ଗଲେ ୬, ହେଲେ ୯

News Story - Posted on 2017-09-03

ଶେଷ ହୋଇଛି ମୋଦି ମନ୍ତ୍ରିମଣ୍ଡଳର ତୃତୀୟ ସଂପ୍ରସାରଣ । ଏହି ପ୍ରକ୍ରିୟାରେ ୪ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ନୂଆ କରି ୯ ଜଣଙ୍କୁ ରାଷ୍ଟ୍ର ସାମିଲ କରାଯାଇଛି । ଏହି ୧୩ ଜଣ ମନ୍ତ୍ରୀଙ୍କୁ ଆଜି ରାଷ୍ଟ୍ରପତି ଭବନର ଅଭିଷେକ ହଲ୍ରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

 

କେବଳ ବିଜେପିର ନେତାମାନଙ୍କୁ ନେଇ ନିଜ ମନ୍ତ୍ରିମଣ୍ଡଳର ତୃତୀୟ ସଂପ୍ରସାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆକରି ଏନଡିଏରେ ସାମିଲ ହୋଇଥିବା ସଂଯୁକ୍ତ ଜନତା ଦଳ ଓ ଏଆଇଏଡିଏମକେର କୌଣସି ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ । ଏପରି ହେବ ବୋଲି ପୂର୍ବରୁ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ସେହିପରି ଶିବସେନାର ଆଶାୟୀମାନଙ୍କୁ ମଧ୍ୟ ନିରାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

 

ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ପୀୟୁଷ ଗୋୟେଲ, ନିର୍ମଳା ସୀତାରମଣ ଏବଂ ମୁକ୍ତାର ଆବାସ ନକଭି । ଏମାନେ ସମସ୍ତେ ରାଷ୍ଟ୍ର ମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱରେ ଥିଲେ । ଏମାନଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ଥିବା ପ୍ରଧାନମନ୍ତ୍ରୀ ମୋଦି ଏହି ଚାରି ଜଣଙ୍କୁ ପଦୋନ୍ନତି ଦେବା ସହିତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପ୍ରଦାନ କରିଛନ୍ତି । ରାଜ୍ୟସଭାରେ ବିହାରକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ନେତା ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରଣାଳୟର ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଥିଲେ । ଏବେ ସେ ସେହି ବିଭାଗର କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଏହା ସହିତ ତାଙ୍କୁ ଅତିରିକ୍ତ ଭାବେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ମଧ୍ୟ ମିଳିଛି ।
ସେହିପରି ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଥିôବା ନିର୍ମଳା ସୀତାରମଣଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯିବା ପରେ ତାଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି । ମୁକ୍ତାର ଆବାସ ନକଭି ରାଷ୍ଟ୍ରମନ୍ତ୍ରୀ ଭାବେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ । ତାଙ୍କୁ ସେହି ମନ୍ତ୍ରଣାଳୟର କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେହିପରି କୋଇଲା ରାଷ୍ଟ୍ରମନ୍ତ୍ରୀ ପୀୟୁଷ ଗୋୟେଲଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯିବା ସହିତ କୋଇଲା ସହିତ ରେଳ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ପୂର୍ବର ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟକୁ ବଦଳି କରାଯାଇଛି ।

 

କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ପାଇଥିବା ଏହି ଚାରି ଜଣ ମନ୍ତ୍ରୀଙ୍କ ସମେତ ଅନ୍ୟ ୯ ଜଣଙ୍କୁ ନୂଆକରି ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯାଇଛି । ସେମାନେ ହେଲେ ହରଦୀପ ସିଂହ ପୁରୀ, କେ. ଜେ. ଆଲଫୋନ୍ସୋ, ଅନନ୍ତ କୁମାର ହେଗଡ଼େ, ରାଜ କୁମାର ସିଂହ, ଗଜେନ୍ଦ୍ର ସିଂହ ଶେଖାବତ, ସତ୍ୟପାଲ ସିଂହ, ଶିବ ପ୍ରତାପ ଶୁକ୍ଳା, ଅଶ୍ୱିନୀ ଚୌବେ ଏବଂ ବୀରେନ୍ଦ୍ର କୁମାର । ଏମାନଙ୍କ ମଧ୍ୟରୁ ପୁରୀ ଓ ଆଲ୍ଫୋନ୍ସୋ ଏବେ ସଂସଦ ସଦସ୍ୟ ନାହାନ୍ତି । ପୁରୀ ଜଣେ ଶିଖ ଓ ଆଲଫୋନ୍ସୋ ଖୀରସ୍ତାନ । ପୁରୀ ପଂଜାବର ଓ ଆଲଫୋନ୍ସୋ କେରଳର ।

 

ଏମାନଙ୍କ ମଧ୍ୟରୁ ହରଦୀପ ସିଂହ ପୁରୀ, ରାଜ କୁମାର ସିଂହ ଏବଂ କେଜେ ଆଲ୍ଫୋନ୍ସୋଙ୍କୁ ରାଷ୍ଟ୍ର ପାହ୍ୟାର ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ କାର୍ଯ୍ୟ କରିଥିବା ପୂର୍ବରତନ ଆଇଏଫଏସ ଅଧିକାରୀ ପୁରୀଙ୍କୁ ଗୃହ ଯୋଗାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ସେହିପରି ପୂର୍ବତନ ସ୍ୱରାଷ୍ଟ୍ର ସଚିବ ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ରାଜ କୁମାର ସିଂହଙ୍କୁ ଶକ୍ତି ମନ୍ତ୍ରଣାଳୟ ସହତ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସ୍ୱାଧୀନ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦ ମିଳିଛି । ସରକାରୀ ସେବାରେ ଥିଲାବେଳେ ଆରକେ ସିଂହ ବିଜେପିର ପିତାମହ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ବିହାରରେ ଗିରଫ କରିଥିଲେ । ସେ ଏବେ ବିହାରର ଆରାହର ଲୋକସଭା ସଦସ୍ୟ । କେ.ଜେ. ଆଲ୍ଫୋନ୍ସୋ ମଧ୍ୟ ଜଣେ ପୂର୍ବତନ ଆଇଏଏସ ଅଧିକାରୀ । ତାଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟର ସ୍ୱାଧୀନ ପାହ୍ୟା ରାଷ୍ଟ୍ର ମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଛି । ଏହା ସହିତ ତାଙ୍କୁ ଅତିରିକ୍ତ ଭାବେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରପାହ୍ୟା ଦାୟିତ୍ୱ ମିଳିଛି ।

 

ଉତ୍ତର ପ୍ରଦେଶର ବାଘପତରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ଆଇପିଏସ ଅଫିସର ତଥା ମୁମ୍ବାଇ ଓ ପୁନେର ପୂର୍ବତନ ପୁଲିସ କମିଶନର ସତ୍ୟପାଲ ସିଂହଙ୍କୁ ମାନବ ସମ୍ବଳ ବିକାଶ, ଜଳ ସଂପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି । ସେହିପରି ଉତ୍ତର ପ୍ରଦେଶର ରାଜ୍ୟସଭା ସଦସ୍ୟ ଶିବ ପ୍ରତାପ ଶୁକ୍ଳାଙ୍କୁ ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ର ପାହ୍ୟା ଦାୟିତ୍ୱ ଦିଆଯାଇଛି । ବିହାରର ବକ୍ସାରର ଲୋକସଭା ସଦସ୍ୟ ଅଶ୍ୱିନୀ କୁମାର ଚୌବେଙ୍କୁ ସ୍ୱାସ୍ଥ୍ୟ ସ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରପାହ୍ୟା ମନ୍ତ୍ରିପଦ ମିଳିଥିବାବେଳେ ମଧ୍ୟ ପ୍ରଦେଶର ଟିକମଗଡ଼ ସାଂସଦ ବୀରେନ୍ଦ୍ର କୁମାରଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରପାହ୍ୟା ଦାୟିତ୍ୱ ମିଳିଛି ।

