ଅପ୍ପଦୀପୋ ଭବ!

News Story - Posted on 2017-08-15

ରାମନାଥ କୋବିନ୍ଦ, ମହାମହିମ ରାଷ୍ଟ୍ରପତି

 

ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ଲାଗିଥିବା ମୋର ପ୍ରିୟ ଦେଶବାସୀ,

 

ସ୍ୱାଧୀନତାର ୭୦ ବର୍ଷ ପୂରଣ ହେବା ଅବସରରେ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା। ଏହି ମହାନ ଦିବସର ପୂର୍ବ ସନ୍ଧ୍ୟାରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

 

୧୫ ଅଗଷ୍ଟ, ୧୯୪୭ରେ ଆମ ଦେଶ ଏକ ସ୍ୱାଧୀନ ରାଷ୍ଟ୍ର ହେଲା। ସାର୍ବଭୌମତ୍ୱ ପାଇବା ସହିତ ସେହିଦିନ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବାର ଉତ୍ତରଦାୟିତ୍ୱ ମଧ୍ୟ ବ୍ରିଟିଶ‌୍‍ ଶାସନ ହାତରୁ ଆମ ଭାରତବାସୀଙ୍କ ପାଖକୁ ଆସିଲା। କିଛି ଲୋକ ଏହି ପ୍ରକ୍ରିୟାକୁ ‘କ୍ଷମତା ହସ୍ତାନ୍ତରଣ’ ମଧ୍ୟ କହିଲେ। କିନ୍ତୁ ବାସ୍ତବରେ ଏହା କେବଳ କ୍ଷମତା ହସ୍ତାନ୍ତରଣ ନଥିଲା। ଏହା ଏକ ବହୁତ ବଡ଼ ଏବଂ ବ୍ୟାପକ ପରିବର୍ତ୍ତନର ମୁହୂର୍ତ୍ତ ଥିଲା। ତାହା ଆମର ସମଗ୍ର ଦେଶର ସ୍ୱପ୍ନକୁ ସାକାର କରିବାର ମୁହୂର୍ତ୍ତ ଥିଲା - ଏପରି ଏକ ସ୍ୱପ୍ନ ଯାହା ଆମର ପୂର୍ବପୁରୁଷ ଏବଂ ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିଲେ। ଏବେ ଆମେ ଏକ ନୂଆ ରାଷ୍ଟ୍ରର ପରିକଳ୍ପନା କରିବା ଏବଂ ତା’କୁ ସାକାର କରିବା ଲାଗି ସ୍ୱାଧୀନ ଥିଲୁ।

 

ଆମ ପାଇଁ ଏହା ବୁଝିବା ଅତି ଜରୁରୀ ଯେ ସ୍ୱାଧୀନ ଭାରତ ପାଇଁ ସେମାନଙ୍କ ସ୍ୱପ୍ନ, ଆମ ଗ୍ରାମ, ଗରିବ ଏବଂ ଦେଶର ସମଗ୍ର ବିକାଶର ସ୍ୱପ୍ନ ଥିଲା। ସ୍ୱାଧୀନତା ପାଇଁ ଆମେ ସେ ସମସ୍ତ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ନିକଟରେ ଋଣୀ ଅଟୁ ଯେଉଁମାନେ ଏଥିପାଇଁ ବଳିଦାନ ଦେଇଥିଲେ।

 

କିତୁରର ରାଣୀ ଚେନ୍ନାମ୍ମା, ଝାନ‌୍‍ସୀର ରାଣୀ ଲକ୍ଷ୍ମୀବାଇ, ଭାରତ ଛାଡ଼ ଆନ୍ଦୋଳନର ସହିଦ ମାତାଙ୍ଗିନୀ ହାଜରାଙ୍କ ଭଳି ବୀରାଙ୍ଗନାମାନଙ୍କର ଅନେକ ଉଦାହରଣ ରହିଛି। ମାତାଙ୍ଗିନୀ ହାଜରା ପାଖାପାଖି ୭୦ ବର୍ଷୀୟ ମହିଳା ଥିଲେ ବେଙ୍ଗଲର ତାମଲୁକରେ ଏକ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନର ନେତୃତ୍ୱ ନେଉଥିବା ସମୟରେ ବ୍ରିଟିଶ ପୁଲିସ ତାଙ୍କୁ ଗୁଳି ମାରିଦେଇଥିଲା। ବନ୍ଦେ ମାତରମ ତାଙ୍କ ଓଠରରୁ ବାହାରିଥିବା ଶେଷ ଶବ୍ଦ ଥିଲା ଏବଂ ଭାରତର ସ୍ୱାଧୀନତା, ତାଙ୍କ ହୃଦୟରେ ଥିବା ଅନ୍ତିମ ଇଚ୍ଛା ଥିଲା। ଦେଶ ପାଇଁ ଜୀବନ ବାଜି ଲଗେଇଥିବା ସର୍ଦ୍ଦାର ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ‌୍‍, ରାମପ୍ରସାଦ ବିସ‌୍‍ମିଲ‌୍‍, ଅଶଫାକ‌୍‍ ଉଲ୍ଲା ଖାଁ, ତଥା ବିରସା ମୁଣ୍ଡାଙ୍କ ଭଳି ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଆମେ କେବେହେଲେ ଭୁଲିପାରିବା ନାହିଁ।

 

ସ୍ୱାଧୀନତା ଲଢ଼େଇର ଆରମ୍ଭରୁ ହିଁ ଆମେ ସୌଭାଗ୍ୟଶାଳୀ ଥିଲୁ ଯେ ଦେଶକୁ ମାର୍ଗ ଦେଖାଇଥିବା ଅନେକ ମହାପୁରୁଷ ଏବଂ କ୍ରାନ୍ତିକାରୀ ଆମକୁ ଆଶୀର୍ବାଦ ସ୍ୱରୂପ ମିଳିଥିଲେ।

