କଳିଙ୍ଗ ଏକ୍ସପ୍ରେସ ଲାଇନଚ୍ୟୁତ, ୨୩ ମୃତ

News Story - Posted on 2017-08-19

ଉତ୍ତର ପ୍ରଦେଶ ମୁଜାଫରନଗର ନିକଟରେ ଲାଇନଚ୍ୟୁତ ହୋଇଛି ପୁରୀ-ହରିଦ୍ୱାର କଳିଙ୍ଗ ଉକ୍ରଳ ଏକ୍ସପ୍ରେସ । ଟ୍ରେନର ୧୪ଟି ବଗି ଧାରଣାରୁ ବାହାରି ପରସ୍ପର ଉପରେ ଚଢ଼ି ଯାଇଛି । ଏହି ଦୁର୍ଘଟଣାରେ ୨୩ ଯାତ୍ରୀଙ୍କର ମୃତ୍ୟୁ ହେବା ସହିତ ୪୦ ଉପରେ ଆହତ ହୋଇଛନ୍ତି । ଆଜି ସନ୍ଧ୍ୟା ୫.୪୬ ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଆଉ ମାତ୍ର ତିନି ଘଣ୍ଟା ପରେ ହରିଦ୍ୱାରରେ ପହଂଚିଥାନ୍ତା ପୁରୀରୁ ଆସୁଥିବା କଳିଙ୍ଗ ଉକ୍ରଳ ଏକ୍ସପ୍ରେସ ଟ୍ରେନ । କିନ୍ତୁ ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାର ଖଟୌଲି ନିକଟରେ ଘଟିଗଲା ଭୟଙ୍କର ଦୁର୍ଘଟଣା । ହଠାତ ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହେଲା । ବଗିଗୁଡ଼ିକ ପରସ୍ପର ଉପରେ ଚଢ଼ିଗଲା । କେଇଟା ବଗି ରେଳ ଧାରଣା ନିକଟରେ ଥିବା ସ୍କୁଲଘର ଭିତରକୁ ମାଡ଼ିଗଲା । ଗୋଟେ ବଗି ଓଲଟି ପଡ଼ିଲା । ବଗି ଭିତରେ ଓ ତଳେ ଚାପି ହୋଇଗଲେ ଅନେକ ଯାତ୍ରୀ । ଟ୍ରାକ୍ ଖରାପ ଯୋଗୁଁ ବଗିଗୁଡ଼ିକ ଲାଇନଚ୍ୟୁତ ହେଲା ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ଏହି ଅଭିଯୋଗ କରିଛନ୍ତି । ତେବେ ଦୁର୍ଘଟଣାର କାରଣ ଜାଣିବା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ପଛରେ ଆତଙ୍କବାଦୀଙ୍କ ସଂପୃକ୍ତି ରହିଛି କି ନାହିଁ ଜାଣିବା ପାଇଁ ମଧ୍ୟ ଆତଙ୍କବାଦ ବିରୋଧୀ ସ୍କ୍ୱାଡ଼ର ସଦସ୍ୟମାନେ ଘଟଣାସ୍ଥଳରେ ପହଂଚିଛନ୍ତି ।

 

ଖବର ପାଇ ଏନଡିଆରଏଫର ୪ଟି ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସେମାନେ ପହଂଚିବା ଆଗରୁ ସ୍ଥାନୀୟ ଲୋକମାନେ ଅନେକ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠେଇଛନ୍ତି । ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ପୁଲିସ ଏଡିଜି ଆନନ୍ଦ କୁମାର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଲାଇନଚ୍ୟୁତ ହୋଇଥିବା ବଗି ଭିତରୁ ପ୍ରାୟ ୪୦ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି । ଉତ୍ତର ରେଳବାଇର ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ପରିଚାଳନା କରିବା ସହିତ ଦୁର୍ଘଟଣାର କାରଣ ଜାଣିବାକୁ ଅନୁଧ୍ୟାନ ଚଳାଇଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ମିରଟ ଏଡିଜି ପ୍ରଶାନ୍ତ କୁମାର ଦେଇଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୧୧ରେ ପହଂଚିଛି ଓ ଆହତଙ୍କ ସଂଖ୍ୟା ୪୦ ଛୁଇଁଛି । ରେଳବାଇ ମୁଖପାତ୍ର ଅନୀଲ ସାକ୍ସେନା କହିଛନ୍ତି ଯେ ମୋଟ ୧୪ଟି ବଗି ଲାଇନଚ୍ୟୁତ ହୋଇଛି । ରାତି ୧୦ ଘଣ୍ଟା ସୁଦ୍ଧା ମୃତ୍ୟୁସଂଖ୍ୟା ୨୩ ଓ ଆହତଙ୍କ ସଂଖ୍ୟା ୪୦ ଟପିଛି । ଅନେକ ବଗି ଭିତରୁ ଏପର୍ଯ୍ୟନ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ତେଣୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ।

