ଅସଲ ଓଡ଼ିଶା : ଅସ୍ତିତ୍ୱର ଇସ୍ତାହାର

News Story - Posted on 2017-08-23

ମାୟାଧର ନାୟକ

 

ଏକଦା ଓଡ଼ିଶାର ‘ଅସ୍ମିତା’ ବା ଅସଲ ଆତ୍ମପରିଚିତିର ଉତ୍ସ ସଂଧାନ ଦିଗରେ ପଦକ୍ଷେପ ନେବାକୁ ଆମର ବୁଦ୍ଧିଜୀବୀବର୍ଗଙ୍କୁ ଆହ୍ୱାନ କରିଥିଲି । ଏଥିନିମନ୍ତେ ଏକ ପ୍ରଶ୍ନାବଳୀ ପ୍ରସ୍ତୁତ କରିବାର ପ୍ରୟାସ କରି ଭିନ୍ନଭିନ୍ନ କ୍ଷେତ୍ରର ବିଭିନ୍ନ ବ୍ୟକ୍ତିଙ୍କ ସହିତ ପରାମର୍ଶ କଲି । ଜଣେ ଇତିହାସବିଦ୍ ଚିନ୍ତକ ମତେ ଏ ସଂପର୍କରେ ଗୋଟିଏ ସାଧାରଣ ଖସଡ଼ା ପଠାଇଦେଲେ । ଲକ୍ଷ୍ୟ କଲି, ଏଥିରେ ସେ କାଳାନୁକ୍ରମିକ ପଦ୍ଧତି ଅନୁଯାୟୀ ଓଡ଼ିଶା ଆଡ଼କୁ ଗୋଟିଏ ଗବାକ୍ଷଦ୍ୱାର ଫିଟାଇବାର ପ୍ରଚେଷ୍ଟା କରିଛନ୍ତି । ତାଙ୍କୁ ଧନ୍ୟବାଦ ଦେଲି । ମାତ୍ର ପଚାରିଥିଲି, ଓଡ଼ିଶାର ଅସ୍ମିତା କ’ଣ ଏତିକିରେ ପରିସୀମିତ?

 

ମୋ ସହିତ ଦୀର୍ଘ ଆଲୋଚନା ପରେ ସେ ଉତ୍ତର ଦେଲେ - ଆପଣ ଠିକ୍ କହୁଛନ୍ତି । ପ୍ରକୃତରେ ରାଜାରାଜୁଡ଼ା ଶାସନଠାରୁ ଆରମ୍ଭ କରି ରାଜନୀତିକ କ୍ରିୟାକର୍ମ ପର୍ଯ୍ୟନ୍ତ ଯେଉଁ ଶଗଡ଼ଗୁଳାରେ ଆମର ଇତିହାସର ରଥଚକ୍ର ଗଡ଼ିଆସିଛି - ତା’ ବାହାରେ ରହିଯାଇଛି ଅସଲ ଓଡ଼ିଶାଭୂଇଁର ଅସ୍ତିତ୍ୱ । ମାତ୍ର ତାହା ଭବିଷ୍ୟତର ବିଶ୍ୱଦୃଷ୍ଟିସଂପନ୍ନ ଗବେଷକ ପିଢ଼ିର କର୍ତ୍ତବ୍ୟ । ସେମାନେ ମଂଚପ୍ରବେଶ ନ କରିବାଯାଏଁ ଓଡ଼ିଶାର ପ୍ରକୃତ ପରିଚିତି ଉପରୁ ପରଦା ଉଠିବ ନାହିଁ ।

 

