କୋଉଠି ଥୋଇବି!

News Story - Posted on 2017-08-23

ସୁଧିର ମିଶ୍ର

 

ଭାଇ ଓ ଭଉଣୀମାନେ!

 

ଗରିବୀ ଏମିତି ଏକ ଶବ୍ଦ ଯାହାକୁ ବାରଂବାର ବ୍ୟବହାର କରି ଭାରତୀୟ ରାଜନୀତି ଗତିଶୀଳ ଅଛି। ମୁଁ ଦେଶର ପ୍ରଧାନ ସେବକ ଭାବରେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଏକ ସ୍ଲୋଗାନ ଦେଇଥିଲି ସବ୍‌ କା ସାଥ୍ ସବ୍‌ କା ବିକାଶ। ମୋ ସ୍ଲୋଗାନରେ ବ୍ୟବହାର କରାଯାଇଥିବା ବିକାଶ ଶବ୍ଦର ଅର୍ଥ କେବଳ ଅର୍ଥନୈତିକ ବିକାଶ ଊପରେ ପର୍ଯବସିତ ନଥିଲା। ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ଉପରେ ପର୍ଯବସିତ ଥିଲା। ବିକାଶର ଅର୍ଥ ନଥିଲା ସର୍ବୋଚ୍ଚ ସ୍ଥାନରେ ପହଂଚାଇବା। ବିକାଶର ଅର୍ଥ ଥିଲା ଯିଏ ଯେମିତି ପରିସ୍ଥିତିରେ ଅଛନ୍ତି ତା’ଠାରୁ ଉନ୍ନତତର ସ୍ଥାନରେ ପହଂଚାଇବା। ମୁଁ ଏଇ ଶବ୍ଦକୁ ଏଇପାଇଁ ବ୍ୟବହାର କରିଥିଲି କାରଣ ମୁଁ ଅନୁଭବ କରିଥିଲି ଗରିବୀ ହଟାଓ ଏକ ଭ୍ରମାତ୍ମକ ଉକ୍ତି। ସମାଜରୁ ଗରିବୀର ମୂଳୋତ୍ପାଟନ କରିବା ଏକ ଅସମ୍ଭବ ସାମାଜିକ ପରୀକ୍ଷଣ। ଯାହାକୁ ବ୍ୟବହାର କରି ମୋର ପୂର୍ବ ପିଢିମାନେ ସାଧାରଣ ଲୋକଂକୁ ଦ୍ବନ୍ଦ୍ବରେ ରଖିଆସିଛନ୍ତି। ମୁଁ ସେଇ ଶବ୍ଦକୁ ରାଜନୀତି ଶବ୍ଦକୋଶରୁ କାଢିଦେବାର ଚେଷ୍ଟା କରିଛି। ଲୋକଙ୍କୁ ବାସ୍ତବିକତା ବିଷୟରେ ସଜାଗ କରିବାପାଇଁ ବିକାଶ ଶବ୍ଦର ବ୍ୟବହାର କରିଥିଲି। କିନ୍ତୁ ଘୋର ଦୁଃଖ ଓ ପରିତାପର ବିଷୟ ମୋ ଦେଶର କିଛି ବୁଦ୍ଧିମାନ, ବିବେକମାନ, ଚିନ୍ତାଶୀଳ ବ୍ୟକ୍ତି ଏହାକୁ କଦର୍ଥ କରିବାକୁଯାଇ ମୋତେ ଏକ ଗର୍ଭବତୀ ମହିଳା ଭାବରେ ଚିତ୍ରଣକରି ବିମୁଦ୍ରାକରଣକୁ ନଅ ମାସ ପୂରିଲାଣି, ବିକାଶ ନାମକ ଶିଶୁ କେବେବି ଜନ୍ମ ହୋଇପାରେ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବାକୁ ପଛାଇନାହାନ୍ତି।

 

ବନ୍ଧୁଗଣ ଆମ ଦେଶର ଗଁା ଗହଳିରେ ଚାଷ ବାସ କରି ଜୀବନ ଯାପନ କରୁଥିବା ସୁଦାମ, ସାନନ୍ଦ ପରି ଲୋକମାନେ ଟାଟା ବିର୍ଲା ଆମ୍ୱାନୀଙ୍କର ସମକକ୍ଷ ହେବା ସମ୍ଭବ ନୁହେଁ। କିନ୍ତୁ ସେମାନଙ୍କ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ଅଣାଯାଈ ପାରିବ। ପରିବର୍ତ୍ତନ ପରେ ବି ସେମାନେ ଟାଟା, ବିର୍ଲା ଓ ଆମ୍ୱାନୀଙ୍କୁ ଧନୀ ମନେକରିବେ ଓ ନିଜକୁ ଗରିବ ମନେ କରିବେ। ଏହା ଏକ ଏମିତି ସତ ଯାହାକୁ ଆମକୁ ହଜମ୍ କରିବାକୁ ପଡିବ।

