ବାବା ନାମ ହିଁ କେବଳମ୍‍

News Story - Posted on 2017-08-26

ସୂର୍ଯ୍ୟମଣି ମିଶ୍ର

 

ବାବାମାନେ କେତେ ନାଟକୀୟ ଢଙ୍ଗରେ ବିକୃତି ପ୍ରଦର୍ଶନ କରିପାରନ୍ତି, ତାହାର ଉଦାହରଣ ଆଶାରାମ ବାପୁ । ସେ ଏବେ ଜେଲ୍‍ରେ । ରେପ୍ ଗୁରୁ ଗୁରୁମିତ ସିଂହ ରାମରହିମ ଏହା ସହ ଯୋଡ଼ି ହୋଇଯାଇଛି । ଦେଶର ଅଦାଲତ ସାହସର ସହ କାର୍ଯ୍ୟ କରି ନିଜ ଐତିହାସିକ ଭୂମିକା ପାଳନ କରିଛନ୍ତି । ବିଜେପିକୁ ଆଶୀର୍ବାଦ ଦେଇଥିବା ଏହି ଭଣ୍ଡବାବାଙ୍କୁ ଦୁଷ୍କର୍ମରେ ଜଡ଼ିତ ବୋଲି ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟ ବାବାଙ୍କୁ ଜେଲ୍‍ର ରାସ୍ତା ଦେଖେଇ ଦିଆଯାଇଛି ।

 

୨୦୧୭ରେ ହରିୟାଣା, ପଞ୍ଜାବର ନିର୍ବାଚନ ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସିରସା ଯାଇଥିଲେ । ଏହି ସମୟରେ ବିଜେପିର ୯୦ରୁ ଅଧିକ ଆଶାୟୀ ପ୍ରାର୍ଥୀ ବାବା ରାମରହିମଙ୍କ ଆଶୀର୍ବାଦ ପାଇବା ପାଇଁ ଧାଡ଼ିରେ ଥିଲେ । ବାବା କେତେ ଶକ୍ତିଶାଳୀ ତାହାର ଏ ଗୋଟିଏ ନମୁନା ।

 

୨୦୧୭ ଜାନୁୟାରୀ, ୱାର୍ଲ୍ଡ ଇକୋନୋମିକ୍‍ ଫୋରମ୍‍ରେ ଏକ ତଥ୍ୟ ପ୍ରକାଶିତ ହୋଇଥିଲା । ତଥ୍ୟଟି ଥିଲା ଏହିପରି- ଧର୍ମ କେତେ ଖରବ ଡଲାରର ଉଦ୍ୟୋଗ? ସାରା ବିଶ୍ୱରେ କିପରି ଫଳଫୁଲ ଏହି ଧର୍ମ ନାମରେ ଫୁଟିଛି ଓ ଫଳୁଛି, ତାହାର ସୂଚନା ଥିଲା । ବିଶ୍ୱର ୧୬ ଜଣ ଧର୍ମଗୁରୁ ସୁଇଜରଲ୍ୟାଣ୍ଡ୍‍ରେ ଟଙ୍କା ରଖିଛନ୍ତି । ଆମେରିକା ହେଉଛି ଏହି ଧର୍ମଗୁରୁଙ୍କ ପ୍ରଧାନ ଜିଜ୍ଞାସାର କେନ୍ଦ୍ରସ୍ଥଳ । ଆମେରିକାରେ ଧର୍ମର ବେପାରରେ ପ୍ରତିବର୍ଷ ୧.୨ ଟ୍ରିଲିୟନ ଡଲାର୍‍ (୧୨୦ ଲକ୍ଷ କୋଟି ବା ଖରବ) ଟଙ୍କା ଏପଟସେପଟ ବା ଏଠିସେଠି ହେଉଛି । ଆପଲ୍‍, ଆମାଜନ୍‍, ଗୁଗୁଲୁ ଭଳି ବିଶ୍ୱର ୧୦ଟି ବଡ଼ କମ୍ପାନୀ ବର୍ଷକୁ ଯେତେ ଟଙ୍କା ଆମଦାନୀ କରିଥାନ୍ତି, ଏହାଠାରୁ ବହୁ ଅଧିକ ପରିମାଣର ଟଙ୍କା ଆମେରିକାରେ ପ୍ରତିଷ୍ଠିତ ଧର୍ମଗୁରୁ ଏବଂ ଏମାନଙ୍କ ସଂସ୍ଥା ଆୟ କରିଥାନ୍ତି । ରିପବ୍ଲିକାଲ୍‍ ପାର୍ଟି ହେଉ ଅବା ଡେମୋକ୍ରାଟିକ୍‍ ହେଉ, ଯିଏ ବି କ୍ଷମତାକୁ ଆସନ୍ତି-ଏମାନଙ୍କ ନେତା ଧର୍ମଗୁରୁଙ୍କ ବନ୍ଦନା କରିଥାନ୍ତି ।

