ସେଲୁଲାର ଜେଲ - ବଳିଦାନର ସ୍ମାରକ

News Story - Posted on 2017-08-15

ଏସ‌୍‍. ବାଲାକ୍ରୀଷ୍ଣନ‌୍‍

 

‘ହେ, ମୋର ପ୍ରିୟ ମାତୃଭୂମି,

ତୁମେ କାହିଁକି ଆଖିରୁ ଲୁହ ଝରାଉଛ ?

ବିଦେଶୀ ଶାସନ ଏବେ ଶେଷ ହେବାକୁ ବସିଲାଣି- ସେମାନେ ନିଜର ଜିନିଷ ବନ୍ଧାବନ୍ଧି କଲେଣି।

ଜାତୀୟ କଳଙ୍କ ଏବଂ ଦୁର୍ଭାଗ୍ୟର ଦିନ ଆଉ ବେଶୀ ଦିନ ନୁହେଁ। ବର୍ତ୍ତମାନ ସ୍ୱାଧୀନତାର ମଳୟ ବହିଲାଣି। ବୃଦ୍ଧ ଓ ଯବାନ ମୁକ୍ତି ପାଇଁ ବ୍ୟାକୁଳ ହେଲେଣି। ଭାରତ ଯେବେ ମୁକ୍ତି ହେବ ହରି ମଧ୍ୟ ସ୍ୱାଧୀନତାର ଖୁସି ପାଳନ କରିବ।’

 

ଏ ହରି କିଏ? ଯିଏ ସ୍ୱାଧୀନତାର ଖୁସି ପାଳନ କରିବା ପାଇଁ ଆତୁର ହୋଇ ପଡିଛି। ସେ ହେଉଛନ୍ତି ଶ୍ରୀ ବାବୁ ରାମ ହରି, ସେ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର କାଦିଆଁର ବାସିନ୍ଦା। ସେ ‘ସ୍ୱରାଜ୍ୟ’ର ସଂପାଦକ ଥିଲେ। ତାଙ୍କର ତିନୋଟି ସଂପାଦକୀୟ ଲେଖା ପାଇଁ ବ୍ରିଟିଶ ଶାସକ ତାଙ୍କୁ ‘ରାଜଦ୍ରୋହ’ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଣ୍ଡାମାନର ସେଲୁଲାର ଜେଲରେ ୨୧ ବର୍ଷ ଧରି ବନ୍ଦୀ ରୂପେ ରଖିଥିଲେ। ଏହି ପରି ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ବହୁ ଲୋକଙ୍କୁ ବ୍ରିଟିଶ ଶାସକ ଅତ୍ୟନ୍ତ ଅମାନବୀୟ ଭାବେ ଚାପି ଦେଇଥିଲେ। ବଳିଦାନର ଏପରି ଏକ ସ୍ଥାନ ଥିଲା ଭୟଙ୍କର ସେଲୁଲାର ଜେଲ। କଳା କୋଠରୀରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କଠିନ ଦଣ୍ଡ ଦେବା ପାଇଁ ଏପରି ଏକ ଜେଲ ନିର୍ମାଣ କରାଯାଇଥିଲା। ଯାହାର ନାମ ସେଲୁଲାର ଦିଆଯାଇଥିଲା। ଭାରତର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଏହି ଜେଲ ଓତଃ ପ୍ରୋତଃ ଭାବେ ଜଡିତ।

 

