‘୪୭ ଅଗଷ୍ଟ ୧୫ରେ କେଉଁଠି ଥିଲେ ଗାନ୍ଧୀ?

News Story - Posted on 2017-08-15

ପ୍ରହଲାଦ କୁମାର ସିଂହ

 

ସତୁରୀ ବର୍ଷ ତଳେ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହେବା ବେଳେ ସ୍ବାଧୀନତା ସଂଗ୍ରାମର ସେନାପତି ତଥା ଜାତିର ଜନକ ମହାତ୍ମାଗାନ୍ଧୀ କ’ଣ କରୁଥିଲେ? କେଉଁଠି ଥିଲେ ସେ? ଏ ସଂକ୍ରାନ୍ତରେ ବର୍ତ୍ତମାନ ପିଢ଼ିର ଅନେକ ଜାଣନ୍ତି ନାହଁି। ସମଗ୍ର ଦେଶରେ ସ୍ବାଧୀନତା ପ୍ରାପ୍ତି ଖୁସିର ଲହରୀ ଖେଳାଇ ଦେଇଥିବା ବେଳେ ଗଭୀର ମନସ୍ତାପରେ ଉପବାସରେ ରହି ଗାନ୍ଧିଜୀ ଏକ ଅନ୍ଧାରିଆ ଘରେ କାଟିଥିଲେ ବିନିଦ୍ର ରଜନୀ।

 

ଦେଶ ବିଭାଜନ ପୂର୍ବରୁ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ କରିବା ଲାଗି ଗାନ୍ଧିଜୀ ବଙ୍ଗଳାରେ ପଦଯାତ୍ରା ଚଳାଇଥିଲେ ଅଗଷ୍ଟ ୯ରୁ। ସେ କଲିକତାରେ ପହଞ୍ଚି ସେଠାରେ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଏହି ଅବସରରେ ଅଗଷ୍ଟ ୧୪ ଦିନ ଗାନ୍ଧିଜୀ ଏକ ସଭାରେ କହିଥିଲେ ଯେ, କାଲିଠାରୁ ଭାରତ ବ୍ରିଟିଶ ଦାସତ୍ବର ବନ୍ଧନରୁ ମୁକ୍ତ ହେବ, କିନ୍ତୁ ମଧ୍ୟରାତ୍ରିରୁ ଦେଶକୁ କାଟି ଦୁଇଖଣ୍ଡ କରିଦିଆଯିବ। ଏହା ମୋର କଲିଜା ଛିଣ୍ଡାଇବା ଭଳି ଲାଗୁଛି।

 

ଅଗଷ୍ଟ ୧୫ ଅବସରରେ ଗାନ୍ଧିଜୀ ଦଙ୍ଗାଗ୍ରସ୍ତ କଲିକତାର ବେଲିଆଘାଟ ଅଞ୍ଚଳରେ ଥିବା ହାଇଦରୀ ଭବନରେ ଦେଶ ପାଇଁ ପ୍ରାର୍ଥନା ଓ ଉପବାସ କରିଥିଲେ। ସେଦିନ ରାତିର ଅନ୍ଧକାରରେ ଗାନ୍ଧିଜୀ ଗଭୀର ମନସ୍ତାପରେ ବିନିଦ୍ର ରଜନୀ କାଟିଥିଲେ। ଇତିହାସର ଦସ୍ତାବିଜରେ ରହିଛି ଏହି ତଥ୍ୟ।

 

ଏଠାରେ ଉଲ୍ଲେଖନୀୟ ଯେ ଏହି ଦିନରେ ବଡଲାଟ ମାଉଣ୍ଟବ୍ୟାଟେନ ଦିଲ୍ଲୀରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରାଇଥିଲେ। ପରେ ନେହେରୁ ତାଙ୍କ କ୍ୟାବିନେଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ମୌଲାନା ଅବୁଲ କାଲାମ ଆଜାଦ, ଡକ୍ଟର ମାଥାଇ, ସର୍ଦ୍ଦାର ବଲଦେବ ସିଂହ, ଜଗଜ୍ଜୀବନ ରାମ, ସି.ଏଚ୍ ଭାଭା, ରଫି ମହମ୍ମଦ କିଦାଇ, ରାଜକୁମାରୀ ଅମୃତ କୌର, ଡକ୍ଟର ବି.ଆର୍ ଆମ୍ବେଦକର, ସନମୁଖମ ଚେଟ୍ଟି, ଶ୍ୟାମାପ୍ରସାଦ ମୁଖାର୍ଜ, ଏନ.ଭି ଗାଡ଼ଗିଲ୍ ପ୍ରମୁଖଙ୍କୁ ସାମିଲ କରିଥିଲେ।

