ପ୍ରଧାନ ବିଚାରପତି ଦୀପକ ମିଶ୍ର

News Story - Posted on 2017-08-28

ସୁପ୍ରିମ କୋର୍ଟର ୪୫ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦୀପକ ମିଶ୍ର । ଏହି ପଦ ପାଇବାରେ ସେ ହେଉଛନ୍ତି ତୃତୀୟ ଓଡ଼ିଆ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବିଚାରପତି ମିଶ୍ରଙ୍କୁ ଶପଥପାଠ କରାଇଛନ୍ତି । ଏହି ପଦରେ ସେ ୨୦୧୮ ଅକ୍ଟୋବର ୨ ତାରିଖ ଯାଏଁ କାର୍ଯ୍ୟ କରିବେ ।

 

ପ୍ରଧାନ ବିଚାରପତି ଜେଏସ ଖେହାରଙ୍କର କାର୍ଯ୍ୟାବଧି ଗତକାଲି ଶେଷ ହେବା ପରେ ଆଜି ଦେଶର ୪୫ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ବିଚାରପତି ଦୀପକ ମିଶ୍ର । ରାଷ୍ଟପ୍ରତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

 

ତାଙ୍କ ପରେ ବିଚାରପତି ମିଶ୍ରଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିବା ପାଇଁ ବିଦାୟୀ ପ୍ରଧାନ ବିଚାରପତି ଖେହାର ହିଁ ସୁପାରିଶ କରିଥିଲେ । ବିଚାରପତି ମିଶ୍ର ହେଉଛନ୍ତି ବର୍ତ୍ତମାନ ସୁପ୍ରିମ କୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି । ବିଚାରପତି ଦୀପକ ମିଶ୍ରଙ୍କର ଆଇନର ବିଭିନ୍ନ ବିଭାଗରେ ଦକ୍ଷତା ଓ ଅଭିଜ୍ଞତା ରହିଛି । ସେ ଓଡ଼ିଶାରେ ଓକିଲାତି ପେସା କରୁଥିବା ସମୟରେ ସାମ୍ବିଧାନିକ, ଦେୱାନୀ, ଫୌଜଦାରୀ, ରାଜସ୍ୱ, ସେବା, ବିକ୍ରି କର ମାମଲା ଆଦି ପରଚାଳନା କରୁଥିଲେ । ଓଡ଼ିଶା ହାଇକୋର୍ଟ ଓ କର୍ମଚାରୀ ଟ୍ରିବ୍ୟୁନାଲରେ ମଧ୍ୟ ସେ ଓକିଲାତି କରୁଥିଲେ ।

 

ନିର୍ଭୟା ମାମଲା, ୟାକୁବ ମେମୋନ ଫାଶୀ, ଉତ୍ତରାଖଣ୍ଡ ରାଷ୍ଟ୍ରପତି ଶାସନ ଆଦି କେତେକ ଚହଳ ସୃଷ୍ଟିକାରୀ ମାମଲାର ବିଚାର କରିଥିବା ଖଣ୍ଡପୀଠର ସଦସ୍ୟ ଭାବେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଭାବେ ମଧ୍ୟ ତାଙ୍କୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେବାକୁ ହେବ । ତାଙ୍କର ୧୩ ମାସର କାର୍ଯ୍ୟକାଳ ଭିତରେ ରାମ ମନ୍ଦିର ବାବ୍ରି ମସଜିଦ ମାମଲା, କାବେରୀ ଜଳ ବିବାଦ, ସେବି-ସାହାରା ମାମଲା, ବିସିସିଆଇ ସଂସ୍କାର, ପାନାମା ପେପର ଲିକ୍ ଏବଂ ଆଧାର ଆଦି ମାମଲାରେ ରାୟ ଦେବାକୁ ପଡ଼ିବ ।

 

୧୯୭୭ ମସିହାରେ ଆଇନ ପେସାରେ ଯୋଗ ଦେଇଥିôବା ବିଚାରପତି ମିଶ୍ର ୧୯୯୬ ମସିହାରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୧୯୯୭ ମାର୍ଚ୍ଚ ମାସରେ ତାଙ୍କୁ ଭୋପାଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ୨୦୦୯ ମସିହାରେ ବିଚାରପତି ମିଶ୍ରଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । ୨୦୧୦ ମସିହାରେ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗଦେଇଥିଲେ । ୨୦୧୧ ଅକ୍ଟୋବର ୧୦ ତାରିଖରେ ତାଙ୍କୁ ସୁପ୍ରିମ କୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା ।

 

ବିଚାରପତି ମିଶ୍ରଙ୍କ ପୂର୍ବରୁ ବିଚାରପତି ରଙ୍ଗନାଥ ମିଶ୍ର ଓ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ ଅନ୍ୟ ଦୁଇ ଓଡ଼ିଆ ଭାବେ ଏହି ପଦ ଅଳଂକୃତ କରିଥିଲେ । ବିଚାରପତି ରଙ୍ଗନାଥ ମିଶ୍ରଙ୍କର ପୁତୁରା ହେଉଛନ୍ତି ବିଚାରପତି ଦୀପକ ମିଶ୍ର । ତାଙ୍କ ବାପା ପଣ୍ଡିତ ରଘୁନାଥ ମିଶ୍ର ହେଉଛନ୍ତି ଗୋଦାବରୀଶ ମିଶ୍ରଙ୍କର ଅନ୍ୟତମ ପୁତ୍ର । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଅନ୍ୟ ଦୁଇ ପୁତ୍ର ହେଲେ ଲୋକନାଥ ମିଶ୍ର ଏବଂ ରଙ୍ଗନାଥ ମିଶ୍ର । ଲୋକନାଥ ମିଶ୍ର ଆସାମର ରାଜ୍ୟପାଳ ଥିଲେ । ତାଙ୍କ ପୁଅ ହେଉଛନ୍ତି ସାଂସଦ ପିନାକୀ ମିଶ୍ର ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top