୪୦% ଡାକ୍ତର ପଦବୀ ଖାଲି

News Story - Posted on 2017-09-09

ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ପ୍ରାୟ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ଏହାଛଡ଼ା ମେଡ଼ିକାଲ, ଆୟୁର୍ବେଦିକ, ହୋମିଓପାଥିକ ଓ ଡେଣ୍ଟାଲ କଲେଜମାନଙ୍କରେ ବ୍ୟାପକ ସଂଖ୍ୟକ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ଅଛି। ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ମନ୍ତ୍ରୀ ଦେଇଥିବା ତଥ୍ୟରେ ଦର୍ଶାଇଛନ୍ତି ଯେ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ ମୋଟ୍ ୬୭୧୯ଟି ବିଭିନ୍ନ ପାହ୍ୟାର ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରେ ୪୦୩୨ ଜଣ ଡାକ୍ତର ଅଛନ୍ତି ଓ ୨୬୮ଂ୭ଟି ପଦବୀ ଖାଲି ପଡ଼ିଛି। ଖାଲି ପଡ଼ିଥିବା ଡାକ୍ତର ପଦବୀଗୁଡ଼ିକ ମଧ୍ୟରେ ପ୍ରଥମ ଶ୍ରେଣୀ ଜୁନିଅର୍ ବ୍ରାଞ୍ଚ ପାହ୍ଯାର ୧୨୧୬, ସିନିୟର୍ ବ୍ରାଞ୍ଚର ୬୨୪ ଓ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ୪୩୦ ପଦବୀ ଅନ୍ତର୍ଭୁକ୍ତ। ଏହାଛଡ଼ା ପ୍ରଥମ ଶ୍ରେଣୀ ସିଲେକ୍ସନ୍ ଗ୍ରେଡ୍ ପାହ୍ୟାରେ ୪୩ଟି, ଦ୍ବିତୀୟ ଶ୍ରେଣୀ ସିଲେକ୍ସନ ଗ୍ରେଡ୍ ପାହ୍ୟାରେ ୩୭୩ଟି ଏବଂ ବରିଷ୍ଠ ପ୍ରଶାସନିକ ଗ୍ରେଡରେ ଗୋଟିଏ ଡାକ୍ତର ପଦବୀ ଖାଲି ରହିଛି। ଖାଲିଥିବା ବିଭିନ୍ନ ପଦବୀଗୁଡ଼ିକୁ ଲୋକସେବା ଆୟୋଗ ଦ୍ବାରା ଚୟନ, ବିଭାଗୀୟ ପଦୋନ୍ନତି, ଆଡହକ ନିଯୁକ୍ତି ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ବାରା ଯଥାସମ୍ଭବ ପୂରଣ କରାଯିବା ପାଇଁ ଜିଲ୍ଲା ଚିକିତ୍ସାଧିକାରୀ ଓ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ କେତୋଟି ହୋମିଓପାଥିକ ଓ ଆୟୁର୍ବେଦିକ ଡାକ୍ତର ପଦବୀ ଖାଲି ପଡ଼ିଛି ସେ ସଂକ୍ରାନ୍ତରେ କିଛି କୁହାଯାଇନାହିଁ।

 

ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଯେଉଁ ବିସ୍ତୃତ ତଥ୍ୟ ଦେଇଛନ୍ତି ସେଥିରୁ କଟକର ଏସସିବି ମେଡ଼ିକାଲ ଓ ଡେଣ୍ଟାଲ କଲେଜ, ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭୀମସାର, ପୁରୀର ଗୋପବନ୍ଧୁ ଆୟୁର୍ବେଦିକ, ବଲାଙ୍ଗୀରର ସରକାରୀ ଆୟୁର୍ବେଦିକ, ଗଞ୍ଜାମ ଅଙ୍କୁଶପୁରର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ, ଭୁବନେଶ୍ବର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ, ରାଉରକେଲାର ଉତ୍କଳମଣି ହୋମିଓପାଥିକ, ସମ୍ବଲପୁର ଓ ବ୍ରହ୍ମପୁରର ହୋମିଓପାଥିକ କଲେଜଗୁଡ଼ିକରେ ମୋଟ୍ ୩୩୮ଟି ଶିକ୍ଷକ ୫୧୮ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି। ଏସସିବି ମେଡ଼ିକାଲ କଲେଜରେ ୮୧ଟି ଡାକ୍ତରୀ ଶିକ୍ଷକ ଓ ୧୧୧ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଏମକେସିଜି ମେଡ଼ିକାଲ କଲେଜରେ ୬୬ଟି ଡାକ୍ତରୀ ଶିକ୍ଷକ ଓ ୯୮ଟି ଅଣଶିକ୍ଷକ ପଦବୀ ଖାଲି ରହିଛି। ବୁର୍ଲାସ୍ଥିତ ଭୀମସାରରେ ସର୍ବାଧିକ ୯୮ଟି ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୮୨ଟି ଅଣଶିକ୍ଷକ ପଦବୀ ଖାଲିପଡ଼ିଛି। ପୁରୀର ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜରେ ୪୬ରୁ ୨୬ଟି ଶିକ୍ଷକ ପଦବୀ ଏବଂ ଆଉ ୬୪ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି।

