ଅବକ୍ଷୟର ଦ୍ୱାର ଦେଶରେ ଭାରତ

News Story - Posted on 2017-09-09

ସୂର୍ଯ୍ୟମଣି ମିଶ୍ର

 

ଦେଶରେ ନାଗରିକଙ୍କ ବିଚାର ଉନ୍ନତ ଆଡ଼କୁ ଯେତିକି ଆଗକୁ ବଢ଼ିଛି, ସେତିକି ଅନ୍ଧିବିଶ୍ୱାସ କବଳରୁ ମୁକ୍ତି ପାଇନାହିଁ। ସରକାର ବିଜ୍ଞାନ ସମ୍ମତ ବିଚାରର ପ୍ରଚାର ଓ ପ୍ରୟୋଗ ଉପରେ ଯେଉଁ ଜାଗରଣ ସୃଷ୍ଟି କରିବା କଥା, ତାହା କରୁନାହାନ୍ତି। ଫଳରେ ଅନ୍ଧବିଶ୍ୱାସର ଅନ୍ଧଗଳିରେ ପଡ଼ି ବହୁ ସାଧାରଣ ନାଗରିକ ଶୋଷଣର ଶିକାର ହେଉଛନ୍ତି। ହତ୍ୟା ଓ ଆତ୍ମହତ୍ୟା ଭଳି ଦୃଶ୍ୟ ଦେଶରେ ଦେଖିବାକୁ ମିଳିଛି।

 

ଆଦିମ ମଣିଷ ନିକଟରେ ନଥିଲା ଜାତିବାଦ ଏବଂ ଧର୍ମାନ୍ଧତା। ସ୍ୱାଧୀନଭାବେ ସେ ବିଚରଣ କରୁଥିଲା, ଭାବର ଆଦାନପ୍ରଦାନ ବି କରୁଥିଲା। ହୁଏତ କେଉଁଟା ଠିକ୍ କେଉଁଟା ଭୁଲ‍୍‌, ତାହାକୁ ସେ ନିର୍ଣ୍ଣୟ କରିବାରେ ସମର୍ଥ ନଥିଲା। ଭାଷା ଓ ଶବ୍ଦର ବିକାଶ ତା’ ନିକଟରେ ଅପହଞ୍ଚ ଅବସ୍ଥାରେ ଥିଲା। ଆଗକୁ ବଢ଼ିବା ପାଇଁ ସେ ପାଇନଥିଲା ସୂତ୍ର। କ୍ରମଶଃ ସଭ୍ୟତା ଆଡ଼କୁ ଆଗକୁ ବଢ଼ିଲା। ସମୟକ୍ରମେ ସେ ସଭ୍ୟ ବୋଲି ନିଜିକୁ ନିଜେ ଜାଣିପାରିଲା। ଆହୁରି ଆହୁରି ଅଧିକ ଆଗକୁ ବଢ଼ିବା ପାଇଁ ସେ ଅନିସନ୍ଧିତ୍ସୁ ହେଲା, ସେ ନିଜ ବିଚାରର ସମୀକ୍ଷା ବା ତର୍ଜମା କରିବାକୁ ଲାଗିଲା। ଭାରତର ସଭ୍ୟତା ୪ ହଜାର ବର୍ଷର।

 

