ନୀଳରାତିର ନକ‌୍‍ସା

News Story - Posted on 2017-09-11

ହୃଷୀକେଶ ପଣ୍ଡା

 

ରାଜଧାନୀର ମାୟାବୀ ରାସ୍ତାରେ ଚକ୍କର କାଟୁଥାଏ ଗୋଟେ ଅବିଶ୍ୱସ୍ତ ଅଟୋରିକ୍ସା।

 

ଯେମିତି ଗୋଟେ ଚତୁର ଶିକାରୀ ତମାମ‌୍‍ ଜଂଗଲ ଜାଲଧରି ଲୋଭନୀୟ ଶିକାରକୁ ତଲାସ‌୍‍ କରୁଥାଏ, ଅଟୋରିକ୍ସାଟି ସେମିତି ଗୋଟେ ସୁନ୍ଦରୀ ରୂପସୀକୁ ହାବୁଡ଼ି ଯିବାର ଆଶା ନେଇ ଘୂରି ବୁଲୁଥାଏ ସହରର ଏ ମୁଣ୍ଡରୁ ସେମୁଣ୍ଡ।

 

ଅଟୋବାଲାଟି ତିରିଶ ବତିଶି ବର୍ଷର ଗୋଟେ ସୁଦର୍ଶନ ଯୁବକ। ମୁହଁରେ ମିଠାହସ ଆଉ ଆଖିରେ ସୁନ୍ଦର-ଶୀତଳ ଚାହାଣି। ଶାନ୍ତ ସୁଧାର ପିଲାଟିଏ ପରି ମୋଟାମୋଟି ତା’ର ଚେହେରା। ସେଇ ସ୍ମିଗ୍ଧ-ଶୀତଳ ଚେହେରା ତଳେ ଯେ ଲୁଚି ରହିଛି ଗୋଟେ ଘୃଣ୍ୟ ପିଶାଚର ପାଷାଣ୍ଡ ପ୍ରବୃତ୍ତି, ଅମଣିଷ ପଣିଆର ଶେଷହୀନ ଜଘନ୍ୟ ଜନ୍ତୁ, ଏକଥା କେହି ବିଶ୍ୱାସ କରିବେ ନାହିଁ ଅନ୍ତତଃ ତାକୁ ଦେଖିଲେ।

 

ଅଟୋରିକ୍ସାଟି ଚାଲିଥାଏ, ତା’ର ଫନ୍ଦି ଫିକରକୁ ଚରିତାର୍ଥ କରିବା ପାଇଁ ଆଗକୁ ଆଗକୁ। ସେ ଖୋଜୁଥାଏ ତା’ର ମନମୁତାବକ ସବାର‌୍‍ଟିଏ। କେବଳ ଗୋଟିଏ ସବାର‌୍‍। ଯୋଉ ସବାର‌୍‍ଟି ତା’ର ଈପ‌୍‍ସିତ। ଆକାଂକ୍ଷିତ।

 

ରାସ୍ତାରେ ହାଉଯାଉ ମଣିଷମାନଙ୍କ ଉପରେ ତାର ନିଘା ନଥାଏ। ସିଏ ଖୋଜୁଥାଏ ଏମିତି ଗୋଟେ ଜାଗା, ଯୋଉଠି ଅପେକ୍ଷା କରିଥିବ ଗୋଟେ ସୁନ୍ଦରୀ ସୁତନ୍ୱୀ। ସାଥୀହୀନ, ନିହାତି ନିଃସଙ୍ଗ, ଅସହାୟା ରୂପସୀଟିଏ। ନୂଆ ନୂଆ ଆସିଥିବ ସହରକୁ। ଖୋଜୁଥିବ ଗୋଟେ ନିରାପଦ ଆଶ୍ରୟ। ମନେମନେ ଅପେକ୍ଷା କରିଥିବ କୋଉ ଦେବଦୂତକୁ, କାହାର ଅଯାଚିତ ସାହାଯ୍ୟ ଅଥବା ସହାନୁଭୂତିର ପ୍ରଶସ୍ତ ହାତକୁ। ସଂଜ ନଇଁ ଆସିବା ଆଗରୁ, ରାଜଧାନୀର ରୂପସୀ ରାସ୍ତାରେ ନୀଳରାତି ଆସର ଜମେଇବା ଆଗରୁ ଗୋଟାଏ ନିରାପଦ ଆଶ୍ରୟ ନିହାତି ତା’ର ଲୋଡ଼ା।

 

ଅଥବା ରାଜଧାନୀର ଇତିହୀନ ଇସ୍ତାହାରରେ ଆକର୍ଷିତ ହେଇ ଗାଁରୁ ପାଦ କାଢ଼ିଥିବା ଯୁବତୀ ଝିଅଟିଏ, ରାଜଧାନୀରେ ରୋଜଗାର କରିବାର ଅସ୍ଥିର ମନଃସ୍ଥିତିରେ ଗୋଟାଏ ଚିହ୍ନା ମୁହଁର ତଲାସରେ ଠିଆହେଇଥିବ ଏକାଏକା।

 

କିମ୍ୱା କୋଉ ଗାଉଁଲୀ ବୋହୂଟିଏ, ବାହାଘରର ବର୍ଷେ ଦିବର୍ଷ ନପୂରୁଣୁ ଯୌତୁକ ଯନ୍ତ୍ରଣାରୁ ନଚେତ‌୍‍ ମରଣ ମୁହଁରୁ ବର୍ତ୍ତିଯାଇ ପାହାନ୍ତା ରାତିରେ କୋଉ ଦୂର ଗାଁ କି ସହରରୁ ବସ‌୍‍ ଚଢ଼ି ଓହ୍ଲେଇଥିବ ଆସି ରାଜଧାନୀରେ।

 

ଜୀବନରେ କେବେ ରାଜଧାନୀ ଦେଖି ନଥିବା ମଫସଲି ନବବଧୂଟି ବାପଘର ଗାଁକୁ ଯିବା ପାଇଁ ବାଟ ଖୋଜୁଥିବ। ନିରୋଳାରେ ଏକାଏକା ଠିଆହାଇ ଖୋଜୁଥିବ ଗୋଟେ ସହୃଦୟ ମଣିଷକୁ; ଯିଏ ତା’ ଗାଁକୁ ବାଟ ବତେଇଦବ।

 

ରାଜଧାନୀର ମାୟାବୀ ଆକର୍ଷଣରେ ମୁଗ୍ଧ ହେଇ ଏମିତି କେତେ କେତେ ସୁନ୍ଦରୀ ପ୍ରତିଦିନ ଗାଡ଼ିରୁ ଓହ୍ଲେଇ ଖୋଜୁଥାନ୍ତି ସହୃଦୟ ମଣିଷମାନଙ୍କୁ। ଅପେକ୍ଷା କରିଥାନ୍ତି ବିଶ୍ୱସ୍ତ ଅଟୋରିକ୍ସାମାନଙ୍କୁ। 

 

ଅଟୋରିକ୍ସା ଏବଂ ଅଟୋବାଲା ଦି’ଜଣଯାକ ବେଶ‌୍‍ ମାହିର‌୍‍ ଏମାନଙ୍କୁ ଚିହ୍ନଟ କରିବାରେ।

 

ରାସ୍ତାରେ ଏକୁଟିଆା ଠିଆ ହେଇଥିବା ଏଭଳି ଅସହାୟା ସୁନ୍ଦରୀମାନଙ୍କୁ ଚିହ୍ନିବାରେ ଟିକେ ହେଲେ ବି ଭୁଲ‌୍‍ ହୁଏନାହିଁ। ସ୍ନିଗ୍ଧ-ଶୀତଳ ଚେହେରା ଏବଂ ହୃଦୟକୁ ଭେଦ କଲାପରି ମଧୁର କଥାରେ ଅଚିହ୍ନା ସୁନ୍ଦରୀମାନଙ୍କୁ ନିଜର କରିବାରେ ଓସ୍ତାଦ‌୍‍ ଅଟୋବାଲାଟି।

 

