ନବୀନଙ୍କ ଦୁର୍ନୀତି ବିଜେପିର ଅସ୍ତ୍ର

News Story - Posted on 2017-08-22

ଗତ କାଲିଠୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ କେନ୍ଦ୍ର ଗ୍ରାମାଂଚଳ ଏବଂ ସହରାଂଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଉଦ୍ଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ଅନିଲ ଜୈନ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଭୂଷଣ ହରିଚନ୍ଦନ ଓ ଗିରିଧର ଗମାଙ୍ଗୋ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୂଖ ସର୍ବପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ବୈଠକରେ ସମସ୍ତ ରାଜ୍ୟ ପଦାଧିକାରୀ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଭାପତି ଏବଂ ଉପ-ସଭାପତିଙ୍କ ସମେତ ସମସ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ ।

 

ବିଧାୟକ ଦଳ ନେତା ଶ୍ରୀ ସିଂହଦେଓ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିବା ପରେ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ସେହିପରି ସର୍ବସମ୍ମତି କ୍ରମେ ଅନ୍ୟ ଏକ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶାରଦା ପ୍ରସାଦ ଶତପଥୀ ରାଜ୍ୟ ବିଜେପିର ସାଂଗଠନିକ ଉପଲବ୍ଧୀ ସଂପର୍କରେ ମତବ୍ୟକ୍ତ କରିଥିଲେ । ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୌଦାନ ସିଂ “ନୂତନ ଓଡିଶା ପରିକଳ୍ପନା” ସଂପର୍କରେ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ “ସ୍ୱପ୍ନର ଆଗାମୀ ଓଡିଶା” ସଂପର୍କରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକାରିଣୀର ଉଦ୍ୟାପନୀ ଉତ୍ସବରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାୱଡେକର ଯୋଗ ଦେଇ ପାର୍ଟିକୁ ତୃଣମୂଳ ସ୍ତରରୁ ମଜଭୂତ କରି ଗଢି ତୋଳିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ।

 

ଖଣି ଦୁର୍ନୀତିରେ ନବୀନଙ୍କ ମୁଖା ଖୋଲୁଛି
“ଓଡିଶାରେ ଅତ୍ୟନ୍ତ ଅନୈତିକ ଭାବରେ ଖଣିଜ ପଦାର୍ଥର ଉତ୍ତୋଳନ ଓ ଲୁଟ୍ ହୋଇଛି । ଆମ ମତରେ ବେଆଇନ ଖଣି ଖନନ କରିଥିବା ଲିଜଧାରୀଙ୍କଠାରୁ ଶତ ପ୍ରତିଶତ ଅର୍ଥ ସାଲିସ ବିହୀନ ଭାବେ ଅସୁଲ କରାଯିବା ଉଚିତ ।” ଏହା କୌ÷÷ଣସି ରାଜନୈତିକ ବୟାନ ନୁହେଁ ବରଂ ଓଡିଶାର ଖଣି ମହା ଦୁର୍ନୀତି ସମ୍ପର୍କରେ ମତ ଦେଇ ଥିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟର କିୟଦଂଶ ।

 

ଓଡିଶାରେ ବେଆଇନ ଖଣି ଖନନ ନେଇ କଠୋର ଶବ୍ଦରେ ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଚୋରି ଓ ଖଣି ଦଲାଲଙ୍କୁ ସୁରକ୍ଷା ଦେଇଥିବା ସଂଗୀନ ଅଭିଯୋଗର ପର୍ଦ୍ଦାଫାସ କଲା ଭଳି ତଥ୍ୟ ଆଜି ହାଟରେ ପଡି ଦାଣ୍ଡରେ ଗଡୁଛି । ମୁଖ୍ୟମନ୍ତ୍ରୀ ବିଜେଡିର ପାଣ୍ଠିକୁ ମଜବୁତ କରିବା ପାଇଁ ଖଣି ଦୁର୍ନୀତି ଓ ଖଣି ମାଲିକଙ୍କୁ ସୁରକ୍ଷା ଦେଇ ଓଡ଼ିଶାର ତହବିଲ୍କୁ ଖଣିମାଲିକଙ୍କ ହାତରେ ଟେକି ଦେଇଥିବା ଅଭିଯୋଗ ବିଜେପିର ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଣିବା ସହ ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖା ଖୋଲି ଦେବା ପାଇଁ ରାଜ୍ୟ ବ୍ୟାପୀ ଆନ୍ଦୋଳନର ଆହ୍ୱାନ ଦେଇଛି ।

