ଶିବସଂକଳ୍ପୋପନିଷଦ୍

News Story - Posted on 2016-02-10

ଉପସ୍ଥାପନା: ପ୍ରଶାନ୍ତ କୁମାର ଦାଶ


୧.

ଯଜ୍ଜାଗ୍ରତୋ ଦୂରମୁଦେତି ଦୈବଂ ତଦୁ ସୁପ୍ତସ୍ୟ ତଥୈବୈତି I
ଦୂରଙ୍ଗମଂ ଜ୍ୟୋତିଷାଂ ଜ୍ୟୋତିରିକଂ ତନ୍ମେ ମନଃ ଶିବ ସଂକଳ୍ପମସ୍ତୁ II
ଦିବ୍ୟଶକ୍ତି ଯୁକ୍ତ ଯେଉଁ ମନ ଜାଗ୍ରତ ଅବସ୍ଥାରେ ତଥା ସୁପ୍ତ ଅବସ୍ଥାରେ ବହୁ ଦୂର ପର୍ଯ୍ୟନ୍ତ ଗମନ କରିବାରେ ସମର୍ଥ, ଯେଉଁ ମନ ଜ୍ୟୋତିମାନଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ଜ୍ୟୋତି, ମୋର ସେହି ମନ ଶୁଭ ସଂକଳ୍ପଯୁକ୍ତ ହେଉ I


୨.

ଯେନ କର୍ମାଣ୍ୟପସୋ ମନୀଷିଣୋ ଯଜ୍ଞେ କୃଣ୍ବନ୍ତି ବିଦଥେଷୁ ଧୀରାଃ I
ଯଦପୂର୍ବଂ ଯକ୍ଷମନ୍ତଃ ପ୍ରଜାନାଂ ତନ୍ମେ ମନଃ ଶିବସଂକଳ୍ପମସ୍ତୁ II
କର୍ମବାନ୍‌, ମନୀଷି, ଧୀର ବ୍ୟକ୍ତି ଯଜ୍ଞ ତଥା ଧନ ଉପାର୍ଜନ କ୍ଷେତ୍ରରେ ଯେଉଁ ମନଦ୍ବାରା କର୍ମ କରନ୍ତି, ପ୍ରଜାମାନଙ୍କ ମଧ୍ୟରେ ଯାହାକି ଅପୂର୍ବ ଓ ପ୍ରକାଶବାନ୍‌ ଜ୍ୟୋତି ସ୍ବରୂପ, ମୋର ସେହି ମନ ଶୁଭ ସଂକଳ୍ପ ଯୁକ୍ତ ହେଉ I


୩.

ଯତ୍‌ପ୍ରଜ୍ଞାନମୁତ ଚେତୋ ଧୃତିଶ୍ଚ ଯଜ୍ଜ୍ୟୋତିରନ୍ତରମୃତଂ ପ୍ରଜାସୁ I
ଯସ୍ମାନ୍ନ ଋତେ କିଂ ଚ ନ କର୍ମ କ୍ରିୟତେ ତନ୍ମେ ମନଃ ଶିବସଂକଳ୍ପମସ୍ତୁ II
ମନ ହେଉଛି ଚିତ୍ତ, ପ୍ରଜ୍ଞାନ ତଥା ଧୃତି I ପ୍ରଜାମାନଙ୍କ ଅନ୍ତରରେ ଏହା ଋତ ସଂଜ୍ଞକ ଜ୍ୟୋତି I ଏହା ବିନା କୌଣସି କର୍ମ କରାଯାଇ ପାରେ ନାହିଁ I ମୋର ସେହି ମନ ଶୁଭ ସଂକଳ୍ପ ଯୁକ୍ତ ହେଉ I


୪.