 

୨୦୦୧ରେ ଆମେରିକା ଏବଂ ଆୟାର୍‍ଲ୍ୟାଣ୍ଡ ଅଦାଲତ ଖ୍ରୀଷ୍ଟିୟାନ୍‍ କ୍ୟାଥ୍‍ଲିକ୍‍ ଧର୍ମଗୁରୁଙ୍କ ବିରୁଦ୍ଧରେ ଶିଶୁ ବଳାକ୍ରାର ମାମଲା ରୁଜୁ କରିଥିଲେ । ୨୦୦୪ରେ ଜଣାପଡ଼ିଲା, ୪,୩୯୨ କ୍ୟାଥ୍‍ଲିକ୍‍ ଧର୍ମଗୁରୁ ଶିଶୁ ବଳାକ୍ରାରରେ ସଂପୃକ୍ତ । ହୁଏତ ଭାଟିକାନ୍‍ ଉଦ୍ୟମରେ ମାମଲାଗୁଡ଼ିକ ମାଟିରେ ମିଶିଗଲା । ଫଳ ହେଲା ଓଲଟା । ଅଷ୍ଟ୍ରେଲିଆରୁ ଆଫ୍ରିକା ଯାଏ କୌଣସି ମହାଦେଶ ଏଥିରୁ ମୁକ୍ତି ପାଇନାହିଁ । ଯେଉଁଠି କ୍ୟାଥ୍‍ଲିକ୍‍ ଧର୍ମଗୁରୁଙ୍କ ଦ୍ୱାରା ଶିଶୁ ବଳାକ୍ରାର ଅଭିଯୋଗ ହୋଇନାହିଁ । କେବଳ ଅଦାଲତରେ ଏଯାଏଁ ଶୁଣାଣି ପାଇଁ ସମୟ ଗଡ଼ିଚାଲିଛି ।

 

ପାଦ୍ରିଙ୍କ ଭଳି ମୁଲ୍ଲାମାନେ ମଧ୍ୟ ଧର୍ମ ନାମରେ ଶିଶୁ ଓ ମହିଳାଙ୍କୁ ଶୋଷଣରୁ ମୁକ୍ତି ଦେଉନାହାନ୍ତି । ସାଉଦିଆରବ ସମେତ ପଶ୍ଚିମ-ପୂର୍ବ ଏସିଆ, ଆଫ୍ରିକାରେ ବଳାକ୍ରାର ଏବଂ ଯୌନ ଶୋଷଣ ସଂପର୍କିତ ହଜାରେ ମାମଲା ଅଦାଲତରେ ବିଚାରାଧୀନ ଥିବା ଜଣାଯାଇଛି । ମୁସଲମାନ ଧର୍ମଗୁରୁ ଏବଂ ସେମାନଙ୍କର ଅନୁଗାମୀ ଏହି ମାମଲାକୁ ବିଚାର ପ୍ରକ୍ରିୟାଠାରୁ ଦୂରେଇବା ପାଇଁ ଉଦ୍ୟମରତ ।

