ବନ୍ୟା ନେଇଗଲା ଛତିଶଗଡ଼!

News Story - Posted on 2017-08-16

ବିମଳ ପ୍ରସାଦ

 

୨୦୧୬ ଏପ୍ରିଲରେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଜଳସଂପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରଓାଲଙ୍କ ଭିତରେ ଜାଗରିତ ନୈତିକତା ଯୋଗୁଁ ହିଁ ଆଜି ମହାନଦୀ ଲକ୍ଷ ଲକ୍ଷ ଓଡ଼ିଆ ନାଗରିକଙ୍କ ଭିତରେ ଏକ ପ୍ରସଙ୍ଗ ପାଲଟିଯାଇଛି। ମଧ୍ୟ ପ୍ରଦେଶଠାରୁ ଅଲଗା ହୋଇ ଏକ ନୂଆ ରାଜ୍ୟର ମାନ୍ୟତା ପାଇ ନଥିଲେ, ହୁଏତ ଛତିଶଗଡ଼ ପାଇଁ ଜଳ ବା ନଦୀ ଏତେ ଗୁରୁତ୍ବପୂର୍ଣ୍ଣ ହୋଇ ନଥାଆନ୍ତା। ପଛୁଆ ଅଞ୍ଚଳର ବିକାଶ ପାଇଁ ନୂଆ ରାଜ୍ୟ ଗଠନ ଯୋଗୁଁ ସେଠାକାର ନେତା ଓ ମନ୍ତ୍ରୀମାନେ ଜଳସଂପଦର ପରିଚାଳନା ଉପରେ ଯେଉଁ ବିଶେଷ ଦୃଷ୍ଟି ନିକ୍ଷେପ କଲେ, ତାହାର ଫଳ ସ୍ବରୂପ ଆଜି ଓଡ଼ିଶା ରାଜନୀତିରେ ଚିନ୍ତା ପ୍ରକାଶ ପାଇଛି। ହେଲେ ସମାଧାନର କୌଣସି ଖାସ୍ ପନ୍ଥା ଓଡ଼ିଶା ଶାସନ କଳ ଓ ଆନ୍ଦୋଳରତ ନାଗରିକଙ୍କ ନିକଟରେ ଥିବା ପରି ପ୍ରତ୍ୟୟ ହେଉ ନାହିଁ। ଆମେ ଏଠାରେ କିଛି ଖାସ୍ ସମାଧାନ ପନ୍ଥା ଉପସ୍ଥାପନ କରିଛୁ। ସେହି କ୍ରମରେ ଆଗେ ନଜର ପକାଇବା ମହାନଦୀ ତଥା ହୀରାକୁଦ ବନ୍ଧର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ।

 

ମହାନଦୀ ଓଡ଼ିଶାର ବଡ଼ ନଦୀ। ସରକାରୀ ପାଠ୍ୟପୁସ୍ତକରେ ଏମିତି ଏକ ବାକ୍ୟ ଆମେ ପଢ଼ିଛୁ। କିନ୍ତୁ ପାଠ୍ୟପୁସ୍ତକ ପ୍ରଣେତାମାନେ ସମ୍ଭବତଃ ଆଦୌ ସଚେତନ ନଥିଲେ ଯେ ଓଡ଼ିଶାର ଗଂଜାମ ଜିଲ୍ଲାରେ ଏକ ନଦୀର ନାମ ମଧ୍ୟ ହେଉଛି ବଡ଼ନଦୀ। ଯାହାକି ଋଷିକୂଲ୍ୟା ନଦୀର ମୁଖ୍ୟ ଉପନଦୀ। ଗଂଜାମ ଜିଲ୍ଲାର ଲକ୍ଷ ଲକ୍ଷ ବିଦ୍ୟାର୍ଥୀ ବର୍ଷ ବର୍ଷ ଧରି ସେହି ବାକ୍ୟକୁ ପଢ଼ିପଢ଼ି କେମିତି ହଜମ କରିଥିବେ, କେମିତି ବୁଝିଥିବେ, ଥରେ ଚିନ୍ତା କରନ୍ତୁ ତ? ବଡ଼ ନଦୀ ଓ ବଡ଼ନଦୀ ମଧ୍ୟରେ ଲିଖନରେ ଯେଉଁ ମାମୁଲି ଫରକ ଅଛି, ତାକୁ କ’ଣ ଶିକ୍ଷକମାନେ ସହଜରେ ବୁଝାଇ ଦେଇଥିବେ? ଯାହାବି ହେଉ, ଏହା ବିଦ୍ୟାର୍ଥୀଙ୍କ ମଗଜକୁ ପ୍ରତାରିତ କରିବାର ଏକ ଉଦ୍ୟମ। ଏବେ ମହାନଦୀ ଆଉ ଏକ ବଡ଼ଧରଣର ନଦୀଜଳ ସଂକଟର ପ୍ରସଙ୍ଗ ହୋଇଯାଇଛି। ଓଡ଼ିଶାବାସୀଙ୍କୁ ଘାରିଛି ଯେ ହୀରାକୁଦ ବନ୍ଧ ମହାନଦୀ ଉପରେ ତିଆରି ହୋଇଛି। ଏହି ନଦୀର ବେଶି ପରିମାଣର ଜଳକୁ ଯଦି ଉପରମୁଣ୍ଡର ରାଜ୍ୟ ଛତିଶଗଡ଼ ଅଟକାଇ ରଖିନିଏ, ତେବେ ଓଡ଼ିଶା ଚଳିବ କେମିତି?