ରାଜଧାନୀର ଠିକଣା ଖୋଜୁଥିବା ବାଟବଣା ବାଇଚଢ଼େଇମାନଙ୍କୁ ଭୁଲ‌୍‍ ବସାରେ ପହେଞ୍ଚଇ ଦେବାରେ ଅଟୋବାଲାଟି ଯେତିକି ମାହିର‌୍‍ ସେତିକି ସଫଳ ମଧ୍ୟ। ରାସ୍ତାରେ ଅଟୋ ଚଲେଇଲା ବେଳେ ତା’ର ହାତ ଷ୍ଟିଅରିଂରେ ଥାଏ ସତ, ହେଲେ ଆଖିଥାଏ ରାସ୍ତାରେ ଠିଆ ହେଇଥିବା ରୂପସୀମାନଙ୍କ ସୁନ୍ଦର ପାଦମାନଙ୍କ ଉପରେ।

 

ମଫସଲରୁ ନୂଆ ନୂଆ ସହର ଆସିଥିବା ସୁନ୍ଦରୀର ପାଦ, ଶଶୁରଘରୁ ଲୁଚି ପଳେଇ ଆସିଥିବା ଗାଉଁଲି ଭୂଆଷୁଣୀର ପାଦ ଆଉ ରାଜଧାନୀର ମାୟାବୀ ରାସ୍ତାରେ ନୂଆ ନୂଆ ପାଦ ଦେଇଥିବା ଉଚ୍ଚାକାଂକ୍ଷୀ ଚକୋରୀମାନଙ୍କ ଚିତ୍ରିତ ପାଦମାନଙ୍କୁ ଚୁଟ‌୍‍କିରେ ଚିହ୍ନଟ କରିପାରେ ଚତୁର ଅଟୋବାଲାଟି।

 

ଏମିତି ଅନେକ ସୁନ୍ଦରୀ ରାଜଧାନୀର ହରରଙ୍ଗୀ ନୀଳ ଆଲୁଅରେ ପ୍ରତିଦିନ ପାଦ ପ୍ରକ୍ଷାଳନ କରୁଥାନ୍ତି ଏବଂ ଅଟୋବାଲାଟି ଅକୁଣ୍ଠିତ ଭାବେ ସେଇ ପାଦମାନଙ୍କ ଗତିବିଧି ଉପରେ ତର୍ଜମା କରି ନିଷ୍କର୍ଷରେ ପହଞ୍ଚୁଥାଏ।

 

ଏତେ କମ‌୍‍ ବୟସରେ ଏତେଗୁଡ଼ାଏ ଅନୁଭୂତି, ଏତେ ପ୍ରଚୁର ଆତ୍ମବିଶ୍ୱାସ, ଏମିତି ନିଖୁଣ ନିଶାନାବାଜି, ଭାବିଲେ ସତରେ ଆଶ୍ଚର୍ଯ୍ୟ ଲାଗେ ତାକୁ। ଏସବୁ ଭାବୁ ଭାବୁ ବେଳେବେଳେ ଅନ୍ୟମନସ୍କ ହେଇଯାଏ ଅଟୋବାଲାଟି। କେତେ କେତେ ଷୋଡ଼ଶୀ, ସୁନ୍ଦରୀ, ରୂପସୀ, ଝିଅବୋହୂଙ୍କୁ ଠିକଣା ଜାଗାରେ ପହେଞ୍ଚଇ ଦବାର ପ୍ରତିଶ୍ରୁତି ଦେଇ ବାଟବଣା ନ କରିଚି ସେ ! କେଇଟା ଟଙ୍କା ଆଉ ରାଜଧାନୀର ପ୍ରାଚୁର୍ଯ୍ୟରେ ପଥଭ୍ରଷ୍ଟ ହେଇ କେତେ ଘୃଣ୍ୟରୁ ଘୃଣ୍ୟତମ, ଜଘନ୍ୟରୁ ଜଘନ୍ୟତମ କାମ ନକରିଚି ସେ !!

 

ଏସବୁ କାମ କଲାବେଳେ ପ୍ରଥମେ ଭାରି ଅଡ଼ୁଆ, ଭୀଷଣ ବ୍ୟସ୍ତ ଲାଗୁଥିଲା। ବିବେକ ବାରମ୍ୱାର ବାଟ ଓଗାଳୁଥିଲା। ଅସହାୟା ସୁନ୍ଦରୀମାନଙ୍କ କରୁଣ ଚାହାଣୀ ତା’ର ନିଷ୍ଠୁର ହୃଦୟକୁ କାହିଁକି କେଜାଣି ଦୁର୍ବଳ କରିଦଉଥିଲା। ଠିକଣା ଜାଗାରେ ପହେଞ୍ଚଇ ଦେଇ, ଟଙ୍କାଗୁଡ଼ାକ ଚଟାପଟ‌୍‍ ପକେଟରେ ପୂରେଇ, ମଦନିଶାରେ ଚୁର‌୍‍ହେଇ ଭୁଲିବାକୁ ଯେତେ ଚେଷ୍ଟାକଲେ ବି, ସେସବୁ ନିଷ୍ଠୁର ଦୃଶ୍ୟ ତା’ ଆଖି ଆଗରେ ନସରପସର ହେଇ ତାକୁ ଭୀଷଣ କଷ୍ଟ ଦଉଥିଲା। ମଦନିଶାରେ ସାରାରାତି ଅଟୋ ଭିତରେ କଟିଯାଉଥିଲା। ଆଖିକୁ ଟିକେହେଲେ ନିଦ ଆସୁନଥିଲା।

 

ପ୍ରଥମେ ପ୍ରଥମେ ଯେତେବେଳେ ସେ ଏ ବେପାରରେ ପାଦଦେଲା ସେତେବେଳର ସେ ନିଷ୍ଠୁର ମୁହୂର୍ତ୍ତଗୁଡ଼ାକ ମନେପଡ଼ିଲେ ଏବେବି ତା’ ଦେହ ଶୀତେଇ ଉଠେ।

 

ଅସହାୟା ଝିଅ କି ବୋହୂଟାକୁ ଠିକଣା ଜାଗାରେ ପହେଞ୍ଚଇଦବାର ମିଛ ପ୍ରତିଶ୍ରୁତି ଦେଇ, ଠିକଣା ଖୋଜିବାର ମିଛ ବାହାନା କରି ସହରଟାଯାକ ତନ୍ନତନ୍ନ କରି ଖୋଜିବାର ଅଭିନୟ କରୁକରୁ ଯେତେବେଳେ ସଂଜ ନଇଁଆସେ, ଆସ୍ତେ ଆସ୍ତେ ଅନ୍ଧାର ବହଳ ହୁଏ, ଠିକଣା ମିଳିବାର ସବୁତକ ପ୍ରୟାସ ଯେତେବେଳେ ଶେଷ ହେଇଆସେ, ଚାରିଆଡ଼ ଅନ୍ଧାର ଦିଶୁଥିବା ବିଚାରୀ ଝିଅ କି ବୋହୂଟା ଯେତେବେଳେ ହତାଶାରେ ଭାଙ୍ଗିପଡେ଼, ଚତୁର ଅଟୋବାଲାଟି ରାତିକ ତା’ ଘରେ ଆଶ୍ରୟ ନବାକୁ ରାଜି କରେଇ, ପ୍ରତାରଣାର ଜାଲ ବିଛେଇ ସୁଧାର ମଣିଷଟି ପରି ଘରସାମ୍ନାରେ ଅଟୋ ରଖି, ଘଟଣାର କ୍ରମବିକାଶକୁ ଭାବି ଭାବି ମଦନିଶାରେ ଚୁର‌୍‍ ହେଇଗଲା ପରେ, ଯେତେବେଳେ ଅନ୍ଧାର ଘନେଇ ଆସେ, ରାତି ନିସ୍ତବ୍ଧ ହୁଏ, ସହରଟା ଶୂନଶାନ‌୍‍ ହେଇଯାଏ, ଦିନଯାକର ଅବସାଦ ଏବଂ କ୍ଲାନ୍ତିରେ ମଂଥିହେଇ ତରୁଣୀଟିର ଆଖିକୁ ଯେତେବେଳେ ଛାଇନିଦ ଘୋଟିଆସେ, ଦେହର ଦଲାଲ‌୍‍ମାନେ ଯୋଜନା ମୁତାବକ ପହଞ୍ଚି ଅଟୋବାଲାଟି ପକେଟରେ ପୂରେଇ ଦିଅନ୍ତି କେଇଟା ନୋଟ‌୍‍। ଆଉ ତା’ପରେ....