ମୋ ମନରେ ପ୍ରଶ୍ନ ଉଠିଥିଲା - ରାଜବଂଶ ଓ ରାଜ୍ୟସ୍ଥାପୟିତା ବିଜୟୀ ଶାସକମାନଙ୍କ ବରାଦୀ ପଞ୍ଜିକା, ସ୍ତୁତିସଂବଳିତ ଶିଳାଲେଖ, ସନତାରିଖ ତଥ୍ୟ ସୂଚକ ସନନ୍ଦ, ତାମ୍ରଲେଖାଦିରେ ଅତୀତ ଓଡ଼ିଶାର ଅସ୍ଥିପଂଜରା ଦିଶିପାରେ ସିନା ତାର ଅସଲ ଆତ୍ମାର ଉପସ୍ଥିତି କାହିଁ?
ସତ କହିବାକୁ ଗଲେ ପରାଜିତ, ପରାଧୀନ ପ୍ରଜାପୁଂଜ ତଥା ଆଦିବାସୀ ଓ ଅଧିବାସୀର ଅନ୍ଧାରୀ ମୁଲକ ମଧ୍ୟରେ ଗୋପରେ କୃଷ୍ଣ ରହିଲା ପରି ଗୋପ୍ୟ ଅବସ୍ଥାରେ ଅଛି ଆତ୍ମିକ ଓଡ଼ିଶା । ଲିପିହୀନ ପରାଜିତର ଜନବାହିନୀ ତାର ଇତିହାସ ଲେଖିନାହିଁ - ଭାଷାଶୂନ୍ୟ ପରାଧୀନର ସମୁଦାୟ ତା’ର ଇସ୍ତାହାର ଘୋଷଣା କରିନାହିଁ - ନିରକ୍ଷର କୃଷିକାର ଓ ନିରବ କୁଟୀରଶିଳ୍ପୀ ମଧ୍ୟ ନିଜର ସତ୍ୟ ଶୁଣାଇ ନାହିଁ । ବିଜୟୀ ବୀରବର୍ଗର ବୃତ୍ତାନ୍ତ ପଢୁଛୁ - ବିଳାସୀ ରାଜାରାଣୀ ରହସ୍ୟ ଶୁଣୁଛୁ - ସୁନାର ଚାନ୍ଦ ଗଢ଼ୁଥିବା ସାଧବପୁଅ ସାଧବ ଝିଅ କାହାଣୀ କହୁଛୁ - ମାତ୍ର ଅରଣ୍ୟର ଅନ୍ତଃସ୍ୱର, ଅନ୍ଧାରୀମୁଲକର ଆତ୍ମକଥା, ନାଆଁ ନଜଣା ଗାଆଁ ଗଡ଼ଜାତର ଅକୁହା ବ୍ୟଥା ପଥର ତଳେ ଚାପା ପଡ଼ିଯାଇଛି କେଉଁଠି? ଏଇ ହେଉଚି ଇତିହାସ ବାହାରେ ଅଜସ୍ର ଅମାବାସ୍ୟା ଅଙ୍ଗେ ନିଭାଇଥିବା ଅପନ୍ତରାର ଓଡ଼ିଶା - ଯେଉଁଠି ପ୍ରବଂଚିତ, ପଦଦଳିତ ପ୍ରଜାଶକ୍ତିର ସୁପ୍ତ ଆଗ୍ନେୟଗିରି ପରିବର୍ତ୍ତନର ପ୍ରତୀକ୍ଷା କରେ । ଲୋକବିଶ୍ୱାସ ଓ ଲୋକଜୀବନଶୈଳୀର ନକ୍ସାଙ୍କନ ଏଇଠି ହିଁ ଅନାଗତ ଭବିଷ୍ୟତର ଅନୁସନ୍ଧାନୀ ଗବେଷକ ପିଢ଼ିର ଆଗମନ ନିମନ୍ତେ ଦିନ ଗଣେ ।

 

ଓଡ଼ିଶାର ଅସ୍ମିତା ଅନ୍ୱେଷଣ କ୍ଷେତ୍ରରେ ଏକ ଆଭାସଚିତ୍ର ଆଙ୍କିଲି ମନେ ମନେ । ପ୍ରକୃତ କାର୍ଯ୍ୟ ପାଇଁ ଏକନିଷ୍ଠତା ପ୍ରୟୋଜନ ।
ଅସଲ ଓଡ଼ିଶା ଅସମ୍ଭବ ବୀରତ୍ୱର ଓଡ଼ିଶା - ଯେଉଁଠି ରାଜନୈତିକ ଓ ଅର୍ଥନୈତିକ ଆତସବାଜିରେ ନିରୀହ ଜନସମୁଦାୟକୁ ଭୁଆଁ ବୁଲାଇବାର ଶାସକୀୟ ଓ ପ୍ରଶାସକୀୟ ପ୍ରହସନ ଚାଲୁନଥିବ - ସମସ୍ତପ୍ରକାର କୂଟନୈତିକ ଦୁରଭିସନ୍ଧି ବିରୋଧରେ ଜାଗ୍ରତ ଜନମତ ମାଧ୍ୟମରେ ପ୍ରତିବାଦର ପ୍ରତ୍ୟୟ ଓ ପରମ୍ପରା ଅନବରତ ମୁଣ୍ଡ ଟେକୁଥିବ ।

 

ଅସଲ ଓଡ଼ିଶା ମୁକ୍ତିକାମୀ, ସଂଗ୍ରାମୀ ଜନଗଣଙ୍କର ଓଡ଼ିଶା । ଜଡ଼ତା ଦ୍ୱାରା କବଳିତ ସନ୍ଦିଗ୍ଧ ଜନମାନସ ଆଜି ଲୋଡୁଛି ଚେତନାର ସ୍ପୁଲିଙ୍ଗ । ଏହି ସ୍ଫୁଲିଙ୍ଗର ସଂଚାର ସକାଶେ ସର୍ବପ୍ରଥମ ପଦକ୍ଷେପ ହେଉଛି ଏକ ସ୍ୱତନ୍ତ୍ର ମୂଲ୍ୟବୋଧର ଦୁର୍ଦ୍ଦାନ୍ତ ଦୈନିକ - ଯାହା ହେବ ସାମୂହିକ ଜନଜୀବନ ସପକ୍ଷରେ ଏକ ସାଲିସ୍ହୀନ ସଂକଳ୍ପର ମୁଖପତ୍ର ।

