ସାଡେନଫ୍ରିଏଡେ ହସ

News Story - Posted on 2017-08-19

ପରଂବ୍ରହ୍ମ ତ୍ରିପାଠୀ

 

ପିଲାବେଳ କଥା। ଗାଁରେ ଆମ ଘର ପାଖେ ବାବାଜୀ ବୋଉର ଘର। ନିଆସୀ ବିଧବା ବୁଢ଼ୀଟେ। ପୁଅ ବାବାଜୀ କାମ ଖୋଜିବାକୁ କଲିକତା ଗଲା ଯେ ଆଉ ଫେରିଲାନି। ଭାରି କଷ୍ଟରେ ଚଳେ ବୁଢ଼ୀ। ସେଦିନ ସକାଳୁ ଆମ ସମସ୍ତଙ୍କ ନିଦ ଭାଙ୍ଗିଲା ବାବାଜୀ ବୋଉର କାନ୍ଦଣାରେ। ବୁଢ଼ୀ ଛାତି ପିଟି କାନ୍ଦୁଥାଏ ଆଉ ମନକୁ ଯାହା ଆସୁଥାଏ ତାହା ଗାଳି ଦେଉଥାଏ। ବାପା ଦଉଡ଼ିଲେ ବୁଢ଼ୀ ଘରକୁ ଆଉ ତାଙ୍କ ପଛେ ପଛେ ମୁଁ। ବାପା ତାକୁ ବୋଧ ଦେଇ ପଚାରିଲେ, ’କ’ଣ ହେଇଛି, ଏମିତି କାହିଁକି କାନ୍ଦୁଛୁ?’

 

ବୁଢ଼ୀ ବାହୁନି ବାହୁନି କହିଲା, ‘ଚୋର ପଶିଥିଲାରେ କଇଳାଶ, ପୋଡାମୁହାଁ କଳାକନା ବୁଲେଇ ଦେଇଛି। ବାସନକୁସନ ସବୁ ନେଇଯାଇଛି, ଛେଳି ଦିଇଟାକୁ ବି ଛାଡ଼ିନି, କ’ଣ କରିବି ମୁଁ ଏବେ?’ ଏତିକି କହି ବୁଢ଼ୀ ନିଜ ଛାତିକି ବିଧା ମାରି ତଳେ ଗଡିବାକୁ ଲାଗିଲା। ହଠାତ ବାପା କହିଲେ, ‘ବୁଝିଲୁ ମାଉସୀ, ସେ ଚୋର କାଲି ଆମ ଘରେ ବି ପଶିଥିଲା, କୁନାର ନୂଆ ସାଇକେଲଟା ନେଇଯାଇଛି। ଆଉ କ’ଣ ନେଇଛି କେଜାଣି? ତୋ କାନ୍ଦ ଶୁଣି ମୁଁ ଦଉଡି ଆସିଲି’।

 

ଏଇ କେଇ ପଦ କଥାରେ ବୁଢ଼ୀର କାନ୍ଦ ବନ୍ଦ, ଭଲ ମଣିଷଟେ ଭଳିଆ ସେ ବାପାଙ୍କୁ ପଚାରିଲା, ‘ବୋହୂର ସୁନା ଜିନିଷ ଅଛି ନା ସେ ଚୋର ତାକୁ ବି ନେଇଯାଇଛି, ବେଗି ଯା, ଦେଖିବୁ।’

 

ଫେରିଲା ବେଳେ ମୋ ଛୋଟ ମୁଣ୍ଡରେ ମୁଁ ବାପାଙ୍କୁ ପଚାରିଲି, ଆମ ଘରେ ତ ଚୋରି ହେଇନି, ତମେ ମିଛ କାହିଁକି କହିଲ? ବାପା ସ୍ମିତହାସ୍ୟ ସହ ସଂକ୍ଷିପ୍ତ ଉତ୍ତରଟେ ଦେଲେ, ‘ବଡ଼ ହେଲେ ବୁଝିବୁ’।

    

ବଡ଼ ହେଲା ପରେ ଶବ୍ଦଟେ ଶୁଣିଲି ‘ସାଡେନଫ୍ରିଏଡେ’। ଏହା ଏକ ଜର୍ମାନ ଶବ୍ଦ ଓ ଇଂରାଜୀ ଅଭିଧାନ ଅନୁଯାୟୀ ଏହାର ପାଖାପାଖି ଅର୍ଥ ହେଲା, ଅନ୍ୟମାନଙ୍କ ଦୁର୍ଭାଗ୍ୟ, ଅସୁବିଧା ପରିସ୍ଥିତିରୁ ସନ୍ତୋଷ ପାଇବା। କାନକୁ ଅବାଗିଆ ଶୁଣା ଯାଉଛି ନା? ଆପଣ ଭାବୁଥିବେ, ଏ କେମିତିକା ମଣିଷ ମ ଯିଏ ଅନ୍ୟର ଅସୁବିଧା ଦୁର୍ଭାଗ୍ୟ ଦେଖି ଖୁସି ହୁଏ? କିନ୍ତୁ ସାଡେନଫ୍ରିଏଡେ ଗୋଟେ ସାଧାରଣ ମାନବୀୟ ପ୍ରବୃତ୍ତି ଓ ଜାଣତ ବା ଅଜାଣତରେ ଆମମାନଙ୍କ ଭିତରୁ ଅନେକ ଏହା ଦ୍ବାରା ଆକ୍ରାନ୍ତ। ସାଡେନଫ୍ରିଏଡେରୁ ମିଳୁଥିବା ସନ୍ତୋଷ ବେଳେବେଳେ ଆମକୁ ନିଜର ବର୍ତ୍ତମାନର ଦୁଃସ୍ଥିତି, ଖରାପ ଅବସ୍ଥାକୁ ସାମୟିକ ଭାବେ ଭୁଲେଇ ଦେବାରେ ସାହାଯ୍ୟ ମଧ୍ୟ କରିଥାଏ।

