ଗଂଗାଧର : ଗଂଗାଧାର

News Story - Posted on 2017-08-27

ମାୟାଧର ନାୟକ

 

ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ - ଏଇ ଓଡ଼ିଶାରେ ଦିନେ ମୁକୁନ୍ଦଦେବ ଗଂଗାନଦୀକୁ ଓଡ଼ିଶା ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଂଗ କରିବ, ତାକୁ ଦି’ଖଣ୍ଡ କରିଦେବି ।

 

ରାଜାଙ୍କ ତପସ୍ୟା ଦିନପରେ ଦିନ ବଢ଼ିଚାଲିଲା । ଗଂଗା କିନ୍ତୁ ଓଡ଼ିଶା ଆସିଲା ନାହିଁ । ସେନାପତି କହିଲେ, ମୋ ଗଣ୍ଡି ବରଂ ଦି’ଗଡ଼ ହେଉ, ରାଜା ତପସ୍ୟା ଭାଙ୍ଗନ୍ତୁ । ମନ୍ତ୍ରୀ କହିଲେ, ନା-ନା- ବରଂ ବଂଶୀବାଦନ କରାଯାଇ ରାଜାଙ୍କ ତପସ୍ୟା ଭଂଗ କରାଯାଉ ।

 

ସେଇୟା ହେଲା । ରାଜାଙ୍କ ତପସ୍ୟା ଭଂଗ ହେଲା । ଯିଏ ତାଙ୍କ ତପସ୍ୟା ଭଂଗ କଲା, ରାଜା ତାଙ୍କୁ ଦି’ଖଣ୍ଡ କରିବାକୁ ଆଦେଶ ଦେଲେ । ମନ୍ତ୍ରୀ କହିଲେ, ହଜୁରଙ୍କ ତପସ୍ୟା ଏଇ ବଂଶୀଖଣ୍ଡକ ଭଂଗ କରିଛି, ବରଂ ବଂଶୀଟିକୁ ଦି’ଖଣ୍ଡ କରାଯାଉ । ସେଇୟା ମଧ୍ୟ ହେଲା । ଏଠାରେ ଏ ପ୍ରବାଦ ଅବତାରଣା କରିବାର ଉଦ୍ଦେଶ୍ୟ ହେଲା - ଓଡ଼ିଶାକୁ ରାଜା ସିନା ଗଂଗାନଦୀକୁ ଆଣିପାରିଲେ ନାହିଁ; କିନ୍ତୁ ଗଂଗାଧର ମେହେର ସାରା ଭାରତରେ ଗଂଗାଜଳ ଛିଂଚିଦେଲେ; ଗଂଗାଧରଙ୍କ ପବିତ୍ର ଗଂଗାଜଳରେ ଓଡ଼ିଶା ସିକ୍ତ ହେଲା । ଗଂଗାଧରଙ୍କ ହୃଦୟରୁ ଯେଉଁ ଜଳ ଉତ୍ସରିତ ହେଲା, ତାହା ପ୍ରକୃତରେ ‘ଗଂଗାଧାର’ ।

 