ଆଜି ମଣିଷ ସମାଜ ଉନ୍ନତର ଶିଖରରେ ପହଞ୍ଚିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ୨୦୧୭ରେ ଏକାବେଳକେ ୧୦୩ ଉପଗ୍ରହ ଉତେକ୍ଷପଣ କରିବାରେ ସଫଳ ହୋଇଛି। ଆଜି ସଭ୍ୟ ମଣିଷ ଚନ୍ଦ୍ର ପୃଷ୍ଠରେ ଜୀବସତ୍ତା ଥିବା ନେଇ ଗବେଷଣା କରି ଜାଣିପାରିଛି। କିନ୍ତୁ ଏକବିଂଶ ଶତାବ୍ଦିରେ ପାଦ ଥାପିଥିବା ମଣିଷ ପାଖରୁ ଆଦର୍ଶବାଦ ଏବଂ ବୈପ୍ଲବିକ ବିଚାର ଯେପରି ହଜିଯାଉଛି, ତାହା ଧୀରେ ଧୀରେ ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ଭାରତ ପରିପ୍ରେକ୍ଷୀରେ ଜାତିଆଣ ଭେଦଭାବ ଯାହା ବର୍ଣ୍ଣବିଚାର ଆଧାରିତ, ତାହା କ୍ରମଶଃ ଅଧିକ ଉଗ୍ର ହେବାରେ ଲାଗିଛି। ଏହା ଏକ ସଭ୍ୟ ସମାଜ ଭାବେ ପ୍ରତିକୂଳ ବାର୍ତ୍ତା ଦେଉଛି। ଏହିପରି ଆହୁରି ଯେଉଁ ଦେଶବିରୋଧୀ ଏବଂ ସଭ୍ୟତା ବିରୋଧୀ ଚିତ୍ରଟି ଅଧିକଭାବେ ଦେଖିବାକୁ ମିଳିଲାଣି, ତାହା ହେଲା ଧର୍ମାନ୍ଧତା, ଧର୍ମପ୍ରୀତି ଓ ଧର୍ମଭିତ୍ତିକ ରାଜନୀତି। ଏହି ଦୁଇଟି ପ୍ରସଙ୍ଗ ଭାରତକୁ ବିକଶିତ ଦେଶଭାବେ ଗଢ଼ି ତୋଳିବାରେ କେବଳ ବାଧକ ସାଜିନି, ଏକ ସଭ୍ୟ ଉନ୍ନତ ସମାଜ ଭାବେ ଦାବି କରିବାର ହକ୍କୁ ହରାଇଛି।

 

୧୯୬୦ ଦଶକର ଦ୍ୱିତୀୟାର୍ଦ୍ଧରେ ଯେଉଁ ଆଦର୍ଶବାଦ ତଥା ବୈପ୍ଳବିକ ବିଚାରର ଜାଗରଣ ଦେଖିବାକୁ ମିଳିଥିଲା, ତାହା ଆଜି ଦିନରେ ଅଦୃଶ୍ୟ। ସେ ସମୟରେ ବ୍ୟକ୍ତି ଜୀବନରେ ଆଦର୍ଶବାଦର ବିଚାର ବେଶ‍୍‌ ସ୍ପଷ୍ଟ ଓ ଶାଣିତ ଥିଲା। ସମାଜବାଦର ସ୍ୱର ତୀକ୍ଷ୍ଣ ଥିଲା। ଏହି ସମୟରେ ନକ୍ସଲବାଦ ଜନ୍ମ ନେଇଥିଲା। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ଚେ ଗୁଏଭାରା ଓ ମାଓଙ୍କ ଡାଏରୀ ତଥା ଲାଲ‍୍‌କିତାବ ପଢ଼ୁଥିଲେ। ମାଓଙ୍କ ଲାଲ‍୍‌ସଲାମ‍୍‌ ପ୍ରାୟ ଗବେଷଣାରତ ଛାତ୍ରମାନେ ଉଚ୍ଚାରଣ କରୁଥିଲେ। ଏହି ସମୟରେ ଫ୍ରାନ୍ସର ପ୍ୟାରିସ‍୍‌ ଜଳୁଥିଲା। ଛାତ୍ର ଆନ୍ଦୋଳନ ଭାରତରେ ଏକ କ୍ରାନ୍ତିର ବାର୍ତ୍ତା ଦେଉଥିଲା। ଛାତ୍ରଛାତ୍ରୀମାନେ ଦେଶରେ ଏକ ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ ପାଇଁ ଭଗତ ସିଂହଙ୍କ ବିଚାରକୁ ନେଇ ପରସ୍ପର ଚର୍ଚ୍ଚା କରୁଥିଲେ। ନିଜ କଥା କମ‍୍‌ ଥିଲା, ଦେଶର ଭବିଷ୍ୟତ ଚିନ୍ତା ଅଧିକ ଥିଲା। ପ୍ରଖ୍ୟାତ ଭାଷାବିଦ‍୍‌ ତଥା ୟୁନିଭରସିଟି ଅଫ୍ ଇଂଲିଶ‍୍‌ ଏଣ୍ଡ ଫରେନ‍୍‌ ଲାଙ୍ଗୁଏଜ୍‌, ହାଇଦ୍ରାବାଦର ପ୍ରତିଷ୍ଠାତା କୁଳପତି ଅଭୟ ମୌର୍ଯ୍ୟ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ୬୦ ଦଶକରେ ଥିବା ବୈପ୍ଳବିକ ଆଦର୍ଶବାଦକୁ ସ୍ମୃତିଚାରଣ କରି କହନ୍ତି, ଆଜି ଦିନର ଇଂରାଜୀ ଦୈନିକ ପାଓନିଅର‍୍‌ ସମ୍ୱାଦପତ୍ରର ସଂପାଦକ ତଥା ବିଜେପି ନେତା ଚନ୍ଦନ ମିତ୍ର ଜର୍ଜ ଫର୍ଣ୍ଣାଡିଜ୍‌ଙ୍କ ଜେ.ଏନ‍୍‌.ୟୁ. ଆଗମନ ଅବସରରେ ତାଙ୍କୁ କମ୍ରେଡ୍ ଲାଲ‍୍‌ସଲାମ‍୍‌ କହି ସ୍ୱାଗତ କରିଥିଲେ।

