ବ୍ରିଟିଶ ରାଜରୁ ବିତ୍ତଶାଳୀ ରାଜ୍!

News Story - Posted on 2017-09-06

ଭାରତ ବର୍ଷରେ ବଢ଼ି ଚାଲିଛି ଆର୍ôଥକ ଅସମାନତା । ବ୍ରିଟିଶ ଶାସନଠାରୁ ବଢ଼ି ଗଲାଣି । ଏବେ ଦେଶର ମାତ୍ର ୧ ପ୍ରତିଶତ ସର୍ବୋଚ୍ଚ ଆୟକାରୀ ଦେଶର ୨୨ ପ୍ରତିଶତ ଆୟର ଅଧିକାରୀ ହୋଇଯାଇଛିନ୍ତି । ଅର୍ଥନୀତିଜ୍ଞ ଥମାସ ପିକେଟ୍ଟି ଓ ଲୁକାସ ଚାନ୍ସେଲ ପ୍ରକାଶ କରିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ସେମାନଙ୍କ ରିପୋର୍ଟ ଅନୁସାରେ ସ୍ୱାଧୀନତା ପରେ ୧୯୮୦ ଦଶକ ଯାଏଁ ଭାରତୀୟ ଲୋକଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଥିଲା । ତା’ ପରଠାରୁ ବୈଷମ୍ୟ ବୃଦ୍ଧି ପାଇଚାଲିଛି ।

 

୧୯୨୨ ମସିହାରେ ବ୍ରିଟିଶ ଶାସନ ଅଧୀନରେ ଆୟକର ଆଇନର ପରିକଳ୍ପନା କରାଯାଇଥିଲା । ଏହି ସମୟରେ ଭାରତର ୧ ପ୍ରତିଶତ ସର୍ବୋଚ୍ଚ ଆୟକାରୀ ଦେଶର ୨୧ ପ୍ରତିଶତ ଆୟର ଅଧିକାରୀ ଥିଲେ । କିନ୍ତୁ କାଳକ୍ରମେ ଏହା ହ୍ରାସ ପାଇଥିଲା । ୧୯୮୦ ଦଶକ ବେଳକୁ ଦେଶର ୧ ପ୍ରତିଶତ ସର୍ବୋଚ୍ଚ ଆୟକାରୀ ଦେଶର ୬ ପ୍ରତିଶତ ଆୟର ଅଧିକାରୀ ଥିଲେ । କିନ୍ତୁ ଏହା ପରଠାରୁ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ଏବେ ୨୨ ପ୍ରତିଶତରେ ପହଂଚି ଯାଇଛି ।

 

ଥମାସ ଓ ଲୁକାସଙ୍କର ଏହି ରିପୋର୍ଟର ଶୀର୍ଷକ ହେଉଛି ଇଣ୍ଡିଆନ ଇନ୍କମ୍ ଇନେକ୍ୱାଲିଟି, ୧୯୨୨-୨୦୧୪: ଫ୍ରମ ବ୍ରିଟିଶ ରାଜ ଟୁ ବିଲିଓନେୟାର ରାଜ୍ । ଏହି ରିପୋର୍ଟ ଅନୁସାରେ ୧୯୭୦ ଦଶକରୁ ୧୯୮୦ ମଧ୍ୟରେ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ଅତ୍ୟନ୍ତ ନିମ୍ନରେ ଥିଲା । ସେତେବେଳେ ପୃଥିବୀର ଅନେକ ପ୍ରମୁଖ ଅର୍ଥନୀତିରେ ମଧ୍ୟ ଏହି ଦୁରବସ୍ଥା ଲାଗି ରହିଥିଲା । ଆର୍ଥିକ ଅଭିବୃଦ୍ଧି ହାର କମ୍ ଥିଲେ ବି ଭାରତରେ ସେତେବେଳେ ଆର୍ଥିକ ବୈଷମ୍ୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଥିଲା ।

 

