ସମର୍ଥନ ବଜେଟ, କଦର୍ଥନ ଶିକ୍ଷକ

News Story - Posted on 2017-08-26

ବିଶ୍ୱରଞ୍ଜନ ଦାସ

 

ବହୁତ କୁହାଗଲାଣି ଯେ, ଗଣତନ୍ତ୍ର ଶାସନରେ ସମସ୍ତଙ୍କର ସମାନ ଅଧିକାର ଅଛି । ଏକଥା ବି ଶୁଣାଯାଉଛି ଯେ, ଶାସନରେ ଆର୍ଥିକ ସ୍ଥିତି ଦେଖି ବିଧିବ୍ୟବସ୍ଥା କରିବାକୁ ହୁଏ । ସଙ୍କଟ ସୃଷ୍ଟିହେଲେ ଏତେ ଲୋକଙ୍କ ଭିତରେ କେହିକେମିତି ବାଦ୍ ପଡ଼ିଯିବାର ମଧ୍ୟ ସମ୍ଭାବନା ଥାଏ । ଆଇନ ଓ ପ୍ରଶାସନର ପରସ୍ପର ଏ ଦୁଇ ବିରୋଧାଭାସ ତତ୍ତ୍ୱ ଭିତରେ କିନ୍ତୁ ବଳିପଡୁଛନ୍ତି ରାଜ୍ୟର ବ୍ଲକ୍ଗ୍ରାଣ୍ଟ ଶିକ୍ଷକ । ନ୍ୟାୟିକ ବ୍ୟବସ୍ଥା କହେ, ସାମାଜିକ ମୂଲ୍ୟବୋଧ ନିର୍ମାଣ କରୁଥିବା ଶିକ୍ଷକମାନେ ଏକ ମର୍ଯ୍ୟାଦାସମ୍ପନ୍ନ ଓ ସମାନ ରୀତିରେ ଦରମା ପାଇବା ଉଚିତ । ଅଥଚ ପ୍ରଶାସନ କାହିଁକି ଏହାକୁ ପାଳନ କରିବାରେ ଅସମର୍ଥ? କାରଣରେ କୁହାଯାଉଛି, ଆର୍ଥିକ ସଙ୍କଟ । ଶିକ୍ଷାନୁଷ୍ଠାନଗୁଡ଼ାକ ଯେହେତୁ ସରକାରଙ୍କର ଏକ ଅର୍ଥକରୀ ସଂସ୍ଥା ନୁହେଁ, ତେଣୁ ଏଥିପ୍ରତି ଅଧିକ ବ୍ୟୟକରିବା ସମ୍ଭବ ହୁଏନି । କିନ୍ତୁ ଏ ଆର୍ଥିକ ସଙ୍କଟ କଥାଟି ମଧ୍ୟ ସତ୍ୟ ନୁହେଁ । ଏହା ପ୍ରଶାସନର ଏକ ସ୍ଲୋଗାନ୍ । ଯାହାକି, ‘ସତବାଘ ଖାଇଲା ବେଳେ କୁହାଯାଉଥିଲା ଓ ମିଛବାଘ ଖାଇଲା ବେଳେ ମଧ୍ୟ କୁହାଚାଲିଛି ।’

 

