ଟେଲିଭିଜନ ବିପ୍ଳବର ଯାତ୍ରା

News Story - Posted on 2017-08-19

ସଂଜୟ କାଚୋଟ

 

ବ୍ରିଟିଶ ବ୍ରଡ କାଷ୍ଟିଂ କର୍ପୋରେସନ (ବିବିସି) ଦ୍ୱାରା ୧୯୩୬ ମସିହାରେ ବିଶ୍ୱର ପ୍ରଥମ ଟେଲିଭିଜନ ସେବା ଆରମ୍ଭ କରାଯିବାର ଦୁଇ ଦଶକ ପରେ ଆର୍ଥାତ‌୍‍ ୧୯୫୯ ସେପ୍ଟେମ୍ୱର ୧୫ରେ ଦିଲ୍ଲୀରେ ଟେଲିଭିଜନ ସେବା ଆରମ୍ଭ ହୋଇଥିଲା। ୟୁନେସ୍କୋ ସହାୟତାରେ ଏହାର  ଶୁଭାରମ୍ଭ ହୋଇଥିଲା। ପ୍ରାରମ୍ଭରେ ସପ୍ତାହକୁ ଦୁଇ ଦିନ ଏକ- ଏକ ଘଂଟା ପାଇଁ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଥିଲା। ଯେଉଁଥିରେ ସାମୂହିକ ସ୍ୱାସ୍ଥ୍ୟ, ଯାତାୟତ, ସଡକର ବ୍ୟବହାରରେ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ଆଦି ବିଷୟବସ୍ତୁ ସାମିଲ ଥିଲା।

 

୧୯୬୧ରେ ପ୍ରସାରଣର ସମୟ ସୀମା ବୃଦ୍ଧି କରାଗଲା ଯେଉଁଥିରେ ସ୍କୁଲ ଶିକ୍ଷା ଟେଲିଭିଜନ (ଏସଟିଭି) ଯୋଜନାକୁ ସାମିଲ କରାଯାଇଥିଲା। ଭାରତରେ ଟେଲିଭିଜନର ସଂପ୍ରସାରଣ ପାଇଁ ୧୯୭୨ରେ ଏକ ବଡ ପଦକ୍ଷେପ ନିଆଯାଇ ଥିଲା। ସେହି ସମୟରେ ମୁମ୍ୱାଇଠାରେ ଦ୍ୱିତୀୟ ଟେଲିଭିଜନ କେନ୍ଦ୍ର ପ୍ରତିଷ୍ଠା କରା ଯାଇଥିଲା। ଏହାପରେ ୧୯୭୩ରେ ଶ୍ରୀନଗର ଏବଂ  ଅମୃତସର ପରେ ୧୯୭୫ରେ  କୋଲକାତା, ମାଡ୍ରାସ ଓ ଲକ୍ଷ୍ନୌରେ ଟେଲିଭିଜନ ଷ୍ଟେସନ ଖୋଲା ଯାଇଥିଲା। ଆରମ୍ଭର ୧୭ ବର୍ଷ ପରେ ଟେଲିଭିଜନ ପ୍ରସାରଣ ଧୀରେ ଧୀରେ ସଂପ୍ରସାରିତ ହେଲା। ସେହି ସମୟରେ କଳା-ଧଳା ପ୍ରସାରଣ କରାଯାଉଥିଲା। ୧୯୭୬ ମସିହା ବେଳକୁ ଦେଶରେ ୮ ଟି ଟେଲିଭିଜନ କେନ୍ଦ୍ର ଗଢି ଉଠିଥିଲା। ଏହା ଜରିଆରେ ୭୫ ହଜାର ବର୍ଗ କିଲୋମିଟର ଭିତରେ ୪୫ ନିୟୁତ ଜନସଂଖ୍ୟା ଆସୁଥିଲେ। ଆକାଶବାଣୀର ଏକ ଅଂଶ ସ୍ୱରୂପ ସଂପ୍ରସାରିତ ଟେଲିଭିଜନ ସଂସ୍ଥା ପରିଚାଳନାରେ ସମସ୍ୟା ଦେଖାଦେବାରୁ  ସରକାର ଦୂରଦର୍ଶନ ଗଠନ କଲେ। ଏହି ସଂସ୍ଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ପୃଥକ ବିଭାଗ ରୂପେ କାର୍ଯ୍ୟକଲା।

