ଦେଶ ବଦଳୁଛି, ବଦଳୁ ନାହାନ୍ତିି ନେତା

News Story - Posted on 2017-09-03

ସୂର୍ଯ୍ୟମଣି ମିଶ୍ର

 

ଏହା ମଧ୍ୟରେ ସେନାବାହିନୀର ପୂର୍ବତନ ଲେପ୍ଟନାଣ୍ଟ୍‍ କର୍ଣ୍ଣେଲ୍‍ ଇଏନ୍‍ ଅମ୍ବ୍‍ରେ, ବ୍ରିଗେଡିୟର ଭି.କେ.ଏସ୍‍.ଆଣ୍ଟୋନୀ, ମେଜର ଏନ୍‍.କେ.ଆପ୍‍ଟେ, କର୍ଣ୍ଣେଲ୍‍ ସି.ଟି.ଆର୍‍ସୁ, କର୍ଣ୍ଣେଲ୍‍ ଭି.ନନ୍ଦଗୋପାଲ, କର୍ଣ୍ଣେଲ୍‍ ଭି.ଗୋବିନ୍ଦ ରାଜନ୍‍, ମେଜର ଜି.ଏନ୍‍.ମିଶ୍ର, କର୍ଣ୍ଣେଲ୍‍ ଟି.ଏନ୍‍.ରହେମାନ୍‍ ପ୍ରମୁଖ ୧୧୪ ଜଣ ଭାରତୀୟ ସେନାବାହିନୀର ପୂର୍ବତନ ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀ, ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଲେପ୍ଟେନାଣ୍ଟ୍‍ ଗଭର୍ଣ୍ଣରଙ୍କୁ ଖୋଲା ଚିଠି ମାଧ୍ୟମରେ ଦେଶରେ ଦେଖାଦେଇଥିବା ଧାର୍ମିକ ଉନ୍ମାଦନାକୁ ନେଇ ଉଦ୍‍ବେଗ ପ୍ରକାଶ କରିବା ସହ ଦେଶର ବିବିଧତାର ଏକତାକୁ ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।

 

ସେନାବାହିନୀର ପୂର୍ବତନ ଏହି ଅଧିକାରୀମାନେ କାହିଁକି ଏପରି ଖୋଲା ଚିଠି ଲେଖିଲେ? କ’ଣ ଦେଖିପାରିଛନ୍ତି ଯେଉଁଥିପାଇଁ ସେମାନଙ୍କ ଭିତରେ ଉଦ୍‍ବେଗ ସୃଷ୍ଟି ହୋଇଛି? ଏହି ଅବସରପ୍ରାପ୍ତ ସେନା ଅଧିକାରୀମାନେ ଲେଖିଥିବା ଚିଠି ଉପରେ ଆଖି ପକାଇଲେ ସ୍ପଷ୍ଟ ଜଣାପଡ଼େ ଯେ, ଦେଶରେ ହିନ୍ଦୁତ୍ୱ ନାମରେ ଉନ୍ମାଦ ସୃଷ୍ଟି ହୋଇଛି । ମୁସଲିମ୍‍ ଓ ଦଳିତ ଆକ୍ରମଣର ଶିକାର ହେଉଛନ୍ତି । ଏକ ସୁସ୍ଥ, ସମୃଦ୍ଧ ଭାରତ ନିର୍ମାଣରେ ସାମ୍ପ୍ରଦାୟିକତା ଏକ ଆହ୍ୱାନର ପ୍ରସଙ୍ଗ ହୋଇଛି । ବିଜେପି, ଶିବସେନା, ଅକାଳିଦଳ ଏବଂ ମୁସଲିମ୍‍ ଲିଗ ଭଳି ଦଳ ଓ ସଂଗଠନ ଦେଶରେ ସାମ୍ପ୍ରଦାୟିକତାକୁ ଏଜେଣ୍ଡା ଭାବେ ଗ୍ରହଣ କରି ଉତ୍ତେଜନାର ବାତାବରଣ ତିଆରି କରିଛନ୍ତି । ଏହା ପଛରେ ରହିଛି ନେତାଙ୍କ ମନରେ ଥିବା କ୍ଷମତାର ଦୁର୍ବାର କ୍ଷୁଧା । ବିରୋଧୀ କଂଗ୍ରେସ ଦଳର ଜଣେ ନେତା ନିକଟରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ୨୦୧୯ରେ ଯଦି ବିଜେପି ବିଜୟୀ ହୁଏ ତେବେ ସମ୍ବିଧାନ ସଂଶୋଧନ କରି ଭାରତକୁ ଏକ ହିନ୍ଦୁରାଷ୍ଟ୍ର ଭାବେ ଗଠନ କରିବାର ଯେଉଁ ସ୍ୱପ୍ନ ଆର୍‍ଏସ୍‍ଏସ୍‍ ଦେଖିଛି ତାହା ସାକାର ହେବ । ହୁଏତ କଂଗ୍ରେସ ନେତାଙ୍କ ଏହି ଉକ୍ତିକୁ ସଂଘ ପରିବାର ପକ୍ଷରୁ ଖଣ୍ଡନ କରାଯାଇନାହିଁ । କେବଳ ଅଣବିଜେପି ଦଳ ପକ୍ଷରୁ ଥରକୁଥର ଗୋଟିଏ ଅଭିଯୋଗ ଶୁଣିବାକୁ ମିଳୁଛି ତାହା ହେଲା ଦେଶରେ ଧାର୍ମିକ ଫାସିଷ୍ଟ୍‍ ଶକ୍ତିର ଅଭ୍ୟୁଦୟ ଘଟିଛି ।