ଜାତୀୟ ଶିକ୍ଷା ସଂସ୍ଥାନର ତଥ୍ୟାନୁଯାୟୀ, ପୃଥିବୀରେ କଲମ୍ବିଆ ସମେତ ୪୦ଟି ରାଷ୍ଟ୍ର ଶିକ୍ଷକଙ୍କ ଦରମା ଉପରେ ହିଁ ପ୍ରଥମ ପ୍ରାଧାନ୍ୟ ଦିଅନ୍ତି । ହେଲେ ଆମ ରାଜ୍ୟରେ ଛତା, ଜୋତା, ଅନ୍ନପୂର୍ଣ୍ଣା, ଅନ୍ତୋଦୟ, ଟଙ୍କିକିଆ ଚାଉଳ, ପାଂଚ ଟଙ୍କିଆ ଆହାର ଇତ୍ୟାଦି ଭୋଟବ୍ୟାଙ୍କ ଯୋଜନାମାନ ଚଳାଇ ନିଜକୁ ଅତ୍ୟନ୍ତ ଜନହିତକର ପ୍ରମାଣିତ କରୁଥିବା ସରକାର ଶିକ୍ଷକ ଓ ଅଧ୍ୟାପକଙ୍କୁ ଅନୁଦାନ ଦେବାକୁ କୁଣ୍ଠିତ କାହିଁକି? ୧୯୭୪ ମସିହାରୁ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନଙ୍କୁ ସରକାର ତତ୍କଳୀନ ସରକାର ‘ପ୍ରତ୍ୟକ୍ଷ ଅନୁଦାନ ଆଇନ’ ଅନୁସାରେ ପୂର୍ଣ୍ଣ ଅନୁଦାନ (ଗ୍ରାଣ୍ଟ-ଇନ୍-ଏଡ୍) ପ୍ରଦାନ ବିଧି ଲାଗୁ କରି ଆସୁଥିଲେ । ଏଣୁ, ଏହି ଅବଧିରେ ଚାକିରୀ କରିଥିବା ଶିକ୍ଷକମାନେ ମର୍ଯ୍ୟାଜନକ ଉଚ୍ଚବେତନ ପାଇଗଲେ । ଏଥିରେ ଈର୍ଷାନ୍ୱିତ ମୁଷ୍ଟିମେୟ ସରକାରୀ ପଦସ୍ଥ ଅଧିକାରୀ ‘ମୂଳୁଁମାରିଲେ ଯିବସରି’ ନ୍ୟାୟରେ ଠିକ୍ ଏହାର ୩୦ ବର୍ଷ ପରେ ଅର୍ଥାତ୍ ୨୦୦୪ ମସିହାରେ ଆର୍ଥିକ ସଂସ୍କାର ଆଳରେ ଏକ ଆଇନ ପ୍ରଣୟନ କରି ଘୃଣ୍ୟ ବ୍ଲକ୍ଗ୍ରାଣ୍ଟ ବା ମୁଣ୍ଡାମୁଣ୍ଡି ଦରମା ବ୍ୟବସ୍ଥା ଅବଶିଷ୍ଟଙ୍କ ଉପରେ ଲଦିଦେଲେ । ବିଭିନ୍ନ ଶିକ୍ଷକ ସଂଗଠନର ବହୁ ଆନ୍ଦୋଳନ ପରେ୨୦୦୮/ ୨୦୦୯/ ୨୦୧୩ ଓ ୨୦୧୪ ମସିହାରେ ସରକାର ନୂତନ ଗ୍ରାଣ୍ଟ-ଇନ୍-ଏଡ୍ ପଲିସି ଓ ସଂଶୋଧିତ ଅନୁଦାନ ନୀତିରେ ବାରମ୍ବାର ଏହି ଭାତିଆଭିତ୍ତିକ ଅନୁଦାନ (ବ୍ଲକ୍ଗ୍ରାଣ୍ଟ)ବ୍ୟବସ୍ଥା ଚଳାଇଆସୁଛନ୍ତି, ଯାହା ଶିକ୍ଷକ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟିକରିଛି ।

 


ସମାନ ବୃତ୍ତିରେ ଓ ସମାନ ଅନୁଷ୍ଠାନରେ କାମକରି ଶିକ୍ଷକ ଓ ଅଧ୍ୟାପକମାନଙ୍କ ଭିତରେ ବେତନରେ ଏତେ ପାର୍ଥକ୍ୟ କାହିଁକି? ପୁଣି ଶିକ୍ଷକମାନଙ୍କୁ ଶିକ୍ଷା ସହାୟକ, ଠିକା, ପାରା, ଗଣ, ବ୍ଲକ୍ - ଏମିତିସବୁ ନାମିତ କରାଯାଇଛି କାହିଁକି? ପ୍ରାଥମିକସ୍ତରରେ ଜଣେ ଗଣଶିକ୍ଷକ ୫,୬୦୦, ଶିକ୍ଷା ସହାୟକ ୭,୪୦୦, କନିଷ୍ଠ ଶିକ୍ଷକ ୯,୨୦୦, ନିୟମିତ ଶିକ୍ଷକ ୧୫,୦୦୦, ବ୍ଲକ୍ଗ୍ରାଣ୍ଟ ହାଇସ୍କୁଲ୍ ଶିକ୍ଷକ ୫, ୪୦୦ / ୮,୧୦୦ / ୧୦,୧୨୫, ଚୁକ୍ତିଭିତ୍ତିକ ଶିକ୍ଷକ ୧୩,୫୦୦, ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ ୧୬,୮୭୫, କ୍ରୀଡ଼ା ଶିକ୍ଷକ ୯,୨୫୦, ନିୟମିତ ଶିକ୍ଷକ ୨୭,୦୦୦, କଲେଜସ୍ତରରେ ୬୬୨ବର୍ଗ ଅଧ୍ୟାପକ ୧୭,୯୦୦, ୪୮୮ ବର୍ଗ ଅଧ୍ୟାପକ ୨୦,୧୪୦, ଏସଏସବି ଅଧ୍ୟାପକ ୩୨,୦୪୮, ଡେମୋନଷ୍ଟ୍ରେଟର୍ ୫୨ହଜାର, ରାଜ୍ୟ ବେତନ ଅଧ୍ୟାପକ ୬୫ ହଜାର ଓ ୟୁଜିସି ଅଧ୍ୟାପକ ୧ ଲକ୍ଷରୁ ଉଦ୍ଧ୍ୱର୍ ବେତନ ପାଉଛନ୍ତି । ଦରମା ଅନୁସାରେ ଯେପରି ଅଲଗା ଅଲଗା ଶିକ୍ଷକ ସଂଗଠନ ମାନ ଗଢ଼ିଉଠୁଛି ଓ ସେହିପରି କୌଣସି ଶିକ୍ଷକ ସଂଗଠନ ଯଥାର୍ଥ ଦାବିହାସଲ କରିପାରୁନାହାନ୍ତି । ବରଂ, ଏପରି ହେବାଟା ସରକାରୀ କଳକୁ ବେଶ୍ ସୁହାଇ ଚାଲିଛି ।