 

୧୯୭୦ ଦଶକର ମଧ୍ୟ ଭାଗରେ ଭାରତରେ ଟେଲିଭିଜନର ଅଭୂତପୂର୍ବ ବୃଦ୍ଧି ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା। ପ୍ରଥମ ଥିଲା ଉପଗ୍ରହ ଶିକ୍ଷା ଟେଲିଭିଜନ (ଏସଆଇଟିଇ), ୧୯୭୫ ଅଗଷ୍ଟରୁ ୧୯୭୬ ଜୁଲାଇ ମଧ୍ୟରେ ଏହାର ଶୁଭାରମ୍ଭ ହୋଇଥିଲା। ଏହା ଦ୍ୱାରା ଛ’ଟି ରାଜ୍ୟର ଗ୍ରାମାଂଚଳରେ ଉପଗ୍ରହ ଜରିଆରେ ଶିକ୍ଷା କାର୍ଯ୍ୟକ୍ରମ ପ୍ରସାରଣ କରାଗଲା। ବିକାଶ ପାଇଁ ଟେଲିଭିଜନର ଉପଯୋଗ ଥିଲା ଏହାର ଉଦ୍ଦେଶ୍ୟ। ଏଥି ସହ ମନୋରଂଜନ କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ କରାଯାଇଥିଲା। ଏହା ଫଳରେ ଟେଲିଭିଜନ ଜନ ସାଧାରଣଙ୍କ ନିକଟବର୍ତ୍ତୀ ହେଲା। ଏହା ପରେ ଇନସାଟ- ୧ଏ ଶୁଭାରମ୍ଭ ହେଲା। ଏହା ଦେଶର ପ୍ରଥମ ଘରୋଇ ଯୋଗାଯୋଗ ଉପଗ୍ରହ ଥିଲା। ଯାହାକି ୧୯୮୨ରେ ଗତିଶୀଳ ହୋଇଥିଲା। ଏହା  ଦ୍ୱାରା ଦୂରଦର୍ଶନର ସମସ୍ତ ଆଂଚଳିକ ଷ୍ଟେସନ ପ୍ରସାରଣ ନିମନ୍ତେ ସକ୍ଷମ ହୋଇ ପାରିଥିଲେ। ଏହି କ୍ରମରେ ଦୂରଦର୍ଶନ ପକ୍ଷରୁ ପ୍ରଥମ ଜାତୀୟ କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେଲା। ଯାହା ଫଳରେ ଅନ୍ୟ କେନ୍ଦ୍ରଗୁଡିକ ଜରିଆରେ ଦିଲ୍ଳୀରୁ କାର୍ଯ୍ୟକ୍ରମ ପ୍ରସାରିତ ହେଲା। ୧୯୮୨ ନଭେମ୍ୱରରେ ଭାରତ ପକ୍ଷରୁ ଏସୀୟ କ୍ରୀଡା ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ସରକାର ଏହି ଖେଳ କାର୍ଯ୍ୟକ୍ରମର ରଙ୍ଗୀନ ପ୍ରସାରଣ କରିଥିଲେ।

 

