ବଢ଼ୁଛି ରାଜନୀତିକ ହିଂସା-ପ୍ରତିହିଂସା

News Story - Posted on 2017-08-13

ସୂର୍ଯ୍ୟମଣି ମିଶ୍ର

 

ମହାଭାରତ ଯୁଦ୍ଧର ଗୋଟିଏ ଉଦାହରଣକୁ ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ। ଯେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ମାରିଦେବା ପାଇଁ ଶ୍ରୀକୃଷ୍ଣ ଏକ ଷଡ଼ଯନ୍ତ୍ର ରଚନା କରିଥିଲେ, ଷଡ଼ଯନ୍ତ୍ରଟି ଏହିପରି ଥିଲା, ଦ୍ରୋଣାଚାର୍ଯ୍ୟଙ୍କୁ ମିଛ ସମ୍ୱାଦ ଦିଆଯିବ ଯେ, ତାଙ୍କ ପୁଅ ଅଶ୍ୱତ୍ଥମା ଯୁଦ୍ଧରେ ମରିଯାଇଛନ୍ତି। କୃଷ୍ଣଙ୍କର ବିଶ୍ୱାସ ଥିଲା ନିଜ ପୁତ୍ରର ମୃତ୍ୟୁଖବର ପାଇବା ମାତ୍ରେ ଦ୍ରୋଣାଚାର୍ଯ୍ୟ ନିଜ ଅସ୍ତ୍ରଶସ୍ତ୍ରକୁ ତଳେ ରଖିଦେଇ ବିଷାଦରେ ମୂକ ପାଲଟିଯିବେ। ଏହା ପରେ ତାଙ୍କୁ ମାରିଦେବା ସହଜ ହେବ। ତାହା ହିଁ ହେଲା। ଭୀମ ଅଶ୍ୱତ୍ଥମା ନାମକ ଏକ ହାତୀକୁ ଯୁଦ୍ଧକ୍ଷେତ୍ରରେ ମାରିଦେଲେ ଏବଂ ଜୋର‍୍‌ରେ ପାଟି ଚିଲାଇ କହିଲେ ମୁଁ ଅଶ୍ୱତ୍ଥମାକୁ ମାରିଦେଲି। ଦ୍ରୋଣାଚାର୍ଯ୍ୟଙ୍କର କିନ୍ତୁ ଭୀମଙ୍କ କଥା ଉପରେ ବିଶ୍ୱାସ ନଥିଲା ଏବଂ ଏହି ଘୋଷଣାକୁ ବିଶ୍ୱାସକୁ ନେଲେ ନାହିଁ। ସେ ଯୁଧିଷ୍ଠିରଙ୍କୁ ପଚାରିଲେ ଭୀମ ଯାହା କହୁଛନ୍ତି ସତରେ କ’ଣ ଅଶ୍ୱତ୍ଥମା ମରିଛି। ସତ୍ୟବାଦୀ ଯୁଧିଷ୍ଠିର କହିଲେ ଅଶ୍ୱତ୍ଥମା ମରିଛି କିନ୍ତୁ ମଣିଷ ନୁହେଁ, ହାତୀ। କୃଷ୍ଣ ପୂର୍ବରୁ ଜାଣିଥିଲେ ଯୁଧିଷ୍ଠିର ମିଛ କହିବେ ନାହିଁ। ଯେତେବେଳେ ଯୁଧିଷ୍ଠିର ଅଧାବାକ୍ୟ ଦ୍ରୋଣାଚାର୍ଯ୍ୟଙ୍କୁ କହିଛନ୍ତି ଏହି ସମୟରେ ପାଣ୍ଡବମାନେ ଶଙ୍ଖ ଓ ଦୁନ୍ଦୁଭି ଜୋର‍୍‌ରେ ବଜାଇବା ଆରମ୍ଭ କଲେ। ମଣିଷ ନୁହେଁ, ହାତୀର ବାକ୍ୟ ଏହି ବାଦ୍ୟ ସ୍ୱରରେ ଦବିଗଲା। ଦ୍ରୋଣ ଯୁଧିଷ୍ଠିରଙ୍କର ସମସ୍ତ ବାକ୍ୟକୁ ଶୁଣିପାରିଲେ ନାହିଁ। ସେ ଏତିକି ଶୁଣିପାରିଲେ ଯେ, ଅଶ୍ୱତ୍ଥମା ମରିଯାଇଛି ଏବଂ ଏହା ସ୍ୱୟଂ ଯୁଧିଷ୍ଠିର କହିଛନ୍ତି। ଏହାକୁ ସେ ସତ ମଣିଲେ। ସେ ତାଙ୍କର ଅସ୍ତ୍ରଶସ୍ତ୍ରକୁ ରଖିଦେଲେ ଓ ଧ୍ୟାନମଗ୍ନ ହୋଇଗଲେ। ଏହି ଅବସ୍ଥାରେ ଧୃଷ୍ଟଦ୍ୟୁମ୍ନ ନିଜ ଖଣ୍ଡାରେ ଦ୍ରୋଣାଚାର୍ଯ୍ୟଙ୍କ ଶିରକୁ ଅଲଗା କରିଦେଲେ। ଯୁଦ୍ଧର ଏଇ ଦୃଶ୍ୟରେ ଷଡ଼ଯନ୍ତ୍ରର ବିଜୟ ଓ ସତ୍ୟର ପରାଜୟ ହୋଇଥିଲା।

