ଏମଡିଏମ- ଓଡ଼ିଶା ପାଇଛି ୪୮୫୩ କୋଟି

News Story - Posted on 2017-09-09

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଗତ ୬ ବର୍ଷ ମଧ୍ୟରେ ୪୮୫୩ କୋଟି ୮୬ ଲକ୍ଷ ଟଙ୍କା ବରାଦ ହୋଇଥିବା ବେଳେ ଏଥିରୁ ପ୍ରାୟ ୫୬୭ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ। ମଧ୍ୟାହ୍ନ ଭୋଜନ ଲାଗି ଏହି ବର୍ଷମାନଙ୍କରେ କେନ୍ଦ୍ର ସରକାର ଓଡ଼ିଶାକୁ ୩୨୦୯ କୋଟି ୨୦ ଲକ୍ଷ ଟଙ୍କା ଯୋଗାଇଛନ୍ତି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଦେଇଥିବା ତଥ୍ଯରୁ ଏହା ଜଣାପଡ଼ିଛି।

 

ସେ କହିଛନ୍ତି ଯେ ରାଜ୍ୟରେ ମୋଟ୍ ୫୮,୨୧୫ଟି ବିଦ୍ୟାଳୟରେ ୪୭,୧୦,୬୫୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି। ଏଥିଲାଗି ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ମୁଣ୍ଡ ପିଛା ଦୈନିକ ମଧ୍ୟାହ୍ନ ଭୋଜନ ଲାଗି ୪ ଟଙ୍କା ୫୮ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଦୈନିକ ମୁଣ୍ଡପିଛା ୬ ଟଙ୍କା ୮୩ ପଇସା ଧାର୍ଯ୍ୟ କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ମଧ୍ୟାହ୍ନ ଭୋଜନରେ କେଉଁଦିନ କି ପ୍ରକାର ଖାଦ୍ୟ ଦିଆଯିବ ସେଥିଲାଗି ସାପ୍ତାହିକ ଖାଦ୍ୟ ତାଲିକା ରହିଛି। ତଦନୁଯାୟୀ ବୁଧବାର ଓ ଶନିବାରରେ ପିଲାମାନଙ୍କୁ ଭାତ ସହିତ ଅଣ୍ଡା ତରକାରୀ, ସୋମବାର ଓ ଗୁରୁବାରରେ ଭାତ ସହିତ ଡାଲମା ଏବଂ ମଙ୍ଗଳବାର ଓ ଶୁକ୍ରବାରରେ ଭାତ ସହିତ ସୋୟାବଢ଼ି ତରକାରୀ ଖାଇବାକୁ ଦେବାର ବ୍ୟବସ୍ଥା ଅଛି। ତେବେ ଯେଉଁ ପିଲାମାନେ ଅଣ୍ଡା ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ କଦଳୀ, ସେଓ, ଆମ୍ବ ଇତ୍ୟାଦି ଫଳ ଦେବା ଲାଗି ୨୦୧୪ ମସିହାରେ ବିଭାଗୀୟ ଶାସନ ସଚିବ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

 

ମନ୍ତ୍ରୀ ଦେଇଥିବା ତଥ୍ୟ ମୁତାବକ ୨୦୧୧-୧୨ରୁ ୨୦୧୬-୧୭ ପର୍ଯ୍ୟନ୍ତ ବିଭିନ୍ନ ବର୍ଷ ଲାଗି ମୋଟ୍ ୪୮୫୩ କୋଟି ୮୬ ଲକ୍ଷ ଟଙ୍କା ଅର୍ଥ ବରାଦ ହୋଇଥିବା ବେଳେ ଏଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ଠାରୁ ମିଳିଛି ୩୨୦୯ କୋଟି ୨୦ ଲକ୍ଷ ଟଙ୍କା। ରାଜ୍ୟ ସରକାର ତାଙ୍କ ଅଂଶ ବାବଦରେ ପ୍ରଦାନ କରିଛନ୍ତି ୧୬୪୪ କୋଟି ୬୬ ଲକ୍ଷ ଟଙ୍କା। ତେବେ ଏହି ୬ ବର୍ଷ ମଧ୍ୟରେ ଉପଲବ୍ଧ ଅର୍ଥ ମଧ୍ୟରୁ ମଧ୍ୟାହ୍ନ ଭୋଜନ ବାବଦରେ ୪୨୮୬ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଏହି ହିସାବ ମୁତାବକ ଉକ୍ତ ବର୍ଷଗୁଡ଼ିକରେ ୫୬୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ। ଚଳିତ ଆର୍ଥିକ ବର୍ଷରେ ମଧ୍ୟାହ୍ନ ଭୋଜନ ଲାଗି ୭୯୭ କୋଟି ୪୪ ଲକ୍ଷ ୬୩ ହଜାର ଟଙ୍କାର ବଜେଟ୍ ବ୍ୟବସ୍ଥା ଥିବା ବେଳେ ଏଥିରୁ କେନ୍ଦ୍ର ସରକାର ୪୬୬ କୋଟି ୯୫ ଲକ୍ଷ ୮୯ ହଜାର ଓ ରାଜ୍ୟ ସରକାର ୩୩୦ କୋଟି ୪୮ ଲକ୍ଷ ୭୪ ହଜାର ଟଙ୍କା ଦେବାର ଅଟକଳ ରହିଛି।

 

କେତୋଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ କେତେ ପିଲାଙ୍କ ଲାଗି କାହା ନିର୍ଦ୍ଦେଶରେ ଅଣ୍ଡା ଦିଆଯାଉନାହିଁ ବୋଲି ବିଧାୟକ ଶ୍ରୀ ରାୟ ନିର୍ଦ୍ଦିଷ୍ଟ ଭାବେ ଜାଣିବାକୁ ଚାହିଁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇନାହିଁ। ରାଜଧାନୀ ଭୁବନେଶ୍ବର ଓ କଟକ ତଥା ଏହା ଆଖପାଖରେ ଥିବା ବହୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉନାହିଁ। ପିଲାମାନେ ଅଣ୍ଡା ଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ସେମାନଙ୍କୁ ଜୋର୍ ଜବରଦସ୍ତ ନିରାମିଷ ଖାଦ୍ୟ ଦିଆଯାଉଛି। ଏ ସଂକ୍ରାନ୍ତରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ଆପତ୍ତି ଅଭିଯୋଗକୁ କେହି ଶୁଣୁନାହାନ୍ତି ଖୋଦ୍ ରାଜଭବନ, ରାଜ୍ୟ ବିଧାନସଭା, ସଚିବାଳୟର ଅନତି ଦୂରରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସରକାରୀ ଖାଦ୍ୟ ତାଲିକା ଅନୁଯାୟୀ ଅଣ୍ଡା ଦିଆଯାଉନଥିବା ବେଳେ ସମଗ୍ର ରାଜ୍ୟରେ ଏ କ୍ଷେତ୍ରରେ ବ୍ୟାପକ ବିଭ୍ରାଟ ଘଟୁଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top