ଅଖଣ୍ଡ ଭାରତ - ଏକ ସଂକଳ୍ପ

News Story - Posted on 2017-08-13

ଡକ୍ଟର ଧୀରେନ୍ଦ୍ର ନନ୍ଦ

 

ଅଖଣ୍ଡ ଭାରତ କେବଳ ବିଚାର ମାତ୍ର ନୁହେଁ, ଏକ ସୁଚିନ୍ତିତ ସଂକଳ୍ପ। ସଙ୍ଗଠିତ ସମାଜ, ଜାଗ୍ରତ ଯୁବ ଶକ୍ତି ଓ ସକ୍ଷମ ନେତୃତ୍ୱ ବଳରେ ଭାରତ ନିଶ୍ଚୟ ଦିନେ ଅଖଣ୍ଡ ହେବା, ବିଶୁଦ୍ଧ ରାଷ୍ଟ୍ରୀୟ ଭାବନାରେ ପରିପୂର୍ଣ୍ଣ ଶ୍ରଦ୍ଧାଯୁକ୍ତ ତଥା ପରିଶ୍ରମୀ ଲୋକମାନଙ୍କୁ ଗୋଟିଏ ସୂତ୍ରରେ ଯୋଡିବା, ଏକ ପ୍ରବୃତ୍ତିର ଲୋକମାନଙ୍କ ପରମ୍ପରା ନିର୍ମାଣ କରୁଥିବା ସଙ୍ଗଠନ ଠିଆ କରିବା ତଥା ଏହି ସଙ୍ଗଠନ ବଳରେ ରାଷ୍ଟ୍ର ଜୀବନର ସମସ୍ତ ଦୋଷକୁ ସମାପ୍ତ କରିବାର ପ୍ରୟାସ କରିବା ହେଉଛି ଏହାର ଲକ୍ଷ୍ୟ। ଭାରତକୁ ସର୍ବଦା ଅଖଣ୍ଡିତ ରୂପରେ ଦେଖିବାକୁ ଚାହୁଁଥିବା ସମସ୍ତ ସଚ୍ଚୋଟ ଦେଶପ୍ରେମୀଙ୍କ ମନରେ ଥିଲା ଗୋଟିଏ ଚିନ୍ତା। କେବେ ପୁଣି ଭାରତମାତା ସହ ତା’ର ସମସ୍ତ ବିଭିନ୍ନ ଅଂଶ ଏକାଠି ହୋଇଯିବ ଆଉ ପୂର୍ବଭଳି ଅଖଣ୍ଡ ଭାରତ ସାରା ବିଶ୍ୱରେ ସ୍ୱାଭିମାନର ସହ ସଗର୍ବେ ଠିଆ ହେବ। ଯୋଗୀ ଶ୍ରୀ ଅରବିନ୍ଦ କହିଛନ୍ତି ଯେ ଭାରତର ବିଭାଜନ ଅବାସ୍ତବ। ଏଣୁ ଭବିଷ୍ୟତରେ ସଂସ୍କୃତି ଆଧାରରେ ଭାରତ ପୁଣି ଏକ ହେବ, ଅଖଣ୍ଡ ରାଷ୍ଟ୍ର ଭାବେ ବିଶ୍ୱର ଗୁରୁ ପଦରେ ଆସୀନ ହେବ। ତେବେ ଏଥିପାଇଁ ଆମକୁ ଆମ ଜୀବନଶୈଳୀ, ଆଚରଣ ରାଷ୍ଟ୍ର ଚରିତ୍ରରେ ପରିବର୍ତନ ଆଣିବାକୁ ହେବ। ସେଥିପାଇଁ ବିଛିନ୍ନ ଅଂଶଗୁଡିକୁ ଭାରତରେ ସାମିଲ‌୍‍ କରାଇବା ତଥା ସେଠିକାର ଲୋକଙ୍କୁ ଆମ ସହ ଏକଭାବେ ଗ୍ରହଣ କରିବାର ମାନସିକତା ଆମକୁ ସୃଷ୍ଟି କରିବାକୁ ପଡିବ। ଭାରତବର୍ଷରେ ଆମର ଏକ ଜୀବନଗତ ବିଚାରଗତ ଆତ୍ମୀୟତାଭରା ସମ୍ପର୍କ ରହିଛି। ସଂସ୍କୃତିର ଗୋଟିଏ ଧାରାରେ ଏମାନେ ପରସ୍ପର ସହିତ ଜଡିତ। ପ୍ରଥମେ ଭାରତକୁ ଅଖଣ୍ଡ ଭାରତ କରିବାକୁ ହେବ ଓ ସେଇ ଦାୟିତ୍ୱ ଏଇ ଦେଶର ଜନସମୂହ ଉପରେ ରହିଛି। ଭାରତ ଶକ୍ତ ହେବ, ସଙ୍ଗଠିତ ହେବ, ଅନ୍ତର୍ଜାତୀୟ ସମ୍ପ୍ରଦାୟରେ ତାର ପ୍ରତିପତି ବୃଦ୍ଧି ପାଇବ ଓ ଅଖଣ୍ଡ ଭାରତର ସ୍ୱପ୍ନ ବାସ୍ତବତାରେ ପରିଣତ ହେବ। ଆମେ ଏମିତି ଏକ ଦୁନିଆ ନିର୍ମାଣ କରିବାକୁ ଚାହୁଁ ଯେଉଁଥିରେ ଭାରତବାସୀଙ୍କ ତ୍ୟାଗ, କର୍ମନିଷ୍ଠତା ଓ ଜ୍ଞାନର ଆଧାରରେ ଏବଂ ସେମାନଙ୍କ ହୃଦୟର ନିର୍ମଳତା, ଶାନ୍ତିପ୍ରିୟତାର ଆଧାରରେ ସମ୍ପୂର୍ଣ୍ଣ ବିଶ୍ୱ ସମୃଦ୍ଧ ହୋଇ ଶ୍ରେଷ୍ଠତା ଆଡକୁ ଆଗେଇ ଚାଲିବା ଜାରି ରଖିବ। ଏହି କର୍ତ୍ତବ୍ୟ ପୂରା କରିବାପାଇଁ ଭାରତକୁ ସ୍ୱତନ୍ତ୍ର, ସମର୍ଥବାନ‌୍‍, ସଂରକ୍ଷିତ ହେବାକୁ ପଡିବ ଏବଂ ଭାରତକୁ ପରମ ବୈଭବଶାଳୀ ରାଷ୍ଟ୍ର କରିବାକୁ ହେବ।  