ସେମାନଙ୍କ ଉଦ୍ଦେଶ୍ୟ କେବଳ ରାଜନୈତିକ ସ୍ୱାଧୀନତା ପ୍ରାପ୍ତି କରିବା ନଥିଲା। ମହାତ୍ମା ଗାନ୍ଧୀ ସମାଜ ଏବଂ ରାଷ୍ଟ୍ରର ଚରିତ୍ର ଉପରେ ଗୁରୁତ୍ୱ ଦେଇଥିଲେ। ଗାନ୍ଧୀଜୀ ଯେଉଁ ସିଦ୍ଧାନ୍ତକୁ ଆପଣାଇବା କଥା କହିଥିଲେ, ତାହା ଆମ ପାଇଁ ଆଜି ମଧ୍ୟ ପ୍ରାସଙ୍ଗିକ। ରାଷ୍ଟ୍ରବ୍ୟାପୀ ସୁଧାର ଏବଂ ସଂଘର୍ଷର ଏହି ଅଭିଯାନରେ ଗାନ୍ଧୀଜୀ ଏକାକୀ ନଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯେତେବେଳେ ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ର ଆହ୍ୱାନ ଦେଇଥିଲେ ସେତେବେଳେ ହଜାର ହଜାର ଲକ୍ଷ ଲକ୍ଷ ଭାରତବାସୀ ତାଙ୍କ ନେତୃତ୍ୱରେ ସ୍ୱାଧୀନତାର ଲଢ଼େଇ ଲଢ଼ିବା ଲାଗି ନିଜର ସବୁକିଛି ସମର୍ପି ଦେଇଥିଲେ।

 

ନେହରୁଜୀ ଆମକୁ ଶିଖାଇଥିଲେ ଯେ ଭାରତର ଶତାଧିକ ବର୍ଷର ଐତିହ୍ୟ ଏବଂ ପରମ୍ପରା, ଯାହାକୁ ନେଇ ଆଜି ବି ଆମେ ଗର୍ବିତ, ତାହାର ଟେକ‌୍‍ନୋଲଜି ସହିତ ତାଳମେଳ ସମ୍ଭବ ଅଟେ, ଏବଂ ଏହି ପରମ୍ପରା ଆଧୁନିକ ସମାଜର ନିର୍ମାଣ ପ୍ରୟାସରେ ସହାୟକ ହୋଇପାରିବ। ସର୍ଦ୍ଦାର ପଟେଲ‌୍‍ ଆମକୁ ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡତାର ମହତ୍ୱ ପ୍ରତି ସଚେତନ କରାଇଥିଲେ, ଏଥିସହିତ ସେ ଏହା ମଧ୍ୟ ବୁଝାଇଥିଲେ ଯେ ଅନୁଶାସନ-ଯୁକ୍ତ ଜାତୀୟ ଚରିତ୍ର କ’ଣ ହୋଇଥାଏ। ବାବାସାହେବ ଭୀମରାଓ ଆମ୍ୱେଦକର ସମ୍ୱିଧାନର ସୀମାରେ ରହି କାମ କରିବା ତଥା ‘ଆଇନ ଶାସନ’ର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ସେ ଶିକ୍ଷାର ମୌଳିକ ମହତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।

 

ଆଜି ଦେଶ ପାଇଁ ନିଜ ଜୀବନର ବଳିଦାନ ଦେବା ଲାଗି ଏପରି ବୀର ସ୍ୱାଧୀନତା ସଂଗ୍ରାମୀଙ୍କଠାରୁ ପ୍ରେରଣା ନେଇ ଆଗକୁ ବଢ଼ିବାର ସମୟ ଆସିଛି। ଆଜି ଦେଶ ପାଇଁ କିଛି କରିବାର ସେହି ଭାବନା ସହିତ ରାଷ୍ଟ୍ର ନିର୍ମାଣରେ ଶତତ ପ୍ରୟାସ କରିବାର ସମୟ।

 

ନୈତିକତା ଉପରେ ଆଧାରିତ ନୀତି ଏବଂ ଯୋଜନାକୁ ଲାଗୁ କରିବା ପ୍ରତି ସେମାନଙ୍କ ଗୁରୁତ୍ୱ, ଏକତା ଏବଂ ଅନୁଶାସନରେ ସେମାନଙ୍କ ଦୃଢ଼ ବିଶ୍ୱାସ, ଐତିହ୍ୟ ଏବଂ ବିଜ୍ଞାନର ସମନ୍ୱୟରେ ସେମାନଙ୍କ ଆସ୍ଥା, ଆଇନ ଅନୁଯାୟୀ ଶାସନ ଏବଂ ଶିକ୍ଷାକୁ ପ୍ରୋତ୍ସାହନ, ଏ ସମସ୍ତ କଥାର ମୂଳରେ ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଭାଗିଦାରୀତାର ଅବଧାରଣା ଥିଲା। ଏହି ଭାଗିଦାରୀ ଆମ ରାଷ୍ଟ୍ର ନିର୍ମାଣର ଆଧାର ରହିଆସିଛି - ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଭାଗିଦାରୀ, ବ୍ୟକ୍ତି ଏବଂ ସମାଜ ମଧ୍ୟରେ ଭାଗିଦାରୀ, ପରିବାର ଏବଂ ଏକ ବଡ଼ ଗୋଷ୍ଠୀ ମଧ୍ୟରେ ଭାଗିଦାରୀ।

 

ମୋର ପ୍ରିୟ ଦେଶବାସୀ, ନିଜ ପିଲାଦିନେ ଦେଖିଥିବା ଗ୍ରାମର ଏକ ପରମ୍ପରା ଆଜି ବି ମୋର ମନେ ରହିଛି। ଯେତେବେଳେ କୌଣସି ପରିବାରରେ ଝିଅର ବାହାଘର ହେଉଥିଲା, ଯେତେବେଳେ ପୂରା ଗ୍ରାମର ପ୍ରତ୍ୟେକ ପରିବାର ନିଜ ନିଜ ଭିତରେ ଦାୟିତ୍ୱ ବାଂଟି ନେଉଥିଲେ, ଏବଂ ସହଯୋଗ କରୁଥିଲେ। ଜାତି କିମ୍ୱା ଗୋଷ୍ଠୀ ଯେକୌଣସି ହୋଇଥାଉ, ସେ ଝିଅ ସେ ସମୟରେ କେବଳ ଗୋଟିଏ ପରିବାରର ନଥିଲା, ବରଂ ପୂରା ଗ୍ରାମର ଝିଅ ଥିଲା। ବାହାଘରକୁ ଆସୁଥିବା ଅତିଥିଙ୍କ ଯତ୍ନ, ବିବାହର ଭିନ୍ନ ଭିନ୍ନ କାମର ଦାୟିତ୍ୱ, ଏସବୁ ପଡ଼ୋଶୀ ଏବଂ ଗ୍ରାମର ସବୁ ଲୋକ ପରସ୍ପର ମଧ୍ୟରେ ନିର୍ଦ୍ଧାରଣ କରୁଥିଲେ। ପ୍ରତ୍ୟେକ ପରିବାର, କୌଣସି ନା କୌଣସି ପ୍ରକାରେ ନିଶ୍ଚିତ ସାହାଯ୍ୟ କରୁଥିଲା। କେଉଁ ପରିବାର ବାହାଘର ପାଇଁ ଖାଦ୍ୟଶସ୍ୟ ପଠାଉଥିଲା ତ’ ଆଉ କେଉଁ ପରିବାର ପନିପରିବା ପଠାଉଥିଲା, ପୁଣି କେଉଁ ତୃତୀୟ ପରିବାର ଅନ୍ୟ ଜରୁରୀ ସାମଗ୍ରୀ ସହିତ ପହଂଚିଯାଉଥିଲା।