 

ଏବେ ରାଜ୍ୟ ଶିକ୍ଷା ବିଭାଗର ସରକାରୀ ବଜେଟ୍ ପ୍ରସଙ୍ଗ ଆଡ଼କୁ ଯିବା । ୨୦୧୫-୧୬ ବର୍ଷରେ ଉଚ୍ଚଶିକ୍ଷା ପାଇଁ ମାତ୍ର ୧୨୦୦ କୋଟି ବ୍ୟୟ ଅଟକଳ ଥିଲାବେଳେ ୨୦୧୬-୧୭ରେ ୧୮୦୦ କୋଟି ଓ ୨୦୧୭-୧୮ ଅର୍ଥାତ୍ ଚଳିତବର୍ଷ ପାଇଁ ୨୧୦୦ କୋଟି ରଖାଯାଇଛି । ଏଥିରୁ ଜଣାପଡ଼େ ଯେ, ଉଚ୍ଚଶିକ୍ଷା ପାଇଁ ବଜେଟ୍ ଯାହା ଥିଲା, ତା’ର ୭୫% ବଢ଼ିଛି । ତେବେ ଚାକିରୀ ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ (ଗ୍ରାଣ୍ଟ-ଇନ୍-ଏଡ୍) ପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆବଶ୍ୟକ ମାତ୍ର ୨୦୦ କୋଟି, ଯାହାକି ସର୍ବନିମ୍ନ । ଯଦି ଜୁନିଅର ପିଲାଙ୍କୁ ନୂଆକରି ଏସ୍ଏସ୍ବି ଅଧ୍ୟାପକ ନିଯୁକ୍ତି (ଯାହା ଦୀର୍ଘ ୨୫ ବର୍ଷଧରି ବନ୍ଦ ଥିଲା) ଦିଆଯାଇ ମାସିକ ୩୨ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଦିଆଯାଇପାରୁଛି କିମ୍ବା ୧୦୩୫ଟି ନୂଆ ପିଜିଟି ପଦବୀ ପାଇଁ ସରକାର ପ୍ରସ୍ତୁତିପର୍ବ ଆରମ୍ଭ କରିପାରୁଛନ୍ତି, ତେବେ ଦୀର୍ଘ ୨୫ ବର୍ଷରୁ ଉଦ୍ଧ୍ୱର୍କାଳ ଚାକିରୀ କରିଆସୁଥିବା ଶିକ୍ଷକଙ୍କ ପାଇଁ ବ୍ଲକ୍ଗ୍ରାଣ୍ଟ ଉଚ୍ଛେଦ କରି ଚାକିରୀ ସର୍ତ୍ତାବଳୀ ପୂର୍ବକ ଗ୍ରାଣ୍ଟ-ଇନ୍-ଏଡ୍ ନୀତି ଅବଲମ୍ବନ କରାଯାଉନାହିଁ କାହିଁକି?