 

ତା’ପରେ ଆରମ୍ଭ ହୁଏ ସେଇ ନିଶୂନ‌୍‍ ଘରଟା ଭିତରେ ଅସହାୟା ତରୁଣୀଟି ଉପରେ ନିଷ୍ଟୁର ମଣିଷମାନଙ୍କର ନିର୍ମମ କାର୍ଯ୍ୟକ୍ରମ। ଆତ୍ମରକ୍ଷା ପାଇଁ ଶତପ୍ରଚେଷ୍ଟା, ଅଜସ୍ର କାତରପ୍ରାର୍ଥନା, କଣ୍ଠଫଟା ଚିତ୍କାର ସବୁକିଛି ବ୍ୟର୍ଥ ହୁଏ। ଚାହୁଁ ଚାହୁଁ ନିମିଷକରେ ତା’ ଦେହଟା ଖିନଭିନ‌୍‍ ହେଇଯାଏ। କ୍ଳାନ୍ତ ଦେହଟା ଯନ୍ତ୍ରଣାରେ ଛଟପଟ‌୍‍ ହେଇ ଶେଷରେ ନିସ୍ତେଜ ଓ ସଂଜ୍ଞାହୀନ ହେଇଯାଏ।

 

ଏସବୁ ଦାରୁଣ ଦୃଶ୍ୟ କ୍ୟାମେରା ଭିତରେ ଫଟୋହେଇ ରହିଯାଏ। ସେଇ ନିଶୂନ‌୍‍ ରାତିରେ ସଂଜ୍ଞାହୀନ ଦେହଟା ତା’ର ପ୍ରିୟ ପ୍ରଦେଶ, ଚିର ପରିଚିତ ଗାଁ, ଦୋ-ଦୋ-ଚିହ୍ନା ସହରବଜାର, ଆତ୍ମୀୟସ୍ୱଜନ ସମସ୍ତଙ୍କୁ ପଛକରି ଗାଡି଼ରେ ବୁହାହେଇ ଚାଲିଯାଏ କୋଉ ଅଜଣା, ଅପରିଚିତ ବିପଣୀକୁ। କୋଉ ସୋନାଗାଛି କି ଶନିବାରପେଠ‌୍‍ର ବଦନାମ ଗଳିର ବୀଭତ୍ସ କୋଠରୀକୁ।

 

ମଦନିଶାରେ ଅଟୋ ଭିତରେ ଆଖିବୁଜି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥାଏ ଅଟୋବାଲାଟି। ନିଜ ଅଜାଣତରେ ତା’ ଅନ୍ତରଟା କେମିତି ଦ୍ରବୀଭୂତ ହେଇଯାଏ।

 

ଆଜିକାଲି ତାକୁ ଆଉ ଘରଆଗରେ ଅଟୋ ଭିତରେ ଅପେକ୍ଷା କରିବାକୁ ପଡ଼ୁନାହିଁ। ସୁନ୍ଦରୀମାନଙ୍କୁ ଠିକଣା ଜାଗାରେ ଛାଡ଼ିଦେଇ ବେପାର ଛିଣ୍ଡେଇ, ଟଙ୍କା ପକେଟରେ ପୂରେଇ ସେ ଚାଲିଆସୁଚି ସହରର ଗୋଟାଏ ନିକାଞ୍ଚନ ଜାଗାକୁ। ପେଟେ ମଦପିଇ ସେଇ ଅଟୋ ଭିତରେ ରାତି କଟେଇ ଦଉଚି। ପୁଣି ସକାଳ ହେଲେ ମଦନିଶା କଟିଯାଇ ସବାର‌୍‍ ହଉଚି ସେଇ ଚିରାଚରିତ ନିଶା। ଅସହାୟା ସୁନ୍ଦରୀମାନଙ୍କୁ ତଲାସ‌୍‍ କରିବାର ନିଶା।

 

ଏବେ କିନ୍ତୁ ବହୁତ ଜଗିରଖି ଏସବୁ କାମ କରିବାକୁ ପଡ଼ୁଚି। କୋଉଠି ଟିକେ ଓଲମ‌୍‍ବିଲମ‌୍‍ ହେଇଗଲେ ସବୁ ଫସର ଫାଟିଯିବ। କେତକୀ ଯେମିତି ଏସବୁର ଟିକେ ବି ଟେର‌୍‍ ନପାଏ ସେଥିପ୍ରତି ନିଘା ଦବାକୁ ପଡ଼ୁଚି।

 

କେତକୀ ସାଂଗରେ ତା’ର ସଂସାର ମାତ୍ର ଦେଢ଼ବର୍ଷର। ଦେଖିବାକୁ ଭାରି ସୁନ୍ଦର। ଗୋଟିଏ ଚାଉଳରେ ଗଢ଼ା ଯେମିତି। କେତକୀ ଗାଁରେ ରହେ। ଦିହ ଖରାପ, ଡାକ୍ତର ଦେଖେଇବାର ବାହାନା କରି ସପ୍ତାହେ ହବ ଆସିଚି ତା’ ପାଖକୁ। ଗାଁକୁ ଯିବାର ନାଁଗନ୍ଧ ଜମା ଧରୁନି। ଜଲ‌୍‍ଦି ମା’ ହବା ପାଇଁ ତା’ର ପ୍ରବଳ ଇଚ୍ଛା। ସିଏ ଆସିବା ଦିନୁ ଅବଶ୍ୟ ବେପାର ଟିକେ ମାନ୍ଦା ପଡ଼ିଯାଇଛି।

 

କେତକୀ ଆସିବା ଆଗରୁ ତା’ ନିଜ ବଖୁରିକିଆ ଘରଟାରେ ଏସବୁ ଧନ୍ଦା ଚାଲୁଥିଲା। ଏବେ କିନ୍ତୁ ଭାରି ଅସୁବିଧା ହଉଚି। ବଗିଚା ଶେଷରେ ରଂଗଛଡ଼ା ଟିଣଘରେ ନେଇ ସେମାନଙ୍କୁ ରଖିବାକୁ ପଡୁଚି। ଅବଶ୍ୟ ଏସବୁ ଧନ୍ଦା ପାଇଁ ଜାଗାଟା ବେଶ‌୍‍ ଉପଯୋଗୀ ନହେଲେବି କାମ ଚଳିଯାଉଚି। ବିରାଟ ବଡ଼ ବଗିଚାଟା ଭିତରେ ଘର ବୋଲି ଏଇ ଦୁଇ ବଖରା। ଆଖପାଖରେ ଘରଦ୍ୱାର କିଛି ନାହିଁ। ନହେଲେ ଏସବୁ ଧନ୍ଦା ନିରାପଦରେ କରିବା ସମ୍ଭବ ହୁଅନ୍ତାନି।

 

ଯେତେ ଶୀଘ୍ର ହଉ କେତକୀକୁ ଏଠୁ ବିଦା କରିବାକୁ ପଡ଼ିବ। ମଫସଲି ଝିଅ ହେଲେବି କେତକୀ ପାଖରେ ସହରର ନାମୀଦାମୀ ସୁନ୍ଦରୀମାନେ ହାର‌୍‍ ମାନିଯିବେ। ତା’ର ଡଉଲଡାଉଲ ଦେହ, ଗୋରା ତକତକ‌୍‍ ଚେହେରା, ମେଘୁଆ ମେଘୁଆ ଆଖି, ଲୋଭନୀୟ ଯୌବନ ଥରେ ନଜରରେ ପଡ଼ିଲେ ଯେକେହି ପାଗଳ ହେଇଯିବ। ସେକଥା ବେଶ‌୍‍ ଠଉରେଇ ପାରିଚି ସେ।

 

ଝିଅମାନଙ୍କୁ ନେଇ ବେପାର କରେ ସତ, ହେଲେ କେବେ କୋଉ ଝିଅ କି ବୋହୂର ଦେହ ସୁଦ୍ଧା ସ୍ପର୍ଶ କରିନି ସେ। ଗୋଟାଏ ନିଶାଗ୍ରସ୍ତ ପରି କେବଳ ସେ ସେମାନଙ୍କୁ ସେଇ ନିଷ୍ଠୁର ଜହ୍ଲାଦମାନଙ୍କ ହାତରେ ଟେକିଦେଇଚି। ବେଳେବେଳେ ଠିକ‌୍‍ କରିଚି ଆଉ ଏ ଧନ୍ଦା କରିବନି, ଏ ଘୃଣ୍ୟକାମ ଛାଡ଼ିଦେଇ ଗାଁକୁ ଚାଲିଯିବ, କେତକୀକୁ ନେଇ ବଞ୍ଚିବାର ଆଉଗୋଟେ ଉପାୟ ଖୋଜିବ। ଅଥଚ ଅଟୋ ଉପରେ ବସି ଷ୍ଟାର୍ଟ ମାରିଦେଲା ପରେ ତା’ର ସବୁ ସିଦ୍ଧାନ୍ତ ଓଲଟପାଲଟ ହେଇଯାଏ। ମୁଣ୍ଡରେ ପୁଣି ସବାର‌୍‍ ହୋଇଯାଏ ସେଇ ଭୂତ। ଆଖିରେ ଚହଟି ଉଠେ ନିତିଦିନର ନିରୀହା ଚଢ଼େଇମାନଙ୍କୁ ବାଟବଣା କରେଇବାର ନିଷ୍ଠୁର ନିଶା।

 

ଆଜି ସକାଳୁ ସକାଳୁ କାହିଁକି କେଜାଣି ମନଟା ଜମା ଭଲ ଲାଗୁନି। ବହୁତ ବୁଝାଶୁଝା କଲାପରେ କେତକୀ ରାଜି ହେଇଚି ଗାଁକୁ ଫେରିଯିବାକୁ । ଆଉ ଦି’ତିନି ଦିନ ରହି କିଛି କିଣାକିଣି କରି ସେ ଚାଳିଯିବ। କେତକୀର ଉପସ୍ଥିତିରେ ଏସବୁ କାରବାର ଚଳେଇବା ଯେ କେତେ କଷ୍ଟ ସେକଥା ସେ ଭଲ ଭାବରେ ଜାଣେ। ତେଣୁ କେତକୀ ଚାଲିଯିବାରେ ସେ ଖୁସିହେବା କଥା। ଅଥଚ ଯେତେ ଚେଷ୍ଟା କଲେବି ସେ ଖୁସି ହେଇପାରୁନି। ତା’ର କ’ଣ ଯେ ହେଇଚି ସେ କିଛି ବୁଝିପାରୁନି।

 

କେତକୀ କଥା କାହିଁକି ଆଜି ବେଶି ମନେପଡ଼ୁଚି ତା’ର।

 

ଆଜି ଦିନଟା ବି କେମିତି ନିଷ୍ଫଳା ନିଷ୍ଫଳା ଲାଗୁଚି। ସହରଯାକ ଚକ୍କର କାଟିକାଟି ହାତ ଦରଜ କଲାଣି, ଆଖିରେ ଧୂଳି ବହଳ ହେଲାଣି ଅଥଚ ଗୋଟାଏ ହେଲେ ମାଲ‌୍‍ ତା’ ହାବୁଡ଼ରେ ପଡ଼ିଲେନି। ଆଜି ଅନ୍ତତଃପକ୍ଷେ ଗୋଟାଏ ଭଲ ମାଲ‌୍‍ ତା’ର ନିହାତି ଲୋଡ଼ା। କେତକୀ ପାଇଁ କିଛି ଦାମୀ ଶାଢ଼ି, ବେକକୁ ସୁନ୍ଦର ହାରଟାଏ କିଣିବାକୁ ହବ। ବାପାର ଔଷଧ ପାଇଁ କିଛି ଟଙ୍କା ବି ପଠେଇବାକୁ ପଡ଼ିବ।

 

ସଂଜ ହବାକୁ ଆଉ ଅଳ୍ପ ବାକି ଅଛି। ରାସ୍ତାଘାଟ ଧୂଆଁଳିଆ ଦେଖାଗଲାଣି। ସତରେ କ’ଣ ଆଜି ଖାଲି ହାତରେ ଫେରିବାକୁ ପଡ଼ିବ ? ମନ ଜମାରୁ ଭଲ ଲାଗୁନି। ଆଉ ଚକ୍କର କାଟି କିଛି ଲାଭ ନାହିଁ।

 

ଅଟୋବାଲାଟି ରାସ୍ତାକଡ଼ର ଗୋଟେ ନିରୋଳା ଜାଗାରେ ଗଛମୂଳରେ ଅଟୋ ରଖି ଷ୍ଟିଅରିଂ ଉପରେ ମୁହଁ ଲଦି ଗୋଟାଏ ଦୀର୍ଘନିଃଶ୍ୱାସ ପକେଇଲା। ଆଖିପତାରେ ଅସହ୍ୟ ଯନ୍ତ୍ରଣା। ମୁହଁ ସଂଜର ମେଞ୍ଚାଏ ହେମାଳ ପବନ ତା’ ଦେହରେ ପିଟିହେଇ ଚାଲିଗଲା। କ୍ଲାନ୍ତ ଦେହ ଆଉ ଅବସନ୍ନ ମନ ଆହୁରି ନିସ୍ତେଜ ହେଇଗଲା। ସେଇଠି ସେମିତି ତାକୁ ଛାଇନିଦ ଲାଗିଗଲା।

 

ହଠାତ‌୍‍ ଗୋଟାଏ କୋମଳ କଣ୍ଠସ୍ୱର ତା’ କାନରେ ଯେମିତି ବାରମ୍ୱାର ଆସି ବାଜୁଥିବାର ସେ ଅନୁଭବ କଲା। ଝାଡ଼ିଝୁଡ଼ି ହେଇ, ଆଖିମଳି ଉଠିଲା। ଆଖି ସାମ୍ନାରେ ଯାହା ଦେଖିଲା, ନିହାତି ସ୍ୱପ୍ନ ପରି ଲାଗିଲା ତାକୁ। ସେ ଏ କ’ଣ ଦେଖୁଚି... ଇଏ ତ ଗୋଟା ତମାମ‌୍‍ କେତକୀ। କେତକୀ ସତରେ କ’ଣ... ଭଲକରି ମୁଣ୍ଡଠୁ ପାଦଯାଏ ପରଖିନେଲା। ସେଇ ଓଠ, ସେଇ ନାକ, ଭସା ମେଘପରି ଆଖି, ଅବିକଳ କେତକୀ ପରି।

 

ଚେହେରାରେ ଯେ ଏତେ ସମାନତା ଥାଏ ତା’କୁ ଜମା ବିଶ୍ୱାସ ହଉନଥିଲା।

 

ଆଉଥରେ ଭଲକରି ଦେଖିଲା ସ୍ତ୍ରୀଲୋକଟାକୁ। ଦେଖିବାକୁ କେତକୀ ପରି ସତ, ହେଲେ ତା’ର ବ୍ୟସ୍ତତାରୁ, ତା’ର ଚେହେରାରୁ, ତା’ ପାଦରୁ ଶଶୁରଘରୁ ଲୁଚି ଚାଲିଆସିବାର ଗନ୍ଧ ସ୍ପଷ୍ଟ ବାରିହେଇ ପଡ଼ୁଚି।

 

ଅଟୋବାଲାଟି ଏଥର ଟିକେ ଝାଡ଼ିଝୁଡ଼ି ହେଇ ସଳଖି ବସିଲା। ଆଉଥରେ ଭଲକରି ପରୀକ୍ଷା କରିନେଲା। ଦିନଯାକର କ୍ଲାନ୍ତି କଟିଯାଇ ମନ ଖୁସିରେ ନାଚିଉଠିଲା। ନବବଧୂଟି ସାଙ୍ଗରେ ସେ ଅତି ଆପଣାର ଲୋକପରି ଭାବ ଜମେଇ ବିଶ୍ୱାସ ବୁଣିବାରେ ଲାଗିପଡ଼ିଲା।

 

ସ୍ତ୍ରୀଲୋକଟି ଢେର‌୍‍ ବ୍ୟସ୍ତ ଏବଂ ବିବ୍ରତ ଜଣାପଡ଼ୁଥାଏ। ପ୍ରତିଟି କଥାରେ ଭରି ରହିଥାଏ ଭୟମିଶା ଉଦ‌୍‍ବେଗ।

 