 

ଓଡିଶାରେ ଖଣି ଚୋରୀ ପ୍ରଘଟ ହେବା ପରେ ୨୦୧୪ ନିର୍ବାଚନ ପୂର୍ବରୁ ଲୁଣ୍ଠନକାରୀ ଖଣି ମାଲିକଙ୍କଠାରୁ ୫୯ ହଜାର କୋଟି ଟଙ୍କା ଆଦାୟର ନୋଟିସ ବିଜେଡି ସରକାର ଦେଇଥିଲା । ମାତ୍ର ଏବେ ସୁପ୍ରିମ କୋର୍ଟ ରାୟର ମିଛ ବାହାନା କରି ୧୭-୧୮ ହଜାର କୋଟି ଟଙ୍କାରେ ଲୁଣ୍ଠନକାରୀ ଖଣିମାଲିକଙ୍କୁ ଖସାଇବାକୁ ବିଜେଡି ଗଳା ବାଟ ଖୋଜୁଛି । ପୂର୍ବରୁ ୫୯ ହଜାର କୋଟି ଟଙ୍କାର ନୋଟିସ ଦେଇ ୨୦୧୪ ନିର୍ବାଚନ ପୂର୍ବରୁ ଏହି ଖଣି ମାଲିକଙ୍କଠାରୁ ମୋଟା ଅଙ୍କରେ ବିଜେଡି ଚାନ୍ଦା ଲୁଟିଛି । ଖଣି ମାଲିକଙ୍କଠାରୁ ଜୋରିମାନା ଆଦାୟ ପରିମାଣକୁ କମାଇବାର ନିଷ୍ପତ୍ତି ନେଇ ରାଜ୍ୟର ବିକାଶରେ ବାଧକ ହୋଇଥିବା ବିଜେଡ଼ି ସରକାର ଏବେ ସନ୍ଦେହ ଘେରରେ ରହିଥିବାରୁ ଏହି ବିଷୟକୁ ଜନତାଙ୍କ କୋର୍ଟକୁ ନେବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆହ୍ୱାନ ଜଣାଇଛି ।

 

ନବୀନ- ହାୱାଲା – ଘୋଟାଲା
ନବୀନ- ହାୱାଲା- ଘୋଟାଲା ମାମଲାରେ ହିଞ୍ଜିଳିର ପ୍ରାର୍ଥୀ ଭାବରେ ସତ୍ୟପାଠ ଆଧାରରେ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କ ପାଖରେ ଦେଇଥିବା ଖର୍ଚର ହିସାବ ଓ ବିଜେଡି ତା’ର ପ୍ରାର୍ଥୀ ନବୀନବାବୁଙ୍କୁ ନିର୍ବାଚନ ପାଇଁ ଦେଇଥିବା ଅର୍ଥ ମଧ୍ୟରେ ଥିବା ଫରକ, ବିଜେଡିର ବ୍ୟାଙ୍କ ଖାତାକୁ ବିଭିନ୍ନ ସଂଦିଗ୍ଧ ସୂତ୍ରରୁ ଆସିଥିବା ଅର୍ଥ ବିଜେଡିର ଖଣି ଚୋର ଓ ଚିଟ୍୍ ଫଣ୍ଡ ଅପରାଧୀମାନଙ୍କ ସହ ସଂପୃକ୍ତିକୁ ଲୋକ ଲୋଚନରେ ସ୍ପଷ୍ଟ କରିଛି ।

 

ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା ମାତ୍ର ସଂଖ୍ୟା ବଳରେ ଶାସକ ବିଜେଡି ଦଳ ଏହାକୁ ଚପାଇ ଦେଇଥିଲା । ଏବେ ମାନ୍ୟବର କୋର୍ଟଙ୍କ ହସ୍ତକ୍ଷେପ ସତ୍ୟର ପର୍ଦ୍ଦାଫାସ କରିବାର ସମ୍ଭାବନା ତିଆରି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀଳ ବର୍ଣ୍ଣ ଶୃଗାଳ ପରି ନିଜର ପ୍ରକୃତ ଚେହେରାକୁ ଲୁଚାଇ ଆସିଛନ୍ତି । ଶୃଗାଳର ନୀଳ ବର୍ଣ୍ଣ ହଟିବା ଭଳି ସଫା ଚେହେରା ଦଳର ବିକୃତ ରୂପକୁ ସ୍ପଷ୍ଟ କରିବା ପାଇଁ ନ୍ୟାୟାଳୟ ଓ ଜନତାଙ୍କ ବିଚାରାଳୟରେ ଦ୍ୱାରସ୍ଥ ହେବାକୁ ବିଜେପିର ଏହି କାର୍ଯ୍ୟକାରିଣୀ ବୈଠକ ନିଷ୍ପତି ନେଇଛି । ପାର୍ଟି ବ୍ୟାଙ୍କ ଖାତାକୁ ଆସୁଥିବା ଅର୍ଥର ଉତ୍ସ ବିଜେଡି କାହିଁକି ପ୍ରକାଶ କରୁ ନାହିଁ? ଚିଟ୍ ଫଣ୍ଡ ଓ ପିସିର ଅର୍ଥ ଚଂଚକତା କରି ବିଜେଡି ବ୍ୟାଙ୍କ ଖାତାକୁ ଯାଇ ନାହିଁ ତ?

 

ଖଣି ଦୁର୍ନୀତିରେ ନବୀନଙ୍କ ସମ୍ପର୍କ ସ୍ପଷ୍ଟ

 

ନବୀନ ପଟ୍ଟନାୟକ ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ବେଳେ ହିଂଜିଳିର ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଦର ଅପ ବ୍ୟବହାର କରି ଗଂଜାମ ଜିଲ୍ଲାପାଳ ଓ ଆଡଭୋକେଟ ଜେନେରାଲଙ୍କୁ ନିଜର ବ୍ୟକ୍ତିଗତ ଓ ଦଳୀୟ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଗରୀବ ଓଡିଆଙ୍କ ଅର୍ଥ ବ୍ୟବହାର କରିଥିବାରୁ ବିଜେପିର ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ କଡା ଶବ୍ଦରେ ନିନ୍ଦା କରିଛି ।

 

ଖଣି ଦୁର୍ନୀତି ଓ ନବୀନ ହାୱାଲା ଘୋଟାଲା ମାମଲା ମୁଖ୍ୟମନ୍ତ୍ରୀଙ୍କ ଦୋମୁହାଁ ଚରିତ୍ରକୁ ସ୍ପଷ୍ଟ କରିବା ସହ ଚୋର ଖଣି ମାଲିକଙ୍କ ସହ ଥିବା ସଂପର୍କ ପଦାରେ ପଡ଼ିିଛି । ସେହିପରି ହିଂଜିଳିର ବିଧାୟକ ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଖର୍ଚ୍ଚ ଜାଲିଆତି ଓ ମିଥ୍ୟା ସତ୍ୟପାଠ ମାମଲାରେ ଚୋର ଖଣିମାଲିକମାନଙ୍କ ଓକିଲମାନେ, ମୁଖ୍ୟମନ୍ତ୍ରୀଙ୍କର ରାଜନୈତିକ ଓକିଲ ପାଲଟି ଯାଇଛନ୍ତି । ତେଣୁ ନବୀନ ଓ ଲୁଣ୍ଠନକାରୀ ଖଣି ମାଲିକଙ୍କ ଭିତରେ ଯୋଗସୂତ୍ର କିଏ ଇଙ୍ଗିତ ଇଙ୍ଗିତରେ ସ୍ପଷ୍ଟ କରୁଛି ବୋଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ମର୍ମେ ମର୍ମେ ଅନୁଭବ କରିଛି ।

 

ସହରାଂଚଳ ଗରୀବଲୋକଙ୍କୁ ଜାଗା ଯୋଗାଇବା ପାଇଁ ଅଧ୍ୟାଦେଶ-୨୦୧୭

 