 

ଆଜି ବିଶ୍ୱରେ ସମଗ୍ର ଜନସଂଖ୍ୟାର ୩୧.୨ ପ୍ରତିଶତ ଅର୍ଥାତ୍‍ ୨ ଅରବ ୩୦ କୋଟି ହେଉଛନ୍ତି ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ । ଦ୍ୱିତୀୟ ସ୍ଥାନରେ ୧ ଅରବ ୮୦ କୋଟି ଲୋକ ହେଉଛନ୍ତି ଇସ୍‍ଲାମିକ୍‍ । ଏହା ହେଉଛି ମୋଟ ବିଶ୍ୱ ଜନସଂଖ୍ୟାର ୨୪.୧ ପ୍ରତିଶତ । ତୃତୀୟ ସ୍ଥାନରେ ୧ ଅରବ ୨୦ କୋଟି ଅର୍ଥାତ ମୋଟ ଜନସଂଖ୍ୟାର ୧୬ ପ୍ରତିଶତ ହେଉଛନ୍ତି ସିକ୍ୟୁଲାର୍‍ ଏବଂ ଅନିଶ୍ୱରବାଦୀ । ଚତୁର୍ଥ ସ୍ଥାନରେ ହିନ୍ଦୁ ଧର୍ମାବଲମ୍ବୀ ଅଛନ୍ତି । ବିଶ୍ୱ ଜନସଂଖ୍ୟାରେ ଏମାନଙ୍କ ହାର ହେଉଛି ୧ ଅରବ ୧୦ କୋଟି । ଏହା ହେଉଛି ମୋଟ ଜନସଂଖ୍ୟାର ୧୫.୧ ପ୍ରତିଶତ । ଏହି ପରିସଂଖ୍ୟାନ ହେଉଛି ୱାସିଂଟନ୍‍ ସ୍ଥିତ ପିଇଡବ୍ଲ୍ୟୁ ରିସର୍ଚ୍ଚ ସେଣ୍ଟର୍‍ର ୨୦୧୫ ରିପୋର୍ଟ ।

 

