେବା କଥା । ଏହିପରି ୧୪.୨ କେଜି ଗ୍ୟାସ ସିଲିଣ୍ଡରର ଦର ୭୨୪ ଟଙ୍କା ହେବା କଥା । ଏହା ଉପରେ ଟ୍ୟାକ୍ସ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ଯୋଡ଼ି ସିଲିଣ୍ଡର ଦାମ୍‍ ଦେଶବାସୀଙ୍କ ପାଇଁ କରାଯିବା ଦରକାର । କାହିଁକି ନା ସରକାର ସବ୍‍ସିଡ୍‍ ଉଚ୍ଛେଦ କରିବାକୁ ଘୋଷଣା କରିଛନ୍ତି ।

 

ସରକାର ରନ୍ଧନ ଗ୍ୟାସର ମୂଲ୍ୟ ଧାର୍ଯ୍ୟ ଏହିପରି ନକଲେ ସ୍ପଷ୍ଟ ହେବ ଯେ, ମୋଦିଙ୍କ ବହୁଳ ପ୍ରଚାରିତ ଦେଶବାସୀଙ୍କ ପାଇଁ ଅଚ୍ଛେଦିନ୍‍ କେବଳ ପ୍ରଚାରରେ ସୀମିତ । ପୁଞ୍ଜିପତିବର୍ଗଙ୍କ ସ୍ୱାର୍ଥ ସାଧନ କରିବାରେ ସମର୍ଥ ହୋଇଥିବାରୁ ଓଡ଼ିଆ ପୁଅ ଧର୍ମେନ୍ଦ୍ର ବାବୁଙ୍କୁ କ୍ୟାବିନେଟର ପଦୋନ୍ନତି ଭଳି ପୁରସ୍କାର ମିଳିଛି ଏବଂ ସ୍ପଷ୍ଟ ହେବ ଯେ, ସାଧାରଣ ଜନତାଙ୍କ ପେଟକୁ ଲାତ ମାରିଥିବା କାରଣକୁ ନେଇ ତାଙ୍କୁ୍‍ ଏହି ପୁରସ୍କାର ଦିଆଯାଇଛି ।

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top