ଯେନେଦଂ ଭୂତଂ ଭୁବନଂ ଭବିଷ୍ୟତ୍‌ ପରିଗୃହୀତମମୃତେନ ସର୍ବମ୍‌ I
ଯେନ ଯଜ୍ଞସ୍ତାୟତେ ସପ୍ତହୋତା ତନ୍ମେ ମନଃ ଶିବସଂକଳ୍ପମସ୍ତୁ II
ଏହି ଅମର ମନଦ୍ବାରା ଭୂତ, ଭବିଷ୍ୟତ୍‌ ଓ ବର୍ତ୍ତମାନ ସମସ୍ତ ଜଗତ୍‌ ଧାରିତ ହୋଇଛି I ଏହି ମନଦ୍ବାରା ହିଁ ସପ୍ତହୋତା ସନ୍ନିବିଷ୍ଟ ମନର ବିସ୍ତାର କରାଯାଇଥାଏ I ହେ ପରମାତ୍ମନ୍‌ ! ମୋର ସେହି ମନ ଶୁଭ ସଂକଳ୍ପରେ ସଂଯୁକ୍ତ ହେଉ I


୫.

ଯସ୍ମିନ୍‌ ଋଚଃ ସାମ ଯଜୁଂଷି ଯସ୍ମିନ୍‌ ପ୍ରତିଷ୍ଠିତା ରଥନାଭାବିବାରାଃ I
ଯସ୍ମିଂଶ୍ଚିତ୍ତଂ ସର୍ବମୋତଂ ପ୍ରଜାନାଂ ତନ୍ମେ ମନଃ ଶିବସ୍ଂକଳ୍ପମସ୍ତୁ II
ଏହି ମନରେ ଋଚା ସମୂହ, ସାମ ଗାନ ଏବଂ ଯଜୁଃ (କର୍ମ) ରଥର ନାଭିରେ ଅରମାନେ ସଂଯୁକ୍ତ ହୋଇଥିବା ସଦୃଶ ପ୍ରତିଷ୍ଠିତ ହୋଇଛନ୍ତି I ମନ ସହିତ ପ୍ରଜାମାନଙ୍କ ସମସ୍ତ ଶୁଭାଶୁଭ ଓତପ୍ରୋତ I ମୋର ସେହି ରୂପ ମନ ସଦା ଶୁଭ ସଂକଳ୍ପରେ ସ୍ଥିତ ହେଉ I


୬.

ସୁସାରଥିରଶ୍ବାନିବ ଯନ୍ମନୁଷ୍ୟାନ୍ନେନୀୟତେଽଭୀଶୁଭିର୍ବାଜିନ ଇବ I
ହୃତ୍‌ପ୍ରତିଷ୍ଠଂ ଯଦଜିରଂ ଜବିଷ୍ଠଂ ତନ୍ମେ ମନଃ ଶିବସଂକଳ୍ପମସ୍ତୁ II
କୁଶଳ ସାରଥିର ସୁଶିକ୍ଷିତ ଓ ନିୟନ୍ତ୍ରିତ ଅଶ୍ବ ଯେପରି ରଥକୁ ଉଦ୍ଦିଷ୍ଟ ସ୍ଥାନକୁ ସୁଖ ପୂର୍ବକ ନେଇଯାନ୍ତି, ସେହିପରି ମନ ମନୁଷ୍ୟକୁ ଅଭୀଷ୍ଟ ସ୍ଥାନକୁ ନେଇଯାଏ I ଏହି ମନ ହୃଦୟରେ ପ୍ରତିଷ୍ଠିତ, ଜରା ରହିତ ଓ ଅତ୍ୟନ୍ତ ବେଗବାନ୍‌ I ହେ ପରମେଶ୍ବର ! ମୋର ସେହି ମନ ସର୍ବଦା ଶୁଭ ସଂକଳ୍ପରେ ସଂଯୁକ୍ତ ହେଉ I