 

୧୯୭୫ରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହେଲା। ଏକଛତ୍ରବାଦ ଶାସନର ବିକଟାଳ ତାଣ୍ଡବ ଲୀଳା ଦେଖିବାକୁ ମିଳିଲା। ସଭା-ଶୋଭାଯାତ୍ରା, ତର୍କ-ବିତର୍କ ସବୁ ଉପରେ କଟକଣା ଜାରି ହେଲା। ଏହାର କିଛିଦିନ ପରେ ଜରୁରୀ ପରିସ୍ଥିତି ଅବସ୍ଥା ସୁଧୁରିଲା। ବିଶ୍ୱବିଦ୍ୟାଳୟରେ ପୁଣି ବୈଚାରିକ ଜୀବନସତ୍ତାର ଉନ୍ମେଷ ଘଟିଲା। ସୋଭିଏତ୍ ରୁଷର ପତନ ପରେ ପ୍ରଚାର ହେଲା ସାରା ବିଶ୍ୱରେ ସାମ୍ୟବାଦୀ ବିପ୍ଳବର ସ୍ୱପ୍ନ ଧ୍ୱଂସ ହୋଇଗଲା। ୧୯୮୦ରେ ସୋଭିଏତ୍ ସଂଘର ପେରେସ୍ତ୍ରୋୟିକା ଅର୍ଥାତ୍ ପୁନଃନିର୍ମାଣ ଆରମ୍ଭ ହେଲା। ୧୯୯୦ରେ ଏହି ପୁନଃନିର୍ମାଣର ଅନ୍ତିମ ଦୃଶ୍ୟ ଦେଖିବାକୁ ମିଳିଲା। ସାମ୍ୟବାଦୀ‌ ସରକାରର ପତନ ଘଟିଲା। ୧୯୮୪ରେ ଦିଲ୍ଲୀରେ ଶିଖ୍ ନରସଂହାର ଦୃଶ୍ୟ ଦେଖିବାକୁ ମିଳିଲା। କିନ୍ତୁ ଭାରତୀୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଆଦର୍ଶଗତ ବୈପ୍ଳବିକ ବିଚାରର ଶାଣିତ ସ୍ୱର ଅତୁଟ ଥିଲା।

 