 

ଜର୍ମାନରେ ହିଟଲର ଯେପରି କୌଶଳକୁ ଆପଣେଇ ଶାସନ କ୍ଷମତା ଦଖଲ କରିଥିଲେ ସେହି ଫର୍ମୁଲାକୁ ଆପଣେଇଛି ବିଜେପି । ରାଷ୍ଟ୍ରବାଦ ନାମରେ ହିନ୍ଦୁ ଜାତୀୟତାବାଦର ଧ୍ୱଜାକୁ ଉଦ୍ଧ୍ୱର୍କୁ ତୋଳି ଧରିବା ପାଇଁ ସଂଘ ପରିବାର ଅହରହ ଚେଷ୍ଟା ଚଳାଇଛି । ଦେଶ ବଦଳୁଛି, କିନ୍ତୁ ଦେଶବାସୀଙ୍କର ପରିବର୍ତ୍ତନ ଯାହା ସାମାଜିକ ଓ ଆର୍ଥିକ ସ୍ତରରେ ହେବା କଥା ତାହା ଅଧୁରା ହୋଇ ରହିଛି । ଦୁଃଖର ପାହାଡ଼ ଦୂର ହେଉନି ପୁରୁଷ ପୁରୁଷ ଧରି । ବଞ୍ôଚବା ମରିବା ପ୍ରାୟ ସମାନ ସ୍ଥିତିରେ ୭୦ ପ୍ରତିଶତରୁ ଅଧିକ ଲୋକ ପ୍ରତିଦିନ ଦିନ ବିତାଉଛନ୍ତି । ଦାନ ମାଝି ନିକଟ ଅତୀତରେ ସୂଚାଇ ଦେଇଛନ୍ତି ଦେଶ କିପରି ବଦଳୁଛି । ପାହାଡ଼ ପଥର, ଦେବାଦେବୀ ବି ପଥରରେ ତିଆରି ଦୂର ହେବ ବା କିପରି ଦେଶର ଦୁର୍ଦ୍ଦଶା? ଭୋକ, ଗରିବୀ, ଛୁଆଁଛୁଇଁ, ଜାତିଆଣା ଭେଦଭାବ, ଧର୍ମର କନ୍ଦଳ ଏବଂ ହତ୍ୟା ଆତ୍ମହତ୍ୟା ଭଳି ଘଟଣାର ପରିବର୍ତ୍ତନ ଘଟୁଥିବା ଦେଶବାସୀ ଦେଖିପାରୁନାହାନ୍ତି । ସୂର୍ଯ୍ୟ ଉଦୟ ହୁଅନ୍ତି ଅସ୍ତଯାନ୍ତି, ପୁଣି ଉଦୟ ହୁଅନ୍ତି, କିନ୍ତୁ ମଣିଷର ଆୟୁ କମିଯାଏ ସିନା ଆଉ ବଢିପାରେନାହିଁ । ଏହିପରି ସ୍ଥିତିରେ ଦେଶର ସଂଖ୍ୟାଧିକ ଲୋକଙ୍କର ଦୁର୍ଦ୍ଦଶାର ପରିବର୍ତ୍ତନ ହେଉନାହିଁ ।

