ଅବକାରୀ କୋଠା ଭୂତକୋଠି

News Story - Posted on 2017-08-25

ଗଞ୍ଜାମ ଜିଲ୍ଲା ଚିକିଟିଠାରେ ନିର୍ମାଣ ହୋଇଥିବା ଅବକାରୀ ବିଭାଗର ଉପ-ନୀରିକ୍ଷକଙ୍କ କାର୍ଯ୍ୟାଳୟଟି ୧୦ ବର୍ଷ ହେଲା ଭୂତକୋଠି ପାଲଟି ଯାଇଛି । ପ୍ରଶାସନର ଦାୟିତ୍ୱ ହୀନତାର ଏହା ଏକ ନଗ୍ନ ନମୁନା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏ ସଂକ୍ରାନ୍ତରେ ପୂର୍ବତନ ଉପଜିଲ୍ଲାପାଳ ଉଭୟ ବିଭାଗକୁ ତାଗିଦ୍ କରିଥିଲେ, କିନ୍ତୁ ଅବକାରୀ ବିଭାଗ ନିମ୍ନମାନର କାମ ନେଇ ଆର ଏଣ୍ଡ ବି ଡିଭିଜନ ବିଭାଗ -୧କୁ ଆଙ୍ଗୁଠି ନିକ୍ଷେପ କରିଥିଲା । ଆର୍ ଏଣ୍ଡ ବି -୧ ତରଫରୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଥରେ କାର୍ଯ୍ୟ କରାଯାଇଥିଲା ଏବଂ ବ୍ରହ୍ମପୁରର ରାସ୍ତା ଏବଂ କୋଠାବାଡି ଡିଭିଜନ ତରଫରୁ ଅବକାରୀ ବିଭାଗକୁ କୋଠା ହସ୍ତାନ୍ତର କରିବାକୁ ଚିଠି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ନିରବ ରହିଛି ।

 

ଗଞ୍ଜାମ ଜିଲ୍ଲାରେ ଦୁଇଟି ଅବକାରୀ ଜିଲ୍ଲା ରହିଛି । ଗୋଟିଏ ଛତ୍ରପୁର ଜିଲ୍ଲା ମହକୁମାଠାରେ ଥିବା ବେଳେ ଅନ୍ୟଟି ବ୍ରହ୍ମପୁରରେ ଅବସ୍ଥିତ । ବ୍ରହ୍ମପୁର ଅଧୀନରେ ଥିବା ସମସ୍ତ ଅଧିକାରୀ ପ୍ରାୟତଃ ବ୍ରହ୍ମପୁରରେ ରହି ଆସୁଛନ୍ତି । କୌଣସି ସରକାରୀ କର୍ମଚାରୀ ନିଜର ସରକାରୀ ହେଡ କ୍ୱାର୍ଟରରେ ରହୁଥିବା ଦେଖିବାକୁ ମିଳୁ ନାହିଁ । ଏ ସମ୍ପର୍କରେ ବ୍ରହ୍ମପୁର ଅବକାରୀ ବିଭାଗ ଆରକ୍ଷୀଙ୍କ ସହ ଯୋଗାଯୋଗ କଲେ ଦାୟିତ୍ୱ ହୀନତାର ଉତ୍ତର ମିଳୁଛି । ଆମର ଷ୍ଟାଫ୍ ଅଭାବ, ତେଣୁ ସମସ୍ତେ ବ୍ରହ୍ମପୁରରେ ରହୁଛନ୍ତି । ଜିଲ୍ଲାରେ ଅବକାରୀ ବିଭାଗର କାର୍ଯ୍ୟ ପୋଲିସ୍ ବିଭାଗ ତୁଲାଉଛି କହିଲେ ଭୁଲ ହେବ ନାହିଁ । ଜିଲ୍ଲାରେ ବିନା ଲାଇସେନ୍ସ ପ୍ରାପ୍ତ ଅବକାରୀ ଦୋକାନ ବୃଦ୍ଧି ପାଉଛି । ଯାହାକି ପୋଲିସ୍ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