 

ସେହିପରି ୨୦୧୬-୧୭ ଶିକ୍ଷାବର୍ଷରେ ସ୍କୁଲ୍ ଓ ଗଶଣିକ୍ଷା ବିଭାଗ ପାଇଁ ମାତ୍ର ୧୦, ୭୦୭ କୋଟି ଟଙ୍କା ଅଟକଳ ଥିଲାବେଳେ ୨୦୧୭-୧୮ ଅର୍ଥାତ ଚଳିତ ବଜେଟ୍ରେ ୧୩, ୮୭୫ କୋଟି ଟଙ୍କା ଅଟକଳ ହୋଇଛି । ଅର୍ଥାତ ପୂର୍ବାପେକ୍ଷା ୩ ହଜାର କୋଟି ଅଧିକ । ସ୍କୁଲ୍ରୁ ବ୍ଲକ୍ଗ୍ରାଣ୍ଟ ଉଚ୍ଛେଦ କରାଯାଇ ପ୍ରତ୍ୟକ୍ଷ ଅନୁଦାନ ଦେଲେ ଖର୍ଚ୍ଚ ହେବ ମାତ୍ର ୫୦୦ କୋଟି ଟଙ୍କା, ଯାହା ମଧ୍ୟ ସର୍ବନିମ୍ନ । ମୋଟାମୋଟି ଭାବେ ଦେଖିବାକୁ ଗଲେ, ରାଜ୍ୟର ସମୁଦାୟ ବଜେଟ୍ ପୂର୍ବବର୍ଷ ମାତ୍ର ୯୪,୦୫୨.୬୫ କୋଟି ଟଙ୍କା ଥିବାବେଳେ ଏବର୍ଷ ଅଛି ୧ ଲକ୍ଷ ୬ ହଜାର କୋଟି ଟଙ୍କା, ଯାହାକି ୧୨% ବଢ଼ିଛି । ତେବେ ସରକାର ବ୍ଲକ୍ଗ୍ରାଣ୍ଟ ଉଠାଉ ନାହାନ୍ତି କାହିଁକି? କାହିଁକି ରାଜ୍ୟରେ ଏକ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ଦୀର୍ଘମିଆଦୀ ସରକାର ଥାଇବି ତୁଚ୍ଛା ଆର୍ଥିକ ସଙ୍କଟ ଆଳରେ ଏଯାଏ ସେହି ପୁରୁଣାପାଠର ଆଲୋଚନା ଚଳାଇଛନ୍ତି? ଶିକ୍ଷକଙ୍କୁ ଦରମା ଦେଲେ ରାଜକୋଷରୁ ବହୁତ ଟଙ୍କା ଖର୍ଚ୍ଚହେବ ବୋଲି କହିବା ଜନସାଧାରଣଙ୍କୁ କେବଳ ଭୁଅାଁବୁଲାଇବା ବ୍ୟତୀତ ଅନ୍ୟକିଛି ନୁହେଁ ।

 

ଇତିମଧ୍ୟରେ ବ୍ଲକ୍ଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ ଅଧ୍ୟାପକଙ୍କ ଦୁର୍ଦ୍ଦଶା ବଢ଼ିବଢ଼ି ଯାଉଛି । ଏମାନଙ୍କ ମଧ୍ୟ ଜଣେଜଣେ ଶୂନ୍ୟହସ୍ତରେ ଅବସର ଗ୍ରହଣ କଲେଣି ଓ ଏପରିକି କେହିକେହି ମଧ୍ୟ ମୃତ୍ୟୁବରଣ କଲେଣି । ଯେହେତୁ ଏମାନଙ୍କର ଚାକିରୀଜନିତ କୌଣସି ବୈଧ ସର୍ତ୍ତାବଳୀ ନାହିଁ ଅର୍ଥାତ୍ ଜିପିଏଫ୍, ପେନ୍ସନ ଓ ମୃତ୍ୟୁ-ଉପକୃତ ସୁବିଧା କିଛିନାହିଁ, ତେଣୁ ଏମାନଙ୍କ ବର୍ତ୍ତମାନ ଯେପରି ଯନ୍ତ୍ରଣାଜର୍ଜର ଭବିଷ୍ୟତ ଆହୁରି ଦୁର୍ବିସହ । ଚିରକାଳ ଅଭିସଂପାତ ଭିତରେ ବ୍ଲକ୍ଗ୍ରାଣ୍ଟ ଶିକ୍ଷକ ଓ ତା’ର ପରିବାର ମର୍ମାହତ ଜୀବନ ବିତାଉଛନ୍ତି । ସପ୍ତାହସାରା ଖଣ୍ଡିଏ ପ୍ୟାଣ୍ଟସାର୍ଟ ପିନ୍ଧି ଦୁଃସ୍ଥ ଶିକ୍ଷକଟି କେତେବେଳେ ଶ୍ରେଣୀଗୃହରେ ଶିକ୍ଷାଦାନ କରୁଛି ତ କେତେବେଳେ ବଜାରସାରା ବୁଲି ଶସ୍ତାରେ ପରିବା କିଣିବାକୁ ମୁଲଚାଲ୍ କରୁଛି । ସମାନ ଶ୍ରେଣୀରେ ପଢୁଥିବା ଉଚ୍ଚବେତନଭୋଗୀ ଶିକ୍ଷକର ପିଲାକୁ ଦେଖି ସ୍ୱଳ୍ପବେତନଭୋଗୀ ଶିକ୍ଷକର ପିଲାଟି ଦୀର୍ଘଶ୍ୱାସ ଛାଡୁଛି ।