 

ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଦେବା ଅବସରରେ ମାଉଣ୍ଟବ୍ୟାଟେନ ମହାତ୍ମା ଗାନ୍ଧୀଙ୍କ ନାମ ଉଲ୍ଲେଖ କରି ଏହି ଉତ୍ସବରେ ତାଙ୍କ ଅନୁପସ୍ଥିତି କିପରି ବାରି ହୋଇଯାଉଛି ତାହା ଦର୍ଶାଇଥିଲେ। ପରେ ମାଉଣ୍ଟବ୍ୟାଟେନ ଏକ ପତ୍ର ଲେଖି ପୂର୍ବ ସୀମାନ୍ତରେ ଶାନ୍ତିରକ୍ଷା ପାଇଁ ଗାନ୍ଧିଜୀ ଏକକ ସୀମାନ୍ତରକ୍ଷୀ ବାହିନୀ ହିସାବରେ ଯେଭଳି କାମ କରିଛନ୍ତି ପଶ୍ଚିମ ସୀମାନ୍ତରେ ୫୫ ହଜାର ସେନା ଓ ସୁରକ୍ଷାବଳ ମୁତୟନ ହୋଇ ମଧ୍ୟ ଦଙ୍ଗା ରୋକିପାରି ନଥିବା ଉଲ୍ଲେଖ କରିଥିଲେ।

 

ସ୍ବାଧୀନତା ପରେ ଓ ପୂର୍ବରୁ ଗାନ୍ଧିଜୀ ବାରମ୍ବାର କହିଥିଲେ ଯେ ଯେଉଁ ସ୍ବରାଜ ପ୍ରାପ୍ତି ପାଇଁ ଦୀର୍ଘ ବର୍ଷ ଧରି ସଂଗ୍ରାମ ହୋଇଛି ଏବଂ ଯେଉଁ ସଂଗ୍ରାମରେ ଅଂଶଗ୍ରହଣ କରି ହଜାର ହଜାର ଲୋକ ସହିଦ ହୋଇଛନ୍ତି, କାରାବରଣ କରିଛନ୍ତି ଓ ଅତ୍ୟାଚାରିତ ହୋଇଛନ୍ତି ତାହା ଅଗଷ୍ଟ ୧୫ରେ ହାସଲ କରାଯାଇ ନାହଁି। ଦେଶର ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସ୍ବାଧୀନତା ପାଇଁ ଲମ୍ବା ଲଢ଼େଇ ଚଳାଇବାକୁ ସେ ଆହ୍ବାନ ଦେଇଥିଲେ। ତେବେ ସ୍ବାଧୀନତା ପ୍ରାପ୍ତିର ମାତ୍ର ସାଢ଼େ ପାଞ୍ଚ ମାସରେ ସତ୍ୟ ଓ ଅହିଂସାର ମୂର୍ତ୍ତିମନ୍ତ ପୂଜାରୀଙ୍କୁ ୧୯୪୮ ଜାନୁଆରୀ ୩୦ ତାରିଖରେ ହତ୍ୟା କରାଯାଇଥିଲା।

 

କେବଳ ଜଣେ ବ୍ୟକ୍ତି ନୁହେଁ, ଏକ ବିକୃତ ବିଚାର ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ ମଧ୍ୟ ତାଙ୍କ ଆବର୍ତ୍ତମାନରେ ଗାନ୍ଧୀ ଦର୍ଶନ ବିଶ୍ବରେ ଅମର ହୋଇ ରହିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top