ଅଶୀ ଦଶକକୁ ଦୂରଦର୍ଶନର ଯୁଗ କୁହାଯାଏ।  ଏହି ସମୟରେ ହମଲୋଗ‌୍‍ (୧୯୮୪), ବୁନିୟାଦ‌୍‍ (୧୯୮୬-୮୭ ଏବଂ ଅତ୍ୟନ୍ତ ଲୋକପ୍ରୀୟ ପୌରାଣିକ ଧାରାବାହିକ ରାମାୟଣ (୧୯୮୭-୮୮) ଏବଂ ମହାଭାରତ (୧୯୮୮-୮୯) ପରି ଧାରାବାହିକ ପ୍ରସାରଣ କରାଯାଇଥିଲା। ବର୍ତ୍ତମାନ ଭାରତର ୯୦ ପ୍ରତିଶତରୁ ଅଧିକ ଲୋକ ଦୂରଦର୍ଶନ କାର୍ଯ୍ୟକ୍ରମ ଦେଖୁଛନ୍ତି। ବର୍ତ୍ତମାନ ପ୍ରାୟ ୧୪୦୦ ଟ୍ରାନ୍ସମିଟର ନେଟୱାର୍କ ଜରିଆରେ ପ୍ରସାରଣ କରାଯାଉଛି।

 

ଟେଲିଭିଜନର ତୃତୀୟ ଗୁରୁତ୍ୱପୂର୍ଣ୍ଣ ବିକାଶ ୧୯୯୦ ଦଶକରେ ଆରମ୍ଭ ହେଲା। ଏହି ସମୟରେ ସିଏନଏନ‌୍‍, ଷ୍ଟାରଟିଭି ପରି ବିଦେଶୀ କମ୍ପାନୀଙ୍କ ସହାୟତାରେ କାର୍ଯ୍ୟକ୍ରମ ଉପଗ୍ରହ ଟିଭି ସହାୟତାରେ ଦୃଶ୍ୟ ହେଲା। ଏହାର କିଛି ଦିନ ପରେ ଦେଶର ଘରେ ଘରେ ଜିଟିଭି ଏବଂ ସନିଟିଭି ଆଦିର ପ୍ରବେଶ ଘଟିଲା। ଧୀରେ ଧୀରେ ସରକାର ମଧ୍ୟ ନିୟନ୍ତ୍ରଣକୁ କୋହଳ କଲେ। ଯାହା ଫଳରେ ୧୯୯୦ ଦଶକରେ କେବୁଲ ଟିଭି ମନୋରଞ୍ଜନ କ୍ଷେତ୍ରରେ ଏକ ବିପ୍ଳବ ଆଣିପାରିଲା। 

 

ଯଦି ଆମେ ଟ୍ରାଇ ଦ୍ୱାରା ଜାରି କରାଯାଇଥିବା ୨୦୧୫-୧୬ ବର୍ଷର ରିପୋର୍ଟକୁ ଅନୁଧ୍ୟାନ କରିବା , ତେବେ ଆମେ ଜାଣିପାରିବା ଯେ, ଚୀନ ପରେ ବିଶ୍ୱରେ ଭାରତ ହେଉଛି ଦ୍ୱିତୀୟ ଟିଭି ବଜାର। ଶିଳ୍ପ ପରିସଂଖ୍ୟାନରୁ ଜଣାଯାଏ ଯେ, ୨୦୧୬ ମାର୍ଚ୍ଚ ସୁଦ୍ଧା ୨୮୪୧ ନିୟୁତ ଘର ମଧ୍ୟରୁ ପାଖାପାଖି ୧୮୧୧ ନିୟୁତ ଘରେ ଟେଲିଭିଜନ ସେଟ‌୍‍ ରହିଛି। ଯାହା ଜରିଆରେ କେବୁଲ ଟିଭି ସେବା, ଡିଟିଏଚ ଆଇପିଟିଭି ସମେତ ଦୂରଦର୍ଶନ ଟିଭି ନେଟୱାର୍କ ସେବା ପ୍ରଦାନ କରୁଛି। ଏହା ଛଡା ଦେଶରେ ପାଖାପାଖି ୧୦୨୧ ନିୟୁତ କେବୁଲ ଟିଭି ଗ୍ରାହକ, ୮୮.୬୪ ନିୟୁତ  ପଞ୍ଜୀକୃତ ଡିଟିଏଚ‌୍‍ ଗ୍ରାହକ, ୪୮.୫୩ ନିୟୁତ ସକ୍ରିୟ ଗ୍ରାହକ ସହ ପାଖା ପାଖି ୫ ଲକ୍ଷ ଆଇପିଟିଭି ଗ୍ରାହକ ରହିଛନ୍ତି। ଦୂରଦର୍ଶନ ଟିଭି ନେଟୱାର୍କ ଦେଶର ପାଖାପାଖି ୯୨.୬୨ ପ୍ରତିଶତ ଲୋକଙ୍କୁ ନିଜର ବିସ୍ତୃତ ଟ୍ରାନ୍ସମିଟର ନେଟୱାର୍କ ଜରିଆରେ ସେବା ପ୍ରଦାନ କରୁଛି। 

