କର୍ପୋରେଟ୍‍ ଚାନ୍ଦା ବିରୋଧରେ ଆନ୍ଦୋଳନ

News Story - Posted on 2017-08-19

ସୂର୍ଯ୍ୟମଣି ମିଶ୍ର

 

୧୯୯୦ ମସିହାରେ ନିର୍ବାଚନ ସଂସ୍କାର ପାଇଁ ଗଠିତ ଦିନେଶ ଗୋସ୍ୱାମୀ କମିଟିର ସୁପାରିଶ କାର୍ଯ୍ୟକାରୀ ହେଲାନାହିଁ । ଏହାପରେ ୧୯୯୮ରେ ଇନ୍ଦ୍ରଜିତ ଗୁପ୍ତା କମିଟି ନିର୍ବାଚନ ସଂସ୍କାର ସଂପର୍କରେ ମୂଲ୍ୟବାନ ସୁପାରିଶ କରିଥିଲେ । ଏହି ଦୁଇଟି କମିଟିର ସୁପାରିଶ ପତ୍ରରେ କେତେ ଯେ ଧୁଳିବସିଲାଣି ତାହାର ସୂଚନା ମିଳିନି । ଧନବଳର ପ୍ରଭାବରେ ନିର୍ବାଚନ ଜିତିବା ସହଜ ହେଉଛି । ଏଥିପାଇଁ କର୍ପୋରେଟ ହାଉସଗୁଡ଼ିକ ଯେଉଁଦଳକୁ ଚାହୁଁଛନ୍ତି ସେହି ରାଜନୈତିକ ଦଳକୁ କ୍ଷମତା ମିଳୁଛି ବୋଲି ଏବେ ଦେଶବ୍ୟାପୀ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।

 

ମତପ୍ରକାଶ ପାଇଛି ଯେ, ଜରୁରୀ ପରିସ୍ଥିତି ବିରୋଧରେ ଏବଂ ବୋଫର୍ସ ଦୁର୍ନୀତି ବିରୋଧରେ ଯେପରି ଜନଆନ୍ଦୋଳନ ମୁଣ୍ଡ ଟେକୁଥିଲା ସେହିଭଳି ଜନ ଆନ୍ଦୋଳନ ବିନା କର୍ପୋରେଟ ଚାନ୍ଦା ଅର୍ଥରେ ନିର୍ବାଚନ ଲଢିବା ବିରୋଧରେ ଆନ୍ଦୋଳନ ଜରୁରୀ । ଆସୋସିଏସନ୍‍ ଫର୍‍ ଡେମୋକ୍ରାଟିକ୍‍ ରିଫର୍ମ (ଏଡିଆର୍‍)ର ସଦ୍ୟତମ ରିପୋର୍ଟ ଅନୁଯାୟୀ ଗତ ୧୦ବର୍ଷ ପୂର୍ବରୁ ଯେତେ ଟଙ୍କା କର୍ପୋରେଟ୍‍ ହାଉସ୍‍ଗୁଡ଼ିକ ରାଜନୈତିକ ଦଳକୁ ଦେଉଥିଲେ ୨୦୧୪ ବେଳକୁ ଏହା ବହୁଗୁଣିତ ହୋଇଛି । ୨୦୦୪ରୁ ୨୦୧୪ ମଧ୍ୟରେ କର୍ପୋରେଟ ହାଉସ ୪୬୦ କୋଟି ୮୩ ଲକ୍ଷ ଟଙ୍କା ରାଜନୈତିକ ଦଳର ପାଣ୍ଠିକୁ ଦେଇଛନ୍ତି । ୨୦୧୩ରୁ ୨୦୧୫ ମଧ୍ୟରେ କର୍ପୋରେଟ ହାଉସ ୭୯୭ କୋଟି ୭୯ ଲକ୍ଷ ଟଙ୍କା ରାଜନୈତିକ ଦଳର ପାଣ୍ଠିକୁ ଦେଇଛନ୍ତି । ଏହି ପରିସଂଖ୍ୟାନ କେବଳ ବିଜେପି, କଂଗ୍ରେସ, ଏନ୍‍ସିପି, ସିପିଆଇଏମ୍‍, ସିପିଆଇ ଭଳି ଜାତୀୟ ରାଜନୈତିକ ଦଳକୁ ମିଳିଥିବା କର୍ପୋରେଟ ଚାନ୍ଦାର ପରିମାଣ । ୨୦୧୪ ସାଧାରଣ ନିର୍ବାଚନରେ କର୍ପୋରେଟ ହାଉସ ଖୋଲା ହୃଦୟରେ ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନ କରିଛନ୍ତି । ଏହି ସମୟରେ ୮୦ ପ୍ରତିଶତରୁ ଅଧିକ ପାଣ୍ଠି କେବଳ ବିଜେପି ଦଳକୁ ମିଳିଛି ।