 

ସେହିପରି ବଲାଙ୍ଗୀରର ସରକାରୀ ଆୟୁର୍ବେଦିକ କଲେଜରେ ୪୩ଟି ଶିକ୍ଷକ ପଦବୀରୁ ୨୮ଟି ଓ ୯୭ଟି ଅଣଶିକ୍ଷକ ପଦବୀରୁ ୬୪ଟି ଖାଲି ପଡ଼ିଛି। ଅଙ୍କୁଶପୁରରେ ଥିବା ଆୟୁର୍ବେଦିକ କଲେଜରେ ୩୫ରୁ ୨୪ଟି ଶିକ୍ଷକ ଓ ୧୦୩ଟିରୁ ୫୯ଟି ଅଣଶିକ୍ଷକ ପଦବୀ ଖାଲି ରହିଛି। ଭୁବନେଶ୍ବରସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ କଲେଜ ଲାଗି ୩୭ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବୀ ଥିବା ବେଳେ ଏଥିରୁ ୨୮ଟି ଓ ରାଉରକେଲା ଉତ୍କଳମଣି ହୋମିଓପାଥିକ ମେଡ଼ିକାଲ କଲେଜର ୩୬ଟି ଡାକ୍ତର ଶିକ୍ଷକ ପଦବୀ ମଧ୍ୟରୁ ୨୯ଟି ପଦବୀ ଖାଲି। ସମ୍ବଲପୁରର ସରକାରୀ ହୋମିଓପାଥିକ କଲେଜ ଲାଗି ୩୬ଟି ଡାକ୍ତରୀ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୩୦ଟି ଓ ବ୍ରହ୍ମପୁରର ସରକାରୀ ହୋମିଓପାଥିକ କଲେଜର ୩୫ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବୀରୁ ୨୭ଟି ଖାଲି ପଡ଼ିଛି।

 

ଏହି କଲେଜଗୁଡ଼ିକରେ ମଧ୍ୟ ବ୍ୟାପକ ସଂଖ୍ୟକ ଅଣଶିକ୍ଷକ ପଦବୀ ଖାଲି ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ତେବେ ନୂଆକରି ଖୋଲିଥିବା ବାରିପଦା ଓ କୋରାପୁଟ ମେଡ଼ିକାଲ କଲେଜ ହସ୍ପିଟାଲ ଲାଗି କେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ରହିଛି ଏବଂ ସେଥିରୁ କେତେ ପଦବୀ ଖାଲି ପଡ଼ିଛି ସେ ସଂକ୍ରାନ୍ତରେ କିନ୍ତୁ ସରକାର କିଛି ସୂଚାଇ ନାହାନ୍ତି। ସେହିପରି ରାଜ୍ୟରେ ଥିବା ବିଭିନ୍ନ ସରକାରୀ ନର୍ସିଂ, ଫାର୍ମାସି, ଫିଜିଓଥେରାପୀ ଆଦି ଶିକ୍ଷାନୁଷ୍ଠାନରେ କେତେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ତାହାର ମଧ୍ୟ ହିସାବ ଦିଆଯାଇନାହିଁ। ଖାଲି ପଡ଼ିଥିବା ଏହି ପଦବୀଗୁଡ଼ିକ କେବେ ସୁଦ୍ଧା ପୂରଣ ହେବ ବୋଲି ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରଶ୍ନରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରିଥିଲେ ମଧ୍ୟ ସରକାର ଏ ପ୍ରସଙ୍ଗରେ ନୀରବ ରହିଛନ୍ତି। ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ ପୂର୍ବରୁ ଅର୍ଥମନ୍ତ୍ରୀ ତାଙ୍କୁ ଯେଉଁ ସୂଚନା ଦେଇଛନ୍ତି ସେଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲାଗି ୫୩,୮୯୪ ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ଏଥିରୁ ୧୨,୧୬୭ଟି ପଦବୀ ଖାଲି ପଡ଼ିଥିବା ଦର୍ଶାଯାଇଛି। ସ୍ବାସ୍ଥ୍ୟ ସେବା ସହିତ ଲୋକଙ୍କ ଜୀବନ ଜଡ଼ିତ ଥିବାରୁ ତୁରନ୍ତ ସ୍ବାସ୍ଥ୍ୟ ବିଭାଗରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ଓ ଅଣଡାକ୍ତର ତଥା ଶିକ୍ଷକ ପଦବୀ ଅଗ୍ରାଧିକାର ଭିତ୍ତିରେ ସରକାର ପୂରଣ କରିବାକୁ ଶ୍ରୀ ରାୟ ଦାବି କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top