ଯୌବନରେ ଜରାଗ୍ରସ୍ତ ଆକାଶବାଣୀ ବ୍ରହ୍ମପୁର

News Story - Posted on 2017-08-19

ହେମାଙ୍ଗ ପ୍ରସାଦ ରାଉଳ

 

ଉତ୍କଳୀୟ ସାଂସ୍କୃତିକ ଚେତନାର ପ୍ରାଣକେନ୍ଦ୍ର, ସାହିତ୍ୟ ସର୍ଜନାର ଅନୁପମ କ୍ଷେତ୍ର, ବାଣିଜ୍ୟ ବ୍ୟାପାର ପ୍ରୟୋଗଶାଳା ରେଶମ ନଗର ବ୍ରହ୍ମପୁର ପାଇଁ ଏକ ସୁନ୍ଦର ଭେଟିଥିଲା ଆକାଶବାଣୀ ବ୍ରହ୍ମପୁର । ୨୪ ବର୍ଷ ତଳେ ଏହି ସୁନ୍ଦର ଅନୁଷ୍ଠାନର ପରିକଳ୍ପନା କରି କେନ୍ଦ୍ର ସରକାର ଭେଟି ଦେଇଥିଲେ ଏପ୍ରିଲ ୧ (ଉତ୍କଳ ଦିବସ) ୧୯୯୩ରେ। ତତକାଳୀନ କେନ୍ଦ୍ର ସୂଚନା ପ୍ରସାରଣ ଲୋକ ସଂପର୍କ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ କରକମଳରେ ଉଦ‌୍‍ଘାଟିତ ହୋଇଥିଲା ଆକାଶବାଣୀ ବ୍ରହ୍ମପୁର।

 

ମାତ୍ର ୩ ଘଣ୍ଟାର ପ୍ରସାରଣ ଅବଧି କ୍ରମସହ ଶ୍ରୋତାଙ୍କ ମନକୁ ଛୁଇଁବା ପରେ ୧୩ ଘଣ୍ଟାରେ ଆକାଶବାଣୀର ସୃଜନାତ୍ମକ ପ୍ରୟାସର ଛାପ କଳା, ସାହିତ୍ୟ, ସଂସ୍କୃତି, କୃଷି, ସ୍ୱାସ୍ଥ୍ୟ ସଚେତନାତ୍ମକ କାର୍ଯ୍ୟକ୍ରମର ବାଣିଜ୍ୟର ଛାପ ଧୀରେ ଧୀରେ ଶ୍ରୋତା ମଣ୍ଡଳିଙ୍କ ମନକୁ ଗଭୀର ଭାବରେ ଛୁଇଁଥିଲା। ପରେ ୧୩ ଘଣ୍ଟାକୁ ସଂପ୍ରସାରଣ କରାଯାଇ ଆକାଶବାଣୀର  ନବକଳେବର କରାଯାଇଥିଲା। କାର୍ଯ୍ୟକ୍ରମଗୁଡିକ ଅନୁଭବୀ, ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସମ୍ପାଦିତ ହୋଇ ଆସୁଥିଲା। ସ୍ରଷ୍ଟାଙ୍କ ସୃଜନାତ୍ମକ ବିଷୟରେ ଆକାଶବାଣୀ ଜନପ୍ରିୟତା ଲାଭକରି  ଘରେ ଘରେ ପହଞ୍ଚିଥିଲା। ଡ.ଶାନ୍ତନୁ କୁମାର ରଥ ଓ ଡ. ସୁଧା ମିଶ୍ର, ଡ. ହୃଷିକେଶ ପଣ୍ଡାଙ୍କ ପରି ଖ୍ୟାତିସଂପନ୍ନ ବ୍ୟକ୍ତିଙ୍କ କର୍ମକ୍ଷେତ୍ର ବ୍ରହ୍ମପୁର ଆକାଶବାଣୀ ବହୁ ସୁନାମର ଶୀର୍ଷରେ  ଥିଲା।

 

ପକ୍ଷୀ ପାଇଁ ୨୦୧୩ ସମ୍ନାନ, ଉତ୍କୃଷ୍ଟ ଶ୍ରୋତା ସମ୍ମାନ ୨୦୧୪, ଜୀବନ ଯନ୍ତ୍ରଣା ୨୦୧୪ ପରି ଅନେକ ସମ୍ମାନ ପ୍ରାପ୍ତ ଗରିମାମୟ ଅନୁଷ୍ଠାନ ଆଜି କିନ୍ତୁ ସେହି ସୁଖଦ ଅନୁଭବ ଦେବାରେ ଅସମର୍ଥ ବୋଲି ଶ୍ରୋତାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଅତି ସୁନ୍ଦର ଦିବ୍ୟ ଭାବର ଅନୁଷ୍ଠାନଟି ଯୁବକ ଅବସ୍ଥାରେ ଜରାଗ୍ରସ୍ତ ହୋଇଯାଇଛି। ବାହ୍ୟ ସୌନ୍ଦର୍ଯ୍ୟ ହରାଇଛି, ଭିତରେ ବି  ହରାଇବା ଆଭାସ ମିଳୁଛି। ଯେଊଁମାନେ ସାମୟିକ କର୍ମଚାରୀ ଭାବେ ନିଜୁକ୍ତି ପାଇଛନ୍ତି ସେମାନଙ୍କର ଉଚ୍ଚ ମୂଲ୍ୟବୋଧ ଅଭାବ ସହିତ ସୃଜନାତ୍ମକ ବିଚାରର ଅଭାବ ରହିଛି। ଏପରିକି କର୍ମଚାରୀଙ୍କ ଭିତରେ ସମନ୍ୱୟ ରହୁନାହିଁ। ଯାହା ଫଳରେ କପୁର୍ର ଉଡିଯାଇ କନା ପଡିଲା ପରି ମନେ ହେଉଛି। ବ୍ରହ୍ମପୁର ଆକାଶବାଣୀରେ କାର୍ଯ୍ୟରତ କର୍ମଚାରୀ କିମ୍ୱା ପଦସ୍ଥ ଅଧିକାରୀଙ୍କ ବେଦାୟିତ୍ୱ ଆକାଶବାଣୀକୁ ହତଶ୍ରୀ କରିଛି।