 

ମନମୋହନ ସିଂହ ସରକାର ଗୋଟିଏ ପରେ ଗୋଟିଏ ଦୁର୍ନୀତିରେ ଫସିଯିବା ପରେ ସେହି ସମୟରେ ୨୦ଟି କର୍ପୋରେଟ ହାଉସ ୨୦୧୧-୧୨ ରେ ମନମୋହନ ସିଂହ ସରକାରଙ୍କ ଗଭର୍ଣ୍ଣାନ୍‍ସ ଉପରେ ପ୍ରଶ୍ନ ଉଠାଇ ଚିଠି ଲେଖିଥିଲେ । ଏହି ସମୟରେ ସୂଚନା ମିଳିଥିଲା କର୍ପୋରେଟ ହାଉସ କଂଗ୍ରେସ ଉପରୁ ଭରଷା ତୁଟାଉଛନ୍ତି ଏବଂ ବିକଳ୍ପ ସନ୍ଧାନରେ ଅଛନ୍ତି । ୨୦୧୪ ନିର୍ବାଚନ ବେଳକୁ ବିଜେପି ଦଳ ହିଁ କର୍ପୋରେଟ ହାଉସ ପାଇଁ ଏକ ପସନ୍ଦର ଦଳ ହୋଇଥିଲା । ଅପ୍ରେଲ ୨୦୧୨ରୁ ଅପ୍ରେଲ ୨୦୧୬ ମଧ୍ୟରେ ୯୫୬ କୋଟି ୭୭ ଲକ୍ଷ ଟଙ୍କା ରାଜନୈତିକ ଦଳକୁ କର୍ପୋରେଟ ହାଉସରୁ ଚାନ୍ଦା ମିଳିଥିଲା । ଏଥିରୁ ୭୦୫ କୋଟି ୮୧ ଲକ୍ଷ ଟଙ୍କା ବିଜେପିକୁ ମିଳିଥିବାବେଳେ ୧୯୮ କୋଟି ୧୬ ଲକ୍ଷ ଟଙ୍କା କଂଗ୍ରେସ ଦଳକୁ ମିଳିଛି । ୧୯୩୩ ଦାତା ବିନା ପ୍ୟାନ୍‍ ନମ୍ବରରେ ୩୮୪ କୋଟି ଟଙ୍କା ପଲିଟିକାଲ୍‍ ଦାନ ବାକ୍ସରେ ଢାଳି ଦେଇଛନ୍ତି । ୧୫୪୬ ଜଣ ଦାତା ପ୍ୟାନ୍‍ ନମ୍ବର ଦେଇଥିଲେ ହେଁ ଠିକଣା ନଦେଇ ୩୫୫ କୋଟି ଟଙ୍କା ଏହି ରାଜନୈତିକ ଦଳର ଦାନବାକ୍ସରେ ପକାଇଛନ୍ତି । ୧୬୦ କୋଟି ଟଙ୍କା ବିନା ପ୍ୟାନ୍‍ ନମ୍ବର ଓ ବିନା ଠିକଣାରେ ପଲିଟିକାଲ୍‍ ଫଣ୍ଡକୁ ଆସିଛି । ଏହି ମୋଟ ଅର୍ଥ ମଧ୍ୟରୁ ୯୯ ପ୍ରତିଶତ ଦାନ ବିଜେପି ଖାତାକୁ ଆସିଛି । ୨୦୧୪ରେ କଂଗ୍ରେସ ଦଳ ପରାଜିତ ହେବା ପରେ କଂଗ୍ରେସ ଭଳି ବିରୋଧୀ ଦଳ ପାଖକୁ ଆଉ କର୍ପୋରେଟ ପଲିଟିକାଲ୍‍ ପଣ୍ଡିଙ୍ଗ୍‍ ଆସିବା ନେଇ ଅନିଶ୍ଚିତତାର ସୂଚନା ମିଳିଛି । ଯଦି କର୍ପୋରେଟ ହାଉସ ବିରୋଧୀ ଦଳକୁ ପାଣ୍ଠି ନଯୋଗାଏ ତେବେ ଦେଶରେ ବିରୋଧୀ ଦଳର ନିର୍ବାଚନ ପ୍ରତିଦ୍ୱନ୍ଦିତା ପାଇଁ ଶୂନ୍ୟତାର ବାର୍ତ୍ତା ଦେବାର ଆଶଙ୍କା ଦେଖାଦେଇଛି । କାରଣ ଏହା ସ୍ପଷ୍ଟ ଯେ କର୍ପୋରେଟ ଚାନ୍ଦା ଭରଷାରେ ହିଁ ରାଜନୈତିକ ଦଳଗୁଡ଼ିକ ରାଜନୀତି କରୁଛନ୍ତି ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ସହଜ ଓ ସୁଖଦ ହେଉଛି । ଏପରି ଏକ ବାତାବରଣ ସୃଷ୍ଟି ହୋଇଛି ଯେପରି କର୍ପୋରେଟହାଉସଗୁଡ଼ିକ ସରକାରକୁ ବଦଳାଇପାରୁଛନ୍ତିର!