ଦୁର୍ଦ୍ଦିନରେ ପାଖରେ ଆପଣାର ପରି ଲୋକଟିଏ ପାଇଗଲେ ରୁଦ୍ଧ ଆବେଗ ଯେମିତି ବନ୍ଧବାଡ଼ ଭାଙ୍ଗିପକାଏ, ନବବଧୂଟି ଅଟୋବାଲାକୁ ଆପଣାର ମନେକରି ଗୋଟିଗୋଟି କରି ତା’ର ଦୁଃଖ କାହାଣୀତକ କହିପକେଇଲା। କୋଉ ସୁଦୂର ମୟୁରଭଞ୍ଜରୁ ମୁହଁ ଅନ୍ଧାରରୁ ଗାଡ଼ି ଚଢ଼ିଚି। ବାପଘର ମଧୁପୁର। ତା’ର ଧାରଣା ମଧୁପୁର ବୋଧହୁଏ ଏଇ କୋଉ ପାଖରେ। ନିହାତି ନୀରିହା, ଅସହାୟା ନବବଧୂଟି ବିକଳ ହେଇ କହୁଥାଏ - ଅନ୍ଧାର ହବା ଆଗରୁ ମତେ ଟିକେ ମୋ ଗାଁରେ ନେଇ ପହେଞ୍ଚଇଦିଅ, ତମର ଧର୍ମ ହବ। ତମ ଉପକାର ମୁଁ ଜୀବନରେ ଭୁଲିପାରିବିନି।

 

କଥାପଦକ ଶୁଣି ବେଶ‌୍‍ ହସ ଲାଗିଲା ଅଟୋବାଲାକୁ। ଏମିତିକା କଥା ପ୍ରାୟ ସେ ଶୁଣିଥାଏ ସମସ୍ତଙ୍କଠାରୁ। ସେ ତାକୁ ଏମିତି ଗୋଟେ ରାସ୍ତାରେ ନେଇ ପହେଞ୍ଛଇଦବ ଯେ, ଏ ଜୀବନରେ କାହିଁକି ସାତଜନ୍ମ ପର୍ଯ୍ୟନ୍ତ ବି ତା’ ଉପକାର ଭୁଲିବା ସମ୍ଭବ ହବନି।

 

କଥାରେ ଜାଦୁ, ହସରେ ଆତ୍ମୀୟତା, ଅଚିହ୍ନା ଲୋକକୁ ଅଳ୍ପ ସମୟରେ ଆପଣାର କରିନେବାର କଳାରେ ବେଶ‌୍‍ ଧୂରନ୍ଧର ସେ। ଏମିତି କେତେକେତେ ଅଝଟ ଝିଅଙ୍କୁ କଥାପଦକରେ ବାଟକୁ ନଆଣିଚି ସେ !

 

ସରଳ ମଫସଲି ବୋହୂଟି କାହିଁ କେତେଦୂର ଗାଁର ଦୂରତ୍ୱ ନଜାଣି, ଅନ୍ଧାର ଆଗରୁ ଘରେ ପହଞ୍ଚିଯିବାର ଆଶା ନେଇ ଅଟୋରେ ବସିଲା। ରାଜଧାନୀର ରାସ୍ତାରେ ଆସନ୍ନ ସନ୍ଧ୍ୟାର ଧୂଆଁ ଏବଂ ଧୂଳିର ଲୁଚକାଳି ଖେଳଭିତରେ ଆଗକୁ ଆଗକୁ ମାଡ଼ିଚାଲିଥିଲା ଅଟୋରିକ୍ସା।

 

ବିଭିନ୍ନ ଗଳି ଉପଗଳିମାନଙ୍କରେ ସାଇଁ ସାଇଁ ଚକ୍କର କାଟୁକାଟୁ ରାଜଧାନୀକୁ ଅନ୍ଧାର ଗ୍ରାସିଗଲା ଏବଂ ପୁଣି କ୍ଷଣିକରେ ବିଭିନ୍ନବର୍ଣ୍ଣର ଆଲୋକମାଳାରେ ରାସ୍ତାଘାଟ ଝଲସି ଉଠିଲା।

 

ଜନଗହଳି ନଥିବା ନିଛାଟିଆ ରାସ୍ତାକଡ଼ର ଗୋଟେ ନୁଆଁଣିଆ ଜଳଖିଆ ଦୋକାନ ପାଖରେ ଅଟୋଟି ଅଟକିଲା। ଅଟୋବାଲା ଦୋକାନ ଭିତରକୁ ଯାଇ କାହା ସାଙ୍ଗରେ କ’ଣ ସବୁ କଥାବାର୍ତ୍ତା ହେଲା। ଯେତେବେଳେ ଦୋକାନ ବାହାରକୁ ଆସିଲା, ତା’ ସାଙ୍ଗରେ ଥିଲେ ଦୁଇଜଣ ଲୋକ। ଦେଖିବାକୁ ନିହାତି କର୍କଶ, ନିଷ୍ଠୁର ଚେହେରାର। ଅଟୋବାଲାକୁ କହୁଥିଲେ - ଏତେ ଦିନକେ ଜାଣ ଗୋଟ ସଲିଡ‌୍‍ ମାଲ‌୍‍ ତୋ ଜାଲରେ ଫସିଚି। ୟା ପାଇଁ ପୂରା ଦଶହଜାର ଥୁଆ। ଯା’, ଜାଗାରେ ପହେଞ୍ଚଇ ଦେ। ଆମେ ଠିକ‌୍‍ ସମୟରେ ଯାଇ ପହଞ୍ଚିଯିବୁ।

 

ସ୍ତ୍ରୀଲୋକଟି ପାଖକୁ ଆସି ବ୍ୟସ୍ତତା ପ୍ରକାଶ କରି ଅଟୋବାଲା କହିଲା, ଆଜି ଆଉ ମଧୁପୁର ଯିବା ସମ୍ଭବ ହବନି। ରାସ୍ତାରେ କ’ଣ ଭାରି ଗୋଟେ ଗଣ୍ଡଗୋଳ ହେଇଚି। ଗାଡ଼ିମଟର ସବୁ ରାସ୍ତାରେ ଅଟକି ରହିଚି। କେତେବେଳେ ଯେ ରାସ୍ତା ସଫା ହବ, ଗାଡ଼ିମଟର ଚାଲିବ କିଏ ଜାଣେ। ଆଜିକାଲି ରାସ୍ତାଘାଟ ଉପରେ କ’ଣ କିଛି ଭରସା ଅଛି।

 

ବୋହୂଟି ଯେମିତି ହଠାତ‌୍‍ ହତାଶାରେ ଭାଙ୍ଗିପଡ଼ିଲା। ସେ କ’ଣ ତାହେଲେ ସତରେ ଗାଁରେ ପହଞ୍ଚିପାରିବନି ? ଗୋଟେ ଅଚିହ୍ନା ସହରରେ କେମିତି ବିତେଇବ ରାତି ? କିଏ ଦବ ତାକୁ ଆଶ୍ରୟ ? ଆଉ ଆଗକୁ ଭାବି ପାରିଲାନି। ତାକୁ ଚାରିଆଡ଼ ଅନ୍ଧାର ଦେଖାଗଲା।

 

ବୋହୂଟିର ମନର ଅବସ୍ଥା ଭଲଭାବେ ଜଣାଥିଲା ଅଟୋବାଲାକୁ। ଏ କିଛି ନୂଆକଥା ନୁହେଁ। ସମସ୍ତଙ୍କୁ ଏମିତି ହତାଶ କରେଇ ପରେ ଅଯାଚିତ ଆଶ୍ରୟଦାତାର ଭୂମିକା ନିଭେଇବା ତାକୁ ବେଶ‌୍‍ ଜଣା।

 

ବୋହୂଟିକୁ ଆଶ୍ୱାସନା ଦେଇ ସେ କହିଲା - ତମେ ଜମା ବ୍ୟସ୍ତ ହୁଅନି। ଆମେ ମାମୁ-ମାଇଁ ଦି’ ପ୍ରାଣୀ। ପାଖକୁ ଲାଗି ବଖୁରିଆ ଘରଟାଏ ବି ଠାକୁରଙ୍କ ଦୟାରୁ ଅଛି। କିଛି ଅସୁବିଧା ହବନି। ରାତିକ ଯେନେକେନେ କଟେଇଦେଲେ ସକାଳେ ନେଇ ଘରେ ହାଜର କରେଇଦେବି। ମୋ ସ୍ତ୍ରୀଟାବି ଦେଖିବାକୁ ଠିକ‌୍‍ ତମରି ପରି। ଦେଖିଲେ ଭାରି ଖୁସି ହବ ଯେ। ୟାଡ଼ୁ ସାଡ଼ୁ ଭାବି ମନ ଖରାପ କରନି।

