ଅନ୍ତର୍ଦାହ

News Story - Posted on 2017-09-11

ପୁଷ୍ପାଞ୍ଜଳି କର

 

ପରିବର୍ତ୍ତନଟା ସବୁବେଳେ ସହଜରେ ଗ୍ରହଣ କରି ହୁଏନା। ସେଇଟା ଘରର ହଉ, କର୍ମକ୍ଷେତ୍ରର ହଉ ଅବା ସଂପର୍କର ହଉ, ଯେକୌଣସି ପ୍ରକାରର ପରିବର୍ତ୍ତନ ମନରେ କିଛିଟା ଉଦାସୀନତା ତ ନିଶ୍ଚୟ ଭରିଦିଏ। କିନ୍ତୁ ସମୟ କ୍ରମରେ ସବୁକିଛି ଆପେ ଆପେ ଦେହସୁହା ହେଇଯାଏ। ପୁଣି ନୂଆ ଜାଗାରେ ମନ ଲାଗିଯାଏ। ନୂଆ ଲୋକଙ୍କ ସହିତ ସଂପର୍କ ଗଢ଼ିହେଇଯାଏ। ଆଉ ନୂଆପଣଟା ଧୀରେ ଧୀରେ ଅସ୍ଥି ମଜ୍ଜାରେ ଦ୍ରବୀଭୂତ ହେଇଯାଏ, ଆଉ ଗୋଟେ ନୂତନତ୍ୱକୁ ସାମ୍ନା କରିବା ପର୍ଯ୍ୟନ୍ତ।

 

ଭୁବନେଶ୍ୱରରେ ଘର ନେଇ ରହିବାଟା ଏଇ ମୋର ପ୍ରଥମ ଥର। ଏଇ ଆପାର୍ଟମେଣ୍ଟକୁ ଆସିବା ହେଇଗଲାଣି ପାଖାପାଖି ଗୋଟେ ବର୍ଷ। ଚାକିରୀରେ ଜଏନ‌୍‍ କରିବା ପରଠାରୁ ଆଜି ପର୍ଯ୍ୟନ୍ତ ମୋର ଓଡ଼ିଶାରେ କେବେ ବି ପୋଷ୍ଟିଂ ହେଇନଥିଲା। ଦୀର୍ଘ ତିରିଶ ବର୍ଷ ତଳେ ଯେଉଁ ଜାତୀୟ କରଣ ବ୍ୟାଙ୍କର ଅଫିସର ଭାବରେ ମୁଁ ଜଏନ‌୍‍ କରିଥିଲି, ସେଇ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଭାବରେ ଏଇ ପ୍ରଥମ ଥର ପାଇଁ ମୁଁ ଓଡ଼ିଶାରେ ଅବସ୍ଥାପିତ ହେଲି। ସହକର୍ମୀମାନଙ୍କର ସହଯୋଗରୁ ମତେ ଏଇ ଘରଟି ମିଳିଗଲା। ପୁଅର ଇଂଜିନିୟରିଂର ଦ୍ୱିତୀୟ ବର୍ଷ ହେଇଥିବାରୁ ଶିଖାମଧ୍ୟ ଆସିପାରିଲାନି ହାଇଦ୍ରାବାଦରୁ। ତାକୁ ସେଇଠି ରହିବାକୁ ପଡ଼ିଲା ଆହୁରି ଦୁଇବର୍ଷ।

 

ଏଇ ଘରଟିର ଅବସ୍ଥିତି ଖୁବ‌୍‍ ଭଲ ଜାଗାରେ। ମୁଖ୍ୟ ରାସ୍ତାର ଅଳ୍ପ ଭିତରକୁ। ଛୋଟିଆ ଆପାର୍ଟମେଣ୍ଟଟିଏ। ମାତ୍ର ନଅଟି ଘର। ଆପାର୍ଟମେଣ୍ଟକୁ ଲାଗିକି ରହିଛି ଅନେକ ଗୁଡ଼ିଏ ଦୋକାନ ଘର। ପରିବା, ସଉଦା, ଲଣ୍ଡ୍ରୀ, ମେଡ଼ିସିନ‌୍‍, ସେଲୁନ‌୍‍ ସବୁକିଛି ସୁବିଧାରେ ଉପଲବ‌୍‍ଧ। ସୁନ୍ଦର ଗୋଟିଏ କନକ ଦୁର୍ଗା ମନ୍ଦିର ମଧ୍ୟ୍ୟ ଏଇ ଆପାର୍ଟମେଣ୍ଟର ଖୁବ‌୍‍ ନିକଟରେ ଅଛି। ସକାଳୁ ମୋ ନିଦ ଭାଂଗେ ସେଇ ମନ୍ଦିରର ଆଳତୀ ଘଣ୍ଟାର ଶବ୍ଦରେ।  ସଂଧ୍ୟ୍ୟାରେ ତ ମୁଁ ଫେରେ ଅନେକ ଡେ଼ରିରେ ଘରକୁ। କାମର ଚାପ ହେତୁ ସବୁଦିନ ସଂଧ୍ୟ୍ୟା ସମୟଟା ମୋର କଟେ କାର୍ଯ୍ୟାଳୟରେ। ଲମ୍ୱାଛୁଟିତ ବ୍ୟାଙ୍କରେ ଖୁବ‌୍‍ କମ‌୍‍ ଥାଏ। ଏଇ ଦିନିକିଆ ଛୁଟିମାନଙ୍କରେ ହାଇଦ୍ରାବାଦ‌୍‍ ଯିବା ସମ୍ଭବ ହୁଏନା ମୋ ପକ୍ଷରେ। ଛୁଟି ଦିନମାନଙ୍କରେ ମୋର ଅଧିକରୁ ଅଧିକ ସମୟ କଟିଯାଏ ମୋ ଶୋଇବାଘରର ବାଲ‌୍‍କୋନୀରେ ବସିବସି। ସକାଳର ଚା ପିଇବାଠାରୁ ମହକିଯାଏ ସାରା ଅଞ୍ଚଳ। ସୁନ୍ଦର ଚିକ‌୍‍କଣ ପକ‌୍‍କା ରାସ୍ତାଟିଏ ଲମ୍ୱିଯାଇଥାଏ ଅନେକ ଦୂର ପର୍ଯ୍ୟନ୍ତ। ରାସ୍ତାର  ଗୋଟେ ପାର୍ଶ୍ୱରେ କନକଦୁର୍ଗା ମନ୍ଦିର। ଠିକ‌୍‍ ମନ୍ଦିରର ସାମ୍ନାରେ ରାସ୍ତାର ଅପରପାର୍ଶ୍ୱରେ ଗୋଟିଏ ଘର। ସେଇ ଘରଟି କ’ଣ ପାଇଁ କେଜାଣି ମୁଁ ଏଇଠିକୁ ଆସିବାର ପ୍ରଥମ ଦିନରୁ ମତେ ଭାରି ଭଲଲାଗେ। ବାଲ‌୍‍କୋନୀକୁ ଗଲେ ମୋ ଦୃଷ୍ଟି ଆପେ ଆପେ ଟାଣି ହେଇଯାଏ ସେଇ ଘରଟି ଆଡ଼କୁ। ଅବଶ୍ୟ ଘରଟା ଖୁବ‌୍‍ ବେଶି ବଡ଼ ନୁହେଁ। ଏକ ମହଲାଘର। କିନ୍ତୁ ଭାରି ରୁଚିପୂର୍ଣ୍ଣ ଢ଼ଂଗରେ ତିଆରି। ବର୍ଗାକୃତି ପ୍ଲଟ‌୍‍ଟି ପରିବେଷ୍ଟିତ ଏକ ସୁଉଚ୍ଚ ପାଚେରୀ ଦ୍ୱାରା। ପାଚେରୀର ସମ୍ମୁଖ ଭାଗରେ ଠିକ‌୍‍ ମଝିରେ ଗେଟ‌୍‍ଟିଏ। ଘରଟିର ଅବସ୍ଥିତି ପୂରାପୂରି ଭିତରକୁ।

 

ଗେଟ‌୍‍ରୁ ଘର ପର୍ଯ୍ୟନ୍ତ ଲମ୍ୱିଯାଇଛି ଟାଇଲ‌୍‍ପକା ରାସ୍ତାଟିଏ।  ରାସ୍ତାର ଦୁଇ ପାର୍ଶ୍ୱରେ ଧାଡ଼ିଧାଡ଼ି ସାଇଜ‌୍‍ କରା କ୍ରୋଟନ‌୍‍ ଗଛଗୁଡ଼ିଏ। ସେଇ ଗଛଗୁଡ଼ିକର ଧାରକୁ ଲାଗି ସୁନ୍ଦର ଲନ‌୍‍ଟିଏ। ସବୁଜ ଘାସର ଗାଲିଚା ପରି ମନେହୁଏ ମୋ ବାଲ‌୍‍କୋନୀରୁ ଦେଖିଲେ। ସେଇ ଲନ‌୍‍ର ମଧ୍ୟ୍ୟଭାଗରେ ପଡ଼ିଥାଏ ଗୋଟିଏ ଗ୍ଲାସ‌୍‍ର ଟେବୁଲ‌୍‍ ଓ ଚାରୋଟି ହାଲ‌୍‍କା ଗାଡେ଼ର୍ନ‌୍‍ ଚେୟାର। ଲନ‌୍‍ଟି ଲମ୍ୱିଆସିଥାଏ ପୂରାପୂରି ପାଚେରୀ ପର୍ଯ୍ୟନ୍ତ। ପାଚେରୀ ଭିତରେ ଛାଡ଼ିଛାଡ଼ିକି ଲାଗିଥାଏ ତିନି ଚାରିଟି ନଡ଼ିଆଗଛ। ପାଚେରୀ ଡେ଼ଇଁ ବାହାର ପର୍ଯ୍ୟନ୍ତ ମୁଣ୍ଡ ଟେକି ରହିଥାନ୍ତି ଆଉ କେତେଗୁଡ଼ିଏ କରବୀର, ଅଶୋକ ଓ କାଠଚମ୍ପା ଗଛ। ସଂଧ୍ୟ୍ୟାବେଳେ ମୋ ବାଲ‌୍‍କୋନୀରେ ଚେୟାର ପକେଇ ବସିଲେ ସେଇ ସବୁ ଗଛର ଫୁଲମାନଙ୍କର ମିଶାମିଶି ସୁଗନ୍ଧରେ ପରିବେଶଟା ଯେମିତି ବାସ୍ନାୟିତ ହେଇଉଠେ। କାହିଁକି କେଜାଣି ମୋର ମନେହୁଏ ସେଇ ଘରଟା ଯେମିତି କେବେ କୋଉଠି ମୁଁ ଦେଖିଛି। ହୁଏତ ମୋ କଳ୍ପନାରେ ବା ସ୍ୱପ୍ନରେ। ସେ ଯାହାବି ହଉ, ମତେ ଲାଗେ ସେ ଘରର କର୍ତ୍ତା ନିଶ୍ଚୟଁ ଜଣେ ରୁଚିପୂର୍ଣ୍ଣ ବ୍ୟକ୍ତି ହେଇଥିବେ। ତାଙ୍କର ପସନ୍ଦକୁ ମୁଁ ତାରିଫ‌୍‍ ନକରି ରହିପାରେନା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏଇ ବର୍ଷକ ଭିତରେ ମୁଁ ସେଇ ଘରର କୌଣସି ବ୍ୟକ୍ତିକୁ କେବେ ଦେଖିବାକୁ ପାଇନି। କେବେକେବେ ସକାଳୁ ଚା କପ‌୍‍ ଧରି ବାଲ‌୍‍କୋନୀରେ ବସି ପିଉଥିବା ବେଳେ ମତେ ଲାଗେ ସେଇ ଗାର୍ଡେନ ଚେୟାରରେ ବସି ସେ ଘରର କର୍ତ୍ତା ଓ କର୍ତ୍ତ୍ରୀ ନିଶ୍ଚୟ ତାଙ୍କ ଓଠରେ ଗରମ ଚା’ର ସ୍ପର୍ଶ ଦଉଥିବେ। ଆଉ କେବେ କୌଣସି ଛୁଟି ଦିନର ଏକ ଅଳସ ଅପରାହ୍ନରେ ସୂର୍ଯ୍ୟାସ୍ତର ଠିକ‌୍‍ ପୂର୍ବରୁ ଯଦି ମୁଁ ବସିଥାଏ ବାଲ‌୍‍କୋନିରେ, ତେବେ ମତେଲାଗେ ହୁଏତ ସେଇ ଘରର କର୍ତ୍ତ୍ରୀ ନିଶ୍ଚୟ ଆସି ବଗିଚାରେ ପଦଚାରଣା କରିବେ ଓ ଫୁଟିଥିବା ଫୁଲମାନଙ୍କୁ ତାଙ୍କ ହାତର ସ୍ପର୍ଶଦେଇ ମହିମାନ୍ୱିତ କରିବେ। କିନ୍ତୁ ମୋର ସବୁ ଭାବନା ବ୍ୟର୍ଥଯାଏ।  କେହି କେବେ ସେ ଘରୁ ବାହାରନ୍ତିନି କେବଳ ଜଣେ ଦୁଇଜଣ ଗାର୍ଡ଼ ଓ କାମକରୁଥିବା ଲୋକଙ୍କୁ ଛାଡ଼ିକି। ଭାରି ରହସ୍ୟମୟ ଲାଗେ ମତେ ସେଇ ଘରଟା।

