୫ ବର୍ଷରେ ନେତାଙ୍କ ସଂପତ୍ତି ୫୦୦% ବୃଦ୍ଧି

News Story - Posted on 2017-09-07

କାର୍ଯ୍ୟକାଳ ଭିତରେ କେତେକ ସାଂସଦ ଓ ବିଧାୟକଙ୍କର ସଂପତ୍ତି ବହୁ ଗୁଣ ବୃଦ୍ଧି ପାଇଛି । ଏ ବାବଦରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର? ଏଭଳି ପ୍ରଶ୍ନ ପଚାରିଛନ୍ତି ସୁପ୍ରିମ କୋର୍ଟ । ରିପୋର୍ଟ ଅନୁସାରେ ୨୮୯ ବିଧି ପ୍ରଣେତାଙ୍କ ସଂପତ୍ତି ଗତ ପାଂଚ ବର୍ଷ ଭିତରେ ପ୍ରାୟ ୫୦୦ ପ୍ରତିଶତ ବୃଦ୍ଧି ପାଇଛି । ଏ ନେଇ କେନ୍ଦ୍ର କାହିଁକି କୋର୍ଟକୁ ତଥ୍ୟ ପ୍ରଦାନ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।

 

ଯେଉଁ ୨୮୯ ବିଧି ପ୍ରଣେତାଙ୍କ ତାଲିକା ସୁପ୍ରିମ କୋର୍ଟଙ୍କ ନଜରକୁ ଆସିଛି ତନ୍ମଧ୍ୟରେ ବିଭିନ୍ନ ଦଳର ନେତା ଅଛନ୍ତି । କେତେକ ମଧ୍ୟ ଅତ୍ୟନ୍ତ ବରିଷ୍ଠ ନେତା, ଏକାଧିକ ଥର ସଂସଦ ଓ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ସଂପତ୍ତି ମୂଲ୍ୟ ୫ ବର୍ଷ ଭିତରେ ୫୦୦ ପ୍ରତିଶତ ବୃଦ୍ଧି ପାଇଛି । ସେମାନେ ସାଧାରଣରେ ରଖିଥିବା ଯୁକ୍ତି ଅନୁସାରେ ଗତ କେଇ ବର୍ଷ ଭିତରେ ସଂପତ୍ତି ମୂଲ୍ୟ ବୃଦ୍ଧି ପାଇଥିବାରୁ ସେମାନଙ୍କ ସଂପତ୍ତି ମୂଲ୍ୟ ଅଧିକ ହୋଇଯାଇଛି । ତେବେ କୋର୍ଟ କହିଛନ୍ତି, ଆଗ ସେମାନେ ବିସ୍ତୃତ ତଥ୍ୟ ପ୍ରଦାନ କରନ୍ତୁ । କୋର୍ଟ ବିଚାର କରିବେ ଏହି ସଂପତ୍ତି ଆଇନଗତ କିମ୍ବା ବେଆଇନ ସୂତ୍ରରୁ ଏକାଠି ହୋଇଛି ।

 

ବିଚାରପତି ଜେ. ଚେଲମେଶ୍ୱର ଏବଂ ଏସ. ଅବ୍ଦୁଲ ନାଜୀରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଏ ସଂପର୍କରେ ନିର୍ଦ୍ଦେଶ ଦେଇଛନ୍ତି । ସରକାର କାହିଁକି ଏ ନେଇ ତଥ୍ୟ ପ୍ରଦାନ କରୁ ନାହାନ୍ତି ସେନେଇ ବିଚାରପତି ଦ୍ୱୟ ସରକାରଙ୍କୁ ତାଗିଦ କରିଛନ୍ତି । ସପ୍ତାହେ ମଧ୍ୟରେ ଏ ନେଇ ଏକ ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।

 

ଏଭଳି ନେତାମାନଙ୍କ ସଂପର୍କରେ ୨୦୧୫ ଜୁନ ମାସରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର । ଏହି ସ୍ୱେଚ୍ଛାସେବୀ ସଂସ୍ଥା ଏହି ରିପୋର୍ଟକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ ବା ସିବିଡିଟିରେ ଦାଖଲ କରି ଏହା ଉପରେ ତଦନ୍ତ ପାଇଁ ଦାବି ଜଣାଇଥିଲା । କିନ୍ତୁ ଏହା ଉପରେ କେନ୍ଦ୍ର ସରକାର ଯେଉଁ ଉତ୍ତର ରଖିଥିଲେ ତାହା ଅତ୍ୟନ୍ତ ଅସ୍ପଷ୍ଟ । ଏପରିକି ଏହା ଉପରେ ସରକାର ତଦନ୍ତ କରିଥିଲେ କି ନାହିଁ ତାହା ମଧ୍ୟ ଜଣାଇ ନାହାନ୍ତି । ୨୦୦୯ ଓ ୨୦୧୪ ନିର୍ବାଚନରେ ଏହି ରାଜନେତାମାନେ ସେମାନଙ୍କ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଥିବା ସଂପତ୍ତି ପରିମାଣ ଭିତ୍ତିରେ ହିଁ ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଥିଲା ।

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଆଇନଜୀବୀ କେ. ରାଧାକୃଷ୍ଣନ କହିଥିଲେ ଯେ ସରକାର ସମସ୍ତ ସାଂସଦ ଓ ବିଧାୟକଙ୍କ ସଂପତ୍ତି ଉପରେ ତଦନ୍ତ କରି ନାହାନ୍ତି । କିନ୍ତୁ କେତେକ ସାଂସଦ ଓ ବିଧାୟକଙ୍କ ସଂପତ୍ତି ଅଭିବୃଦ୍ଧି ଉପରେ ତର୍ଜମା କରାଯାଇଛି । ତେବେ ତାଙ୍କ ଉତ୍ତରରେ ସୁପ୍ରିମ କୋର୍ଟ ସନ୍ତୁଷ୍ଟ ନହୋଇ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top