 

ସେ ଭଲଭାବେ ଜାଣିଚି ଠିକ‌୍‍ ବେଳରେ ସଲିଡ‌୍‍ ଚୋଟ କେମିତି କାମ କରେ।

 

କଥା କହିବାକୁ ସୁଯୋଗ ନଦେଇ ଚଟାପଟ‌୍‍ ଅଟୋ ଷ୍ଟାର୍ଟକରି ଆଗକୁ ଚାଲିଲା ସେ।

 

ତା’ର ମନେ ପଡ଼ିଲା, କଥା ନହସରେ ସେ ନକହିବା କଥାଟା ବି କହିପକେଇଚି। କେତକୀ କଥା କହିବା କିଛି ଦରକାର ନଥିଲା। ଆଗରୁ ଯାହାକୁ ଆଣିଚି ସିଧା ନେଇ ଖାଲି ଘରଟାରେ ରଖିଚି। କେତକୀର ଠିକଣା କାହାକୁ ଦେଇନି। ଏତେବଡ଼ ଭୁଲ‌୍‍ଟା କେମିତି ହେଇଗଲା କିଛି ବୁଝିପାରୁ ନଥିଲା ସେ।

 

ଘରେ ପାଦ ଦଉଦଉ କେତକୀକୁ ଦେଖି ସେ ଚମକି ପଡ଼ିଲା। କି ସୁନ୍ଦର ଭାବେ ସଜେଇ ହେଇଚି କେତକୀ ! ଦେଖିଲେ ତା’ ଉପରୁ ଆଖି ଜମା ହଟୁନାହିଁ।

 

ସଜେଇ ହବାର କାରଣ ତା’ର ଏଥର ମନେପଡ଼ିଲା। ସକାଳେ ଗଲାବେଳେ କେତକୀକୁ କହିଥିଲା, ସଂଜରେ ଫେରିଲେ ବଜାର ଆଡେ଼ ବୁଲେଇ ନେଇଯିବ ବୋଲି। ସେଥିପାଇଁ କେତକୀର ଏମିତି କମନୀୟ ସାନ୍ଧ୍ୟ ଅଭିସାର।

 

ଖୁବ‌୍‍ ବ୍ୟସ୍ତ ଥିବାପରି କହିଲା ସେ, ଦେଖ ଆମ ଘରକୁ ଜଣେ ନୂଆ କୁଣିଆ ଆସିଚି। ଭାରି ଅସୁବିଧାରେ ପଡ଼ିଯାଇଚି ବିଚାରୀ। ତା’ ବାପଘର ଗାଁ ଏଠୁ ଅନେକ ବାଟ। ରାତିଟାରେ ଗୋଟେ ସ୍ତ୍ରୀଲୋକକୁ ଧରି ଏତେବାଟ ଯିବା ଠିକ‌୍‍ ହବନି। ତା’ର ବି ଏ ସହରରେ ଆପଣାର ବୋଲି କେହି ନାହିଁ। ଭାବିଲି ରାତିକ ଆମ ପାଖରେ ରହିଯାଉ। ସକାଳୁ ନେଇ ତା’ ଗାଁରେ ଛାଡ଼ିଦେଇ ଆସିବି।

 

କେତକୀ ସହଜରେ ଗାଉଁଲି ଝିଅ। ସରଳ ସ୍ୱଭାବର। ଛନ୍ଦ, କପଟ, ସନ୍ଦେହ, ଅବିଶ୍ୱାସ ଏସବୁଠୁ ବହୁ ଦୂରରେ। ହସହସ ମୁହଁରେ ଅଟୋ ପାଖକୁ ଯାଇ ସ୍ତ୍ରୀଲୋକଟିକୁ ହାତଧରି ଘରକୁ ନେଇଆସିଲା। ସତ କହିଲେ ସେ ନିଜକୁ ଖୁବ‌୍‍ ଏକୁଟିଆ ଅନୁଭବ କରୁଥିଲା। ଘରଟା ଭିତରେ ଦିନଯାକ ପଡ଼ି ପଡ଼ି ଛଟପଟ ହବା ଛଡ଼ା ଅନ୍ୟ ବାଟ ନଥିଲା। ଜଣେ ସମବୟସୀ, ନିରୀହା ଗାଉଁଲି ସ୍ତ୍ରୀଲୋକକୁ ଦେଖି ଭିତରେ ଭିତରେ ସେ ବହୁତ ଖୁସି ହେଇଯାଇଥିଲା। ଅନ୍ତତଃ ଆଜି ଢେର‌୍‍ ରାତିଯାଏ ବସି ସୁଖଦୁଃଖ ଟିକେ ହେଇହବତ।

 

ଅଟୋବାଲାଟି କାହିଁକି କେଜାଣି ଟିକେ ବିବ୍ରତ ଜଣାପଡ଼ୁଥିଲା। ଭଲରେ ଭଲରେ କେମିତି କାମ ସରିଯାଉ ସେଇ ଚିନ୍ତା ତାକୁ ବ୍ୟସ୍ତ କରୁଥିଲା। କେତକୀକୁ ବାହାରକୁ ଡାକି, ବୁଝେଇବା ଭଙ୍ଗୀରେ କହିଲା, ମୋର ଗୋଟେ ଭଡ଼ା ଅଛି। ଭାରି ଅର୍ଜେଣ୍ଟ। ନଗଲେ ନହବ। ତୁ ଗୋଟେ କାମ କରିବୁ। ସ୍ତ୍ରୀଲୋକଟି ଦିନଯାକ ବହୁତ କଷ୍ଟରେ ବିତେଇଚି। ଜଲ‌୍‍ଦି ଖିଆପିଆ ସାରିଦବ। ଆଉ ହଁ, ତା’ ପାଇଁ ସେପଟ ଘରଟାରେ ଶୋଇବା ବ୍ୟବସ୍ଥା କରିଦବୁ। ତୁ ଭିତରୁ କବାଟ କିଳି ଶୋଇବୁ। ଯେତେ ଶୀଘ୍ର ହବ ମୁଁ ଫେରିଆସିବି।

 

ସେ ଭଲଭାବରେ ଜାଣିଥିଲା ରାତିରେ କେବେବି ସେ ଆସିବନି, ଆସିପାରିବନି। ଧନ୍ଦା ନସରିବା ଯାଏ, ମାଲ‌୍‍ ପୁରା ଦଫାରଫା ନହେଲା ଯାଏ ତାକୁ ୟେ ଖଣ୍ଡମଣ୍ଡଳରେ ଖୋଜିଲେ ପାଇବା ବି କଷ୍ଟ। ଅସଲ କଥା ହେଲା, ଏସବୁ ନିଷ୍ଠୁର ଦୃଶ୍ୟ ଦେଖିବା ତା’ ପକ୍ଷେ ଆଦୌ ସମ୍ଭବ ନୁହେଁ। ସେଇଥିପାଇଁ ଧନ୍ଦାବେପାର ରାତିଟା ସେ ପେଟେ ମଦପିଇ ଅଟୋଭିତରେ ବେହୋସ‌୍‍ ହେଇ କଟେଇଦିଏ।

 

ଆଜି କାହିଁକି କେଜାଣି କେତକୀକୁ ଛାଡ଼ି ଯିବାକୁ ତା’ର ଜମା ମନ କହୁନଥିଲା। କ’ଣ ପାଇଁ ସେ ଭିତରେ ଭିତରେ ଏତେ ଦୁର୍ବଳ ହେଇପଡୁିଥିଲା ତା’ର ଟେର‌୍‍ ବି ପାଉନଥିଲା। ଦଲାଲ‌୍‍ ସାଙ୍ଗରେ ମୂଲଚାଲ ଛିଣ୍ଡେଇ, ମାଲ‌୍‍ ଘରେ ପହେଞ୍ଚଇଦେଇ ସେ ଏକମୁହାଁ ବାଟଧରେ। ପଛକୁ ଥରୁଟେ ଫେରିବି ଚାହେଁନାହିଁ। କିନ୍ତୁ ଆଜି କାହିଁକି ସବୁକିଛି ଗୋଳମାଳିଆ ଧରୁଚି। କେତକୀ କଥା ବେଶି ମନେପଡ଼ୁଚି। ତାକୁ ଛାଡ଼ି ଯିବାକୁ ଜମା ମନ କହୁନି।