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହି ଜେଲକୁ ଯଥାର୍ଥ ଭାବେ ‘ଭାରତୀୟ ବାସ୍ତାଇଲ୍’ ବୋଲି ଅଭିହୀତ କରିଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜାପାନ ଦ୍ୱାରା ଆଣ୍ଡାମାନ ଦ୍ୱୀପ ଅକ୍ତିଆର ପରେ ୧୯୪୩ ମସିହା ନଭେମ୍ୱର ୮ରେ ଏକ ବିବୃତିରେ ନେତାଜୀ କହିଥିଲେ ଯେ, ଯେପରି ଫରାସୀ ବିପ୍ଳବ ସମୟରେ ପ୍ୟାରିସର ବାସ୍ତାଇଲ ଦୁର୍ଗକୁ ପ୍ରଥମେ ମୁକ୍ତ କରାଯାଇ ସେଠାରେ ବନ୍ଦୀଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଖଲାସ କରାଯାଇଥିଲା। ସେହି ପରି ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ଆଣ୍ଡାମାନରେ ବନ୍ଦୀଥିବା ଭାରତୀୟ କଏଦୀମାନଙ୍କୁ ମୁକ୍ତ କରାଯିବ। ଏହା ପରେ ମିତ୍ର ରାଷ୍ଟ୍ର ପକ୍ଷରୁ ଏହି ଦ୍ୱୀପକୁ ଦ୍ୱିତୀୟ ଥର ପାଇଁ କବଜା କରାଯାଇଥିଲା।

 

ବ୍ରିଟିଶ ଉପନିବେଶ ଭାରତ ଏବଂ ବର୍ମାରେ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ କଏଦୀମାନଙ୍କ ପାଇଁ ବେନକୋଲିନ (ପ୍ରଥମେ ୧୭୮୭ରେ) ମାଲାକା, ସିଙ୍ଗାପୁର, ଆରାକାନ ଓ ତେନାସରିମ‌୍‍ ଠାରେ କଏଦୀମାନଙ୍କ ବସ୍ତି ସ୍ଥାପନ କରାଗଲା। ଏହି ପର୍ଯ୍ୟାୟର ଶେଷ ଜେଲଥିଲା ଆଣ୍ଡାମାନ ଏବଂ ଭାରତ ମାଟିରେ ଏହା ଥିଲା ପ୍ରଥମ ଜେଲ। ଏହାର ବହୁ ପୂର୍ବରୁ ୧୭୮୯ରେ ପୋର୍ଟ କର୍ଣୱାଲିସ, ଉତ୍ତର ଆଣ୍ଡାମାନରେ କଏଦୀମାନଙ୍କ ପାଇଁ ବସ୍ତି ସ୍ଥାପନ କରାଯାଇଥିଲା। ତେବେ ସାତ ବର୍ଷ ପରେ ଏହାକୁ ଖାଲି କରି ଦିଆଯାଇଥିଲା।

 

୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ବ୍ରିଟିଶ ଶାସକ ‘ସିପାହୀ ବିଦ୍ରୋହ’ ର ଆଖ୍ୟା ଦେବା ପରେ ଏହାକୁ ଦୃଷ୍ଟିରେ ରଖି କଏଦୀମାନଙ୍କ ପାଇଁ ବସ୍ତି କରାଯିବା ବିଚାର ପୁନଃ ଜୀବିତ ହୋଇ ଉଠିଥିଲା। ସ୍ୱାଧୀନତା ସଂଗ୍ରାମର ତଥାକଥିତ ସିପାହୀ, ପଳାତକ ଓ ବିଦ୍ରୋହୀମାନଙ୍କୁ ଧରି ଜେଲରେ ରଖିବା ପାଇଁ ସୁଦୂର ନିକାଂଚନ ଆଣ୍ଡାମାନ ଦ୍ୱୀପକୁ ଚୟନ କରାଯାଇଥିଲା। ଏହି କ୍ରମରେ ପ୍ରଥମ ଦଫାରେ ୧୮୫୮ ମାର୍ଚ୍ଚ ୧୦ରେ ୨୦୦ ଜଣ ଦୁର୍ଦ୍ଦାନ୍ତ ରାଜନୈତିକ ଅପରାଧୀମାନଙ୍କୁ ଦକ୍ଷିଣ ଆଣ୍ଡାମାନର ପୋର୍ଟବ୍ଲେୟାର ବନ୍ଦର ଅନ୍ତର୍ଗତ ଚାଥଲାମ‌୍‍ ଦ୍ୱୀପକୁ ପଠାଯାଇଥିଲା। ଦ୍ୱିତୀୟ ଦଫାରେ ପଞ୍ଜାବ ପ୍ରଦେଶରୁ ୨୧୬ ଜଣ କଏଦୀଙ୍କୁ ପଠା ଯାଇଥିଲା। ୧୯୫୮ ଜୁନ ୧୬ ସୁଦ୍ଧା ମୋଟ ୭୭୩ ଜଣ କଏଦୀଙ୍କୁ ସେଠାରେ ପହଁଚା ଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୬୪ ଜଣ କଏଦୀ ହସପିଟାଲରେ ପ୍ରାଣ ତ୍ୟାଗ କରିଥିଲେ। ଏହା ଛଡା ଫେରାର ହୋଇ  ଆଉ ଧରା ପଡିନଥିବା କଏଦୀମାନଙ୍କ ସଂଖ୍ୟା ୧୪୦ ଥିବା ବେଳେ ଜଣେ  କଏଦୀ ଆତ୍ମହତ୍ୟା କରିଥିଲେ। ଫେରାର ଥାଇ ଦ୍ୱିତୀୟ ଥର ଧରା ପଡିଥିବା ୮୭ ଜଣଙ୍କୁ ଫାଶୀ ଖୁଂଟରେ ଝୁଲାଇ ଦିଆଯାଇଥିଲା। ଅବଶିଷ୍ଟ ୪୮୧ ଜଣ ଏହି ସ୍ଥାନ ଛାଡି ଦେଇଥିଲେ। ୧୮୫୮ର ୧୮୬୦ ମସିହା ମଧ୍ୟରେ ଦେଶର ପ୍ରତିଟି କୋଣ ଅନୁକୋଣରୁ ପାଖାପାଖି ୨ ହଜାରରୁ ୪ ହଜାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଆଣ୍ଡାମାନ ପଠା ଯାଇଥିଲା। ତେବେ ଦୁଃଖର କଥା ଥିଲା ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ କଠିନ କଷ୍ଟଦାୟକ ପରିସ୍ଥିତିର ସମ୍ମୁଖୀନ ହୋଇ ନପାରି ପ୍ରାଣତ୍ୟାଗ କରିଥିଲେ। ଯେଉଁମାନେ ଫେରା ହୋଇ ଘଂଚ ଜଂଗଲକୁ ପଳାଇଲେ, ସେମାନେ ମଧ୍ୟ ବଂଚିପାରି ନଥିଲେ। ପରେ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମଧ୍ୟ ଏହି ଜେଲକୁ ପଠାଗଲା। ପରେ ୧୯୫୭ ଅଗଷ୍ଟ ୧୫ରେ ପୋର୍ଟ ବ୍ଲେୟାରରେ ଏକ ଶହୀଦ ସ୍ତମ୍ଭ ନର୍ମାଣ କରାଯାଇ ସ୍ୱାଧୀନତା ଆନ୍ଦୋଳନରେ ପ୍ରାଣବନ୍ଦୀ ଦେଇ ଥିବା ଅଜଣା ଶହୀଦମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା।

 