 

ସେ ସମୟରେ ପୂରା ଗ୍ରାମ ଗୋଟିଏ ପରିବାରର ଭାବରେ ରହୁଥିଲା, ଭାଗିଦାରୀର ଭାବନା ଥିଲା, ପରସ୍ପରକୁ ସହାୟତା କରିବାର ଭାବନା ଥିଲା। ଯଦି ଆପଣ ଜରୁରୀ ସମୟରେ ନିଜ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବେ ତା’ହେଲେ ସ୍ବାଭାବିକ ଭାବେ ସେମାନେ ମଧ୍ୟ ଆପଣଙ୍କ ଜରୁରୀ ସମୟରେ ସାହାଯ୍ୟ କରିବା ଲାଗି ଆଗେଇ ଆସିବେ।

 

କିନ୍ତୁ ଆଜି, ବଡ଼ ସହରରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଅଧିକାଂଶ ଲୋକଙ୍କୁ ବର୍ଷ ବର୍ଷ ପର୍ଯ୍ୟନ୍ତ ମନେ ରହୁନାହିଁ ଯେ ସେମାନଙ୍କ ପଡ଼ୋଶୀ ଭାବେ କେଉଁମାନେ ରହୁଛନ୍ତି। ସେଥିପାଇଁ ଗ୍ରାମ ହେଉ ଅବା ସହର, ଆଜି ସମାଜରେ ସେହି ଆପଣାର ଭାବନା ଏବଂ ଭାଗିଦାରୀର ଭାବନାକୁ ପୁନଃ ଜାଗୃତ କରିବାର ଆବଶ୍ୟକତା ରହିଛି। ଏଥିରୁ ଆମକୁ ପରସ୍ପରର ଭାବନାକୁ ବୁଝିବା ଏବଂ ତାହାର ସମ୍ମାନ କରିବାର ତଥା ଏକ ସନ୍ତୁଳିତ, ସମ୍ୱେଦନଶୀଳ ଏବଂ ସୁଖୀ ସାମାଜର ନିର୍ମାଣ କରିବାରେ ସହାୟତା ମିଳିବ। ଆଜି ବି ପରସ୍ପରର ବିଚାରକୁ ସମ୍ମାନ କରିବାର ଭାବ, ସମାଜର ସେବା କରିବାର ଭାବ ଏବଂ ନିଜକୁ ଆଗକୁ ବଢ଼ାଇ ଅନ୍ୟକୁ ସାହାଯ୍ୟ କରିବାର ଭାବ, ଆମର ରକ୍ତରେ ପ୍ରବାହିତ ହେଉଛି। ଅନେକ ବ୍ୟକ୍ତି ଏବଂ ସଂଗଠନ, ଗରିବ ଏବଂ ବଂଚିତଙ୍କ ପାଇଁ ଚୁପ‌୍‍ଚାପ‌୍‍ ଏବଂ ସମ୍ପୂର୍ଣ୍ଣ ନିଷ୍ଠାର ସହ କାମ କରୁଛନ୍ତି।

 

ଏମାନଙ୍କ ମଧ୍ୟରୁ କିଏ ଅସହାୟ, ନିରାଶ୍ରୟ ଶିଶୁଙ୍କ ପାଇଁ ସ୍କୁଲ‌୍‍ ଚଲାଉଛନ୍ତି ତ କେହି ବେସାହାରା ପଶୁ-ପକ୍ଷୀଙ୍କ ସେବାରେ ଲାଗି ରହିଛି, ଆଉ କେହି ଦୂରବର୍ତ୍ତୀ ଇଲାକାରେ ଆଦିବାସୀଙ୍କ ପାଇଁ ପାଣି ପହଂଚାଉଛି। କେହି ନଦୀ ଏବଂ ସର୍ବସାଧାରଣ ସ୍ଥାନର ସଫେଇ କାମରେ ଲାଗିଛି। ନିଜ ସ୍ୱରରେ ମଗ୍ନ ଏମାନେ ସମୟରେ ରାଷ୍ଟ୍ର ନିର୍ମାଣରେ ସଂଲଗ୍ନ ରହିଛନ୍ତି। ଆମକୁ ଏ ସମସ୍ତଙ୍କଠାରୁ ପ୍ରେରଣା ନେବାକୁ ହେବ। ରାଷ୍ଟ୍ର ନିର୍ମାଣ ପାଇଁ ଏପରି କର୍ମଠ ଲୋକମାନଙ୍କ ସହିତ ସମସ୍ତେ ମିଶିବା ଦରକାର, ଏଥିସହିତ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସର ଲାଭ ପ୍ରତ୍ୟେକ ବର୍ଗ ପର୍ଯ୍ୟନ୍ତ ପହଂଚୁ ସେଥିପାଇଁ ଏକଜୁଟ‌୍‍ ହୋଇ କାମ କରିବାର ଦରକାର। ସେଥିପାଇଁ ନାଗରିକ ଏବଂ ସରକାରଙ୍କ ଭାଗିଦାରୀ ମହତ୍ୱପୂର୍ଣ୍ଣ ଅଟେ।

 

