ଦେଶ ପାଇଁ ମରିନାହାନ୍ତି, ଦେଶ ପାଇଁ ବଂଚିବା

News Story - Posted on 2017-08-13

ଆଦିତ୍ୟ ତିୱାରୀ

 

୧୯୪୨ରେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ମୌସୁମୀ ବାୟୁ ଭାରତରେ ପହଁଚି ସାରିଥିଲା। ଏଥିସହ ନୌବାହିନୀର ଘମାଘୋଟ ଯୁଦ୍ଧର ଖବର ମଧ୍ୟ ଆସିଥିଲା। ବିଶ୍ୱ ଦୁଇ ଭାଗ ହୋଇ ସାରିଥିଲା। ଭାରତର ସ୍ଥିତି ମଧ୍ୟ ଧୀରେ ଧୀରେ ସରଗରମ‌୍‍ ହେବାକୁ ଯାଉଥିଲା। ଶତାବ୍ଦୀର ଦାସତ୍ୱ ବନ୍ଧନରୁ ମୁକ୍ତ ହେବା ଅପେକ୍ଷାରେ ଥଲା ଭାରତ। ଏହି ଘଡିସନ୍ଧି ମୁହୂର୍ତ୍ତରେ ସାର ଷ୍ଟାଫୋର୍ଡ କ୍ରିପ୍ସଙ୍କର ଭାରତ ଆଗମନ ଘଟିଥିଲା। ବିଶ୍ୱଯୁଦ୍ଧରେ ବ୍ରିଟିଶକୁ ସମର୍ଥନ କରିବା ପାଇଁ ସେ ଭାରତକୁ ଉପନିବେଶ ରାଜ୍ୟର ମାନ୍ୟତା ଦେବାକୁ ପ୍ରସ୍ତାବ ରଖିଥିଲେ। ବ୍ରିଟିଶ ମହାରାଣୀଙ୍କ ପ୍ରତି ନିଷ୍ଠା ପ୍ରଦର୍ଶନ ପୂର୍ବକ ଭାରତକୁ ସ୍ୱାୟତ୍ତ ଶାସନ ଦେବା ପାଇଁ ଆଗ୍ରହ ପ୍ରକାଶ କଲେ, ମାତ୍ର ଦେଶକୁ ମୁକ୍ତ କରିବା ନିମନ୍ତେ ଶହୀଦ ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ‌୍‍ଙ୍କ ପରି ବିପ୍ଳବୀମାନଙ୍କ ପ୍ରାଣବଳୀ ଏହି ପ୍ରସ୍ତାବ ଦ୍ୱାରା ସାର୍ଥକ ହେବ ନାହିଁ ବୋଲି ସମସ୍ତେ ଅନୁଭବ କଲେ। ଫଳରେ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମୀମାନେ ଗୋଟିଏ ଦାବି ଉଠାଇଲେ ‘ପୂର୍ଣ୍ଣ ସ୍ୱରାଜ’। ତେଣୁ ୮ ଅଗଷ୍ଟ ୧୯୪୨ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ଛୋଟମନ୍ତ୍ର ଜରିଆରେ ବଜ୍ର ଆହ୍ୱାନ ଦେଲେ। ତାହା ଥିଲା ‘ କର ବା ମର’। ଏହି  ମନ୍ତ୍ରକୁ ନିଜ ହୃଦୟରେ ଆଙ୍କି ପ୍ରତିଟି ନିଃଶ୍ୱାସରେ ଜପିବା ପାଇଁ ଗାନ୍ଧିଜୀ ଆହ୍ୱାନ ଦେଇଥିଲେ।

 