 

ହଠାତ‌୍‍ ଗୋଟେ ରବିବାର ସକାଳୁ ଶିଖା ମତେ ଫୋନ‌୍‍କଲା, ଯେମିତିବି ହଉ ମତେ ଯାଇଁ ଟିକେ ମନ୍ଦିରରେ ଠାକୁର ଦର୍ଶନ ଓ ପୂଜା କରି ଆସିବାକୁ ହବ। କାଇଁକିନା ସେ କୁଆଡେ଼ ଗୋଟେ ଖରାପ‌୍‍ ସ୍ୱପ୍ନ ଦେଖିଛି ମତେ ନେଇକି। ହସ ଲାଗିଲା ମତେ। ଆଜିର ଯୁଗରେ ଏତେ ଅନ୍ଧବିଶ୍ୱାସ, ପୁଣି ଜଣେ ଶିକ୍ଷିତା ନାରୀର। ସେ ଛାଡ଼ ଯାହାବି ହଉ ମନ୍ଦିର ଯିବାରେ ମୋର କୌଣସି ଆପତ୍ତି ନଥିଲା। ଭାବିଲି ପାଖରେ ତ ଏଇ କନକଦୁର୍ଗା ମନ୍ଦିର ଅଛି। ଆସିବା ଦିନଠାରୁ ଥରେ ବି ଯାଇନି ମୁଁ। ଆଜି ଯାଇଁ ସେଇଠି ପୂଜା ଦେଇ ଆସିବି। କିଛି ସମୟ ବି କଟିଯିବ ମୋର।

 

ଗାଧୁଆ ପାଧୁଆ ସାରି ଗଲି ମନ୍ଦିରକୁ। ପୂଜକ ନନା ଖୁବ‌୍‍ ଭଲରେ ନାଁ ଗୋତ୍ର ସବୁ ପସ୍ଖରିକି ପୂଜା କରିଦେଲେ। ଭୋଗ ଲଗେଇଦେଲେ। ସେ କହିଲେ ମାଆଙ୍କ ମନ୍ଦିରରେ ଆସିଲେ ଟିକିଏ ବସିକି ଯିବାକଥା। ତାଙ୍କ କଥା ମାନିକି ବସି ପଡ଼ିଲି ସେଇ ମନ୍ଦିରର ପାହାଚ ଉପରେ। ପୁଣି ସେଇ ଚିରାଚରିତ ଢ଼ଂଗରେ ମୋ ଦୃଷ୍ଟି ଆପେ ଆପେ ଆକର୍ଷିତ ହେଇଗଲା  ସେଇ ରହସ୍ୟମୟ ଘରଟି ଆଡ଼କୁ। ଅବଶ୍ୟ ଏଇଠୁ ମୁଁ ପ୍ରଥମଥର ପାଇଁ ଘରଟିକୁ ସାମ୍ନାପଟରୁ ଦେଖିବାର ସୁଯୋଗ ପାଇଲି। ସୁନ୍ଦର ଡ଼ିଜାଇନ‌୍‍ର ଗେଟ‌୍‍ ଟିଏ। ତା ଉପରେ ଆହୁରି ସୁନ୍ଦର ଦୁଇଟି ଗ୍ଲାସ‌୍‍ର ଲାଇଟ‌୍‍। ଗେଟ‌୍‍ର ଦୁଇ ପାର୍ଶ୍ୱରେ ସୁନ୍ଦର ସୁସଜ୍ଜିତ କ୍ରୋଟନ‌୍‍ ଗଛର ବାଡ଼। ଘରର ସାମ୍ନା ପୋର୍ଟିକୋ ଉପରେ ବେଶ‌୍‍ ବଡ଼ ଏକ ବାଲ‌୍‍କୋନୀ, ଯାହା ଭିତରେ ଭରିକି ରଖା ହେଇଛି ଅନେକ ଗୁଡ଼ିଏ ଫୁଲକୁଣ୍ଡ। କୁଣ୍ଡ ଗୁଡ଼ାକ ଏକା ପ୍ରକାରର। କେବଳ ଫୁଲଗଛ ଗୁଡ଼ାକ ଭିନ୍ନ ଭିନ୍ନ। ପୋର୍ଟିକୋରେ ରଖାହେଇଛି ଗୋଟିଏ ଇନୋଭା ଗାଡ଼ି। ବହୁତ ସମୟ ଧରି ସେଇ ଘରଆଡ଼କୁ ଚାହିଁ ରହିଥିବାର ଦେଖି ପୂଜକ ନନା ମତେ ପଚାରିଲେ, କ’ଣ ଆଜ୍ଞା ଦେଖୁଛନ୍ତି?

 

ମୁଁ କହିଲି, ନାଇଁ। ଏଇ ଘରଟା ଭାରି ସୁନ୍ଦର ହେଇଛି। କିନ୍ତୁ କାଇଁ ଗେଟ‌୍‍ରେ ତ କାହାର ନାଁ ଲେଖା ହେଇନି। ଏଇଠି କ’ଣ କେହି ରହନ୍ତିନି? ଅବଶ୍ୟ ଘରର ସାଜସଜ୍ଜାରୁ ତ ସେମିତି ମନେହଉନି।

 

ପୂଜକ ନନା କହିଲେ, କ’ଣ କହିବି ଆଜ୍ଞା, ଆଜିକାଲି ଯୁଗ କାଳ ଖରାପ‌୍‍। ନହେଲେ ଲୋକମାନେ କ’ଣ ଏତେ ଅନ୍ୟାୟ, ଅନୀତି କରନ୍ତେ, ଧର୍ମକୁ ଆଖିଠାର ମାରି ଚଳନ୍ତେ, ଅଥଚ କିଛି ବି ଅସୁବିଧା ହୁଅନ୍ତାନି ସେମାନଙ୍କର? ଦେଖୁନାହାନ୍ତି! ଏଇ ଘରଟା ଜଣେ ଡ଼ାକ୍ତରଙ୍କର। ଆଗରୁ ଏଇଠି କେହି ରହୁନଥିଲେ। ଏଇ ଦୁଇବର୍ଷ ହେଲା ତାଙ୍କର ଜଣେ କିଏ ଜଣାଶୁଣା ସ୍ତ୍ରୀ ଲୋକ ଆସି ଏଇଠି ରହୁଛି। ତାର କୁଆଡେ଼ ସ୍ୱାମୀ ମରିଯାଇଛି। ଭାରି ଗର୍ବୀ ସ୍ତ୍ରୀ ଲୋକଟା। ଜମାରୁ ବାହାରକୁ ବାହାରେନା। କାହାରି ସାଂଗରେ ମିଶେନା। ଏମିତିକି ଘର ଆଗରେ ମନ୍ଦିର ଥାଇକିବି ଥରେ ବି ମନ୍ଦିରକୁ ଆସେନା। ଆମେ କେହି ଦେଖିନୁ ତାଙ୍କୁ। କୁଆଡେ଼ ଭାରି ସୁନ୍ଦରୀ। ସେଇଥିପାଇଁ ତ ବଡ଼ବଡ଼ ଲୋକଙ୍କର ଯିବାଆସିବା ତାଙ୍କ ଘରକୁ। ହଁ, ଆମର କ’ଣ କହିବାର ଅଛି। ଯିଏ ଯାହା କରିବ, ସିଏ ତାର ଫଳ ପାଇବ।

 

ପୂଜକ ନନାଙ୍କର କ୍ଷେଦୋକ୍ତି ଶୁଣିବା ପରେ ମୋ ମନର ସନ୍ଦେହଟା ଆହୁରି ଦୃଢ଼ ହେଇଗଲା। ସତରେ ବୋଧେ ସେମିିତି କେହି ଜଣେ ରହସ୍ୟମୟୀ ନାରୀ ଅଛି ସେଇଠି। ମୋର କୌତୂହଳ ଆହୁରି ବଢ଼ିଗଲା ସେଇ ନାରୀଟିକୁ ଥରେ ସ୍ୱଚକ୍ଷୁରେ ଦେଖିବା ପାଇଁ।

 