 

ବର୍ତ୍ତମାନ ୪୮ ପେ-ବ୍ରାଣ୍ଡ କାଷ୍ଟର ପାଖାପାଖି ୬୦ ହଜାର କେବୁଲ ଅପରେଟର, ୬୦୦୦ ମଲଟି ସିଷ୍ଟମ‌୍‍ ଅପରେଟର, ୬ ପେ- ଡିଟିଏଚ ଅପରେଟର କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ଦୂରଦର୍ଶନର ଫ୍ରି-ଟୁ-ଏୟାର ଡିଟିଏଚ ସେବା ମଧ୍ୟ କାର୍ଯ୍ୟ କରୁଛି। ୨୦୧୫- ୧୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୮୬୯ଟି ପଞ୍ଜୀକୃତ ଟିଭି ଚ୍ୟାନେଲ ରହିଛି। ସେଥିମଧ୍ୟରେ ୨୦୫ଟି ଷ୍ଟାଣ୍ଡାର୍ଡ ଡେଫିନେସନ ଓ ୫୮ଟି ହାଇ ଡେଫିନେସନ ପେ ଟିଭି ଚ୍ୟାନେଲ ରହିଛି।

 

୨୦୧୪-୧୫ରେ ଭାରତରେ ଟେଲିଭିଜନ ଉଦ୍ୟୋଗ ୪,୭୫,୦୦୩ କୋଟି ଟଙ୍କା ଥିଲା, ଯାହା ୨୦୧୫- ୧୬ରେ ୫,୪୨,୦୦୩ କୋଟି ଟଙ୍କା ହୋଇଥିଲା। ସୁତରାଂ ଏହି କ୍ଷେତ୍ରରେ ୧୪.୧୦ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୪-୧୫ରେ ଗ୍ରାହକଙ୍କଠାରୁ ପ୍ରାପ୍ତ ରାଜସ୍ୱ ୩,୨୦,୦୦୩ କୋଟି ଟଙ୍କା ଥିଲା ଯାହା ବୃଦ୍ଧି ପାଇ ୨୦୧୫-୧୬ରେ ୩,୨୧,୦୦୩ କୋଟି ଟଙ୍କା ହୋଇ ପାରିଛି। ସେହିପରି ୨୦୧୪-୧୫ ବର୍ଷରେ ବିଜ୍ଞାପନ ବାବଦରେ ୧,୫୫,୦୦୩ କୋଟି ଟଙ୍କା  ମିଳିଥିବା ବେଳେ ଏହା ୨୦୧୫-୧୬ରେ ବୃଦ୍ଧି ପାଇ ୧,୨୧,୦୦୩ କୋଟି ଟଙ୍କା ହୋଇଛି। ଗତ ଦଶକ ମଧ୍ୟରେ କେବୁଲ ଓ ଉପଗ୍ରହ  ଟିଭି ବଜାରରେ ବଡ ଧରଣର ପରିବର୍ତନ ଆସିଛି। ଏହି ସମୟ ମଧ୍ୟରେ ଭାରତରେ କେବୁଲ ଟିଭି କ୍ଷେତ୍ରରେ ଡିଜିଟାଲକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିକାଶ ବୋଲି କୁହାଯାଉଛି।