ଅନୁଧ୍ୟାନ ରିପୋର୍ଟ ଅନୁଯାୟୀ ଧର୍ମର ବଜାର ବଢ଼ୁଛି । ଧର୍ମଗୁରୁଙ୍କ ପଛରେ କର୍ପୋରେଟ୍‍ ହାଉସ୍‍ ଟଙ୍କା ଖଟାଉଛନ୍ତି । ଫଳରେ ଧର୍ମଗୁରୁମାନେ ଦେଶ ଦେଶର କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି । ଏପରିକି ସେମାନଙ୍କ କାର୍ଯ୍ୟଧାରା ସମାନ୍ତରାଳ ସରକାର ଚାଲୁଥିବା ସୂଚାଉଛି । ଏହା ନୁହେଁ ଯେ ମାଓଙ୍କ ଚୀନ୍‍ରେ ହିନ୍ଦୁ ଦେବୀ ଦେବତାଙ୍କ ମୂର୍ତ୍ତି ତିଆରି ହେଉନାହିଁ । ହୁଏତ ଭାରତରେ ଧର୍ମର ବଜାର ଏତେ ବଡ଼ ନୁହେଁ । କିନ୍ତୁ ଛୋଟ ବୋଲି କୁହାଯାଇ ପାରିବ ନାହିଁ । ୨୦୧୪ ସୁଦ୍ଧା ଧର୍ମ ଉଦ୍ୟୋଗର ପୁଞ୍ଜି ପରିମାଣ ଥିଲା ୩୦ ଅରବ ଡଲାର । ୨୭ ଜୁଲାଇ, ୨୦୧୬ରେ ଇକୋନୋମିକ୍ସ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଉଲ୍ଲେଖ ଥିଲା- ଧର୍ମର ବଜାରର ପରିମାଣ ଏବେ ୪୦ ଅରବ ଡଲାର ହୋଇଯାଇଛି । ୨୦୧୪ରେ ଅନ୍‍ଲାଇନ୍‍ରେ ପୂଜା ସାମଗ୍ରୀ ବିକ୍ରି ପାଇଁ ଷ୍ଟାର୍ଟ ଅପ୍‍ର ରୂପ ଦିଆଗଲା । ଆଜି ଦିନରେ ଶୁଭ କାର୍ଡ ନାମରେ ୨୦୦ ପୂଜା ଆଇଟମ୍‍ ଅନ୍‍ଲାଇନ୍‍ ମାଧ୍ୟମରେ ବିକ୍ରି ହେଉଛି । ଏଥିସହ ୧୨ ହଜାରରୁ ଅଧିକ କମ୍ପାନୀ ପୂଜା ସାମଗ୍ରୀ, ବାସ୍ତୁ ଆବଶ୍ୟକତା, ତନ୍ତ୍ରମନ୍ତ୍ରଠାରୁ ଜନ୍ମମୃତ୍ୟୁ ଯାଏଁ ଆବଶ୍ୟକ ସାମଗ୍ରୀ ଅନ୍‍ଲାଇନ୍‍ରେ ବିକ୍ରି ପାଇଁ ଉପଲବ୍ଧ ଥିବା ସୂଚାଉଛନ୍ତି । ଆପଣ ଯେ କୌଣସି ଧର୍ମର ହୁଅନ୍ତୁ ନା କାହିଁକି, ପୂଜାରୀଠାରୁ ଆରମ୍ଭ କରି ପୂଜା ସାମଗ୍ରୀ ଯୋଗାଇବାରେ ଧର୍ମଗୁରୁଙ୍କର ଆଧିପତ୍ୟ ବଜାୟ ରହିଛି । ଧର୍ମଗୁରୁଙ୍କ ପାଇଁ ବୃତ୍ତି ଓ ବ୍ରତ ପାଲଟିଛି ଧନ-ସମ୍ପଦ ଆହରଣର ଅନ୍ତହୀନ ପିପାସା । ବାବାମାନଙ୍କ ଆଉଟ୍‍ଲେଟ୍‍ ୟୁରୋପ୍‍ ଓ ଆମେରିକାଠାରୁ ବିଶ୍ୱର ବଡ଼ ସହରରେ ସପିଂ କମ୍ପେ୍ଲକ୍ସ ନିର୍ମାଣରେ ସୂଚନା ଦିଆଯାଇଛି ।

 

ହୁଏତ ମହର୍ଷି ମହେଶ ଯୋଗୀ ୫ ଫେବୃୟାରୀ, ୨୦୦୮ରେ ମୃତ୍ୟୁବରଣ କଲେ । ଏହା ପୂର୍ବରୁ ସେ ନେଦର୍‍ଲ୍ୟାଣ୍ଡରେ ରହି ୧୦ ଟ୍ରିଲିୟନ୍‍ ଡଲାର୍‍ ଗରିବୀ ହଟାଇବା ପାଇଁ ସଂଗ୍ରହ କରିଥିଲେ । ଏହା ଥିଲା ଦାନ ପାଣ୍ଠିର ପରିମାଣ । ଭାରତୀୟ ବାବା ବିଦେଶରେ କିପରି ସମାନ୍ତରାଳ ସରକାର ଗଠନ ଚଳାଇପାରନ୍ତି, ତାହାର ଉଦାହରଣ ସେ ଦେଖାଇଥିଲେ । ଓସୋ ବା ରଜନୀଶଙ୍କଠାରୁ ଧୀରେନ୍ଦ୍ର ବ୍ରହ୍ମଚାରୀଙ୍କ ଯାଏଁ ପ୍ରଭାବୀ ଭାରତୀୟ ଧର୍ମଗୁରୁଙ୍କ ଶକ୍ତି କାହାକୁ ଅଛପା ନୁହେଁ । ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ରିମୋର୍ଟ କଣ୍ଟ୍ରୋଲ୍‍ର୍‍ ଥିଲେ ଧିରେନ୍ଦ୍ର ବ୍ରହ୍ମଚାରୀ । ଏବେ ତ ଶ୍ରୀ ଶ୍ରୀ ରବିଶଙ୍କର, ରାମଦେବଙ୍କ ପ୍ରଭାବ କେତେ ସୁଦୂରପ୍ରସାରୀ ଓ ତାଙ୍କ ବେପାରର ସାମ୍ରାଜ୍ୟ କେତେ ସଶକ୍ତ, ତାହା କହିବା ବାହୁଲ୍ୟ ହେବ । ନିର୍ବାଚନରେ ଏହି ଧର୍ମଗୁରୁ ଟଙ୍କା ଖଟାଉଥିବାର ଅଭିଯୋଗ ଲାଗିରହିଛି । ହୁଏତ ଏହି ପ୍ରଭାବୀ ବାବାଙ୍କ ମଧ୍ୟରୁ ଆଶାରାମ ବାପୁ ଏବେ ବଳାକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ରେ ଅଛନ୍ତି ।