ଆଉ ଗୋଟେ ଦିନ, ସେଇ ଆପାର୍ଟମେଣ୍ଟର ସୋସାଇଟି ମିଟିଂରେ ମୁଁ ଯାଇଥାଏ ଯୋଗଦବାକୁ। ସେଇଠି ବି ମୁଁ ଦେଖିଲି ସବୁ ଆଲୋଚନା ଭିତରେ ମୁଖ୍ୟ ବିଷୟ ଥିଲା ସେଇ ଘରର କର୍ତ୍ତ୍ରୀଙ୍କ ଚର୍ଚ୍ଚା। ଖୁବ‌୍‍ ରସାଳ ମନ୍ତବ୍ୟ ମାନ ଦଉଥାନ୍ତି ଜଣେ ଜଣେ। କିଏ କହୁଥାଏ, ଭୟଙ୍କର ଗର୍ବୀ ଆଉ ଉଦ୍ଧତ ସ୍ତ୍ରୀ ଲୋକଟା। ଦୁଇବର୍ଷ ଏଠି ରହିବା ଭିତରେ ଥରୁଟେ ବି ବାହାରିନି ବାହାରକୁ। ତାକୁ ଏଇଠି କେହି ମଣିଷ ଭଳିଆ ଲାଗୁନାହାନ୍ତି ବୋଧେ। ଆଉ ଜଣେ କହିଲେ, ହଁ, ତାର ଆମ ଭଳିଆ ଲୋକଙ୍କ ସାଙ୍ଗରେ ମିଶିବାର ଆବଶ୍ୟକତା ବା କ’ଣ? ତା ଇସାରାରେ ତ କେତେକେତେ ଲୋକ ନାଚୁଛନ୍ତି। ଲମ୍ୱାଲମ୍ୱା ଗାଡ଼ି ସବୁ ଆସୁଛି ତା ଘରକୁ। ସବୁ ଚାହିଦା ତ ତାର ଆପେ ଆପେ ପୂରଣ ହେଇଯାଉଛି। ମୋ ସାମ୍ନା ଘରର ଭଦ୍ରଲୋକ କହିଲେ, ମତେ ଲାଗୁଛି ସିଏ ନିଶ୍ଚୟ ତା ସ୍ୱାମୀଟାକୁ ମାରି ଦେଇଛି। ନହେଲେ ସବୁବେଳେ କାହିଁକି ସେଇ କଳାକାଚ ଲଗା ଲମ୍ୱାଗାଡ଼ିଟା ତା ଘରକୁ ଆସୁଛି। ତାର ନିଶ୍ଚୟ ସେଇ ଡ଼ାକ୍ତର ସହିତ କିଛି ଚକ୍କର‌୍‍ ଅଛି।

 

ଏମିତି ଗୁଡ଼ାଏ ଅଶାଳୀନ ତଥା ରସାଳ ମନ୍ତବ୍ୟ ଶୁଣିଶୁଣି ମୋ ମୁଣ୍ଡଟା ଭାରାକ୍ରାନ୍ତ ହେଇଗଲା। ଘରକୁ ଆସି ଭାବିଲି, ସତରେ କ’ଣ ସ୍ତ୍ରୀ ଲୋକଟା ତା ସ୍ୱାମୀକୁ ମାରି ଦେଇଥିବ! ତାହେଲେ ତ ନିଶ୍ଚୟ ତା’ର ଆଉ କାହା ସହିତ କିଛି ଚକ୍କର‌୍‍ ଥିବ। ହେଇଥିବ ହୁଏତ। କାରଣ ଆଜିକାଲିତ ଏମିତି ଦୃଷ୍ଟାନ୍ତ ବିରଳ ନୁହେଁ। ନିଆଁ ନଥିଲେ ଧୂଆଁ କ’ଣ ସମ୍ଭବ? କିଛି ତ ନିଶ୍ଚୟ ଅଛି। ନହେଲେ ଏତେଲୋକ ସେଇ ଏକା କଥା କହନ୍ତେ କାହିଁକି? ତଥାପି ମନର କୋଉଗୋଟେ କୋଣରେ ଟିକିଏ ସହାନୁଭୂତି ଉଦ୍ରେକ ହବାପରି ମନେହଉଥିଲା ମୋର, ସେଇ ଅଦେଖା ରୂପସୀ ରହସ୍ୟମୟୀ ନାରୀଟି ପ୍ରତି।

 

କାର୍ଯ୍ୟର ଚାପ ମୋର ଖୁବ‌୍‍ଥିଲା। କୋଉଠି ବ୍ରାଞ୍ଚ‌୍‍  ଖୋଲାହବ। ସେଥିପାଇଁ ଘର ଦେଖିବାକୁ ଯିବାକୁ ପଡ଼ିବ। କୋଉଠି ଗ୍ରାହକ ସମ୍ମିଳନୀ କରିବାକୁ ହବ ତ କୋଉଠି ପ୍ରେସ‌୍‍ ମିଟ‌୍‍ କରିବାକୁ ପଡ଼ିବ। ଏମିତି ନାନା ପ୍ରକାରର ସମସ୍ୟା ଭିତରେ ମୁଁ ବୁଡ଼ି ଯାଉଥାଏ। ସେଇ ନାରୀଟିକୁ ଦେଖିବାର ଇଚ୍ଛା ମୋର କ୍ଷୀଣ ହେଇ ହେଇ ଯାଉଥାଏ।

 

ସେଦିନ ହଠାତ‌୍‍ ମତେ ଯିବାକୁ ପଡ଼ିଲା କଟକ ଭୁବନେଶ୍ୱର ମଧ୍ୟ୍ୟସ୍ଥ ସେଇ ମାନସିକ ବିକାରଗ୍ରସ୍ତ ଶିଶୁମାନଙ୍କର ଅନୁଷ୍ଠାନଟିର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରିତ ହେଇକି। ସେଇ ଅନୁଷ୍ଠାନଟି ଆମରି ବ୍ୟାଙ୍କ‌୍‍ର ସହାୟତାରେ ଖୋଲାହେଇଥିଲା କିଛି ବର୍ଷ ପୂର୍ବରୁ। ଏପର୍ଯ୍ୟନ୍ତ ଆମ ସହିତ ସେମାନଙ୍କର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ରହିଆସିଛି ମଧ୍ୟ୍ୟ। ସେଇଥିପାଇଁ ପ୍ରତିବର୍ଷ ବାର୍ଷିକୋତ୍ସବରେ ସେମାନେ ଆମକୁ ନିଶ୍ଚୟ ଅତିଥି ଭାବରେ ନିମନ୍ତ୍ରଣ କରନ୍ତି। ସେଇଠି ଷ୍ଟେଜ‌୍‍ ଉପରେ ବସିଥିବା ବେଳେ ହଠାତ‌୍‍ ମୋର ନଜର ପଡ଼ିଥିଲା ଦର୍ଶକମାନଙ୍କ ଭିତରେ ବସିଥିବା ଲୋପା ଉପରେ। ଖୁବ‌୍‍ ଅଳ୍ପ ସମୟର ବ୍ୟବଧାନରେ ମୁଁ ଚିହ୍ନି ପକେଇଲି ତାକୁ। ସେମିତି କିଛି ପରିବର୍ତ୍ତନ ହେଇନି ତା ଚେହେରାରେ। କେବଳ ଆଖିତଳ ଟିକେ ଯାହା କଳା ପଡ଼ିଛି ଅଧିକା। ଆଉ ନହେଲେ ବୟସ ସତେ ଯେମିତି ଅଟକି ଯାଇଛି ତା ପାଖରେ ସେଇ ତିରିଶ ବର୍ଷ ତଳେ। ଭାଷଣ ବାଜି, ଆତିଥେୟତା ସବୁ କିଛି ଶେଷ ହବା ପରେ, ତା ସହିତ ଦେଖା କରିବାକୁ ମୁଁ ଆଗ୍ରହୀ ହବାରୁ, ସେଇ ସଂସ୍ଥାର ଯିଏ ଅଧ୍ୟ୍ୟକ୍ଷ, ସେ ତାକୁ ଡ଼କେଇଦେଲେ ତାଙ୍କ ରୁମ‌୍‍କୁ। ସେ ଆସି ପହଞ୍ଚିଲା। ମତେ ଦେଖିକି ସାଂଗେ ସାଂଗେ ଚିହ୍ନି ପକେଇଲା। ଅଜୁ ଭାଇନା ତମେ? ମୁଁ ଠିକ‌୍‍ ଚିହ୍ନି ପାରିଥିଲି ତମକୁ ସେଇ ଷ୍ଟେଜ‌୍‍ ଉପରେ। କିନ୍ତୁ ସନ୍ଦେହ ଥିଲା କାଳେ ହେଇନଥିବ!

 

ମୁଁ କହିଲି, ତୋ ସାଙ୍ଗରେ ଏଇଠି ଏମିତି ଦେଖା ହେଇଯିବ ବୋଲି ମୁଁ ଭାବିନଥିଲି, ଆଉ କ’ଣ ତୋର ଖବର? ସେ ଖୁବ‌୍‍ ତରବରରେ ଥିବା ପରି ଲାଗୁଥିଲା। କହିଲା ଭାଇନା! ତମ ସାଂଗରେ ଦେଖା ହେଲା, ଭାରି ଭଲ ଲାଗିଲା। କିନ୍ତୁ ଏବେ ମୁଁ ତମ ସହିତ କିଛି କଥା ହେଇପାରିବିନି। ବହୁତ ଡେ଼ରି ହେଇଗଲାଣି। ମୋ ମୋବାଇଲ‌୍‍ ନମ୍ୱରଟା ରଖିଦିଅ। ମତେ ଟିକେ ରିଂ କରିଦିଅ। ପରେ କଥା ହବା ସବୁକଥା। ମତେ ତାର ନମ୍ୱର ଦେଇ ସେ ଚାଲିଗଲା। ସେଇ ମୁହୁର୍ତ୍ତରେ ସେ ମୋର ଭାରି ଦୁର୍ବୋଧ୍ୟ୍ୟ ମନେ ହେଲା। ଦୀର୍ଘ ବର୍ଷପରେ ତା ସହିତ ଦେଖା। ଅଥଚ ତାର ଏତେ ଟିକେ ବି ଆଗ୍ରହ ନାହିଁ ମୋ ସହିତ କଥା ହବାରେ। ସତରେ ଝିଅଗୁଡ଼ାଙ୍କର ଏଇ ସ୍ୱଭାବ ଭାରି ବିରକ୍ତିକର ଲାଗେ ମତେ। କ’ଣ ଏମିତି ଅର‌୍‍ଜେନ‌୍‍ସି ଥିଲା ତାର ଯେ ସେ ସାଧାରଣ ସୌଜନ୍ୟ ବି ଭୁଲିଗଲା! ଏମିତିକି ମୋ କଥା, ମୋ ପରିବାରର କଥା, ଗାଁ କଥା କିଛି ବି ପଚାରିଲାନି ମତେ। ହଉ ଛାଡ଼। ମୋର ବି ଏତେ ଉତ୍କଣ୍ଠିତ ହବାର କ’ଣ ଅଛି? ତା ପାଇଁ ସବୁ ଉତ୍କଣ୍ଠାର ସମାଧି ତ ମୁଁ ଦେଇ ସାରିଛି ଅନେକ ବର୍ଷ ତଳୁ।

 

ସେଦିନ ସେଇଠୁ ଫେରିବା ପରେ କାହିଁକି କେଜାଣି ନିଦ ହେଲାନି ମତେ ଅନେକ ରାତି ପର୍ଯ୍ୟନ୍ତ। ରାତ୍ରିର ସେଇ ନିର୍ଜନ ପ୍ରହରଟା ଖୁବ‌୍‍ ଅସହ୍ୟ ଲାଗୁଥିଲା ମତେ। କେବଳ ମତେ ଛାଡ଼ିଦେଲେ ବୋଧ‌୍‍ହୁଏ ସାରା ସହରଟା ନିଦରେ ଶୋଇ ପଡ଼ିଥିଲା। ବାଲ‌୍‍କୋନୀର ଚେୟାରରେ ବସି ବୟସ୍କା ରାତ୍ରିର ସେଇ ନିର୍ଜନତାକୁ ଉପଭୋଗ କରୁକରୁ ମୁଁ ବୁଡ଼ି ଯାଉଥିଲି ମୋ ଅତୀତ ସ୍ମୃତିର ଗଭୀର ସମୁଦ୍ର ଭିତରେ।

 

