ଧର୍ଷକ ବାବା, ହିଂସ୍ରକ ଭକ୍ତ

News Story - Posted on 2017-08-25

ଡେରା ସଚା ସୌଦା ସଂପ୍ରଦାୟର ମୁଖ୍ୟ ବାବା ଗୁରମିତ ରାମରହିମ ସିଂହ ଧର୍ଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଅସମ୍ଭାଳ ହୋଇଯାଇଛନ୍ତି ତାଙ୍କର ଭକ୍ତ ବାହିନୀ । ସେମାନଙ୍କ ହିଂସାରେ କେବଳ ହରିଆନାର ପଞ୍ଚକୁଲା ସହରରେ ପ୍ରାଣ ହରାଇଛନ୍ତି ୩୦ ଜଣ ଲୋକ, ଆହତ ହୋଇଛନ୍ତି ପ୍ରାୟ ୨୫୦ । ଉତ୍ତ୍ୟକ୍ତ ଭକ୍ତଗଣଙ୍କ ଆକ୍ରମଣରୁ ବାଦ ପଡ଼ି ନାହାନ୍ତି ସାମ୍ବାଦିକ ଓ ସାଧାରଣ ଜନତା । ରେଳ ଷ୍ଟେସନ, ଟେଲିଫୋନ ଏକ୍ସଚେଞ୍ଜ, ଓବି ଭ୍ୟାନ, ବସ୍, ଜିପ୍, ଦୁଇ ଚକିଆ- ଅନେକ କିଛି ଜାଳିପୋଡ଼ି ଛାରଖାର କରିଦେଇଛନ୍ତି ବାବାଙ୍କ ଭକ୍ତ ।
୨୦୦୨ ମସିହାର ଏକ ଧର୍ଷଣ ମାମଲାରେ ପାଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ସଚା ସୌଦା ମୁଖ୍ୟ ଗୁରମିତ ରାମରହିମ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିଚାରପତି ରାୟ ଶୁଣାଇବା ସମୟରେ କୋର୍ଟରୁମରେ ଉପସ୍ଥିତ ଥିଲେ ରାମ ରହିମ । ଏହି ରାୟ ଶୁଣିବାକୁ ସେ ହରିଆନାର ସିର୍ସାରୁ ପ୍ରାୟ ୨୦୦ ଗାଡ଼ିରେ ନିଜର ଦଳବଳ ଧରି ଆସିଥିଲେ । ସିର୍ସାରୁ ପାଞ୍ଚକୁଲାର ଦୂରତା ହେବ ୨୬୦ କିଲୋମିଟର । ବାଟରେ ପୁଲିସ ଏତେ ବଡ଼ ପଟୁଆରକୁ ଅଟକାଇବା ପରିବର୍ତ୍ତେ ସେମାନଙ୍କୁ ପାଞ୍ଚକୁଲାରେ ପହଂଚିବାକୁ ଛାଡ଼ି ଦେଇଥିଲା ।

 