 

୧୯୭୫ରୁ ୭୭ ଦେଶରେ ଜରୁରୀ ପରିସ୍ଥିତି ଜାରି ବିରୋଧରେ ଜନ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା । ଏହାପରେ ବୋଫର୍ସ ଦୁର୍ନୀତିକୁ ନେଇ ଦେଶବ୍ୟାପୀ ସରକାର ଜନଆକ୍ରୋଶର ଶିକାର ହୋଇଥିଲେ । ସରକାର ବଦଳି ଯାଇଥିଲା । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଆନ୍ନାଙ୍କ ଜନଲୋକପାଳ ଆନ୍ଦୋଳନ ମନମୋହନ ସିଂହ ସରକାରଙ୍କ ଭାବମୂର୍ତ୍ତିକୁ ମଳିନ କରିଦେଲା । ଲୋକ ଚାହିଁଲେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଦୁର୍ନୀତିରେ ବୁଡ଼ିଛି । ବରଂ ସବୁଠୁ ଭଲ ପଦ୍ମଫୁଲରେ ଭୋଟ ଦେବା ଉଚିତ୍‍ ହେବ । କର୍ପୋରେଟ ହାଉସ ଏହା ପୂର୍ବରୁ ବିଜେପି ସପକ୍ଷରେ ପ୍ରଚାର ଅସ୍ତ୍ରକୁ ବ୍ୟବହାର କରିବା ଆରମ୍ଭ କରିଦେଇଥିଲାଏବଂ ଜନମତକୁ ବିଜେପି ସପକ୍ଷରେ ନେବା ପାଇଁ ଏକ ହାୱା ସୃଷ୍ଟି କରିବାରେ ସହାୟକ ହୋଇଥିଲା । ଆଜି ଦିନରେ କର୍ପୋରେଟ ହାଉସର ନିର୍ବାଚନରେ ଭୂମିକାକୁ ନେଇ ଭିନ୍ନମତ ଦେଖାଦେଇଛି । ଯେପରିକି କର୍ପୋରେଟ ହାଉସର ଇଙ୍ଗିତରେ ରାଜନୈତିକ ଦଳଗୁଡ଼ିକ ପରିଚାଳିତ ହେଉଛନ୍ତି । ଦେଶର ସ୍ୱାର୍ଥ ଓ ଦେଶବାସୀଙ୍କ ସ୍ୱାର୍ଥ ଅପେକ୍ଷା କର୍ପୋରେଟ ହାଉସର ସ୍ୱାର୍ଥ ସୁରକ୍ଷା ପାଇଁ ରାଜନୈତିକ ଦଳ ଶପଥବଦ୍ଧ ପ୍ରାୟ ମାନସିକତା ପ୍ରଦର୍ଶନ କରୁଛନ୍ତି । ବିଜେପି କ୍ଷମତାକୁ ଆସିବାର ୩ବର୍ଷ ପୂରଣ ହୋଇଗଲାଣି । କ’ଣ ପାଳନ କରିଛି କି ନିଜ ନିର୍ବାଚନୀ ପ୍ରତିଶ୍ରୁତିକୁ ଏହି ଦଳ । ବରଂ କର୍ପୋରେଟ ହାଉସଗୁଡ଼ିକ ବ୍ୟାଙ୍କଗୁଡ଼ିକୁ ଦେବାଳିଆ କରିଥିଲେ ହେଁ ସେମାନଙ୍କ ଉପରେ ଆଇନତଃ ପଦକ୍ଷେପ ନେଇନାହାନ୍ତି । ପୂର୍ବର ମନମୋହନ ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଗୋଟିଏ ପାହାଚ ଆଗକୁ ବଢି କର୍ପୋରେଟ ହାଉସଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇଥିବାବେଳେ ଆଜିର ନରେନ୍ଦ୍ରମୋଦିଙ୍କ ନେତୃତ୍ୱାଧୀନ ଏନ୍‍ଡ଼ିଏ ସରକାର ଦୁଇପାହାଚ ଆଗକୁ ବଢି ଆଦାନି, ଅମ୍ବାନୀ ଭଳି କର୍ପୋରେଟ ହାଉସଗୁଡ଼ିକର ସ୍ୱାର୍ଥ ସୁରକ୍ଷା ପାଇଁ ବଚନବଦ୍ଧ ସହାୟତା ଓ ସହଯୋଗ ପ୍ରଦାନ କରିସାରିଛନ୍ତି । ଏପରି ସ୍ଥିତି ଦେଖାଦେଇଛି ଯେ, କର୍ପୋରେଟ ହାଉସର ଏହି ରାଜନୈତିକ ପାଣ୍ଠି ପ୍ରଦାନ କାର୍ଯ୍ୟଦ୍ୱାରା ରାଜନୈତିକ ଦଳଗୁଡ଼ିକର ସ୍ୱଚ୍ଛତା ଓ ଦେଶ ପାଇଁ ଉତ୍ତରଦାୟିତ୍ୱ ପାଳନ ଗୌଣ ହୋଇଛି । ଏକ ଗଣତାନ୍ତ୍ରିକ ଦେଶରେ ସରକାରୀ ଦଳ ସହ ବିରୋଧୀ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ କର୍ପୋରେଟ ହାଉସ ଗୋଟିଏ ଦଳକୁ (ସରକାରୀ) ଅଧିକରୁ ଅଧିକ ପାଣ୍ଠି ଯୋଗାଇବା ଦ୍ୱାରା ଦେଶରେ ବିରୋଧୀ ଦଳ ଭୂମିକାର ଶୂନ୍ୟତା ଦେଖାଦେବାର ସମ୍ଭାବନା ସୃଷ୍ଟି ହୋଇଛି । ନିର୍ବାଚନୀ ପାଣ୍ଠି ବଳରେ ଦଳ ବଦଳ ଚାଲିଛି । ଏହି ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପିର ହାତଧରିବା ପରେ ଘୋଷଣା କରିଛନ୍ତି ଯେ, ୨୦୧୯ରେ ପୁଣି ମୋଦି ହେବେ ପ୍ରଧାନମନ୍ତ୍ରୀ । ପୁଞ୍ଜିବଳରେ ନିର୍ବାଚନ ଜିତାଯାଇପାରେ । ଏହି ସତ୍ୟତାକୁ ଜଣେ ପରେ ଜଣେ ନେତା ସ୍ୱୀକାର କରୁଛନ୍ତି । ଗୋଟିଏ ପଟେ ନିର୍ବାଚନରେ କଳାଟଙ୍କା ଲଗାଯିବା ଅନ୍ୟପଟରେ କର୍ପୋରେଟ ହାଉସ ପକ୍ଷରୁ କୋଟି କୋଟି ଟଙ୍କା ଚାନ୍ଦା ପ୍ରଦାନ କରାଯିବା ଏବଂ ନିର୍ବାଚନ ବ୍ୟୟବହୁଳ ହେବା ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭସୂଚନା ନୁହେଁ । ୨୦୧୪ରେ ନିର୍ବାଚନ ଖର୍ଚ୍ଚ ୩୮୭୦ କୋଟି ଟଙ୍କା ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହେବ ଏବେଠାରୁ ଅନୁମାନ କରାଯାଇନପାରେ । ନିଶ୍ଚିତ ଦ୍ୱିଗୁଣିତ ହୋଇପାରେ । ଲୋକଙ୍କ ଟିକସ ଅର୍ଥକୁ ନିର୍ବାଚନରେ ବ୍ୟବହାର କରାଯିବାର ଯୁକ୍ତି ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ଆସୋସିଏସନ୍‍ ଫର୍‍ ଡେମୋକ୍ରାଟିକ୍‍ ରିଫର୍ମର ତଥ୍ୟ ଅନୁଯାୟୀ ଗତ ୪ ବର୍ଷ ମଧ୍ୟରେ କର୍ପୋରେଟ କମ୍ପାନୀ ସବୁଠୁ ଅଧିକ ଚାନ୍ଦା ୭୦୫.୮୦ କୋଟି ଟଙ୍କା ବିଜେପିକୁ ଦେବା ପଛରେ ଯୁକ୍ତି କ’ଣ । କେଉଁ ଲକ୍ଷ୍ୟରେ ଏତେ ପରିମାଣର ଚାନ୍ଦା ଗୋଟିଏ ଦଳକୁ ଦେଇଛନ୍ତି କର୍ପୋରେଟ ହାଉସ । ବିନା ଆଧାର କାର୍ଡ଼ରେ ୧୫୯ କୋଟି ଟଙ୍କା ରାଜନୈତିକ ଦଳର ପାଣ୍ଠିକୁ ଆସିବା ନିୟମ ସଂଗତ କି? ବିଜେପି ଓ କଂଗ୍ରେସ ଭଳି ରାଜନୈତିକ ଦଳଗୁଡ଼ିକ ଠାରୁ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଜନତା ।