ଗଂଗାଧର ମେହେରଙ୍କ ପ୍ରାଂଜଳ ପଦାବଳୀ ଅଧିକାଂଶ ସ୍କୁଲରେ ହଷ୍ଟେଲରେ ପ୍ରାର୍ଥନାବେଳେ ସମସ୍ୱରରେ ସ୍ପଂଦିତ ହୁଏ । ‘ମଙ୍ଗଳେ ଅଇଲା ଉଷା’ ଏବେବି ଗୁଂଜରଣ ସୃଷ୍ଟି କରେ । ତାଙ୍କ ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ, ରସରତ୍ନାକର ଓ କୀଚକବଧ ଭଳି କାବ୍ୟ ଭାରତୀୟ ଭାଷାସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଏହି କାବ୍ୟପୁସ୍ତକର ଅଧିକାଂଶ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ଅନୁବାଦ ହୋଇସାରିଛି ।
ଗଙ୍ଗାଧର ମେହେରଙ୍କୁ ଆମେ ପିଲାଦିନୁ ସ୍କୁଲ ଛାତ୍ରାବସ୍ଥାରୁ ସ୍ୱଭାବକବି ବୋଲି ଶୁଣିଆସୁଛୁ; କିନ୍ତୁ ଏହି ‘ସ୍ୱଭାବ କବି’ଙ୍କ ପାଇଁ ଅଭାବର ମରୁଭୂମିରେ କିପରି ‘ଭାବ’ ଫୁଟିଉଠିଛି ଦେଖନ୍ତୁ - ‘ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନସର / ଜଂଜାଳଜଳଦଜାଳେ ଆବିଳ ଉଦର ।’ ୧୮୬୨ରେ ପଶ୍ଚିମ ଓଡ଼ିଶାର ବରପାଲିରେ ଜନ୍ମିତ ଗଙ୍ଗାଧର ମେହେର । ମାତ୍ର ୬୨ ବର୍ଷରେ ସେ ତାଙ୍କ ଖେଳାଲୀଳା ସାରି ବାହୁଡିଗଲେ । ଛାଡ଼ିଦେଇଗଲେ ଅମୂଲ୍ୟ ସଂପଦ ।

 

ଆମେ ରବୀନ୍ଦ୍ରନାଥ ଠାକୁରଙ୍କୁ ବିଶ୍ୱକବି ବୋଲି ଜାଣୁ । ରବି ଠାକୁର ଗଂଗାନଦୀର ନୀଳଜଳତରଙ୍ଗକୁ ବାରମ୍ବାର ଉପଭୋଗ କରିଛନ୍ତି । ଗଂଗାଜଳ ରବିଠାକୁରଙ୍କୁ ପବିତ୍ର କରିଛି, କିନ୍ତୁ ଓଡ଼ିଶାର ‘ଟାଗୁର’ ଗଂଗାଧର ମେହେର ନିଜରାଜ୍ୟର ମାଟିପାଣିପବନରେ ବିଭୋର ହୋଇ ଯେଉଁ କାବ୍ୟକବିତା ରଚନା କରିଗଲେ, ତାହା ରବି ଟାଗୁରଙ୍କ କାବ୍ୟଠାରୁ ପ୍ରସାଦଗୁଣ ଦୃଷ୍ଟିରୁ କୌଣସିଗୁଣରେ କମ୍ ନୁହେଁ । ଆମେ ସବୁ ହତଭାଗ୍ୟ ଓଡ଼ିଆ, ଗଂଗାଧର ମେହେରଙ୍କୁ ବିଶ୍ୱସାହିତ୍ୟରେ ପରିଚିତ କରାଇବାକୁ ସକ୍ଷମ ହୋଇପାରିଲେ ନାହିଁ; କେବଳ ଯାହା ପାଠ୍ୟପୁସ୍ତକରେ କି ମହାବିଦ୍ୟାଳୟରେ ତାଙ୍କ ନାମ ଯୋଡ଼ାଗଲା । ଏବେ ତାଙ୍କ ଜନ୍ମବାର୍ଷିକୀ ଅବସରରେ ଡାକଟିକଟଟିଏ ପ୍ରଚଳନ କରିବାକୁ ଆମେ ଓଡ଼ିଆମାନେ ବିକଳ ହେଉଛେ - ସରକାର ବାହାଦୂର ପାଖରେ କେତେ କାକୁତିମିନତି କରୁଛେ - ଏହା ହିଁ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ବିଡମ୍ବନା ।

 