ଯେତେବେଳେ ସାରା ବିଶ୍ୱ ଏକ ବଡ ଧରଣର ପରିବର୍ତ୍ତନ ଆଡକୁ ମୁହାଁଇଥିଲା, ଠିକ‌୍‍ ସେତିକି ବେଳେ ଭାରତ ଛାଡ ଆନ୍ଦୋଳନର ଡାକରା ଦିଆଯାଇଥିଲା। ପଶ୍ଚିମରେ ଲଗାତାର ଯୁଦ୍ଧ ଚାଲିଥିବା ବେଳେ ପୂର୍ବରେ ସାମ୍ରାଜ୍ୟବାଦ ବିରୋଧରେ ଆନ୍ଦୋଳନ ଉଗ୍ରରୂପ ନେଉଥିଲା। ଅହିଂସା ଏବଂ ସତ୍ୟାଗ୍ରହ ଦ୍ୱାରା ସମାଜରେ ପରିବର୍ତ୍ତନ ପାଇଁ  ଭାରତ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱକୁ ଚାହିଁ ବସିଥିଲା। ଅନ୍ୟପକ୍ଷରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତକୁ ସ୍ୱାଧୀନ କରିବା ପାଇଁ ‘ଦିଲ୍ଳୀ ଚଲୋ’ ଡାକରା ଦେବା ସହ ସୈନ୍ୟ ସାମନ୍ତଙ୍କ ସହ ଅଂଟାଭିଡି ବାହାରି ଥିଲେ। ଜନ ଆନ୍ଦୋଳନ ଜରିଆରେ ଭାରତର ସ୍ୱାଧୀନତା ଆନ୍ଦୋଳନର ଭିତ୍ତିଭୂମି ଦୃଢ ହେବା ସହ ସ୍ୱାଧୀନତାର ବୀଜ ବୁଣି ହୋଇ ଚାରା ସୃଷ୍ଟି ହେବାକୁ ଲାଗିଥିଲା।

 

ଭାରତ ଛାଡ ଆନ୍ଦୋଳନର ୨୪ ଘଂଟା  ଭିତରେ ସବୁ ବଡ ବଡ ନେତାଙ୍କୁ ଗିରିଫ କରାଗଲା। ଫଳରେ ସାଧାରଣ ଜନତାଙ୍କୁ ମାର୍ଗ ଦର୍ଶନ ଦେବା ପାଇଁ କେହି ନ ଥିଲେ। ଏହି ସମୟରେ ଆନ୍ଦୋଳନର ନେତୃତ୍ୱ ନେବା  ପାଇଁ ଜନତାଙ୍କ ଭିତରୁ ନେତା ସୃଷ୍ଟି ହେଲେ। ସାରା ଦେଶରେ ବ୍ରିଟିଶ ଶାସନ ବିରୋଧରେ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଲା। ସରକାରୀ ଅଟ୍ଟାଳିକାରେ ଉପରେ କଂଗ୍ରେସ ପତାକା ଉଡ଼ିଲା। ବହୁ ସଂଖ୍ୟାରେ ଲୋକ ଗିରଫ ହେଲେ। ସରକାରୀ କାର୍ଯ୍ୟାଳୟରେ କାମ ବନ୍ଦ ହୋଇଗଲା। ଛାତ୍ର ଓ ଶ୍ରମିକ ଆନ୍ଦୋଳନରେ ସାମିଲ ହୋଇଗଲେ। ପଶ୍ଚିମବଙ୍ଗରେ ଚାଷୀମାନେ ବର୍ଦ୍ଧିତ କରକୁ ବିରୋଧ କରି ଆନ୍ଦୋଳନ କଲେ। ସରକାରୀ କର୍ମଚାରୀମାନେ ଆଇନ ଅମାନ୍ୟ ଆନ୍ଦୋଳନ କଲେ। ଏହା ଥିଲା ଏକ ଏୗତିହାସିକ ମୁହୂର୍ତ୍ତ। ଏହା କେବଳ ବିଦେଶୀ ଶାସକଙ୍କ ବିରୋଧରେ ଆନ୍ଦୋଳନ ନଥଲା ବରଂ ଏହା ଦେଶବାସୀଙ୍କ ମଧ୍ୟରେ ଏକ ନୂଆ ଚେତନାର ସୂତ୍ରପାତ ସୃଷ୍ଟି କରିଥିଲା। ଭାରତ ଛାଡ ଆନ୍ଦୋଳନର ଇତିହାସ ଅଜଣା ସହୀଦମାନଙ୍କ ବଳିଦାନରେ ଭରପୂର। ଚାଷୀ, କାରଖାନା ଶ୍ରମିକ, ସାଂବାଦିକ, କଳାକାର, ଛାତ୍ର, ଶିକ୍ଷାବିତ, ଧାର୍ମିକ ସନ୍ଥ ଓ ଦଳିତମାନଙ୍କ ଗାଥାରେ ଏହା ଥିଲା ପରିପୂର୍ଣ୍ଣ।

