ଶିଶୁ ମୃତ୍ୟୁହାର ରୋକିବ ‘ପ୍ରୋବାୟୋଟିକ’

News Story - Posted on 2017-08-19

ବିଶ୍ୱରେ ସଂକ୍ରମଣଜନିତ ଶିଶୁ ମୃତ୍ୟୁହାର ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇ ସମଗ୍ର ମାନବ ସଭ୍ୟତା ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । କିନ୍ତୁ ଖୁସିର ଖବର ଦୀର୍ଘ ୧୭ ବର୍ଷର ଅକ୍ଳାନ୍ତ ଗବେଷଣା ଓ ପରୀକ୍ଷାନିରୀକ୍ଷା ପରେ ଆମେରିକାର ନେବ୍ରାସିକା ମେଡିକାଲ ସେଣ୍ଟର ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ହେଲ୍ଥ ଓ ଡେଭଲପମେଣ୍ଟର ଡାଇରେକ୍ଟର ତଥା ଓଡିଶା ମାଟିର ଗୌରବ ଡାକ୍ତର ପିନାକି ପାଣିଗ୍ର୍ରାହୀ ଏଭଳି ମାରତ୍ମକ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ପ୍ରତିଶେଧକ ଔଷଧ ‘ପ୍ରୋବାୟୋଟିକ୍’ ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି । ଏକ ଆକଳନ ଅନୁଯାୟୀ ପ୍ରତିବର୍ଷ ବିଶ୍ୱରେ ୬ ଲକ୍ଷ ଶିଶୁ ସଂକ୍ରମଣଜନିତ ରୋଗ ଡାଏରିଆ, ନିମୋନିଆ, ଓ ଶ୍ୱାସପ୍ରଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣରେ ଅକାଳରେ ଜୀବନ ହାରିଥାନ୍ତି । ନୂତନ ଉଦ୍ଭାବନ ‘ପ୍ରୋବାୟୋଟିକ୍’ ଏଭଳି ବିପଦଜନକ ରୋଗରୁ ଶିଶୁଙ୍କୁ ରକ୍ଷା କରିବା ସହ ବିଶ୍ୱରୁ ୪୦ ପ୍ରତିଶତ ଶିଶୁମୃତ୍ୟୁ ହାର ରୋକିବାରେ ସହାୟକ ହେବ । ଏହାର ସବିଶେଷ ବିବରଣୀ ବିଶ୍ୱର ବିଜ୍ଞାନ ଭିତ୍ତିକ ୧ ନମ୍ବର ଜର୍ଣ୍ଣାଲ ‘ନେଚର’ ତାହାର ସଂପାଦକୀୟରେ ପ୍ରକାଶ କରିଛି । ଏହାସହ ବିବିସି ରେଡିଓ ଭଳି ଆମେରିକାର ନେସନାଲ ପବ୍ଲିକ ରେଡିଓରେ ମଧ୍ୟ ପ୍ରସାରିତ ହୋଇଛି । ଏହା ଅନୁମୋଦିତ ହେଲେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଓଡିଶା ବିଶ୍ୱ ବିଦିତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ହେବ ଏକ ମାଇଲଖୁଣ୍ଟ ।

 

ଏହି ଗବେଷଣା ପାଇଁ ଡ. ପାଣିଗ୍ରାହୀଙ୍କ ନେତୃତ୍ୱରେ ତାଙ୍କ ଦ୍ୱାରା ଭୁବନେଶ୍ୱରରେ ପ୍ରତିଷ୍ଠିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ପବ୍ଲିକ୍ ହେଲଥ୍ ବା ଏଆଇପିଏଚର ବିଶେଷଜ୍ଞମାନଙ୍କୁ ନେଇ ୨୦୦୧ ମସିହାରେ ଏକ ରିସର୍ଚ୍ଚ ଟିମ ଗଠନ କରାଯାଇଥିଲା । ଏହି ଟିମ୍ ଖୋର୍ଦ୍ଧା ଜିଲ୍ଲାର ଅନୁନ୍ନତ ୯୬ଟି ଗ୍ରାମ ଓ ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ୧୨୦ଟି ଗ୍ରାମରେ ନୂତନ ଜନ୍ମିତ ସଂକ୍ରମଣ ଶିଶୁଙ୍କଠାରେ ଏହି ଔଷଧର ବ୍ୟବହାର କରାଯାଇଥିଲା । ଦୁଇ ମାସ ଧରି ପୃଥକ ଟିମ ଏହି ଅଞ୍ଚଳରେ ରହି ୪୫୫୬ ଶିଶୁଙ୍କ ଏହି ଔଷଧ ଦେଇ ଏହାର ପରୀକ୍ଷା କରିଥିଲେ । ଯାହାକି ଏକ ବିଶ୍ୱ ରେକର୍ଡ । ଏହି ଔଷଧ ଖାଇବା ପରେ ସମସ୍ତଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବା ସହ ସଂପୂର୍ଣ୍ଣ ସଂକ୍ରମଣମୁକ୍ତ ହୋଇଥିଲେ ।