ରାଜନୈତିକ ବନ୍ଦୀମାନେ ଏକଜୁଟ ହୋଇ ପରସ୍ପର ଭାବର ଆଦାନ ପ୍ରଦାନ କରି ବିପ୍ଳବର ବିଚାରଧାରା ପ୍ରସାର କରିବାର ଆଶଙ୍କା କରି ବ୍ରିଟିଶ ଶାସକ ସୁଦୂର ଦୁର୍ଗମ ଅଂଚଳରେ  ଏପରି ଏକ ଜେଲ ପ୍ରତିଷ୍ଠା କରିଥିଲେ। ଏହି କ୍ରମରେ ୧୯୦୬ରେ ଏହି କୁଖ୍ୟାତ ସେଲୁଲାର ଜେଲର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ। ସେଠାରେ ୬୯୩ଟି କଳା କୋଠରୀ ପ୍ରତିଷ୍ଠା କରାଯାଇଥିଲା। ବେଳକୁ ବେଳ ଯେତେବେଳେ ସ୍ୱାଧୀନତା ଆନ୍ଦୋଳନ ବ୍ୟାପକ ହେଲା, ପୁନେରୁ ୮୦ ଜଣ ଆନ୍ଦୋଳନକାରୀଙ୍କୁ ନିର୍ବାସିତ କରାଯାଇ ଆଣ୍ଡାମାନ ପଠାଯାଇଥିଲା। ୧୯୦୯ରୁ ୧୯୨୧ ମଧ୍ୟରେ ୧୩୨ ଜଣ, ୧୯୩୨-୩୮ ମଧ୍ୟରେ ୩୭୯ ଜଣ ଲୋକଙ୍କୁ ବନ୍ଦୀ କରି ଆଣ୍ଡାମାନ ପଠାଯାଇଥିଲା। ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ରରେ ସାମିଲ ଥିବା ଅଭିଯୁକ୍ତ ଓ ରାଜନୈତିକ ବ୍ୟକ୍ତିମାନଙ୍କୁ ବନ୍ଦୀ କରି ଆଣ୍ଡାମାନ ପଠାଯାଉଥିଲା। ଏହି ସବୁ ମଧ୍ୟରେ  ଆଲିପୁର ବୋମା ମାମଲା, ନାସିକ ଷଡଯନ୍ତ୍ର ମାମଲା, ଲାହୋର ଷଡଯନ୍ତ୍ର ମାମଲା (ଗଦର ପାର୍ଟିର ବିପ୍ଳବୀ, ବନାରସ ଷଡ଼ଯନ୍ତ୍ର ମାମଲା, ଚିଟ୍ଟାଗଂଗ ଶସ୍ତ୍ରଶାଳା ମାମଲା, ଢାକା ଷଡଯନ୍ତ୍ର ମାମଲା, ଆନ୍ତଃ ପ୍ରାଦେଶିକ ଷଡଯନ୍ତ୍ର ମାମଲା, ଗୟା ଷଡ଼ଯନ୍ତ୍ର ମାମଲା ଓ ବର୍ମା ଷଡ଼ଯନ୍ତ୍ର ମାମଲା ଆଦି ଅନ୍ତଭୁର୍କ୍ତ। ଏହା ବ୍ୟତୀତ ୱାହାବୀ ବିଦ୍ରୋହ, ମାଲାବାର ଉପକୂଳର ମୋପଲା ବିଦ୍ରୋହ, ଆନ୍ଧ୍ରର ରାମ୍ପା ବିଦ୍ରୋହ, ମଣିପୁର ସ୍ୱାଧୀନ ସଂଗ୍ରାମୀ, ବର୍ମାର ଥରୱାର୍ଡି, ଚାଷୀ  ଆନ୍ଦୋଳନକାରୀଙ୍କୁ ମଧ୍ୟ ଆଣ୍ଡାମାନ ପଠାଯାଇଥିଲା।

 