 

ଦେଶ ସ୍ବାଧୀନ ହେବା ପୂର୍ବରୁ ସମ୍ବଲପୁର ସହର ପାଖରେ ହୀରାକୁଦ ବନ୍ଧ ପାଇଁ ପରିକଳ୍ପନା ହୋଇଥିଲା। ୧୫ ମାର୍ଚ୍ଚ ୧୯୪୬ରେ ତତ୍କାଳୀନ ଓଡ଼ିଶା ଗଭର୍ନର ସାର ହାଥୋର୍ନ ଲୁଇସ୍ ଏହାର ଶୁଭ ଦେଇଥିଲେ। ଦେଶ ସ୍ବାଧୀନ ହେବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ପୁଣି ତାହାର କଂକ୍ରିଟ୍ ବନ୍ଧର ଶୁଭ ଦେଇଥିଲେ ୧୨ ଏପ୍ରିଲ୍ ୧୯୪୮ରେ। ୧୯୫୩ ବେଳକୁ ବନ୍ଧ କାମ ସରିଯାଇଥିଲା ଓ ୧୩ ଜାନୁଆରି ୧୯୫୭ରେ ନେହରୁ ତହିଁର ଉଦଘାଟନ କରିଥିଲେ। ଏହି ବହୁମୁଖୀ ବନ୍ଧରୁ ଶକ୍ତି ଉତ୍ପାଦନ ଓ କ୍ଷେତକୁ ସେଚଜଳ ଯୋଗାଣ ପୂରା ଦମରେ ସମ୍ଭବ ହୋଇଥିଲା ୧୯୬୬ ମସିହାରେ। ଆଉ ସେବେଠୁ ଏହି ବନ୍ଧ ପାଲଟି ଯାଇଛି ଓଡ଼ିଶାର ଜୀବନରେଖା। ୭୪୩ ବର୍ଗ କିଲୋମିଟର ବିଶିଷ୍ଟ ବିଶାଳ ଜଳଭଣ୍ଡାରର ସେଚାଞ୍ଚଳ ହେଉଛି ୨୩୫୫ ବର୍ଗ କିଲୋମିଟର। ଏବେ ବାସ୍ତବରେ କେତେ ଅଞ୍ଚଳ ବା ଚାଷକ୍ଷେତ ସେଚିତ ହୋଇପାରୁଛି, ତାହାର ସମୀକ୍ଷା କରିବାର ଘୋର ଆବଶ୍ୟକତା ରହିଛି। ସବୁଠୁ ବଡ଼ କଥା ହେଉଛି, ଏଠାରୁ ଉତ୍ପାଦିତ ହେଉଥିବା ୩୪୭ ମେଗାୱାଟ୍ ବିଦ୍ୟୁତ ଜଳ ସଂକଟ ରହିଲେ, ବିଦ୍ୟୁତ୍ ଉତ୍ପାଦନ କମିଯାଉଥିବାରୁ ଓଡ଼ିଶାରେ ବିଦ୍ୟୁତ୍ ସଂକଟ ମଧ୍ୟ ବଢ଼ିଯାଉଛି।

 