 

ଅଖଣ୍ଡ ଭାରତ ହେଉଛି ଏକ ସାଂସ୍କୃତିକ ପରିକଳ୍ପନା, ରାଜନୈତିକ ନୁହେଁ। ତେଣୁ ଏକ ରାଜନୈତିକ ଶାସନ ବା କେନ୍ଦ୍ରୀୟ ଶାସନ ଅଧିନରେ ସମଗ୍ର ଭୂଭାଗ ରହିବ, ଏହା କେବେ ହୁଏତ ସମ୍ଭବ ହୋଇପାରେ। ଗୋଟିଏ ରାଷ୍ଟ୍ର ମଧ୍ୟରେ ଅନେକ ରାଜ୍ୟ ରହିବାଟା ମଧ୍ୟ ଏକ ସ୍ୱାଭାବିକ ପରିସ୍ଥିତି। ଅଖଣ୍ଡ ଭାରତ ପାଇଁ ସମସ୍ତ ଭୂଭାଗରେ ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଏକାତ୍ମତାର ଭାବନା ରହିବା ଅନିବାର୍ଯ୍ୟ। କିଛି ଲୋକ ବିଭାଜନକୁ ପଥରର ଗାର ବୋଲି ଭାବନ୍ତି। ସେମାନଙ୍କର ସେ ପ୍ରକାରର ଦୃଷ୍ଟିକୋଣ ସର୍ବଥା ଅନୁଚିତ। ମନରେ ମାତୃଭୂମି ପ୍ରତି ପ୍ରଖର ଭକ୍ତି ନଥିବାର ଏହା ପରିଚାୟକ। ପରମାତ୍ମା ଏ ଦେଶକୁ ଗୋଟିଏ କରି ଗଢିଛନ୍ତି। ତାକୁ ଆମେ ଭାଗ ଭାଗ କରି ବାଂଟି ଦେଇ ପାରିବା ନାହିଁ। ଏହାକୁ ଆମେ ବିଭାଜିତ କରିପାରିବା ନାହିଁ, କାରଣ ଏହା ଦେବତାଙ୍କ ଦ୍ୱାରା ନିର୍ମିତ ପବିତ୍ର ତ୍ରିଭୂଜ। ଆଜି ଯଦି ଭାରତ ନିଜର ମୂଳ ରୂପରେ ଅଖଣ୍ଡିତ ହୋଇ ରହିଥା’ନ୍ତା ତେବେ ସାରା ବିଶ୍ୱରେ କେବଳ ସର୍ବବୃହତ‌୍‍ ଶକ୍ତି ହୋଇଥାନ୍ତା ସେତିକି ନୁହେଁ, ବରଂ ସଂସାରରେ ସୁଖଶାନ୍ତି ସ୍ଥାପନାରେ ତାହାର ବିଶେଷ ଭୂମିକା ଥା’ନ୍ତା। ତେଣୁ ପ୍ରତ୍ୟେକ ଭାରତୀୟମାନଙ୍କ ମଧ୍ୟରେ ଅଖଣ୍ଡ ଭାରତ ସଂକଳ୍ପନାର ଚିତ୍ର ସର୍ବଦା ଜାଗ୍ରତ ହେବା ଆବଶ୍ୟକ। ଦେଶ ବିଭାଜନର କାରଣ ଓ ପରିଣାମ ସମ୍ୱଦ୍ଧରେ ବିସ୍ତୃତ ବିଶ୍ଳେଷଣ କରି ଭାରତବର୍ଷକୁ ପୁନଃ ଅଖଣ୍ଡ କରିବାର ଚେଷ୍ଟା ସମସ୍ତ ଦେଶଭକ୍ତମାନଙ୍କ ଦ୍ୱାରା ହେବା ଉଚିତ‌୍‍। ‘ମୁଁ ମଧ୍ୟ ସେହି ଭାଗ୍ୟବାନ‌୍‍ ଲୋକଙ୍କ ମଧ୍ୟରେ ଜଣେ ହେବି’ - ପ୍ରତ୍ୟେକ ଭାରତବାସୀ ଏହି ସଂକଳ୍ପ ଗ୍ରହଣ କରିବା ଉଚିତ‌୍‍।

