ନିଉ ଇଣ୍ଡିଆ ବନାମ ନୂଆ ଭାରତ

News Story - Posted on 2017-08-21

ସୂର୍ଯ୍ୟମଣି ମିଶ୍ର

 

୨୦୧୪ର ରିପୋର୍ଟ ଅନୁଯାୟୀ ବଞ୍ôଚତ ଭାବେ ପରିଚିତ ଦଳିତବର୍ଗଙ୍କ ଉପରେ ୪୭ ହଜାର ୬୪ଟି ଅପରାଧିକ ଘଟଣା ଘଟିଥିଲା । ଦେଶରେ ୧୮.୩୫ କୋଟି ଭାରତୀୟ ଗୋଲାମ ଭାବରେ ଜୀବନ ବିତାଉଛନ୍ତି । ୧.୨ କୋଟି ଶିଶୁ ଯେଉଁମାନଙ୍କର ବୟସ ୦ରୁ ୧୮ ବର୍ଷ ସେମାନେ ଶ୍ରମିକ ଭାବେ ଜୀବନ ବିତାଉଛନ୍ତି । ଭ୍ରୂଣହତ୍ୟା ନେଇ ୨୦୧୫ରେ ୯୭ଟି ମାମଲା ରୁଜୁ ହୋଇଛି । ମହିଳାଙ୍କ ବିରୋଧରେ ହିଂସା ମାମଲା ୨୦୧୪ର ରିପୋର୍ଟ ଅନୁଯାୟୀ ୩୬ ହଜାର ୭୩୫ଟି ବଳାକ୍ରାର ଘଟଣା, ୮୨ ହଜାର ୨୩୫ଟି ମହିଳା ସମ୍ମାନ ଉପରେ ଆକ୍ରମଣ ଘଟଣା, ସ୍ୱାମୀ ଓ ସଂପର୍କୀୟଙ୍କ ମାଡ଼ରେ ସମ୍ମୁଖୀନ ହୋଇଥିବା ମାମଲା ସଂଖ୍ୟା ୧,୨୨,୮୭୭ ରୁଜୁ ହୋଇଥିବା ସୂଚାଇ ଦେଉଛି ମହିଳାମାନେ ଦେଶରେ କେତେ ସୁରକ୍ଷିତ ।

 

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ତମ ସ୍ୱାଧୀନତାର ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଦେଶବାସୀଙ୍କୁ ନୂଆ ଭାରତର ସ୍ୱପ୍ନ ଦେଖାଇଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାର ସାଇନିଂ ଇଣ୍ଡିଆର ସ୍ୱପ୍ନ ମଧ୍ୟ ଦେଖାଇଥିଲେ । ଶାସନ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶବାସୀଙ୍କୁ ବିଦେଶରେ ଥିବା କଳାଧନକୁ ଉଦ୍ଧାର କରି ପ୍ରତିଟି ନାଗରିକଙ୍କୁ ବ୍ୟାଙ୍କ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହି ପ୍ରତିଶ୍ରୁତି ଏବେ ମୋଦିଜୀଙ୍କ ମୁହଁରୁ ଶୁଣିବାକୁ ମିଳୁନାହିଁ । କାଶ୍ମୀର୍‍ ସମସ୍ୟା ଗୁଳି ବା ଗାଳି ଦ୍ୱାରା ନୁହେଁ, ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିବ ବୋଲି ମୋଦିଜୀ ଲାଲ୍‍କିଲାରୁ ଏକ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି । ଏହା ପୂର୍ବରୁ ଦେଶର ପଥଭ୍ରଷ୍ଟ, ବୁଦ୍ଧୀଜୀବୀ, ତଥାକଥିତ ଧର୍ମନିରପେକ୍ଷ ଏବଂ ବେଇମାନ ମାନବାଧିକାର କାର୍ଯ୍ୟକର୍ତ୍ତା ତଥା ଭୟାଳୁ ନାଗରିକ ଏପରି ମତ ଦେଇଥିଲେ ହେଁ ମୋଦିଜୀ ଗ୍ରହଣ କରିନଥିଲେ । ଚାରି ଦଶନ୍ଧି ଧରି ବଞ୍ôଚତ, ବିସ୍ଥାପିତ, ମତ୍ସ୍ୟ ବ୍ୟବସାୟୀ, ଗରିବୀ, ଆଦିବାସୀ, ଦଳିତ, ଛୋଟ ବ୍ୟବସାୟୀ, କୃଷକ, ଶ୍ରମିକ ଓ ଖଣି କର୍ମଚାରୀ ନିଜ ଅଧିକାର ଓ ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ ପାଇଁ ଦାବି କରୁଥିଲେ ହେଁ ସରକାର ଶୁଣିନାହାନ୍ତି ।

