୨୫ କୋଟି ଟଙ୍କାର ବସଷ୍ଟାଣ୍ଡ ଭୂତକୋଠି

News Story - Posted on 2017-08-14

 

ଗଂଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର ଏବଂ ବ୍ରହ୍ମପୁର ସହର ନିକଟସ୍ଥ ହଳଦିଆପଦରଠାରେ ବିଡ଼ିଏ ପକ୍ଷରୁ ନବ ନିର୍ମିତ ମଡ଼ର୍ଣ୍ଣ ବସ‌୍‍ ଟର୍ମିନସ୍‌ ଅବ୍ୟବହୃତ ହୋଇ ପଡ଼ିଛି। ଗତ ଫେବୃୟାରୀ ୨, ୨୦୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ବସ‌୍‍ଷ୍ଟାଣ୍ଡ‌ର ଉଦ‌୍‍ଘାଟନ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ବସ‌୍‍ଷ୍ଟାଣ୍ଡ‌୍‍ ନିର୍ମାଣ ଓ ଉଦ‌୍‍ଘାଟନ କରାଯାଇଥିବା ବେଳେ ୧୮ ମାସ ହେଲା ଅବ୍ୟବହୃତ ପଡ଼ିରହିଛି। ଆଜିସୁଦ୍ଧା ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ କାର୍ଯ୍ୟକ୍ଷମ ହୋଇନାହିଁ।

 

ଏହି ଅତ୍ୟାଧୁନିକ ବସ‌୍‍ଷ୍ଟାଣ୍ଡ‌୍‍ରୁ ସହରର ସମସ୍ତ ବସ୍‌ ଯାତାୟତ କରିବ ବୋଲି ପୂର୍ବରୁ ସୂଚନା ମିଳିଥିଲା। ବ୍ରହ୍ମପୁର ସହରର ଟ୍ରାଫିକ‌୍‍ ସମସ୍ୟାରେ ସୁଧାର ଆଣିବା ପାଇଁ ଉକ୍ତ ବସ‌୍‍ଷ୍ଟାଣ୍ଡ‌୍ ନିର୍ମାଣ ହୋଇଥିବା ସ୍ଥଳେ କୋଟିକୋଟି ଟଙ୍କାର ଏହି ବସ‌୍‍ଷ୍ଟାଣ୍ଡ‌୍‍ ବର୍ତ୍ତମାନ ଭୂତକୋଠି ପାଲଟିବାକୁ ଯାଉଛି। ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ କାର୍ଯ୍ୟକ୍ଷମ ହେଲେ ସହରର ଟ୍ରାଫିକ‌୍‍ ସମସ୍ୟାରେ ଯଥେଷ୍ଟ ସୁଧାର ଆସିବା ସମ୍ଭାବନା ରହିଛି। ସଥ‍ପାଇଁ ପୋଲିସ‌୍‍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ହଳଦିଆପଦର ଠାରେ ବସ‌୍‍ଷ୍ଟାଣ୍ଡ‌୍‍ ପାଇଁ ସ୍ଥାନ ନିରୂପଣ କରି ବିଡ଼ିଏକୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍କୁ ଜାତୀୟ ରାଜପଥ ସଂଯୋଗ କରୁଥିବାରୁ ବିଭିନ୍ନ ଦୂରସ୍ଥାନକୁ ଯାତାୟତ କରୁଥିବା ବସ‌୍‍ଗୁଡ଼ିକ ଏଠାରୁ ଯାତାୟତ ପାଇଁ ଉପଯୁକ୍ତ ସ୍ଥାନ ବୋଲି ମତପ୍ରକାଶ ପାଇଥିଲା। ଏହାଦ୍ୱାରା ସହରରେ ଟ୍ରାଫିକ‌୍‍ ସମସ୍ୟାର ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଥିଲା।

 