 

ଏହି ଭିନ୍ନ ରୁଚିର ଦୈନନ୍ଦିନ ଅସଲ ଓଡ଼ିଶାର ଇସ୍ତାହାର ଭାବରେ ପ୍ରତିଦିନ ଘରେଘରେ ପହଂଚାଉଥିବ ସଜାଗତାର ଶାଣିତ ସତ୍ୟପାଠ ।
ରାଜନୀତି ଓ ଅର୍ଥନୀତିର ଚରିତ୍ର ପରିବର୍ତ୍ତନ ନହେଲେ ଅସଲ ଓଡ଼ିଶାର ସ୍ୱପ୍ନ ହେବ ଦିବାସ୍ୱପ୍ନ । ମୋହରେ ମୂହ୍ୟମାନ ଯୁବପିଢ଼ିକୁ ମୁକାବିଲାର ମୁହୂର୍ତ୍ତ ପାଇଁ ତାଲିମ୍ ନେବାକୁ ପଡ଼ିବ । ଏଥିପାଇଁ ବହୁବିଭକ୍ତ ରାଜନୈତିକ ଶିବିରର ଦେହଘଷା ନେତୃତ୍ୱ ନିକଟରେ ନୁହେଁ, ଅସଲ ଓଡ଼ିଶା ପାଇଁ ଅପେକ୍ଷା ରଖିଥିବା ଏବଂ ନିଆରା ତତ୍ତ୍ୱ ଅନୁଚିନ୍ତନକୁ ନେଇ ନୀରବ ସାଧନାରତ ବ୍ୟକ୍ତିତ୍ୱମାନଙ୍କ ନିକଟରେ ପହଂଚିବାକୁ ପଡ଼ିବ । ଏକ ଭାବବିନିମୟଭିତ୍ତିକ ସମନ୍ୱୟର ଆବହାୱା ସୃଷ୍ଟି ନହୋଇପାରିଲେ ଅସଲ ଓଡ଼ିଶା ପାଇଁ ‘ମିଳିତ ମହାଶକ୍ତି’ର ମହାର୍ଘ ମଦତ୍ ମିଳିବ କେଉଁଠୁ? ସରକାରୀ କଳର ନିଷ୍ପ୍ରିୟତା ଓ ଅଦରକାରୀ ରାଜନୈତିକ ଦଳର ମିଥ୍ୟାଚାରିତାକୁ ନେଇ ବିତର୍କ ବଦଳରେ ଅୟମାରମ୍ଭ କରିବାକୁ ପଡ଼ିବ - ବେସରକାରୀ ସ୍ତରରେ ଅପୂର୍ଣ୍ଣ ଓ ଉପେକ୍ଷିତ ହୋଇ ପଡିରହିଥିବା ତୀବ୍ର ଇଚ୍ଛାଶକ୍ତିର ଜୀବନ୍ନ୍ୟାସ ଓ ପୁନର୍ବିନ୍ୟାସ ପ୍ରଦାନପର୍ବର । ଏହି ଅତୁଳନୀୟ ଇଚ୍ଛାଶକ୍ତି ଆମ ଚାରିପଟର ଅପଶକ୍ତିକୁ ଅପସାରଣ କରିବା ଦିଗରେ ସଂପୂର୍ଣ୍ଣ ସମର୍ଥ । ପ୍ରଥମେ ଏହି ବିଶାଳ ଇଚ୍ଛାଶକ୍ତିର ସନ୍ଧାନ ଦ୍ୱାରା ଅସଲ ଓଡ଼ିଶା ଆଡକୁ ତିଆରି କରାଯିବ ନୂଆ ରାସ୍ତା ।

 

