ଆହାରେ ଭଲ ମନ୍ଦ ନାହିଁ!

News Story - Posted on 2017-08-14

ରବି କାନୁନଗୋ

 

ଆହାରେ ଭଲ ମନ୍ଦ ନାହିଁ, ଯେ ସ୍ଥାନେ ଯେମନ୍ତ ମିଳଇ। ଜଗନ୍ନାଥ ଦାସ ଭାଗବତର ଏ ପଦକ ଭକ୍ତଙ୍କ ତୁଣ୍ଡରୁ ନାନା ଅର୍ଥରେ ଶୁଣାଯାଏ। ଶାସ୍ତ୍ର- ସବୁବେଳେ ଠିକ‌୍‍ କଥା କହେ। ଏ କଥା ବେଳ ଆସିଲେ ଆମେ ବୁଝୁ। ନ ହେଲେ ଆମ ଭିତରେ ତାହା ରହେ କବିତାପ୍ରାୟ। ବେଳେବେଳେ ଗୀତ ମରି ଯାଏ। କିନ୍ତୁ ଆଇଡିଆ ବଞ୍ଚି ରହେ, କାଳେ ତାକୁ ଧରି ଆଉ କିଏ ଗୀତଟିଏ ଲେଖିବ ବୋଲି।

 

ଆହାରେ ଭଲ ମନ୍ଦ ନାହିଁ- ଅର୍ଥ ୧. ଯାହା ପାଉଛ, ଦିଲିଗିଲି ନ ହୋଇ ଖାଇଦିଅ। ଶାନ୍ତିରେ ଖାଇଲେ, ଆହୁରି ଶାନ୍ତିରେ ରହିବ। ନ ହେଲେ କଲିକ‌୍‍ ବେମାରି ହେବ। ୨. ଭଲ ଖାଇବ। ‘ଭଲ’ର ଅର୍ଥ- ଖାଦ୍ୟ ଗ୍ରହଣରେ ମିତାଚାରୀ, ଶିଷ୍ଟ, ସାତ୍ତ୍ୱିକ. ସମୟୋପଯୋଗୀ ଇତ୍ୟାଦି ହେବ ଏବଂ ମନ୍ଦ ଖାଇବ ନାହିଁ। ‘ମନ୍ଦ’ର ମାନେ ବି ସେମିତି ଆଠ ଦଶ ଧାଡ଼ି। ଏଡେ଼ କଥା ମାତ୍ର ନଅଟି ଅକ୍ଷରରେ କୁହାଗଲା। ଅତିବଡ଼ୀଙ୍କ ବେଳେ ବୋଧେ ‘କମା‘ (,) ବ୍ୟବହାର ନ ଥିଲା। ‘ଭଲ’ ଓ ‘ମନ୍ଦ’ ଏ ଦୁଇଟି ଶବ୍ଦ ଭିତରେ ସେଥିରୁ ଗୋଟିଏ ଚିହ୍ନ ମାରିଲେ କାମ ସରିଥା’ନ୍ତା।

୩.  ଭକ୍ତଙ୍କ ପ୍ରଭାବରେ ଏ ପଦର ଅର୍ଥ ଆହୁରି ବଦଳି ଗଲା। ଯାହା ମିଳୁଛି ଖାଇ ଯା’। ଆଜି ଭୋଜି କର, କାଲି ସଂକ୍ରାନ୍ତି ପାଳିଲେ ଚଳିବ। ଜଗନ୍ନାଥ ଦାସ କହିଛନ୍ତି ପରା- ଯେ ସ୍ଥାନେ ଯେମନ୍ତ ମିଳଇ! ଆଜି ଖାଇ ଦେ’, କାଲି ଉପାସ କରିବୁ। କାଲିକି କ’ଣ ଆଉ ଶାଗୁଆତି ମିଳିବ?