 

ଏହି ପରିପ୍ରେକ୍ଷୀରେ ମୁଁ ଗୋଟିଏ ଉଦାହରଣ ଦେବାକୁ ଚାହେଁ। ଓଡିଶାର ଜଣେ ପ୍ରମୁଖ ଚିତ୍ର ତାରକା ପ୍ରଶାନ୍ତ ନନ୍ଦ। ଜଣେ କଳାକାର ହିସାବରେ ତାଙ୍କର ଜୀବନ ଆରମ୍ଭ ହୋଈଥିଲା। ପରିସ୍ଥିତି, ପରିବେଶ ଓ ଅଭିଜ୍ଞତା ତାଙ୍କୁ ଅନେକ ଉଚ୍ଚକୁ ନେଈଛି। ଆଜି ସେ କଳା ଜଗତ୍ ଛାଡି ରାଜନୀତି ଦୁନିଆଁରେ ବି ପାଦ ଦେବାକୁ ସକ୍ଷମ ହୋଇପାରିଛନ୍ତି। ୧୯୮୦ ଦଶକରେ ଏକ ଚଳଚିତ୍ର ଯାହାର ନିର୍ଦ୍ଦେଶନା, କାହାଣୀ, ସଂଳାପ ଇତ୍ୟାଦି ଅନେକ ବିଭାଗର ସେ ନିଜେ ହିଁ ସର୍ବମୟ କର୍ତ୍ତା ଥିଲେ, ସେମିତି ଏକ ସିନେମାର ଧାଡିଏ ସଂଳାପ ଥିଲା, କୋଉଠି ଥୋଇବି! ଅର୍ଥାତ୍ କୋଉଠି ରଖିବି! ତତ୍କାଳୀନ ସମୟରେ ଏହି ଦ୍ବିଅର୍ଥ ବୋଧକ ବାକ୍ୟ ସମଗ୍ର ରାଜ୍ୟରେ ପ୍ରବଳ ପ୍ରତିକ୍ରିୟାଶୀଳ ହୋଇଉଠିଥିଲା। ଓଡିଶାର ପୁରପଲ୍ଲୀରେ ଏହି ସଂଳାପକୁ ନେଈ ବିଭିନ୍ନ ଘଟଣା ଦୁର୍ଘଟଣା ଘଟିଥିଲା। ଓଡିଶାର ଲୋକଙ୍କ ଭିତରେ ଏ ନେଇ ସଚେତନତାର ଜାଗରଣ ହୋଇପାରିନଥିଲା। କିନ୍ତୁ ଓଡିଶାର ଜଣେ ସଂଗୀତକାରଙ୍କୁ ଏ କଥା ବହୁତ ବାଧିଥିଲା। ସିଏ ହେଲେ ପ୍ରଫୁଲ୍ଲ କର। ତେଣୁ କୋଉଠି ଥୋଇବିକୁ ନେଇ ଯେଉଁ ବିଷ ସମାଜରେ ଖେଳେଈ ଯାଇଥିଲା ତାକୁ ନଷ୍ଟ କରିବା ପାଇଁ ସିଏ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ଭଜନ ରଚନାକଲେ- ଶ୍ରୀକ୍ଷେତ୍ରରେ ପାଦ ଦେଉଁ ଦେଉଁ ପୁଣ୍ୟ ଗଣ୍ଠିଳି ହେଲା ମୋ ଭାରିରେ ଧନ କୋଉଠି ଥୋଇବି ତାକୁ କୋଉଠି ଥୋଇବି। କହିବା ବାହୁଲ୍ୟ ପ୍ରଫୁଲ୍ଲଙ୍କ ଗୀତ ଯେତିକି ଲୋକପ୍ରିୟତା ହାସଲ କଲା କୋଉଠି ଥୋଇବିର ବିଷ ସେଇ ମାତ୍ରାରେ କମିଲା। ମୋର ସବ୍‌ କା ସାଥ୍ ସବ୍‌ କା ବିକାଶର ଲକ୍ଷ୍ୟ ଓଡିଆ ସିନେମାର ଏଇ ଘଟଣା ସହିତ ସମ୍ୱନ୍ଧିତ କହିଲେ ଅତ୍ୟୁକ୍ତି ହେବନାହିଁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top