୧୯୯୨ରେ ବାବ୍ରୀ ମସ‍୍‌ଜିଦ‍୍‌ ଭଙ୍ଗାଗଲା। ଏଇଠୁ ଆରମ୍ଭ ହେଲା ବିଶ୍ୱବିଦ୍ୟାଳୟରେ ସାଂପ୍ରଦାୟିକ ଶକ୍ତିଙ୍କ ପ୍ରବେଶ। ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦର୍ଶ ହ୍ରାସ ପାଇବାରେ ଲାଗିଲା। ଏହା ପରେ ପରେ ଦେଶରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାର ଉଦାରୀକରଣ ଓ ବଜାରୀକରଣ ଅର୍ଥ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ। ୧୯୯୬ରେ ଅଧ୍ୟାପକମାନେ ପଞ୍ଚମ ବେତନ ଆୟୋଗର ସୁପାରିଶ ଅନୁଯାୟୀ ଅଧିକ ବେତନ ପାଇଲେ। ଏଇଠୁ ସୃଷ୍ଟି ହେଲା ଅଧ୍ୟାପକଙ୍କ ମଧ୍ୟରେ ଉଚ୍ଚବର୍ଗୀୟ ଚରିତ୍ର। ଅଧିକ ସଂଖ୍ୟକ ଅଧ୍ୟାପକମାନେ ମାର୍କେଟ ମାନସିକତାର ଶିକାର ହେଲେ। ବିଂଶ ଶତାବ୍ଦୀରେ କମ୍ପ୍ୟୁଟର, ମୋବାଇଲ‍୍‌ ତଥା ସୂଚନା ପ୍ରଯୁକ୍ତିର ବିକାଶ ଘଟିଲା। ଏହା ପରେ ପରେ ଗୁଜୁରାଟରେ ନରସଂହାର ଘଟଣା ଘଟିଲା। ଦେଶବାସୀ ଦେଖିଲେ ଲହୁଲୁହାଣର କରୁଣ ଚିତ୍ର। ତଥାପି ଅଟକି ନଥିଲା ଆଦର୍ଶବାଦର ଜୟଜୟକାର। କିନ୍ତୁ ଉଦାରୀକରଣ ଅର୍ଥନୀତି କେବଳ ଅଧ୍ୟାପକଙ୍କ ନୁହେଁ, ବିଦ୍ୟାର୍ଥୀଙ୍କୁ ପେ-ପ୍ୟାକେଜ୍‌ ଆକର୍ଷଣ ମାଧ୍ୟମରେ ଆଦର୍ଶଠାରୁ ଦୂରେଇବାକୁ ସଫଳ ହେଲା। ଏବେ ନା ଅଧ୍ୟାପକ ନା ଛାତ୍ର, କେହି ସାହସିକ ପୁସ୍ତକ ପଢ଼ୁନାହାନ୍ତି। ରାଜନୈତିକ ବିଚାର ଉପରେ ସ୍ପଷ୍ଟ ଓ ଦୃଢ଼ ମତ ରଖିବାକୁ ଆଗକୁ ଆସୁନାହାନ୍ତି। ସାଧାରଣ ଏବଂ ଦେଶର ସମସ୍ୟା ଉପରେ ଚିନ୍ତା କରିବା ଗୌଣ ହୋଇଯାଇଛି। ଅଧିକାଂଶ ସମୟ ମୋବାଇଲ‍୍‌ର ଇଣ୍ଟରନେଟ‍୍‌ରେ ଅଧ୍ୟାପକ ଓ ଛାତ୍ରମାନେ ନିଜ ବିଚାରକୁ ଉପସ୍ଥାପନ କରିବାରେ ଅଟକିଯାଇଛନ୍ତି। ଫେସ‍୍‌ବୁକ୍, ଟ୍ୱିଟର‍୍‌ ଓ ହ୍ୱାଟସ‍୍‌ଅପ‍୍‌ରେ ବାଜେ ଟିପ‍୍‌ପଣୀ କରିବାରେ ସମୟ ବିତାଉଛନ୍ତି। ଯେପରି ଦେଖିବାକୁ ମିଳୁଛି ଅଧିକରୁ ଅଧିକ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଜାତି ଏବଂ ଧର୍ମାନ୍ଧତାରେ ଫସିଯାଇଛନ୍ତି। ଜାତି ଓ ଧର୍ମ ନାମରେ ହତ୍ୟାର ତାଣ୍ଡବ ଲୀଳା ଚାଲିଛି।