ମନ ସମସ୍ତ ଅବସ୍ଥାରେ ଦୂରଗାମୀ, ସଜ୍ଜନମାନଙ୍କଦ୍ବାରା ଶୁଭ କର୍ମ ସମ୍ପାଦନରେ ସହାୟକ, ସଦ୍‌ଜ୍ଞାନର ସାଧନଭୂତ, ସ୍ମରଣ ଶକ୍ତିଯୁକ୍ତ, ନିଜେ ନିଜର ପ୍ରକାଶକ ଜ୍ୟୋତି ସ୍ବରୂପ, ପ୍ରତ୍ୟେକ ଈପ୍‌ସିତ ବସ୍ତୁରେ ପରିଣତ ହେବା ଲାଗି ସମର୍ଥ, ଭୂତ ଭବିଷ୍ୟତ୍‌ ଓ ବର୍ତ୍ତମାନର ଜ୍ଞାତା, ଶରୀର-ଯଜ୍ଞର ବ୍ରହ୍ମା ସଦୃଶ, ବେଦମାନଙ୍କ ସହିତ ଓତପ୍ରୋତ, ବିଦ୍ବାନ୍‌ମାନଙ୍କ ମାର୍ଗ ପ୍ରଦର୍ଶକ, ବାର୍ଦ୍ଧକ୍ୟ ରହିତ, ଶକ୍ତିଶାଳୀ, ଏବଂ ଏହ ହୃଦୟ ମଧ୍ୟରେ - ଅର୍ଥାତ୍‌ ଅନାହତ ଚକ୍ରରେ ସ୍ଥିତ I ଇନ୍ଦ୍ରିୟମାନେ ଦିବ୍ୟ ଓ ମନ ମଧ୍ୟ ଦିବ୍ୟ, ମାତ୍ର ମନ ସମସ୍ତ ଇନ୍ଦ୍ରିୟମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ I ତେଣୁ ଏହାକୁ ଜ୍ୟୋତିମାନଙ୍କ ମଧ୍ୟରେ ଏକତମ ଓ ଶ୍ରେଷ୍ଠ ଜ୍ୟୋତି ବୋଲି କୁହାଯାଇଛି I ସମସ୍ତ ଯୋଗ ଏବଂ ଜ୍ଞାନର ମୂଳ ହେଉଛି ମନ I ଶରୀର ଯଜ୍ଞରେ ଇନ୍ଦ୍ରିୟମାନେ ହୋତା I ଜୀବ ଏହାଙ୍କଦ୍ବାରା ଆହୁତି ରୂପେ ବିଷୟମାନଙ୍କୁ ଗ୍ରହଣ କରିଥାଏ I ଦୁଇ ଚକ୍ଷୁ, ଦୁଇ କର୍ଣ୍ଣ, ଦୁଇ ନାସାପୁଟ ଏବଂ ଜିହ୍ବା ହେଉଛନ୍ତି ଏହି ସପ୍ତହୋତା I ମନ ଏମାନଙ୍କ ମଧ୍ୟରେ ବ୍ରହ୍ମା ସଦୃଶ ମୁଖ୍ୟ ଭୂମିକା ଗ୍ରହଣ କରେ I ମନ ଆତ୍ମା ସହାୟତାରେ ଶରୀର ଯଜ୍ଞକୁ ଜଜ୍ଜ୍ବଲ୍ୟମାନ ରଖେ I ଏହି ଶିବସଂକଳ୍ପୋପନିଷଦ୍‌ରେ ମନର ସ୍ବରୂପ, ଶକ୍ତି, ସାମର୍ଥ୍ୟ, ସ୍ଥିତି, ଇତ୍ୟାଦି ସମ୍ବନ୍ଧରେ ପ୍ରାଞ୍ଜଳ ନିର୍ଣ୍ଣୟ ଗୃହୀତ ହୋଇଛି ସୁତରାଂ ମନର ସ୍ବରୂପ ପରମାତ୍ମାଙ୍କ ସଦୃଶ ‘ଅଣୋରଣୀୟାନ୍‌ ମହତୋ ମହୀୟାନ୍‌‘ ଅଟେ I

(ଏହା ଶୁକ୍ଳ ଯଜୁର୍ବେଦର ୩୪ଶ ଅଧ୍ୟାୟର ପ୍ରାରମ୍ଭରେ ଅଛି I)


ପ୍ରତିକ୍ରିୟା

B. Mallik - Email: Basudev20651@gmail.com - Posted on 2016-05-03 20:35:52

This is really unique. The more the better.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top