 

ଆଉ ଏକ ଆକଳନରୁ ଜଣାଯାଇଛି ଯେ, ଶିକ୍ଷା ବିଭାଗରେ ଯେତେପ୍ରକାର ଶିକ୍ଷକ ଅଛନ୍ତି, ତନ୍ମଧ୍ୟରୁ ଏହି ସ୍ୱଳ୍ପବେତନଭୁକ୍ତ ଶିକ୍ଷକମାନେ ରାଜ୍ୟର ୭୦% ଛାତ୍ରଛାତ୍ରୀଙ୍କୁ ପାଠପଢ଼ାନ୍ତି, ପରୀକ୍ଷା କରାନ୍ତି ଓ ମୂଲ୍ୟାୟନ ଦାୟିତ୍ୱ ନର୍ବାହ କରନ୍ତି । ଶିକ୍ଷା ବିଭାଗରେ ପୂର୍ବାପେକ୍ଷା ଚଳିତ ଆର୍ଥିକବର୍ଷ ପାଇଁ ବଜେଟ୍ ବୃଦ୍ଧିକୁ ନିଶ୍ଚୟ ଏକ ସମର୍ଥନ ବଜେଟ୍ ବୋଲି କୁହାଯିବ । ରାଜ୍ୟରେ ୭୦% ଛାତ୍ରଛାତ୍ରୀଙ୍କର ଶିକ୍ଷାଦାନର ଦାୟ ମୁଣ୍ଡେଇଥିବା ଏହି ଶିକ୍ଷକଙ୍କ ଚାକିରୀ ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ପାଇଁ ମାତ୍ର ପ୍ରାୟତଃ ୭ ପ୍ରତିଶତ ଅର୍ଥାତ୍ ମାତ୍ର ୭୦୦/୮୦୦ କୋଟି ଭଳି ବିନିଯୋଗ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

 

୨୦୧୭ ଅଗଷ୍ଟ ୧୬ ତାରିଖରୁ ରାଜ୍ୟ ବ୍ଲକ୍ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ସଂଘ, ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ, ଶିକ୍ଷା ସହାୟକ ସଂଘ, ନିଖିଳ ଉକ୍ରଳ କଲେଜ ଶିକ୍ଷକ ସଂଘ, ୪୮୮ ଓ ୬୬୨ ବ୍ଲକଗ୍ରାଣ୍ଟ ଅଧ୍ୟାପକ ସଂଘ ଏକଜୁଟ ହୋଇ ବିଶାଳ ଗଣବିକ୍ଷୋଭ ଚଳାଇଛନ୍ତି । ଶିକ୍ଷାବର୍ଷ ଆରମ୍ଭରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ଠପ୍ । ବର୍ଷାଦିନିଆ ରାତିରେ ଶିକ୍ଷକମାନେ ରାଜରାସ୍ତାରେ ପଡ଼ିଥିବାର ଦୃଶ୍ୟ ଗଣମାଧ୍ୟମରୁ ଦେଖିଲା ପରେ ଯେକୌଣସି ଲୋକର ହୃଦୟ ଥରି ଉଠୁଥିବ । କିନ୍ତୁ ସରକାରୀ କଳ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି । ପୂର୍ବରୁ ଅନେକ ଲିଖିତ ଓ ମୌଖିକ ପ୍ରତିଶ୍ରୁତି ପାଇ ଆନ୍ଦୋଳନବିରତ ହୋଇଥିବା ଶିକ୍ଷକ ଏଥର କିନ୍ତୁ ଅଡ଼ି ବସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ପାଇଁ । ହେଲେ ମୁଖ୍ୟମନ୍ତ୍ରୀ ସର୍ବଶ୍ରେଷ୍ଠ ପ୍ରଶାସକର ପୁରସ୍କାର ପାଇ ସମ୍ବର୍ଦ୍ଧନା ଗ୍ରହଣ କରିବାରେ ବ୍ୟସ୍ତ ।