ସରକାର ‘ସ୍ୱଚ୍ଛ ଭାରତ’ ଅଭିଯାନ ଆରମ୍ଭ କରିଛନ୍ତି କିନ୍ତୁ ଭାରତକୁ ସ୍ୱଚ୍ଛ କରିବା ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଦାୟିତ୍ୱ। ସରକାର ଶୌଚାଳୟ ତିଆରି କରୁଛନ୍ତି ଏବଂ ଶୌଚାଳୟର ନିର୍ମାଣକୁ ପ୍ରୋତ୍ସାହନ ଦେଉଛନ୍ତି, କିନ୍ତୁ ଏହି ଶୌଚାଳୟର ପ୍ରୟୋଗ କରିବା ଏବଂ ଦେଶକୁ ‘ଖୋଲା ମଳମୁକ୍ତ’ କରିବା- ଆମ ଭିତରୁ ପ୍ରତ୍ୟେକଙ୍କ ଏକ ଦାୟିତ୍ୱ। ସରକାର ଦେଶର ଯୋଗାଯୋଗ ଢାଂଚାକୁ ମଜଭୂତ କରୁଛନ୍ତି, କିନ୍ତୁ ଇଂଟରନେଟ‌୍‍କୁ ଠିକ‌୍‍ ଉଦ୍ଦେଶ୍ୟ ପାଇଁ ପ୍ରୟୋଗ କରିବା, ଜ୍ଞାନର ସ୍ତରରେ ରହିଥିବା ଅସମାନତାକୁ ସମାପ୍ତ କରିବା, ବିକାଶର ନୂଆ ଅବସର ସୃଷ୍ଟି କରିବା, ଶିକ୍ଷା ଏବଂ ସୂଚନାର ବ୍ୟାପ୍ତି ବଢ଼ାଇବା- ଆମମାନଙ୍କ ଭିତରୁ ପ୍ରତ୍ୟେକଙ୍କ ଦାୟିତ୍ୱ।

 

ସରକାର ‘ବେଟି ବଚାଓ-ପେଟୀ ପଢ଼ାଓ’ ଅଭିଯାନରକୁ ସଶକ୍ତ କରୁଛନ୍ତି କିନ୍ତୁ ଏହା ସୁନିଶ୍ଚିତ କରିବା ଯେ ଆମର ଝିଅମାନଙ୍କ ସହିତ ଭେଦଭାବ ନହେଉ ଏବଂ ସେମାନେ ଉତ୍ତମ ଶିକ୍ଷା ପ୍ରାପ୍ତ କରନ୍ତୁ-ଆମମାନଙ୍କ ଭିତରୁ ପ୍ରତ୍ୟେକଙ୍କ ଦାୟିତ୍ୱ। ସରକାର ଆଇନ ପ୍ରଣୟନ କରିପାରିବେ ଏବଂ ଆଇନ ଲାଗୁ କରିବାର ପ୍ରକ୍ରିୟାକୁ ମଜଭୂତ କରିପାରିବେ କିନ୍ତୁ ଆଇନର ପାଳନ କରୁଥିବା ନାଗରିକ ହେବା, ଆଇନର ପାଳନ କରୁଥିବା ସମାଜ ନିର୍ମାଣ କରିବା-ଆମମାନଙ୍କ ଭିତରୁ ପ୍ରତ୍ୟେକଙ୍କ ଦାୟିତ୍ୱ। ସରକାର ପାରଦର୍ଶିତା ଉପରେ ଗୁରୁତ୍ୱ ଦେଉଛନ୍ତି, ସରକାରୀ ନିଯୁକ୍ତି ଏବଂ ସରକାରୀ ବିକ୍ରିରେ ଭ୍ରଷ୍ଟାଚାର ଦୂର କରୁଛନ୍ତି, କିନ୍ତୁ ଦୈନନ୍ଦିନ ଜୀବନରେ ନିଜ ଅନ୍ତଃକରଣରକୁ ସ୍ୱଚ୍ଛ ରଖି କାର୍ଯ୍ୟ କରିବା, କର୍ମ ସଂସ୍କୃତିକୁ ପବିତ୍ର ରଖିବା - ଆମମାନଙ୍କ ଭିତରୁ ପ୍ରତ୍ୟେକଙ୍କ ଦାୟିତ୍ୱ। ସରକାର ଟିକସ ପ୍ରଣାଳୀକୁ ସହଜ କରିବା ଲାଗି ଜି.ଏସ‌୍‍.ଟି ଲାଗୁ କରିଛନ୍ତି, ପ୍ରକ୍ରିୟାକୁ ସହଜ କରିଛନ୍ତି, କିନ୍ତୁ ଏହାକୁ ନିଜର ପ୍ରତ୍ୟେକ କାମ ଏବଂ କାରବାରରେ ସାମିଲ‌୍‍ କରିବା ତଥା ଟିକସ ଦେବାରେ ଗର୍ବ ଅନୁଭବ କରିବାର ଭାବନାକୁ ପ୍ରସାରିତ କରିବା - ଆମମାନଙ୍କ ଭିତରୁ ପ୍ରତ୍ୟେକଙ୍କ ଦାୟିତ୍ୱ।

 

ମୁଁ ଖୁସି ଯେ ଦେଶର ଜନତା ଜି.ଏସ.ଟିକୁ ସହର୍ଷ ସ୍ୱୀକାର କରିଛି । ସରକାରଙ୍କୁ ଯାହା ମଧ୍ୟ ରାଜସ୍ୱ ମିଳୁଛି, ତାହାର ଉପଯୋଗ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ହିଁ ହୋଇଥାଏ। ଏହାଦ୍ୱାରା କୌଣସି ଗରିବ ଏବଂ ପଛୁଆକୁ ସାହାଯ୍ୟ ମିଳିଥାଏ ଗ୍ରାମ ଏବଂ ସହରର ଭିତିଭୂମି ସୁବିଧାର ନିର୍ମାଣ ହୋଇଥାଏ, ଏବଂ ଆମ ଦେଶ ସୀମାର ସୁରକ୍ଷାକୁ ଆହୁରି ମଜଭୂତ କରାଯାଇପାରିଥାଏ।

 

ପ୍ରିୟ ଦେଶବାସୀ, ୨୦୨୨ରେ ଆମ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ। ସେପର୍ଯ୍ୟନ୍ତ ‘ନବ ଭାରତ’ ପାଇଁ କେତେକ ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବାର ଆମର ‘ରାଷ୍ଟ୍ରୀୟ ସଂକଳ୍ପ’ ଅଟେ। ଯେତେବେଳେ ଆମେ ‘ନବ ଭାରତ’ର କଥା କହିଥାଉ ଆମ ସମସ୍ତଙ୍କ ପାଇଁ ଏହାର ଅର୍ଥ କ’ଣ ହୋଇଥାଏ? କିଛି ତ’ ବଡ଼ ସ୍ପଷ୍ଟ ମାନଦଣ୍ଡ ରହିଛି ଯେପରିକି -ପ୍ରତ୍ୟେକ ପରିବାର ପାଇଁ ଘର, ଚାହିଦା ମୁତାବକ ବିଦ୍ୟୁତ, ଭଲ ସଡ଼କ ଏବଂ ଯୋଗାଯୋଗର ମାଧ୍ୟମ, ଆଧୁନିକ ରେଳ ନେଟୱାର୍କ, ଦ୍ରୁତ ଏବଂ ସାମଗ୍ରିକ ବିକାଶ। କିନ୍ତୁ ଏତିକି ଯଥେଷ୍ଟ ନୁହେଁ। ଏହା ମଧ୍ୟ ଜରୁରୀ ଯେ ‘ନବ ଭାରତ’ ଆମ ଡିଏନ‌୍‍ଏ ସମାହିତ ସମଗ୍ର ମାନବତାବାଦୀ ମୂଲ୍ୟକୁ ସମାହିତ କରୁ। ଏହି ମାନବୀୟ ମୂଲ୍ୟବୋଧ ଆମ ଦେଶର ସଂସ୍କୃତିର ପରିଚୟ। ଏହି ‘ନବ ଭାରତ’ ଏପରି ଏକ ସମାଜ ହେବା ଉଚିତ, ଯାହା ଭବିଷ୍ୟତ ଦିଗରେ ଦ୍ରୁତ ଗତିରେ ବଢ଼ିବା ସହିତ, ସମ୍ୱେଦନଶୀଳ ମଧ୍ୟ ହେଉ।