ସହରାଂଚଳର ଗରୀବଲୋକଙ୍କୁ ଜାଗା ଯୋଗାଇବା ପାଇଁ ଅଧ୍ୟାଦେଶ-୨୦୧୭ ନବୀନ ପଟ୍ଟନାୟକଙ୍କ ଗରୀବ ଲୋକ ମାନଙ୍କ ପାଇଁ ପ୍ରତିବଦ୍ଧତା ନୁହେଁ ବରଂ ସହରୀ ଗରୀବ ଲୋକଙ୍କୁ ଠକିବା ପାଇଁ ଏକ ହୀନ ରାଜନୈତିକ ଉଦ୍ୟମ ବୋଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ମତ ପ୍ରକାଶ କରିଛି । ୨୦୧୩ ମସିହା ପୌର ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ନବୀନ ଓଡିଶା ପ୍ରପର୍ଟି ରାଇଟ୍ସ ଟୁ ସ୍ଲମ ଡ୍ୱେଲର ଏଣ୍ଡ ପ୍ରିଭେନସନ ଅଫ ନ୍ୟୁ ସ୍ଲମ ବିଲ -୨୦୧୨ ଆଣିଥିଲେ ଏବଂ ଏବେ ୫ ବର୍ଷ ପରେ ପୌର ନିର୍ବାଚନ ପୂର୍ବରୁ ପୁଣି ଥରେ ଡ୍ରାମା କରୁଛନ୍ତି । ୨୦୧୪ ନିର୍ବାଚନ ଇସ୍ତାହାରରେ ୨୦୧୯ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ଯୋଜନାରେ ସହରାଂଚଳରେ ସମ୍ପୂର୍ଣ ବିଫଳ ହୋଇଛି ।
ଖୋଦ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନାମା ବିଡିଏକୁ ବସ୍ତି ବାସିନ୍ଦାଙ୍କ ପାଇଁ ହସ୍ତାନ୍ତର ହେବାକୁ ଥିବା ୧୦୭ ଏକର ଜମିର ସ୍ଥିତି ନେଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପ୍ରଶ୍ନ କରିଛି । ଗତ ୨ ବର୍ଷରେ କଟକ- ଭୁବନେଶ୍ୱରରେ ମାତ୍ର ୨୦୦ ଘର ବସ୍ତିବାସିନ୍ଦାଙ୍କୁ ସମ୍ପୂର୍ଣ କରି ଦିଆ ଯାଇଥିବା ବିଧାନସଭାରେ ରାଜ୍ୟ ସରକାର ଉତ୍ତର ରଖିଛନ୍ତି । ସେହିପରି ସହରାଂଚଳରେ ଗୃହହୀନଙ୍କ ପାଇଁ ଗୃହ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିଁ ଏକମାତ୍ର ଯୋଜନା ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି । ନବୀନ ପଟ୍ଟନାୟକଙ୍କର ଠକାମୀ ଓ ଛଳନାର ପ୍ରସଙ୍ଗକୁ ସହରାଂଚଳରେ ପ୍ରତ୍ୟେକ ବୁଥର ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ନେବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସହରାଂଚଳର କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଛି ।

 

ମହାନଦୀ

 

ମହାନଦୀ ଓଡିଶାର ଜୀବନ ରେଖା । ବିଶେଷ ଭାବରେ ଅଣମୌସୁମୀ ସମୟରରେ ଓଡ଼ିଶା ଭାଗର ବୁନ୍ଦାଏ ବି ପାଣି ସହ ବୁଝାମଣା କରାଯିବ ନାହିଁ । ଗଣତନ୍ତ୍ରରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହିଁ ଶ୍ରେଷ୍ଠ ପଥ । ମାତ୍ର କଥାବାର୍ତ୍ତା ବିଫଳ ହେବା ପରେ ରାଜ୍ୟ ସରକାରଙ୍କ ଦାବି ମୁତାବକ କେନ୍ଦ୍ର ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ସବୁ ପଦକ୍ଷେପ ନେଇ ସାରିଛନ୍ତି । କେବଳ ଔପଚାରିକ ଘୋଷଣା ହିଁ ବାକି ଅଛି । ଟ୍ରିବ୍ୟୁନାଲକୁ ଗଲା ପରେ ନ୍ୟାୟିକ ପ୍ରକ୍ରିୟାରେ ଜଳ ବଂଟନ ସ୍ଥିରୀକୃତ ହେବ । ମାତ୍ର ଏହା ଭିତରେ ବର୍ଷା ଦିନେ ପାଣି ରଖିଲେ ଖରା ଦିନରେ କାମରେ ଆସେ । ହୀରାକୁଦ ତଳ ମୁଣ୍ଡରେ ବର୍ଷା ଦିନର ଜଳ ସଂଚୟ କରିବା ପାଇଁ ୧୭ ବର୍ଷର ନବୀନ ସରକାର ଯୋଜନା ପ୍ରସ୍ତୁତ ନ କରିବା ବିଡମ୍ବନାର ବିଷୟ । ମହାନଦୀ ସମେତ ରାଜ୍ୟର ମୋଟ ୧୧ଟି ନଦୀ ଅବବାହିକାରେ ଜଳ ସେଚନ ପାଇଁ ପ୍ରକଳ୍ପ ନିର୍ମାଣର ସମ୍ଭାବନାକୁ ଦୂରଦୃଷ୍ଟିରେ ନିର୍ମାଣ କରି କୃଷି ଓ ବ୍ୟବସାୟିକ ଆବଶ୍ୟକତା ମେଂଟାଇବା ପାଇଁ ଯୋଜନା ତିଆରି କରିବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦୃଢ ଦାବି ଉପସ୍ଥାପନ କରିଛି ।