ବିଶେଷକରି ନୂଆ ନୂଆ କଏଦୀମାନଙ୍କ ପାଇଁ ସେଲୁଲାର ଜେଲର ଜୀବନ ଅତ୍ୟନ୍ତ ଅମାନବୀୟ ଥିଲା। ରାଜନୈତିକ ବନ୍ଦୀମାନଙ୍କୁ କମ‌୍‍ ପରିମାଣର ଖାଦ୍ୟ ଓ ବସ୍ତ୍ର ଦିଆଯାଉଥିଲା। ସେମାନଙ୍କ ଠାରୁ କଠିନ ଶାରୀରିକ କାର୍ଯ୍ୟ ଆଦାୟ କରାଯାଉଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜନୈତିକ ବନ୍ଦୀଙ୍କର କଠୋର ପରିଶ୍ରମ କରିବାର ଅଭ୍ୟାସ ନଥିବାରୁ ସେମାନେ ଧାର୍ଯ୍ୟ କାମକୁ ଠିକ‌୍‍ ସମୟରେ ଶେଷ କରିପାରୁ ନଥିଲେ। ଏହି କାରଣରୁ ସେମାନଙ୍କୁ କଠିନ ଦଣ୍ଡ ଭୋଗିବାକୁ ପଡୁଥିଲା। ରାଜନୈତିକ ବନ୍ଦୀମାନଙ୍କୁ ଅପମାନିତ କରିବା ଏବଂ ସେମାନଙ୍କ ଇଚ୍ଛା ଶକ୍ତିକୁ ତିଳତିଳ କରି ନଷ୍ଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେମାନଙ୍କୁ  ତେଲ ପେଡିବା ପାଇଁ କୁହାଯାଉଥିଲା। ନଡିଆ କତାରୁ କଏର ଏବଂ ଦୌଡି ପ୍ରସ୍ତୁତ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଜଙ୍ଗଲରେ ମାଟି ରାସ୍ତା ନିର୍ମାଣ କରାଯାଉଥିଲା ଏବଂ ପାହାଡ ଭାଙ୍ଗିବା ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ସବୁଠୁ ଭୟଙ୍କର କାର୍ଯ୍ୟଥିଲା ରାମବନ ଘାସ କାଟି ସେଥିରେ ଦୌଡି ପ୍ରସ୍ତୁତ କରିବା। ଏହି ଘାସ ସଂସ୍ପର୍ଶ ଆସିଲେ ଦେହ କୁଣ୍ଡାଇ ହେବା ସହ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହେଉଥିଲା।

 

୧୯୩୭ ଜୁଲାଇରେ ଯେତେବେଳେ ଭାରତର ସାତଟି ଅଂଚଳରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ ହେଲା ସେତେବେଳେ ସେଲୁଲାର ଜେଲରେ ଥିବା ରାଜନୈତିକ ବନ୍ଦୀମାନଙ୍କୁ ମୂଳ ଭୂଖଣ୍ଡକୁ ପଠାଇବାର ଦାବି ଜୋର ଧରିଲା। ଏଥିନେଇ ବାରମ୍ୱାର ନିବେଦନ ଓ ଆନ୍ଦୋଳନ ପରେ ମଧ୍ୟ ଯେତେବେଳେ କୌଣସି ସୁଫଳ ମିଳିଳା ନାହିଁ ସେତେବେଳେ ୧୯୩୭ ଜୁଲାଇ ୨୪ରେ ୧୮୩ ଜଣ ବନ୍ଦୀ ୩୭ ଦିନ ଧରି ଆମରଣ ଅନଶନରେ ବସି ରହିଲେ। ସେମାନଙ୍କ ପ୍ରତି ସମର୍ଥନର ସୁଅ ଛୁଟିଲା। ମୁଖ୍ୟ ଜେଲଗୁଡିକରେ ବନ୍ଦୀ ଥିବା ଅନେକ ସାଥୀ ବି ଆମରଣ ଅନଶନ ଆରମ୍ଭ କରିଦେଲେ। ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଗଲା। ଶେଷରେ ବ୍ରିଟିଶ ଶାସକ ନତମସ୍ତକ ହେଲେ ଏବଂ ୧୯୩୭ ମସିହା ସେପ୍ଟେମ୍ୱର ୨୨ରେ ପ୍ରଥମ ଦଫାରେ କିଛି ସ୍ୱାଧୀନତା ସଂଗ୍ରାମୀଙ୍କୁ ଆଣ୍ଡାମାନରୁ ମୁକ୍ତ କରାଗଲା। ୧୯୩୮ ଜାନୁଆରୀ ୧୮ରେ ଶେଷ ପର୍ଯ୍ୟାୟରେ ବନ୍ଦୀମାନଙ୍କୁ ଆଣ୍ଡାମାନରୁ ଅଣାଗଲା। ୧୯୪୬ରେ ପେନାଲ ସେଟଲମେଂଟ ଉଚ୍ଛେଦ ହେବା ପରେ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତଙ୍କୁ ସେଠାରୁ ଅଣାଗଲା।