 

କେହି କ’ଣ ଭୁଲିପାରିବେ ୮ନଭେମ୍ବର, ୨୦୧୬ ସନ୍ଧ୍ୟା ୮ଟାର ସମୟକୁ । ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଦେଶବାସୀଙ୍କୁ ଉଦ୍‍ବୋଧନ ଦେଇ ହଜାର, ପାଞ୍ଚଶହ ଟଙ୍କାର ନୋଟ୍‍ ଅଚଳ ହେଲା ବୋଲି ଘୋଷଣା କରିଥିଲେ । ଦୁଇହାତ ଟେକି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଥିଲେ ଦେଶରେ କଳାଟଙ୍କା ଅର୍ଜନ ଓ ଜାଲ୍‍ ନୋଟ କାରବାରର ଯୁଗ ଶେଷ ପାଇଁ ସରକାରଙ୍କର ଏହି ବିମୁଦ୍ରୀକରଣ ପଦକ୍ଷେପ । ପ୍ରଚଳିତ ଟଙ୍କା ମଧ୍ୟରୁ ୮୬ ପ୍ରତିଶତ ରଦ୍ଦି କାଗଜ ହୋଇଗଲା । ଚମକ୍ରାର ରାଜନୈତିକ ଯାଦୁକରଙ୍କର ଉଜ୍ଜ୍ୱଳ ଚିତ୍ର ଦେଶବାସୀ ଏବେବି ଦେଖୁଛନ୍ତି, ଏବଂ ଦେଶର ସମସ୍ତ ଗରିବ ବ୍ୟାଙ୍କକୁ ଯାଇ ଖୋଜୁଛନ୍ତି ତାଙ୍କ ଜମା ଖାତାରେ ୧୫ ଲକ୍ଷ ଟଙ୍କା ଆସିଛି କି ନାହିଁ । ଥରକୁଥର ନିରାଶ ହୋଇ ଫେରୁଛନ୍ତି । ପ୍ରଧାନମନ୍ତ୍ରୀ ଭରଷା ଦେଇଥିଲେ, ବିଶ୍ୱାସ ସୃଷ୍ଟି କରିଥିଲେ ଦୁର୍ଦ୍ଦଶାର ଯୁଗ ଶେଷ ହେବ । କିନ୍ତୁ କଳାଟଙ୍କା କାରବାର ବନ୍ଦ ହୋଇଥିବା ନେଇ ସରକାର ଆଜିଯାଏ ଦାବି କରିପାରିଲେ ନାହିଁ । ଦେଶରୁ ଆତଙ୍କବାଦର ଭୟ ଦୂର ହୋଇନାହିଁ । ସଙ୍ଘୀ ପାଠଶାଳାରୁ ତିଆରି ହୋଇଥିବା ଏହି ଯାଦୁକର ଦିମାକରୁ ଉତ୍ପନ୍ନ ହୋଇଥିବା ମଣିଷ ମନକୁ ଭୁଲାଇବା ଭଳି କୌଶଳ ଆଉ କୌଣସି ନେତାଙ୍କ ଏବେ ଦେଖିବାକୁ ମିଳିପାରିନାହିଁ ।

 