ମୋ ଅତୀତ କହିଲେ ମୁଁ ବୁଝୁଥିଲି ମୋ ଜେଜେମା ଓ ବାପାଙ୍କୁ। ମୋ ଗାଁ, ମୋ ଘର, ମୋ ଗାଁର ପ୍ରତିଟି ମଣିଷ ପ୍ରତ୍ୟେକଟି ବୃକ୍ଷଲତା, ମନ୍ଦିର, ପୋଖରୀ ସବୁ କିଛି ଥିଲା ମୋର ପ୍ରିୟ। ସବୁ ପ୍ରିୟ ଭିତରେ ପ୍ରିୟତମା ଥିଲା ଏଇ ଲୋପା। ମୋର ତାରୁଣ୍ୟର ଅନେକ ଗୁଡ଼ାଏ ପୃଷ୍ଠାରେ ମୋ ଅଲକ୍ଷ୍ୟରେ ଆପେ ଆପେ ଲେଖି ହେଇଯାଇଥିଲା ତାର ନାଆଁ। ପ୍ରେମର ଉପଲ‌୍‍ବଧି ହବା ଆଗରୁ ମୁଁ ତାକୁ ପ୍ରେମ କରି ବସିଥିଲି ମୋ ମନର ଅଭ୍ୟନ୍ତରରୁ।

 

ଆମର ଖୁବ‌୍‍ ଛୋଟ ଗାଁ ଟିଏ। ସହରର ଚାକଚକ୍ୟ ଠାରୁ ଅନେକ ଦୂରରେ ଆମ ଗାଁର ଅବସ୍ଥିତି। ବ୍ରାହ୍ମଣ, କରଣ, ଭଣ୍ଡାରୀ, ଗୁଡ଼ିଆ ଏମିତି ଅନେକ ଜାତିର ମୋଟ ତିରିଶଟି ପରିବାରକୁ ନେଇ ଗଢ଼ି ଉଠିଥିଲା ଆମ ଗାଁଟି। ମୋ ବୋଉ ମତେ ଜନ୍ମ କରିବାର ଅଳ୍ପଦିନ ପରେ ଆଖି ବୁଜି ଦେଇଥିଲା। ସାବତ ମାଆର କଷ୍ଟ ମତେ ନ ଭୋଗେଇବା ପାଇଁ ବାପା ସାରା ଜୀବନ ଅବିବାହିତ ରହିଯିବା ପାଇଁ ନିଷ୍ପତ୍ତି ନେଇ ଯାଇଥିଲେ। ଜେଜେମା ଥିଲା ମୋର ସବୁକିଛି। ମୋର ସାରା ଶୈଶବଟା କଟିଯାଇଥିଲା ଜେଜେମାର ସ୍ନେହଁ ମମତାର ଅଭୟ ପଣତ ତଳେ। ଜୀବନଠୁ ବେଶି ଭଲ ପାଉଥିଲା ସେ ମତେ। ବାପା ଥିଲେ ଆମ ଗାଁ ପାଖ ହରିପୁର ହାଇସ୍କୁଲ‌୍‍ର ଶିକ୍ଷକ। ସେଇ ସ୍କୁଲ‌୍‍ର ଆଉଜଣେ ଶିକ୍ଷକ ଥିଲେ ବନମାଳୀ ମଉସା। ଦୁଇଜଣ ଯାକ ଖୁବ‌୍‍ ସାଂଗ। ବନମାଳୀ ମଉସାଙ୍କ ଘରଟା ଆମ ଘରଠାରୁ ଚାରିଟା ଘର ଛାଡ଼ିକି। ତାଙ୍କରି ଝିଅ ଥିଲା ଲୋପା। କାଣୀ ମାଉସୀ ଭାରି ଭଲ। ତାଙ୍କର ଗୋଟିଏ ଆଖି ଛୁଆବେଳେ ବସନ୍ତରେ ନଷ୍ଟ ହେଇ ଯାଇଥିଲା। ସେଇଥିପାଇଁ ତାଙ୍କୁ ଗାଁରେ ସମସ୍ତେ କାଣୀ ବୋଲି ଡ଼ାକୁଥିଲେ। ମାଉସୀଙ୍କ ବାପଘର କଟକ ଟାଉନ‌୍‍ରେ ଥିଲା। ଖୁବ‌୍‍ ସଂଭ୍ରାନ୍ତ ବଂଶର ଝିଅ ଥିଲେ ସେ। ଆଚାର ବ୍ୟବହାର ସବୁ ତାଙ୍କର ପରିମାର୍ଜିତ। କେବଳ ମାତ୍ର ଶାରୀରିକ ଅକ୍ଷମତା ପାଇଁ ତାଙ୍କ ବାପା ତାଙ୍କୁ ବନମାଳୀ ମଉସାଙ୍କ ସହିତ ବାହାଘର କରି ଦେଇଥିଲେ। ତାଙ୍କ ବାହାଘରର ପ୍ରାୟ ସାତବର୍ଷ ପରେ ଜନ୍ମ ହେଇ ଥିଲା ଲୋପା। ସେ ମୋ ଠାରୁ ପାଖାପାଖି ଚାରିବର୍ଷ ସାନ ଥିଲା।  ଆମ ଗାଁର ପ୍ରତିଟି ଅଣୁ ପରମାଣୁରେ ମମତାର, ଭାଇଚାରାର  ଛାପ ବାରି ହେଇପଡ଼ୁଥିଲା। ଆମ୍ୱ ତୋଟାରେ ସୁଲୁସୁଲିଆ ଚଇତି ପବନ, ବସନ୍ତର ଆଗମନରେ କୋଇଲିର କୁହୁକୁହୁ ଗାନ, ଧୂମା ପାହାଡ଼ର ଆର ପାର୍ଶ୍ୱରେ ସୂର୍ଯ୍ୟଙ୍କର ଅସ୍ତ ଯିବାର ଦୃଶ୍ୟ, ପୂର୍ଣ୍ଣମୀ ରାତିରେ ଜହ୍ନରୁ ବିଞ୍ଚି ହେଇ ପଡ଼ୁଥିବା ଶୁଭ୍ର ଧବଳ ଜ୍ୟୋସ୍ନା, ଗାଁ ଠାକୁରାଣୀ ଅଳାର ଜନ୍ତାଳ, ଆମ ଗାଁର ଦୋଳ ମେଳଣ ସବୁକିଛି ଥିଲା ଭାରି ନିଆରା। ସେମିତି ଏକ ଶାନ୍ତ ସବୁଜ ନୈସର୍ଗିକ ପରିବେଶରେ କଟିଥିଲା ମୋର ସ୍ମୃତି ମଧୁର ପିଲାବେଳ।

 

ମୋର ବୋଉ ମରିଯାଇଥିବାରୁ, ମୋ ପାଇଁ ଗାଁରେ ସମସ୍ତଙ୍କର ଗୋଟେ ସହାନୁଭୁତି ଭରା ଭାବଥିଲା। ବେଶିକରି ଏଇ କାଣୀ ମାଉସୀଙ୍କର। ସବୁ ପର୍ବପର୍ବାଣୀରେ ସେ ନିଶ୍ଚୟ ମତେ ପିଠା କରି ଖୁଏଇବେ। ଭଲମନ୍ଦ ଜିନିଷ ଯାହା ବି ରୋଷେଇ କଲେ ମୋ ପାଇଁ ଆଣି ଜେଜେମାକୁ ଦେଇଯିବେ। ପଢ଼ୁଆଁ ଅଷ୍ଟମୀରେ ମତେ ଜେଜେମା ବନ୍ଦେଇଥିଲେ ବି, ସେ ଆଉଥରେ ତାଙ୍କ ଘରକୁ ନେଇ ଲୋପା ସହିତ ପୁଣି ବନ୍ଦେଇବେ। ଲୋପାବି ସବୁବେଳେ ଭାଇନା ଭାଇନା ହେଇ ମୋ ପଛରେ ଗୋଡେ଼ଇଥିବ। ଛୋଟ ବେଳେ କିଛି ବର୍ଷ ତାର ମୋର ସାଂଗ ହେଇ ଖେଳିଥିଲୁ ମଧ୍ୟ୍ୟ। ତାର ବେଶି କେହି ସାଂଗ ନଥିଲେ। କେବେକେବେ ମୁହଁ ଶୁଖେଇ ବସିଥିବ ତାଙ୍କ ପିଣ୍ଡାରେ। ମୁଁ ଫେରୁଥିବି ଘରକୁ। ମତେ ଡ଼ାକିବ, ଅଜୁ ଭାଇନା ଆସ ଲୁଡ଼ୁ ଖେଳିବା। ମୁଁ ବି ତା କଥା ଭାଂଗି ପାରେନା, ତା ସାଂଗରେ ବସିଯାଏ ଲୁଡ଼ୁ ଖେଳିବାକୁ। ତା’ର ଛଅ ନପଡ଼ିଲେ, ମୁଁ ମିଛରେ ଗୋଟିଟାକୁ ଓଲଟେଇ ଦେଇ ତା ପାଇଁ ଛଅ ପକେଇଦିଏ। ସେ ଜାଣିପାରେନା। ଖୁସି ହେଇଯାଏ। ତା ଖୁସିରେ ମୁଁ ବି ଖୁସି ହେଇଯାଏ।  ଆଉ କେବେକେବେ କଣ୍ଢେଇ ଖେଳବେଳେ ମିଛିମିଛିକା ବରକନ୍ୟା ହେଇ ତାର ମୋର ଖେଳିବସୁ। ସେ ନଡ଼ିଆର ସଢ଼େଇରେ ବାଲିପୁରେଇ ଭାତ, ଡ଼ାଲି ତରକାରୀ ସବୁ ରୋଷେଇକରେ। ମୁଁ ମିଛିମିଛିକା ସାଇକେଲ‌୍‍ ଧରି ଅଫିସ‌୍‍ ଯାଏ। ଫେରିଆସିଲେ ସେ ମୋ କୋଳକୁ ଆମର ଛୁଆ କଣ୍ଢେଇକୁ ବଢ଼େଇଦିଏ। ମୋ ପାଇଁ ବାଡ଼ିରେ ମାଡ଼ିଥିବା ଅନାବନା ଗଛର ପତ୍ର ଆଣି ଖାଇବା ବାଢ଼ିଦିଏ। ମୁଁ ମିଛି ମିଛିକା ଖାଏ, ସେ ବି ଖାଏ। ତା’ପରେ ସଢ଼େଇ ସବୁକୁ ଧୋଇଧାଇ ଦେଇ ଉଗୁଡେ଼ଇ ଦିଏ ସେ। ତା’ର ମୋର ସପ ଉପରେ ଶୋଇପଡ଼ୁ। ଛୁଆ କଣ୍ଢେଇଟା ଆମ ମଝିରେ ଶୋଇଥାଏ। ଏଇଠି ଆମର ଖେଳ ସରିଯାଏ।

 

