ରାଷ୍ଟ୍ରାୟତ୍ତ କ୍ଷେତ୍ରର ପରିବର୍ତ୍ତିତ ଭୂମିକା

News Story - Posted on 2017-09-09

କେ. ଆର. ସୁଧାମନ‌୍‍

 

୧୯୪୭ ମସିହା, ସ୍ୱାଧୀନତା ସମୟରେ ୨୯ କୋଟି ଟଙ୍କା ପୁଞ୍ଜିନିବେଶରେ ଦେଶରେ ମାତ୍ର ୫ଟି ରାଷ୍ଟ୍ରାୟାତ୍ତ ଉଦ୍ୟୋଗ କାର୍ଯ୍ୟକରୁଥିଲା।  ବ୍ରିଟିଶ ଶାସକଙ୍କୁ ସେବା ଯୋଗାଇ ଦେବା ପାଇଁ ସମ୍ଭବତଃ ସମଗ୍ର ଦେଶରେ ଡାକ, ବେତାର ବିଭାଗ ଏବଂ ରେଲୱେର ବିସ୍ତୃତ ନେଟ‌୍‍ୱାର୍କ ଥିଲା। ବର୍ତ୍ତମାନ ଦେଶରେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶରେ ୩୨୦ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କାର୍ଯ୍ୟ କରୁଛି। ପାଖାପାଖି ୧୬୫ଟି ଉଦ୍ୟୋଗ ୧.୫ ଲକ୍ଷ କୋଟି ଟଙ୍କା ଲାଭ କରୁଥିଲା ବେଳେ ୭୮ ଟି ୨୯ ହଜାର କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଛି। ରାଜ୍ୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂଖ୍ୟା ବୋଧହୁଏ ଏହାର ଦ୍ୱିଗୁଣରୁ ଉର୍ଦ୍ଧ୍ୱ ହେବ। ରାଜ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକର ମୋଟ ସଂଖ୍ୟା ଏବଂ ସେ ସବୁରେ ହୋଇଥିବା ପୁଞ୍ଜିନିବେଶର ସଂଖ୍ୟା ସଂପୂର୍ଣ୍ଣ ମିଳି ପାରିନାହିଁ। ତେବେ ୪ରୁ ୫ ଲକ୍ଷ କୋଟି ଟଙ୍କା ନିବେଶରେ ଅତି କମ‌୍‍ରେ ଏକ ହଜାରଟି ରାଜ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କେନ୍ଦ୍ର ଥିବାର ସୂଚନା ମିଳିଛି। ଏହା ବ୍ୟତୀତ ରେଲୱେ, ରାଜ୍ୟ ସଡକ ନିଗମ, ଡାକ ବିଭାଗ ଆଦି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ସହଯୋଗ ରହିଛି। ଯେଉଁଥିରେ କି ବହୁ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇଛି।

 