ଏହି ରିପୋର୍ଟ ଅନୁସାରେ ୧୯୮୦ରୁ ୨୦୧୪ ମଧ୍ୟରେ ଚୀନ ଓ ଫ୍ରାନ୍ସର ସର୍ବୋଚ୍ଚ ଆୟକାରୀ ୦.୧ ପ୍ରତିଶତଙ୍କ ଆୟ ୫୦ ପ୍ରତିଶତ ସର୍ବନିମ୍ନ ଆୟକାରୀଙ୍କ ଆୟଠାରୁ ୬ ଗୁଣ ଅଧିକ ହାରରେ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଭାରତର ସର୍ବୋଚ୍ଚ ଆୟକାରୀ ୧ ପ୍ରତିଶତଙ୍କ ଆୟ ସର୍ବନିମ୍ନ ଆୟକାରୀ ୫୦ ପ୍ରତିଶତଙ୍କ ତୁଳନାରେ ୧୩ ଗୁଣ ବୃଦ୍ଧି ପାଇଛି । ଆମେରିକାରେ ଏହି ହାର ହେଉଛି ୭୭ ଗୁଣ । ଥମାସ ଓ ଲୁକାସଙ୍କର ଏହି ରିପୋର୍ଟ ଭାରତରେ ଆର୍ଥିକ ବୈଷମ୍ୟ ଉପରେ ଆଲୋଚନା ପାଇଁ ଅନେକ ଖୋରାକ ଯୋଗାଇଛି । ଭାରତର ଦ୍ରୁତ ଆର୍ଥନୀତିକ ଅଭିବୃଦ୍ଧିର ସୁଫଳ ସବୁ ବର୍ଗର ଲୋକଙ୍କ ନିକଟରେ ପହଂଚୁନଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି ।

 

ଏ ଦୁଇ ଅର୍ଥନୀତିଜ୍ଞଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ସମଗ୍ର ବିଶ୍ୱରେ ଏହି ଦୁର୍ଭାଗ୍ୟଜନକ ବାସ୍ତବତାର ଚିତ୍ର ଆଙ୍କି ହୋଇଛି । ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସଙ୍ଗେସଙ୍ଗେ ଧନୀ ଓ ଗରୀବଙ୍କ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଛି । ତେବେ ଭାରତରେ ଏହି ପରିସ୍ଥିତି ଅଧିକ ଉକ୍ରଟ । ଏଠାରେ ସର୍ବୋଚ୍ଚ ଆୟକାରୀ ୧ ପ୍ରତିଶତ ଓ ସର୍ବନିମ୍ନ ଆୟକାରୀ ୫୦ ପ୍ରତିଶତଙ୍କ ଆୟ ଅଭିବୃଦ୍ଧି ମଧ୍ୟରେ ସର୍ବାଧିକ ବ୍ୟବଧାନ ସୃଷ୍ଟି ହୋଇଛି । ଏହି ଦୁଇ ଅର୍ତନୀତିଜ୍ଞଙ୍କ ହିସାବ ଅନୁସାରେ ୨୦୧୩-୧୪ ସୁଦ୍ଧା ଭାରତର ସର୍ବୋଚ୍ଚ ଆୟକାରୀ ୦.୧ ପ୍ରତିଶତଙ୍କ ସଂଖ୍ୟା ଥିଲା ମାତ୍ର ୮ ଲକ୍ଷ । ଏହା ଗୁରୁଗାଓଁର ଲୋକସଂଖ୍ୟାଠାରୁ ମଧ୍ୟ କମ୍ । ଏହି ସମୟରେ ଦେଶର ସର୍ବନିମ୍ନ ଆୟକାରୀ ୫୦ ପ୍ରତିଶତଙ୍କ ସଂଖ୍ୟା ଥିଲା ୩୮ କୋଟି ୯୦ ଲକ୍ଷ ।

 

ଏ ଦୁଇ ଅର୍ଥନୀତିଜ୍ଞ ସେମାନଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଭାରତରେ ଆୟ ବଣ୍ଟନର ତଥ୍ୟ ସରକାରଙ୍କ ନିକଟରେ ପ୍ରାୟତଃ ଉପଲବ୍ଧ ନୁହେଁ । ଏ ନେଇ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ଼ ଇକୋନୋମି ଆଣ୍ଡ ରିସର୍ଚ୍ଚ ବା ଏନସିଏଇଆର ତରଫରୁ ହୋଇଥିବା ଶେଷ ସର୍ଭେର ସମୟ ହେଉଛି ୨୦୦୪-୦୫ । ତା’ ପରଠାରୁ ଦିଲ୍ଲୀସ୍ଥିତ ଏହି ସରକାରୀ ସଂସ୍ଥା ଆଉ ଏ ବାବଦରେ ଅଧ୍ୟୟନ କରିନାହିଁ । ଭାରତ ଭଳି ଏକ ଦେଶରେ ଆୟ ବୈଷମ୍ୟ ବାହାର କରିବା ପାଇଁ ଆୟକର ତଥ୍ୟର ଆବଶ୍ୟକତା ନାହିଁ ବୋଲି ମତ ଦେଇଛନ୍ତି ନିତି ଆୟୋଗର ସଦସ୍ୟ ବିବେକ ଦେବରୟ ।