 

ଭାରତର ସମସ୍ତ ହିନ୍ଦୁ ଏବଂ ମୁସଲମାନ ମିଳିତ ହୋଇ ୧୮୫୭ ମସିହାରେ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହ କରିବା ଦ୍ୱାରା ଅନେକ ଇଂରେଜ ଭାରତୀୟମାନଙ୍କ ଦ୍ୱାରା ମୃତାହତ ହୋଇଥିଲେ। ସେ ସମୟରେ  ତା’ପରେ ଦ୍ୱିତୀୟ ମହାଯୁଦ୍ଧ ସମୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ‌୍‍ଙ୍କ ନେତୃତ୍ୱରେ ଭାରତୀୟ ସେନାର ଉଭୟ ହିନ୍ଦୁ ଓ ମୁସଲମାନ ଏକତ୍ର ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ଦେଶକୁ ସ୍ୱାଧୀନ କରିବା ପାଇଁ ଯୁଦ୍ଧ କରିଥିଲେ। ଏହି ଦୁଇଟି ଘଟଣାରୁ ଇଂରେଜମାନେ ଉପଲବ୍ଧ କଲେ ଯେ, ଯଦି ଭାରତରେ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଏକତା ରହିବ ତେବେ ଭାରତରେ ନିଜର ଶାସନ ସ୍ଥାୟୀ ରଖିବା ଅଧିକ ଦିନ ସମ୍ଭବ ହେବ ନାହିଁ। ସେଥିପାଇଁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ପରସ୍ପର ବିଦ୍ରୋହ ସୃଷ୍ଟି ପାଇଁ ‘ଭାଗ ଭାଗ କର ଓ ଶାସନ କର ନୀତି’ (ଡିଭାଇଡ‌୍‍ ଆଣ୍ଡ‌୍‍ ରୁଲ‌୍‍ ପଲିସି)କୁ ଅବଲମ୍ୱନ କରି ମୁସଲମାନମାନଙ୍କୁ ବୁଝାଇଲେ ଯେ, ତୁମ୍ୱେମାନେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ହିନ୍ଦୁମାନଙ୍କୁ ସହଯୋଗ କରନାହିଁ। କାରଣ ଭାରତ ସ୍ୱାଧୀନ ହେଲା ପରେ ସବୁ କ୍ଷମତା ହିନ୍ଦୁମାନଙ୍କ ହାତରେ ରହିବ ଏବଂ ସେମାନେ ତୁମ ପ୍ରତି ଅନ୍ୟାୟ ଅତ୍ୟାଚାର କରିବେ ଓ ତୁମକୁ ଦାସ ହୋଇ ରହିବାକୁ ପଡିବ। ସେମିତି ମୁସଲିମ‌୍‍ ସମାଜର କଠୋରପନ୍ଥୀ ଧାର୍ମିକ ମୁଲ୍ଲା-ମୌଲବିମାନେ ସର୍ବଦା ମୁସଲମାନମାନଙ୍କୁ ହିନ୍ଦୁମାନଙ୍କ ବିରୁଦ୍ଧରେ ମତାଇ କହୁଥିଲେ ହିନ୍ଦୁମାନଙ୍କ ସହିତ ଆମେ ରହିପାରିବୁ ନାହିଁ, କାରଣ ଆମମାନଙ୍କର ଅଲଗା ସଂସ୍କୃତି ଅଛି।