ଧୀରେଧୀରେ ସମୟ ଅନୁସାରେ ଆମେ ସବୁ ବଡ଼ବଡ଼ ହେଇଯାଉ। ମୁଁ ଗାଁ ସ୍କୁଲରୁ ମାଇନର ପଢ଼ିସାରି ହରିପୁର ଯାଏ ହାଇସ୍କୁଲ‌୍‍ରେ ପଢ଼ିବାକୁ। ଲୋପା ସେଇ ଗାଁ ସ୍କୁଲ‌୍‍ରେ ପଢୁଥାଏ। ବେଳେବେଳେ ପାଠବୁଝିବା ପାଇଁ ସେ ଆମ ଘରକୁ ଆସେ। ତାର ଅଂକ ଜମାରୁ ଭଲ ହୁଏନା। ମୁଁ ତାକୁ ଚେଷ୍ଟାକରେ ଅଂକର ସୂତ୍ର ସବୁକୁ ବୁଝେଇବାକୁ। କିଛିଟା ବୁଝେ। ନବୁଝିପାରିଲେ ରାଗିଯାଏ ମୋ ଉପରେ। ଖାତା ବହି ଫୋପାଡ଼ି ଦେଇ ପଳାଏ। ମତେ ତାକୁ ଚିଡେ଼ଇବାକୁ ଭାରି ଭଲ ଲାଗେ।

 

ଏମିତି ଏମିତିରେ ସମୟ ଗଡ଼ିଚାଲେ। ହଠାତ‌୍‍ କିଛି ଦିନ ପାଇଁ ଲୋପା କୁଆଡେ଼ ଅନ୍ତର୍ଦ୍ଧାନ ହେଇଯାଏ। ମୁଁ ତାକୁ ଖୋଜିଲେ ଜେଜେମା କହେ, ଆଉ ତାକୁ ଖୋଜିବୁନି। ସେ ଏବେ ବଡ଼ ପିଲା ହେଇଗଲାଣି। ମୁଁ କୌତୁହଳରେ ଅପେକ୍ଷା କରିଥାଏ ତାକୁ ଦେଖିବାପାଇଁ, କେତେ ବଡ଼ ସେ ହେଇଯାଇଛି ଏଇ ଅଳ୍ପଦିନ ଭିତରେ। ମୁଁ ଭାବେ ସମସ୍ତେ କହୁଛନ୍ତି ମାନେ ସେ ନିଶ୍ଚୟ ଖୁବ‌୍‍ ମୋଟା ଆଉ ଡେ଼ଙ୍ଗା ହେଇଯାଇଥିବ। କିନ୍ତୁ ଆଠ ଦଶ ଦିନ ପରେ ଯେତେବେଳେ ତାକୁ ଦେଖେ ତ ମୁଁ ଆଶ୍ଚର୍ଯ୍ୟ ହେଇଯାଏ। ସେ ଯେମିତି କୁ ସେମିତି। କିନ୍ତୁ ସ୍ୱଭାବରେ ତାର କିଛିଟା ପରିବର୍ତ୍ତନ ନିଶ୍ଚୟ ହେଇଯାଇଥାଏ।  ସେ ଆଗ ଆଗଭଳିଆ ଏତେ ପ୍ରଗଳ‌୍‍ଭ ହେଇ ଗପେନି। ଦଉଡ଼ି ଆସି ମୋ ସାଇକେଲ‌୍‍ର କ୍ୟାରିଅର‌୍‍ରେ ବସିପଡେ଼ନି ବା ମୋ ହାତକୁ ଧରି ଝିଙ୍କିଝିଙ୍କି ତାଙ୍କ ଘରକୁ ନେଇ ଯାଏନି। କେମିତି ଗୋଟେ ଗାମ୍ଭୀର୍ଯ୍ୟର ଖୋଳପା ତା ଉପରେ ଢ଼ାଙ୍କି ହେଇଯାଏ। ମତେ ଜମାରୁ ଭଲ ଲାଗେନି।

 

ସେଇବର୍ଷ ମୋର ଥାଏ ଏକାଦଶର ବୋର୍ଡ଼ ପରୀକ୍ଷା। ଲୋପାର ବି ସପ୍ତମର ବୋର୍ଡ଼ ଥାଏ। ପରୀକ୍ଷା ପୂର୍ବଦିନ କାଣୀ ମାଉସୀ ଆସି ମତେ ଡ଼ାକିଲେ ଲୋପାକୁ ଟିକେ ଅଂକ ବୁଝେଇ ଦବାପାଇଁ। ଗଲି ମୁଁ ତାଙ୍କ ଘରକୁ। ସେ ପିଣ୍ଡାରେ ସପ ପକେଇ ବସିଥାଏ। ସେଦିନ କାହିଁକି କେଜାଣି ସେ ମତେ ଭାରି ସୁନ୍ଦର ଦେଖାଗଲା। ଏମିତିରେ ତ ସେ ଜନ୍ମରୁ ସୁନ୍ଦରୀ। ଦୁଧ ଅଳତା ରଂଗର ଦେହ ତା’ର। ଅପୂର୍ବ ତା ମୁହଁର ଗଢ଼ଣ। ସେଦିନ ସେଇ ମୁହୁର୍ତ୍ତରେ ମୁଁ ଅନୁଭବ କଲି ତା ପାଇଁ କିଛିଟା ଅଧିକା ଆକର୍ଷଣ। ଲଇଁ ପଡ଼ି ଅଙ୍କ କଷୁଥାଏ ସେ। ତା ଫ୍ରକ‌୍‍ ଭିତରୁ ତାର ନୂଆ ନୂଆ ଉତୁରି ଆସୁଥିବା ଯୌବନର ଛାପ ବାରିହେଇ ପଡ଼ୁଥାଏ। ମୁଁ ମୋ ଭିତରେ ଶିହରି ଉଠୁଥାଏ। ମୋର ବି ତ ସେଇ ବୟସ, ଯୋଉ ବୟସ ରେ ଅନେକ କିଛି ଜାଣିବାର କୌତୁହଳ ଓ ଉତ୍କଣ୍ଠା ଭରିହେଇଥାଏ ମନ ଭିତରେ।

 

ଏମିତି ଏମିତି ହେଇ ତାର ସପ୍ତମ ଓ ମୋର ଏକାଦଶ ଶ୍ରେଣୀ ସରିଗଲା। ସେ ଗଲା ହରିପୁରକୁ ହାଇସ୍କୁଲରେ ପଢ଼ିବା ପାଇଁ। ମୁଁ ଚାଲିଆସିଲି କଟକ ରେଭେନ‌୍‍ସାରେ ପଢ଼ିବା ପାଇଁ। ସେଇ ଚାରିବର୍ଷ ଭିତରେ ମୁଁ ଯେତେଥର ଘରକୁ ଯାଏ, ତା ପାଇଁ ନିଶ୍ଚୟଁ କିଛି କିଣିକି ନେଇଯାଏ। ବାପାଙ୍କ ପଠୋଉଥିବା ପଇସା ଯଥେଷ୍ଟ ହଉନଥାଏ ମୋ ଚଳିବା ପାଇଁ। ତେଣୁ ଗୋଟିଏ ଦୁଇଟା ଟିଉସନ‌୍‍ ବି ମୁଁ କରୁଥାଏ। ସେଇଥିରୁ ପଇସା ବେଞ୍ଚଇ କିଛି ନା କିଛି କିଣେ ଲୋପାପାଇଁ।  କେବେ ପର୍ସ, କେବେ ନେଲ‌୍‍ପଲିସ‌୍‍ ତ କେବେ ଓଢ଼ଣୀ। ସେ ଭାରି ଖୁସିହୁଏ। ମୋର ଏଇ ଛୋଟ ଛୋଟ ଉପହାରର ଖୁବ‌୍‍ ମୁଲ୍ୟ ଦିଏ। ସେବି ଥରୁଟେ ଗୋଟେ ରୁମାଲ‌୍‍ ନିଜେବୁଣି ସେଥିରେ ମୋ ନାଁ ଲେଖି ମତେ ଉପହାର ଦେଇଥିଲା। ଅନେକ ବର୍ଷ ପର୍ଯ୍ୟନ୍ତ ମୁଁ ସେଇଟାକୁ ମୋ ପକେଟରେ ରଖିଥିଲି ଓ ତାରି ଭିତରେ ଲୋପାର ସମସ୍ତ ଅନୁରାଗକୁ ଅନୁଭବ କରିପାରିଥିଲି। ପ୍ରତ୍ୟେକ ଛୁଟିରେ ମୋର ଗାଁକୁ ଯିବାର ମୁଖ୍ୟ ଆକର୍ଷଣ ଥିଲା ଲୋପା।

 

ଲୋପାର ଏକାଦଶ ପରୀକ୍ଷା ସରିବା ବର୍ଷ ମୋର ବିଏ ପରୀକ୍ଷା ସରିଗଲା। ଗାଁ କୁ ଯାଇଥିଲି ସେଇ ଛୁଟିରେ। ସେଥରକ ଲୋପା ସହିତ ଟିକିଏ ଅନ୍ତରଂଗ ହବାର ସୁଯୋଗ ମିଳିଥିଲା ମତେ। ବନମାଳୀ ମଉସା ଓ କାଣୀ ମାଉସୀ କଟକ ଯାଇଥିଲେ ଦୁଇଦିନ ପାଇଁ। ଲୋପାକୁ ଜେଜେମାର ଦାୟିତ୍ୱରେ ଛାଡ଼ି ଯାଇଥିଲେ। ସେ ଆମଘରେ ରହିଥିଲା ସେଇ ଦୁଇଦିନ। ଜେଜେମାକୁ ରୋଷେଇରେ ସାହାଯ୍ୟ କରୁଥିଲା। ରାତିରେ ଖାଇସାରି ସେ ଶୋଇଲା ଜେଜେମା ପାଖରେ। ମୁଁ ଶୋଇଲି ଆରଘରେ ବାପାଙ୍କ ପାଖରେ। ଅନେକ ରାତି ଯାଏଁ ମତେ ନିଦ ହେଲାନି। ଉଠି ଆସିଲି। ଧୀରେଧୀରେ ଯାଇଁ ଜେଜେମା ପାଖରୁ ତାକୁ ଶୋଇଥିବା ଅବସ୍ଥାରେ ଡ଼ାକିଲି। ସିଏବି ସୁନାପିଲା ଭଳିଆ ଉଠି ଆସିଲା। ଆମେ ଦୁଇଜଣ ଯାକ ଆସି ବାଡ଼ିପଟର କୂଅମୂଳରେ ବସିଲୁ।

 