 

କେତେବେଳେ କେତକୀର ମୁହଁ ତ କେତେବେଳେ ସେଇ ସ୍ତ୍ରୀଲୋକଟିର ମୁହଁ ତାକୁ ଆଚ୍ଛନ୍ନ କରି ରଖୁଚି।

 

ସ୍ତ୍ରୀଲୋକଟାର ମୁହଁରେ କେଜାଣି କ’ଣ ଯାଦୁ ରହିଚି, ଯେତେ ଚେଷ୍ଟା କଲେବି ମନରୁ ଦୂରେଇ ଦେଇ ହଉନାହିଁ। କାହିଁକି ସେ ସ୍ତ୍ରୀଲୋକଟାର ମୁହଁ କେତକୀ ସାଂଗରେ ମିଶୁଥିଲା କେଜାଣି ....।

 

ପାଖ ଗୀର୍ଜାରେ ଗଣିଗଣି ବାରଥର ଘଣ୍ଟା ବାଜିଲା। ସେଇ ଘଣ୍ଟାଶବ୍ଦ ସାଙ୍ଗରେ ତା’ ଛାତିରେ ମଦନିଶାର ତାତି ଯେମିତି ବଢ଼ିବାକୁ ଲାଗିଲା। ସେଇ ତାତି ସାଙ୍ଗରେ ସ୍ତ୍ରୀଲୋକଟାର କରୁଣ ଯନ୍ତ୍ରଣା, ଦି’ଦିଟା ନିଷ୍ଠୁର ମଣିଷଙ୍କର ନିର୍ମମ ଅତ୍ୟାଚାର ଆଜି କାଇଁକି ତାକୁ ବେଶୀ କଷ୍ଟ ଦଉଥିଲା। ଆଉ ଅଧଘଣ୍ଟେ କି ଘଣ୍ଟାଏ ପରେ ସ୍ତ୍ରୀଲୋକଟାର ଜୀବନ ଗୋଟେ ନର୍କ ଆଡ଼କୁ ଆଗେଇ ଯିବ। ସକାଳୁ ସକାଳୁ ନିଜ ବାପଘର ଗାଁ ମାଟିରେ ପାଦ ପକେଇବାକୁ ବ୍ୟଗ୍ର ଅପେକ୍ଷା କରିଥିବା ସ୍ତ୍ରୀଲୋକଟି ସବୁଦିନ ପାଇଁ ନିଜ ଅଜାଣତରେ ଆପଣାର ପ୍ରିୟପରିଜନ, ପ୍ରିୟ ପ୍ରଦେଶ, ନିଜର ଭାଷାଭୂଷଣ ସବୁକୁ ପଛରେ ପକେଇ ଆଗେଇ ଯାଇଥିବ ଗୋଟେ ଅବାଞ୍ଛିତ ଇଲାକା ଆଡ଼କୁ। ଗୋଟେ ବଦନାମ ଗଳିର ଗଳିତ ଗୁମୁଟି ଭିତରକୁ।

 

କାହିଁକି ଆଜି ଏସବୁ କଥା ତା’ ମନକୁ ଆସୁଚି ? କ’ଣ ସମ୍ପର୍କ ତା’ର ସେ ସ୍ତ୍ରୀଲୋକଟା ସାଙ୍ଗରେ ??

 

ରାତି ପାହିଲେ ପୁଣି ଝାଡ଼ିଝୁଡ଼ି ହେଇ ତାକୁ ବାହାରିବାକୁ ପଡ଼ିବ ଏମିତି ଆଉ ଗୋଟେ ତରୁଣୀର ତଲାସ‌୍‍ରେ। ଏମିତି କେତେ ମୁହଁ ଆସିବେ, ରାତିର କାଳିମାରେ କଳଂକିତ ହେଇ ବୁଢ଼ୀ ଅସୁରୁଣୀର ଫରୁଆ ଭିତରେ ସବୁଦିନ ପାଇଁ ବନ୍ଦୀ ହେଇଯିବେ। ତା’ର ହିସାବ ରଖିବାକୁ କେହିବି ନଥିବେ।

 

ଛାତି ଭିତରଟା ଯେମିତି ଜଳିପୋଡ଼ି ଯାଉଥିଲା। ଗୋଟେ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଇ ଅଟୋବାଲାଟି ସବୁକିଛି ଭୁଲିବାକୁ ଆପ୍ରାଣ ଉଦ୍ୟମ କରୁଥିଲା।

 

ରାତି ପାହିବା ଯାଏ ଅପେକ୍ଷା କରିବାକୁ ତା’ ପାଖରେ ଧୈର୍ଯ୍ୟ ନଥିଲା। କେତକୀ କଥା ତା’ର ଏବେ ଢେର‌୍‍ ମନେପଡ଼ୁଚି। ଘରେ ପହଞ୍ଚି ବାହାରୁ ବାହାରୁ କେତକୀକୁ ଡାକଦେଇ, ଗୋଟେ ମିଛ ଅଭିନୟ କରି ସ୍ତ୍ରୀଲୋକଟାକୁ ତା’ ଗାଁରେ ଛାଡ଼ି ଆସିବାର ବାହାନା କରିବାକୁ ପଡ଼ିବ। ଅନ୍ଧାରର ସାହାଯ୍ୟ ନେଇ ସେ କେବଳ କେତକୀ ଆଖିରେ ଧୂଳିଦେଇ ୟେ କାମ ହାସଲ କରିପାରିବ।

 

ଝାଡ଼ିଝୁଡ଼ି ହେଇ ଉଠିଲା ସେ। ମୁଣ୍ଡ ଚକ୍କର ଖାଉଚି। ନିଶା ଏଯାଏ ବି କମିନାହିଁ। ପାଦରେ ପ୍ରଚୁର ଯନ୍ତ୍ରଣା। ତଥାପି ତାକୁ ଯଥାଶୀଘ୍ର ଯିବାକୁ ହବ। ମିଛ ଅଭିନୟ ନିଭୂର୍ଲ ଭାବରେ ନିଭେଇବାକୁ ପଡ଼ିବ।

 

ନିଷ୍ପ୍ରଭ ତାରାଟିଏ ଆକାଶର ଗୋଟାଏ କଣରେ ଆଖି ମିଟିମିଟି କରୁଚି। ଚାରିଆଡେ଼ ଛାପିଛାପିକା ଅନ୍ଧାର। ରାସ୍ତାକଡ଼ର କୁକୁର ପରି କ୍ଳାନ୍ତ ରାତିଟା କେମିତି ଧକେଇ ଧକେଇ ସଳଖିହବାକୁ ଚେଷ୍ଟା କରୁଚି।

 

ସେଇ ଅନ୍ଧାର ଭିତରେ ଟଳିଟଳି ଅଟୋବାଲାଟି ଟିକେ ଅଟକିଲା। ବଖୁରିକିଆ ଆଜବେଷ୍ଟସ‌୍‍ ଘର ଆଡ଼କୁ ଚାହିଁଲା। ଯାଃ...ମାଲ‌୍‍ ରଫାଦଫା କେତେବେଳୁ ହେଇସାରିଥିବ। ରାତି ବାରଟା, ଗୋଟେ ଭିତରେ ସବୁ ସାଫ‌୍‍। ଆହା...ବିଚାରୀ ! ଗାଁରେ ପହଞ୍ଚିବାକୁ କେତେ ଆଶା କରିନଥିଲା ! ଛାଡ଼...ସେସବୁ ଭାବି ଲାଭ କ’ଣ। ଯେତେ ଭୁଲିବାକୁ ଚେଷ୍ଟାକଲେ ବି ମୁହଁଟା ବାରମ୍ୱାର ନାଚିଯାଉଚି। ଅବିକଳ କେତକୀଟା !