ଏହି ବହୁମୁଖୀ ବନ୍ଧ ପ୍ରକଳ୍ପର ଅନ୍ୟ ଅବଦାନଗୁଡ଼ିକ ହେଉଛି ବନ୍ୟା ନିୟନ୍ତ୍ରଣ, ମାଛ ଉତ୍ପାଦନ, ପାନୀୟ ଜଳଯୋଗାଣ ଓ ଶିଳ୍ପଗୁଡ଼ିକୁ ଜଳଯୋଗାଣ। କିନ୍ତୁ ବିଭିନ୍ନ କାରଣରୁ ହୀରାକୁଦ ବନ୍ଧ ଏହାର ମୂଳ ଉଦ୍ଦେଶ୍ୟ ବନ୍ୟା ନିୟନ୍ତ୍ରଣରେ ଗୋଟାପଣେ ବିଫଳ ହୋଇଛି। ବରଂ ତଳ ମୁଣ୍ଡରେ ନିରନ୍ତର ଭାବରେ ନିୟମିତ ବ୍ୟବଧାନରେ ବନ୍ୟା ସୃଷ୍ଟି କରିବାରେ ମୁଣ୍ଡବିନ୍ଧା ପାଲଟିଛି ଏହି ହୀରାକୁଦ ବନ୍ଧ। ବନ୍ଧରୁ ପାଣି ନଛାଡ଼ିଲେ, ବନ୍ଧ ଭାଙ୍ଗିଯିବ। ତେଣୁ ବନ୍ଧର ସୁରକ୍ଷା ପାଇଁ ତଳମୁଣ୍ଡରେ ବନ୍ୟା କରାଇବା ଏକ ସରକାରୀ ବ୍ୟବସ୍ଥା ପାଲଟିଯାଇଛି। ଏବେ ବିପୁଳ ପରିମାଣରେ ଜଳକୁ ବାନ୍ଧି ରଖିବା ବା ଅନ୍ୟ ଉଦ୍ଦେଶ୍ୟରେ ଗଚ୍ଛିତ ରଖିବା ଓ ଦିଗ ପରିବର୍ତ୍ତନ କରିବାରେ ଛତିଶଗଡ଼ ସରକାର ସଫଳ ହୋଇଛନ୍ତି। ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡ଼ର ଉପନଦୀଗୁଡ଼ିକରେ ଓ ଖୋଦ୍ ମହାନଦୀ ଉପରେ ୩୦ରୁ ଅଧିକ ବିଭିନ୍ନ ପ୍ରକଳ୍ପ ସଂପୂର୍ଣ ହୋଇ କାର୍ଯ୍ୟକ୍ଷମ ରହିଛି। ସେଥିରେ ଅଛି ଆଡ଼ିବନ୍ଧ, ଡାଇଭର୍ସନରେ, ବ୍ୟାରେଜ୍, ବନ୍ଧ, ଇନ୍ଟେକୱେ ଆଦି ଭଳିକି ଭଳି ଜଳ ସଂଚୟ ଓ ଜଳ ପରିଚାଳନା ପ୍ରକଳ୍ପ। ତେବେ ସେଗୁଡ଼ିକ କୃଷିକ୍ଷେତ୍ରର ସେଚନ ବଦଳରେ ଶିଳ୍ପ ପ୍ରତିଷ୍ଠାନକୁ ଜଳଯୋଗାଣ ଉଦ୍ଦେଶ୍ୟରେ ନିର୍ମିତ ହୋଇଛି। ଓଡ଼ିଶା ଅପେକ୍ଷା ଛତିଶଗଡ଼ର ସାଧାରଣ ନାଗରିକଙ୍କର ସ୍ବର ଅତି ଦୁର୍ବଳ ହୋଇଥିବାରୁ ସେମାନେ କୃଷିକ୍ଷେତ ସେଚନ ଉପରେ ଦାବି କରି ପାରୁ ନାହାନ୍ତି। ଏଣେ ଓଡ଼ିଶାର ବିଭାଗୀୟ ପ୍ରଶାସକ ଓ ମନ୍ତ୍ରୀମାନଙ୍କ ଚରମ ଅବହେଳା ଯୋଗୁ ଖରାଦିନେ ମହାନଦୀ ଶଯ୍ୟା ଶୁଖିଲା ପଡ଼ୁଛି।

 

