ପ୍ରତିଶ୍ରୁତିରେ ଜଳକା ବ୍ରହ୍ମପୁରବାସୀ

News Story - Posted on 2017-08-14

ନାହିଁ ନାହିଁର ସହର ବ୍ରହ୍ମପୁର କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଅପେକ୍ଷା ଏହି ଜିଲ୍ଲାର ଗୁରୁତ୍ୱ କେବଳ ଶୁଣିବାକୁ ଭଲ ଲାଗେ। ଖୋଦ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର ପ୍ରତିନିଧି। ହେଲେ ସ୍ମାର୍ଟସିଟି ପ୍ରକଳ୍ପ ଭୁବନେଶ୍ୱର‌୍‍ ସହର ପାଇଲା। ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ଭାବେ ବ୍ରହ୍ମପୁର ସହର ଏକ ପ୍ରମୁଖ ଦାବୀଦାର ରହିଥିଲେ ସୁଦ୍ଧା ସ୍ମାର୍ଟସିଟି ପ୍ରକଳ୍ପ ପାଇଲା ନାହିଁ। ବ୍ରହ୍ମପୁର‌୍‍ ସହରକୁ ସ୍ମାର୍ଟସିଟିରେ ପରିଣତ କରିବା ନିମନ୍ତେ ଆବାଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯିବ ବୋଲି ବିଭିନ୍ନ ସମୟରେ ବ୍ରହ୍ମପୁରର ବହୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଆସିଥିଲେ ସୁଦ୍ଧା ଏହା କେବଳ ବୈଠକରେ ସୀମିତ ରହିଯାଇଛି।

 

ବ୍ରହ୍ମପୁର ସହର ଏକ ସମସ୍ୟା ବହୁଳ ସହର। ଏଥିପ୍ରତି ରାଜନେତା କିମ୍ୱା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସହରର ରାସ୍ତାଘାଟ, ନାଳନର୍ଦ୍ଦମା କଥା ନକହିବା ଭଲ। ଆବର୍ଜନାର ପାହାଡରେ ସହରଟି ଠିଆ ହୋଇଛି, ଯୁଆଡେ ଦେଖିଲେ କୁଢ କୁଢ ମଇଳା। ଡ୍ରେନଗୁଡିକ ପୋତି ହେବାକୁ ବସିଲାଣି। ବାହାଘର ବେଳେ ବାଇଗଣ ରୁଆ ଭଳି ବର୍ଷା ଦିନରେ ତିଆରି ହେଉଛି ରାସ୍ତା, ଡ୍ରେନ ଏବଂ ପଖୋରୀର ପୁନରୁଦ୍ଧାର କାର୍ଯ୍ୟ। ଏଠାକାର ପ୍ରଶାସନ ହାତରେ ସବୁ ଅଭିଯୋଗର ଶୁଣାଣି କେବଳ କାଗଜ କଲମରେ ସୀମିତ। ଏଠାକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ନକହିବା ଭଲ। ଡାକ୍ତରମାନଙ୍କ ତାଲିବାନ ଶାସନରେ ରୋଗୀ ହନ୍ତସନ୍ତ। କୋଟି କୋଟି ଟଙ୍କାରେ ନିର୍ମିତ ଏମ‌୍‍.କେ.ସି.ଜି ମେଡିକାଲ କୋଠା କେବଳ ଚାକଚାକ୍ୟରେ ସୀମିତ। ୩୯୮ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ଏହାର କୋଠା ଦେଖିବାକୁ ଅତି ସୁନ୍ଦର। କିନ୍ତୁ ଚିକିତ୍ସା କ୍ଷେତ୍ରରେ ପ୍ରତ୍ୟେକ ଦିନ ବିଭିନ୍ନ ଗଣମାଧ୍ୟମରେ ଏହାର ଅବନତି ଏବଂ ଡାକ୍ତରମାନଙ୍କ ଏକଛତ୍ରବାଦୀ ଆଚରଣ ସଂପର୍କରେ ଖବର ପ୍ରକାଶ ପାଏ। ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଏ ନାହିଁ।

 

ଲୋକଙ୍କର ବହୁଦିନର ଦାବି ସତ୍ତ୍ବେ ନା ଏଠାରେ ହେଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ନା ହେଲା କମିସନରେଟ‌୍‍ ପୋଲିସ ବ୍ୟବସ୍ଥା। ଲୋକଙ୍କୁ ମନେଇବା ପାଇଁ ଆବଶ୍ୟକ ଭିତ୍ତିଭୂମି ନଥାଇ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଯାଏ ବିଭିନ୍ନ ପ୍ରକଳ୍ପ। ଆନ୍ତରିକତା ଅଭାବରୁ ଭିତ୍ତିଭୂମି ସୃଷ୍ଟି ହୋଇପାରେ ନାହିଁ। ଯାହାଫଳରେ ହାତଛଡ଼ା ହୋଇଗଲା ସ୍ମାର୍ଟସିଟି ମାନ୍ୟତା।

 