ସେହିଭଳି ଛତ୍ରପୁରଠାରେ ଏକ ବସ‌୍‍ଷ୍ଟାଣ୍ଡ ୫୬୮. ୦୭ ଲକ୍ଷ ଟଙ୍କାରେ ତା ୨୪. ୦୮.୨୦୧୫ ରେ ନିର୍ମିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତା ୧୯. ୧୧. ୨୦୧୬ରେ ଉଦ‌୍‍ଘାଟନ ହୋଇଥିଲା ଏହା ମଧ୍ୟ ଏକ ବର୍ଷ ପୂରିବାକୁ ବସିଲାଣି। ଠିକ‌୍‍ ସେହିଭଳି ଗୋପାଳପୁର ଠାରେ ଅନ୍ୟ ଏକ ବସଷ୍ଟାଣ୍ଡ ୪୯୧. ୮୫ ଲକ୍ଷ ଟଙ୍କାରେ ତା ୨୦.୦୫.୨୦୧୪ରୁ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବା ପରେ ତା ୨୫.୦୭.୨୦୧୬ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ‌୍‍ଘାଟିତ ହୋଇଯାଇଛି।  ବର୍ତ୍ତମାନ ଏସବୁ ବସ‌୍‍ଷ୍ଟାଣ୍ଡ ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡା ସ୍ଥଳି ପାଲଟିଛି। ଜିଲ୍ଲାରେ ଘଟି ଯାଉଥିବା ବିଭିନ୍ନ ଚୋରି ଡକାୟତି ଏବଂ ହତ୍ୟାକାଣ୍ଡରୁ ଆରମ୍ଭ କରି ସବୁ କିଛି ଅପରାଧର ବ୍ଲ୍ୟୁ ପ୍ରିଣ୍ଟ‌୍‍ ଅପରାଧୀମାନେ ଏହି ସ୍ଥାନରେ କରିବାକୁ ନିରାପଦ ମନେକରୁଛନ୍ତି।

 

ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍କୁ ଉପଯୋଗୀ କରିବାକୁ ବେସରକାରୀ ବସ‌୍‍ ମାଲିକ, ବିଡ଼ିଏ, ରାସ୍ତା ଏବଂ କୋଠାବାଡ଼ି ବିଭାଗ, ତହସିଲ‌୍‍ଦାର‌୍‍ ପ୍ରମୁଖଙ୍କୁ ନେଇ ଏକ ଆଲୋଚନା ବୈଠକ ବସିଥିଲା। କିନ୍ତୁ କୌଣସି ଫଳ ମିଳିଲାନାହିଁ। ଯଦି ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍କୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ସମସ୍ୟା ରହିଛି ତେବେ ଉଦ‌୍‍ଘାଟନ ପୂର୍ବରୁ ତାହାର ସମାଧାନ କରାଯିବା ଆବଶ୍ୟକ ଥିବାବେଳେ ତାହା ନକରି ଲୋକ ଦେଖାଣିଆ ଭାବେ କାହିଁକି ଉଦ‌୍‍ଘାଟନ କରାଗଲା ବୋଲି ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍କୁ ସମସ୍ତ ବସ‌୍‍ ସ୍ଥାନାନ୍ତର ହେବ ବୋଲି ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ସରକାରୀ ବସ‌୍‍ ସ୍ଥାନାନ୍ତର ନହେବା ନେଇ ସୂଚନା ମିଳୁଛି।

 

ଦିନକୁ ଦିନ ବ୍ରହ୍ମପୁର ସହରର ଟ୍ରାଫିକ‌୍‍ ବ୍ୟବସ୍ଥା ଜଟିଳରୁ ଜଟିଳ ଆଡକୁ ଗତି କଲାଣି। କିନ୍ତୁ ସବୁ ଦୋଷ ପୋଲିସ‌୍‍ ପ୍ରଶାସନ ଉପରେ ନଢାଳି ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଟ୍ରାଫିକ‌୍‍ ସମସ୍ୟାର ସମାଧାନ ହୋଇପାରିଥାନ୍ତା  ଜିଲ୍ଲା ପ୍ରଶାସନ ତଥା ବିଡିଏର ଖାମଖିଆଲ ନୀତି ଏବଂ ଦାୟିତ୍ୱହିନତା ପାଇଁ ଅଞ୍ଚଳବାସୀ ଅତ୍ୟାଧୁନିକ ବସଷ୍ଟାଣ୍ଡରୁ ଉପକୃତ ହୋଇପାରୁ ନାହାନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top