ଦୁର୍ନୀତିର ବର୍ଗୀକରଣ

News Story - Posted on 2017-08-22

ମାୟାଧର ନାୟକ

 

ଦୁର୍ନୀତି କେବଳ ଆର୍ଥିକ ନୁହେଁ- ଶାରୀରିକ, ମାନସିକ, ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଭଳି ଦୁର୍ନୀତିର ବର୍ଗୀକରଣ କରାଯାଇଛି । ରାଜନେତା-ଅପରାଧୀମାନଙ୍କର କେଳିକୁଂଜରେ ଏ ଦେଶଟା ଦୁର୍ନୀତିର ଗୋଟେ ଦୁର୍ବିସହ ଉପମହାଦେଶ ହେବାକୁ ଯାଉଛି ।

 

କିଣାବିକାର ବଜାରରେ ଭୋଟ୍ ଓ ନୋଟ୍ର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହେବାର କଳଙ୍କିତ ଇତିହାସ ସ୍ୱାଧୀନତା ପରବର୍ତ୍ତୀକାଳର ଏକ ବିକୃତ ବିଡ଼ମ୍ବନା । ରାଜନୀତି ଆଜି ଦଳମାନଙ୍କର ଦୋକାନଦାରିରେ ପରିଣତ ହୋଇସାରିଥିବା ବେଳେ ଅର୍ଥନୀତି ଏବେ ପାଲଟିଛି ପାଳଭୂତ, ଶୋଷଣସର୍ବସ୍ୱ ବଣିକବର୍ଗର ନିଆଁଗିଳା ପାଉଁଶକ୍ଷେତରେ । ନବ୍ୟ ପୁଂଜିବାଦ ଏବେ ଶ୍ରମିକମାନଙ୍କୁ ବିପ୍ଳବୀ ତତ୍ତ୍ୱଠାରୁ ଦୂରେଇ ରଖିବାର ଅଭିସନ୍ଧିରେ ଯୋଗାଇ ଦେଇଛି ଗୋଟିକ ପରେ ଗୋଟିଏ ସୁବିଧା ସୁଯୋଗ- ବଳି ପକାଇବା ପୂର୍ବରୁ ବୋଦା ବେକକୁ ଯେପରି ବଡ଼ବଡ଼ ଫୁଲମାଳରେ ସଜାଇ ଦିଆଯାଏ । ଶିଳ୍ପ ବିସ୍ତାର ଦ୍ୱାହିରେ ସାମାଜିକ ସୁବର୍ଣ୍ଣଯୁଗର ସ୍ଲୋଗାନ ଶୁଣାଇ ମୁନାଫାଖୋର ମହାଜନବର୍ଗର ମତଲବୀ ମାତବରମାନେ ଗାଁରୁ ଗଡ଼ଜାତ ଯାଏଁ ବିଛାଇ ଚାଲିଛନ୍ତି ମାୟାଜାଲ । ପ୍ରକୃତିରେ ବିକୃତି, ପରିବେଶରେ ପ୍ରଦୂଷଣ, ମଣିଷର ମାଟିପାଣିପବନରେ ବିଷପ୍ରକ୍ରିୟା । କୃଷକର ଜୀବନକ୍ଷେତ୍ର ଆଜି ଶ୍ମଶାନକ୍ଷେତ୍ର । ଗାଆଁ ସବୁ ଭବିଷ୍ୟତର ଗର୍ଭପାତରେ ଜର୍ଜରିତ । ମଫସଲ ମୂଳପୋଛ । ମଣିଷପଣ ମୁମୁର୍ଷୂ । ପ୍ରତାରଣାରେ ପ୍ରଦୂଷିତ ପ୍ରତିକ୍ଷଣ ।

 

ଏଭଳି ଯେତେବେଳେ ଅବସ୍ଥା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ମଣିଷର ମାନଚିତ୍ର ଓ ମାଟିପାଣି ପବନ ଉପରେ ଆଜି ଚଢ଼ଉ ଚାଲିଛି ସବୁଠି । ଯୁଦ୍ଧ । ଧର୍ମଯୁଦ୍ଧ । ଗୃହଯୁଦ୍ଧ । ବ୍ୟୂହଯୁଦ୍ଧ । ମାୟାଯୁଦ୍ଧ । ମହାଯୁଦ୍ଧ । ଇତିହାସର ଇସ୍ତାହାରରେ ଏସବୁ ରାଜନୀତିର ରଂଗବଦଳ । ଏବେ କିନ୍ତୁ ରାଜନୀତିକୁ ପୋଷା ମନେଇ ଆହୁରି ପାଶବୀୟ ପରିବେଶ ସୃଷ୍ଟି କରିଛି ଏକ ଧୂର୍ତ୍ତ ଧୂସର ଅର୍ଥନୀତି ।