 

ଆଜି ଦିନରେ ସେଦିନର ମହାଭାରତ ବର୍ଣ୍ଣିତ ରାଜନୈତିକ ଷଡ଼ଯନ୍ତ୍ରଜନିତ ହତ୍ୟା ଓ ଭୀମଙ୍କର ମିଛ ସ୍ୱର ଦେଖିବାକୁ ମିଳୁଛି ଦେଶରେ। କେରଳ ହେଉ ଅବା ପଶ୍ଚିମବଙ୍ଗ ଅବା ବିହାର, ଛତିଶଗଡ଼ ଏପରିକି ଆମ ଓଡ଼ିଶାରେ ମଧ୍ୟ ରାଜନୈତିକ ହିଂସା ଓ ପ୍ରତିହିଂସାର ଦୃଶ୍ୟ ବଢିବାରେ ଲାଗିଛି। ପ୍ରଥମେ କେରଳର ଉଦାହରଣକୁ ନିଆଯାଇପାରେ। କେରଳରେ ୩ ଦଶନ୍ଧି ଧରି ରାଜନୀତିରେ ହିଂସା ଓ ପ୍ରତିହିଂସା ବଢିଚାଲିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓ ବରିଷ୍ଠ ନେତା ତଥା ମନ୍ତ୍ରୀ ଅରୁଣ ଜେଟଲୀ ଗତ ଏକମାସ ଧରି ବିବୃତ୍ତି ଦେଇଚାଲିଛନ୍ତି ଯେ, କେରଳରେ ସଂଘ ପରିବାରର ଅସଂଖ୍ୟ କାର୍ଯ୍ୟକର୍ତ୍ତା ଗ୍ରାମପନ୍ଥୀମାନଙ୍କର ହିଂସାର ଶିକାର ହେଉଛନ୍ତି। ଗଣମାଧ୍ୟମର ଗୋଟିଏ ବଡ଼ ଅଂଶ ଭୀମଙ୍କ ଭୂମିକା ପାଳନ କରି କେବଳ ସଂଘ ପରିବାର ଉପରେ ବାମପନ୍ଥୀଙ୍କର ଆକ୍ରମଣ ଚାଲିଛି ବୋଲି ପ୍ରଚାର କରୁଛନ୍ତି। ବିଜେପି ଏହି ପ୍ରଚାରକୁ ଦୋହରାଇ ଚାଲିଛି। ଏହା ସତ୍ୟ ଯେ, ସମସ୍ତ ଗଣମାଧ୍ୟମ ଏହି ଅର୍ଦ୍ଧସତ୍ୟ ଓ ଅତିରଞ୍ଜିତ ସମ୍ୱାଦ ପରିବେଷଣ ଠାରୁ ଦୂରରେ ରହିଛନ୍ତି। ସତ୍ୟ ହେଉଛି ଉଭୟ ସଂଘ ପରିବାରର ସଦସ୍ୟ ଓ ସିପିଆଇଏମ‍୍‌ ସଦସ୍ୟ ଉଭୟେ ଏହି ହିଂସା ରାଜନୀତିର ଶିକାର ହୋଇଛନ୍ତି। ସୂଚନା ଅଧିକାର ଆଇନ‍୍‌ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୬ର ୧୩ ଫେବୃୟାରୀରେ ଆର‍୍‌ଏସ‍୍‌ଏସ‍୍‌ର ସୁଜିତ ନାମକ ଜଣେ କାର୍ଯ୍ୟକର୍ତ୍ତା ହତ୍ୟାର ଶିକାର ହେଲେ। ୧୮ ମେ’ରେ  ସିପିଆଇଏମ‍୍‌ର ସି.ରବୀନ୍ଦ୍ରନ‍୍‌ ହତ୍ୟାର ଶିକାର ହେଲେ। ୧୧ ଜୁଲାଇରେ ସିପିଏମ‍୍‌ର ଏନ‍୍‌. ଧନରାଜ ହତ୍ୟାର ଶିକାର ହୋଇଥିବାବେଳେ ୪ ସେପ୍ଟେମ୍ୱରରେ ଆର‍୍‌ଏସ‍୍‌ଏସ‍୍‌ର ଜଣେ କର୍ମକର୍ତ୍ତା ବିନିସ ହତ୍ୟାର ଶିକାର ହୋଇଥିଲେ। ୨୦୧୭ର ୧୮ ଜାନୁଆରୀରେ ଆର‍୍‌ଏସ‍୍‌ଏସ‍୍‌ର ସନ୍ତୋଷ, ୧୨ ମଇରେ ଆର‍୍‌ଏସ‍୍‌ଏସ‍୍‌ର ବିଜୁ ହତ୍ୟାର ଶିକାର ହୋଇଥିବାବେଳେ ଅନନ୍ତୁ ଅଶୋକଲ‍୍‌ ସିପିଏମ‍୍‌ର ହତ୍ୟାର ଶିକାର ହୋଇଥିଲେ। ୨୯ ଜୁଲାଇରେ ଆର‍୍‌ଏସ‍୍‌ଏସ‍୍‌ର ରାଜେଶ‍୍‌ ହତ୍ୟାର ଶିକାର ହୋଇଛନ୍ତି। କେବଳ କେରଳ ନୁହେଁ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ସିପିଆଇଏମ‍୍‌ କର୍ମୀଙ୍କ ମଧ୍ୟରେ ହିଂସା-ପ୍ରତିହିଂସାର ରାଜନୀତି ଥମୁନାହିଁ। ବିହାର ଓ ଛତିଶଗଡ଼ରେ ଏତାଦୃଶ ହିଂସାର ରାଜନୀତି ଚାଲିଛି।