 

‘ଧର୍ମ ବିଚାରେ ଧାର୍ମିକ’ - ଏ ନ୍ୟାୟ ସବୁ କାଳରେ ଟାଣ। ସହଜିଆମାନଙ୍କୁ ତିନି ନମ୍ୱରଟି ଭଲ ଲାଗେ। ସରକାରୀ ‘ଭାଗବତ ଘର’ର ଗାଦି-ଗୋସେଇଁଙ୍କ ସାମ୍ନାରେ ମାସକୁ ଆଠ ଦଶ ଥର ଖାସି କୁକୁଡ଼ା ଭୋଜି ହେଉଛି। ସବୁଗୁଡ଼ିକ ପାର୍ଟି ଅଫିସ‌୍‍ରେ ପରିଣତ ହୋଇଛି। ସେଠି ମଦ ମାସକୁ ତିରିଶ ଦିନ, ଦିନକୁ ତିନି ସିଫ୍ଟ‌୍‍। ଏ ପଦର ତତ୍ତ୍ୱାବଧାରକ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଭାଗବତ ଓ ଆହାରର ‘ଭଲ ମନ୍ଦ’କୁ କେମିତି ବିଶ୍ୱାସ କରନ୍ତି, ଆମେ ଜାଣୁନା।

 

ମନେ ପଡ଼ୁଛି ଜଣେ ସନ୍ୟାସୀଙ୍କର ଗୋଟିଏ ପ୍ରବଚନ। ସେ ‘ଆହା’ ଶବ୍ଦକୁ ଅଲଗା କରି ପଦଟିର ବ୍ୟାଖ୍ୟା କଲେ। ଆହାର ବା ଖାଦ୍ୟ ସହିତ ତା’ର କିଛି ବି ସଂପର୍କ ନ ଥିଲା। ଥିଲା- ମଣିଷପଣିଆ ମାପିବାକୁ ସୂତ୍ରଗୁଡ଼ିଏ।

 

‘ଆହା’ - ଏ ପଦ ଏତେ ସହଜ ନୁହେଁ ବା ନିଷ୍ଠୁର ବି ନୁହେଁ। ଧରି ନିଆଯାଏ ଯେ ଆତ୍ମାକୁ ନ ଛୁଇଁଲେ ଇଏ ପାଟିରୁ ବାହାରେ ନାହିଁ। ସେଥିପାଇଁ ସ୍ଥାନ କାଳ ପାତ୍ର ବିଚାର କରାଯାଏନା- ‘ଯେ ସ୍ଥାନେ ଯେମନ୍ତ ମିଳଇ’। ଏଥିରେ ଖିଆପିଆ କିଛି ନାହିଁ - କିନ୍ତୁ ଭାଗବତ ପଦ ଏକଦମ‌୍‍ ଫିଟ‌୍‍। ବାବାଙ୍କ ଆଇଡ଼ିଆରେ ଏହା ବୃହତ୍ତର ମାନବବାଦ। ତା’ ପାଖରେ ଜାତି, ଧର୍ମ କି ଭେଦ କି ପତିଆରା କିଛି ଚାଲେନି। ଆହା ହେଉଛି ଆତ୍ମାର ଉଚ୍ଚାରଣ।

 

ଆର ପଟ ରାସ୍ତାରେ ଆକ୍ସିଡେଣ୍ଟ‌୍‍। ମୁଁ ପାଖକୁ ଯାଇ ତାକୁ ‘ନିଜ’ ଲୋକ ବୋଲି ନ ଠଉରେଇଲା ପର୍ଯ୍ୟନ୍ତ ମନରେ ଆସୁଥିବା ‘ଆହା’ ପଦ ଯଦି କହିବାକୁ ସ୍ଥଗିତ ରଖିବି -ମୁଁ ଜଣେ ବିଚକ୍ଷଣ ଧୈର୍ଯ୍ୟଶୀଳ ନାଗରିକ ହୋଇପାରେ, ମାତ୍ର ସମସ୍ତେ କହିବେ, ଅମଣିଷ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top