 

ସରକାରଙ୍କ ଏ ଉଦାସୀନତା ବିରୁଦ୍ଧରେ ଯେଉଁ ଶିକ୍ଷକମାନେ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇ ଆଦେଶ ଆଣୁଛନ୍ତି, ସରକାର କାଳବିଳମ୍ବ ନକରି ସେମାନଙ୍କ ଚାକିରୀକୁ ବୈଧ କରିବା ସହିତ ଗ୍ରାଣ୍ଟ-ଇନ୍-ଏଡ୍ ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ଜନସାଧାରଣଙ୍କ ଅର୍ଥରୁ ଲକ୍ଷଲକ୍ଷ କେବଳ ଓକିଲଙ୍କ ପିଛେ ଖର୍ଚ୍ଚ କରୁଛନ୍ତି ଓ ଶେଷରେ ପରାଜୟବରଣ କରୁଛନ୍ତି । ଯଦି ଆଇନ ଆଶ୍ରିତ ଶିକ୍ଷକର ଜିତାପଟ ହେଉଛି, ତେବେ ସେହି ସମାନ ନ୍ୟାୟରେ ସରକାର ବିଧେୟକ ପ୍ରସ୍ତୁତ କରୁନାହାନ୍ତି କାହିଁକି? ଯଦି ରାଜ୍ୟରେ ବାସ୍ତବରେ ଅର୍ଥ ସଙ୍କଟ ଅଛି, ତେବେ ମନ୍ତ୍ରୀ, ଏମ୍ଏଲ୍ଏ ଓ ସଚିବମାନେ ମଧ୍ୟ ବ୍ଲକ୍ଗ୍ରାଣ୍ଟ ନେବା ଉଚିତ । କେବଳ ଶିକ୍ଷକଙ୍କ ନ୍ୟାଯ୍ୟପ୍ରାପ୍ୟ ବେଳକୁ ମିଛ ବାଘର ଆଳ କ’ଣ ପାଇଁ? ବ୍ୟବସ୍ଥାରେ ରହି ୨୦୦୪ରୁ ଶିକ୍ଷାନୀତିକୁ ସଜାଡ଼ିବା ପରିବର୍ତ୍ତେ ଯଦି ବିଗାଡ଼ି ଦିଆଯାଇଛି, ତେବେ ତାହାକୁ ଏବେ ଭାଙ୍ଗି ସମସ୍ତଙ୍କୁ ସମାନ ଅଧିକାର ପୂର୍ବକ ଏକ ନୂଆବିଧାନ ଲାଗୁ କରାଯାଉ କିମ୍ବା ପୂର୍ବ-ପ୍ରଚଳିତ ବିଧାନକୁ ପାଳନ କରାଯାଉ । ଯେଉଁ ରାଜ୍ୟରେ ଶିକ୍ଷକମାନେ ହକ୍ ପାଇଁ ରାଜରାସ୍ତାରେ ବାରମ୍ବାର ଅଭାଗାସାଜି ବୁଲନ୍ତି ଓ ଶିକ୍ଷା ବ୍ୟବସ୍ଥା ଚରମ ଅବହେଳାର ଶିକାର ହୁଏ, ‘ସେ ଭୂଇଁ ସମ୍ପୂର୍ଣ୍ଣ ଅନୁର୍ବର ହୋଇଯିବ ଓ ଆଗାମୀକାଲିକୁ ମରୁଭୂଇଁରେ କଣ୍ଟାଗଛ ଉଠିବ ।’

 

ଅଧ୍ୟାପକ, ବିଏନ୍ଏମ୍ଏ କଲେଜ,
ପାଳିଆବିନ୍ଧା, ଭଦ୍ରକ
ମୋ: ୯୯୩୭୭୭୯୪୫୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top