ଅଶିଣର ମେଘମୁକ୍ତ ଆକାଶ। ଆକାଶର ବକ୍ଷରେ ଦ୍ୱିତୀୟା ତିଥିର ଜହ୍ନ। ଜହ୍ନର ଖିଲିଖିଲି ହସ ମୁକ୍ତା ହେଇ ଝରିପଡ଼ୁଥାଏ ଶୁଭ୍ର ଧବଳ କିରଣ ରୂପରେ। କୂଅମୂଳର ମନ୍ଦାର ଗଛର ପତ୍ରରୁ ଟପ‌୍‍ ଟପ‌୍‍ ଝରିପଡ଼ୁଥାଏ କାକର ଟୋପାସବୁ। ଗଂଗଶିଉଳୀ ଗଛରୁ ଫୁଲସବୁ ଝଡ଼ି ଗଦା ହେଇଯାଇଥାଏ ସେଇ କୂଅ ମୂଳର ପକ‌୍‍କା ଚାନ୍ଦିନୀ ଉପରେ। ଦୁଇଜଣଯାକ ବସିଥାଉ ପାଖାପାଖି। ଅଥଚ କେହି କିଛି କଥା କହୁନଥାଉ। କିଛି କ୍ଷଣର ନୀରବତା ପରେ ମୁଁ କହିଲି, ଦେଖିଲୁ ଲୋପା, ଜହ୍ନଟା କେତେ ସୁନ୍ଦର ଦେଖାଯାଉଛି। ସେ ଚାହିଁଲା ଉପରକୁ ଆଖି ଉଠେଇ।  ତା ଗୋରା ମୁହଁଟା ଆହୁରି ତୋଫା ଦେଖାଗଲା ଜହ୍ନ ଆଲୁଅରେ। ମୁଁ ତା ମୁହଁକୁ ମୋ ହାତ ପାପୁଲିରେ ଧରି ପକେଇଲି। ଅପୂର୍ବ ଉନ୍ମାଦନା ଖେଳିଗଲା ମୋର ସର୍ବାଙ୍ଗରେ। ସେ ଆଖି ବୁଜିଦେଲା। ତାର ଓଠ କମ୍ପି ଉଠୁଥିଲା। ତା ପରେ ପ୍ରକୃତିସ୍ଥ ହେଇଗଲି ମୁଁ। ଗାଁ କଥା। ଆମେ ଦୁଇଜଣ ବାହାରେ ବସିଛୁ। ଯଦି କିଏ ଆମକୁ ଦେଖି ଦିଏ ତ କଥା ଶେଷ। ସିଧାସିଧା କହି ପକେଇଲି ତାକୁ ମୋ ମନର କଥା। ମୁଁ ତାକୁ ମୋଠାରୁ ବି ଭଲପାଏ। ସାରାଜୀବନ ତା ସହିତ ବଞ୍ଚିବାକୁ ଚାହେଁ। ଏମିତି ଅନେକ ଅନେକ କଥା। ତାର ସମ୍ମତି ମୁହଁରେ ପ୍ରକାଶ କରିବାର ଆଉ ଆବଶ୍ୟକତା ନଥିଲା। ସେ ପୂରାପୂରି ବିହ୍ୱଳିତ ହେଇପଡ଼ିଥିଲା ଆଉ ତା’ର ବ୍ୟବହାରରେ ତାର ମୋ ପାଇଁ ଥିବା ଅନୁରାଗ ଓ ବ୍ୟାକୁଳତା ସ୍ପଷ୍ଟ ହେଇ ଉଠୁଥିଲା। କେହି ଆମକୁ ଦେଖିବା ପୂର୍ବରୁ ଦୁଇଜଣଯାକ ଫେରିଆସିଥିଲୁ ଘର ଭିତରକୁ, ନିଜ ନିଜର ଜାଗାକୁ।

 

ତା ପରଦିନ ସକାଳୁ ସେ ଚାଲିଗଲା ତାଙ୍କ ଘରକୁ, କାରଣ କାଣୀ ମାଉସୀ ଓ ମଉସା ଫେରିଆସିଥିଲେ। ମୋ ପାଇଁ ତ ସକାଳର ସୂର୍ଯ୍ୟ ନୂଆ ଏକ ବାର୍ତ୍ତା ନେଇ ଆସିଥିଲା। ମତେ ସବୁଆଡ଼ ରଂଗୀନ‌୍‍ ଦେଖା ଯାଉଥିଲା। ନିଜ ଭିତରେ ଅପୂର୍ବ ଏକ ପୁଲକ ମୁଁ ଅନୁଭବ କରୁଥିଲି। ସେଇଥରକ ମୋର ବି.ଏ.ର ରେଜଲ‌୍‍ଟ ବାହାରିଲା। ଖୁବ‌୍‍ ଭଲ ହେଇଥିଲା ମୋର। ଇକୋନୋମିକ୍‌ ଅନର୍ସରେ ପ୍ରଥମ ଦଶ ଜଣଙ୍କ ଭିତରେ ମୋ ନାଆଁଥିଲା। ସମସ୍ତେ ଖୁବ‌୍‍ ଖୁସି ହେଲେ। ମୁଁ ସ୍ଥିରକଲି ଦିଲ୍ଲୀ ଇଉନିଭର‌୍‍ସିଟିରେ ଯାଇଁ ଏମ‌୍‍.ଏ ପଢ଼ିବା ପାଇଁ। ଜେଜେମା ତ ଜମା ରାଜି ହଉନଥିଲା ଏତେଦୂରକୁ ଛାଡ଼ିବା ପାଇଁ। କିନ୍ତୁ ବାପା ତାକୁ ବୁଝେଇ ଦେଲେ।  ଲୋପାର ବି ରେଜ‌୍‍ଲଟ‌୍‍ ବାହାରିଲା ଏକାଦଶ ପରୀକ୍ଷାର। ସେ ପ୍ରଥମ ଶ୍ରେଣୀରେ ପାଶ‌୍‍ କରିଥିଲା ଯଦିଓ ଅଂକରେ ଏତେ ଭଲ ନମ୍ୱର ରଖିନଥିଲା।      

 

ତା ରେଜଲ‌୍‍ଟ‌୍‍ ବାହାରିବା ଦିନ ତାର ଅଜା, ଆଈ, ମାମୁଁ ସମସ୍ତେ ଆସିଥିଲେ ଗାଁକୁ। ସେମାନେ ଖୁବ‌୍‍ ଧନୀ ଥିଲେ। ସେତେବେଳେ ଆମ୍ୱାସାଡ଼ର ଗାଡ଼ିଟିଏ ବ୍ୟବହାର କରୁଥିବା ଲୋକମାନେ ସଂମ୍ଭ୍ରାନ୍ତ ଶ୍ରେଣୀୟ ତ ନିଶ୍ଚୟ ଥିଲେ। ଆମ ଗାଁ ଭଳିଆ ଗୋଟେ ନିପଟ ମଫସଲ ଗାଁରେ ଆମ୍ୱାସାଡ଼ର ଗାଡ଼ିଟିଏ ଦେଖିବା ସ୍ୱପ୍ନଥିଲା ସେତେବେଳେ। ସେମାନେ ସ୍ଥିର କରିଥିଲେ ଯେ ଲୋପାକୁ ନେଇଯିବେ ତାଙ୍କ ସହିତ କଟକ। ସେ ସେଇଠି ରହି ପାଠ ପଢ଼ିବ। ସେଇଦିନ ହୁଏତ ତାକୁ ନେଇଯାଇଥାନ୍ତେ। କିନ୍ତୁ ଲୋପା ଜମାରୁ ରାଜିହେଲାନି ଯିବାପାଇଁ। ଆଉ ସପ୍ତାହକ ପରେ ଯିବ ବୋଲି ଜିଦ‌୍‍ଧରି ବସିଲା। ମୁଁ ଠିକ‌୍‍ ବୁଝି ପାରିଥିଲି ତାର ଅମଂଗ ହବାର କାରଣଟା। କାଇଁକିନା ମୋର ବି ସପ୍ତାହକ ପରେ ଚାଲିଯିବାର ଥିଲା କଟକ ଓ କଟକରୁ ଦିଲ୍ଲୀ। ସେଇ ସପ୍ତାହକ ସମୟ ସେ ମୋ ସହିତ କଟେଇବାକୁ ଚାହୁଁଥିଲା।

 

ସେଇ ସାତଦିନ ସମୟଟା ଥିଲା ଖୁବ‌୍‍ ଗୁରୁତ୍ୱପୂର୍ଣ୍ଣ ଆମ ଦୁଇଜଣଙ୍କ ପାଇଁ। ଅନେକ ବାଧା ବନ୍ଧନ ସତ୍ତ୍ୱେ ତାର ମୋର ଦେଖା ହଉଥିଲା କେତେବେଳେ ନିଚ୍ଛାଟିଆ ଦ୍ୱିପ୍ରହରରେ ଗହଳିଆ ଆମ୍ୱତୋଟାରେ, କେତେବେଳେ ସଂଜ ଗଡ଼ିଯିବା ପରେ ଠାକୁରାଣୀଙ୍କ ମନ୍ଦିର ବେଢ଼ାରେ ତ ଆଉ କେତେବେଳେ ତାଙ୍କ ବାଡ଼ିରେ ଥିବା ସିଜୁ ବାଡ଼ର ଆଢ଼ୁଆଳରେ। କାଣୀ ମାଉସୀ ମତେ ତାଙ୍କ ଘରକୁ ଡ଼ାକିଥିଲେ ଖାଇବା ପାଇଁ ମୁଁ ଆସିବାର ପୂର୍ବଦିନ ରାତିରେ। ଲୋପା ସେଦିନ ଖୁବ‌୍‍ ଗମ୍ଭୀର ଥିଲା। ବୋଧ‌୍‍ହୁଏ ଖୁବ‌୍‍ କାନ୍ଦିଥିଲା ସଂଧ୍ୟ୍ୟା ବେଳେ। ମାଉସୀ ଖାଇବାକୁ ବାଢ଼ିବା ଭିତରେ ମୁଁ ପଶିଗଲି ତା ଶୋଇବା ଘରକୁ। ଟେବୁଲ‌୍‍ ଉପରେ ମୁହଁମାଡ଼ି ସେ କ’ଣ ଗୋଟାଏ ଲେଖୁଥିଲା। ପଛଆଡ଼ୁ ଯାଇ ଲୁଚି ଲୁଚି ଦେଖି ପକେଇଲି। ସେ ଚିତ୍ର ଆଂକୁଥିଲା। ଗୋଟେ ଘରର ଚିତ୍ର। ତା’ର ସେଇ କଳାଟା ବିଷୟରେ ମୁଁ ଜମାରୁ ଜାଣିନଥିଲି ଯେ ସେ ଏତେ ସୁନ୍ଦର ଚିତ୍ର ଆଙ୍କିପାରେ ବୋଲି। ଘରଟିଏ ଖୁବ‌୍‍ ଭିତରକୁ। ଘର ସାମ୍ନାରେ ଫୁଲଗଛର ଧାଡ଼ି। ଗେଟ୍‌ଟିଏ ପୂରାପୂରି ସାମ୍ନାରେ। ମତେ ଦେଖି ତାର ଚିତ୍ରଅଂକା ବନ୍ଦ ହେଇଗଲା। ମୁଁ ପଚାରିଲି, ଏଇଟା କ’ଣ? ସେ ଲାଜେଇ ଗଲା। କହିଲା, ଏଇଟା ପରା ଆମ ଘର। ମୋର ଇଚ୍ଛା ଆମ ଘରଟା ଏମିତିକା ହବ। ପୂରାପୂରି ଭିତରକୁ। ସେଇ ଶେଷ ଜେନା କଣ୍ଟ୍ରାକ୍ଟର ଘର ଭଳିଆ ପୂରା ରାସ୍ତା ଉପରେ ନୁହେଁ। ତମକୁ ଭଲ ଲାଗୁନି? ମୁଁ ତା ଗାଲକୁ ଚିପିଦେଲି ସ୍ନେହରେ । ତା ଠାରୁ ସେଇ ଘରର ନକ‌୍‍ସାଟା ନେଇ ଚାଲିଆସିଲି। କହିଲା, ଅଜୁ ଭାଇନା ସେଇଟା ପୂରା ହେଇନି ଯେ।

 

ମଁୁ କହିଲି, ସେଇଟା ପୂରା କରିବା ଦାୟିତ୍ୱଟା ମୋର। ତୁ ଚିନ୍ତା କରନା ।

 