 

ଏହି ଅଦଳବଦଳରେ କେତେକ ମନ୍ତ୍ରୀଙ୍କ ଦାୟିିତ୍ୱ ପରିବର୍ତ୍ତନ କରାଯାଇଛି । ବାରମ୍ବାର ରେଳ ଦୁର୍ଘଟଣା ପରେ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ସୁରେଶ ପ୍ରଭୁଙ୍କୁ ରେଳ ମନ୍ତ୍ରଣାଳୟରୁ ହଟାଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି । ସୁଶ୍ରୀ ଉମା ଭାରତୀଙ୍କୁ ଜଳସଂପଦ ମନ୍ତ୍ରଣାଳୟରୁ ହଟାଇ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ଉମାଙ୍କ ଦାୟିତ୍ୱରେ ପୂର୍ବରୁ ଥିବା ଜଳସଂପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟର କ୍ୟାବିନେଟ ଦାୟିତ୍ୱ ଅତିରିକ୍ତ ଭାବେ ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପ୍ରଦାନ କରାଯାଇଛି ।

 

ନୂଆ ୯ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୪ ଜଣ ପୂର୍ବତନ ପ୍ରଶାସକ ହେଲେ ହରଦୀପ ପୁରୀ, କେଜେ ଆଲଫୋନ୍ସୋ, ସତ୍ୟପାଲ ସିଂହ ଏବଂ ଆରକେ ସିଂହ । ସେହିପରି ଏହି ୯ ଜଣଙ୍କ ମଧ୍ୟରୁ ୩ ଜଣ ହେଲେ ବ୍ରାହ୍ମଣ, ଦୁଇ ଜଣ ରାଜପୁତ, ଜଣେ ଦଳିତ, ଜଣେ ଜାଟ୍, ଜଣେ ଖୀରସ୍ତାନ ଓ ଜଣେ ଶିଖ । ରାଜ୍ୟ ଦୃଷ୍ଟିରୁ ବିଚାର କଲେ ଉତ୍ତର ପ୍ରଦେଶରୁ ଦୁଇ ଜଣ, ବିହାରରୁ ଦୁଇ ଜଣ ଏବଂ ମଧ୍ୟ ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, କେରଳ ଓ ପଞ୍ଜାବରୁ ଜଣେ ଲେଖାଏଁ ବିଜେପି ନେତାଙ୍କୁ ନୂଆ କରି ମନ୍ତ୍ରୀ ଭାବେ ଗ୍ରହଣ କରାଯାଇଛି ।

 

ପ୍ରଧାନମନ୍ତ୍ରୀଙ୍କ ନୂତନ ଭାରତ ଗଠନର ଉଦ୍ୟମକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯାଇଛି ବୋଲି କୁହାଯାଉଛି । ଏହି ଅଦଳବଦଳ ପୂର୍ବରୁ ରାଜୀବ ପ୍ରତାପ ରୁଡ଼ି, କାଲରାଜ ମିଶ୍ର, ବନ୍ଦାରୁ ଦତ୍ତାତ୍ରେୟ, ଫଗନ ସିଂହ କୁଲସ୍ତେ ଏବଂ ମହେନ୍ଦ୍ର ନାଥ ପାଣ୍ଡେ ପ୍ରମୁଖ ୬ ଜଣ ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏମାନଙ୍କୁ ଦଳର ସାଂଗଠନିକ ଦାୟିତ୍ୱ ମିଳିବ ବୋଲି କୁହାଯାଉଛି । ଆଜି ପୂର୍ବରୁ କେନ୍ଦ୍ର ସରକାରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଶାଇ ୭୩ ଜଣ ମନ୍ତ୍ରୀ ଥିଲେ । ଆଜିର ଅଦଳବଦଳ ପରେ ଏହି ସଂଖ୍ୟା ୭୬କୁ ବୃଦ୍ଧି ପାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top