 

୬୦ ଦଶକର ସେହି ଶାଣିତ ଛାତ୍ର ଆନ୍ଦୋଳନ ଆଜିଦିନରେ ସଂଗଠିତ ହୋଇପାରୁନି, ବୌଦ୍ଧିକ ଚେତନାର ଜାଗରଣ ଓ ଏହି ଆଦର୍ଶବାଦର ଅସ୍ତ୍ର ପରିବେର୍ତ୍ତ ଛାତ୍ରଛାତ୍ରୀଙ୍କ ହାତରେ ଆଜି ଦେଖିବାକୁ ମିଳୁଛି ବନ୍ଧୁକ ବା ଛୁରୀ। ଏହିପରି ୨୦୦୬ରେ ଷଷ୍ଠ ବେତନ କମିଶନ ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକଙ୍କ ଉଚ୍ଚବର୍ଗୀୟ ଚରିତ୍ରକୁ ପୂର୍ଣ୍ଣତା ପ୍ରଦାନ କରିଛନ୍ତି। ଏହାଫଳରେ ୧୯୬୦-୭୦ ମଧ୍ୟରେ ଦେଶରେ ଦେଖିବାକୁ ମିଳିଥିବା ଆଦର୍ଶବାଦୀ ଅଧ୍ୟାପକଙ୍କ ସଂଖ୍ୟା ଉଚ୍ଚବର୍ଗର ମାନ୍ୟତା ପରେ ହ୍ରାସ ପାଇଛି। ଆଜି ବିଶ୍ୱବିଦ୍ୟାଳୟର ସାହିତ୍ୟରେ ଘୃଣା, ଇତିହାସ ପରିବର୍ତ୍ତନର ଉଦ୍ୟମ, ଭେଦଭାବ ସୃଷ୍ଟିକାରୀ ବିଷୟ ସ୍ଥାନ ପାଇବାକୁ ଯାଉଥିବା ବେଳେ ଅଧ୍ୟାପକ ଓ ଛାତ୍ରଙ୍କ ପକ୍ଷରୁ ମିଳିତ ସୁଦୃଢ଼ ବିରୋଧର ସୂଚନା ମିଳୁନି। ସବୁଠି ଏବେ ନିରାଶାର ବାତାବରଣ, ପ୍ରତିଦିନ ଦେଖିବାକୁ ମିଳୁଛି ରାଜନୀତିରେ ମୂଲ୍ୟବୋଧ ଅବକ୍ଷୟର ଚିତ୍ର। ଏହା ନୁହେଁ ଯେ ଅଧ୍ୟାପକ, ଛାତ୍ର ଏବଂ ରାଜନୀତିରେ ଆଦର୍ଶବାଦକୁ ପାଥେୟ କରିଥିବା ଲୋକ ନାହାନ୍ତି। ରାଜନୀତିରେ ଏବେ ବି ଭଲ ଲୋକ ଅଛନ୍ତି, ଆଦର୍ଶବାଦକୁ ନେଇ କାମ କରୁଛନ୍ତି। କିନ୍ତୁ ଏହି ଲୋକମାନେ ରାଜନୀତିର ମୁଖ୍ୟଧାରାରେ ନାହାନ୍ତି କହିଲେ ଭୁଲ‍୍‌ ହେବନାହିଁ। ଯେଉଁମାନେ ମୁଖ୍ୟଧାରାରେ ଅଛନ୍ତି, ଲୋକଙ୍କ ଧାରଣା ହେଉଛି ଯେ ଏମାନେ ସମସ୍ତେ ଭ୍ରଷ୍ଟ। ଶିକ୍ଷକ ଓ ଛାତ୍ର ସଂଗଠନ ବହୁଧା ବିଭକ୍ତ, ରାଜନୀତିରେ ଆଦର୍ଶବାଦକୁ ନେଇ କାର୍ଯ୍ୟରତ ଲୋକଙ୍କ ମଧ୍ୟରେ ଏକତା ନାହିଁ। ଫଳରେ ଦେଶରେ ଆଜି ଧର୍ମାନ୍ଧଙ୍କ ଉନ୍ମତ କାଣ୍ଡ (ଲହୁ ଓ ଲୁହ ସମ୍ୱଳିତ) ଦେଖିବାକୁ ମିଳୁଛି।