 

ଭାରତ ଛାଡ ଆନ୍ଦୋନ କାଳରେ ଡଃ ରାମ ମନୋହର ଲୋହିଆ, ଜୟପ୍ରକାଶ ନାରାୟଣ ଏବଂ ଅରୁଣା ଆସଫ ଅଲ୍ଳୀଙ୍କ ପରି ନେତାମାନଙ୍କ ଆବିର୍ଭବ ଘଟିଥିଲା। ଆନ୍ଦୋନଳକାରୀମାନେ ଦେଶର ବିଭିନ୍ନ ଅଂଚଳରେ ସମାନ୍ତରାଳ ସରକାର ଗଠନ କରିଥିଲେ। ଉତ୍ତର ପ୍ରଦେଶର ବଲିଆ ଠାରେ ଚିତୁପାଣ୍ଡେ ସରକାର ଗଠନ କରିଥିବା ବେଳେ ୱାଇ.ଭି ଚୌହ୍ୱାନ ଏବଂ ନାନା ପାଟିଲ ସତାରାଠାରେ ସରକାର ଗଠନ କରିଥିଲେ। ଭାରତ ଛାଡ ଆନ୍ଦୋଳନରେ ମହିଳାମାନଙ୍କ ଭରପୂର ଯୋଗଦାନ ଥିଲା ଯାହାକି ଏକ ଅନନ୍ୟ ଘଟଣା। ସେମାନେ କେବଳ ନିଜକୁ ଆନ୍ଦୋଳନରେ ସାମିଲ କରିନଥିଲେ ବରଂ ପୁରୁଷମାନଙ୍କ ସହ ମିଶି ଆନ୍ଦୋଳନର ନେତୃତ୍ୱ ମଧ୍ୟ ସମ୍ଭାଳିଥିଲେ। ମାତଙ୍ଗିନି ହାଜରାଙ୍କ ନେତୃତ୍ୱରେ ସଂଖ୍ୟାଧିକ ମହିଳାଙ୍କ ସହ ପ୍ରାୟ ୬ ହଜାର ଆନ୍ଦୋଳନକାରୀ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ  ଏକ ଥାନାରେ  ବ୍ୟାପକ ଭଂଗାରୁଜା କରିଥିଲେ। ହାତରେ ତ୍ରିରଙ୍ଗା ଧରି ଶେଷରେ ପୁଲିସ ଗୁଳିରେ ସେ ଶହୀଦ ହୋଇଥିଲେ। ସେହିପରି ସୁଚେତା କୃପାଳିନୀ ମଧ୍ୟ ଆନ୍ଦୋଳନର ନେତୃତ୍ୱ ନେଇ ପରେ ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିପାରିଥିଲେ। ଓଡିଶାରେ ନଳିନୀ ଦେବୀ ଏବଂ ଶଶିକଳା ଦେବୀ ଆନ୍ଦୋଳନରେ ଝାସ ଦେଇଥିବା ବେଳେ ଆସାମରେ କନକଲତା ବରୁଆ ଏବଂ କାହୁଳି ଦେବୀଙ୍କ ପରି ଯୁବାନେତ୍ରୀମାନେ ମଧ୍ୟ ପୁଲିସ ଗୁଳିରେ ଶହୀଦ ହୋଇଥିଲେ। ଭାରତ ଛାଡ ଆନ୍ଦୋଳନରେ ଉଷା ମେହେଟ୍ଟାଙ୍କ ଅବଦାନ ସଂପୂର୍ଣ୍ଣ ନିଆରା ଥିଲା। ସେ ମୁମ୍ୱାଇରେ କଂଗ୍ରେସର ଏକ ଗୁପ୍ତ ରେଡିଓ ଷ୍ଟେସନ ଆରମ୍ଭ କରିଥିଲେ।