 

ଦୁର୍ଘଟଣାର ଖବର ପାଇ ରେଳମନ୍ତ୍ରୀ ସୁରେଶ ପ୍ରଭୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବାକୁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇ ବୋର୍ଡ଼ର ଅଧ୍ୟକ୍ଷ ଘଟଣାସ୍ଥଳରେ ରହି ସମସ୍ତ କାର୍ଯ୍ୟ ତଦାରଖ କରିବେ । ଉଦ୍ଧାର ପାଇଁ ଏନଡିଆରଏଫର ୪ଟି ଦଳ ଘଟଣାସ୍ଥଳରେ ପହଂଚିଛନ୍ତି । ଉତ୍ତର ପ୍ରଦେଶ ସରକାରଙ୍କର ବହୁ ଅଧିକାରୀ, ପୁଲିସ ଦଳ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟରେ ସହାୟତା କରୁଛନ୍ତି । ଆହତ ଯାତ୍ରୀମାନଙ୍କୁ ମାଗଣାରେ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ସୁରେଶ ପ୍ରଭୁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ଫ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଶୋକ ଓ ସମବେଦନା ପ୍ରକାଶ କରିଛନ୍ତି ।

 

ଦୁର୍ଘଟଣାରେ ମୃତ ଓଡ଼ିଆ ଯାତ୍ରୀଙ୍କ ପରିଜନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତ ଓଡ଼ିଆ ଯାତ୍ରୀମାନଙ୍କ ପାଇଁ ମଧ୍ୟ ୫୦ ହାଜର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରାଯାଇଛି । ଦୁର୍ଘଟଣା ସଂପର୍କରେ ରେଳମନ୍ତ୍ରୀ ପ୍ରଭୁଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସମସ୍ତ ମୃତଯାତ୍ରୀଙ୍କ ପରିଜନମାନଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ୩.୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଗୁରୁତର ଆହତଙ୍କୁ ୫୦ ହାଜର ଟଙ୍କା ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ରେଳବାଇ ବିଭାଗ ଘୋଷଣା କରିଛି । ଉତ୍ତର ପ୍ରଦେଶ ସରକାର ମଧ୍ୟ ମୃତ ଯାତ୍ରୀଙ୍କ ନିମନ୍ତେ ୨ ଲକ୍ଷ ଏବଂ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

 

ଅଗଷ୍ଟ ୧୭ ତାରିଖ ରାତି ୯ ଘଣ୍ଟା ସମୟରେ ହରିଦ୍ୱାରା ଅଭିମୁଖେ ପୁରୀରୁ ଯାତ୍ରା ଆରମ୍ଭ କରିଥିଲା କଳିଙ୍ଗ ଉକ୍ରଳ ଏକ୍ସପ୍ରେସ ଟ୍ରେନ । ଆଜି ରାତି ୯ ଘଣ୍ଟା ସମୟରେ ଟ୍ରେନ୍ ଉତ୍ତରାଖଣ୍ଡର ହରିଦ୍ୱାରରେ ପହଂଚିବାର ଥିଲା । ଉଭୟ ପୁରୀ ଓ ହରିଦ୍ୱାର ହେଉଛି ହିନ୍ଦୁମାନଙ୍କର ଦୁଇଟି ପବିତ୍ର ତୀର୍ଥସ୍ଥଳ । ତେଣୁ ଏହି ଟ୍ରେନରେ ଅନେକ ତୀର୍ଥଯାତ୍ରୀ ରହିଥିବାର ଅନୁମାନ କରାଯାଉଛି । ପୁରୀରୁ ଟ୍ରେନ୍ ଛାଡ଼ିଲାବେଳେ ସଂରକ୍ଷିତ କୋଚରେ ୮୬ ଜଣ ଯାତ୍ରୀ ଚଢ଼ିଥିଲେ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top