 

ଅର୍ଥନୀତିରୁ ଅନର୍ଥନୀତି ବ୍ୟାପିଯାଇଛି ଚାରିଆଡ଼େ । ଚୀନଭଳି ସମାଜବାଦୀ ଏକଦଳୀୟ ରାଷ୍ଟ୍ରରେ ଯଦି ଅର୍ଥଲୋଭୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ବିଶ୍ୱର ଅନ୍ୟାନ୍ୟ ଦେଶରେ ବହୁଗୁଣ ଅର୍ଥଲୋଭୀ ଭରପୂର । ଏବେ ଗ୍ଳୋବାଲ କରପ୍ସନ୍ ସର୍ଭେରୁ ଜଣାପଡ଼ିଛି- ସମଗ୍ର ବିଶ୍ୱରେ ପ୍ରତି ୫ ଜଣଙ୍କ ମଧ୍ୟରୁ ୪ ଜଣ ଲାଂଚ ଦେଉଚନ୍ତି କିମ୍ବା ନେଉଛନ୍ତି । ପ୍ରଥମରୁ ରାଜନୈତିକ ଦଳମାନେ ସବୁଠୁଁ ବେଶି ଦୁର୍ନୀତିରେ ଲିପ୍ତ; ତା’ପଛକୁ ପୁଲିସ, ନ୍ୟାୟବ୍ୟବସ୍ଥା, ଶାସନକଳ ଓ ଧର୍ମାନୁଷ୍ଠାନ ଅଛନ୍ତି । ସମଗ୍ର ବିଶ୍ୱ ଏବେ ଦୁର୍ନୀତିର ଜାତୀୟକରଣ ଯୋଜନାରେ ଜଡ଼ିତ ।

 

ଦୁର୍ନୀତିର ଦୁର୍ଗ ଦୁର୍ଭେଦ୍ୟ । ଆମ ପୌରାଣିକ ପରିକଳ୍ପନାରେ କଳିକାଳର ପ୍ରବେଶ ସହିତ ଦୁର୍ନୀତିର ବୀଜ ଦ୍ରୁମରେ ପରିଣତ ହେଲା । ଜଣେ ପ୍ରଜା ତାର ଜମି ଖୋଳୁ ଖୋଳୁ ଗୁପ୍ତଧନର ସନ୍ଧାନ ପାଇବା ମାତ୍ରେ ରାଜାଙ୍କୁ ଜଣାଇ କହିଲା – ମହାରାଜ, ଆପଣ ଏ ସମଗ୍ର ଦେଶର ଅଧିପତି । ଅତଏବ ଭୂମିଗର୍ଭରୁ ପ୍ରାପ୍ତ ଏ ଗୁପ୍ତଧନ ନ୍ୟାୟତଃ ଆପଣଙ୍କର ହିଁ ପ୍ରାପ୍ୟ । ରାଜା କିନ୍ତୁ ମୃଦୁ ହସି ପ୍ରଜାଟିକୁ ସେ ଗୁପ୍ତଧନ ତା’ ନିଜ ପରିଶ୍ରମର ଫଳ ଓ ଭାଗ୍ୟର ବରଦାନ ବୋଲି ବୁଝାଇଲେ । ରାଜଦରବାରରୁ ହୃଷ୍ଟଚିତ୍ତରେ ପ୍ରଜା ଫେରିଆସିଲା । ମାତ୍ର ଏହାର କେତୋଟି ମୁହୂର୍ତ୍ତ ଅନ୍ତେ ଦ୍ୱାପର ଯୁଗର ଯବନିକା ପଡ଼ି ସଂସାରରେ କଳି ପ୍ରବେଶ କଲା । କଳି ପ୍ରବେଶ କରିବା ସହିତ ରାଜାଙ୍କ ମନରେ ଆସିଲା ବିଚଳନ – ଉପୁଜିଲା ପ୍ରଲୋଭନ । ସେ ତାଙ୍କ କଟୁଆଳକୁ କଡ଼ା ନିର୍ଦ୍ଦେଶ ଦେଇ ପ୍ରଜାଗୃହକୁ ପଠାଇ ଗୁପ୍ତଧନକୁ ରାଜକୋଷରେ ପଇଠ କରିବାକୁ ହୁକୁମ ଦେଲେ । ତେଣେ ପ୍ରଜାଟିର ମନରେ ବି ସଂଶୟ । ଗୁପ୍ତ ଧନକୁ ଜାତୀୟ ସଂପତ୍ତି ମଣିଥିବା ପ୍ରଜାଜଣକ ସେ ଧନସଂପତ୍ତିକୁ ବ୍ୟକ୍ତିସଂପତ୍ତି କରିବାକୁ ପ୍ରବଳ ଆଗ୍ରହ । ବାଧ୍ୟ ହୋଇ ମୁଣ୍ଡକାଟ ଭୟରେ ସେ ରାଜାଙ୍କୁ ଗୁପ୍ତଧନ ସମର୍ପଣ କରିଦେଲା ସିନା କିନ୍ତୁ ରାଷ୍ଟ୍ରପ୍ରତି ତାର ଅଙ୍ଗୀକାର ଓ ସମାଜ ପ୍ରତି ଆନୁଗତ୍ୟବୋଧକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇଦେଲା । ପୁରାଣର ଆଭାସ ଅନୁଯାୟୀ ଏହାପରେ ସାରା ସଂସାର ଦୁର୍ନୀତିରେ ଉବୁଟୁବୁ ହେବାକୁ ଆରମ୍ଭ କଲା । ଲୋକେ ଲୋଭଗ୍ରସ୍ତ ହୋଇ ଲୁଟେରା ହେବାକୁ ସୁଦ୍ଧା ପଛାଇଲେ ନାହିଁ । ରାଜା ଶୋଷଣ କଲେ ପ୍ରଜାସମାଜକୁ । ସୈନ୍ୟବାହିନୀ ବିଦେଶୀ ଶାସକଙ୍କ ଲାଂଚ ରିସପତ ଦ୍ୱାରା କବଳିତ ହୋଇ ଦେଶର ଗୁପ୍ତବିବରଣୀ ଶତ୍ରୁ ହାତକୁ ବଢ଼ାଇଦେଲେ ।