ଧର୍ମକୁ ନେଇ ଭାରତ ଦିଫାଳ ହେଲା । ଭାରତରୁ ଜନ୍ମ ନେଲା ପାକିସ୍ତାନ, ତଥାପି ଭାରତୀୟ ଭୋଟଜୀବୀ ନେତାଙ୍କ ମଗଜରେ ସଦ୍‍ବୁଦ୍ଧି ଦେଖିବାକୁ ମିଳିପାରିନାହିଁ । ଆଜିବି ସେହି ଧର୍ମନାମରେ ଚାଲିଛି ହଣାକଟା । ହୁଏତ ୩୦୦୦ ବର୍ଷ ଧରି ଦେଶକୁ ଶାସନ କରିଥିବା ବ୍ରିଟିଶ ରାଜ୍‍ ସମୟରେ ଯେଭଳି ଦୁର୍ଭିକ୍ଷ ଦେଖିବାକୁ ମିଳିଥିଲା ତାହା କିନ୍ତୁ ଆଜି ଦିନରେ ଦେଖିବାକୁ ମିଳୁନାହିଁ । କିନ୍ତୁ ଦେଶରୁ ଭୟ, ଭୋକ ଏବଂ ଭ୍ରଷ୍ଟାଚାର ଯେଭଳି ଥିଲା ସେହିଭଳି ତାଠାରୁ ଅଧିକ ଦେଖିବାକୁ ମିଳୁଛି । ପାଜି, ଖଣ୍ଟ ଓ ଡକାୟତଙ୍କ ସଂଖ୍ୟା ହ୍ରାସ ପାଇନାହିଁ ।

 

ଦେଶର ସାଧାରଣ ବଜେଟର ଦୁଇଦିନ ପୂର୍ବରୁ ବାର୍ଷିକ ଅର୍ଥନୈତିକ ରିପୋର୍ଟ ଆଗତ ହେଉଛି । ଏହି ରିପୋର୍ଟ ଦେଶବାସୀଙ୍କ ଆର୍ଥିକ ସ୍ଥିତିକୁ ବଦଳାଇବାରେ (୮୦ଭାଗରୁ ଅଧିକ)ସରକାର ସମର୍ଥ ହେଉନାହାନ୍ତି । ଆର୍ଥିକ ବିଚାର କେତେ ଅଦୂରଦର୍ଶୀ ସରକାରଙ୍କର ତାହା ଏହି ରିପୋର୍ଟ ଉପରେ ଆଖି ପକାଇଲେ ଜଣାପଡ଼େ । ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁଁ ଦେଶର ଜିଡିପି (ଘରୋଇ ଉତ୍ପାଦ)ହାର ହ୍ରାସ ପାଉଛି । ଧନୀ ମହାଧନୀ ହେଉଛନ୍ତି, ଗରିବ ଆହୁରି ଗରିବ ହେଉଛନ୍ତି । ମାନବ ବିକାଶ ସୂଚକାଙ୍କ ୨୦୧୬ ରିପୋର୍ଟ ଅନୁଯାୟୀ ଭାରତ ବିଶ୍ୱର ୧୩୦ ଟି ଦେଶ ତଳେ ରହିଛି । ଗତ ସୂଚାଙ୍କରେ ୧୨୯ଟି ଦେଶ ତଳେ ଥିଲା । ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର ।

 

ରାଷ୍ଟ୍ରର ଦାୟିତ୍ୱ ହେଉଛି ସମସ୍ତଙ୍କୁ ଉନ୍ନତମାନର ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା । କିନ୍ତୁ ସରକାର ଏଥିରେ ବିଫଳ । ହେଲ୍‍ଥ କେୟାର ଆକ୍ସେସ୍‍ ଇଣ୍ଡେକ୍ସର ସଦ୍ୟତମ ସୂଚନା ଅନୁଯାୟୀ ବିଶ୍ୱର ୧୫୩ଟି ଦେଶ ତଳେ ଭାରତ ରହିଛି । ଅର୍ଥାତ୍‍ ଭାରତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ୧୫୪ତମ ସ୍ଥାନରେ । ପୂର୍ବରୁ ୧୪୩ତମ ସ୍ଥାନରେ ଥିଲା । ବିଶ୍ୱ କ୍ଷୁଧା ସୂଚକାଙ୍କ ୨୦୧୬ ଅନୁଯାୟୀ ୧୧୮ ଟି ଦେଶ ମଧ୍ୟରେ ୫୭ତମ ସ୍ଥାନରେ । ୨୦୧୫ରେ ୮୦ତମ ସ୍ଥାନରେ ଥିଲା । ଏହିପରି ନିରନ୍ତର ବିକାଶ ସୂଚକାଙ୍କରେ ଭାରତ ୧୧୬ଟି ଦେଶ ତଳେ ରହିଛି । ସାମାଜିକ ବିକାଶ ସୂଚାଙ୍କରେ ଭାରତ ୧୦୦ଟି ଦେଶ ପଛରେ ରହିଛି । ଏହି ବିଶ୍ୱ ସୁଖୀ ଦେଶ ସୂଚକାଙ୍କରେ ୧୨୧ଟି ଦେଶ ତଳେ ରହିଛି । ବିଶ୍ୱ ଶାନ୍ତି ସୂଚାଙ୍କରେ ୧୩୬ ଟି ଦେଶ ତଳେ ରହିଛି ।