 

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା

 

ସାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇଛି । ରାଜ୍ୟରେ ମା-ଭଉଣୀଙ୍କ ସମ୍ମାନ ଭୁଲୁଣ୍ଠିତ ହେବାର ଆଲୋକ ଚିତ୍ର ଟିଭି ପର୍ଦ୍ଦାରେ ଓ ଫଟୋ ଖବରକାଗଜର ପ୍ରତିଦିନ ପୃଷ୍ଠା ମଣ୍ଡନ କରୁଛି । ପ୍ରସୂତିମାନେ ଖଟିଆରେ, ବେତା-ଟୋକେଇରେ ଓ କମ୍ବଳରେ ବନ୍ଧା ହୋଇ ବୁହା ହେଉଛନ୍ତି । ରାସ୍ତାରେ, ଘାଟରେ, ଅଟୋରେ ଗର୍ଭବତୀ ମହିଳାମାନେ ପ୍ରସବ କରିବା ଦୟନୀୟ ସ୍ଥିତି ଏକ ନିତି ଦିନିଆ ଘଟଣା ହୋଇଛି । ଏହାର ଚିତ୍ର ସର୍ବସାଧାରଣରେ ଓଡ଼ିଆ ଜାତିକୁ ଅପମାନିତ କରୁଛି । ମା’ ଭଉଣୀଙ୍କୁ ସମ୍ମାନ ଦେଇ ଆନୁସଙ୍ଗିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଠିକ୍ କରି ପ୍ରସୂତି ମହିଳା ଓ ନବଜାତକଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ରଖିବା ପାଇଁ ରାଜ୍ୟ ସରକାରଙ୍କଠାରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ଦୃଢ଼ ଦାବି କରିଛି । ଥାଲେରିଆ ରୋଗ ପାଇଁ ଗାଇ ଗୋରୁଙ୍କୁ ଇଂଜେକ୍ସନ ସଂରକ୍ଷଣରେ ତ୍ରୁଟି ଯୋଗୁ ଗୋରୁ ମୃତ୍ୟୁବରଣ କରିବାର ତଥ୍ୟ ଓ ସତ୍ୟ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ଜିଦ୍ଖୋର ଏବଂ କଂପାନୀ (ଜିକିତ୍ସା) ପ୍ରୀତି କାରଣରୁ ଆଜି ରାଜ୍ୟରେ ଆମ୍ବୁଲାନ୍ସ ସେବା ସଂପୂର୍ଣ୍ଣ ଠପ୍ ହେବା ଦ୍ୱାରା ରାଜ୍ୟବାସୀ ବହୁ ହଇରାଣର ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଛନ୍ତି । ସରକାରୀ ବ୍ୟବସ୍ଥା ଅନୁସାରେ ପଞ୍ଜୀକୃତ ନ ହୋଇ ଥିବା ସଂସ୍ଥାକୁ କଳା ଟେଣ୍ଡରରେ ଏହି ଇଂଜେକ୍ସନ କ୍ରୟ କରିବା ପାଇଁ ସରକାର ଦାୟିତ୍ୱ ଦେଇ କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ସବୁ ସତ୍ୟ ପଦାକୁ ଆସିଲା ପରେ ମଧ୍ୟ ରାଜ୍ୟ ସରକାର ଚୁପ ବସିବା ଗୋପାଳକଙ୍କ ପ୍ରତି ଘୋର ଅନ୍ୟାୟ ହୋଇଥିବା ଓ ଏହି ଅନ୍ୟାୟର ପ୍ରତିବାଦ କରିବା ପାଇଁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆହ୍ୱାନ ଦେଇଛି ।