 

ଏପରି ଏକ ସମ୍ୱେଦନଶୀଳ ସମାଜ, ଯେଉଁଠି ପାରମ୍ପରିକ ରୂପରେ ବଂଚିତ ଲୋକ, ସେମାନେ ଅନୁସୂଚିତ ଜାତିର ହୁଅନ୍ତୁ, କିମ୍ୱା ଜନଜାତିର ହୁଅନ୍ତୁ କିମ୍ୱା ପଛୁଆ ବର୍ଗର ହୁଅନ୍ତୁ, ଦେଶର ବିକାଶ ପ୍ରକ୍ରିୟାରେ ସହଭାଗୀ ହୁଅନ୍ତୁ। ଏପରି ଏକ ସମ୍ୱେଦନଶୀଳ ସମାଜ, ଯାହା ସେସବୁ ଲୋକମାନଙ୍କୁ ନିଜ ଭାଇ ଏବଂ ଭଉଣୀଙ୍କ ଭଳି ଆପଣେଇ ନେଉଥିବ, ଯେଉଁମାନେ ଦେଶର ସୀମାରେ ରହୁଛନ୍ତି, ଏବଂ କେବେ କେବେ ନିଜକୁ ଦେଶଠାରୁ ବିଚ୍ଛିନ୍ନ ବୋଲି ମନେ କରୁଛନ୍ତି। ଏପରି ଏକ ସମ୍ୱେଦନଶୀଳ ସମାଜ, ଯେଉଁଠି ଅଭାବଗ୍ରସ୍ତ ଶିଶୁ, ବୟସ୍କ ଏବଂ ରୋଗରେ ପଡ଼ିଥିବା ବରି  ନାଗରିକ, ଏବଂ ଗରିବ ଲୋକ, ସବୁବେଳେ ଆମ ବିଚାରର କେନ୍ଦ୍ରରେ ରହୁଥିବେ। ନିଜ ଦିବ୍ୟାଙ୍ଗ ଭାଇ-ଭଉଣୀଙ୍କ ପ୍ରତି ମଧ୍ୟ ଆମକୁ ବିଶେଷ ଧ୍ୟାନ ଦେବାକୁ ଅଛି ଏବଂ ଏହା ଦେଖିବାର ଅଛି ଯେ ସେମାନଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ନାଗରିକଙ୍କ ଭଳି ଆଗକୁ ବଢ଼ିବା ଲାଗି ଅଧିକରୁ ଅଧିକ ସୁଯୋଗ ମିଳୁଛି। ଏପରି ଏକ ସମ୍ୱେଦନଶୀଳ ଏବଂ ସମାନତାପୂର୍ଣ୍ଣ ସମାଜ, ଯେଉଁଠି ପୁଅ ଏବଂ ଝିଅଙ୍କ ମଧ୍ୟରେ କୌଣସି ଭେଦଭାବ ନଥିବ, ଧର୍ମ ଆଧାରରେ କୌଣସି ଭେଦଭାବ ନଥିବ। ଏପରି ଏକ ସମ୍ୱେଦନଶୀଳ ସମାଜ, ଯାହା ମାନବସମ୍ୱଳରୂପୀ ଆମର ପୁଞ୍ଜିକୁ ସମୃଦ୍ଧ କରୁଥିବ, ଯାହାକି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ଅଧିକରୁ ଅଧିକ ନବଯୁବକମାନଙ୍କୁ କମ‌୍‍ ଖର୍ଚ୍ଚରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେଇ ସେମାନଙ୍କୁ ସମର୍ଥ କରୁଥିବ ଯେଉଁଠି ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଏବଂ କୁପୋଷଣ ଏକ ସମସ୍ୟା ହୋଇନଥିବ।

 

‘ନବ ଭାରତ’ର ଏକ ଅଭିପ୍ରାୟ ହେଉଛି ଯେ ଆମେ ଯେଉଁଠି ଛିଡ଼ା ହୋଇଛୁ ସେଠାରୁ ଆଗକୁ ଯାଉ। ତା’ହେଲେ ଆମେ ଏପରି ‘ନବ ଭାରତ’ର ନିର୍ମାଣ କରିପାରିବା ଯାହାକୁ ନେଇ ଆମ ସମସ୍ତଙ୍କ ମନରେ ଗର୍ବ ହେଉଥିବ। ଏପରି ଏକ ‘ନବ ଭାରତ’ ଯେଉଁଠି ପ୍ରତ୍ୟେକ ଭାରତୀୟ ନିଜର କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ବିକାଶ ଏବଂ ଉପଯୋଗ କରିବାରେ ଏପରି ସକ୍ଷମ ହେବ ଯେ ପ୍ରତ୍ୟେକ ଭାରତବାସୀ ସୁଖୀ ରୁହନ୍ତୁ। ଏପରି ଏକ ‘ନବ ଭାରତ’ ନିର୍ମାଣ ହେଉ ଯେଉଁଠି ପ୍ରତ୍ୟେକ ବ୍ୟକ୍ତିର ସମ୍ପୂର୍ଣ୍ଣ ଉଜାଗର ହୋଇପାରୁ ଏବଂ ସେ ସମାଜ ଏବଂ ରାଷ୍ଟ୍ର ପାଇଁ ନିଜ ଯୋଗଦାନ ଦେଇପାରୁ। ମୋର ସମ୍ପୂର୍ଣ୍ଣ ଭରସା ରହିଛି ଯେ ନାଗରିକ ଏବଂ ସରକାରଙ୍କ ମଧ୍ୟରେ ମଜଭୂତ ଭାଗିଦାରୀ ଆଧାରରେ ‘ନବ ଭାରତ’ର ଏହି ଲକ୍ଷ୍ୟକୁ ଆମେ ଅବଶ୍ୟ ହାସଲ କରିପାରିବା।