 

ପାଟନା ସହରର ପୁରୁଣା ସଚିବାଳୟ ଭବନ ସମ୍ମୁଖରେ ଧୋତି କୁର୍ତ୍ତା ଏବଂ ମୁଣ୍ଡରେ ଗାନ୍ଧି ଟୋପି ପିନ୍ଧିଥିବା ସ୍କୁଲ ପିଲାମାନଙ୍କର ଏକ ବିଶାଳ ମାଟି ନିର୍ମିତ ପ୍ରତିମୂର୍ତ୍ତୀ ରହିଛି। ଏହି ପ୍ରତିମୂର୍ତ୍ତୀରେ ସବୁଠୁ ଆଗରେ ଥିବା ପିଲାଟି ଧୋତି କୁର୍ତ୍ତା ସହ ଗାନ୍ଧି ଟୋପି ପିନ୍ଧିଥିବା ବେଳେ ତା ପଛରେ ଆହୁରି ଛ’ ଜଣ ପିଲା ଅଛନ୍ତି। ଆଗ ପିଲାଟି ହାତରେ ପତାକା ଧରିଥିବା ବେଳେ  ତା ପଛରେ ଥିବା ପଡି ଯାଇଥିବା କିମ୍ୱା ପତାକାକୁ ଜାବୁଡି ଧରିଥିବା ଦେଖିବାକୁ ମିଳେ ଏହି ପିଲାମାନେ ଭାରତ ଛାଡ ଆନ୍ଦୋଳନ ସମୟରେ ପତାକା ଉଡାଇବା ପାଇଁ ଉଦ୍ୟମ କରିବା ବେଳେ ସେମାନଙ୍କୁ ଅତ୍ୟନ୍ତ ନିର୍ଦ୍ଦୟଭାବେ ହତ୍ୟା କରାଯାଇଥିଲା। ଏହି ପ୍ରତିମୂର୍ତ୍ତୀରେ ଭାରତ ଛାଡ ଆନ୍ଦୋଳନର ଆତ୍ମା ରହିଛି। ଏହା ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ବିବିଧତାର  ବଳିଦାନକୁ ଦର୍ଶାଇଥାଏ।

 

ଭାରତ ଛାଡ ଆନ୍ଦୋଳନ ଏକ ଯୁଗାନ୍ତକାରୀ ଆନ୍ଦୋଳନ ଥିଲା। କାରଣ ଏହା ଭାରତୀୟ ଭାବି ରାଜନୀତିର ଆଧାରଶିଳା ରଖିଥିଲା। ଏୗତିହାସିକ ଗୱାଲିଆ ଟଙ୍କ ମୈଦାନରେ ନିଜ ଭାଷଣରେ ମହାତ୍ମା ଗାନ୍ଧୀ କହିଥିଲେ ଯେ ଯେବେ ବି କ୍ଷମତା ମିଳିବ ଏହା ଭାରତୀୟମାନଙ୍କୁ ମିଳିବ। ତେବେ ଏହା କିପରି ଅର୍ପଣ କରାଯିବ। ତାହା ସେମାନେ ସେତେବେଳେ ବିଚାର କରିବେ। ଭାରତ ଛାଡ ଆନ୍ଦୋଳନ ଜରିଆରେ  ହିଁ ‘ଆମେ ଭାରତୀୟଙ୍କୁ’ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ମିଳିଥିଲା।