 

ରେପ୍‍ ଗୁରୁ ଭାବରେ ପରିଚିତ ଗୁରୁମିତ୍‍ ରାମରହିମ୍‍ଙ୍କୁ ସିବିଆଇ ଅଦାଲତ ଅଗଷ୍ଟ ୨୫, ୨୦୧୭ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦେଶର ଅଦାଲତ ସାହସର ସହ କାମ କରୁଥିବା ଗୋଟିଏ ପରେ ଗୋଟିଏ ରାୟରୁ ସୂଚନା ମିଳୁଛି । ସିବିଆଇ ବିଚାରପତି ଜଗଦୀଶ ସିଂହ ଶକ୍ତିଶାଳୀ ରାମରହିମ୍‍ ବାବାଙ୍କ ୨୦୦ କାର୍‍ରେ ଆସିବା ଏବଂ ଲକ୍ଷାଧିକ ସମର୍ଥକଙ୍କ ସହ ଅଦାଲତରେ ପହଞ୍ôଚବା ବିଚାରପତିଙ୍କ ପାଇଁ ନ୍ୟାୟ ଦେବାରେ ପ୍ରଭାବ ପକାଇନି । ବିଚାରପତିଙ୍କ ପାଖରେ ନ୍ୟାୟ ପ୍ରଦାନ ସମୟରେ ଶକ୍ତି ପ୍ରଦର୍ଶନ ଯେ ପ୍ରଭାବଶୂନ୍ୟ, ତାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବିଚାରପତି ଜଗଦୀଶ ସିଂହ । ବାବା ରାମରହିମ୍‍ ହରିୟାଣା ଓ ପଞ୍ଜାବରେ ସମାନ୍ତରାଳ ସରକାର ଚଳାଉଥିବା ଭ୍ରମ ସୃଷ୍ଟି କରିଥିଲେ ।

 

