ଆଇଓସିଏଲ ବିବାଦ ତୁଟିଲା

News Story - Posted on 2017-08-19

ଗତି କିଛି ଦିନ ଧରି ଆଇଓସିଏଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦର ସୁଖଦ ଅନ୍ତ ଘଟିଛି । ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଧର୍ମେନ୍ଦ୍ର କହିଛନ୍ତି ଯେ ଭାରତୀୟ ତୈଳ ନିଗମ ଓ ଓଡ଼ିଶା ସରକାରଙ୍କ ସହମତି ଆଧାରରେ ଯେତିକି ଟିକସ ଆଦାୟ ହେବ ସେଥିରୁ ବାର୍ଷିକ ୭ ଶହ କୋଟି ଆଗାମୀ ୧୬ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ଇଣ୍ଡିଆନ ଅଏଲକୁ ବିନା ସୁଧରେ ଋଣ ଆକାରରେ ପ୍ରଦାନ କରିବେ । ୭୦୦ କୋଟି ଉପରକୁ ଆଉ ଯେତେ ଟିକସ ରାଶି ହେବ ତାହା ରାଜ୍ୟ ତହବିଲକୁ ଯିବ । ଗତ ଆର୍ଥିକ ବର୍ଷରେ ୨୨ ଶହ କୋଟି ଟଙ୍କାର ଟ୍ୟାକ୍ସ ପରିମାଣ ହୋଇଥିବାରୁ ରାଜ୍ୟ ସରକାରକୁ ୧୫ ଶହ କୋଟି ଟଙ୍କା ମିଳିବ । ପୂର୍ବରୁ ବ୍ୟବସାୟିକ ଉତ୍ପାଦନ ଠାରୁ ୧୧ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟ୍ୟାକ୍ସ ଡିଫରମେଣ୍ଟ କରିବା ପାଇଁ ୨୦୦୪ ମସିହାରେ ଓଡ଼ିଶା ସରକାର ଇଣ୍ଡିଆନ ଅଏଲ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

 

ବର୍ତ୍ତମାନର ରାଜ୍ୟ ସରକାର ୨୦୦୪ ମସିହାରେ ଓଡ଼ିଶାରେ ଶାସନ ଦାୟିତ୍ୱରେ ଥିଲେ । ଗତ କାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ସିଧା କଥାବାର୍ତ୍ତା ଓ ପରେ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ସଚିବ, ଭାରତୀୟ ତୈଳ ନିଗମର ବରିଷ୍ଠ ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ ସ୍ତରରେ କଥାବାର୍ତ୍ତା କରାଯାଇଥିଲା । ଉଭୟ ପକ୍ଷ ପୂର୍ବରୁ ଯେଉଁ ଯେଉଁ ବିଷୟ ନିଜ ଦାବିରେ ଅଟଳ ଥିଲେ ଉଭୟ ପକ୍ଷ ଆଭିମୁଖ୍ୟ ନରମ କରିବା ପରେ ସହମତିର ରାସ୍ତା ବାହାରିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି ।

 

ଉଲ୍ଲେଖନୀୟ ଯେ, ରାଜ୍ୟର ରାଜସ୍ୱ ଓ ରୋଜଗାରକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ ଓଡିଶାର ଅପେକ୍ଷାକୁ ଆକୋମୋଡେଟ କରିବା ପାଇଁ ଶ୍ରୀ ପ୍ରଧାନ ପୂର୍ବରୁ ଆଇଓସିଏଲକୁ ନିର୍ଦ୍ଦେଶ ଦେଇଥିଲେ । ପାରାଦୀପ ରିଫାଇନାରୀର ଓଡିଶା ଏବେ ଲାଭ ନେବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି ରିଫାଇନାରୀରେ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇ ସାରିଥିଲା ବେଳେ ଆଗାମୀ ଦିନରେ ଆଉ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ସୁଯୋଗ ତିଆରି ହେବ ବୋଲି କହିଥିଲେ ।

 

ରାଜ୍ୟ ସରକାର ୨୦୦୪ ମସିହାରେ ବୁଝାମଣା କରିଥିଲେ ମଧ୍ୟ ୨୦୧୬ରେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହେବା ପରେ ଏହି ବୁଝାମଣାପତ୍ର ଦ୍ୱାରା ରାଜ୍ୟର ଆର୍ଥିକ ସ୍ୱାର୍ଥ ପ୍ରଭାବିତ ହେଉଛି ବୋଲି କହିଥିଲେ । ୨୦୧୭ରେ ବୁଝାମଣାପତ୍ରକୁ ଏକତରଫା ଭାବେ କ୍ୟାବିନେଟରେ ରଦ୍ଦ କରିଥିଲେ । ଏହି ବିଷୟକୁ ନେଇ ଇଣ୍ଡିଆନ ଅଏଲ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ।

 

ମାନ୍ୟବର କୋର୍ଟ ଯେଉଁ ଦୁଇଟି କାରଣ ଯୋଗୁ ରାଜ୍ୟ ସରକାର ବୁଝାମଣାରୁ ଓହରି ଯିବାକୁ ଚାହୁଁଛି ସେହି ଦୁଇଟି କାରଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ଓ ୯ ଏମ୍ଏମ୍ଟିପିଏରୁ ୧୫ ଏମ୍ଏମ୍ଟିପିଏକୁ ବୃଦ୍ଧି ତର୍କକୁ ଖାରଜ କରିବା ସହ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଆପୋଷ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା ହୋଇଥିବାରୁ ଓ ସେ ଜଣେ ଓଡିଆ ଭାବରେ ଓଡିଶାର ରାଜସ୍ୱ-ରୋଜଗାର ପାଇଁ ଏହି ନିଷ୍ପତ୍ତି ପାଇଁ ଅନୁକୂଳ ବାତାବରଣ ତିଆରି କରିବାରେ ଭୂମିକା ନେଇ ସେ ବେଶ ଆନନ୍ଦିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top