ସାମିଲ ହେବେ କେଉଁ ଦଳ?

News Story - Posted on 2017-09-02

ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳର ତୃତୀୟ ଅଦଳବଦଳ କରିବେ । ସକାଳ ୧୦ ଘଣ୍ଟା ସମୟରେ ଏହି ଅଦଳବଦଳ ହେବ । ସେଥିପାଇଁ ରାଷ୍ଟ୍ରପତି ଭବନ ପ୍ରସ୍ତୁତ ରହିଛି । ତେବେ ଏହି ଅଦଳବଦଳରେ କେଉଁମାନେ ନୂତନ ଭାବେ ମନ୍ତ୍ରୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେହିପରି କେଉଁ ଦଳ ନୂଆ କରି ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

 

ଆସନ୍ତାକାଲି ସକାଳ ୧୦ ଘଣ୍ଟା ସମୟରେ ହେବ ମୋଦି ମନ୍ତ୍ରିମଣ୍ଡଳର ବହୁ ପ୍ରତୀକ୍ଷିତ ଅଦଳବଦଳ । ଏହି ଅଦଳବଦଳ ପୂର୍ବରୁ ବିଜେପିର ଅନ୍ୟୁନ ୮ ଜଣ ମନ୍ତ୍ରୀ ସେମାନଙ୍କର ଇସ୍ତଫାପତ୍ର ଦଳୀୟ ସଭାପତି ଅମିତ ଶାହାଙ୍କୁ ପ୍ରଦାନ କରିସାରିଥିବା ନେଇ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଜୀବ ପ୍ରତାପ ରୁଡ଼ି, ବନ୍ଦାରୁ ଦତ୍ତାତ୍ରେୟ, କାଲରାଜ ମିଶ୍ର, ମହେନ୍ଦ୍ର ନାଥ ପାଣ୍ଡେ ଓ ଫଗନ ସିଂହ କୁଲସ୍ତେ । ଦକ୍ଷତା ଭିତ୍ତିରେ ଏହି ଅଦଳବଦଳ ହେଉଛି ବୋଲି କୁହାଯାଉଛି । ସେହିପରି ୨୦୧୯ ସାଧାରଣ ନିର୍ବାଚନ ଏବଂ ଆଗକୁ ହେବାକୁ ଥିବା କେତେକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଫେରବଦଳ କରାଯାଉଛି ବୋଲି ମଧ୍ୟ କୁହାଯାଉଛି ।
ତେବେ କେଉଁମାନଙ୍କୁ ଏହି ଅଦଳବଦଳରେ ସୌଭାଗ୍ୟ ପ୍ରାପ୍ତ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବିଜେପିରୁ କେଉଁମାନଙ୍କୁ ମନ୍ତ୍ରୀ କରାଯିବ ସେନେଇ ଦଳୀୟ ସଭାପତି ଅମିତ ଶାହା କସରତ କରିସାରିଛନ୍ତି । ଏନେଇ ସେ ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭଗବତଙ୍କ ସହିତ ମଧ୍ୟ ଆଲୋଚନା କରିସାରିଛନ୍ତି । କିନ୍ତୁ ଏହି ଅଦଳବଦଳ ସମୟରେ ମୋଦି ସରକାରଙ୍କୁ ସମର୍ଥନ କରୁଥିବା ଅନ୍ୟ କେଉଁ ଦଳର କେଉଁ ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ସେନେଇ କିଛି ସ୍ପଷ୍ଟ ସଂକେତ ମିଳି ନାହିଁ ।

 