 

‘ବିମୁଦ୍ରୀକରଣ’ ସମୟରେ ଯେପରି ଭାବେ ଆପଣମାନେ ଅସୀମ ଧୈର୍ଯ୍ୟର ପରିଚୟ ଦେଇ କଳାଧନ ଏବଂ ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନର ସମର୍ଥନ କଲେ, ତାହା ଏକ ଦାୟିତ୍ୱସମ୍ପନ୍ନ ଏବଂ ସମ୍ୱେଦଶୀଳ ସାମାଜର ପ୍ରତିବିମ୍ୱ। ‘ବିମୁଦ୍ରୀକରଣ’ ପରେ ଦେଶରେ ସଚ୍ଚୋଟତା ପ୍ରବୃତ୍ତିକୁ ପ୍ରୋତ୍ସାହନ ମିଳିଛି। ସଚ୍ଚୋଟତାର ଭାବନା ଦିନକୁ ଦିନ ଆହୁରି ସୁଦୃଢ଼ ହେଉ, ସେଥିପାଇଁ ଆମକୁ ଲଗାତାର ପ୍ରୟାସ କରିବାର ଆବଶ୍ୟକତା ରହିଛି।

 

ମୋର ପ୍ରିୟ ଦେଶବାସୀ, ଆଧୁନିକ ଟେକ‌୍‍ନୋଲଜିକୁ ଅଧିକରୁ ଅଧିକ ପ୍ରୟୋଗ କରିବାର ଆବଶ୍ୟକତା ରହିଛି। ଆମକୁ ନିଜ ଦେଶବାସୀଙ୍କୁ ସଶକ୍ତ କରିବା ପାଇଁ ଟେକ‌୍‍ନୋଲଜିର ପ୍ରୟୋଗ କରିବାକୁ ହେବ, ଯାହାଦ୍ୱାରା ଗୋଟିଏ ପିଢ଼ି ସମୟରେ ଦାରିଦ୍ର୍ୟ ଦୂରୀକରଣର ଲକ୍ଷ୍ୟ ହାସଲ ହୋଇପାରିବ। ‘ନବ ଭାରତ’ରେ ଦାରିଦ୍ର୍ୟ ପାଇଁ କୌଣସି ସ୍ଥାନ ନାହିଁ। ଆଜି ସାରା ବିଶ୍ୱ ଭାରତକୁ ସମ୍ମାନର ସହ ଦେଖୁଛି। ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ପାରସ୍ପରିକ ସଂଘର୍ଷ, ମାନବୀୟ ସଂକଟ ଏବଂ ଆତଙ୍କବାଦ ଭଳି ଅନ୍ତର୍ଜାତୀୟ ସମସ୍ୟାର ମୁକାବିଲା କରିବାର ବିଶ୍ୱ ପରିଦୃଶ୍ୟରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିଶ୍ୱ ସମୁଦାୟର ଦୃଷ୍ଟିରେ ଭାରତର ସମ୍ମାନକୁ ଆହୁରି ବଢ଼ାଇବା ଲାଗି ଏକ ସୁଯୋଗ ରହିଛି - ବର୍ଷ ୨୦୨୦ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ ଖେଳରେ ଭାରତର ପ୍ରଦର୍ଶନ ପ୍ରଭାବଶାଳୀ କରିବା। ଏବେଠାରୁ ପାଖାପାଖି ତିନି ବର୍ଷରେ ହାସଲ କରିବାକୁ ଥିବା ଏହି ଉଦ୍ଦେଶ୍ୟ ପାଇଁ ଏକ ଜାତୀୟ ମିଶନ‌୍‍ ଗ୍ରହଣ କରିବା ଆବଶ୍ୟକ। ସରକାର, ଖେଳକୁଦ ସହିତ ଜଡ଼ିତ ପ୍ରତିଷ୍ଠାନ, ତଥା ବ୍ୟବସାୟିକ ପ୍ରତିଷ୍ଠାନ ଏକଜୁଟ‌୍‍ ହୋଇ ପ୍ରତିଭାଶାଳୀ ଖେଳାଳୀମାନଙ୍କୁ ଆଗକୁ ଆଣିବା, ସେମାନଙ୍କୁ ବିଶ୍ୱ ସ୍ତରର ସୁବିଧା ଏବଂ ପ୍ରଶିକ୍ଷର ଉପଲବ୍ଧ କରାଇବାରେ ଏପରି ପ୍ରୟାସ କରିବା ଉଚିତ‌୍‍ ଯାହାଦ୍ୱାରା ଖେଳାଳୀଙ୍କୁ ଅଧିକରୁ ଅଧିକ ସଫଳତା ମିଳିପାରିବ। ଆମେ ଦେଶରେ ରହୁ କିମ୍ୱା ବିଦେଶରେ, ଦେଶର ନାଗରିକ ଏବଂ ଭାରତ ମାତାର ସନ୍ତାନ ହୋଇଥିବା କାରଣରୁ, ଆମକୁ ପ୍ରତ୍ୟେକ ସମୟରେ ନିଜକୁ ଏହି ପ୍ରଶ୍ନ ପଚାରିବା ଉଚିତ‌୍‍ ଯେ ଆମେ ନିଜ ଦେଶର ଗୌରବ କିପରି ବୃଦ୍ଧି କରିପାରିବ।

 