 

ଏବେ ବି ବଞ୍ôଚତ ତାଲିକାରେ ଏହି ବର୍ଗର ଲୋକମାନେ ରହିଛନ୍ତି । ୧୨୫ କୋଟି ଭାରତୀୟଙ୍କ ମଧ୍ୟରୁ ୮୦ ପ୍ରତିଶତ ଏବେ ଜାତି ଧର୍ମ ନାମରେ ପୀଡ଼ିତ । ଆଇନ ଅଛି କିନ୍ତୁ ଆଇନ ବାହାରେ ସରକାରୀ ଦଳର ପରିଚୟ ଦେଇ ଗୋଷ୍ଠୀ ଓ କେତେକ ଲୋକ ଆଇନ ବାହାରେ ଅନେକଙ୍କ ସ୍ୱାଧୀନତା ଓ ଅଧିକାରକୁ ହନନ କରୁଛନ୍ତି । ଯେପରି ଦେଖାଯାଉଛି ଦେଶରେ ୧୯୭୫ ସମୟର ଜରୁରୀ ପରିସ୍ଥିତିର ବିକେନ୍ଦ୍ରୀକରଣ ହୋଇଯାଇଛି । ଗୋ’ରକ୍ଷକ ଓ ଲଭ୍‍ ଜିହାଦୀର ସପକ୍ଷବାଦୀମାନେ ଅମାନବୀୟ ଭାବେ ଆଇନ ବାହାରେ ଜଣକ ପରେ ଜଣେ ମଣିଷକୁ ପଶୁ ଭଳି ବ୍ୟବହାର କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସ୍ୱପ୍ନ ଦେଖାଇଛନ୍ତି, ୨୦୨୨ ସୁଦ୍ଧା ଦେଶରେ ଏଭଳି ଅସମାନତା ଦେଖିବାକୁ ମିଳିବ ନାହିଁ । ଏଭଳି ସ୍ୱପ୍ନ ବି ଦେଖାଇଥିଲେ ବିଜେପିର ଅଟଳ ବିହାରୀ ବାଜପେୟୀ- ସାଇନିଂ ଇଣ୍ଡିଆର ନାରା ଦେଇ । ଆଜି ଦିନର ମୋଦିଙ୍କ ଏହି ସ୍ୱପ୍ନଦ୍ରଷ୍ଟା ଭୂମିକା ପାଳନ ଦେଶର ବଞ୍ôଚତବର୍ଗଙ୍କ ପାଇଁ ବିଶ୍ୱାସର ବାର୍ତ୍ତା ଦେଇପାରୁନାହିଁ । କାରଣ ନୀତିସବୁ ଅକାମୀ ହୋଇପଡ଼ିଛି, ଅର୍ଥାତ୍‍ ପଲିସ୍‍ ଏବେ ପାରାଲିସିସ୍‍୍‍ ସ୍ଥିତିରେ ।

 