 

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା

 

ସାରା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ଯିବା ରାସ୍ତାରେ । ଶିକ୍ଷକମାନେ ସ୍କୁଲ୍ ଛାଡ଼ି ରାଜଧାନୀର ରାଜରାସ୍ତାରେ ଦାବି ହାସଲ ପାଇଁ ଖରାବର୍ଷାରେ ଆନ୍ଦୋଳନରେ ବସୁଛନ୍ତି, ଛାତ୍ର-ଛାତ୍ରୀ ମାନେ ସ୍କୁଲ ନ ଯାଇ ପାଠ ପଢାରୁ ବଞ୍ଚିତ । ରାଜ୍ୟ ଗଣ ଶିକ୍ଷା ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ସାଧାରଣ ଗରୀବ ଓଡ଼ିଆ ପିଲା ଆମର ସବୁଠାରୁ ମୂଲ୍ୟବାନ ପୁଞ୍ଜି । ସରକାରୀ ସ୍କୁଲ୍ ହେଉଛି ସେମାନଙ୍କର ପାଠ ପଢ଼ିବାର ଗୋଟିଏ ମାଧ୍ୟମ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ଗତ ୧୭ ବର୍ଷ ଧରି ଅବହେଳିତ କରି ରାଜ୍ୟ ସରକାର ଓଡ଼ିଶାର ଭବିଷ୍ୟତ ସହିତ ଖେଳିଆସୁଛନ୍ତି । ରାଜ୍ୟର ୩୦ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ଗତି କରୁଛି । କାଳବିଳମ୍ବ ନକରି ସ୍କୁଲ୍ମାନଙ୍କରେ ଶିକ୍ଷକ ପଦବୀ ପୂରଣ ସହ ସମସ୍ତ ଶିକ୍ଷକଙ୍କୁ ନିୟମିତ କରିବା ଏବଂ ପୂର୍ଣ୍ଣ ଦରମା ଦେବାକୁ ବିଜେପି କାର୍ଯ୍ୟକାରିଣୀ ଦୃଢ଼ ଦାବି କରିଛି ।

 

କୃଷି

ରାଜ୍ୟର ୭୦ ଭାଗ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ । ମାତ୍ର ରାଜ୍ୟର ରୋଜଗାରର କେବଳ ୧୮ ପ୍ରତିଶତ କୃଷି କ୍ଷେତ୍ରର ଯୋଗଦାନ ରହିଛି । ଏହା ରାଜ୍ୟର କୃଷକ ସମାଜର ଦୟନୀୟ ଆର୍ଥିକ ସ୍ଥିତିକୁ ସ୍ପଷ୍ଟ କରୁଛି । ରାଜ୍ୟରେ ଗୋଟିଏ ବି ବ୍ଲକରେ ସର୍ବାଧିକ ଜଳ ସେଚନ ୩୫ ପ୍ରତିଶତ ଜମିକୁ ପହଞ୍ଚି ପାରି ନାହିଁ । ଜଳ ସେଚିତ ଅଞ୍ଚଳରେ ଓଡ଼ିଶାର ଚାଷୀ ଯେତିକି ଅମଳ କରୁଛି, ବର୍ଷା ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀର ଅମଳ ତା ଠାରୁ ଢେର କମ୍ । ସରକାରୀ ହିସାବ କହୁଛି ଜଳସେଚିତ ଅଞ୍ଚଳରୁ କମ୍ ଓ ଅଣ ଜଳସେଚିତ ଅଞ୍ଚଳରୁ ଅଧିକ ପରିମାଣର କୃଷି ଉତ୍ପାଦନ ହେଉଛି । ଓଡ଼ିଆ ଚାଷୀ ବିନା ଜଳ ସେଚନ ଓ ସରକାରୀ ବ୍ୟବସ୍ଥାରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରୁଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ପାଇଁ କିଛି ନ କରି ଚାଷୀର ଶ୍ରେୟ ନିଜେ ନେବାକୁ ଚାହିଁବା ଘୋର ପରିତାପର ବିଷୟ । ଓଡ଼ିଶାରେ କୃଷକମାନେ ଆର୍ଥିକ ଅନାଟନ ୠଣ ବୋଝରେ ଥିଲା ବେଳେ ରାଜ୍ୟ ସରକାର କୃଷିଋଣ ଛାଡ଼ କରିବାକୁ ବିଜେପିର ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦୃଢ଼ ଦାବି କରିଛି ।