 

ନିକଟରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ରାଜନୈତିକ ହିଂସା କିପରି ଉଗ୍ର ରୂପ ନେଇଥିଲା ଏବଂ ୬ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଥିଲା ତାହା ଲୋକଙ୍କ ମନରୁ ଦୂରେଇ ଯାଇନି। ଏହି ନିକଟରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପିର ଅଭିମନ୍ୟୁ ଦାସ ନାମକ ଜଣେ କର୍ମୀଙ୍କୁ ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବିଜେପି ପକ୍ଷରୁ ଯାଜପୁରର କୁଆଖିଆ ରାଜପଥ ଅବରୋଧ କରାଯାଇଥିଲା। ଏହି ସମୟରେ ଯାଜପୁରରୁ ଆଉ ଏକ ଖବର ମିଳିଛି। ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁରର ବିଜେଡି ଦଳର ଯୁବନେତା କେଦାର ଦାସଙ୍କୁ ହତ୍ୟା। ସୁପାରିକିଲର ମାଧ୍ୟମରେ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଓଡ଼ିଶା ଭଳି ଶାନ୍ତିପୂର୍ଣ୍ଣ ରାଜ୍ୟରେ ରାଜନୈତିକ ହିଂସାର ପଦଧ୍ୱନି ଶୁଣାଯିବା ପରେ ଶାନ୍ତିକାମୀ ଜନତା ରାଜନୀତିର ବୈଶିଷ୍ଟ ପ୍ରତି ପ୍ରଶ୍ନ ଉଠାଇଲେଣି। ରାଜନୀତି କଲେ ହିଂସାର ଶିକାର ହେବାକୁ ପଡ଼ିବ। ଏହିଭଳି ଏକ ସ୍ୱର ସାଧାରଣରେ ଶୁଣିବାକୁ ମିଳିଲାଣି। ଦେଶରେ ଏତାଦୃଶ ରାଜନୈତିକ ହିଂସା ଓ ପ୍ରତିହିଂସାର ଘୃଣ୍ୟ ଚିତ୍ରକୁ ନାପସନ୍ଦ କରିବା ଦିଗରେ ବୁଦ୍ଧିଜୀବୀମାନେ ଏଯାଏ ରାଜରାସ୍ତାକୁ ଓହ୍ଲାଇ ନାହାନ୍ତି। ସଚେତନ ନାଗରିକମାନେ ନିରବତାକୁ ଉଚିତ ମଣୁଛନ୍ତି। ଯାହା ଗଣତନ୍ତ୍ର ପାଇଁ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାର ମହାନତା ପ୍ରତି ବିପଦର ବାର୍ତ୍ତା ଦେଇଛି ବୋଲି କହିଲେ ଭୁଲ ହେବନାହିଁ।