ପ୍ରିୟ ଦେଶବାସୀ, ନିଜ ପରିବାର ବିଷୟରେ ଭାବିବା ସ୍ୱଭାବିକ ଅଟେ, କିନ୍ତୁ ଏଥିସହିତ ଆମକୁ ନିଜ ସମ୍ପୂର୍ଣ୍ଣ ସମାଜ ବିଷୟରେ ମଧ୍ୟ ଭାବିବା ଆବଶ୍ୟକ। ଆମକୁ ନିଜ ଅନ୍ତର୍ମନର ସେହି ସ୍ୱର ପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବା ଉଚିତ ଯାହା ଅମକୁ କମ‌୍‍ ଏବଂ ଅଧିକ ନିଃସ୍ୱାର୍ଥ ହେବା ଲାଗି କହିଥାଏ, କର୍ତ୍ତବ୍ୟ ପାଳନଠାରୁ ଊର୍ଦ୍ଧ୍ୱକୁ ଯାଇ ଆମ ସମ୍ମୁଖରେ ଆହୁରି ଅଧିକ କିଛି କରିବାର ଆହ୍ୱାନ ରହିଛି। ନିଜ ସନ୍ତାନମାନଙ୍କ ଲାଳନ-ପାଳନ କରୁଥିବା ମା’ କେବଳ ନିଜ କର୍ତ୍ତବ୍ୟ ପାଳନ କରିନଥାଏ। ସେ ଅଦ୍ୱିତୀୟ ସମର୍ପଣ ଏବଂ ନି।ର ଏପରି ଏକ ଉଦାହରଣ ପ୍ରସ୍ତୁତ କରିଥାଏ ଯାହାକୁ ଶବ୍ଦରେ ବ୍ୟକ୍ତ କରିବା ମଧ୍ୟ ଅସମ୍ଭବ।

 

ଉତ୍ତପ୍ତ ମରୁଭୂମି ଏବଂ ଥଣ୍ଡା ପାହାଡ଼ର ଉଚ୍ଚତାରେ ଆମର ସୀମାକୁ ସୁରକ୍ଷା ଦେଉଥିବା ଆମର ସୈନିକ କେବଳ ନିଜ କର୍ତବ୍ୟର ହିଁ ପାଳନ କରିନଥାନ୍ତି - ବରଂ ନିଃସ୍ୱାର୍ଥ ଭାବରେ ଦେଶର ସେବା କରିଥାନ୍ତି। ଆତଙ୍କବାଦ ଏବଂ ଅପରାଧର ମୁକାବିଲା କରି ମୃତ୍ୟୁକୁ ଆହ୍ୱାନ କରି ଆମକୁ ସୁରକ୍ଷିତ ରଖୁଥିବା ଆମ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନ କେବଳ ନିଜ କର୍ତ୍ତବ୍ୟର ପାଳନ କରିନଥାନ୍ତି, ବରଂ ନିଃସ୍ୱାର୍ଥ ଭାବରେ ଦେଶର ସେବା କରିଥାନ୍ତି। ଆମର କୃଷକ, ଦେଶର କୌଣସି ଦୂରବର୍ତ୍ତୀ କୋଣରେ ରହୁଥିବା ନିଜର ସେହି ଦେଶବାସୀଙ୍କ ପେଟ ଭରିବା ଲାଗି, ଯେଉଁମାନଙ୍କୁ ସେମାନେ କେବେ ଦେଖି ସୁଦ୍ଧା ନଥିବେ, ଖୁବ‌୍‍ କଷ୍ଟକର ପରିସ୍ଥିତିରେ କଠିନ ପରିଶ୍ରମ କରିଥାନ୍ତି। ସେହି କୃଷକ କେବଳ ନିଜ କାର୍ଯ୍ୟ କରିନଥାନ୍ତି, ବରଂ ନିଃସ୍ୱାର୍ଥ ଭାବରେ ଦେଶର ସେବା କରିଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପରେ ଉଦ୍ଧାର ଏବଂ ରକ୍ଷା କାର୍ଯ୍ୟରେ ଦିନରାତି ଲାଗି ରହିଥିବା ସମ୍ୱେଦନଶୀଳ ନାଗରିକ, େସ୍ୱଚ୍ଛାସେବୀ ସଂସ୍ଥା ସହିତ ଜଡ଼ିତ ଲୋକ, ସରକାରୀ ଏଜେନ୍ସୀର କାମ କରୁଥିବା କର୍ମଚାରୀ କେବଳ ନିଜ ଉତ୍ତରଦାୟିତ୍ୱ ତୁଲାଇନଥାନ୍ତି, ବରଂ ନିଃସ୍ୱାର୍ଥ ଭାବରେ ଦେଶର ସେବା କରିଥାନ୍ତି।

 

କ’ଣ ଆମେ ସମସ୍ତେ, ଦେଶର ନିଃସ୍ୱାର୍ଥ ସେବାର ଏହି ଭାବକୁ ଆତ୍ମସ୍ଥ କରିପାରିବା ନାହିଁ? ମୋର ବିଶ୍ୱାସ ଯେ ଆମେ ଏହା ଅବଶ୍ୟ କରିପାରିବା, ଏବଂ  ଆମେ ଏହା କରିଛୁ ମଧ୍ୟ।

ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ମାତ୍ର ନିବେଦନରେ, ୧ କୋଟିରୁ ଅଧିକ ପରିବାର ସ୍ୱଇଚ୍ଛାରେ ଏଲପିଜି ଉପରେ ମିଳୁଥିବା ସବସିଡି ଛାଡ଼ି ଦେଇଛନ୍ତି।  ଏପରି ସେହି ପରିବାରଗୁଡ଼ିକ ଏଥିପାଇଁ କରିଛନ୍ତି ଯେ ଏହାଦ୍ୱାରା ଗୋଟିଏ ଗରିବ ପରିବାରର ରୋଷେଇ ଘର ପର୍ଯ୍ୟନ୍ତ ଗ୍ୟାସ‌୍‍ ସିଲିଣ୍ଡର ପହଂଚିପାରିବ ଏବଂ ସେହି ପରିବାର ଝିଅବୋହୂମାନେ ମାଟି ଚୁଲିର ଧୂଆଁରୁ ହେଉଥିବା ଆଖି ଏବଂ ଫୁସଫୁସ‌୍‍ର ରୋଗରୁ ମୁକ୍ତ ହୋଇପାରିବେ।

 

ମୁଁ ସବ‌୍‍ସିଡି ତ୍ୟାଗ କରିଥିବା ସେପରି ପରିବାରକୁ ପ୍ରଣାମ କରୁଛି। ସେମାନେ ଯାହା କରିଛନ୍ତି, ତାହା କୌଣସି ଆଇନ କିମ୍ୱା ସରକାରୀ ଆଦେଶର ପାଳନ ନଥିଲା। ସେମାନଙ୍କ ଏହି ନିଷ୍ପତି ପଛରେ ସେମାନଙ୍କ ଅନ୍ତର୍ମନର ସ୍ୱର ରହିଛି। ଆମକୁ ଏସବୁ ପରିବାରଠାରୁ ପ୍ରେରଣା ନେବା ଆବଶ୍ୟକ। ଆମ ଭିତରୁ ପ୍ରତ୍ୟେକଙ୍କୁ ସମାଜରେ ଯୋଗଦାନ କରିବାର ଉପାୟ ଖୋଜିବା ଉଚିତ‌୍‍। ଆମ ଭିତରୁ ପ୍ରତ୍ୟେକଙ୍କୁ କୌଣସି ଏକ ଏପରି କାମ ବାଛିବା ଉଚିତ‌୍‍ ଯେଉଁଥିରୁ କୌଣସି ଜଣେ ଗରିବର ଜୀବନରେ ପରିବର୍ତ୍ତନ ଆସିପାରିବ।