 

କେମିତି? ଭାବନ୍ତୁ, ଆପଣ ଆପଣଙ୍କ ଗାଡି ଧରି ଲମ୍ବା ଟ୍ରାଫିକଜାମରେ ଅପେକ୍ଷା କରିଛନ୍ତି। ସେ ଜାମ କେବେ ଫିଟିବ, ସେ ଅନୁମାନ ମଧ୍ୟ ଆପଣ କରିପାରୁନାହାନ୍ତି। ତେଣୁ ଆପଣ ମନେ ମନେ ସରକାର, ଟ୍ରାଫିକ ବ୍ୟବସ୍ଥା, ଜନସଂଖ୍ୟା ବୃଦ୍ଧି ଆଦିକୁ ଗାଳି ଦେବା ସହ ଡେରିରେ ପହଁଚିଲେ କିପରି ଅଧା ଦିନ ଦରମା କଟିଯିବ ସେ ଚିନ୍ତାରେ ମଧ୍ୟ ବିବ୍ରତ ଅଛନ୍ତି। ହଠାତ ଦେଖିଲେ ଡାହାଣ ପଟୁ କଳା ପଲସରରେ ଯୁବକଟିଏ ଟ୍ରାଫିକ ନିୟମ ଭାଙ୍ଗି ଆପଣଙ୍କ ଡାହାଣ ପଟେ ଦ୍ରୁତ ଗତିରେ ଚାଲିଗଲା। ଆପଣଙ୍କ ରାଗ ଆହୁରି ବଢିବ ନା ନାହିଁ? ନିଶ୍ଚିତ, ବଢିବା କଥା। ମାତ୍ର ଏ କଣ ହେଲା? ଯୁବକଟି ଟ୍ରାଫିକ ବ୍ୟାରିକେଡ଼ରେ ବାଡେଇ ହେଇ ତଳେ ପଡିଗଲା। ସତ କହିଲେ, ଥରେ କ’ଣ ଆପଣଙ୍କ ମନକୁ ଆସିବନି, ବଢିଆ ହେଇଛି ବୋଲି? ଯୁବକର ତଳେ ପଡିଯିବା ଦୁର୍ଭାଗ୍ୟ କ’ଣ ଆପଣଙ୍କୁ କ୍ଷଣିକ ପାଇଁ ଟ୍ରାଫିକଜାମ, କାର୍ଯ୍ୟକ୍ଷେତ୍ରରେ ପହଂଚିବାରେ ବିଳମ୍ବ, ଗୁଳୁଗୁଳି ଆଦି ସମସ୍ୟାରୁ ନିସ୍ତାର ଦେବନି କି? ଅନ୍ୟ ସମୟ ହୋଇଥିଲେ ଆପଣ ନିଶ୍ଚିତ ତଳେ ପଡିଥିବା ଯୁବକଟିକୁ ଉଠେଇ ଥାଆନ୍ତେ, ହେଲେ ଏବେ ଉଠେଇବା ପୂର୍ବରୁ ଦୁଇ ଥର ଭାବିବେନି କି?

 