 

ଧର୍ମ ନାମରେ ଶୋଷଣ ସୀମା ଲଂଘିଲାଣି। ମଣିଷ ମଣିଷ ମଧ୍ୟରେ ଜାତି ଆଧାରରେ ଭେଦଭାବ ମଧ୍ୟ ଉଗ୍ର ରୂପ ଧାରଣ କରିଛି। ଆଦର୍ଶବାଦୀ ଲୋକଙ୍କ ପକ୍ଷରୁ ବିଶେଷତଃ ଅଧ୍ୟାପକ ଓ ଛାତ୍ରଙ୍କ ପକ୍ଷରୁ ଏହା ବିରୁଦ୍ଧରେ ଯେପରି ସଶକ୍ତ ସ୍ୱର ସୃଷ୍ଟି ହେବା କଥା, ତାହା ଏଯାବତ୍ ଦେଖିବାକୁ ମିଳିନି। ରାଜନୀତି ଭ୍ରଷ୍ଟାଚାର ବଳୟରେ ରହିଥିବା ବେଳେ କ୍ଷମତା ହାସଲ ପାଇଁ ଯେଉଁ ଶକ୍ତି ଜାତି ଓ ଧର୍ମକୁ ଆଧାର କରି ସମାଜରେ ବିଭେଦତାର ପାଚେରି ତିଆରି କରୁଛନ୍ତି, ସେମାନଙ୍କ ବିରୋଧରେ ଆଦର୍ଶବାଦୀ ଶିକ୍ଷକ, ଛାତ୍ର ଓ ରାଜନେତା ଏକାଠି ହେବାର ସମୟ ଆସିଛି। କିନ୍ତୁ ଏହି ଦେଶ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପାଳନ କରିବା ପାଇଁ ଯେଉଁ ଆଦର୍ଶବାଦର ଅଭ୍ୟୁଦୟ ଘଟିବା କଥା, ତାହା ଏଯାଏ ଦୃଶ୍ୟମାନ ହୋଇପାରିନି। ସ୍ୱୀକାର କରାଯାଇପାରେ ଯେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରୁ ଆଦର୍ଶବାଦର ଅବକ୍ଷୟ ଘଟିଥିବାରୁ ଦେଶର ସମସ୍ୟା ଧର୍ମ ଓ ଜାତି ଆଧାରରେ ଅଧିକ ଜଟିଳ ଓ ଅତିଜଟିଳ ହେବାରେ ଲାଗିଛି। ଏହି ସମୟରେ ବୈପ୍ଳବିକ ଆଦର୍ଶବାଦର ଉତ୍ତରଣ ଅବସ୍ୟମ୍ଭାବୀ ହୋଇପଡ଼ିଛି। ଆଜି ଦେଶର ଶିକ୍ଷାବିଦ‍୍‌, ଗବେଷକ ଏବଂ ଉଚ୍ଚତର ଶିକ୍ଷା ଗ୍ରହଣ କରୁଥିବା ଛାତ୍ରମାନେ ଦେଶକୁ ଏହି ଅବକ୍ଷୟରୁ ମୁକ୍ତି ଦେବା ପାଇଁ ଆଗକୁ ଆସିବାର ସମୟ ଆସିଛି। ଏହାହିଁ ହେବ ଦେଶ ପାଇଁ ସବୁଠୁ ବଡ଼ କର୍ତ୍ତବ୍ୟ।

               

ସାମ୍ୱାଦିକ, ଭୁବନେଶ୍ୱର

ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top