ଚଣ୍ଡୀଗଡ଼ରୁ ପ୍ରକାଶିତ ‘ଦେଶସେବକ’ ଏକ ସର୍ଭେରେ ସୂଚାଇଛି ଯେ, ପଞ୍ଜାବର ୧୨ ହଜାର ଗାଁରେ ୯ ହଜାର ଶିଖ୍‍ ଏବଂ ଅଣଶିଖ୍‍ ଡେରେ ଚଳାଉଛନ୍ତି । ଏହି ତାଲିକାରେ ୧୦ଟି ଶକ୍ତିଶାଳୀ ଡେର୍‍ ଅଛନ୍ତି । ତାଲିକା ଅନୁଯାୟୀ ସନ୍ଥ ନିରଙ୍କାରୀ ମିଶନ, ରାଧାସ୍ୱାମୀ ସତ୍‍ସଙ୍ଗ ବ୍ୟାସ ନାମଧାରୀ (ଯାହଙ୍କୁ କୁକା), ତୃତୀୟ ସ୍ଥାନରେ ଡେରା ସଚ୍ଚା ସୌଦା, ଚତୁର୍ଥରେ ରସୁଦଦାର ସମାଧି, ପଞ୍ଚମରେ ବିବାରର ବାବା ଆଶୁତୋଷ, ଷଷ୍ଠରେ ଦିବ୍ୟଜ୍ୟୋତି ଜାଗରଣ (ଦୁରମହଲ୍‍) ଡେରା ସଖଣ୍ଡ ବଲ୍ଲନ, ଭାର୍‍ ନିଆର୍‍ ବାଲାଡେରା, ନକୋଦରସ୍ଥିତ ଡେରା ବାବା ମୁରାଦ୍‍ ଶାହ, ଡେରା ବେଗୋବଳ, ଡେରାବାବା ମସ୍ତରାମ ଜୀ ଜର୍ଚ୍ଚାନା ୧୦ମ ସ୍ଥାନରେ ରହିଛନ୍ତି । ଏହା ହେଉଛି ଡେରାର ଚିତ୍ର । କେବଳ ପଞ୍ଜାବ ନୁହେଁ, ହରିୟାଣା ସମେତ ପାଞ୍ଚଟି ରାଜ୍ୟରେ ବାବା ରାମରହିମ୍‍ଙ୍କର ଅନୁଗାମୀ ଅଛନ୍ତି । ବାବାଙ୍କ ମତରେ ତାଙ୍କ ପଛରେ ୬ କୋଟି ଅନୁଗାମୀ ଅଛନ୍ତି । ଦେଶର ଆଇନ ଆଗରେ କେହି ବଡ଼ ନୁହଁନ୍ତି । କିନ୍ତୁ ଅପରାଧରେ ଜଡ଼ିତ ଏହି ବାବା ରାମରହିମ୍‍ ସରକାରୀ ପୃଷ୍ଠପୋଷକତା ପାଇଁ ବର୍ଷ ପରେ ବର୍ଷ ନିର୍ଭୟରେ ରହିଥିଲେ । ନିଜକୁ ମେସେଞ୍ଜର୍‍ ଅଫ୍‍ ଗଡ୍‍ ବୋଲି ଅନୁଗାମୀଙ୍କ ମାଧ୍ୟମରେ ପ୍ରଚାର କରାଇଥିଲେ । ରକ୍‍ଷ୍ଟାର୍‍ ଭାବେ ତାଙ୍କ ପରିଚୟ ମଧ୍ୟ ଥିଲା । ଏହା ସହ ସେ ପାଞ୍ଚଟି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ରୋମାଞ୍ଚ ଓ ଫାଇଟିଂକୁ ଏହି ବାବାଙ୍କର ଭାରି ଆଦର ଥିଲା । ଏହାକୁ ସେ ଧର୍ମ ସହ ଯୋଡ଼ିବାରେ ସଫଳ ହୋଇଥିଲେ । ତାଙ୍କର ଆଶ୍ରମ ଥିଲା ଅତି ଆଧୁନିକ ଓ ହାଇଟେକ୍‍ ନିର୍ମିତ । ତ୍ୟାଗ, ତପସ୍ୟା ପରିବର୍ତ୍ତେ ଭଗବାନଙ୍କର ଏହି ନୂଆ ଅବତାର ଅତ୍ୟାଧୁନିକତାକୁ ଆପଣେଇ ଥିଲେ ।

 