ସେଇ ଥରକ ତା ସହିତ ଦେଖାଟା ଥିଲା ମୋର ଶେଷ ଦେଖା। ମୁଁ ଆସିବା ଦିନ ସେ ମତେ ଛାଡ଼ିବାକୁ ଆସିଥିଲା ଗାଁ ମୁଣ୍ଡର ଠାକୁରାଣୀଙ୍କ ମନ୍ଦିର ପର୍ଯ୍ୟନ୍ତ। ସେଇଠି ମୋ ରିକ‌୍‍ସା ଦେଖାଯିବା ପର୍ଯ୍ୟନ୍ତ ସେମିତି ସେ ଠିଆ ହେଇଥିଲା, ଠିକ‌୍‍ ଯେମିତି ଆଜି ସମୟଟା ଏଇଠି ଅଟକିଯାଇଛି ମୋ ପାଖରେ କେତେ ଘଣ୍ଟା ହେଲାଣି।

 

ତା’ପରେ ଆମ ଦୁଇଜଣଙ୍କ ଜୀବନରେ ଘଟିଗଲା ଅନେକ ଘଟଣା, ଯୋଉ ଗୁଡ଼ାକ କେବେ ନା କେବେ ଘଟିବାର ହିଁ ଥିଲା। ଜେଜେମାର ମୃତ୍ୟୁ, ବନମାଳୀ ମଉସାଙ୍କର ରାଜଯକ୍ଷ୍ମାରେ ଭୋଗିଭୋଗି ଚାଲିଯିବା, ଏସବୁତ ଘଟିବାର ହିଁ ଥିଲା। କିନ୍ତୁ ଗୋଟାଏ ଅଘଟଣ ଘଟିଗଲା ଯୋଉଟା କେବେବି ଘଟିବାର ନଥିଲା। ସେଇଟା ହେଲା ଲୋପାର ଅପ୍ରତ୍ୟାଶିତ ଭାବରେ ବାହାଘର ହେଇଯିବା। ଜେଜେମାର ଦେହାନ୍ତର ଖବର ପାଇକି ମୁଁ ଯାଇଥିଲି ଗାଁକୁ। ଜେଜେମାର ବିୟୋଗର ଦୁଃଖକୁ ମୋର ବହୁଗୁଣିତ କରିଦେଲା ଲୋପାର ବାହାଘରର ସମ୍ୱାଦଟା। ଜେଜେମାର ମୃତ୍ୟୁର ଅଳ୍ପଦିନ ଆଗରୁ ବନମାଳୀ ମଉସା ବି ଚାଲିଯାଇଥିଲେ ରାଜଯକ୍ଷ୍ମାରେ ମାସମାସ ଭୋଗିବାପରେ। ତା ପରେ କାଣୀ ମାଉସୀଙ୍କୁ ତାଙ୍କ ବାପଘରର ଲୋକମାନେ ନେଇଯାଇଥିଲେ କଟକ। ସେଇଠି କୁଆଡେ଼ ଲୋପାର ଆଇ.ଏ. ପରୀକ୍ଷା ସରୁସରୁ ଗୋଟେ ଏୟାରଫୋର୍ସ ଡ଼ାକ୍ତର ସହିତ ବାହାଘର ସେମାନେ କରେଇ ଦେଇଥିଲେ। ଗାଁରେ ସମସ୍ତେ କଥା ହଉଥିଲେ ଝିଅଟା ଖୁବ‌୍‍ ଭାଗ୍ୟବତୀ। ନହେଲେ ବାପଛେଉଣ୍ଡ ହେଇକି ବି କ’ଣ ଏତେ ଭଲ ଘର, ଭଲ ବର ପାଇ ପାରିଥାନ୍ତା? ସେମାନେ କୁଆଡେ଼ ଲୋପାର ସୌନ୍ଦର୍ଯ୍ୟରେ ମୁଗ‌୍‍ଧ ହେଇ ତାକୁ ବୋହୁ କରିନେଇଥିଲେ ପ୍ରଥମ ଦେଖାରେ। ମୋ ଭିତରଟା ଯେମିତି ଭାଂଗି ରୁଜି ଚୁର‌୍‍ମାର‌୍‍ ହେଇଯାଉଥିଲା। ବଞ୍ଚିବାର ସବୁ ଆଗ୍ରହ ମରିଯାଇଥିଲା। ଇଚ୍ଛା ହଉଥିଲା ଆତ୍ମହତ୍ୟା କରିଦବା ପାଇଁ। ନିଜକୁ ନିଜେ ସମ୍ଭାଳି ନେଲି, ବୁଝେଇଦେଲି। ଯଦି ଲୋପା ନ ଭାବି ପାରିଲା ମୋ କଥା, ତେବେ ମୋର ଏତେ ଭାବପ୍ରବଣତା କ’ଣ ପାଇଁ? ମୁଁ କାହିଁକି ମୋ ଜୀବନକୁ ନଷ୍ଟ କରିଦେବି? ଅନ୍ତର ଥରେଇ ବାରମ୍ୱାର ମୋର ଦୀର୍ଘଶ୍ୱାସ ଉଠି ଆସୁଥିଲା। ମନ ଭିତରୁ ଲୋପାପାଇଁ ଗୁଡ଼ାଏ ଅଭିଶାପ ବାହାରି ଆସୁଥିଲା। କେବେ ବି ସେ ସୁଖୀ ହବନି ତା ଜୀବନରେ, ଯିଏ ମୋ ଜୀବନ ସହିତ ଏମିତି ଖେଳିଛି।

 

ତା ପରେ ଘଟଣାବର୍ତ୍ତରେ ଅନେକ କିଛି ଘଟିଗଲା ମୋ ଜୀବନରେ। ମୋର ବ୍ୟାଙ୍କରେ ଅଫିସ‌୍‍ର ଭାବରେ ଜଏନ‌୍‍ କରିବା, ଶିଖା ସହିତ ମୋର ବାହାଘର, ଆର୍ଯ୍ୟନ‌୍‍ର ଜନ୍ମ, ମୋର ଚାକିରୀରେ କ୍ରମାଗତ ପଦୋନ୍ନତି, ବାପାଙ୍କର ମୃତ୍ୟୁ, ଏସବୁ ଯେମିତି ପୂର୍ବ ନିର୍ଦ୍ଧାରିତ ଅନୁସାରେ ଘଟିଗଲା ଗୋଟିକ ପରେ ଗୋଟିଏ।

 

ଶେଷଥର ପାଇଁ ମୁଁ ଗାଁକୁ ଯାଇଥିଲି ତିନିବର୍ଷ ତଳେ ବାପାଙ୍କର ଦେହାନ୍ତ ବେଳେ। ସେତେବେଳେ ଶୁଣିଥିଲି କୁଆଡେ଼ ଲୋପାର ପୁଅଟା ଖୁବ‌୍‍ ଭଲପଢ଼ୁଛି। ସେଇବର୍ଷ ବମ୍ୱେ ଆଇ.ଆଇ.ଟିରେ ଆଡ଼‌୍‍ମିସନ‌୍‍ ନେଇଛି। ନେଇଥାଉ। ମୋର କ’ଣ ଯାଏ ବା ଆସେ ତା ସୁଖ ଦୁଃଖରେ।

 

ବାପାଙ୍କ ଯିବା ପରଠାରୁ ମୁଁ ଆଉ ଓଡ଼ିଶା ଆସିନି କହିଲେ ଚଳେ। କେବଳ ମଝିରେ ଥରେ ଦୁଇଥର ଶିଖା ଘରର ପାରିବାରିକ ଫଙ୍କ‌୍‍ସନ‌୍‍ରେ ଯାହା ଆସିଛି କେବଳ। ଆଉ ୟା ଭିତରେ ଲୋପାର ସ୍ମୃତିଟା ବି ଯେମିତି ଧୂଆଁଳିଆ ହେଇଯାଇଥିଲା ମୋ ମନଭିତରେ। ଆଜି ତାକୁ ହଠାତ‌୍‍ ଦେଖିଦବାରୁ ମନଟା କେମିତି ଟାଣିହେଇଗଲା ଅତୀତ ଆଡ଼କୁ। କେଜାଣି କାହିଁକି ମତେ ଲାଗିଲା ସେ ଯେମିତି ଏତେ ସୁଖୀ ନୁହେଁ ବୋଲି। ଛାଡ଼। ମୋର ଏତେ ଚିନ୍ତା କରିବାର କ’ଣ ବା ଅଛି ତା ବିଷୟରେ। ଅନେକ ରାତି ହେଇଗଲାଣି ଏଇଠି ଏମିତି ଅଯଥାଟାରେ ବସିବସି।

 

ତା’ର ପ୍ରାୟ ସପ୍ତାହକ ପରେ ଗୋଟେ ରବିବାରର ଶୀତୁଆ ସକାଳରେ ହଠାତ‌୍‍ ଚମକିଗଲି ଲୋପାର ଫୋନ‌୍‍ ପାଇକି। ଅଜୁ ଭାଇନା, ମୁଁ ଲୋପା। ତମେ ସେଦିନ ଖୁବ‌୍‍ ରାଗିଯାଇଥିବନା ମୋ ଉପରେ। କ’ଣ କରିବି କୁହ। ଶାଶୁଙ୍କର ଇଂଜେକ‌୍‍ସନ‌୍‍ ନବାର ସମୟ ହେଇଗଲା ତ। ତେଣୁ ତରବରରେ ଚାଲିଆସିଲି। ଏବେ କୋଉଠି ଅଛ ତମେ?

 

ମୁଁ ତ ଏଇ ଭୁବନେଶ୍ୱରରେ ଅଛି। ତୁ କୋଉଠି ରହୁଛୁ?

 

ମୁଁ ଏଇ ପାଣ୍ଡବ ନଗରରେ ରହୁଛି। କନକଦୁର୍ଗା ମନ୍ଦିରର ପୂରା ପାଖରେ।

 

ଆରେ ମୁଁ ବି ତ ସେଇ ଏରିଆରେ ରହୁଛି। ସେଇ ମନ୍ଦିର ପାଖରେ ଯୋଉ ଆଶାବରୀ ଆପାର୍ଟମେଣ୍ଟ ଅଛି ସେଇଠି।

 

ହେ ଭଗବାନ‌୍‍! ମୋ ଘରଟା ପରା ସେଇ ମନ୍ଦିରର ପୂରାପୂରି ସାମ୍ନାରେ। ତମ ଆପାର୍ଟମେଣ୍ଟର ସାଇଡ଼‌୍‍ରେ। ତାହେଲେ ଏବେ ଆସ ସାଂଗେସାଂଗେ। ମୁଁ ଯାଉଛି ବାହାରକୁ ଗେଟ‌୍‍ ପାଖକୁ।

 

ମୋ ମୁଣ୍ଡଟା ଯେମିତି ଗୋଳମାଳ ହେଇଗଲା। ଏତେସବୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଯିଏ, ସେଇ ନାରୀଟି ଯେ ଏକଦା ମୋର ପ୍ରେୟସୀ ଥିଲା, ସେଇଟା ବୁଝିବାକୁ ଆଉ କିଛି ବାକି ରହିଲାନି ମୋର। ଅତିରିକ୍ତ ଉତ୍କଣ୍ଠା ଓ ଆବେଗରୁ ବେଶି ସମୟ ଅପେକ୍ଷା କରିନପାରି ମୁଁ ସିଧା ଚାଲିଗଲି ସେଇ ଘରଟା ଆଡ଼କୁ। ଗେଟ୍‌ରେ ତା’ର ଦରୱାନ ଯେମିତି ଅପେକ୍ଷା କରିଥିଲା ମତେ। ଭିତରକୁ ଗଲା ବେଳକୁ ଦ୍ୱାର ପାଖରେ ଠିଆ ହେଇଛି ଲୋପା। ମୋ ପାଦଛୁଇଁ ପ୍ରଣାମ କଲା ମତେ। ପାଛୋଟିନେଲା ଭିତରକୁ। ଘରଭିତରର ନିଖୁଣ ସାଜସଜ୍ଜାରେ ମୁଗ‌୍‍ଧ ହେଇଗଲି ମୁଁ। କେମିତି କଥା ଆରମ୍ଭ କରିବି ଭାବୁ ଭାବୁ ପଚାରିଦେଲି, ଆଉ କିଏ ସବୁ ଅଛନ୍ତି ଏଠି ବୋଲି।

 

ଖୁବ‌୍‍ ଜୋରରେ କାନ୍ଦି ଉଠିଲା ସେ। କହିଲା, ଭାଇନା ମୋ ଜୀବନଟା ଗୋଟେ ଚ୍ୟାଲେଞ୍ଜ ହେଇଯାଇଛି ମୋ ପାଇଁ। ତମେ ବୋଧେ କିଛି ଜାଣିନ ମୋ କଥା?

