ଫେଡେରାଲ୍ ଡେମୋକ୍ରାସି

News Story - Posted on 2017-08-22

ରବି କାନୁନଗୋ

 

ମାନିଯିବା ଭଲ ଯେ କେବଳ ସାର୍ବଭୌମ କ୍ଷମତା ଦେଣନେଣ ଛଡ଼ା କୁହାଯାଉଥିବା ପରି ଦେଶର ସ୍ୱାଧୀନତା ଏତେ ସ୍ପଷ୍ଟ ନୁହେଁ । ମାପ ନନେଇ ପୋଷାକ ତିଆରି ହେବା ପରି ଦିଲ୍ଲୀରେ ବସି ସମ୍ବିଧାନରେ ଯେଉଁ ‘ଭାରତ’ ତିଆରି ହେଲା, ପରେ ଖୋଜିଲାବେଳକୁ ତାହା ଆଉ କୋଉଠି ମିଳିଲାନି ।

 

ଏହାର ସମର୍ଥନରେ ଇତିହାସର ବଡ଼ଛୋଟ ଚିହ୍ନଗୁଡ଼ିଏ ଦେଖିପାରିବା । ଆରମ୍ଭରୁ ହିଁ ଏ ବିବାଦ । ସାମ୍ପ୍ରଦାୟିକ ସହଯୋଗରେ ନୁହେଁ, ବିଭେଦତା ସହିତ ସ୍ୱାଧୀନତା ଆନ୍ଦୋଳନର ଆରମ୍ଭ ହୋଇଥିଲା ଏବଂ ତାହା ପରିଶେଷରେ ଦେଶକୁ ବିଭାଜିତ କରି ଦୁଇ ଧର୍ମ ଭିତରେ ସବାଆଗେ ଏକ ଅଲିଭା ଭଗ୍ନ-ରେଖା ଟାଣି ଦେଲା । ତା’ପରେ ସମସ୍ତେ ନିଜ ମୂଳକୁ ଧର୍ମ ସହିତ ଯୋଡ଼ିବାକୁ ଆଗ୍ରହୀ ହେଲେ । ଆଚରଣରେ ଧାର୍ମିକ ଭାରତ ୟା’ପରେ ଗଣତନ୍ତ୍ରରେ ଧାର୍ମିକ ହେବାକୁ ଲାଗିଲା । ସେଥିପାଇଁ ‘ଭାରତୀୟତା’ ଅନାବଶ୍ୟକ ଥିଲା । ବ୍ରିଟିଶ-ଇଣ୍ଡିଆ ବରଂ ସେଥିପାଇଁ କିଛି ପରିମାଣରେ ସଚେତନ ଥିଲା । ଏ ଅଭିଯୋଗର ପ୍ରେତଛବି ଆଜି ଆମେ କାଶ୍ମୀରଠାରୁ କନ୍ୟାକୁମାରୀ ଚାରିଆଡ଼େ ଦେଖୁଛୁ ।

 

ଦେଶର ୭୧ତମ ସ୍ୱାଧୀନତା ଦିବସ ପାଳନ ଅବକାଶରେ ଗୋଟିଏ ରାଜ୍ୟର ନିର୍ବାଚିତ ସରକାରର ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ଦୂରଦର୍ଶନ ପ୍ରସାରଣ ନକରିବା ପରି ଘଟଣା କେବଳ ଭାରତରେ ହିଁ ଘଟିପାରେ । ଏହା ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ବୋଲି ଡିଣ୍ଡିମ ପିଟା ଯାଉଥିବାବେଳେ ଜଣେ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ଦୂରଦର୍ଶନ କେମିତି ସେନସର୍ କଲା, ତାହା ବୁଝି ହେଉନାହିଁ ।

 

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରସାରିତ ବା ପ୍ରଚାରିତ ହେବା ବାର୍ତ୍ତାରେ କେନ୍ଦ୍ରର ବିଜେପି ସରକାରଙ୍କୁ ପରୋକ୍ଷ ଭାବରେ ସମାଲୋଚନା କରିଥିଲେ । ତେଣୁ ଏହା ସନ୍ଦେହର ଘେରା ଭିତରକୁ ପଶିବା ସ୍ୱାଭାବିକ । ପ୍ରସାରଭାରତୀ ପକ୍ଷରୁ ଉଭୟ ଆକାଶବାଣୀ ଏବଂ ଦୂରଦର୍ଶନରେ ଏ ଭାଷଣକୁ ସ୍ୱାଧୀନତା ଦିବସ ଅବସରରେ ପ୍ରସାରଣ କରାଇ ନଦେବା ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ କଳଙ୍କ ବୋଲି କହିଲେ କିଛି ଭୁଲ୍ ହେବନି । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ପ୍ରସାରଭାରତୀର କେତେଜଣ ତଳିଆ କର୍ମଚାରୀ ମୂଲ୍ୟାୟନ କରିବାକୁ ସାହସ କଲେ କିପରି, ଏହା ହିଁ ପ୍ରଶ୍ନ ।

 