 

ଆଉ ମାତ୍ର ୬ ମାସ ପରେ ବ୍ରହ୍ମପୁର ଆକାଶବାଣୀ ପୂର୍ଣ୍ଣ ଯୌବନ ପ୍ରାପ୍ତ ହୋଇ ରୌପ୍ୟ ଜୟନ୍ତି ପାଳନ କରିବ। କିନ୍ତୁ ବ୍ୟଥାଗୁଡିକ ଏପରିକି କହି ହେଉନାହିଁ କି ସହି ହେଉନାହିଁ। ଏପରି ଅବସ୍ଥା କେନ୍ଦ୍ର ସରକାରଙ୍କ ଅନୁଷ୍ଠାନର ଶ୍ରୋତା ମଣ୍ଡଳିଙ୍କ ପାଇଁ ସୁନ୍ଦର କାର୍ଯ୍ୟକ୍ରମର ସଂଚାରଣ ନାହିଁ। ପ୍ରଣାମ ଶ୍ରୋତା ବନ୍ଧୁ, ଆଜିର ଅନୁଚିନ୍ତା ପରି କାର୍ଯ୍ୟକ୍ରମକୁ ଉତ୍ସୁକତାର ସହ ଅନାଇ ବସିଥିବା ଶ୍ରୋତା ମଣ୍ଡଳି ତଥାପି ଆଶା ଓ ସମ୍ଭାବନାର ଅପେକ୍ଷାରେ। ସେମାନଙ୍କର ଆଶା ଆକାଶବାଣୀର ସମୃଦ୍ଧିମୟ ସନ୍ଦେଶ ଓ ଗୌରବ ଫେରି ଆସିବ ଓ ଏଠାକାର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିବ।

 

ଏହି ସୁନ୍ଦର ଅନୁଷ୍ଠାନଟି କେବଳ ଗଞ୍ଜାମ ନୁହଁ, ଦକ୍ଷିଣ ଓଡିଶାର ଅର୍ଦ୍ଧାଧିକ ଜିଲ୍ଲାର ସାହିତ୍ୟ କଳା, ସଂସ‌୍‍ୃତି, ବିଚାରର ଏକ ଅନୁପମ କ୍ଷେତ୍ର ହୋଇଥିଲେ ସୁଦ୍ଧା ପଦାଧିକାରୀଙ୍କ ସ୍ୱାର୍ଥ ଜଡିତ ବିଚାର ହେତୁ ଅନେକ ପ୍ରତିଭାଧାରୀଙ୍କ ଜ୍ଞାନର ଉଚିତ‌୍‍ ମୂଲ୍ୟାୟନ କରାଯାଉ ନାହିଁ। କିଛି ମାତ୍ର ହାତଗଣତି ଲୋକଙ୍କୁ  ଏବଂ ତାଙ୍କ ମନକୁ ତୋଷିଲା ପରି କାର୍ଯ୍ୟକ୍ରମ କରିବା ପାଇଁ  କୁହାଯାଉଛି। ଯୋଉଁ କାର୍ଯ୍ୟକ୍ରମଗୁଡିକ ମୌଳିକତା ହରାଇ ବସିଛି।

 

ଏଠାରେ ସୂଚନା ଥାଉକି ସହ ନିର୍ଦ୍ଦେଶକ ଡ. ହୃଷିକେଶ ପଣ୍ଡାଙ୍କ ପରେ କୌଣସି ଦାୟିତ୍ବସଂପନ୍ନ ପଦାଧିକାରୀଙ୍କୁ ନିଯୁକ୍ତି ନଦିଆଯାଇ ଭାରାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଅନୁଷ୍ଠାନ ଚଳାଇବାର ରହସ୍ୟ କ’ଣ ସାଧାରଣରେ ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାରଙ୍କ ଏହି ସୁନ୍ଦର ଅନୁଷ୍ଠାନଟି ରୌପ୍ୟ ଜୟନ୍ତି ପାଳନ ଅବସରରେ ଯଦି ଜଣେ ଦକ୍ଷ ପଦାଧିକାରିଙ୍କୁ ନିଯୁକ୍ତି ଦିଆଯାଏ ତେବେ ବ୍ରହ୍ମପୁର ଆକାଶବାଣୀର ପୂର୍ବ ଗୌରବ ଫେରି ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅବହେଳା ଏବଂ ବୈମାତୃକ ବିଚାର ଯଦି ଅବ୍ୟାହତ ହୁଏ ଏହି ଆକାଶବାଣୀ କେନ୍ଦ୍ର ଅଚିରେ ଇତିହାସ ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି।

 

କେନ୍ଦ୍ର ସରକାରଙ୍କ ଆକାଶବାଣୀ କେନ୍ଦ୍ରର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଶ୍ରୋତାଙ୍କ ଦୃଷ୍ଟିକୋଣ ଏବଂ ଇଚ୍ଛାଶକ୍ତି ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ତାହାର ପୂର୍ବ ଗୌରବ ବଞ୍ଚାଇ ରଖିବା ପାଇଁ କେନ୍ଦ୍ର ସରକାର ଏଥିପ୍ରତି ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ଦେବା ପାଇଁ  ବୃଦ୍ଧିଜୀବୀ ତଥା ସାଧାରଣରେ ଦାବୀ ହେଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top