ତେଣୁ ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ସ୍ୱାଧୀନ ଭାରତରେ ଶିଳ୍ପର ବିକାଶ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ମେରୁଦଣ୍ଡ ସଦୃଶ କାର୍ଯ୍ୟ କରୁଛନ୍ତି। ଯଦିଓ ପରିବର୍ତିତ ସମୟରେ ଏ ସବୁର ଭୂମିକାରେ ପରିବତ୍ତନ ଆସିଛି, ତେବେ ପ୍ରାରମ୍ଭରେ ମୂଲ୍ୟରେ ସ୍ଥିରତା ଆଣିବା ଏବଂ ସାମାଜିକ ଆର୍ଥିକ ବିକାଶ ସହ ଶିଳ୍ପ ଭିତ୍ତିଭୂମି ଗଢି ତୋଳିବାରେ ଏହାର ଭୂମିକା ନିଶ୍ଚିତ ରୂପେ ରହିଛି। ପ୍ରକୃତରେ କହିବାକୁ ଗଲେ ଏହା ବିକାଶର ଇଞ୍ଜିନ ଥିଲା। ସ୍ୱାଧୀନତାର ପ୍ରାକ‌୍‍ କାଳରେ ରୋଜଗାରର ସୁବିଧା ସୃଷ୍ଟି କରିବାରେ ପିଏସ‌୍‍ଇଗୁଡିକର ବହୁ ମୂଲ୍ୟ ଯୋଗଦାନ ଥିଲା। ରୁଗ‌୍‍ଣ ବୟନ ଶିଳ୍ପଗୁଡିକରେ ଜାତୀୟକରଣ ଏବଂ ଆନୁସଙ୍ଗିକ ଶିଳ୍ପ ସଂସ୍ଥା ଗଢିବା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଯୋଗଦାନ ଥିଲା। ୧୯୯୧ରେ ଆର୍ଥିକ ଉଦାରୀକରଣ ପରେ ଏ ସବୁର ଭୂମିକାରେ ପରିବର୍ତ୍ତନ ଆସିଲା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା କ୍ଷେତ୍ରରେ ନିଜକୁ ପ୍ରସ୍ତୁତି କରିପାରିଲେ। ଆଧୁନିକୀକରଣ ଏବଂ ଦକ୍ଷତା ବୃଦ୍ଧି ଯୋଗୁ ରୋଜଗାର ସୁବିଧା ସୁଯୋଗ ମଧ୍ୟ ହ୍ରାସ ପାଇଲା। ଉଦାହରଣ ସ୍ୱରୂପ ସେଲ‌୍‍ କଥା ବିଚାର କରାଯାଉ। ଅତୀତରେ ୧୦ ନିୟୁତ ଟନ‌୍‍ରୁ କମ‌୍‍ ଇସ୍ପାତ ଉପିାଦନ ପାଇଁ ସେଲ‌୍‍ରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ ସେଠାରେ ୮୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି ଏବଂ ପୂର୍ବ ତୁଳନାରେ ଅଧିକ ଉତ୍ପାଦନ କରାଯାଇ ପାରୁଛି। ତଥାପି ଆଜି ମଧ୍ୟ ସେଲ‌୍‍ରେ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଛି। ଟାଟା ଷ୍ଟିଲ‌୍‍ରେ ମଧ୍ୟ ଅବସ୍ଥା ସେହିପରି। ଏକ ଟନ‌୍‍ ଇସ୍ପାତ ଉତ୍ପାଦନ ପାଇଁ ଯେତିକି କର୍ମଚାରୀ ଆବଶ୍ୟକ, ସେଠାରେ ତାଠାରୁ ୭ ଗୁଣ ଅଧିକ କର୍ମଚାରୀ ରହିଛନ୍ତି। ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୁଶଳୀ ନହେବାର ଏହା ହେଉଛି ପ୍ରମୁଖ କାରଣ। ଜୀବନବୀମା ପରି କେତେକ କମ୍ପାନୀ ୧୯୫୦ରେ ଜାତୀୟକରଣ ହେବା ପର୍ଯ୍ୟନ୍ତ ମନମାନି ଚଳାଇ ଆସିଥିବା ବେଳେ ୧୯୯୦ରେ ବୀମା କ୍ଷେତ୍ରରେ ଘରୋଇ କମ୍ପାନୀର ପ୍ରବେଶ ଦ୍ୱାରା ଏବେ ପ୍ରତିଯୋଗିତା ମନୋଭାବ ସହ କାର୍ଯ୍ୟ କରୁଛି।

 

ପ୍ରତିଯୋଗିତା କ୍ଷେତ୍ରରେ ଯେଉଁ ସବୁ ରାଷ୍ଟ୍ରୀୟତ୍ତ କମ୍ପାନୀ ତିଷ୍ଠି ପାରୁନାହାନ୍ତି ଏବଂ କ୍ଷତିର ସମ୍ମୁଖୀନ ହେଉଛନ୍ତି, ସେମାନେ ଏବେ ଧୀରେ ଧୀରେ ବାହାରି ଯିବାକୁ ଚେଷ୍ଟା କଲେଣି। ଏୟାର ଇଣ୍ଡିଆ ହେଉଛି ଏହାର ଏକ ଉଦାହରଣ। ୧୯୫୦ରେ ଏହି ବେସାମରିକ ବିମାନ ଚଳାଚଳ ସଂସ୍ଥାକୁ ଜାତୀୟକରଣ କରାଯାଇଥିଲା। ସୁରକ୍ଷା କାରଣରୁ କେବଳ ସରକାରଙ୍କୁ ଏୟାର ଲାଇନ୍ସର ସଂଚାଳନ ଦାୟିତ୍ୱ ଦିଆଯାଇଥିଲା। ବିମାନ ସେବା ଚଳାଇବା ଲାଭପ୍ରଦ ନଥିଲେ ମଧ୍ୟ ସାମାଜିକ ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା। ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ଘରୋଇ ସଂସ୍ଥାକୁ ଅନୁମତି ମିଳିବା ପରେ ଆବଶ୍ୟକତା ଠାରୁ ଅଧିକ କର୍ମଚାରୀ ରଖିବା ଅକୁଶଳତା ଓ ଋଣ ଚାପ ଯୋଗୁ ଏୟାର ଇଣ୍ଡିଆ ଏ କ୍ଷେତ୍ରରେ ମୁକାବିଲା କରିପାରିଲା ନାହିଁ। ଫଳରେ ସରକାରଙ୍କୁ  ଏଥିପାଇଁ ଆର୍ଥିକ ସହାୟତା ଦେବାକୁ ପଡିଲା।

 

ତେବେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଭୂମିକାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ସ୍ୱାଧୀନତାର ପ୍ରାକ‌୍‍କାଳରେ ପର୍ଯ୍ୟାପ୍ତ ଆର୍ଥିକ ଶକ୍ତି ଏବଂ ସାଧନର ଅଭାବ ଯୋଗୁ ଘରୋଇ ସଂସ୍ଥାଗୁଡିକ ଶିଳ୍ପ ତଥା ଭାରି ଶିଳ୍ପ ସଂସ୍ଥା କ୍ଷେତ୍ରରେ ପ୍ରବେଶ କରିପାରିନଥିଲେ। ୧୯୪୮ର ଶିଳ୍ପନୀତି ଦ୍ୱାରା ଘରୋଇ ଶିଳ୍ପ ସଂସ୍ଥାଗୁଡିକ ପ୍ରୋତ୍ସାହିତ ହେଲେ। ମାତ୍ର ଯେଉଁ ସବୁ କ୍ଷେତ୍ରରେ ପୁଞ୍ଜିନିବେଶ ଆବଶ୍ୟକତା ଥିଲା, ସେ ସବୁ କ୍ଷେତ୍ରରେ ଘରୋଇ ସଂସ୍ଥା ଆଗେଇ ନଆସିବା ଦ୍ୱାରା ସେତେବେଳେ ସରକାର ୧୯୫୬ ଶିଳ୍ପନୀତିରେ ପରିବର୍ତ୍ତନ ଆଣିଲେ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସାର୍ବଜନୀନ କ୍ଷେତ୍ରକୁ ଗୁରୁତ୍ୱ ଦେଲେ। ଏହା ଦ୍ୱାରା ସନ୍ତୁଳିତ ବିକାଶ ସୁନିଶ୍ଚିତ ହୋଇପାରିଲା। ଆଂଚଳିକ ବୈଷମ୍ୟତା ଦୂର କରିବା, ଭିତ୍ତିଭୂମିର ବିକାଶ କରିବା, ଟାଉନସିପ‌୍‍ ଏବଂ ଦୁର୍ଗମ ଅଂଚଳର ବିକାଶ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ କମ୍ପାନୀ ସହଯୋଗ କଲା। ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ବୟନ ଶିଳ୍ପ ପରି କେତେକ ରୁଗ‌୍‍ଣ ଶିଳ୍ପ ସଂସ୍ଥାକୁ ଜାତୀୟକରଣ କଲେ। ଖାଦ୍ୟ ସାମଗ୍ରୀକୁ ମହଜୁଦ ରଖିବା ଏବଂ ବହୁଳ ଖାଦ୍ୟ ଶସ୍ୟର ଭଣ୍ଡାରକରଣ ନିମନ୍ତେ ଭାରତୀୟ ଖାଦ୍ୟ ନିଗମ ପ୍ରତିଷ୍ଠା କରାଗଲା। ଏହି କାରଣରୁ ବଳକା ଖାଦ୍ୟ ଶସ୍ୟ ମହଜୁଦ ରଖିବା କ୍ଷେତ୍ରରେ ଭାରତ ଆଜି ସୁରକ୍ଷିତ ଭଣ୍ଡାର ସୃଷ୍ଟି କରିପାରିଛି। କିନ୍ତୁ ବର୍ତ୍ତମାନ ଏହି ସଂସ୍ଥା ନିଜର ଉପଯୋଗିତା ହରାଇ ବସିଛି। ବର୍ତ୍ତମାନ ମେକ୍ସିକୋ ପରି ଏହାକୁ ବନ୍ଦ କରି ଦିଆଯିବା ଉଚିତ। ତେବେ ପୂର୍ବୋତ୍ତର ଭାରତରେ ଏହାକୁ ସୀମିତ ରଖାଯିବା ଉଚିତ କାରଣ ଏହି ଅଂଚଳରେ ସବୁଜ ବିପ୍ଲବ ପହଂଚି ପାରିନଥିବାରୁ ସେଠାରେ ଖାଦ୍ୟଶସ୍ୟ ସଂଗ୍ରହ ଏବେ ବି ସମସ୍ୟା ପାଲଟିଛି।

 

ବର୍ତ୍ତମାନ ସରକାର ବିଭିନ୍ନ କ୍ଷେତ୍ରରୁ ଓହରି ଆସିବା ଉଚିତ ବିଶେଷକରି ସେବା ପ୍ରଦାନକାରୀ କ୍ଷେତ୍ରରୁ। କିନ୍ତୁ ରେଲୱେ ଏବଂ ଟେଲିଯୋଗ କ୍ଷେତ୍ରକୁ ସରକାର ନିଜ ଅଧୀନରେ ରଖିବା ଉଚିତ। କାରଣ କେତେକ ରାଷ୍ଟ୍ରରେ ଏହି ଦୁଇଟି ସଂସ୍ଥାର ଘରୋଇକରଣ ସଫଳ ହୋଇ ପାରିନାହିଁ। ଏହି ଦୁଇଟି କ୍ଷେତ୍ରରେ କେତେକ ରଣନୀତି ମଧ୍ୟ ଅନ୍ତର୍ଭୁକ୍ତ।