 

ଏହି ଜେଲରେ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ବନ୍ଦୀ ରୂପେ ରଖା ଯାଇଥିଲା। ସେମାନଙ୍କ ମଧ୍ୟରେ ସଭରକର ଭ୍ରାତା, ମୋତିଲାଲ ବର୍ମା ,ବାବୁ ରାମହରି, ପଣ୍ଡିତ ପରମାନନ୍ଦ, ରାଧାରାମ ଉଲ୍ଲାସକର ଦତ୍ତ, ବରୀନ କୁମାର ଘୋଷ, ଭାଇ ପରମାନନ୍ଦ, ଇନ୍ଦୁ ଭୂଷଣ ରାଏ, ପୃଥ୍ୱୀ ସିଂ ଆଜାଦ‌୍‍, ପୁଲୀନ ଦାସ, ତ୍ରୈଲୋକ୍ୟ ନାଥ ଚକ୍ରବର୍ତ୍ତୀ, ଗୁରୁମୁଖ ସିଂ ପ୍ରମୁଖଙ୍କ ନମ ବିଶେଷ ଭାବେ ଉଲ୍ଲେଖଯୋଗ୍ୟ। ଏହି ତାଲିକା ବହୁତ ଲମ୍ୱା। ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅମୂଲ୍ୟ ବଳିଦାନର ସ୍ମୃତି ଚାରଣ ଓ ସମ୍ମାନ ପାଇଁ ୧୯୭୯ ଫେବୃୟାରୀ ୧୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରରଜୀ ଦେଶାଇ ଏହାକୁ  ଜାତୀୟ ସ୍ମାରକ ରୂପେ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ସଂଗ୍ରହାଳୟ ଏବଂ ଲାଇଟ ଆଣ୍ଡ ସାଉଣ୍ଡ ଶୋ, ଜେଲର କଠିନ  ଜୀବନର ଝଲକ ଦେଇ ଥାଏ। ଆମେ ସ୍ୱାଧୀନତା ହାସଲ କରି ଶାନ୍ତିରେ ଜୀବନ ଯାପନ କରିବା ପାଇଁ ଏହି ମହାନ ଲୋକମାନେ ପ୍ରାଣବଳୀ ଦେଇଥଲେ। ସେଲୁଲାର ଜେଲକୁ ୟୁନେସ୍କୋର ବିଶ୍ୱ ଏୗତିହ୍ୟ ତାଲିକାରେ ସ୍ଥାନିତ ହୋଇଛି।

 

ରାଷ୍ଟ୍ର୍ରୀୟ ସ୍ମାରକ ପାଲଟିଥିବା ଏହି ସେଲୁଲାର ଜେଲ ଏକଦା ଏକ ଭୟଙ୍କର ସ୍ଥାନ ଥିଲା। ବର୍ତ୍ତମାନ ଏହା ତ୍ୟାଗ ଓ ବଳୀଦାନର ଏକ ଅପୂର୍ବ ସ୍ମାରକ ରୂପେ ଆମ ସମ୍ମୁଖରେ ଦଣ୍ଡାୟମାନ, ଯାହା ଆମ କଷ୍ଟଲବ୍ଧ ସ୍ୱାଧୀନତାର ସ୍ମୃତିଚାରଣ କରିଥାଏ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top