 

ମୁଁ କହିଲି, ନାଇଁରେ, ମୁଁ ତ ତିନିବର୍ଷ ହେଲା ଯାଇନି ଗାଁକୁ ବାପାଙ୍କ ଯିବା ପରଠାରୁ। ତାଙ୍କ ଠାରୁ ଯାହା ତୋ ଖବର ପାଉଥିଲି।

 

ସେ ଯାହାସବୁ କହିଗଲା, ତାର ସାରମର୍ମ ଥିଲା ଏୟା ଯେ, ତା ସ୍ୱାମୀର ପୋଷ୍ଟିଂ ଥିଲା ଆସାମର ତେଜପୁର ସହରରେ ଥିବା ଏୟାର ଫୋର୍ସ ହସ‌୍‍ପିଟାଲ‌୍‍ରେ। ପୁଅ ତାର ପଢ଼ୁଥିଲା ବମ୍ୱେ ଆଇ.ଆଇ.ଟିରେ। ପ୍ରଥମବର୍ଷ ପରୀକ୍ଷା ସରିବାପରେ ସେ ଆସିଥିଲା ଛୁଟିରେ। ସେମାନେ ସମସ୍ତେ ସାଂଗହେଇ ବୁଲିବା ପାଇଁ ଯାଇଥିଲେ ଅରୁଣାଚଳ ପ୍ରଦେଶର ତାୱାଂଗକୁ। ହେଲିକ୍ୟାପ୍ଟରରେ ଯିବା ପାଇଁ ଶାଶୁ ରାଜି ନହବାରୁ ସେମାନେ  ଯାଇଥିଲେ ଗୋଟେ ଗାଡ଼ି ନେଇ। ତାୱାଂଗ‌୍‍ର ବରଫାବୃତ୍ତ ପାହାଡ଼ି ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିଲେ ସେମାନେ। ଚାରିଦିନ ରହିବା ପରେ ସେଇଠୁ ଫେରି ଆସିଥିଲେ। ଦୁର୍ଭାଗ୍ୟ ଯେମିତି ଅପେକ୍ଷା କରିଥିଲା ସେମାନଙ୍କ ପାଇଁ। ଶୈଲା ପାସ‌୍‍ ଯୋଉଟାକି ସବୁଠାରୁ ଉଚ୍ଚସ୍ଥାନ ସେଇ ଅଞ୍ଚଳର, ସେଇଠାରୁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଉପରେ ବରଫ ଜମିଯାଇଥିଲା। ଡ୍ରାଇଭର ଖୁବ‌୍‍ ସନ୍ତର୍ପଣରେ ଚଲୋଉଥିଲା ଗାଡ଼ି। ତଥାପି ନିୟନ୍ତ୍ରଣ ହରେଇଦେଲା ଜାଣିନପାରି। ଗାଡ଼ି ଖସି ପଡ଼ିଲା ଖୁବ‌୍‍ ବଡ଼ ଏକ ଖାଇ ଭିତରକୁ। ସିଏ ତ ଚେତାଶୁନ୍ୟ ହେଇଯାଇଥିଲା। ଉଦ୍ଧାରକାରୀ ଦଳଙ୍କର ସହାୟତାରେ ସେମାନଙ୍କୁ ଅଣାଗଲା ସେଇଠିକାର ଆର୍ମି ହସ‌୍‍ପିଟାଲ‌୍‍କୁ। ତା ସ୍ୱାମୀଙ୍କର ରାସ୍ତାରେ ମୃତ୍ୟୁ ହେଇଯାଇଥିଲା। ଶାଶୂଙ୍କର ମେରୁଦଣ୍ଡ ପୂରାପୂରି ଭାଂଗିଯାଇଥିଲା। ପୁଅର ମୁଣ୍ଡରେ ଖୁବ‌୍‍ ଜୋରରେ ଆଘାତ ଲାଗିଥିଲା। ସିଏ କୋମା ଅବସ୍ଥାକୁ ଚାଲିଯାଇଥିଲା। କେବଳ ତା ନିଜର ବେଶିକିଛି ହେଇନଥିଲା। ବୋଧ‌୍‍ହୁଏ ଈଶ୍ୱର ତାକୁ ଅନ୍ୟମାନଙ୍କର ସେବା କରିବାର ଉପଯୁକ୍ତ କରି ରଖିଥିଲେ। ତା ପରଠାରୁ ଶାଶୂ ଶଯ୍ୟାଶାୟୀ, ଏକମାତ୍ର ପୁଅର ମାନସିକ ସ୍ଥିତି ବିପର୍ଯ୍ୟସ୍ତ। ପ୍ରାୟ ତିନିମାସ କୋମାରେ ରହିବା ପରେ ତା’ର ଚେତା ଫେରିଲା। କିନ୍ତୁ ମାନସିକ ସନ୍ତୁଳନ ତା’ର ବିଗିଡ଼ିଯାଇଥିଲା।  ପାଠପଢ଼ା ତ ଅଧାରୁ ବନ୍ଦ ହେଇଗଲା। ବାଇଶ ବର୍ଷର ପୁଅ ତାର ପାଞ୍ଚବର୍ଷର ଛୁଆଙ୍କ ଭଳିଆ ବ୍ୟବହାର କରୁଛି। ଶାଶୁ ତ କେବଳ ବଞ୍ଚିରହିଛନ୍ତି ଯାହା। ବିଛଣାରେ ଝାଡ଼ା, ପରିସ୍ରା ସବୁ କିଛି। ସକାଳେ ଓ ସଂଧ୍ୟ୍ୟାରେ ଠିକ‌୍‍ ସମୟରେ ଇଂଜେକ‌୍‍ସନ‌୍‍ ନଦେଲେ ତାଙ୍କର ଯନ୍ତ୍ରଣା ଅସହ୍ୟ ହୁଏ। ସେଇଥିପାଇଁ ତ ସେଦିନ ସେ ଚାଲିଆସିଥିଲା ଏତେ ତରବର ହେଇ। ତା ସ୍ୱାମୀଙ୍କର ଜଣେ ଡ଼ାକ୍ତର ବନ୍ଧୁ ଯାହାଙ୍କ ଠାରୁ ଏଇ ଘରଟି କିଣିଥିଲେ ସେମାନେ, ସିଏ ନିୟମିତ ଚିକିତ୍ସା କରନ୍ତି ତା ଶାଶୂଙ୍କୁ ଓ ପୁଅକୁ। ତାଙ୍କରି ପରାମର୍ଶରେ ସିଏ ମଝିରେ ମଝିରେ ତା ପୁଅକୁ ନେଇ ଯାଏ ସେଇ ଅନୁଷ୍ଠାନକୁ, ତାର ମାନସିକ ଅବସ୍ଥାରେ କିଛିଟା ସୁଧାର ଆଣିବା ପାଇଁ।

 

ସେ କହୁଥିଲା। ମୁଁ ନିର୍ବାକ‌୍‍ ହେଇ ଶୁଣୁଥିଲି। ହଠାତ‌୍‍ କହିପକେଇଲା, ଭାଇନା! ତମର ମନେ ଅଛି ନା, ମୁଁ ଗୋଟେ ଘରର େସ୍କଚ‌୍‍ କରି ତମକୁ ଦେଇଥିଲି ଆଉ ତମେ ତାକୁ ପୂରା କରିବ ବୋଲି କଥା ଦେଇଥିଲ ମତେ। କିନ୍ତୁ ତମକୁ ସେ ସୁଯୋଗ ମିଳିନଥିଲା, ବା ସେତିକି ଭାଗ୍ୟ ମୋର ବି ନଥିଲା। ସେଇ ସୁଯୋଗର ଅଧିକାରୀ ଯିଏ ହେଇଥିଲେ, ସେ କିନ୍ତୁ ଚେଷ୍ଟା କରିଥିଲେ ଓ ସଫଳ ମଧ୍ୟ୍ୟ ହେଇଥିଲେ ମୋର ସେଇ ସ୍ୱପ୍ନକୁ ପୂରା କରିବା ପାଇଁ। ଘରଟାକୁ କିଣିବା ପରେ ପୂରାପୂରି ଭାଂଗିଦେଇ ମୋ ପସନ୍ଦ ଅନୁସାରେ ଆଉଥରେ ଗଢ଼େଇଦେଇଥିଲେ ମଧ୍ୟ୍ୟ। କିନ୍ତୁ ଭାଗ୍ୟର ବିଡ଼ମ୍ୱନା, ସେଇଘରେ ରହିବା ପାଇଁ ଆୟୁସ ଅଣ୍ଟିଲାନି ତାଙ୍କୁ। ମୁଁ ତ କେବେ କାହାର ଖରାପ ଚିନ୍ତା ବି କରିନଥିଲି। ତେବେ ମୋ ସହିତ କାହିଁକି ଏମିତି ହେଲା? ହୁଏତ କାହାର ନଜର ଲାଗିଗଲା ମୋର ଏଇ ସୁଖୀ ସଂସାର ଉପରେ। ନହେଲେ କାହିଁକି ଗୋଟାଏ ମୁହୂର୍ତ୍ତରେ ସବୁକିଛି ଭାଂଗି ଚୁନା ହେଇଯାଇଥାନ୍ତା।

 

ଛୁଆଙ୍କ ଭଳିଆ କାନ୍ଦୁଥିଲା ସିଏ। ଛୁଆବେଳେ ସେ ଧରିଥିବା ପ୍ରଜାପତିକୁ ମୁଁ ଉଡେ଼ଇ ଦେଲା ବେଳେ ଯେମିତି କାନ୍ଦୁଥିଲା, ଅବିକଳ ସେମିତି। ତାକୁ ବୁଝେଇବା ପାଇଁ ମୋ ଓଠରେ ଭାଷା ନଥିଲା। ଭିତରେ ଭିତରେ ସଢ଼ିପଡ଼ୁଥିଲି ମୁଁ ଗଭୀର ଅନ୍ତର୍ଦାହରେ। ମନରେ ସଂଦେହ ହେଉଥିଲା, ତାର ଏ ବିପର୍ଯ୍ୟୟ ପାଇଁ ମୁଁ ଦାୟୀ ନୁହେଁ ତ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top