ତଥ୍ୟ ଅନୁଯାୟୀ ନିକଟରେ ଆନ୍ତର୍ଜାତୀୟ ସାମାଜିକ ସଂଗଠନ ‘ଅକ୍ସଫାମ୍‍’ ଏବଂ ‘ଡେଭ୍‍ଲପ୍‍ମେଣ୍ଟ୍‍ ଫାଇନାନ୍‍ସିଆଲ୍‍ ଇଣ୍ଟରନ୍ୟାସନାଲ୍‍’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଭାରତର ଅସମାନତା ସ୍ଥିିତି ନେଇ ଉଦ୍‍ବେଗ ପ୍ରକାଶ କରାଯାଇଛି । ଏହିପରି ସବୁଠାରୁ ଚିନ୍ତାର ପ୍ରସଙ୍ଗ ହେଉଛି ବିଶ୍ୱବ୍ୟାଙ୍କର ରିପୋର୍ଟ, ଏହି ରିପୋର୍ଟରେ ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ୨୦୧୩ ମଧ୍ୟରେ ଭାରତର ଅଧା ଅରବ ଅର୍ଥାତ୍‍ ୫୦ କୋଟି ଲୋକ ଅତ୍ୟଧିକ ଭାବେ ଗରିବୀ ହୋଇ ରହିବେ ।

 

ଗତ ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ୱାଧୀନତାର ୭୦ତମ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ୨୦୨୨ ସୁଦ୍ଧା ଦେଶରୁ ଦାରିଦ୍ର୍ୟ, ସାମ୍ପ୍ରଦାୟିକ ହିଂସାକୁ ହ୍ରାସ କରାଯିବ । କିନ୍ତୁ ନୀତିଗତ ବିଫଳତା ବା ପଲିସି ପାରାଲିସିସ୍‍ ଉପରେ ଏଯାଏଁ ସରକାର ସମୀକ୍ଷା କରିନାହାନ୍ତି । ଗରିବୀ, ଅପପୁଷ୍ଟି ଏବଂ ଲିଙ୍ଗଗତ ଅସମାନତାର ବିଷମ ସ୍ଥିତି ବଜାୟ ରହିଛି । ଦେଶବ୍ୟାପୀ ଏହି ଅସମାନତାର ଚିତ୍ର ଦେଖିବାକୁ ମିଳୁଛି । ୨୦୧୫ରେ ଭାରତ ସହ ବିଶ୍ୱର ୧୯୩ଟି ଦେଶ ଜାତିସଂଘରେ ମିଳିତ ହୋଇ ସତତ ବିକାଶ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ସୂଚନା ଅନୁଯାୟୀ ଜାତିସଂଘ ଶିକ୍ଷା ସୂଚକାଙ୍କରେ ଭାରତ ବିଶ୍ୱର ୧୮୧ଟି ଦେଶ ମଧ୍ୟରେ ୧୪୭ତମ ସ୍ଥାନରେ ଅଛି । ଉଦାରୀକରଣ ଅର୍ଥନୀତିକୁ କାର୍ଯ୍ୟକାରୀ କରିବା ପରେ ଏହାର ପ୍ରତିକୂଳ ପ୍ରଭାବ ଶିକ୍ଷା କ୍ଷେତ୍ରରେ ପଡ଼ିଛି । ସରକାର ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା କ୍ଷେତ୍ରଯାଏ ଘରୋଇକରଣ କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ଦୁର୍ନୀତି ଯୋଗୁ ସଂସ୍କାର ଏବଂ ବିକାଶର ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ । ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ରବିଶଙ୍କର ଶ୍ରୀବାସ୍ତବଙ୍କ ମତରେ ଆମ ଦେଶର ବିକାଶ ଗରିବଙ୍କ ବିକାଶରେ ସହାୟକ ହୋଇପାରୁନାହିଁ । ଏଥିପାଇଁ ଅପପୁଷ୍ଟି ଓ ଗରିବୀ ବଢି ଚାଲିଛି ।

 

ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାସନାଲ୍‍ର ରିପୋର୍ଟ ଅନୁଯାୟୀ ଦୁର୍ନୀତିରେ ବିଶ୍ୱର ୧୭୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୯୪ । ଭାରତର ୭୦ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ, ଦୁର୍ନୀତିର ସ୍ଥିତି ଆହୁରି ବିଗିଡ଼ିଯାଇଛି । ଫେଡ଼େରେସନ ଅଫ୍‍ ଇଣ୍ଡିଆନ୍‍ ଚାମ୍ବର୍ସ ଅଫ୍‍ କମର୍ସ ଆଣ୍ଡ୍‍ ଇଣ୍ଡଷ୍ଟ୍ରିର ମତ ଅନୁଯାୟୀ ଦେଶର ଦୁର୍ନୀତି ଯୋଗୁ ପ୍ରତିବର୍ଷ ୭ ଅରବ ଡଲାର କ୍ଷତି ହେଉଛି । ଜାତିସଂଘର ମାନବ ବିକାଶ ସୂଚକାଙ୍କ ରିପୋର୍ଟ ଅନୁଯାୟୀ ବିଶ୍ୱର ୧୫୨ଟି ଦେଶ ମଧ୍ୟରେ ଅସମାନତାରେ ଭାରତର ସ୍ଥାନ ୧୩୨ । ଦେଶରେ ଶ୍ରମିକଙ୍କୁ ମିଳୁନି ଅଧିକାର । ମହିଳାମାନେ ନିଜ ଅଧିକାର ପାଇବାରୁ ବଞ୍ôଚତ । ୧୫୨ଟି ଦେଶ ମଧ୍ୟରେ ଭାରତର ଶ୍ରମିକ ଓ ମହିଳାଙ୍କ ଦୁର୍ଦ୍ଦଶାର ସ୍ଥିିତି ଆଗରେ । ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସୁରକ୍ଷାରେ ସରକାରଙ୍କ ବ୍ୟୟ ହାର ବହୁତ କମ୍‍ । ଏହା ସତ୍ୟ ଯେ, ଦେଶରେ କୃଷି ଆୟ ୮୯ ପ୍ରତିଶତ ବଢିଛି । କିନ୍ତୁ ରୋଜଗାର ୩ ପ୍ରତିଶତରୁ କମ୍‍ ଲୋକଙ୍କୁ ମିଳୁଛି । କୃଷି ଉତ୍ପାଦନ ବଢ଼ିଛି ସତ, କିନ୍ତୁ କୃଷି ସାମଗ୍ରୀର ଦର ବୃଦ୍ଧି ହୋଇନାହିଁ । ଫଳରେ ଫସଲ ଉତ୍ପାଦନ ଉପରେ ନିର୍ଭର କରି ଚଳୁଥିବା କୃଷକ ଓ କୃଷି ଶ୍ରମିକଙ୍କ ଆୟ ବଢୁନାହିଁ । ସରକାରଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବେତନଠାରୁ କୃଷକଙ୍କ ଆୟ କମ୍‍ ।

 

ଗୋଟିଏ ପଟେ ଦେଶର ଏକ ପ୍ରତିଶତ ଲୋକଙ୍କ ସମ୍ପତ୍ତି ୯୯ ପ୍ରତିଶତ ଲୋକଙ୍କ ସମ୍ପତ୍ତି ସହ ସମାନ । ଏଭଳି ଅସମାନତା ଭାରତର ସାମଗ୍ରିକ ବିକାଶର ବାଧକ । ପ୍ରଧାନମନ୍ତ୍ରୀ ମୋଦି ଏହି ଅସମାନତାର ଚିତ୍ର ସମ୍ପର୍କରେ ଯେ ସଚେତନ ନୁହନ୍ତି, ତାହା କୁହାଯାଇନପାରେ । କିନ୍ତୁ ପ୍ରଶ୍ନ ଉଠୁଛି ବିଶ୍ୱବ୍ୟାଙ୍କ ଯେଉଁ ରିପୋର୍ଟ ଆଧାରରେ କହିଛି ଯେ ୨୦୩୦ ସୁଦ୍ଧା ଭାରତର ଅଧା ଅରବ (୫୦ କୋଟି) ଲୋକ ଅତ୍ୟଧିକ ଗରିବୀ ହୋଇ ରହିବେ । ତେବେ ଏହି ଗରିବୀ ସଂଖ୍ୟାକୁ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାର କିପରି ୨୦୨୨ ସୁଦ୍ଧା ଦୂର କରିବେ? କେଉଁ ସୂତ୍ର ଓ ମନ୍ତ୍ରକୁ ଆଧାର କରି ୨୦୨୨ ସୁଦ୍ଧା ଦେଶରୁ ଦାରିଦ୍ର୍ୟ ଦୂର ହେବ ଓ ଗରିବୀଙ୍କ ସଂଖ୍ୟା କମିବ ସେ ସଂପର୍କରେ ହୁଏତ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ ନିଜ ସମ୍ବୋଧନରେ କହିନାହାନ୍ତି । ଏନେଇ ଏବେ ବିତର୍କ ଆରମ୍ଭ ହୋଇଛି । ଦେଶର ଅର୍ଥ ବ୍ୟବସ୍ଥା ଉପରେ ସର୍ବଦା ଦୃଷ୍ଟି ରଖୁଥିବା ସଂଗଠନ ‘ସେଣ୍ଟର ଫର୍‍ ମନିଟରିଂ ଅଫ୍‍ ଇଣ୍ଡିଆନ୍‍ ଇକୋନୋମିକ୍‍’ (ସିଏମ୍‍ଆଇଇ) ତା ରିପୋର୍ଟରେ କହିଛି ଯେ ଚଳିତ ବର୍ଷ ଜାନୁଆରୀରୁ ଅପ୍ରେଲ ମଧ୍ୟରେ ଦେଶର ସଂଗଠିତ କ୍ଷେତ୍ରରେ ୧୫ ଲକ୍ଷ ଲୋକଙ୍କର ନିଯୁକ୍ତି ଚାଲିଯାଇଛି ।