 

ଆଉ ମଧ୍ୟ ଅପରିପକ୍ୱ ୩୭ଜଣ ଶିଶୁଙ୍କୁ ଏହି ଔଷଧ ଦିଆଯାଇଥିଲା ସେମାନଙ୍କ ସ୍ୱାସ୍ଥ୍ୟରେ ଆଶ୍ଚର୍ଯ୍ୟଜନକ ଉନ୍ନତି ଘଟିଥିଲା । ଏହି ଔଷଧ ପୋଲିଓ ବୁନ୍ଦା ଭଳି କୁଶଳୀ ଓ ଅଣକୁଶଳୀ ସ୍ୱାସ୍ଥ୍ୟକର୍ମୀ ଶିଶୁଙ୍କୁ ଦେଇପାରିବେ । ଆଣ୍ଟିବାୟୋଟିକ ଭଳି ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ବେଳେ ଜଣେ ଶିଶୁ ପାଇଁ କେବଳ ଗୋଟିଏ ଡଲାର ବା ୬୫ ଟଙ୍କା ଖର୍ଚ୍ଚ ହେବ । ଏନଆଇସିୟୁ ଓ ଆଣ୍ଟିବାୟୋଟିକର ଆଉ ଆବଶ୍ୟକତା ପଡିବ ନାହିଁ । ଏପରି ସୂଚନା ଦେଇଛନ୍ତି ରିସର୍ଚ୍ଚ ଟିମର ସଦସ୍ୟ ଡ. ଅଜିତ ମହାପାତ୍ର, ଡ. ପ୍ରଭାତ ରଞ୍ଜନ ମିଶ୍ର, ଡ. ରମେଶ ରାମ ମିଶ୍ର, ଆମେରିକାର ଭିଜିଟିଂ ଫାକ୍ୟୁଲିଟି ଡ. ଲେକିଲ ଏଲିଓଟ ଏବଂ ଏଆଇପିଏଚର ଅଧ୍ୟକ୍ଷ ବିଜୟ କୁମାର ପାଢୀ ।

 

ଏହି ଗବେଷଣାରେ ସହାୟତା କରିଛନ୍ତି ଭାରତ ସରକାରଙ୍କ ସାଇନ୍ସ ଓ ଟେକ୍ନୋଲୋଜୀ ବିଭାଗ, ଦିଲ୍ଲୀସ୍ଥିତ ଏମ୍ସ, ମୁମ୍ବାଇର ନାୟାର ହସ୍ପିଟାଲ, ଆମେରିକାର ନେସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ । ଏହି ଗବେଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସହଯୋଗ କରିବା ସହ ଗବେଷଣା ପାଇଁ କ୍ୟାପିଟାଲ ହସ୍ପିଟାଲ, ଏସବି ମେଡିକାଲ କଲେଜରେ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି । ଏଥିସହ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ମଧ୍ୟ ସହଯୋଗର ହାତ ବଢାଇଛି । ଆର୍ଥୀକ ସହାୟତା ମେଲିଣ୍ଡା-ବିଲ ଗେଟ୍ସ ଫାଉଣ୍ଡେସନ ଦେଇଥିବା କହିଛନ୍ତି ଡ. ପ୍ରଭାତ ରଞ୍ଜନ ମିଶ୍ର । ଆଉ ଏହି ନୂତନ ଉଦ୍ଭାବନ ଯଦି ଅନୁମୋଦିତ ହୁଏ ଓଡିଶା, ଭାରତ ସମତେ ସାରା ବିଶ୍ୱ ଉପକୃତ ହେବ । ଏହି ନୂତନ ଉଦ୍ଭାବନ ନୋବେଲ କମିଟିକୁ ଯିବାର ଆଶା ରଖିଛନ୍ତି ବିଶିଷ୍ଟ ଶିଶୁ ବିଶେଷଜ୍ଞ ଡ. ଅଜିତ ମହାପାତ୍ର ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top