 

ଏ ପୌରାଣିକ ଇତିବୃତ୍ତ ଏକ ଚେତାବନୀ । ଧନ ଯେତେବେଳେ ଗୁପ୍ତ ହୋଇଯାଏ, ବିବେକ ସେତେବେଳେ ହୋଇପଡ଼େ ସୁପ୍ତ ଓ ଜୀବନଯାତ୍ରାର ଧାରା କ୍ଳୁପ୍ତ ।

 

ଦୁର୍ନୀତିର ମୂଳମଂଜି ହେଉଛି ଗୁପ୍ତଧନ । ସାମନ୍ତବାଦୀ ସମାଜର ପରିଭାଷାରେ ଏହା ଅଧର୍ମ ବି- ବଢ଼େ ବହୁତ ଗଲାବେଳେ ଯାଏ ‘ମୂଳ’ ସହିତ । ଏ ମୂଳର ତାତ୍ପର୍ଯ୍ୟ କ’ଣ? ଏ ‘ମୂଳ’ ହେଉଛି କୁଳର ଯଶଗୌରବ ଓ ବ୍ୟକ୍ତିର ଆତ୍ମମର୍ଯ୍ୟାଦା– ଯାହା ଗୁପ୍ତଧନର ଅଭିଶାପରେ ନିମିଷକରେ ନିଶ୍ଚିହ୍ନ ହୋଇଯାଏ ।

 

ସାଂପ୍ରତିକ ସମାଜରେ ନବ୍ୟଧନିକ ବର୍ଗଙ୍କ ପରେ ଦେଖାଦେଉଛନ୍ତି ଗୁପ୍ତ ଧନିକ ଶ୍ରେଣୀ । ଏ ଗୁପ୍ତ ଧନିକ ଶ୍ରେଣୀ ନିଜ ପାଇଁ ଗଢ଼ିଛନ୍ତି କଳାଟଙ୍କାର କୁବେରରାଜ୍ୟ, ପାଳିଛନ୍ତି ଚାଟୁକାରୀ ଚାଣକ୍ୟମାନଙ୍କୁ । ଚାରିଆଡ଼େ ଏ ଚିତ୍ର । ଅର୍ଥନୀତି, ରାଜନୀତିକୁ କବଳିତ କରି ଏ ଶ୍ରେଣୀ ନ୍ୟାୟବ୍ୟବସ୍ଥାକୁ ମଧ୍ୟ ନିଲାମ ଧରିବାରେ ଗୁପ୍ତ କାର୍ଯ୍ୟକ୍ରମ ଚଳାଇବାର ଚେଷ୍ଟା କରୁଛି । ଏବଠୁ ହୁସିଆର ହେବା ଜରୁରୀ ।