 

କେନ୍ଦ୍ର ସରକାରଙ୍କ ଜାତୀୟ କୌଶଳ ବିକାଶ ପରିଷଦ ଏକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ୨୦୨୨ ମଧ୍ୟରେ ଚାଷ କ୍ଷେତରେ କାମ କରୁଥିବା ଲୋକଙ୍କ ସଂଖ୍ୟା ୫୮ ପ୍ରତିଶତରୁ ୩୮ ପ୍ରତିଶତକୁ ହ୍ରାସ କରାଯିବ । ଆର୍ଥିକ ସଂସ୍କାରକୁ ଆଗକୁ ବଢାଇବା ଅନୁଯାୟୀ ଜାଣିଶୁଣି ଚାଷକ୍ଷେତରୁ ଗଳା ଚିପିବାକୁ ସରକାର ଗୋଟିଏ ପଟେ ପ୍ରସ୍ତୁତ ହେଉଥିବାବେଳେ ଚାଷ ଉପରେ ନିର୍ଭର କରି ନିଜର ଜୀବନ ଜୀବିକାକୁ ସୁରକ୍ଷିତ ପାଇଁ ଅହରହ ସଂଗ୍ରାମ କରୁଥିବା କୃଷକ ଓ କୃଷି ଶ୍ରମିକଙ୍କୁ ଆହୁରି ଯନ୍ତ୍ରଣା ଦେବା ପାଇଁ ସରକାର ନୀତି ତିଆରି କରୁଛନ୍ତି । ଗତ ୧୩ ବର୍ଷ ମଧ୍ୟରେ ୧୬.୨୫ କୋଟି ରୋଜଗାର ବଦଳରେ ମାତ୍ର ୧.୬ କୋଟି ରୋଜଗାର ସୃଷ୍ଟି ହୋଇଛି । ୧୯୯୦ରୁ ୨୦୧୦, ୨୦ ବର୍ଷ ମଧ୍ୟରେ କୃଷି ଉତ୍ପାଦକ ମୂଲ୍ୟର କୌଣସି ପରିବର୍ତ୍ତନ ହୋଇନାହିଁ । ଏବେ କୃଷକଙ୍କୁ କ୍ଷେତ ଛାଡ଼ିବା ପାଇଁ ପ୍ରତିକୂଳ ପରିବେଶ ତିଆରି କରାଯାଉଛି ଓ ଆୟରୁ ବଞ୍ôଚତ କରାଯାଉଛି । ସମାଜର ଅନ୍ୟବର୍ଗର ବେତନ ବଢାଯାଉଛି ଅଥଚ ସରକାର ଜାଣିଶୁଣି କ୍ଷେତରେ କାମ କରୁଥିବା ଲୋକଙ୍କ ଆୟ ବଢାଇବା ପାଇଁ ଚାହୁଁନାହାନ୍ତି । ଦେଶର ୭୦ କୋଟିରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି । ସେମାନଙ୍କ ସଂଖ୍ୟା କମାଇବା ପରେ କେଉଁଠି ନିଯୁକ୍ତି ଦେବେ ସରକାର ସେନେଇ ସ୍ପଷ୍ଟ କରୁନାହାନ୍ତି ।