 

ବିଚାରୀ କେତକୀ ! ସରଳ ଗାଉଁଲି ଝିଅଟା ! ଏତେବଡ଼ କାଣ୍ଡର ଟେର‌୍‍ ସୁଦ୍ଧା ପାଇନଥିବ ସେ। କେବେ ପାଇବି ପାରିବନି। ରାତିସାରା ଫେରିବା ବାଟକୁ ଚାହିଁ ଚାହିଁ ଶୋଇପଡ଼ିଥିବ। ରାଗିଥିବ। ଦେଖିଲେ ମୁହଁ ଫୁଲେଇ କେତେକ’ଣ ସକସକ ହବ। ହଉ...ତା’ର ବା ଚାରା କ’ଣ। ଧନ୍ଦା କଥା...ଟିକେ ଏପଟସେପଟ ହେଲେ ଖେଳ ବିଗିଡ଼ିଯିବ।

 

ଆଜି କାଇଁକି ଭାରି ଇଚ୍ଛା ହଉଚି। ଦେହଟା ଭାରି କସମସ‌୍‍ ଲାଗୁଚି। ବଜାତ‌୍‍ ନିଶାଟା ଜମା ବୋଲମାନୁନି। ହଉ..କେତକୀକୁ ନିଦରୁ ଉଠେଇବ। ମୁହଁ ଫୋପାଡ଼ିବ, ଫୋପାଡ଼ୁ। ମନେଇବାକୁ କେତେ ସମୟ ଲାଗିବ ଯେ ! ଗାଉଁଲି ଝିଅ। ଭାରି ସରଳ। ଦି’ପଦ କଥାରେ ଯାହାକୁ ତାହା। ଗୋଟାପଣେ ଲୋଟିପଡ଼ିବ। ଆଜି କାଇଁକି ଭାରି ମନ ହଉଚି। ଦିନ ଦି’ଟା ରହି ଗାଁକୁ ଚାଲିଯିବ। ପୁଣି କେବେ ଦେଖା।

 

ଅନ୍ଧାରର ବହଳ କମୁଚି, ତା’ସାଙ୍ଗରେ ନିଶା ବି। ନିଶା ଉତୁରିବା ଆଗରୁ କେତକୀକୁ ମନେଇବାକୁ ହବ। ଯିବା ଆଗରୁ ବିଚାରୀ ମନଊଣା କଲେ ଭାରି ବାଧିବ ତାକୁ।

 

ଘର କବାଟକୁ ଠକ‌୍‍ଠକ‌୍‍ କଲା ସେ। କେତକୀର ନାଁ ଧରି ଡାକିଲା। କିଛି ଉତ୍ତର ନାହିଁ। ସବୁ ନିରବ। ନିଶ୍ଚୁପ‌୍‍। ପୁଣି ଜୋର‌୍‍ ବାଡେ଼ଇଲା, ବଡ଼ପାଟିରେ ନାଁ ଧରି ଡାକିଲା। ସୋର‌୍‍ଶବ୍ଦ କିଛିନାହିଁ। ଭାବିଲା ରାତିସାରା ଚାହିଁ ଚାହିଁ ଆଖି ଲାଗିଯାଇଥିବକି କ’ଣ। ହଉ...ପୁଣି କବାଟ ବାଡେ଼ଇଲା। ଚିତ୍କାର କଲା। ନାଃ...ଏମିତି ନିଘୋଡ଼ ନିଦରେ ଶୋଇବା ଝିଅତ ସେ ନୁହେଁ। ଖଡ‌୍‍କିନା ଶବ୍ଦରେ ତା’ ନିଦ ଭାଙ୍ଗିଯାଏ। ରାଗିଚି ବୋଧେ...ଅଭିମାନରେ ଖୋଲୁନି। ଏଥର କେତେ ନେହୁରା ହେଇ, ଭୁଲ‌୍‍ ମାଗି, ଆଉ କେବେ ଏମିତି ବହନି ବୋଲି ରାଣନିୟମ ଖାଇଲା। ବିକଳ ହେଇ କେତେକ’ଣ ନକହିବା କଥାବି କହିଲା। ହେଲେ କିଛି ଉତ୍ତର ନାହିଁ।

 

ଗୋଟେ ଅଜଣା ଆତଙ୍କରେ ଶିହରି ଉଠିଲା ତା’ ଦେହ। କେତକୀ କାହିଁକି କବାଟ ଖୋଲୁନି ? କ’ଣ ହେଇଚି କେତକୀର ?

 

ଏମିତି କେତେସମୟ ଯେ ସେ ଛଟପଟ ହେଇ ବିଧାଗୋଇଠା ନମାରିଚି କବାଟକୁ। ତା’ ଗୋଡ଼ହାତ ନିସ୍ତେଜ ହେଇଆସିଲା ବେଳକୁ ଯାଇ କବାଟ ଖୋଲିଲା। ଦେହରେ ଜୀବନ ପଶିଲା ଯେମିତି। ତା’ କଣ୍ଠ ବାଷ୍ପରୁଦ୍ଧ ହେଇଗଲା। ପାଟିରୁ ପଦୁଟେ ବି ବାହାରିଲାନି। ସେଇ ଅନ୍ଧାର ଭିତରେ ସେ କେତକୀକୁ ଜାବୋଡ଼ି ଧରିଲା। ଖୁବ‌୍‍ ଜୋର‌୍‍ ଭିଡ଼ି ଧରିଲା। ଟେକି ଟେକି ନେଇଗଲା ଖଟ ଉପରକୁ।

 

ମଦନିଶା ତଥାପି ଛାଡ଼ିନି। ଘର ଭିତରେ ନିବୁଜ ଅନ୍ଧାର। ଅଟୋବାଲାଟି ଅନୁଭବ କଲା, ଯେମିତି କେତକୀ ତା’ର ସମସ୍ତ ଶକ୍ତି ଲଗେଇ ତା’ ବାହୁବନ୍ଧନରୁ ମୁକୁଳିବାକୁ ଆପ୍ରାଣ ଉଦ୍ୟମ କରୁଚି। ତା’ ଛାତିରେ ବିଧାପରେ ବିଧା ମାରିଚାଲିଚି। ଛାଡ଼...ଛାଡ଼ ମତେ...ମଁୁ....ମଁୁ....

 

ଅଟୋବାଲାଟିର ପାଦତଳୁ ଯେମିତି ସେଇ ମୁହୂର୍ତ୍ତରେ ମାଟିତକ ଧସିବାକୁ ଆରମ୍ଭ କଲା। ବାହୁବନ୍ଧନ ଶିଥିଳ ହେବାକୁ ଲାଗିଲା। ଅଣ୍ଡାଳି ଅଣ୍ଡାଳି ସୁଇଚ‌୍‍ ଟିପିଲା ସେ। ତା’ ସାମ୍ନାରେ ଠିଆ ହେଇଥିଲା, ଭୟରେ ଜଡ଼ସଡ଼, ଆଲୁଳାୟିତ କେଶା ସେଇ ସ୍ତ୍ରୀଲୋକଟି, ଯିଏ ଦେଖିବାକୁ ଠିକ‌୍‍ କେତକୀ ପରି, ଯାହାର ସର୍ବନାଶ ରାତି ଶେଷହେବା ଆଗରୁ ସୁନିର୍ଦ୍ଧାରିତ ଥିଲା।

 

ସ୍ତ୍ରୀଲୋକଟି ମୁହଁ ଟେକି ଚାହିଁଲା ଅଟୋବାଲାକୁ। କାଲି ମୁହଁସଂଜ ବେଳର ସେଇ ଅନିନ୍ଦ୍ୟସୁନ୍ଦରୀ ସ୍ତ୍ରୀଲୋକଟାର ମୁହଁ କେମିତି ଶେତା, ମଳିନ ଦେଖାଯାଉଥିଲା। ଦେହରେ ଯେମିତି ଜୀବନ ନଥିଲା।

 

ୟେ ସ୍ତ୍ରୀଲୋକଟା ଯେ କେତକୀ ନୁହେଁ ହୃଦ‌୍‍ବୋଧ ହେଲାପରେ ତାକୁ ଚାରିଆଡ଼ ଅନ୍ଧାର ଦେଖାଗଲା। ଲାଗିଲା, ତା’ ସୁରକ୍ଷିତ ସାଂସାରିକତାର ଗୋପନ ଦୁର୍ଗଟା ଯେମିତି ଗୋଟେ ନିର୍ଘାତ ଭୂକଂପରେ ଫାଟି ଦି’ଫାଳ ହେଇଯାଉଚି ଏବଂ ସେ ସେଇ ଅନ୍ଧକାର ଗହ୍ୱର ଭିତରକୁ ଟାଣି ହେଇଯାଉଚି।

 

ଡିଭାଇନ‌୍‍ ନଗର, ଚାଉଳିଆଗଞ୍ଜ

କଟକ-୭୫୩୦୦୪

ମୋ. : ୯୪୩୭୦-୯୭୧୭୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top