 

ଭାରତ ଶାନ୍ତିର ଦେଶ, ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ବୈଶିଷ୍ଟ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷାରେ-ଭାରତ ବିଶ୍ୱଗୁରୁ ହେବାକୁ ଯାଉଛି। ଭାରତ ହେବ ବିଶ୍ୱର ସର୍ବଶକ୍ତିମାନ ରାଷ୍ଟ୍ର। ହୁଏତ ସ୍ୱାଧୀନତାର ୭୦ ବର୍ଷ ପରେ ବି ଭାରତ ବିକଶିତ ରାଷ୍ଟ୍ର ହୋଇପାରିନାହିଁ। ଏହି ସମୟରେ ରାଜନୈତିକ ହିଂସା ଓ ପ୍ରତିହିଂସା ବିଶ୍ୱ ଦରବାରରେ ଭାରତକୁ ଲଜ୍ଜିତ ହେବାକୁ ବାର୍ତ୍ତା ଦେଇଛି। ଗୋଟିଏ ପଟେ ଭାରତରେ ଦେଶଭକ୍ତ ଓ ଦେଶଦ୍ରୋହୀଙ୍କୁ ନେଇ ବିତର୍କ, ଅନ୍ୟପଟରେ ବିଚ୍ଛିନ୍ନତାବାଦୀ, ଆତଙ୍କବାଦୀ ଓ ଅରାଜକତାବାଦୀ ମାଓବାଦୀଙ୍କ ହିଂସାର ତାଣ୍ଡବ ଲୀଳାର ଅନ୍ତ ଘଟୁନାହିଁ, ଏହି ସମୟରେ ରାଜନୈତିକ ହିଂସା ଉଗ୍ରରୂପ ନେବା ଦେଶର ବିକାଶ ପାଇଁ ବାଧକ କେବଳ ନୁହେଁ, ଶାନ୍ତିପୂର୍ଣ୍ଣ ଜନତା ପାଇଁ ସହାବସ୍ଥାନ କଷ୍ଟକର ହୋଇପଡ଼ିଛି। ଯେଉଁ ବୁଦ୍ଧିଜୀବୀମାନେ ରୋହିତ ଭେମୁଲାଙ୍କ ମୃତ୍ୟୁରେ ଏବଂ ଅଖଲାକ, ପହଲୁ ଖାନ‍୍‌ ଜୁନେଦ‍୍‌ଙ୍କ ହତ୍ୟାକୁ ନେଇ ପ୍ରତିବାଦର ବହ୍ନି ଜାଳିଥିଲେ, ଓ ଦେଶର କେତେକ  ହିଂସାକାଣ୍ଡ ଘଟଣାକୁ ନେଇ ପୁରସ୍କାର ଫେରାଇଥିଲେ, ଯେଉଁ ବୁଦ୍ଧିଜୀବୀମାନେ ‘ନଟ‍୍‌ ଇନ‍୍‌ ମାଇଁ ନେମ‍୍‌’ ଅଭିଯାନ ମାଧ୍ୟମରେ ବିଶ୍ୱ ଗଣମାଧ୍ୟମ ପାଇଁ ଖବର ତିଆରି କରିଥିଲେ ସେମାନେ ଏବେ ଏହି ରାଜନୈତିକ ହିଂସା ବିରୋଧରେ ନିରବ ରହିଛନ୍ତି। ଏହାର କାରଣ ବୁଝାପଡୁନାହିଁ। ପ୍ରଭୁ ରାମଚନ୍ଦ୍ର, ପ୍ରଭୁ ଆଲ୍ଲା ଓ ପ୍ରଭୁ ଯିଶୁଙ୍କ ନାମକୁ ଜପାମାଳି ମରିଥିବା ଭକ୍ତଗଣ, ଭକ୍ତିର ସୌଦାଗର, ଧର୍ମର ଠିକାଦାର ଯେଉଁମାନେ କଥାକଥାକେ ଶାନ୍ତିର କଥା କହିଥାନ୍ତି ସେହିମାନେ ଆଜି ଦିନର ଭାରତ ପାଇଁ ଦେଖାଦେଇଥିବା ଅଶାନ୍ତିର ବିପଦକୁ ଟାଳି ଦେବା ପାଇଁ ଯଜ୍ଞ, କୀର୍ତ୍ତନ ଏବଂ ପ୍ରାର୍ଥନା କରୁଥିବାର ଦୃଶ୍ୟ ଗଣମାଧ୍ୟମରେ ଦେଖିବା ବିରଳ ହୋଇଛି। ଯେଉଁ ବୁଦ୍ଧିଜୀବୀମାନେ ସାଧାରଣ ଗୋଟିଏଗୋଟିଏ ହିଂସାକାଣ୍ଡ ଓ ଅସହିଷ୍ଣୁତାର ଚିତ୍ରକୁ ଦେଖିବା ମାତ୍ରେ ପ୍ରତିବାଦ, ଧାରଣା, ଶୋଭାଯାତ୍ରା ଓ ପ୍ଲାକାର୍ଡ଼ ପ୍ରଦର୍ଶନ ମାଧ୍ୟମରେ ନିଜ ନାମକୁ ଗଣମାଧ୍ୟମର ପ୍ରମୁଖ ଖବର ଭାବରେ ସ୍ଥାନିତ କରିଥାନ୍ତି ସେମାନେ କିନ୍ତୁ ବଢିଚାଲିଥିବା ରାଜନୈତିକ ହିଂସାକାଣ୍ଡ ବିରୁଦ୍ଧରେ ନିରବ।