 

ଦେଶରେ ଦେଖାଦେଇଥିବା ଆର୍ଥିକ ବିପନ୍ନତା ହ୍ରାସ ପାଇଁ ସୁଚିନ୍ତିତ ତଥା ଦୀର୍ଘମିଆଦି ଯୋଜନା ପ୍ରଣୟନ କରିନାହାନ୍ତି । ଫଳରେ କୃଷକ ଆତ୍ମହତ୍ୟା ବଢିଚାଲିଛି । ପରିସଂଖ୍ୟାନରେ ବିକାଶର ସୁନ୍ଦର ଚିତ୍ର ଦେଖାଉଥିବା ସରକାର ଦେଶର ମୌଳିକ ସମସ୍ୟା ସମାଧାନ ଦିଗରେ ବିଫଳ ହୋଇଛନ୍ତି । ମୌଳିକ ସମସ୍ୟା ସମାଧାନ ନହେଲେ ଦେଶର ଆର୍ଥିକ ବିକାଶ ସମ୍ଭବ ନୁହେଁ । ଏହାକୁ ସମସ୍ତ ଅର୍ଥନୀତିଜ୍ଞମାନେ ସ୍ୱୀକାର କରୁଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର ଯୋଗାଇ ନଦେବା ଯାଏ ଦେଶରେ ପ୍ରତିକୂଳ ପରିସ୍ଥିିତି ଲାଗିରହିବ । ପ୍ରଧାନମନ୍ତ୍ରୀ ମୋଦି ଏ ସଂପର୍କରେ ସଚେତନ ନିଶ୍ଚୟ । ତେବେ କାହିଁକି ଏହି ସାମାଜିକ ଓ ଆର୍ଥିକ ବିଷମତାର ଦୂର ପାଇଁ ସ୍ପଷ୍ଟ ମତ ରଖୁନାହାନ୍ତି, କାହିଁକି କଂଗ୍ରେସ ପ୍ରବର୍ତ୍ତିତ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତିର ପରିବର୍ତ୍ତନ ପାଇଁ ନିଜର ରାଜନୈତିକ ଇଚ୍ଛାଶକ୍ତିକୁ ବ୍ୟକ୍ତ କରୁନାହାନ୍ତି?

 

ବ୍ୟବସ୍ଥାର ପରିବର୍ତ୍ତନ ବିନା ପଲିସି ପାରାଲିସିସ୍‍ ଲାଗିରହିଥିବ । ଅସମାନତା ଦୂର ପରିବର୍ତ୍ତେ ଆହୁରି ବଢିବ । ୨୦୨୨ ଲକ୍ଷ୍ୟଧାର୍ଯ୍ୟ ହୁଏତ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସହାୟକ ହୋଇପାରେ; କିନ୍ତୁ ଦେଶର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ବା ପଲିସି ପାରାଲିସିସ୍‍ର ସ୍ଥିତି ଦୂର ହେବନାହିଁ । ଏ ସଂପର୍କରେ ସମୀକ୍ଷା ଓ ବିତର୍କ ଆଜି ଦିନରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ସତରେ ନୂଆ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାରେ ମୋଦିଜୀ ସଫଳ ହେବା ପାଇଁ ଦୃଢ଼ ଇଚ୍ଛାଶକ୍ତିର ଉଦାହରଣ ସୃଷ୍ଟି କରିବେ ନା ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଏଭଳି ଦେଶ ଉଦ୍ଦେଶ୍ୟରେ ପ୍ରବଚନ ଦେଇଛନ୍ତି?

 

ସାମ୍ବାଦିକ, ଭୁବନେଶ୍ୱର,
ସଂପର୍କ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top