ମୁଁ ପଛେ ଗାଁ ଛକରେ ପାନ ଦୋକାନ କରିଥାଏ, ହେଲେ ମୋ ଆତ୍ମସନ୍ତୋଷ ଏତିକି ଯେ ପ୍ରଥମରୁ ଦଶମ ଯାଏଁ ଆମ ଶ୍ରେଣୀରେ ପ୍ରଥମ ହେଉଥିବା ପିଲାଟି ସରକାରୀ ଚାକିରୀ ପାଇଲା ନାହିଁ। ମୁଁ ପଛେ ପୁରସ୍କାର କିମ୍ବା ପଦୋନ୍ନତିର ଦୌଡରେ ନଥାଏ, ରାମ ବାବୁ ପାଇଲେନି। ସେତିକି ଯଥେଷ୍ଟ ମୋ ମନ ବୁଝେଇ ଦେବା ପାଇଁ। ସେ ଝିଅ ମତେ ବାହା ହେବାକୁ ମନା କରିଦେଇଥିଲା। ବଢିଆ ହେଇଛି, ତା ଚାକିରିଆ ବର ଘୋଡା ମଦୁଆଟେ। ଏମିତି ଅନେକ ଉଦାହରଣ ଆମେ ଆମ ନିତିଦିନିଆ ଜୀବନରେ ପାଇ ପାରିବା। ଆମେ ଏସବୁ ଅଘଟଣରୁ ଆତ୍ମସନ୍ତୋଷ ପାଉ ବୋଲି କେବେ ଖୋଲିକି କହୁନି। ଖୋଲିକି କହି ମଧ୍ୟ ହେବନି। ଏଇଟା ଗୋଟେ ସାଧାରଣ ପ୍ରବୃତ୍ତି ଓ ଆମ ଭିତରୁ ଅନେକଙ୍କର ଥାଏ। ଏହା ଇର୍ଷା ନୁହେଁ ବା ପ୍ରତିଶୋଧ ପରାୟଣତା ମଧ୍ୟ ନୁହେଁ। ପାରିପାର୍ଶ୍ବିକ କାରକମାନଙ୍କ ସମ୍ବନ୍ଧରେ ଏହାକୁ ଏକ ନିରୀହ ମାନବୀୟ ଅସହାୟତା ବୋଲି କୁହା ଯାଇପାରେ। 

 

ଏହାକୁ ଇର୍ଷା ବା ପ୍ରତିଶୋଧପରାୟଣତା ମୁଁ ଏଇଥି ପାଇଁ କହୁ ନାହିଁ କାରଣ ଆମକୁ ଅନେକ ସମୟରେ ଲାଗେ ଯେ ହଇରାଣ ହେଉଥିବା ଲୋକଟି ବୋଧେ ତା କର୍ମ ପାଇଁ ଶାସ୍ତି ପାଇଛି। ମୋର ଛ ଖଣ୍ଡ ପାଞ୍ଚଶହ ଟଙ୍କିଆ ନୋଟ ନଷ୍ଟ ହେଲେ କ’ଣ ହେଲା, ବହୁ ବଡ଼ବଡିଆଙ୍କ କୋଟି କୋଟି ତ ବୁଡିଗଲା! କୋଉ ମେହନତ କରି କମେଇ ଥିଲେ ଯେ? ପ୍ରକୃତରେ ହେଇ ଥାଉ  ବା ନଥାଉ, ଭାବନା ପଛରେ କୌଣସି ତର୍କ ସମ୍ମତ କାରଣ ଥାଉ ବା ନଥାଉ, ଆମକୁ ଅନେକ ସମୟରେ ଲାଗେ ଯେ ଶ୍ରେଣୀରେ ପ୍ରଥମ ହେଉଥିବା ପିଲାଟି ଗର୍ବୀ, ସୁନ୍ଦର ଦେଖାଯାଉଥିବା ଲୋକଟି ଅହଙ୍କାରୀ ଆଉ ଆମଠାରୁ  ଅଧିକ ପଇସା ରୋଜଗାର କରୁଥିବା ଲୋକଟି ଦୁର୍ନୀତିଗ୍ରସ୍ତ। ସେମାନଙ୍କର ଓ ଆମ ଭିତରେ ଥିବା ପାର୍ଥକ୍ୟଟିକୁ ଅଦୃଶ୍ୟ ଭାବେ ଓ ଅନୈତିକ ଭାବେ ତିଆରି କରାଯାଇଛି। ଏଇ ପ୍ରକାର ଧାରଣା କେବଳ ମୋର ବା ଆପଣଙ୍କର ନାହିଁ, ବରଂ ଆମ ଭିତରୁ ଅନେକଙ୍କର ଅଛି। ଆଉ ସେଇଥିରୁ ତ ଉକୁଟି ଆସେ ସ୍ବଭାବସୁଲଭ ସାଡେନଫ୍ରିଏଡେ  ହସ।

 

ଏହି ହସର କିଛି ପ୍ରତିକାର ନାହିଁ। ସାଡେନଫ୍ରିଏଡେ ହସ ଥିଲା, ଅଛି ଓ ରହିବ ମଣିଷ ସଭ୍ୟତା ଥିବା ଯାଏ। କ’ଣ କରି ହେବ ଯେ? ଅଳପ ଲୋକେ ଅଧିକାର, ସଦା ଦିଅନ୍ତି ଦାମୋଦର। ଆଉ ହଁ, ମୁଁ ଏଠି ଆମ ଭିତରୁ ଅନେକଙ୍କ କଥା ଲେଖିଛି। ସମସ୍ତଙ୍କ କଥା ନୁହେଁ। ଆପଣ ଯଦି ଏ ଅନେକଙ୍କ ଭିତରୁ ଜଣେ ନୁହନ୍ତି, ନିବନ୍ଧଟି ପଢ଼ି ଦେଇ ହସି ଦେବେ। କଥା ଗୁଡିକ ଦେହକୁ ନେବେନି।

 

ନାଉଗାଁହାଟ, ଜଗତସିଂହପୁର

ସଂପର୍କ- ୦୯୭୧୭୩୦୨୨୦୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top