 

ଭାରତରେ ଟେଲିଭିଜନର ଭବିଷ୍ୟତ

 

ଗ୍ରାହକଙ୍କ ସଂଖ୍ୟାକୁ ବିଚାର କଲେ ଏସିଆରେ ଭାରତ ହେଉଛି ଦ୍ୱିତୀୟ ବୃହତ ଗ୍ରାହକ ଆଧାରିତ ଟେଲିଭିଜନ ବଜାର। ଟେଲିଭିଜନ ବିଜ୍ଞାପନ ମାମଲାରେ ୨୦୨୦ ମସିହା ସୁଦ୍ଧା ଭାରତରେ ଦ୍ୱିଅଙ୍କ ଅଭିବୃଦ୍ଧି ଘଟିବ। ଡିଜିଟାଲକରଣ ଯୋଗୁଁ ଟେଲିଭିଜନ ଚ୍ୟାନେଲରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହାର ସଂଖ୍ୟା ୮୦୦ ଟପି ଗଲାଣି। ବର୍ତ୍ତମାନ ସମୟରେ ଭାରତରେ ଟେଲିଭିଜନର ବିକାଶ ଓ ବିସ୍ତାର କ୍ଷେତ୍ରରେ ଅପାର ସମ୍ଭାବନା ରହିଛି।

 

ଏକ ଆକଳନରୁ ଜଣାଯାଇଛି ଯେ, ଭାରତରେ ମିଡିଆ ଓ ମନୋରଞ୍ଜନ ଶିଳ୍ପରେ ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର) ୧୦.୫  ପ୍ରତିଶତ ହେବାର ସମ୍ଭାବନା ରହିଛି। ଏହି ସମୟରେ ଏହି ସଂଖ୍ୟା  ୨୭.୩ ନିୟୁତ ଡଲାର। ଯାହା ୨୦୨୧ ସୁଦ୍ଧା ୪୫.୧ ନିୟୁତ ଡଲାର ପର୍ଯ୍ୟନ୍ତ ପହଁଚି ପାରିବ। ଏହି ଆକଳନ ପ୍ରାଇସୱାଟର ହାଉସ କୁପର୍ସ ଦ୍ୱାରା ଜାରି ‘ଗ୍ଲୋବାଲ’ ଏଂଟରଟେନମେଂଟ ଆଣ୍ଡ ମିଡିଆ ଆଉଟଲୁକ‌୍‍ ୨୦୧୭-୨୧ ରିପୋର୍ଟରେ କରାଯାଇଛି।

 

୧୮.୬ ପ୍ରତିଶତ ସିଏଜିଆରକୁ ଦୃଷ୍ଟିରେ ରଖି ଭାରତରେ ଡିଜିଟାଲ ବିଜ୍ଞାପନର ବିକାଶ ବାବଦରେ କୁହାଯାଏ ଯେ, ଏହା ସବୁଠାରୁ ଦ୍ରୁତ ସ୍ତରରେ ପହଁଚିଛି। ୨୦୧୭ରୁ ୨୦୨୧ ଟେଲିଭିଜନ ବିଜ୍ଞାପନ କ୍ଷେତ୍ରରେ ସମ୍ଭାବିତ ଅଭିବୃଦ୍ଧି ୧୧.୧ ହେବାର ଆଶା କରାଯାଉଛି। ଅର୍ଥ ବ୍ୟବସ୍ଥାର ବିକାଶକୁ ଦୃଷ୍ଟିରେ ରଖି ଟିଭି ବଜାର ବିସ୍ତାରର ଅପାର ସମ୍ଭାବନା ରହିଛି ବୋଲି  ରିପୋର୍ଟରେ ଉଲ୍ଲେଖ କରାଯାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top