ଯୁଦ୍ଧ ଆଶଙ୍କା ଟଳିଲା

News Story - Posted on 2017-08-28

ଡୋକଲାମକୁ ନେଇ ସିକ୍କିମ ସୀମାରେ ଚୀନ ଓ ଭାରତ ମଧ୍ୟରେ କେଇ ମାସ ହେଲା ଚାଲି ଆସିଥିବା ଉତ୍ତେଜନାମୂଳକ ପରିସ୍ଥିତିର ଅବସାନ ଘଟିଛି । ଉଭୟ ଦେଶ ଡୋକଲାମ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି । ତେବେ ଭାରତ ଡୋକଲାମ ଅଂଚଳରୁ ସୀମା ପ୍ରତ୍ୟାହାର କରିସାରିଥିବାବେଳେ ଚୀନ କହିଛି ତାହାର ସୈନିକମାନେ ସେଠାରେ ପାଟ୍ରୋଲିଂ କରିବେ, କିନ୍ତୁ ରାଜିନାମା ଅନୁସାରେ ପରିସ୍ଥିତି ଅନୁଯାୟୀ ସେମାନଙ୍କୁ ପ୍ରତ୍ୟାହାର କରାଯିବ ।

 

ଡୋକଲାମ ବିବାଦ ସଂପର୍କରେ ହୋଇଥିବା ବୁଝାମଣା ନେଇ ଆଜି ପ୍ରଥମେ ଭାରତ ତରଫରୁ ଘୋଷଣା କରାଯାଇଥିଲା । ଭାରତୀୟ ବିଦେଶ ବ୍ୟାପାର ବିଭାଗ ତରଫରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଡୋକଲାମରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଡୋକଲାମକୁ ଉଭୟ ଚୀନ ଓ ଭାରତର ନିରାପତ୍ତା ସଂରକ୍ଷଣରେ ଥିବା ଭୁଟାନ ନିଜର ବୋଲି ଦାବି କରୁଛନ୍ତି । ବିଦେଶ ବ୍ୟାପାର ବିଭାଗର ବିବୃତି ଅନୁସାରେ ଉଭୟ ପକ୍ଷ ଡୋକଲାମ ଅଂଚଳରେ ମୁତୟନ କରିଥିବା ସେନାଙ୍କୁ ଫେରାଇନେବେ । ଭାରତ ସେନା ପ୍ରତ୍ୟାହାର କରିସାରିଛି ।

 

ଅନ୍ୟପକ୍ଷରେ ଚୀନ ବିଦେଶ ବ୍ୟାପାର ବିଭାଗର ମୁଖପାତ୍ରୀ ହୁଆ ଚୁନିଙ୍ଗ କହିଛନ୍ତି ଯେ ଅଗଷ୍ଟ ୨୮ ତାରିଖ ଅପରାହ୍ନ ୨.୩୦ ଘଣ୍ଟା ସୁଦ୍ଧା ଭାରତ ତା’ର ସେନା ଓ ସାମରିକ ସଂରଜାମକୁ ନିଜ ସୀମା ଭିତରକୁ ଫେରାଇ ନେଇଛି । ଡୋକଲାମରେ ଚୀନ ସେନାର ପାଟ୍ରୋଲିଂ ଅବ୍ୟାହତ ରହିବ । କିନ୍ତୁ ବୁଝାମଣା ଅନୁଯାୟୀ ଚୀନ ନିଜ ସେନାର ପ୍ରତ୍ୟାହାର ଓ ଆଡଜଷ୍ଟମେଣ୍ଟ କରିବ । ଏହି ଆଡ଼ଜଷ୍ଟମେଣ୍ଟ କ’ଣ ତାହା ସେ ସ୍ପଷ୍ଟ କରି ନାହାନ୍ତି ।

 

ଚୀନରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଆଉ କେଇ ସପ୍ତାହ ପରେ ଚୀନ ଯିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତା’ ପୂର୍ବରୁ ଡୋକଲାମ ଅଚଳାବସ୍ଥା ଦୂର କରିବାକୁ ଉଭୟ ପକ୍ଷ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଲାଗି ରହିଥିଲା । ପୂର୍ବ ହିମାଳୟର ଡୋକଲାମ ଅଂଚଳରେ ଉଭୟ ପକ୍ଷର ୩୦୦ ଲେଖାଏଁ ସୈନିକ ମୁହାଁମୁହିଁ ଅବସ୍ଥାରେ ରହିଥିଲେ । ମଝିରେ ମଝିରେ ସେମାନେ ଉଭୟ ଦେଶର ସୀମା ଭିତରକୁ ପଶି ଯାଉଥିଲେ । ସେଥିପାଇଁ ସେମାନଙ୍କ ମଧ୍ୟରେ ଢେଲାପଥର ମାଡ଼ ହେଉଥିଲା । ସେଥିରେ କେତେକ ସୈନିକ ଆହତ ହେଉଥିଲେ ।

 

ଭାରତୀୟ ସେନା ଚୀନ ସୀମା ଭିତରକୁ ଅନୁପ୍ରବେଶ କରି ଡୋକଲାମ ଅଂଚଳରେ ଡେରା ସ୍ଥାପନ କରିଛି ବୋଲି ଚୀନ ଅଭିଯୋଗ କରୁଥିଲା । ତେଣୁ ଭାରତ ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଚୀନ ତରଫରୁ ଦୃଢ଼ ଦାବି ହେଉଥିଲା । ନହେଲେ ଯୁଦ୍ଧ ଅବଶ୍ୟମ୍ଭାବୀ ବୋଲି ମଧ୍ୟ ଚୀନ ସରକାର ବାରମ୍ବାର ଚେତାବନୀ ଦେଉଥିଲେ । ସେହିପରି ଭାରତ ମଧ୍ୟ ନିଜ ଦାବିରେ ଅଟଳ ଥିଲା । ଭାରତର ଦାବି ଅନୁସାରେ ଡୋକଲାମ ହେଉଛି ସିକ୍କିମର । ସେଠାରେ ଚୀନ ସେନା ଅନୁପ୍ରବେଶ କରିଛି । ଅନ୍ୟପକ୍ଷରେ ଭାରତର ନିରାପତ୍ତା ସଂରକ୍ଷଣରେ ଥିବା ଭୁଟାନ ମଧ୍ୟ ଡୋକଲାମକୁ ନିଜ ଅଂଚଳ ବୋଲି ଦାବି କରୁଛି ।

 

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚୀନ ଏହି ଡୋକଲାମ ଅଂଚଳରେ ସେନା ବାହିନୀ ଲଗାଇ ଏକ ଆଧୁନିକ ସଡ଼କ ନିର୍ମାଣ କରୁଛି । ଏହା ଭୁଟାନର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଭୁଟାନ ଦାବି କରିଛି । ଚୀନ ସହିତ ଭୁଟାନର କୂଟନୈତିକ ସଂପର୍କ ନାହିଁ । ତେଣୁ ଭାରତ ଏଥିରେ ହସ୍ତକ୍ଷେପ କରିବାକୁ ଭୁଟାନ ସରକାର ଅନୁରୋଧ କରିଥିଲେ । ଭାରତ ମଧ୍ୟ କହିଥିଲା ଯେ ଚୀନର ଏହି ସଡ଼କ ଭାରତର ନିରପତ୍ତା ପାଇଁ ବିପଦ ସୃଷ୍ଟି କରିବ । ଚୀନର ଯୁକ୍ତି ଥିଲା ନିଜ ଦେଶର ସୀମା ଭିତରେ ସଡ଼କ ନିର୍ମାଣ କରିବାର ସଂପୂର୍ଣ୍ଣ ଅଧିକାରର ଚୀନର ରହିଛି ।
ଏବେ ଡୋକଲାମରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ସହମତ ହୋଇଥିଲେ ମଧ୍ୟ ଏହି ସଡ଼କ ନିର୍ମାଣ ନେଇ ଉଭୟ ଦେଶ କିଛି ସ୍ପଷ୍ଟ କରି ନାହାନ୍ତି । ତେଣୁ ଡୋକଲାମ ବିବାଦରେ ଉଭୟ ଦେଶ ପଛକୁ ହଟିଥିଲେ ମଧ୍ୟ ଚୀନ ତୁଳନାରେ ଭାରତ ଅଧିକ ପଛକୁ ହଟିଛି ବୋଲି କୁହାଯାଉଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top