 

ଘରୋଇ ସଂସ୍ଥାଗୁଡିକ ଯେତେବେଳେ ଆଗେଇ ଆସିଲେ ନାହିଁ ସେତେବେଳେ ହୋଟେଲ ଶିଳ୍ପ କ୍ଷେତ୍ରରେ ସରକାର ପ୍ରବେଶ କଲେ। ବର୍ତ୍ତମାନ କିନ୍ତୁ ହୋଟେଲ ଶିଳ୍ପରେ ଘରୋଇ ସଂସ୍ଥାଗୁଡିକ ଭଲ କାମ କରୁଥିବାରୁ ସରକାର ଏଥିରୁ ଦୂରେଇ ରହିବା ଆବଶ୍ୟକ। ଏହି କଥା ମଧ୍ୟ ଏୟାର ଇଣ୍ଡିଆ କ୍ଷେତ୍ରରେ ଲାଗୁ ହେଉଛି। କାରଣ ବିମାନ ସଂସ୍ଥାକୁ କିପରି ପରିଚାଳନା କରାଯାଏ, ତାହା ଘରୋଇ ସଂସ୍ଥାଗୁଡିକ କରି ଦେଖାଇ ଦେଇଛନ୍ତି। ଏହା ଦେଖି ସରକାର ଏୟାର ଇଣ୍ଡିଆର ରଣନୀତିକ ବିକ୍ରୀ ଉପରେ ଧ୍ୟାନ ଦେଇଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରେ ମୋଦୀ ସରକାର ସଠିକ‌୍‍ ଆଭିମୁଖ୍ୟ ପୋଷଣ କରିଛନ୍ତି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ୪୯ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ଏକ୍ଷେତ୍ରରେ ଅଂଶୀଦାର ମଧ୍ୟ ବିକ୍ରି କରାଯିବାର ସମୟ ଆସିଯାଇଛି। କମ୍ପାନୀ ଗୁଡିକର ଦକ୍ଷତା ବୃଦ୍ଧି ସହ ବାରମ୍ୱାର ସଂକଟରୁ ରକ୍ଷାକରିବା ପାଇଁ କରଦାତାଙ୍କ ଧନକୁ ବଂଚାଇବା ନିମନ୍ତେ ସରକାର ଏୟାର ଇଣ୍ଡିଆର ରଣନୀତିକ ବିକ୍ରି ପାଇଁ ନିଷ୍ପତି ନେଇଛନ୍ତି। ଯେଉଁ ସବୁ କ୍ଷେତ୍ରରେ ଘରୋଇ ସଂସ୍ଥାଗୁଡିକ ଭଲ କାର୍ଯ୍ୟ କରୁଛନ୍ତି, ସେହି ସବୁ କ୍ଷେତ୍ରରୁ ଓହରି ଆସିବା ପାଇଁ ସରକାର ବିଚାର କରୁଛନ୍ତି। ରୁଗ‌୍‍ଣ ପ୍ରତିଷ୍ଠାନ ଗୁଡିକର ପୁନଃଉଦ୍ଧାର ଯଦି ସଫଳ ନହେଉଛି ତେବେ ସେଗୁଡିକୁ ସିଧାସଳଖ ବିକ୍ରୀ କରି ଦିଆଯିବା ଆବଶ୍ୟକ। ରାଷ୍ଟ୍ରାୟତ୍ତ ଶିଳ୍ପ ସଂସ୍ଥା ଗୁଡିକର ଅକ୍ତିଆରରେ ଥିବା ଅତିରିକ୍ତ ଜମିରେ ଅନ୍ୟ ୟୁନିଟ‌୍‍ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି। ଯଦ୍ୱାରା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଥିବା ୬ ଲକ୍ଷ ଟଙ୍କାରୁ ଅଧିକ ଲାଭ ରାଶିର ବିନିଯୋଗ କରାଯାଇ ପାରିବ। ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ ପାଉଥିବା ବେଳେ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବେଶ ଲାଭ ହାସଲ କରିଥାନ୍ତି। ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଥିବା ସମସ୍ୟାର ନିରାକରଣ ପାଇଁ ପୂର୍ବରୁ କୌଣସି ପଦକ୍ଷେପ ନିଆଯାଇନଥିଲା।

 

(ଲେଖକଙ୍କ ମତାମତ ତାଙ୍କର ନିଜସ୍ୱ) 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top