ତେବେ ବଡ଼ କଥାଟି ହେଉଛି ଛତିଶଗଡ଼ର ଯେଉଁ ମନ୍ତ୍ରୀ ଓଡ଼ିଶା ଇତିହାସରେ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛନ୍ତି, ସେ ନିଜେ ହିଁ ନିଜ ବକ୍ତବ୍ୟରେ ସମାଧାନର ସୁରାକ ଛାଡ଼ିଛନ୍ତି। ସେ କହିଥିଲେ ଯେ ‘ମହାନଦୀ କେ ସାରେ ପାନି ସମୁନ୍ଦର ମେ ଚଲା ଜାତା ହୈ’। ଏହାକୁ ଓଡ଼ିଶାରୁ ହାଉହାଉ ହେଉଥିବା ନେତାମାନେ ବୁଝିବାକୁ ଚାହୁନାହାନ୍ତି। ଏବେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ କ୍ରମେ ଛତିଶଗଡ଼ରେ ମହାନଦୀ ଅବବାହିକାରେ ହେଉଥିବା ନୂଆ ପ୍ରକଳ୍ପଗୁଡ଼ିକର ନିର୍ମାଣ ବନ୍ଦ ରହିଛି। ଏହା ସମେତ ସମାଧାନର ପନ୍ଥା ଥିଲେ ସୁଦ୍ଧା ଓଡ଼ିଶାର ଶାସକଦଳ ଏହାକୁ ଆଳ କରି ଆଗାମୀ ବିଧାନସଭା ନିର୍ବାଚନ ଜିତିବାକୁ ରଣନୀତି ଧାର୍ଯ୍ୟ କରିଥିବାରୁ ଜଳବିବାଦର ସମାଧାନ ଶୀଘ୍ର ହୋଇଯାଉ ବୋଲି ଚାହୁ ନାହିଁ। କାରଣ ଓଡ଼ିଶା ସରକାରଙ୍କର ବା ଶାସକଦଳର କୌଣସି ସ୍ପଷ୍ଟ ଆଭିମୁଖ୍ୟ ଏବେ ବି କୌଣସି ୱେବସାଇଟରେ ନାହିଁ। ଏପରିକି ସୋସିଆଲ ମିଡ଼ିଆରେ ସକ୍ରିୟ ହେବାର ପ୍ରତିଶ୍ରୁତି ଦେଉଥିବା ଓଡ଼ିଶା ସରକାର ତଥା ଶାସକ ଦଳ କୌଣସି ଆଭିମୁଖ୍ୟ ପ୍ରକଟ କରୁ ନାହାନ୍ତି। ସବୁ ପାଣି ସମୁଦ୍ରକୁ ନଯାଇ କିଭଳି ସଂଚିତ, ଗଚ୍ଛିତ ଓ ପରିଚାଳିତ ହୋଇ ସ୍ଥଳଭାଗରେ ରହିପାରିବ, ତାହା ଉପରେ ଓଡ଼ିଶା ସରକାରଙ୍କର କୌଣସି ଯୋଜନା ନାହିଁ। ତେଣୁ ମହାନଦୀ ଉପରେ କୌଣସି ଇଂଜିନିୟରିଂ ନିର୍ମାଣ କାର୍ଯ୍ୟ ହେବାର ସମ୍ଭାବନା ମଧ୍ୟ ନାହିଁ। ତେଣେ ୨୦୦୬ ମସିହାରୁ ୨୦୧୭ ମସିହା ମଧ୍ୟରେ ଏତେ ପରିମାଣରେ ଜଳପରିଚାଳନା ପ୍ରକଳ୍ପ ଛତିଶଗଡ଼ ସରକାର କରିଛି ଯେ ଓଡ଼ିଶାର ସଂପୃକ୍ତ ବିଭାଗର ପାରିଲାପଣିଆ ଓ ସଫଳତା କଥା ଭାବିଲା ୍ବେଳକୁ ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ଲଜ୍ଜା ଲାଗୁଛି। ଗତ ୧୮ ବର୍ଷ ମଧ୍ୟରେ ନବୀନ ସରକାର କିଛି ହେଲେ ଆଖିଦୃଶିଆ କାର୍ଯ୍ୟ ମହାନଦୀ ଉପରେ କରି ନାହାନ୍ତି।

 