 

ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୧୫ ବର୍ଷରେ ୩୨୭୩୯୪ଟି ମହିଳା ବିରୋଧୀ ହିଂସା ଘଟଣା ଘଟିଥିଲା । ବିଶ୍ୱ ଲିଙ୍ଗ ବୈଷମ୍ୟ ସୂଚକାଙ୍କରେ ଭାରତ ୪୬ଟି ଦେଶ ତଳେ ରହିଛି । କ୍ରିତଦାସ ସୂଚାଙ୍କ ଅର୍ଥାତ୍‍ (ମଣିଷ ଚାଲାଣ, ଗୋତି ଶ୍ରମିକ, ଋଣ ଜାଲରେ ଛଟପଟ ହେଉଥିବା ଲୋକ, ବାଲ୍ୟବିବାହ, ଯୌନ ଶୋଷଣ ଭଳି କାର୍ଯ୍ୟରେ) ବିଶ୍ୱର ୧୭୬ଟି ଦେଶ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଭଲ ଦେଶ ତାଲିକାରେ ଭାରତ ୧୬୩ଟି ଦେଶ ମଧ୍ୟରେ ୭୦ ତମ ସ୍ଥାନରେ । ହ୍ୟୁମାନ କ୍ୟାପିଟାଲର ଉପଯୋଗରେ ଭାରତ ୧୩୦ଟି ଦେଶ ମଧ୍ୟରେ ୧୦୫ ସ୍ଥାନରେ । ୨୦ ଜଣ ଧନୀ ଭାରତୀୟ ଦେଶର ୧୦ ପ୍ରତିଶତ ଜିଡ଼ିପିର ମାଲିକ । ଇଣ୍ଡିଆନ୍‍ ଇକୋନୋମିକ୍‍ କଞ୍ଜୁମର୍‍ ପିରାମିଡ୍‍ସ ହାଉସ୍‍ ହୋଲ୍ଡ ସର୍ଭେ ଅନୁଯାୟୀ ଦେଶରେ ୧୫ ଲକ୍ଷ ନିଯୁକ୍ତି ହ୍ରାସ ପାଇଛି । ବର୍ଷକୁ ୧୨ ହଜାର ଚାଷୀ (ଅନ୍ନଦାତା) ଆତ୍ମହତ୍ୟା କରୁଛନ୍ତି । ପ୍ରତିବର୍ଷ ୯୨ ହଜାର କୋଟି ଟଙ୍କାର ଖାଦ୍ୟ ଶସ୍ୟ ନଷ୍ଟ ହେଉଛି ।

 