 

ପିସି ଦୁର୍ନୀତି

 

ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ରାଜ୍ୟରେ ଯେ କୌଣସି ସରକାରୀ ଯୋଜନାର ଲାଭ ପାଇବା ପାଇଁ ବିନା ପିସିରେ କିଛି ହେଉ ନାହିଁ । ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶାସନର ୧୭ ବର୍ଷର ଏହି ନିଛକ ସତ୍ୟକୁ ସ୍ୱୀକାର ମଧ୍ୟ କରିଛନ୍ତି । ବିଶେଷତଃ ପଞ୍ଚାୟତରାଜ ବ୍ୟବସ୍ଥା ଜରିଆରେ ବ୍ଲକ ତତ୍ୱାବଧାନରେ ଖାଦ୍ୟ ସୁରକ୍ଷା (ରାସନ କାର୍ଡ) ହିତାଧିକାରୀ ଚୟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନର ପାଇଖାନା ଓ ବିଭିନ୍ନ ଭତ୍ତା ବଂଟନ କ୍ଷେତ୍ରରେ ପ୍ରକୃତ ହିତାଧିକାରୀଙ୍କୁ ବଂଚିତ କରାଯାଇ ଦଳୀୟ ଭିତ୍ତିରେ ବିଜେଡ଼ି ସରକାର ଦେଉଛନ୍ତି । ଏମ୍ଜିଏନ୍ଆର୍ଇଜିଏସ୍ୟରେ ଗାଇଡ଼ଲାଇନ୍ ଅନୁସାରେ କାର୍ଯ୍ୟ କରାନଯାଇ ବ୍ୟାପକ ଦୁର୍ନୀତି କରାଯାଉଅଛି । ଲୋକଙ୍କୁ ରୋଜଗାର ଯୋଗାଇବା ଏହି ସ୍କିମ୍ର ଲକ୍ଷ୍ୟ ହୋଇଥିବା ସ୍ଥଳେ ମେସିନ୍ ବ୍ୟବହାର କରାଯାଇ ବିଲ୍ କରାଯାଉଛି । ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଯୁବକ କାମ ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି । ନିକଟରେ ସାଙ୍କେତିକ ଭାବେ ପିସି ବିରୁଦ୍ଧରେ ପଦକ୍ଷେପର ନାକଟ କରି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ପିସି ଦୁର୍ନୀତି ବନ୍ଦ ହେବା ସହ ଗତ ୧୭ ବର୍ଷରେ ଯେଉଁ ହିତାଧିକାରୀମାନେ ପିସି ଦେଇଛନ୍ତି ସେମାନଙ୍କର ବୟାନ ବିଧିବଦ୍ଧ ରେକର୍ଡ ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରି ନିରପେକ୍ଷ ତଦନ୍ତ କରିବା ପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦଢ଼ ଦାବି କରିଛି ।

 

ରୋଜଗାର

 