ଯଦି ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା ତେବେ ଏହାର ୮୦ ଭାଗ ଜଳ କାହିଁକି ସମୁଦ୍ରକୁ ବହିଯାଉଛି? ଏ ପ୍ରଶ୍ନକୁ ବୁଝିବାକୁ ଅନେକ ଚିନ୍ତାଶୀଳ ଓଡ଼ିଆଙ୍କର ମଗଜ ନାହିଁ। ତେଣୁ ମନ୍ତ୍ରୀ (ନିଜେ ମୁଖ୍ୟମନ୍ତ୍ରୀ ଜଳସଂପଦ ବିଭାଗ ନିଜ ହାତରେ ରଖିଛନ୍ତି) ଓ ପ୍ରଶାସକ ମଧ୍ୟ ଏ ପ୍ରସଙ୍ଗରେ ନିରବ। ବଡ଼ ସମସ୍ୟାଟି ହେଉଛି ମହାନଦୀ ଶଯ୍ୟା ପୋତି ହୋଇପଡ଼ିଲାଣି। ତେଣୁ ହୀରାକୁଦ ବନ୍ଧର ୧୫ଟି କବାଟ ଯଦି ବର୍ଷାଋତୁରେ ଖୋଲିଦିଆଯାଉଛି ତାହା ବି ତଳମୁଣ୍ଡରେ ବନ୍ୟାର କାରଣ ପାଲଟିଯାଉଛି। ନଦୀ ଶଯ୍ୟାକୁ ଜଳପ୍ରବାହ ପାଇଁ ମୁକ୍ତ ରଖିବା ପାଇଁ ବିଭାଗ ବା ସରକାର ଆଦୌ ଚିନ୍ତା ବି କରି ନାହାନ୍ତି। ନଦୀଶଯ୍ୟାରୁ ବାଲି ସଫା କରିବା ପାଇଁ ବିବିଧ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରାଯାଇ ସ୍ଥଳଭାଗରେ ଥିବା ହଜାର ହଜାର ଏକରର ଖାଲଜାଗାକୁ ପୋତାଯାଇପାରନ୍ତା। ୨୦୦୯-୧୦ରେ ଭାରତର ପଡ଼ୋଶୀ ଦେଶ ମାଳଦ୍ବୀପ ଆମ ଓଡ଼ିଶାକୁ ବାଲି ମାଗୁଥିଲା। ସେଠାରେ ସମୁଦ୍ର ଜୁଆର ପ୍ରକୋପରେ ସ୍ଥଳ ଭାଗ କ୍ଷତିଗ୍ରସ୍ତ ହେଉଥିବାରୁ ତାହାକୁ ପୋତିବା ପାଇଁ ବାଲି କିଣିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଓଡ଼ିଶା ସରକାର ସେହି ପ୍ରସ୍ତାବକୁ ଆଦୌ ବୁଝି ପାରିଲେ ନାହିଁ।

 

ଶ୍ରୀମଦ୍ଭଗବତ ଗୀତା ଜ୍ଞାନ ଅନୁସାରେ ଯାହା ହେଉଛି ଭଲ ହେଉଛି, ଯାହା ହେବ ତାହା ମଧ୍ୟ ଭଲ ହେବ- ଏହାକୁ କିପରି ଭରସାକୁ ନିଆଯାଇପାରିବ? କ’ଣ ଦମ୍ ଅଛି ଏଭଳି ପୁରାଣ କଥାରେ? ଆଜିକାଲିର ରାଜନୀତିର ପାଉଆ ଯୁଗରେ? ତଳ ବିନ୍ଦୁଗୁଡ଼ିକୁ ଧ୍ୟାନ ଦେଲେ ଆମେ ବୁଝି ପାରିବା।

 

(୧) ମହାନଦୀ ଉପରମୁଣ୍ଡରେ ସବୁ ଜଳକୁ ଛତିଶଗଡ଼ ଅଟକାଇ ଦେଇ ଓଡ଼ିଶା ପାଇଁ ଏକ ସଂକଟ ସୃଷ୍ଟି କରିଛି ବୋଲି ଆମ ଭିତରେ ଭୂତ ପୂରାଯାଊଛି। ଆଉ ଏଥିରେ ସାମିଲ ହୋଇଛନ୍ତି ନିର୍ଦ୍ଦିଷ୍ଟ ଭାବେ ବିଜୁ ଜନତା ଦଳର କିଛି ରାଜନେତା। ପ୍ରଥମେ ଏହି ଭୂତକୁ ନିଜ ମୁଣ୍ଡରୁ ବାହାର କରି ଆଧ୍ୟାତ୍ମିକ ଚେତନାର ବଶବର୍ତ୍ତୀ ହେବାକୁ ପଡ଼ିବ।

 