 

ବ୍ରହ୍ମପୁର ଅବକାରୀ ଆରକ୍ଷୀ ନିଜେ ଅନେକ ସମୟରେ ଅଫିସ୍ରେ ନରହି କାର୍ଯ୍ୟର ବାହାନ ଦେଖାଇ ନିଜ ଘରକୁ ଯାଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଯାହାଫଳରେ ନିଜ ଅଫିସ୍ର କାର୍ଯ୍ୟକର୍ତ୍ତା ମଧ୍ୟ ତାଙ୍କ ଆୟତ୍ତ ବାହାରେ । ଯେହେତୁ ସେ ନିଜେ ଠିକ୍ ନୁହନ୍ତି ଅନ୍ୟକୁ ତାଗିଦ୍ କରିବା ସତ୍ ସାହସ ତାଙ୍କ ନିକଟରେ ନାହିଁ ।

 

ଜିଲ୍ଲାର ଅବକାରୀ କାର୍ଯ୍ୟାଳୟଗୁଡିକ ପ୍ରାୟତଃ ଭଡା ଘରେ ଚାଲିଛି । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଭଡା ଘରେ ଚାଲିଛି । ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ଓ ଓଡିଶାର ସୀମାବର୍ତ୍ତୀର୍ ଅଂଚଳ ହୋଇଥିବା ଯୋଗୁଁ ଚିକିଟିରେ ବେଆଇନ୍ ଭାବେ ମଦ ଚୋରା ଚାଲାଣ ହୋଇ ଥାଏ । ଏହା ରୋକିବା ପାଇଁ ରାଜ୍ୟ ସରକାଙ୍କ ତତ୍ତ୍ୱାବଧାନରେ ଏଠାରେ ଏକ ଅବକାରୀ କାର୍ଯ୍ୟାଳୟ ନିମନ୍ତେ ଅନୁଦାନ ଆସିଥିଲା । ଏହାକୁ ରାସ୍ତା ଏବଂ କୋଠାବାଡି ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିଲା । ଏଥି ମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଅବକାରୀ ବିଭାଗ ସେହି କୋଠା ନିଜ ଅକ୍ତିଆରକୁ ନେଇ କାର୍ଯ୍ୟାଳୟ କରିବା ସପକ୍ଷରେ ନାହିଁ । କାରଣ ସେଠାରେ ଯଦି କାର୍ଯ୍ୟାଳୟ ହୁଏ ତେବେ ଷ୍ଟାଫ ସେଠାରେ ରହିବାକୁ ବାଧ୍ୟ ହେବେ । ତେଣୁ ରାସ୍ତା ଏବଂ କୋଠାବାଡି ବିଭାଗକୁ ବାରମ୍ବାର ଚିଠି ଦେଇ କୋଠାର ଦାୟିତ୍ୱ ନେଉନାହିଁ ।

 

ବ୍ରହ୍ମପୁର ଅବକାରୀ ବିଭାଗର କର୍ମଚାରୀମାନେ ହେଡ୍କ୍ୱାର୍ଟରରେ ନରହି ବ୍ରହ୍ମପୁର ସହରରେ ରହି ମୌଜମଜଲିସ୍ରେ ମସଗୁଲ ରହିବା ଦେଖିବାକୁ ମିଳୁଛି । ଚୋରା ବେପାରୀଙ୍କଠାରୁ ମୋଟା ଅଙ୍କର ପାଉଣା ନେଇ ସରକାରୀ ରାଜସ୍ୱ ହାନୀ କରି ନିଜର ପକେଟ୍ ଗରମ କରିବାରେ ଲାଗିଛନ୍ତି । ଜିଲ୍ଲା ମଧ୍ୟରେ ଚାଲିଥିବା ସମସ୍ତ ଅବକାରୀ ବିଭାଗୀୟ ଅଫିସ୍ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top