ପୂର୍ବରୁ ବ୍ରହ୍ମପୁର ସହରର ପ୍ରମୁଖ ସମସ୍ୟା ଯଥା ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତାଘାଟ, ନାଳନର୍ଦ୍ଦମାର ଉନ୍ନତି, ସର୍ବୋପରି ରାମଲିଙ୍ଗମ‌୍‍ ବନ୍ଧର ସୌନ୍ଦର୍ଯ୍ୟକରଣ ଏବଂ ବ୍ରହ୍ମପୁରରେ ତିଆରି ହେବାକୁ ଥିବା ୪୨ଟି ରୋଡ଼‌୍‍ ଉପରେ ବିଏମ‌୍‍ସିର ପୂର୍ବତନ କମିଶନର‌୍‍ଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଏହି ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରି ବ୍ରହ୍ମପୁରକୁ କିଭଳି ସ୍ମାର୍ଟସିଟି କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। ସ୍ମାର୍ଟସିଟି ପାଇଁ ଯେଉଁସବୁ ଭିତ୍ତିଭୂମି ଆବଶ୍ୟକ ତାହା ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ବ୍ରହ୍ମପୁରବାସୀଙ୍କ ସହଯୋଗ ଲୋଡ଼ିଥିଲେ। କିନ୍ତୁ ଖୋଦ‌୍‍ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୩ ବିଧାୟକ, ୩ ଜଣ ମନ୍ତ୍ରୀ,  ୨ ସାଂସଦ ଗଂଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ବ୍ରହ୍ମପୁର ସହରକୁ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ଯେଉଁସବୁ ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହା ପୂରଣ କରାଯାଇ ପାରିଲା ନାହିଁ। ସରକାରୀ ଆନ୍ତରିକତାର ଅଭାବ ଏବଂ ଜିଲ୍ଲା ପ୍ରଶାସନର ତତ୍ପରତାର ଅଭାବ ଯୋଗୁଁ ଏହା ସମ୍ଭବ ହୋଇପାରୁ ନଥିବା ଅଭିଯୋଗ ହେଉଛି।

 

ବିଭିନ୍ନ ସମୟରେ ଜନଆନ୍ଦୋଳନ ବିଭିନ୍ନ ସମସ୍ୟାକୁ ନେଇ ମୁଣ୍ଡ ଟେକୁଥିଲା ବେଳେ ତାହା ଦୁଇ ଦିନିଆ ଭାଗବତ ପରି ଉଭେଇ ଯାଉଛି। ଏହା ଏକ ସମସ୍ୟା ବହୁଳ ସହର ହୋଇଥିବା ବେଳେ ପ୍ରଶାସନ ତରଫରୁ ସମସ୍ୟାର ସମାଧାନ ପ୍ରତି କୌଣସି ଆନ୍ତରିକତା ନଥିବା ଦେଖାଯାଉଁଛି। ଆଜି ସୁଦ୍ଧା ସହରର ପାଣି ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଜାନିବିଲ ପ୍ରକଳ୍ପ ଯୋଜନା କେବେ ସରିବ ତାହା ସମୟ କହିବ। ବିଏମ‌୍‍ସି ଟ୍ୟାକ୍ସ ଆଦାୟ କରିବାରେ ବ୍ୟସ୍ତ। କିନ୍ତୁ ଠେଲା ବେପାରୀଙ୍କ ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇି ପରିଲା ନାହିଁ। ବେସରକାରୀ ସଂସ୍ଥା ହାତରେ ଟେକି ଦିଆଯାଇଛି ପରିମଳ ବ୍ୟବସ୍ଥା।

 

ସେ ଯାହାବି ହେଉ ଏବେ ଶ୍ରେଷ୍ଠ ବ୍ରହ୍ମପୁର ଗଢ଼ିବାକୁ ଏକ ପ୍ରୟାସ ଆରମ୍ଭ ହୋଇଛି। ଏବେ ସହରର ଭିତ୍ତିଭୂମି ବିକାଶ ପ୍ରତି ଦୃଷ୍ଟି ଦେବା ନିହାତି ଦରକାର। କେବଳ ରବିବାର ଦିନ କିଛି ସଂସ୍ଥାକୁ ହାତ ବାରିସି କରି ଶ୍ରେଷ୍ଠ ବ୍ରହ୍ମପରୁର କରିବା ଏହା ଏକ ଦିବା ସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ।

 

ହାଇକୋର୍ଟର ସ୍ଥାୟୀ ବେଞ୍ଜ ପ୍ରତିଷ୍ଠା ପାଇଁ ଜିଲ୍ଲା ଓକିଲ ସଂଘ ପ୍ରତିମାସର ୪ ଦିନ ଛୁଟି ମନାଇ ଧାରଣାରେ ବସୁଥିବା ବେଳେ ଦୃଢ଼ତା ଦେଖିବାକୁ ମିଳୁନାହିଁ। ଯାହାଫଳରେ ଏଥିପ୍ରତି କାହାର ଗୁରୁତ୍ୱ ପରିଲକ୍ଷିତ ହେଉନାହିଁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁରବାସୀଙ୍କ ଭାବନା ସହ ଖେଳି ଯୁଦ୍ଧକାଳୀନ ଭିତ୍ତିରେ ସରକାର ବ୍ରହ୍ମପୁରରେ କମିଶନରେଟ‌୍‍ ପୋଲିସ‌୍‍ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ଘୋଷଣା କରିଥିଲେ। ତାହା ମଧ୍ୟ କାଗଜ କଲମରେ ସିମୀତ ରହିଗଲା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top