ନିକଟରେ ଫୋବର୍ସର ରିପୋର୍ଟ ଅନୁଯାୟୀ ଭାରତ ଏକ ଦୁର୍ନୀତିଗ୍ରସ୍ତ ତାଲିକାରେ ଯୋଡ଼ି ହୋଇଛି । ଗଣମାଧ୍ୟମ ସ୍ୱାଧୀନତାରେ ଭାରତ ୧୩୫ଟି ଦେଶ ତଳେ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବହୁଳ ପ୍ରଚାରିତ ସ୍ଲୋଗାନ ହେଲା ଦେଶ ବଦଳୁଛି । ହଁ ଏହା ମିଛ ନୁହେଁ । ଦେଶ ବଦଳୁଛି । ଭୟରେ ପ୍ରତିଟି ସାଧାରଣ ନାଗରିକ ପ୍ରତିଦିନ ଶଙ୍କାଗ୍ରସ୍ତ । ଏହା ଦେଶ ଦେଶବଦଳୁଥିବାର ଚିତ୍ର । କ୍ଷମତାର ଡୋରକୁ ହାତମୁଠାରେ ଜାବୁଡ଼ି ଧରି ରଖିବା ପାଇଁ ଗୋଟିଏ ଦଳ ଆଉ ଗୋଟିଏ ଦଳ ସହ ପ୍ରତିଯୋଗିତା ଚଳାଇଛି । ହୁଏତ ଏହି ପ୍ରତିଯୋଗିତାରେ ଏବେ ବିଜେପି ସର୍ବାଗ୍ରେ । ଏହା ପଛକୁ କଂଗ୍ରେସ ହୁଏତ ରହିଛି । ଏଭଳି ପ୍ରତିଯୋଗିତାରେ କ’ଣ ଭୋକିଲା ଓ ଗରିବୀ ମଣିଷର ଦୁଃଖ ଦୂର ହୋଇପାରିବ? ତା’ ଦୁର୍ଦ୍ଦଶାର ପରିବର୍ତ୍ତନ ଘଟିପାରିବ ?

 

ନେତା ସୁରକ୍ଷାର ବଳୟରେ ଆତଯାତ ହେଉଛନ୍ତି । ଭଗବାନଙ୍କ ଭଳି ଭକ୍ତମାନେ ତାଙ୍କର ପୂଜା କରୁଛନ୍ତି ଫୁଲହାର ଦେଇ । ଜିନ୍ଦାବାଦ୍‍ ଶୁଣାଯାଉଛି, ପ୍ରଶଂସା ଗୋଟାଇବାର ପ୍ରତିଯୋଗିତା ବି ଜୋର୍‍ଦାର ହେଉଛି । ଏହା ମଧ୍ୟ ଦେଇ ସାଧାରଣ ନାଗରିକଟିଏ ଖୋଜୁଛି ତାର ସାମ୍ବିଧାନିକ ବଞ୍ôଚବାର ଅଧିକାର । ହୁଏତ ଇଂରେଜ ଭାରତୀୟଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ଦେଇଥିଲା । ଡରିଲେ ଡରାଇବେ ବୋଲି ହୁଏତ ବିଳମ୍ବରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଅନେକ ସଂଗ୍ରାମୀ ମତ ଦେଇଥିଲେ । କିନ୍ତୁ ଆଜି ଦିନରେ ସ୍ୱାଧୀନ ଭାରତର ଭାରତୀୟଙ୍କ ଆତ୍ମବିଶ୍ୱାସକୁ କିଏ ଭାଙ୍ଗୁଛି । ଏ ସଂପର୍କରେ ସମୀକ୍ଷାର ସମୟ ଆସିଛି । ହୁଏତ ସ୍ୱାଧୀନତା ସଂଗ୍ରାମ ସମୟର ନୀତି ଓ ନୈତିକତାକୁ ଆଧାର କରି ସଂଗ୍ରାମର ଡାକରା ଦେଇଥିବା ନେତାଙ୍କର ଅଭାବ ରହିଛି । ଆଜି ଦେଶବାସୀଙ୍କ ପାଇଁ ଶାସନ କଳର ନିୟନ୍ତ୍ରଣ କରୁଥିବା ଶାସକ ଓ ପ୍ରଶାସକଙ୍କ ଭାବ, ଭାଷା, ବ୍ୟବସାୟ ଓ ଆକ୍ରମଣକୁ ବୁଝିବାର ସମୟ ଆସିଛି । ପୁଞ୍ଜିବାଦୀ ଅର୍ଥନୀତି, ଜଗତୀକରଣର ପ୍ରତିକୂଳ ପ୍ରଭାବରେ ଦରିଦ୍ରରୁ ଦରିଦ୍ର ହେଉଥିବା ଲୋକମାନେ ନିଜ ସମସ୍ୟାକୁ ନିଜେ ବୁଝିବା ପାଇଁ ଏକାଠି ହେବାର ସମୟ ଆସିଛି । ଭୟ ଓ ହିଂସାରୁ ହିଁ ଅସହିଷ୍ଣୁତାର ଜନ୍ମ ।