 

‘ସଂକଳ୍ପରୁ ସିଦ୍ଧି’ ଅଭିଯାନରେ ସାମିଲ ହେବା ପାଇଁ ଭାରତୀୟ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଦ୍ୟତମ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଆହ୍ୱାନ ଦେଇଛନ୍ତି। ପ୍ରକୃତ ପକ୍ଷେ ଏହି ଅଭିଯାନ ଗରୀବ, ଭ୍ରଷ୍ଟାଚାର, ଆତଙ୍କବାଦ ଏବଂ ସାଂପ୍ରଦାୟିକତାବାଦକୁ ବିତାଡିତ କରିବା ପାଇଁ ସଂକଳ୍ପ ହେବ। ସେ କହିଛନ୍ତି ଯେ, ୧୯୪୨ ରୁ ୧୯୪୭ ପର୍ଯ୍ୟନ୍ତ ପାଂଚ ବର୍ଷ ସମଗ୍ର ରାଷ୍ଟ୍ର ଇଂରେଜମାନଙ୍କ ବିରୋଧରେ ଏକଜୁଟ ହୋଇଥିଲା। ସେହିପରି ୨୦୧୭ ଅଗଷ୍ଟ ୧୫ରୁ ୨୦୨୨ ପର୍ଯ୍ୟନ୍ତ ଦେଶରୁ ବିଭିନ୍ନ ସମସ୍ୟା ଦୂର ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଆବଶ୍ୟକ। ନୂଆ ଭାରତ ନିର୍ମାଣ ପାଇଁ ସେ ପୂର୍ବରୁ ଦେଇଥିବା ଆହ୍ୱାନ ସହ ଏହି ଆହ୍ୱାନ ସମାନ। ଏମିତି  ଏକ ଭାରତ ନିର୍ମାଣ ହେବ, ଯେଉଁଠି ନୂଆ ଆଶା ଓ ନୂଆ ସ୍ୱପ୍ନ ଥିବ। ଯେଉଁଠି ଧନୀ ଓ ଗରୀବଙ୍କୁ ସମାନ ବ୍ୟବହାର ମିଳିବ। ଯେଉଁଠି ନାରୀଶକ୍ତିର ଆକାଂକ୍ଷା ପୂର୍ଣ୍ଣ ହୋଇପାରୁଥିବ। ଯେଉଁଠି ଜନତା ଓ ଗଣତନ୍ତ୍ର ମଧ୍ୟରେ ଗଭୀର ସଂପର୍କ ସୃଷ୍ଟି ହେବ। ଏପରି ଏକ ଭାରତ ହେବ ଯାହା ଭ୍ରଷ୍ଟାଚାର ଓ କଳାଧନ ମୁକ୍ତ ହୋଇଥିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସବୁ ବେଳେ କହନ୍ତି ଯେ, ସେ ଦେଶ ସ୍ୱାଧୀନତା ହେବା ପରେ ଜନ୍ମ ନେଇଛନ୍ତି। ତାଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିନାହିଁ। ଏହା ଦେଶର ଅଧିକାଂଶ ଯୁବକଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେଉଛି।

 

ଭାରତ ଛାଡ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଏହା ଆମ ସମସ୍ତଙ୍କ ପାଇଁ ଏକ ସୁଯୋଗ ଯେ ଆମେ ଯଦି ଦେଶ ପାଇଁ ମରିପାରିଲୁ ନାହିଁ, ତେବେ ଆସନ୍ତୁ ଦେଶ ପାଇଁ ବଂଚିବା ଏବଂ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନକୁ ସାକାର କରିବ। (ପିଆଇବି)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top