 

ଦୁର୍ନୀତି ଏବେ ଏକ ଚଳଣିରେ ପରିଣତ ହୋଇସାରିଛି । ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଅନୁଦାନର ବହୁଳାଂଶ ଏକ ସୁବିଧାବାଦୀ ଶ୍ରେଣୀର ଭଣ୍ଡାର ଭରିଚାଲିଛି । ଏ ଶ୍ରେଣୀ ଶାସନରେ, ପ୍ରଶାସନରେ ଆସନଗୁଡ଼ିକୁ ଅକ୍ତିଆର କରିଥିବା ଦୁଃଶାସନର ଦଳ । ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପଠାରୁ ଆରମ୍ଭ କରି ବିଜ୍ଞାନ, ବୈଷୟିକତା, ସଂସ୍କୃତି – ସବୁ କ୍ଷେତ୍ରରେ ଏ ଶ୍ରେଣୀ ମାମଲତକାର ଭୂମିକାରେ ରହି ଏକପ୍ରକାର ସମାନ୍ତରାଳ ଶୋଷଣଭିତ୍ତିକ ଅର୍ଥନୀତିକୁ ଚଳାଇରଖନ୍ତି । ବିଭିନ୍ନ ସମୟରେ ବାରମ୍ବାର ସ୍ୱାକ୍ଷରିତ ହୁଏ ବୁଝାମଣାପତ୍ର, ମାତ୍ର ପ୍ରକଳ୍ପ ପଛରେ ନଥାଏ କୌଣସି ସଂକଳ୍ପ । ଏ ଶ୍ରେଣୀ ବେନାମି ମାଲିକାନାର ମୁଲକ ବିସ୍ତାରିବାରେ ବିଚକ୍ଷଣ ବିଶାରଦ । ପୁଣି ପାରିବାରିକ ରାଜନୀତିର ପ୍ରବର୍ତ୍ତକ ମଧ୍ୟ ଏ ଶ୍ରେଣୀ । ସରକାରୀ ପ୍ରଚାରଯନ୍ତ୍ର ଓ ବେସରକାରୀ ଗଣମାଧ୍ୟମ ବାଟେ ଏ ଶ୍ରେଣୀ ନିଜ ନିର୍ମଳ ଭାବମୂର୍ତ୍ତି ପ୍ରଦର୍ଶନ ପୂର୍ବକ ନିରୀହ ନିରନ୍ନ ଅଧିବାସୀ ଓ ଆଦିବାସୀଙ୍କୁ ଭୁଆଁ ବୁଲାଉଥାନ୍ତି ବରାବର । ଶାସନ ଓ ପ୍ରଶାସନର ବିଭିନ୍ନ ବିଭାଗ ମାଧ୍ୟମରେ ଭାଗବଣ୍ଟା ଚାଲେ ନାଗରିକ-ସମାଜର କରଦାନ ସୂତ୍ରରେ ସଂଗୃହୀତ ଜାତୀୟ ଅନୁଦାନରାଶି । ନାଗରିକ ଅଧିକାର ଓ ସର୍ବସାଧାରଣଙ୍କ ବଂଚିବାର ଅଭିଯାନ ବ୍ୟାହତ ହୋଇଥାଏ ଏ ଶ୍ରେଣୀର ବିଶ୍ୱାସଘାତୀ ବ୍ୟାପାର ଯୋଗୁ । ଏମାନେ ବିରୋଧୀ ଓ ପ୍ରତିବାଦୀ ବର୍ଗଙ୍କୁ ଦେଶଦ୍ରୋହୀ, ଜାତିଦ୍ରୋହୀ, ଆଇନ ଉଲ୍ଲଂଘନକାରୀ ସାମାଜିକ ଶତ୍ରୁପକ୍ଷ ରୂପେ ଘୋଷିତ କରାଇ ଖଂଜିଦିଅନ୍ତି ନାରକୀୟ ନିର୍ଯ୍ୟାତନାର ବିଭିନ୍ନ ବ୍ୟବସ୍ଥା । ପୁଲିସ ଓ ପ୍ରଶାସନ ଏ ଶ୍ରେଣୀର ସଖୀକଣ୍ଢେଇ । ନିର୍ଯାତିତ ନାଗରିକ ନ୍ୟାୟ ପାଇବା ପାଇଁ ତାରିଖ ପରେ ତାରିଖର ଅପେକ୍ଷାରେ କଟାଇଦିଏ ସାରା ଜୀବନକାଳ ।

 

ଦୁର୍ନୀତି ବିରୋଧୀ ମହାସଂଗ୍ରାମ ଆୟୋଜନ କରିବା ପୂର୍ବରୁ ସର୍ବପ୍ରଥମେ ପ୍ରୟୋଜନ ଦୁର୍ନୀତିର ବର୍ଗୀକରଣ । ଦୁର୍ନୀତି ଆସେ ନାନା ବେଶପୋଷାକରେ । ମୂଳ ପାହାଚରୁ ବିରୋଧ ନ କଲେ ଏ ଦୁର୍ନୀତି ଚରିଯିବ ଭବିଷ୍ୟତର ବଂଶଧରଙ୍କ ପର୍ଯ୍ୟନ୍ତ । ଏହି ଦୁର୍ନୀତିକୁ ବାଧା ଦେବ କିଏ? ଏ ଦେଶର ଛାତ୍ର, ତରୁଣ, କୃଷକ, ଶ୍ରମିକ ନୁହନ୍ତି କେବଳ, ଘରେ ଘରେ ଘରଣୀଏ, ମାଆ ଭଉଣୀଏ ତଥା ନିର୍ଭୀକା ନାରୀବାହିନୀ ଯଦି ଜାଗିଉଠିବେ ତା’ହେଲେ ହିଁ ଏହାର ଉତ୍ତାଳ ସ୍ରୋତ ବାଧାପ୍ରାପ୍ତ ହେବାକୁ ବାଧ୍ୟ । ଦୁର୍ନୀତିଗ୍ରସ୍ତ ବାପ ପଇସାରେ ପୁଅଝିଅ ପାଠ ନ ପଢ଼ିବାକୁ ପଣ କରନ୍ତୁ, ଦୁର୍ନୀତିଗ୍ରସ୍ତ ସ୍ୱାମୀ ଟଙ୍କାରେ କିଣା ହୋଇ ଆସୁଥିବା ଶାଢ଼ିଗହଣାକୁ ସ୍ତ୍ରୀମାନେ ଅଳିଆଗଦାକୁ ଫୋପାଡ଼ିଦିଅନ୍ତୁ– ଏପରିକି ଦୁର୍ନୀତିଗ୍ରସ୍ତ ପୁଅପାତିଙ୍କୁ ବାପମାନେ ଧିକ୍କାର କରି ତେଜ୍ୟ କରନ୍ତୁ ଏବଂ କଳାଟଙ୍କାରେ ନିର୍ବାଚନ ଯୁଦ୍ଧ ଜିଣୁଥିବା ନେତାମାନଙ୍କୁ ବାଛନ୍ଦ କରନ୍ତୁ ଭୋଟର ନାଗରିକବର୍ଗ । ଏଭଳି ଏକ ଜୁଆର ଆସିବା ନିହାତି ଦରକାର । ନହେଲେ ମଧ୍ୟାହ୍ନ ଭୋଜନ ଖାଇ ମରୁଥିବା ଶିଶୁଛାତ୍ର ଓ ଚିକିତ୍ସାଗତ ଅବହେଳାରୁ ମୃତ୍ୟୁ ବରୁଥିବା ନବଜାତ ସନ୍ତାନମାନଙ୍କର ଏ ଭ୍ରଷ୍ଟ ଭାରତବର୍ଷରେ ଆମେ କେବଳ ତଦନ୍ତ-ସାନିତଦନ୍ତର ନିର୍ଲଜ୍ଜ ନାଟକବାଜିର ନିରୁପାୟ ଦର୍ଶକ ହିଁ ହୋଇଚାଲିଥିବା ଦିନଦିନ ।

 

ଦୁର୍ନୀତି ଦପ୍ତରରେ, ଦରବାରରେ, ଦୁଆରେ ଦୁଆରେ । ପ୍ରତିରୋଧ କରିବାକୁ ହେଲେ ଏକ ପ୍ରଶିକ୍ଷିତ ବାହିନୀର ପ୍ରୟୋଜନ । ଏବେ ହେଜିବା ଏ କଥା – ନ ହେଲେ ହଜିଯିବା ଅନ୍ଧମୁହାଣିରେ । ରଖିଯିବା ଉତ୍ତରପିଢ଼ିଙ୍କ ପାଇଁ ଲଜ୍ଜା, ଲାଞ୍ଛନାର କଳଙ୍କିତ ଅଧ୍ୟାୟ – କରାଳ ଅମାନୁଷିକତାର କଳାଫର୍ଦ କେବଳ ।

ଯାଜପୁର ରୋଡ଼, ଯାଜପୁର
ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top