ଭିତ୍ତିଭୂମି ପ୍ରସ୍ତୁତି ପାଇଁ ପ୍ରଥମେ ଏକ ‘ସମନ୍ୱୟ ସମିତି’ ଗଢ଼ାଯିବାର ଚୂଡାନ୍ତ ନିଷ୍ପତ୍ତି ନିଆଯିବା ଦରକାର । ଏହି ସମନ୍ୱୟ ସମିତି ‘ଜନ’ ଓ ‘ଗଣ’ଙ୍କର ଆକାଂକ୍ଷାକୁ ଦେବ ଅଭିନ୍ନ ଅଭିବ୍ୟକ୍ତି । ଓଡ଼ିଶାର ଏମୁଣ୍ଡରୁ ସେମୁଣ୍ଡ ଭାଗଭାଗ ହୋଇ ଲଢ଼ୁଥିବା ବିଭିନ୍ନ ସଂଘର୍ଷରତ ଗୋଷ୍ଠୀ ଓ ବାହିନୀ ସହିତ ସମନ୍ୱୟ ସମିତି ରକ୍ଷା କରିବ ଆନ୍ତରିକ ସଂପର୍କ । ସରକାରୀ ସ୍ତରରେ ଜନଅସନ୍ତୋଷ ପ୍ରତି ଯେଭଳି ଅମାନୁଷିକ ଦମନମୂଳକ ନୀତି ପ୍ରୟୋଗ କରାଯାଉଛି, ତାହା କୌଣସି ଧର୍ମୀୟ ଦଙ୍ଗା ବା ସାଂପ୍ରଦାୟିକ ହିଂସାକାଣ୍ଡଠାରୁ କମ୍ ହାନିକାରକ ନୁହେଁ । ସେଥିପାଇଁ ସମନ୍ୱୟ ସମିତି ଆପୋଷର ଆବହାୱା ସୃଷ୍ଟି କରିବ ଏବଂ ସରକାରୀ ଦମନନୀତିକୁ ସୁଯୋଗ ନ ଦେଇ ସମ୍ବିଧାନ ଛୁଆଇଁବ - ଗୋଟିଏ ବି ମଣିଷ ଯେପରି ଅବିଚାରିତ ପ୍ରଶାସନିକ ଦାୟିତ୍ୱହୀନତା ଦ୍ୱାରା ଗୁଳିରେ କି ହତିଆରରେ ନମରେ । ଓଡ଼ିଶାର ବୃହତ୍ତର ସ୍ୱାର୍ଥ - ସମନ୍ୱୟ ସମିତିର ସର୍ବପ୍ରଥମ ଆଭିମୁଖ୍ୟ । ଏହି ସମିତି ଓଡ଼ିଶାର ୩୦ ଜିଲ୍ଲାକୁ ୩୦କିଲ୍ଲା ଭାବରେ ବିଚାର କରି ପ୍ରତ୍ୟେକ ପ୍ରାନ୍ତର ମୁରବି ଓ ମୁଖିଆମାନଙ୍କୁ ମିଳିତ କରାଇବ ଏବଂ ଅନ୍ଧାରୀ ଓଡ଼ିଶାର ଆକାଂକ୍ଷା ଉପରେ ଆଲୋକପାତ କରି ପ୍ରସ୍ତୁତ କରିବ ପରିବ୍ୟାପ୍ତ ଜନ-ଆକାଂକ୍ଷାର ନିଖୁଣ ଓ ନିର୍ଭୁଲ ହିସାବଫର୍ଦ, ଯାହା ଦାଖଲ ହେବ ସରକାର ସାମ୍ନାରେ ନିୟମିତ ।

 

ସମନ୍ୱୟ ସମିତି ହେବ ଜନଆନ୍ଦୋଳନ କ୍ଷେତ୍ରରେ ଆମୂଳଚୂଳ ଆକାଂକ୍ଷାର ଉପସ୍ଥାପକ । ଆଗେ ଆକାଂକ୍ଷାଗୁଡ଼ିକର ଆକୃତିକୁ ଚିହ୍ନଟ ନକରାଇ ଦାବୀନାମା ପ୍ରସ୍ତୁତିର ତରବରିଆ କାର୍ଯ୍ୟକ୍ରମ ଏକପ୍ରକାର ଆତ୍ମଘାତୀ ଅଭିଯାନ । ଓଡ଼ିଶାର ତରୁଣ ଓ ଯୁବପିଢ଼ି ଯଦି ଏ କଥା ବୁଝିବେ, ଓଡ଼ିଶାର ମହିଳା ଓ ନାଗରିକମାନେ ଯଦି ନିଜର ଆତ୍ମମର୍ଯ୍ୟାଦା ଓ ଅଧିକାର ବାବଦରେ ସଚେତନ ହେବେ, ତାହେଲେ ସଂଗ୍ରାମର ସ୍ୱରୂପ ହେବ ସକାରାତ୍ମକ । ବଂଚିତ ବର୍ଗ, ପ୍ରବଂଚିତ ଜନତା, ଆଦିବାସୀ ଓ ଅଧିବାସୀ - ସମସ୍ତଙ୍କ ପ୍ରତି ଦାୟବଦ୍ଧତା ହେବ ସମନ୍ୱୟ ସମିତିର ସର୍ବାଦୌ ସଂକଳ୍ପ ।

 

ଯାଜପୁର ରୋଡ୍, ଯାଜପୁର
ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top