ପରାଧୀନ ଭାରତବର୍ଷରେ ବ୍ରିଟିଶ ସାମ୍ରାଜ୍ୟବାଦୀଙ୍କ ଭୟଙ୍କର ରାଜୁତିର ଦମନଲୀଳାରେ କେବଳ ସାଧାରଣଲୋକେ ନୁହଁନ୍ତି, ସାମନ୍ତବାଦୀ ରଜା ଜମିଦାରମାନେ ସୁଦ୍ଧା ତ୍ରାହି ତ୍ରାହି ଡାକୁଥିଲେ - ଠିକ୍ ସେତିକିବେଳେ ଯୋଗଜନ୍ମା ଗଂଗାଧର ଭୂମିଷ୍ଠ ହେଲେ । ଏଇ ଓଡ଼ିଶାର ଜନଗଣ ଯୁଗଯୁଗ ଧରି କେତେ ଯେ ଗୋଲାମୀ ଖଟିଛନ୍ତି, ତାର କଳନା ନାହିଁ । ସମସ୍ତପ୍ରକାର ଦୁଃଖ, ଯାତନା, ଅପମାନ, ଶୋଷଣ, କଷଣ, ଅତ୍ୟାଚାର ଭିତରେ ଗଂଗାଧର ମେହେର ଜୀବନର ଅପୂର୍ବ ଅର୍ଥ ସୃଷ୍ଟି କରିବା ଆଶ୍ଚର୍ଯ୍ୟଜନକ ମନେହୁଏ । ତାଙ୍କର ଜୀବନକ୍ଷେତ୍ର, ସାହିତ୍ୟକ୍ଷେତ୍ର, ଧର୍ମକ୍ଷେତ୍ର, ଯୁଦ୍ଧକ୍ଷେତ୍ର ସବୁ ଏକାକାର ହୋଇଯାଇଛି । ସେ ସୃଷ୍ଟି କରିଛନ୍ତି ଅପୂର୍ବ ଛନ୍ଦରେ, ଅମୃତମୟ କରି ଦେଇଛନ୍ତି ଭାରତୀୟ ଭାଷାସାହିତ୍ୟକୁ ।

 

ସ୍ୱଭାବକବିଙ୍କର ଘରଦ୍ୱାର, ଜମିବାଡ଼ି, ଧନସମ୍ପତ୍ତି, ପିଲାଛୁଆ, ଭାଇଭଉଣୀ, ବାପମା’, ସାଙ୍ଗସାଥୀ, ଶିକ୍ଷାଦୀକ୍ଷା, ଆଚାରବ୍ୟବହାର, ପାପପୁଣ୍ୟ, ଦୁଃଖସୁଖ, ଭଲମନ୍ଦ ସଂପର୍କରେ ଅନେକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଛି । କବିଙ୍କ କାବ୍ୟକବିତାକୁ ନେଇ ଅନେକ ତର୍ଜ୍ଜମା ହୋଇଛି । ମୁଁ କେବଳ ସେଇ ତର୍ଜ୍ଜମାର ବାହାରେ କିଛି ତର୍ଜ୍ଜନୀ ନିର୍ଦ୍ଦେଶ କରୁଛି ମାତ୍ର ।

 

ତୁଳସୀ ଦୁଇପତ୍ରରୁ ବାସିଲାଭଳି ବାଲ୍ୟକାଳ, ଯୌବନକାଳରୁ ଶେଷକାଳ ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତ ଦିନ, ମାସ ବର୍ଷକୁ ନିବିଷ୍ଟଭାବେ ନିରୀକ୍ଷଣ କରି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ସୂର୍ଯ୍ୟଚନ୍ଦ୍ର, ଦିନରାତି, ଅନ୍ଧାର-ଆଲୁଅ, ଧାନକ୍ଷେତ୍ର, ଶସ୍ୟଶ୍ୟାମଳା ଫଳପୁଷ୍ପକ୍ଷେତ୍ର, ମହାନଦୀର ନୀଳ ଜଳରାଶିଠାରୁ ଆରମ୍ଭ କରି ମଣିଷ ଜୀବନର ସକଳ ଭଲମନ୍ଦ ଗୁଣରୁ ଅମୃତ ଆହାର କରି ସ୍ୱ-ଭାବରେ କବିକଣ୍ଠରୁ କବିଙ୍କ କଲମମୂନରୁ ଝରିଯାଇଛି କେବଳ ମହାନଦୀ ନୁହେଁ, ଗଙ୍ଗା, ଗୋଦାବରୀ ସମେତ କାହିଁ କେତେ ପବିତ୍ର ନଦୀ । ଧନ୍ୟ, ଧନ୍ୟ ହେ ଆମେ ଓଡ଼ିଶାବାସୀ - ଗଂଗାଧର ମେହେର ଓଡ଼ିଶା ମାଟିରେ ଜନ୍ମ ନେଇଥିବା ଯୋଗୁ ।