 

ଜନୈକ ମୁସଲମାନ ଯୁବକ ୧୯୦୮ ମସିହାରେ ଇଂଲଣ୍ଡରେ ଘୋଷଣା କରିଥିଲେ ଯେ, ଭାରତର ମୁସଲମାନ‌୍‍ମାନଙ୍କ ପାଇଁ ମୁସଲମାନ‌୍‍ ବହୁଳ ଭିନ୍ନସ୍ଥାନ ଦରକାର ଅଥାର୍ତ‌୍‍ ଗୋଟିଏ ଭିନ୍ନ ରାଷ୍ଟ୍ର ଦରକାର। ସେ ସମୟରେ ତା’ର କଥାକୁ କେହି ମହତ୍ୱ ଦେଉନଥିଲେ; କିନ୍ତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ଡା. କେଶବ ବଳିରାମ ହେଡ‌୍‍ଗେୱାର ସତର୍କବାଣୀ ଶୁଣାଇଥିଲେ ଯେ, ଯଦିଓ ଆଜି ତା’ର କଥାକୁ ବିଶେଷ ଗୁରୁତ୍ୱ ଦିଆଯାଉ ନାହିଁ; କିନ୍ତୁ ଭବିଷ୍ୟତରେ ମୁସଲମାନ ସମାଜ ଭାରତର ବିଭାଜନର ଦାବି କରିବ ଏବଂ ସେଥିପାଇଁ ଭାରତର ପୁତ୍ରରୂପୀ ହିନ୍ଦୁ ସମାଜରେ ଏକ ସୁଦୃଢ ସଂଗଠନ ଆବଶ୍ୟକ। ଡକ୍ଟରଜୀଙ୍କର ଏହି ସତର୍କବାଣୀ ପରେ ସତ୍ୟସିଦ୍ଧ ହେଲା। ହିନ୍ଦୁମାନଙ୍କର ସ୍ୱାଧୀନତାର ଦାବି ବିରୁଦ୍ଧରେ ଇଂରେଜମାନେ କହିଥିଲେ ଯେ, ତୁମେମାନେ ଭାରତରେ ଯଦି ହିନ୍ଦୁ-ମୁସଲମାନ ଏକତା କରିବ ତାହେଲେ ଆମେ ଭାରତକୁ ସ୍ୱାଧୀନ କରିବୁ। କଂଗ୍ରେସର ସବୁ ନେତାମାନେ ପ୍ରଥମେ ଭାରତର ବିଭାଜନକୁ କୌଣସି ପ୍ରକାର ସ୍ୱୀକାର କରିବୁ ନାହିଁ ବୋଲି ଦୃଢ ମତ ପ୍ରକାଶ କରିଥିଲେ। ମହମ୍ମଦ ଅଲ୍ଲି ଜିନ୍ନା ଭାରତର ବିଭାଜନ ପାଇଁ ହିନ୍ଦୁମାନଙ୍କ ମନରେ ଚାପ ପକାଇବା ଦୃଷ୍ଟିରୁ ବିଭାଜନ ନ ମିଳିଲେ ଭୟାନକ ପରିଣତି ହେବ ବୋଲି ଧମକ ଦେଇ ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ନାମରେ ହଜାର ହଜାର ହିନ୍ଦୁମାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କଲେ। ଶେଷରେ ୧୫ ଅଗଷ୍ଟ ଦିନ ଭାରତ ସ୍ୱାଧୀନ ହେଲା; କିନ୍ତୁ ତା’ ସହିତ ଭାରତର ବିଭାଜନ ମଧ୍ୟ ହେଲା। ହିନ୍ଦୁ ବହୁଳ ଭାଗ ହିନ୍ଦୁସ୍ଥାନ ଏବଂ ମୁସଲିମ‌୍‍ ବହୁଳ ପଶ୍ଚିମମୋତ୍ତର ଭାରତ ଓ ପୂର୍ବ ବଙ୍ଗଳା ପାକିସ୍ଥାନର ରୂପ ନେଲା; କିନ୍ତୁ ଏହି ପ୍ରକ୍ରିୟା ମଧ୍ୟ ଶାନ୍ତିପୂର୍ଣ୍ଣ ହୋଇ ପାରିଲା ନାହିଁ। ଉଭୟପଟେ ପ୍ରବଳ ଦଙ୍ଗା ହୋଇ ଅସଂଖ୍ୟ ହିନ୍ଦୁ ଓ ମୁସଲମାନ‌୍‍ମାନଙ୍କର ହତ୍ୟା ହେଲା। ଏ ପ୍ରକାର ସ୍ୱାଧୀନତା ପାଇଁ ଆନନ୍ଦ ତ ଥିଲା ତା’ ସହିତ ଦେଶ ବିଭାଜନ ପାଇଁ ଦେଶଭକ୍ତମାନଙ୍କ ମନରେ ଗଭୀର ଦୁଃଖ ମଧ୍ୟ ହେଲା। ଅନେକ ହିନ୍ଦୁ ନେତା ଏହି ବିଭାଜନର ପ୍ରତିରୋଧ କରିଥିଲେ ସତ; କିନ୍ତୁ ବିଭାଜନକୁ ରୋକିବା ପାଇଁ କୌଣସି ସଂଗଠିତ ଶକ୍ତି ନଥିଲା, କାରଣ ଇଂରେଜଙ୍କର ସୈନିକ ଶକ୍ତି ଓ କଂଗ୍ରେସ ନେତାମାନଙ୍କର ବ୍ୟକ୍ତିଗତ ପ୍ରଭାବ ସମାଜ ଉପରେ ଥିଲା।