 

ହିଂସା ଏବଂ ଅପରାଧ ସହ ରାଜନୈତିକ ଏବଂ ବୌଦ୍ଧିକ ଧୃବୀକରଣ ହେଉଥିବା ମନେହେଉଛି। ଯେଉଁମାନେ ଗୋମାଂସ ଭକ୍ଷଣକୁ ନେଇ ୪/୫ଟି ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ। କେରଳରେ ୪ ଜଣ ଦଳିତଙ୍କୁ ହତ୍ୟା କରାଯାଇଥିଲେ ହେଁ ସେ ନେଇ ମୁହଁ ଖୋଲି ନାହାନ୍ତି। ଓଡ଼ିଶାରେ ଯାଜପୁର ଜିଲ୍ଲାର ଦୁଇଟି ସଦ୍ୟତମ ହତ୍ୟାକାଣ୍ଡ ରାଜନୈତିକ କାରଣକୁ ନେଇ ଅଭିଯୋଗ ହୋଇଥିଲେ ହେଁ ବୁଦ୍ଧିଜୀବୀମାନେ ନିରବ। କେବଳ ହତ୍ୟାକାଣ୍ଡ ଭଳି ବର୍ବର ଘଟଣା ରାଜନୈତିକ କାରଣରୁ ଘଟୁଛି ତାହା ନୁହେଁ, ନିର୍ଯାତନା ଘଟଣା ବଢିଚାଲିଛି। ଶାସକ ଦଳର କର୍ମୀମାନେ ମାଫିଆମାନଙ୍କ ମାଧ୍ୟମରେ ବିରୋଧୀଦଳ କର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ନିର୍ଯାତନା ଦେଉଛନ୍ତି।

 

ଏହି ସମୟରେ ଦେଶର ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ମୁହଁ ଖୋଲିବାର ସମୟ ଆସିଛି। ରାଜନୈତିକ ହିଂସା ବିରୁଦ୍ଧରେ ବୁଦ୍ଧିଜୀବୀମାନେ ମୁହଁ ନଖୋଲିଲେ ଦେଶର ସଂହତି, ସଂପ୍ରୀତିର ଅଧୋଗତି ଘଟିବ। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ସାଂସଦ ଓ ବିଧାୟକ ହେଉଥିବା ପ୍ରତିନିଧିମାନଙ୍କ ମଧ୍ୟରେ ୩୦ ପ୍ରତିଶତରୁ ଅଧିକ ପ୍ରତିନିଧିଙ୍କ ନାମରେ ଅପରାଧିକ ମାମଲା ରହିଛି। ଏହି ପ୍ରତିନିଧିମାନଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରାଇ ନଦେବା ପାଇଁ ଆଇନ‍୍‌ ପ୍ରଣୟନ ହେବା ଜରୁରୀ ଅଟେ। ରାଜନୀତିର ଅପରାଧୀକରଣକୁ ସାଧାରଣରେ ବିରୋଧ କରିବା ନିହାତି ପ୍ରୟୋଜନ। ଦେଶ ହିତରେ  ଅପରାଧ ବିରୋଧରେ ବୁଦ୍ଧିଜୀବୀମାନେ ସ୍ୱର ଉତ୍ତୋଳନ କରିବା ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ। ଏପରି ହିଂସା ଓ ପ୍ରତିହିଂସା ତଥା ରାଜନୀତିରେ ଅପରାଧୀକରଣକୁ ବନ୍ଦ କରିବାର ସମୟ ଆସିଛି।

 

ଫୋନ‍୍‌: ୯୪୩୮୦୦୬୨୧୫

ଭୁବନେଶ୍ୱର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top