 

ରାଜନୈତିକ ଦଳଗୁଡ଼ିକ ପାଇଁ ସାଧାରଣ ନାଗରିକଙ୍କ ପକ୍ଷରୁ ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରାଯାଇଛି ତାହା ହେଲା କାହିଁକି ସୂଚନା ଅଧିକାର ଆଇନର ଅନ୍ତର୍ଭୁକ୍ତ ହେବେନାହିଁ? ରାଜନୈତିକ ଦଳଗୁଡ଼ିକ ସୂଚନା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ନହେବା ପାଇଁ କଂଗ୍ରେସ, ବିଜେପି ଏପରିକି ବାମଦଳ ଏକାଠି ହୋଇଛନ୍ତି । ଅରବପତି ଲୋକ ପ୍ରତିନିଧିଙ୍କ ସଂଖ୍ୟା ବଢିଚାଲିଛି । ଏହା ଦେଶ ପାଇଁ ଚିନ୍ତାର ବିଷୟ । ରାଜନୈତିକ ଦଳ ବେନାମି ଚାନ୍ଦା ଗ୍ରହଣ କରିବା ଏବଂ କର୍ପୋରେଟ ପାଣ୍ଠିକୁ ବିନା ନୀତି ନିୟମରେ ଗ୍ରହଣ କରିବା ଗଣତନ୍ତ୍ର ପାଇଁ ଏବଂ ସୁସ୍ଥ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତିକୂଳ ବାର୍ତ୍ତା ଦେଉଛି । ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କର୍ପୋରେଟ ପାଣ୍ଠି ଗ୍ରହଣ ବିରୁଦ୍ଧରେ ସଶକ୍ତ ଜନଆନ୍ଦୋଳନ ଆଜି ଦିନରେ ବଡ଼ ଆବଶ୍ୟକତା ବୋଲି ମତପ୍ରକାଶ ପାଇଲାଣି । କାରଣ କର୍ପୋରେଟ ପାଣ୍ଠି ହିଁ ରାଜନୈତିକ ଦଳର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି ।

ଭୁବନେଶ୍ୱର, ଫୋନ୍‍: ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top