 

ଏହି ଅସହିଷ୍ଣୁତା ରାସ୍ତା ଦେଇ ଶାସକଶ୍ରେଣୀ ଜନମତକୁ ଭାଙ୍ଗିବା ପାଇଁ ସଦା ଉଦ୍ୟମରତ । ଏଥିପାଇଁ କୌଶଳ ବି ଆପଣଉଛି । ବିଶ୍ୱ ପୁଞ୍ଜିବାଦ ଶକ୍ତି ଏହି କୌଶଳ ସହ ସମ୍ପୃକ୍ତ । ଯେଉଁଥିପାଇଁ ନିର୍ବାଚନ ଅବାଧ ଓ ନିରପେକ୍ଷ ହୋଇପାରୁନାହିଁ । ଧନବଳ, ବାହୁବଳ ଦ୍ୱାରା ଅପରାଧର ରାସ୍ତାକୁ ଆପଣେଇ ଅନେକ ନିର୍ବାଚନ ଜିତୁଛନ୍ତି । ଏହାହିଁ ପୁଞ୍ଜିବାଦର ସ୍ୱରୂପ । ପୁଞ୍ଜିବାଦର ଅନ୍ୟଏକ ରୂପ ହେଲା ଫାଶିବାଦ । ଏହାକୁ ଆପଣେଇ ହିଁ ଶାସନକୁ ନିରଙ୍କୁଶ ରଖାଯାଇପାରେ । ଏହାକୁ ବୁଝିଛନ୍ତି ପୁଞ୍ଜିବାଦୀ ଶାସକଶ୍ରେଣୀ । କେବଳ ବିଜେପି ନୁହେଁ, ଦେଶର ଜଗତୀକରଣ ଅର୍ଥନୀତିକୁ ଆପଣେଇଥିବା ସମସ୍ତ ପୁଞ୍ଜିବାଦ ସପକ୍ଷ ରାଜନୈତିକ ଦଳ ଦେଶରୁ ଆର୍ଥିକ ଅସମାନତା ଲୋପ ହେଉ ଚାହାନ୍ତିନି । ସେମାନେ ମଧ୍ୟ ଚାହାନ୍ତିନି ଦେଶର ସମସ୍ତ ପ୍ରଗତିଶୀଳ ଶକ୍ତି ଏକାଠି ହୁଅନ୍ତୁ । ଭାଗଭାଗରେ ହିଁ ପୁଞ୍ଜିବାଦ ତାର ପୁଞ୍ଜି ସଂଗ୍ରହର ଲକ୍ଷ୍ୟକୁ ସଫଳ କରିଥାଏ । ଏହା ଫଳରେ ହିଁ ଦେଶରେ ସମତା-ଏକତା ବଜାୟ ରହିପାରେ ନାହିଁ । ଯାହା ଆଜି ଭାରତ ବର୍ଷରେ ଦେଖିବାକୁ ମିଳିଛି । ଏହି ସମୟରେ ଦେଶ ବଦଳୁଛି କିନ୍ତୁ ବଦଳୁନି ସଂଖ୍ୟାଧିକ ଦେଶବାସୀଙ୍କ ଦୁର୍ଦ୍ଦଶା । ଏହାର କାରଣ ଓ ନିରାକରଣର ମାର୍ଗକୁ ଖୋଜିବାର ସମୟ ଓ କାର୍ଯ୍ୟକାରୀ କରିବାର ସମୟ ଆସିଛି । ଏହା ହୋଇପାରିଲେ ହିଁ ନେତାଙ୍କ ମନରେ ଥିବା କ୍ଷମତାର ଦୁର୍ବାର କ୍ଷୁଧା ଦୂର ହୋଇପାରିବ ଓ ଦେଶ ସମତାଭିତ୍ତିକ ରାଷ୍ଟ୍ର ହୋଇପାରିବ ।

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top