 

ଯୋଗୀ ଅରବିନ୍ଦଙ୍କ ଭଳି ମହାପୁରୁଷ ତଥା ଦେଶଭକ୍ତମାନେ ସ୍ୱାଧୀନତା ପାଇଁ ଆନନ୍ଦିତ ହେବା ସହିତ ଦୃଢ ସଂକଳ୍ପ ମଧ୍ୟ କରିଥିଲେ ଯେ, ଇଂରେଜମାନେ ହିନ୍ଦୁ ମୁସଲମାନ ବିଭେଦ କରି ଯେଉଁ ବିଭାଜନ କରୁଛନ୍ତି ଆମେ ପୁଣି ତାହାକୁ ଏକତ୍ର କରିବୁ; କାରଣ ଭାରତର ହିନ୍ଦୁ ଓ ମୁସଲମାନ‌୍‍ମାନଙ୍କର ସଂସ୍କୃତି ଏକ। ଦୁନିଆରେ ଅନେକ ଥର ଅନେକ ଦେଶରେ ପରିସ୍ଥିତି କାରଣରୁ ବିଭାଜନ ଘଟିଛି; କିନ୍ତୁ ସେଠାରେ ଦେଶଭକ୍ତମାନଙ୍କର ଦୃଢନିଶ୍ଚୟ ଚେଷ୍ଟା ଦ୍ୱାରା ବିଭାଜନ ଦୂର ହୋଇ ସେମାନେ ପୁଣି ଏକ ହେଉଛନ୍ତି। ସଂସ୍କୃତିର ଆଧାରରେ ଭାରତ ମଧ୍ୟ ସେହିପରି ଅଖଣ୍ଡ ହେବ। ଏ ପ୍ରକାର ଦୃଢ ଆଶା ସାଂସ୍କୃତିକ ରାଷ୍ଟ୍ରବାଦକୁ ସ୍ୱୀକାର କରୁଥିବା ନେତାମାନଙ୍କର ମଧ୍ୟ ଅଛି। ତେଣୁ ଭାରତ ପୁଣି ଅଖଣ୍ଡ ହେବ - ଏଥିରେ ସନ୍ଦେହ ନାହିଁ; କାରଣ ଅଖଣ୍ଡ ହେବା ଭାରତର ନିୟତି। କିନ୍ତୁ କେବେ ହେବ? ଏହା ଆମର ପୌରୁଷ ଓ ପ୍ରୟାସ ଉପରେ ନିର୍ଭର କରେ। ଯଦି ପୌରୁଷ ଓ ପ୍ରୟାସର ଅଭାବ ରହେ ତେବେ ଏ ସମୟ ଆଗକୁ ବି ଗଡିଯିବ। ଯଦି ତୀବ୍ରତା ରହେ ତେବେ ଅପେକ୍ଷିତ ସମୟ ଆଗରୁ ବି ହୋଇଯିବ। କିନ୍ତୁ ଏଥିପାଇଁ ଅଧିକରୁ ଅଧିକ ଲୋକଙ୍କୁ ପୁରୁଷାନୁକ୍ରମେ ଚେଷ୍ଟା କରିବାର ପ୍ରସ୍ତୁତି ସହ ସଂକଳ୍ପ ଓ ସାଧନା କରିବାକୁ ପଡିବ। ୯ ଅଗଷ୍ଟ (ଭାରତ ଛାଡ ଦିବସ)ରୁ ୧୫ ଅଗଷ୍ଟ (ସ୍ୱାଧୀନତା ଦିବସ)ର ମଧ୍ୟବର୍ତ୍ତୀ ସପ୍ତାହରେ ଭାରତମାତା ପୂଜନ ଦିବସ ଭାବରେ ପାଳନ କରି, ଅଖଣ୍ଡ ଭାରତର ଆକାଂକ୍ଷାକୁ ଜାଗ୍ରତ ରଖି ଆମକୁ ସକ୍ରିୟ ହେବାକୁ ପଡିବ। ସେଥିପାଇଁ ‘ମୋ ଜୀବନ ଉଦ୍ଦିଷ୍ଟ ଓ ମୋ ଜୀବନର ସମସ୍ତ ଶକ୍ତି, ଏହି କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ କରିବା ଦିଗରେ ବିନିଯୋଗ କରିବି’ - ଏହି ସଂକଳ୍ପ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ଆମକୁ ନେବାକୁ ହେବ। ସେତେବେଳେ ହିଁ ପ୍ରତ୍ୟେକ ଦେଶଭକ୍ତର ସ୍ୱପ୍ନ ଅଖଣ୍ଡ ଭାରତ ଶୀଘ୍ରାତିଶୀଘ୍ର ସାକାର ହେବ। ଆସନ୍ତୁ ଆମେ ପାଇଥିବା ସ୍ୱାଧୀନତାକୁ ଦୃଢ ଭିତ୍ତିଭୁମି ଉପରେ ଦଣ୍ଡାୟମାନ କରିବା ଓ ଅଖଣ୍ଡ ଭାରତ ପାଇଁ ପ୍ରତିଜ୍ଞାବଦ୍ଧ ହେବା। ଆଜିର ଯୁବ ସମାଜ ଏହି ଅଖଣ୍ଡ ଭାରତ ବର୍ଷର ସ୍ୱପ୍ନ ଦେଖିଲେ ହିଁ ଏହା ଆଗାମୀ ଦିନରେ ନିଶ୍ଚୟ ବାସ୍ତବରେ ପରିଣତ ହୋଇପାରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଆମ ସମସ୍ତଙ୍କର ଚେଷ୍ଟା ଦ୍ୱାରା ଯୁଗଦ୍ରଷ୍ଟା ମହାପୁରୁଷ ଯୋଗୀ ଅରବିନ୍ଦଙ୍କର ସ୍ୱପ୍ନ ନିଶ୍ଚୟ ସାକାର ହେବ।

 

ରାଜ୍ୟ ସହସଂଯୋଜକ, ସ୍ୱଦେଶୀ ଜାଗରଣ ମଂଚ, ଓଡିଶା,

ଚେୟାରମ୍ୟାନ‌୍‍, ବିବେକାନନ୍ଦ ଇନ‌୍‍ଷ୍ଟିଚ୍ୟୁଟ‌୍‍ ଅଫ‌୍‍ ଆଡ଼‌୍‍ଭାନ୍ସଡ଼ ଏଜୁକେସନାଲ‌୍‍ ରିସର୍ଚ୍ଚ ଆଣ୍ଡ‌୍‍ ଟେକ୍ନୋଲୋଜି।

ଖୋର୍ଦ୍ଧା - ୭୫୨୦୫୭ (ଓଡିଶା), ଚଳଭାଷ – ୯୪୩୭୦୦୬୭୨୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top