ରାଜ୍ୟରେ ଯୁବ ଶକ୍ତି ହାତରେ କାମ ନ ଥିବାରୁ ବାହାର ରାଜ୍ୟକୁ ଓଡିଆ ଯୁବକ କାମ ଅନ୍ୱେଷଣରେ ଯିବା ୧୭ ବର୍ଷର ନବୀନ ସରକାରଙ୍କ ବିଫଳତାର ପରିଚୟ । ୨୦୦୦ ମସିହାରେ ୧୮ ବର୍ଷରେ ପ୍ରଥମ ଭୋଟରର ବୟସ ଏବେ ୩୫ ବର୍ଷ । ୨୦୦୪ର ପ୍ରଥମ ମତଦାତାର ବୟସ ୩୧ ବର୍ଷ । କାମ ଅନ୍ୱେଷଣରେ ଥିବା ଏହି ୩୦ରୁ ୩୫ ବର୍ଷର ଯୁବକ ରାଜ୍ୟରେ ହତାଶାରେ କାଳାତିପାତ କରୁଛି । ଏହି ଯୁବକଙ୍କ ସହିତ ସହସ୍ରାବ୍ଦିର ପ୍ରଥମ ବର୍ଷ ୨୦୦୦ରେ ଜନ୍ମ ନେଇଥିବା ଓଡିଆ ପୁଅ- ଝିଅ ମାନେ ୨୦୧୯ ମସିହାରେ ପ୍ରଥମ ଥର ପାଇଁ ମତାଧିକାର ସାବ୍ୟସ୍ତ କରିବେ । ୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ କାମ ଖୋଜୁଥିବା ଯୁବକ ଯୁବତୀମାନଙ୍କୁ ରାଜ୍ୟ ସରକାରଙ୍କର ପ୍ରତାରଣା ବିରୁଦ୍ଧରେ ବୈଠକ ଦୃଢ ସ୍ୱରରେ ନିନ୍ଦା କରିବା ସହ ୧୭ ବର୍ଷର ବିଫଳତା ପାଇଁ ନବୀନ ପଟ୍ଟନାୟକଙ୍କୁ ଗଣତାନ୍ତ୍ରିକ ଉପାୟରେ କଠୋର ଦଣ୍ଡ ଦେବାକୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆହ୍ୱାନ ଜଣାଇଛି ।

 

ବିଦ୍ୟୁତ

 

ପ୍ରସ୍ତାବିତ ବିଦ୍ୟୁତ ଦେୟ ବୃଦ୍ଧିକୁ ବିଜେପିର ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦୃଢ ବିରୋଧ କରୁଛି । ବିଦ୍ୟୁତ ଦେୟ ବୃଦ୍ଧି ସାଧାରଣ ଗରୀବ ଖାଉଟୀଙ୍କ ଅର୍ଥନୀତିକୁ ସମ୍ପୂର୍ଣ ରୂପେ ଦୋହଲାଇ ଦେବ । ରାଜ୍ୟର ଚାରୋଟି ବିଦ୍ୟୁତ ବିତରକ କମ୍ପାନୀ ସବୁଠାରୁ ବଡ ବକେୟା ରଖିଥିବା ଖାଉଟି ହେଉଛନ୍ତି ଖୋଦ୍ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ । ବିଭିନ୍ନ ବିଭାଗ ଓ ଏନଏସି, ମୁନିସିପାଲିଟ୍ ମିଶି ୪୧୩ କୋଟି ଟଙ୍କାର ବକେୟା ପାଇଁ ବିତରଣ କମ୍ପାନୀମାନେ ଆର୍ôଥକ ସମସ୍ୟା ଭୋଗୁଛନ୍ତି । ସରକାର ସଂସ୍ଥା ପଇସା ନଦେଇ ସାଧାରଣ ଖାଉଟିଙ୍କ ଉପରେ ବୋଝ ଲଦିବାପାଇଁ ଷଡଯନ୍ତ୍ରକୁ ବୈଠକ ଦୃଢ ବିରୋଧ କରିଛି । ବିଦ୍ୟୁତ ଦର ରାଜ୍ୟ ସରକାର ବୃଦ୍ଧି କଲେ ବିଜେପି ରାଜରାସ୍ତାରେ ଦୁର୍ବାର ଜନ ଆନ୍ଦୋଳନର ଚେତାବନୀ ଦେଇଛି ।

 

ସପ୍ତମ ବେତନ କମିଶନ

 

କେନ୍ଦ୍ରରେ ମୋଦି ସରକାର ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ କର୍ମଚାରୀମାନଙ୍କୁ ଦରମା ଦେବା ଆରମ୍ଭ କରି ସାରିଛି । ମାତ୍ର ରାଜ୍ୟର କର୍ମଚାରୀ ଭାଇଭଉଣୀମାନଙ୍କୁ ଏହି ହାରରେ ଦରମା ଏ ପର୍ଯ୍ୟନ୍ତ ଦିଆ ନ ଯିବାକୁ ବିଜେପି ଦୃଢ ବିରୋଧ କରୁଛି । ତୁରନ୍ତ କାଳ ବିଳମ୍ବ ନ କରି ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଦରମା ଦେବାକୁ କାର୍ଯ୍ୟକାରିଣୀ ଦୃଢ ଦାବି କରିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top