(୨) ମଧ୍ୟ ପ୍ରଦେଶର ଛତିଶଗଡ଼ ଅଂଚଳ ଏକ ଅବହେଳିତ ଅଞ୍ଚଳ ହୋଇ ରହିଥିବା ବେଳେ ଓଡ଼ିଶା ସୀମାରେ ମହାନଦୀ ଜଳର ପରିଚାଳନା ପାଇଁ ହୀରାକୁଦ ବନ୍ଧର ପରିକଳ୍ପନାକୁ ସାକାର କରାଯାଇଥିଲା। କିନ୍ତୁ ସମୟଚକ୍ରରେ ବିକାଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପୁନର୍ଗଠନ କରିବାକୁ ଯାଇ ଛତିଶଗଡ଼ ସୃଷ୍ଟି ହେଲା ୧ ନଭେମ୍ବର ୨୦୦୦ ମସିହାରେ। ଜଳ, ଜମି, ଜଙ୍ଗଲ ଓ ଜନତାଙ୍କୁ ବାଦ୍ କରି ବିକାଶର ସ୍ବପ୍ନ ଦେଖାଯାଇ ନପାରେ। ତେଣୁ ମହାନଦୀ ଉପରମୁଣ୍ଡ ଅବବାହିକାର ଜଳକୁ ଅଟକାଇବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ଛତିଶଗଡ଼ ପାଖରେ। ଏହି ସତ୍ୟକୁ ସ୍ବୀକାର କରିବାକୁ ପଡ଼ିବ, ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ।

 

(୩) ହୀରାକୁଦ ବନ୍ଧ ଜଳଭଣ୍ଡାରର ୨୭ ଭାଗ କେବଳ ବାଲି ଓ କାଦୁଅରେ ପୋତିହୋଇ ପଡ଼ିଛି। ତେଣୁ ଜଳର ଯେଉଁ ଉଚ୍ଚତା କୁହାଯାଉଛି, ତାହା ଏକ ପ୍ରତାରଣା। ସେହି ବାଲି ଓ କାଦୁଅକୁ କିଭଳି କଢ଼ାଯାଇ ପାରିବ, ତାହା ଉପରେ ଓଡ଼ିଶାର ବିଭାଗୀୟ ପଣ୍ଡିତ ଓ ରାଜନେତାମାନେ କ’ଣ ଚିନ୍ତା କରିଛନ୍ତି? ଯଦି କରି ନାହାନ୍ତି, ତେବେ ଛତିଶଗଡ଼ର ଡଜନ ଡଜନ ପ୍ରକଳ୍ପ ହିଁ ଏ କ୍ଷେତ୍ରରେ ଏକ ଆଶ୍ବାସନା ହୋଇପାରିବ। ମାର୍ଚ୍ଚ, ଏପ୍ରିଲ୍ ଓ ମେ 3 ମାସ କିଭଳି ରାତିରେ କାମ କରି ଏହି ବିଶାଳ ଜଳଭଣ୍ଡାରର ରକ୍ଷଣାବେକ୍ଷଣ କରାଯାଇପାରିବ, ତାହା ଉପରେ ଚିନ୍ତା କରିପାରିବାର ସମ୍ଭାବନା ସୃଷ୍ଟି ହୋଇଛି।

 

(୪) ଏ କଥା ସତ ଯେ ଛତିଶଗଡ଼ର ଜଳଯାତନାର ସକାରାତ୍ମକ ଦିଗଟି ହେଉଛି, ଓଡ଼ିଶାର ମହାନଦୀ ତଳମୁଣ୍ଡରେ ଆଉ ଘୋଷିତ ବନ୍ୟା ସୃଷ୍ଟି ହେବ ନାହିଁ। ମୁଖ୍ୟତଃ କଟକ, ଜଗତସିଂହପୁର ଜିଲ୍ଲାରେ ଆଉ ମହାନଦୀ କାରଣରୁ ବନ୍ୟା ହେବ ନାହିଁ। ଏହି ବନ୍ୟା ପାଇଁ ଯେଉଁ ଦୁର୍ନୀତି, କିଳାପୋତେଇ ହେଉଥିଲା, ତାହା ଆଉ ହେବ ନାହିଁ। ବିଶେଷତଃ ବନ୍ୟା ଜଡ଼ିତ ପ୍ରାକ୍‌ ପ୍ରସ୍ତୁତି କ୍ରମରେ ବାଲିବସ୍ତା ଜମା କରିବାର ନାଟକବାଜିରୁ ଆଉ ଜଳନିଷ୍କାସନ (ଜଳସଂପଦ) ବିଭାଗର ଅଧିକାରୀମାନେ ପକେଟ ଗରମ କରିପାରିବେ ନାହିଁ। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନାମରେ ମଧ୍ୟ କୋଟିକୋଟିର ଜାଲିଆତି ହୋଇପାରିବ ନାହିଁ କି ହେବାର ଆବଶ୍ୟକତା ପଡ଼ିବ ନାହିଁ।