ଜଣେ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ମୂଲ୍ୟାୟନ କରିବା ଅର୍ଥ ପ୍ରସାରଭାରତୀ ଅଧୀନସ୍ଥ ଜଣେ କର୍ମଚାରୀ ଜଣେ ମୁଖ୍ୟମନ୍ତ୍ରୀଙ୍କର ସାମ୍ବିଧାନିକ ଅଧିକାର ଉପରେ ପ୍ରଶ୍ନବାଚୀ ଉଠାଇବା ସହ ସମାନ । ହୁଏତ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ରେକର୍ଡ କରିଥିବା କର୍ମଚାରୀ କେତେଜଣ, ସେମାନଙ୍କ ଉପରିସ୍ଥ କର୍ମଚାରୀ ଜଣାଇଥିବେ । ଉପରିସ୍ଥ କର୍ମଚାରୀମାନେ କି ପ୍ରକାରର ସିଦ୍ଧାନ୍ତ ନେଇଥିବେ ତାହା ଗଣମାଧ୍ୟମକୁ ଆସିନାହିଁ । ତେବେ ଆକାଶବାଣୀ ଓ ଦୂରଦର୍ଶନ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ବଦଳେଇବା ପାଇଁ କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଯଦି ଏପରି ହୋଇଥାଏ, ତେବେ ଏହା ମଧ୍ୟ ଏକ ଗୁରୁତର ଅପରାଧ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ କହିବାକୁ ସୁଯୋଗ ଦେଇ ତାଙ୍କ ଭାଷଣର ବିବାଦୀୟ ପ୍ରସଙ୍ଗଗୁଡିକୁ ନେଇ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରାଯାଇପାରିଥାନ୍ତା । କିନ୍ତୁ ସେପରି ନକରି ତାଙ୍କ ଭାଷଣକୁ ପ୍ରସାରଣ ନକରିବା ଦ୍ୱାରା କର୍ମଚାରୀମାନେ ଗୋଟିଏ ସରକାରର ସ୍ୱାଧୀକାର ଭଙ୍ଗ କରିଥିବା ଭଙ୍ଗ ଅଭିଯୋଗରେ ଅଭିଯୁକ୍ତ ହୋଇପାରିବେ । ତେବେ ଏପ୍ରସଙ୍ଗଟି ଅନ୍ୟକିଛି ଲୁକ୍କାୟିତ ପ୍ରସଙ୍ଗକୁ ଇଙ୍ଗିତ କରୁଛି । ମାଣିକ ସରକାରଙ୍କ ଭାଷଣରେ ଅସହିଷ୍ଣୁତା, ଅଗଣତାନ୍ତ୍ରିକ ବାକ୍ୟ, ଧର୍ମନିରପେକ୍ଷ ଭାବନା ଉପରେ ଆଘାତ, ସମାଜରେ ବିଭାଜନ ସୃଷ୍ଟି, ଗୋ-ସୁରକ୍ଷା କାର୍ଯ୍ୟକ୍ରମ ପ୍ରତି ଆକ୍ଷେପ ଆଦି ଥିଲା ବୋଲି ପ୍ରସାରଭାରତୀର ଅଧିକାରୀମାନେ କହିଥିବା ଗଣମାଧ୍ୟମଗୁଡିକରୁ ଜଣାପଡିଛି ।

 

ତେବେ ଏଥିରୁ ଜଣାପଡୁଛି ଯେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମର ସମାଲୋଚନା ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କରିପାରିବେ ନାହିଁ । ଏଭଳି ପରିସ୍ଥିତିକୁ ଖୋଦ୍ ମାଣିକ ସରକାର କେବଳ ଜରୁରୀକାଳିନ ପରିସ୍ଥିତରେ ହୁଏ ବୋଲି କହିଛନ୍ତି । ସମାଲୋଚନାକୁ ସହିବା ପାଇଁ ପ୍ରସାରଭାରତୀ ସଙ୍ଗଠନର ଧୈର୍ଯ୍ୟ ନାହିଁ ବୋଲି ଏହି ଘଟଣାଟିରୁ ସ୍ପଷ୍ଟ ଭାବେ ଜଣାପଡୁଛି । ଅନ୍ୟପକ୍ଷରେ କେବଳ କେନ୍ଦ୍ର ସରକାରଙ୍କ ଚାଟୁକାରଙ୍କ ପାଇଁ ପ୍ରସାରଭାରତୀ ଦ୍ୱାର ଉନ୍ମୁକ୍ତ ବୋଲି ଏଥିରୁ ବୁଝାପଡିବ ।

 

କେବଳ ସମ୍ବାଦ, ଯାହା ବାସ୍ତବ ଘଟନା ଭିତ୍ତିରେ ପ୍ରଚାର କରାଯାଏ ପରି ସ୍ଲୋଗାନ୍ ଦେଉଥିବା ପ୍ରସାରଭାରତୀ ନିଜ ସପକ୍ଷରେ ଡିଣ୍ଡିମ ପିଟୁଥିବା ବେଳେ, ଇଏ ହେଲା କ’ଣ? ମାନିକ ସରକାରଙ୍କ ସ୍ୱାଧୀନତା ଦିବସ ଭାଷଣର ସେନସର ଦେଶରେ ସବୁକିଛି ଠିକ ନୁହେଁ ବୋଲି ସୂଚନା ଦେଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top