 

ଅନ୍ୟ ଅର୍ଥରେ କହିବାକୁ ଗଲେ କବି ଥିଲେ ସ୍ୱାଭିମାନୀ । ସ୍ୱାଭିମାନ ତାଙ୍କ ପ୍ରତି ରକ୍ତକଣାରେ ଭରପୂର ଥିଲା । ଶାଳୀନତା ତାଙ୍କର ଶ୍ରେଷ୍ଠଗୁଣ । ସ୍ୱାଭିମାନ ଓ ଶାଳୀନତାର ସମ୍ମିଶ୍ରଣରେ କବିଙ୍କ ପ୍ରତିଭା ହିଁ ଅନ୍ଧକାରର ବକ୍ଷବିଦାରି ନୂତନ ସକାଳ, ସୂର୍ଯ୍ୟୋଦୟର ସୁଡଙ୍ଗ ଆଡକୁ ମୁହାଁଇ ନେଇଛି । ତପସ୍ୱିନୀ କାବ୍ୟରେ କବିଙ୍କ ଅମୃତମୟ ନିର୍ମଳଧାରା ପ୍ରତ୍ୟେକ ଶବ୍ଦରେ ବ୍ରହ୍ମଜ୍ଞାନ, ସ୍ୱର୍ଗସୁଖକୁ ମର୍ତ୍ତ୍ୟରେ ଆଣି ବିତରଣ କରିବା ଖୁବ୍ କ୍ୱଚିତ୍ ଭାରତୀୟ କବିଙ୍କ ପାଖରେ ମିଳେ ।

 

ଜଣେ ଅମୀନ, ମୋହରିର ଯେ ମହାମହା କବିଙ୍କ ଗହଳରେ ସ୍ଥାନ ପାଇବେ, ଚିନ୍ତା କଲାବେଳକୁ ଆଜି ବି ଆମକୁ ଆଶ୍ଚର୍ଯ୍ୟ ଲାଗେ । କବିସମ୍ରାଟ ଉପେନ୍ଦ୍ର ଭଂଜ, କବିସୂର୍ଯ୍ୟ ବଳଦେବ ରଥ, କବିବର ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ, ଭକ୍ତକବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ ପ୍ରମୁଖ ମଧ୍ୟରେ ସ୍ୱଭାବକବି ଗଂଗାଧର ମେହେର ଆଜି ପ୍ରାତଃ ସ୍ମରଣୀୟ । କବିଙ୍କର ମଧ୍ୟ ମହାକବି କାଳିଦାସ, ବିଶ୍ୱକବି ରବୀନ୍ଦ୍ରନାଥଙ୍କ କାବ୍ୟକବିତା ଅତ୍ୟନ୍ତ ପ୍ରିୟ ଥିଲା ।

 

କବିଙ୍କ ଭାବ, ଭାଷା, ଛନ୍ଦ, ଶବ୍ଦ ଗୁଂଥନର ଲାଳିତ୍ୟକୁ ହୃଦୟଙ୍ଗମ କରି ଅନେକ ପଣ୍ଡିତ, ଶିକ୍ଷାବିତ୍ ଇଂରାଜି, ହିନ୍ଦୀ, ସଂସ୍କୃତରେ ଅନୁବାଦ କରିଛନ୍ତି - ହେଲେ ତାହା ବ୍ୟାପକଭାବେ ପ୍ରଚାର ପ୍ରସାର ଲାଭ କରିପାରିନି । ବିଶ୍ୱକବି ରବୀନ୍ଦ୍ରନାଥଙ୍କ ‘ଗୀତାଞ୍ଜଳି’ ମହାକବି କାଳିଦାସଙ୍କ ‘ରଘୁବଂଶ’ ଭଳି ସ୍ୱଭାବକବି ଗଂଗାଧରଙ୍କ ‘ତପସ୍ୱିନୀ’ କାବ୍ୟର ବର୍ଣ୍ଣନା ଅତି ଚମତ୍କାର । ଏହି କାବ୍ୟ ଭିତରକୁ ଯିଏ ପଶିଯାଇଛି - ସେ ପରମତୃପ୍ତି ପାଇଛି ।