 

ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ବା ଏନଏସଏସର ତଥ୍ୟ ଅନୁସାରେ ୨୦୦୪-୦୫ ବର୍ଷରେ ଭାରତରେ ଆୟ ବୈଷମ୍ୟ ତୀବ୍ର ଗତିରେ ବୃଦ୍ଧି ପାଇଥିଲା । ତେବେ ଭାରତର ପୂର୍ବତନ ମୁଖ୍ୟ ପରିସଂଖ୍ୟକ ପ୍ରଣବ ସେନଙ୍କ ମତରେ ଏନଏସଏସ କେବଳ ଉପଭୋଗ ଆଧାରରେ ବୈଷମ୍ୟ ସ୍ଥିତି ଆକଳନ କରିଛି । ଏହି ପଦ୍ଧତିରେ ଆୟ ବୈଷମ୍ୟ ନେଇ ସଠିକ ତଥ୍ୟ ମିଳେ ନାହିଁ । ଆୟ ବୈଷମ୍ୟ ଜାଣିବାକୁ ହେଲେ ଆୟ ବଣ୍ଟନର ତଥ୍ୟ ନିହାତି ଦରକାର । ଆୟ ବଣ୍ଟନ ତଥ୍ୟ ବାହାର କଲେ ବୈଷମ୍ୟ ସ୍ଥିତି ଅଧିକ ଖରାପ ଜଣାପଡ଼ିବ । ପ୍ରଣବଙ୍କ ମତରେ ଆର୍ଥିକ ଅଭିବୃଦ୍ଧି ଭାରତର ଦାରିଦ୍ର୍ୟ ହ୍ରାସ କରିଛି କିନ୍ତୁ ଏହା ଆର୍ôଥକ ବୈଷମ୍ୟ ବୃଦ୍ଧି କରିବାରେ ସହାୟକ ହୋଇଛି ।

 

ଅର୍ଥନୀତିଜ୍ଞ ଥମାସ ଓ ଲୁକାସଙ୍କ ମତରେ ୧୯୮୦ରୁ ୨୦୧୪ ମଧ୍ୟରେ ଭାରତରେ ମଧ୍ୟବିତ୍ତ ଶ୍ରେଣୀର ଉତ୍ଥାନ ଘଟିଛି । ଏହି ସମୟ ମଧ୍ୟରେ ଆର୍ଥିକ ଉଦାରୀକରଣ ନିଷ୍ପତ୍ତି ନିଆଯାଇଛି ଓ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି । କିନ୍ତୁ ଉଜ୍ଜ୍ୱଳ ଭାରତ କେବଳ ସର୍ବୋଚ୍ଚ ୧୦ ପ୍ରତିଶତ ଲୋକଙ୍କୁ ପ୍ରତିନିଧିତ୍ୱ କରିଛି । ୨୦୧୪ ହିସାବରେ ଏମାନଙ୍କ ସଂଖ୍ୟା ହେଉଛି ମାତ୍ର ୮୦ ନିୟୁତ । ଏହା ସହିତ ୪୦ ପ୍ରତିଶତ ମଧ୍ୟମ ବର୍ଗର କୌଣସି ସଂପର୍କ ନାହିଁ । ଏମାନଙ୍କ ମତରେ ୧୯୫୧-୨୦୧୪ ମଧ୍ୟରେ ହିଁ ଏହି ୪୦ ପ୍ରତିଶତ ମଧ୍ୟମ ବର୍ଗ ଅଭିବୃଦ୍ଧିର ୪୯ ପ୍ରତିଶତ ଅଂଶୀଦାର ହୋଇଥିଲେ । ପରବର୍ତ୍ତୀ ୪ ଦଶନ୍ଧିରେ ଏମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top