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଏହି ଅଦଳବଦଳରେ ସଂଯୁକ୍ତ ଜନତା ଦଳ, ଏଆଇଏଡିଏମକେ ଏବଂ ଶିବସେନାର କେତେକ ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯିବ । କିନ୍ତୁ ଏଯାଏଁ ଏହା ସ୍ପଷ୍ଟ ହୋଇନାହିଁ । ଅଧିକନ୍ତ୍ୁ ସଂଯୁକ୍ତ ଜନତା ଦଳର ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଭଳି ଏକ ସମ୍ଭାବନା ନେଇ ଆଲୋଚନା ହୋଇନାହିଁ ବୋଲି କହିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇ ସେ କହିଛନ୍ତି ଯେ ତାଙ୍କ ଦଳକୁ ଏଯାଏଁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇ ନାହିଁ । କେବଳ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ଚାଲିଛି । ଆଗ ପ୍ରସ୍ତାବ ଆସିଲେ ତା’ ଉପରେ ବିଚାରବିମର୍ଶ କରାଯାଇ ଯାହା କିଛି ନିଷ୍ପତ୍ତି ନିଆଯିବ । ସେହିପରି ତାଙ୍କ ଦଳର କେସି ତ୍ୟାଗୀ କହିଛନ୍ତି ଯେ ଆମ ଦଳର ସବୁ ସାଂସଦ ଦିଲ୍ଲୀରେ ଅଛନ୍ତି । କିନ୍ତୁ ମନ୍ତ୍ରିମଣ୍ଡଳରେ ଆମକୁ ସାମିଲ କରାଯିବ କି ନାହିଁ ସେନେଇ କୌଣସି ସୂଚନା ଏଯାଏଁ ମିଳି ନାହିଁ ।

 

ସେହିଭଳି ତାମିଲନାଡ଼ୁର ଶାସକ ଦଳ ଏଆଇଏଡିଏମକେ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବ ବୋଲି ଶୁଣାଯାଉଥିଲା । କିନ୍ତୁ ଏବେ ଶୁଣାଯାଉଛି ଯେ ଏହି ଦଳରେ ବିଭେଦ ଓ ବିଭାଜନ ବୃଦ୍ଧି ପାଉଥିବାରୁ ଏବେ ଦଳର କୌଣସି ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯାଇ ନପାରେ । ତଥାପି ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଦଳର ସାଂସଦ ତଥା ଲୋକସଭାର ଉପବାଚସ୍ପତି ଏମ. ଥାମ୍ବିଦୁରାଇ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କୁ ଭେଟି ଆଲୋଚନା କରିଥିବା ଜଣାଯାଏ ।

 

ଏ ଦୁଇ ଦଳ ଭଳି ବିଜେପିର ପାରମ୍ପାରିକ ସହଯୋଗୀ ଶିବସେନାର ପ୍ରତିନିଧିଙ୍କୁ ମଧ୍ୟ ଏହି ଅଦଳବଦଳରେ ଭାଗ ମିଳିବ କି ନାହିଁ ତାହା ବି ସ୍ପଷ୍ଟ ହୋଇନାହିଁ । ଏହି ଦଳରେ ପୂର୍ବରୁ ଥିବା ସୁରେଶ ପ୍ରଭୂ ଦଳରୁ ଇସ୍ତଫା ଦେଇ ୨୦୧୪ରେ ମନ୍ତ୍ରୀ ପଦ ପାଇଥିଲେ । ତା’ ପରଠାରୁ ଶିବସେନା ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଏଯାଏଁ ତାହା ହୋଇନାହିଁ, ଯଦିଓ ମହାରାଷ୍ଟ୍ରରେ ଉଭୟ ବିଜେପି ଓ ଶିବସେନାର ମେଣ୍ଟ ସରକାର ଚାଲିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୪ ମେ ମାସରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଦୁଇ ଥର ଅଦଳବଦଳ କରିଛନ୍ତି । ଥରେ ୨୦୧୪ ନଭେମ୍ବର ଏବଂ ଅନ୍ୟ ଥର ୨୦୧୬ ଜୁଲାଇରେ । ଏଥର ଅଦଳବଦଳ ବୋଧହୁଏ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଅଦଳବଦଳ ହେବ ବୋଲି ବିଶ୍ୱାସ କରାଯାଉଥିଲା । ମାତ୍ର ଏହା ପରେ ମଧ୍ୟ ପୁଣି ଥରେ ତାହାର ଆବଶ୍ୟକତା ପଡ଼ିପାରେ । ମନ୍ତ୍ରିମଣ୍ଡଳରେ ଏବେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ୭୩ ଜଣ ମନ୍ତ୍ରୀ ଅଛନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାରରେ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିପାରିବେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top