କୋର୍ଟ ରାୟ ଶୁଣାଇବା ପରେ ପରେ ପାଞ୍ଚକୁଲାରେ ରୁଣ୍ଡ ହୋଇଥିବା ରାମ ରହିମଙ୍କ ଭକ୍ତମାନେ ଗୁଣ୍ଡାଗର୍ଦ୍ଦି ଓ ଜଳାପୋଡ଼ା ଆରମ୍ଭ କରିଥିଲେ । ସେମାନଙ୍କ ହିଂସାକାଣ୍ଡରେ ସନ୍ଧ୍ୟା ୯ ଘଣ୍ଟା ସୁଦ୍ଧା ୩୦ ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ ୨୫୦ ଉପରେ ଲୋକ ଆହତ ହୋଇଛନ୍ତି । ତୁରନ୍ତ ଏହି ହିଂସା ହରିଆନା ଓ ପଞ୍ଜାବର ଅନ୍ୟାନ୍ୟ ସହରକୁ ବ୍ୟାପୀ ଯାଇଥିଲା । ପଞ୍ଜାବର ଭାଟିଣ୍ଡା, ଫିରୋଜପୁର, ମାନସା ସହରରେ ମଧ୍ୟ ଡେରାଭକ୍ତମାନେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି କରିଛନ୍ତି । ପ୍ରତିକ୍ରିୟାଶୀଳ ଭକ୍ତମାନେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଜଳାପୋଡ଼ା କରିଛନ୍ତି । ଉତ୍ତର ପ୍ରଦେଶର ନୋଇଡ଼ା, ମୁଜାଫରନଗର, ବାଗପତ, ଗାଜିଆବାଦ ଓ ଶାମଳିରେ ହିଂସାକାଣ୍ଡ ସୃଷ୍ଟି ହେବାରୁ ସେସବୁ ସହରରେ ୧୪୪ ଧାରା ଜାରି କରାଯାଇଛି । ଦିଲ୍ଲୀରେ ଡେରା ଭକ୍ତମାନେ ବସ୍ ଜାଳିଦେବାରୁ ସମଗ୍ର ମହାନଗର ଇଲାକାରେ ହାଇ ଆଲର୍ଟ ଜାରି କରାଯାଇଛି । ପାଞ୍ଚକୁଲା ଓ ରୋହତକରେ କର୍ଫ୍ୟୁ ଜାରି କରାଯାଇଛି ।

 

ହିଂସାକାଣ୍ଡ ରୋକିବାକୁ ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଲୋକମାନଙ୍କୁ ଆବେଦନ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ହରିଆନା ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ପ୍ରାୟ ୫୬ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଓ ୫୩ ହଜାର ପୁଲିସ ନିୟନ୍ତ୍ରଣ କରାଯାଇଛି । ସନ୍ଧ୍ୟା ସୁଦ୍ଧା ହିଂସାକାଣ୍ଡ ନଥମିବାରୁ ସେନା ବାହିନୀ ମୁତୟନ କରାଯାଇଛି । ହରିଆନା ପୁଲିସ ହଜାରେରୁ ଅଧିକ ଭକ୍ତଙ୍କୁ ଗିରଫ କରିଛି । ବିଭିନ୍ନ ସ୍ଥାନରେ ବିଭିନ୍ନ ଟ୍ରେନର କେତେକ ବଗି ପୋଡ଼ି ଦିଆଯାଇଥିବାରୁ ଉତ୍ତର ରେଳବାଇର ଅନେକ ରାସ୍ତାରେ ରେଳ ଚଳାଚଳ ବ୍ୟାହତ ହୋଇଛି । ପଞ୍ଜାବ ଓ ହରିଆନାର ବିଭିନ୍ନ ସହରକୁ ଟ୍ରେନ ଚଳାଚଳ ବନ୍ଦ ରହିଛି ।

 

ବ୍ୟାପକ ହିଂସାକାଣ୍ଡ ଦେଖି ପଞ୍ଜାବ ଓ ହରିଆନା ହାଇକୋର୍ଟ ଗୁରମିତ ରାମ ରହିମ ସିଂହଙ୍କ ସଂପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର ସମସ୍ତ ସଂପତ୍ତି ବ୍ୟାଜ୍ୟାପ୍ତ କରି ବିକ୍ରିଲବ୍ଧ ଧନରୁ ହିଂସାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ରାଜ୍ୟ ପୁଲିସ ଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟି ବାବାଙ୍କ ଭକ୍ତ ବାହିନୀକୁ ପରୋକ୍ଷରେ ସହଯୋଗ କରିବା ଖବରରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।

 

ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ ଆସନ୍ତା କାଲି ସକାଳ ୧୦ ଘଣ୍ଟା ସମୟରେ ଏକ ଜରୁରୀ ବୈଠକ ଡକାଇଛନ୍ତି । ସେହି ବୈଠକରେ ପରିସ୍ଥିତିର ସମୀକ୍ଷା କରାଯିବ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୨ ମସିହାରେ ଡେରା ସଚା ସୌଦା ସଂପ୍ରଦାୟର ଜଣେ ମହିଳା ଭକ୍ତ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପଞ୍ଜାବ ହରିଆନା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ବେନାମୀ ଚିଠି ଲେଖି ଧର୍ଷଣ ଅଭିଯୋଗ କରିଥିଲେ । ସେ ଲେଖିଥିଲେ ଯେ ସେ ଯେତେବେଳେ ବାବାଙ୍କ ରୁମ୍ରେ ପଶିଲେ କବାଟ ଆପେଆପେ ବନ୍ଦ ହୋଇଗଲା । ବାବା ସେତେବେଳେ ଏକ ବିରାଟ ଟିଭି ପରଦାରେ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ । ସେଠାରେ ସେ ତାଙ୍କୁ ଧର୍ଷଣ କଲେ । ପରେ ଅନ୍ୟ ଜଣେ ମହିଳା ଭକ୍ତ ମଧ୍ୟ ଏହିପରି ଅଭିଯୋଗ କରିଥିଲେ ।

 

ହାଇକୋର୍ଟ ଏହି ଚିଠିକୁ ଅଭିଯୋଗ ଭାବେ ଗ୍ରହଣ କଲେ ଓ ତା’ ଉପରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ସିବିଆଇ ଡେରା ସଂପ୍ରଦାୟର ଅନେକ ମହିଳା ଭକ୍ତଙ୍କୁ ଜେରା କରିବା ପରେ ୨୦୦୮ ମସିହାରେ ବାବାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ଅଗଷ୍ଟ ୨୮ ତାରିଖରେ ବାବାଙ୍କର ଦଣ୍ଡବିଧାନ ହେବ । ତାଙ୍କୁ ସର୍ବନିମ୍ନ ୭ ବର୍ଷ କିମ୍ବା ସର୍ବାଧିକ ଯାବତଜୀବନ କାରାବାସ ହୋଇପାରେ । ସିବିଆଇ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାମ ରହିମଙ୍କୁ ରୋହତକର ଏକ ଜେଲକୁ ହେଲିକପ୍ଟରେ ନିଆଯାଇଛି । ତାଙ୍କୁ ଅମ୍ବାଲା ଜେଲ୍ରେ ରଖିବାର ଯୋଜନା ଥିଲା ।

 

ହରିଆନାର ସିର୍ସାରେ ଗୁରମିତ ରାମ ରହିବା ସିଂହଙ୍କର ୧୦୦ ଏକରର ଏକ ବିରାଟ ଆଶ୍ରମ ରହିଛି । ତା’ ଭିତରେ ଖେଳ ପଡ଼ିଆ, ଡାକ୍ତରଖାନା, ସ୍କୁଲ, ଚକୋଲେଟ୍ ଫ୍ୟାକ୍ଟ୍ରି, କନ୍ଫେକ୍ସନାରୀ, ସିନେମା ହଲ୍, ଫାର୍ମ ହାଉସ ଆଦି ବିଶାଳ ବ୍ୟକ୍ତିଗତ ସାମାଜ୍ର୍ୟ ଗଢ଼ି ଉଠିଛି । ବାବାଙ୍କ ଲୋକପ୍ରିୟତା ବଢ଼ିବା ପରେ ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ହିମାଚଳ ପ୍ରଦେଶ ଆଦି ଅନେକ ରାଜ୍ୟରେ ତାଙ୍କର ଆଶ୍ରମ ଖୋଲିଛି । ଏପରିକି ଓଡ଼ିଶାର ପୁରୀରେ ମଧ୍ୟ ଡେରା ସଂପ୍ରଦାୟର ଏକ ରୁଦ୍ଧ ଆଶ୍ରମ ରହିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top