 

ରାଷ୍ଟ୍ର ନିର୍ମାଣ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ଆମକୁ ନିଜ ପରବର୍ତ୍ତୀ ପିଢି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ। ଆର୍ଥିକ କିମ୍ୱା ସାମାଜିକ ସୀମା କାରଣରୁ ଆମର ଜଣେ ମଧ୍ୟ ଶିଶୁ ପଛରେ ରହିନଯାଉ। ସେଥିପାଇଁ ମୁଁ ରାଷ୍ଟ୍ର ନିର୍ମାଣରେ ଲାଗିଥିବା ନିଜର ସମସ୍ତ ଲୋକମାନଙ୍କୁ ସମାଜର ଗରିବ ଶିଶୁଙ୍କ ଶିକ୍ଷା ପାଇଁ ସାହାଯ୍ୟ କରିବା ଲାଗି ଆହ୍ୱାନ କରୁଛି। ନିଜ ଶିଶୁଙ୍କ ସହିତ, କେହି ଜଣେ ଗରିବ ଶିଶୁ ପାଠପଢ଼ା ପାଇଁ ସାହାଯ୍ୟ କରନ୍ତୁ। ଏହି ସାହାଯ୍ୟ କୌଣସି ଶିଶୁର ସ୍କୁଲ‌୍‍ରେ ନାମଲେଖା ହୋଇପାରେ, କୌଣସି ଶିଶୁର ଫି’ ଭରିବା ହୋଇପାରେ କିମ୍ୱା କୌଣସି ଶିଶୁ ପାଇଁ ପୁସ୍ତକ କିଣିବା ହୋଇପାରେ। ଅଧିକ ନୁହେଁ, କେବଳ ଜଣେ ଶିଶୁ ପାଇଁ। ସମାଜର ପ୍ରତ୍ୟେକ ବ୍ୟକ୍ତି ନିଃସ୍ୱାର୍ଥ ଭାବରେ ଏପରି କାମ କରି ରାଷ୍ଟ୍ର ନିର୍ମାଣରେ ନିଜ ଭୂମିକା ରେଖାଙ୍କିତ କରିପାରିବେ।

 

ଆଜି ଭାରତ ମହାନ ଉପଲବ୍ଧୀର ପ୍ରବେଶ ଦ୍ୱାରରେ ଛିଡ଼ା ହୋଇଛି। ଆଗାମୀ କିଛି ବର୍ଷ ମଧ୍ୟରେ, ଆମେ ଏକ ପୂର୍ଣ୍ଣ ସାକ୍ଷର ସମାଜ ହୋଇଯିବା। ଆମକୁ ଶିକ୍ଷାର ମାନଦଣ୍ଡ ଆହୁରି ମଧ୍ୟ ଉଚ୍ଚ କରିବାକୁ ହେବ ତା’ହେଲେ ଆମେ ଏକ ପୂର୍ଣ୍ଣ ଶିକ୍ଷିତ, ମାର୍ଜିତ ଏବଂ ସଂସ୍କୃତିସଂପନ୍ନ ସମାଜ ହୋଇପାରିବା। ଆମେ ସମସ୍ତେ ଏସବୁ ଲକ୍ଷ୍ୟକୁ ପାଇବାର ପ୍ରୟାସରେ ଭାଗିଦାର ଅଟୁ। ଯେତେବେଳେ ଆମ ଏହି ଲକ୍ଷ୍ୟ ହାସଲ କରିନେବା, ତା’ହେଲେ ଆମ ନିଜ ଆଖି ଆଗରେ ନିଜ ଦେଶରେ ହେଉଥିବା ବ୍ୟାପକ ପରିବର୍ତ୍ତନ ଦେଖିପାରିବା। ଏହିପରି ଆମେ ଏହି ପରିବର୍ତ୍ତନ ବାହକ ହୋଇପାରିବା। ରାଷ୍ଟ୍ର ନିର୍ମାଣ ଦିଗରେ କରାଯାଇଥିବା ଏହି ପ୍ରୟାସ ହିଁ ଆମ ସମସ୍ତଙ୍କ ପ୍ରକୃତ ସାଧନା ହେବ।

 

ଅଢ଼େଇ ହଜାର ବର୍ଷ ପୂର୍ବେ, ଗୌତମ ବୁଦ୍ଧ କହିଥିଲେ, ଅପ୍ପଦିପୋ ଭବ, ଅର୍ଥାତ‌୍‍ ନିଜେ ନିଜର ଦୀପ ହୁଅ। ଯଦି ଆମେ ତାଙ୍କର ଶିକ୍ଷାକୁ ଗ୍ରହଣ କରି ଆଗକୁ ବଢ଼ିବା ତା’ହେଲେ ଆମେ ସମସ୍ତେ ମିଶି ସ୍ୱାଧୀନତାର ଲଢ଼େଇ ସମୟରେ ଅଦମ୍ୟ ଉତ୍ସାହ ଏବଂ ଉଦ୍ଦୀପନାର ଭାବନା ସହିତ ୧୨୫ କୋଟି ଦୀପ ହୋଇପାରିବା; ଏସବୁ ଦୀପ ଯେପର୍ଯ୍ୟନ୍ତ ସାଥୀ ହୋଇ ଜଳୁଥିବ ସୂର୍ଯ୍ୟଙ୍କ ଆଲୋକ ଭଳି ସେହି ଆଲୋକ ସଂସ୍କୃତିସଂପନ୍ନ ଏବଂ ବିକଶିତ ଭାରତର ମାର୍ଗକୁ ଆଲୋକିତ କରିବ।

 

ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଦେଶର ୭୧ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ହାର୍ଦ୍ଦିକ ଶୁଭକାମନା ଜଣାଉଛି।

 

ଜୟ ହିନ୍ଦ‌୍‍। ବନ୍ଦେ ମାତରମ‌୍‍।

(ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାର ଜାତି ଉଦ୍ଦଶ୍ୟେର ରାଷ୍ଟ୍ରପତି ଦଇଥ‍ବା ଭାଷଣର ସଂପାଦିତ ଅଯଶ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top