 

(୫) ପୋତି ହୋଇ ପଡ଼ିଥିବା ମହାନଦୀ ଶଯ୍ୟାରୁ ବାଲି ସଫା କରିବା ପ୍ରକଳ୍ପ ଦ୍ବାରା ରାଜ୍ୟର ହଜାର ହଜାର ଶ୍ରମିକ ଓ ମଧ୍ୟବିତ୍ତ ପରିବାରଙ୍କୁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ମହାତ୍ମା ଗାନ୍ଧୀ ନରେଗା ସ୍କିମର ଦୁର୍ନୀତି ବଳରେ ରାଜ୍ୟରେ ଠୁଳ ହୋଇଥିବା ଶହଶହ ଆର୍ଥମୋଭର ମେସିନଗୁଡ଼ିକୁ ମଧ୍ୟ କାର୍ଯ୍ୟରେ ଲଗାଯାଇପାରିବ। ଏପରିକି ଖଣି ବନ୍ଦ ଯୋଗୁ ରାଜ୍ୟରେ ବନ୍ଦ ହୋଇ ପଡ଼ିଥିବା ହଜାର ହଜାର ଟ୍ରକ୍ ଓ ଟ୍ରକ୍ ଜାତୀୟ ମାଲବାହୀ ଯାନଗୁଡ଼ିକ ପାଇଁ କାମ ଯୋଗାଡ଼ ହୋଇ ପାରିବ।

 

(୬) ମହାନଦୀ ଶଯ୍ୟାରୁ ବାଲିଗୁଡ଼ାକୁ ଉଠାଇ ଦେବା ଦ୍ବାରା ଯେଉଁ ଖାଲ ସୃଷ୍ଟି ହେବ ତାହା କ’ଣ ହେବ? ସେଇଠି ଜଳ ମହଜୁଦ ରଖାଯିବ ଏବଂ ଏକ ସମନ୍ବିତ ଯୋଜନା ବଳରେ ନଦୀର ଅଧିକରୁ ଅଧିକ ଜଳକୁ ସମୁଦ୍ରକୁ ବହିଯିବାରୁ ବାରଣ କରାଯିବ। ଏକାଧିକ ବ୍ୟାରେଜ୍ କରାଯିବାର ଯେଉଁ ପ୍ରସ୍ତାବ ଆସିଛି, ତାହାକୁ ସାକାର କରିବାର ସହଜ ଉପାୟ ସମ୍ଭବ ହୋଇପାରିବ।

 

(୭) ବ୍ୟାପକ ପରିମାଣର ଯେଉଁ ବାଲି ଓ କାଦୁଅ ବାହାରିବ ନଦୀ ଶଯ୍ୟାରୁ ତାହା ସତରେ କ’ଣ କେଉଁଠି କାମରେ ଲାଗିପାରିବ? ତାହାକୁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ବିକ୍ରି କରାଯାଇପାରିବ। ବିଭିନ୍ନ ନିର୍ମାଣ କାମ ପାଇଁ ଦଲାଲଙ୍କ ଠାରୁ ବାଲି ସଂଗ୍ରହ ନକରି ସେହି ସଂଗୃହିତ ବାଲି ଚାଲାଣ ପାଇଁ ଯୋଗାଣ-ଜଂଜିର ବିକଶିତ କରିବାକୁ ହେବ। ରାଜ୍ୟର ପଥରଖାଦାନ ଓ ଅନ୍ୟାନ୍ୟ କାରଣରୁ ଖାଲୁଆ ଥିବା ସ୍ଥାନଗୁଡ଼ିକୁ ଓ ଘାଇଗୁଡ଼ିକୁ ପୋତିବାରେ ତଥା ନଦୀର ଦୁଇ କୂଳେ ମାଳବନ୍ଧ ନିର୍ମାଣରେ ସେଇ ବାଲିକୁ ବ୍ୟବହାର କରାଯାଇପାରିବ। ସମସ୍ତଙ୍କୁ ପକ୍କାଘର ଯୋଗାଣର ସ୍ବପ୍ନ ପୂରଣରେ ସେହି ବାଲି ସହାୟକ ହେବ। ବିଶେଷତଃ ବିପର୍ଯ୍ୟୟ ପ୍ରବଣ ୮ଟି ଜିଲ୍ଲାରେ ସୁଲଭ ମୂଲ୍ୟରେ ବାଲି ଓ ଅନ୍ୟ ନିର୍ମାଣ ସାମଗ୍ରୀ କାଳେ କାଳେ ଜରୁରୀ। ସେହି ଜିଲ୍ଲାଗୁଡ଼ିକ ହେଉଛନ୍ତି ଗଂଜାମ, ଖୋର୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର।