 

ଗଂଗାଧରଙ୍କ ଜୀବନଦର୍ଶନ, ଦାର୍ଶନିକ ଦୃଷ୍ଟିଭଂଗୀ, କାଳଜୟୀ ସାହିତ୍ୟକୃତିକୁ ଯଥାଯଥ ଭାବେ ବିଶ୍ୱସମ୍ମୁଖରେ ପରିବେଷଣ କରିବା ଏକ ମହାନ କାର୍ଯ୍ୟ ।

 

ଏଥିପାଇଁ ମହାନଆତ୍ମା, ମହାଜ୍ଞାନୀ, ମହତବ୍ୟକ୍ତି, ମାନବବାଦୀ ମହାମନୀଷୀମାନେ ମନଧ୍ୟାନ ଦେଲେ ଗଂଗାଧର ମେହେର କେବଳ ଓଡ଼ିଶାର ସ୍ୱଭାବକବିଭାବେ ପରିଚିତ ହେବେନି ସାରାବିଶ୍ୱରେ ମହାନପ୍ରେରଣାର ଉତ୍ସ ହୋଇ ପାରିବେ - ଏଥିରେ ତିଳେମାତ୍ର ସଂଦେହ ନାହିଁ ।
ଆଜି କିନ୍ତୁ ଆମର ନେତା ଓ ବକ୍ତାଙ୍କ ପିଲାମାନେ ଓଡ଼ିଆଭାଷାକୁ ଶୁଦ୍ଧ ଭାବରେ କହିପାରୁନାହାଁନ୍ତି । ଖାଲି ଇଂରାଜୀ ଚୋବାଉଛନ୍ତି - ତାହା କାଲ ଆଗରେ ଘଣ୍ଟ ବାଡେଇବା ସଦୃଶ । ଆମେ ନିଜକୁ କେତେ ନୀଚ କରିଦେଲେଣି ।

 

ହେ ସ୍ୱଭାବକବି ଗଂଗାଧର ମେହେର, ଓଡ଼ିଆ ଜାତିର ଗର୍ବ ଗୌରବ, ଭାରତୀୟ ଭାଷାସାହିତ୍ୟର ଅନ୍ୟତମ ଅଗ୍ରଦୂତ ହେ ସୂକ୍ଷ୍ମଦର୍ଶୀ, ଏ ଅଧମ ଓଡ଼ିଆମାନଙ୍କୁ କ୍ଷମାଦିଅ । ଆମେ ତୁମକୁ ବିଶ୍ୱଦରବାରରେ ପହଂଚାଇ ପାରିନୁ ଏପର୍ଯ୍ୟନ୍ତ । ଜୟନ୍ତୀରେ ତୁମ ଫଟୋରେ ଫୁଲମାଳ ଦେଇ ମାଇକ୍ରୋଫୋନରେ କଣ୍ଠଫଟାଇ ଆମେ ଭୀଷଣଭାଷଣ ଦେଇପାରୁ, ହେଲେ ପରେପରେ ଆମେ ଭୁଲିଯାଉ ଆମ ପିତାମହ ଭାରତଗୌରବଙ୍କୁ । ଆଜି ସମୟ ଆସିଛି - ଏଇ ଭାରତବିଖ୍ୟାତକବିଙ୍କୁ ସମଗ୍ର ବିଶ୍ୱମାନସରେ ଉଜ୍ଜ୍ୱଳ ତାରକାରୂପେ ସ୍ଥାନିତ କରିବା - ଏଥିରେ ଓଡ଼ିଆଜାତିର, ଓଡ଼ିଆଭାଷାର, ଭାରତୀୟ କାବ୍ୟକବିତାର ଚିହ୍ନ ଯୁଗଯୁଗ ଧରି ରହିଥିବ - ଏହାହିଁ ହେବ ସ୍ୱଭାବକବି ଗଂଗାଧର ମେହେରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

 

ଯାଜପୁର ରୋଡ୍, ଯାଜପୁର
ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top