ସୂଚନା ଅଧିକାର ଆଇନ ବଳରେ ଆୟକର ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ବାବାଙ୍କର ବାର୍ଷିକ ଆୟ ୨୦୧୦-୧୧ରେ ୨୯ କୋଟି ୧୮ ଲକ୍ଷ ଟଙ୍କାରୁ ଅଧିକ ଥିବା ବେଳେ ୨୦୧୧-୧୨ରେ ଏହା ୪୦ କୋଟି ୭୫ ଲକ୍ଷକୁ ବୃଦ୍ଧି ପାଇଥିଲା । ୨୦୧୨-୧୩ ବେଳକୁ ରାମରହିମ ବାବାଙ୍କ ବାର୍ଷିକ ଆୟ ୬୦ କୋଟି ଟଙ୍କାରୁ ଅଧିକ ହୋଇଥିଲା । ଏବେ ଏହି ଆୟ ଦୁଇଗୁଣକୁ ବୃଦ୍ଧି ପାଇଛି ।

 

ବିଶ୍ୱ ଧର୍ମ ବଜାରର ପୁଞ୍ଜି ବଢ଼ିଚାଲିଥିବା ବେଳେ ବାବା ବା ଧର୍ମଗୁରୁଙ୍କ ନାମ ମହିମା ମଣ୍ଡିତ କରିବାରେ ଶାସନରେ ଥିବା ରାଜନୈତିକ ଦଳ ପଛାଉ ନାହାନ୍ତି ବରଂ ଅଧିକରୁ ଅଧିକ ପ୍ରୋତ୍ସାହନ ଯୋଗାଉଛନ୍ତି । ବାବା ରାମରହିମଙ୍କୁ ହରିୟାଣାର ୩ ଜଣ ମନ୍ତ୍ରୀ ନିକଟରେ ୧.୧ କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଥିବା ସଂପର୍କିତ ତଥ୍ୟର ପର୍ଦ୍ଦାଫାସ ହୋଇଛି । ବିଜେପିର ସାକ୍ଷୀ ମହରାଜଙ୍କ ଭଳି ସାଂସଦ ରାମରହିମ୍‍ଙ୍କ ଭଳି ଦୁରାଚାରୀଙ୍କୁ (ଯିଏ ସାଧ୍ୱୀଙ୍କ ପ୍ରତି ଦୁଷ୍କର୍ମ କରିବା ସହ ୪୦୦ରୁ ଅଧିକ ପୁରୁଷଙ୍କୁ ନପୁଂସକ କରିଛନ୍ତି) ତାଙ୍କ ଭାରତ ସଂସ୍କୃତିର ରକ୍ଷକ ତାଲିକାରେ ଯୋଡ଼ିଛନ୍ତି । ଏହା ସୂଚାଇ ଦେଉଛି ବିଶ୍ୱର ଧର୍ମଗୁରୁଙ୍କ ନାମ ହିଁ କେବଳମ୍‍, ସେ ହିଁ ସାର, ଆଉସବୁ ଅସାର । ବିଜ୍ଞାନର ଅଭୂତପୂର୍ବ ବିକାଶ ସତ୍ତେ୍ୱ ସାଧାରଣ ନାଗରିକ କେବଳ ନୁହନ୍ତି, ଶିକ୍ଷିତ, ଉଚ୍ଚଶିକ୍ଷିତ ମଧ୍ୟ ଏହି ବାବାଙ୍କ ନାମକୁ ଜପାମାଳି କରି ଅନ୍ଧଭକ୍ତ ସାଜୁଛନ୍ତି । ଧର୍ମର ବଜାର ଅନ୍ଧଭକ୍ତ ତିଆରିରେ ସଫଳ ହୋଇଚାଲିଛି । ଧର୍ମ ନାମରେ ଆତଙ୍କ, ଉପଦ୍ରବ ଦେଖିବାକୁ ମିଳୁଛି । ଏହାର ଉଦାହରଣ ଭାବେ ୨୫ ଅଗଷ୍ଟ, ୨୦୧୭ର ହରିୟାଣା ସ୍ଥିତ ସିସରାକୁ ନିଆଯାଇପାରେ ।

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top