 

(୮) ମହାନଦୀର ସମଗ୍ର ଶଯ୍ୟା କେବଳ ଜଳ ସଂଚୟ ପାଇଁ ବ୍ୟବହୃତ ହେବ। ମହାନଦୀକୂଳିଆ କୌଣସି ଗାଆଁରେ ପେୟ ଜଳ ବା ସେଚ ଜଳ ସଂକଟ ଯେପରି ରହିବ ନାହିଁ, ତାହା ପ୍ରତି ଧ୍ୟାନ ଦେଇ ଯୋଜନା କାର୍ଯ୍ୟକାରୀ କରିବାକୁ ହେବ।

 

(୯) ତେବେ ଏ କଥା ସୁନିଶ୍ଚିତ କରିବାକୁ ହେବ ଯେ ଛତିଶଗଡ଼ ସରକାର ଆଉ କୌଣସି ନୂଆ ପ୍ରକଳ୍ପ କରିବେ ନାହିଁ କି କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବେ ନାହିଁ।

 

(୧୦) ମାତ୍ର ୧୦ ବର୍ଷ ମଧ୍ୟରେ ପ୍ରାୟ ତିନି ଡଜନ ଜଳଭଣ୍ଡାରଣ ଓ ଜଳପରିଚାଳନା ପ୍ରକଳ୍ପ ଛତିଶଗଡ଼ ଜଳସଂପଦ ବିଭାଗ ଯେଭଳି କାର୍ଯ୍ୟକ୍ଷମ କରିପାରିଲା, ସେହିଭଳି ଓଡ଼ିଶାର ଜଳସଂପଦ ବିଭାଗ ମଧ୍ୟ ଉପରୋକ୍ତ ପରିକଳ୍ପନାଗୁଡ଼ିକୁ ସାକାର କରିବା ଦରକାର। ଓଡ଼ିଶାରେ ବହୁସଂଖ୍ୟକ ଜଳସଂପଦ ପ୍ରକଳ୍ପ ବର୍ଷ ବର୍ଷ ଧରି ଚାଲିଛି ଯେ ଚାଲିଛି, ସରିବାର ନାମ ନାହିଁ। ୟା ତା ଉପରେ ଦୋଷ ନଲଦି ତାହାର ଉତ୍ତରଦାୟୀ ଅଧିକାରୀ/ ଯନ୍ତ୍ରୀମାନେ ଭୁଲ୍ ସ୍ବୀକାର କରିବା ସହ କାନ ଧରି ରେକର୍ଡିଂ ହେଉଥିବା ଭିଡ଼ିଓ କ୍ୟାମେରା ସାମ୍ନାରେ ସର୍ବସାଧାରଣରେ ବସ୍ଉଠ୍ ହେବା ଜରୁରୀ। ସେଇ ନିର୍ଲଜ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନେଇ ଛତିଶଗଡ଼ରେ ପ୍ରଶିକ୍ଷଣ ଦେବା ଦରକାର। ଅବଶ୍ୟ ସେଚ ପ୍ରକଳ୍ପର ସବୁଠୁ କଷ୍ଟକର କାର୍ଯ୍ୟଟି ହେଉଛି - କେନାଲ ବ୍ୟବସ୍ଥା ସୁନିଶ୍ଚିତ କରିବା। ଯାହାକି ଛତିଶଗଡ଼ ଜଳସଂପଦ ବିଭାଗ ମଧ୍ୟ ସଫଳତାର ସହ ସାରି ପାରି ନାହିଁ। ହେଲେ ଜଳଭଣ୍ଡାରଣ ବ୍ୟବସ୍ଥାକୁ ସଫଳ କରିଛି। ଅନ୍ତତଃ ଓଡ଼ିଶାର ଯନ୍ତ୍ରୀ/ଅଧିକାରୀମାନେ ସେତିକି କରିପାରିଲେ, ଅବଶିଷ୍ଟ ଉଦ୍ଦେଶ୍ୟ ସବୁକୁ ଉଠା ସେଚନ ବା ବିଶାଳ ପମ୍ପ୍-ପାଇପ୍ ବ୍ୟବସ୍ଥା ଜରିଆରେ ସମ୍ଭବ କରାଯାଇପାରିବ।

 

ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top