ତାଜ ମହଲ ନା ତେଜୋ ମହାଳୟ?

News Story - Posted on 2017-08-10

ତାଜମହଲ ଏକ ମସଜିଦ ନା ମନ୍ଦିର? ଏହାକୁ ପତ୍ନୀ ମମତାଜ ମହଲଙ୍କ ସ୍ମୃତିରେ ଶାହଜାହାନ ତିଆରି କରିଥିଲେ ନା ଜଣେ ହିନ୍ଦୁ ରାଜା ଏହି ଶିବ ମନ୍ଦିରକୁ ଦାନରେ ଦେଇଥିଲେ? ଏଭଳି ପ୍ରଶ୍ନ ଉପରେ ସ୍ପଷ୍ଟ ମତ ରଖିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତର ମୁଖ୍ୟ ସୂଚନା କମିଶନ ।

 

ଏକ ମାମଲାର ବିଚାର କରି ମୁଖ୍ୟ ସୂଚନା କମିଶନର ସୂଚନା କମିଶନର ଶ୍ରୀଧର ଆଚାର୍ଯ୍ୟଲୁ ସଂସ୍କୃତି ମନ୍ତ୍ରଣାଳୟକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱର ଏକ ଆଶ୍ଚର୍ଯ୍ୟ ଭାବେ ଗଣନା କରାଯାଉଥିବା ଏହି ଶଙ୍ଖ ମର୍ମର ପ୍ରସ୍ତରର ସ୍ମୃତିପୀଠ ପ୍ରକୃତରେ କ’ଣ ସେ ନେଇ ବିଭିନ୍ନ ମହଲରେ ଦ୍ୱନ୍ଦ୍ୱ ଓ ବିଭ୍ରାନ୍ତି ଲାଗି ରହିଛି । ଗତ କିଛି ବର୍ଷ ଧରି ଗୋଟିଏ ଗୋଷ୍ଠୀ ଏହାକୁ ମନ୍ଦିର ଭାବେ ଦର୍ଶାଇବାକୁ ସୋସିଆଲ ମିଡିଆରେ ଅନେକ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରୁଛନ୍ତି । ଐତିହାସିକ ପିଏନ ଓକ୍ ଓ ଆଇନଜୀବୀ ଯୋଗେଶ ସାକ୍ସେନା ଏହା ଏକ ଶିବ ମନ୍ଦିର ବୋଲି ଯୁକ୍ତି କରିବା ପରେ ତାହାକୁ ଆଧାର କରି ଏହି ବିଭ୍ରାନ୍ତି ପ୍ରସାରିତ ହୋଇଚାଲିଛି । ତେଣୁ ଏହା ଦୂର କରିବାକୁ ସଂସ୍କୃତି ମନ୍ତ୍ରଣାଳୟ ଏ ସଂପର୍କରେ ତଥ୍ୟ ଓ ପ୍ରମାଣ ସହିତ ସ୍ପଷ୍ଟ ମତ ରଖିବାକୁ ସୂଚନା କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

 

ଏ ନେଇ କେତେକ ମକଦ୍ଦମା ମଧ୍ୟ ବିଭିନ୍ନ କୋର୍ଟରେ ଦାଏର ହୋଇଛି । ସୁପ୍ରିମ କୋର୍ଟ କେତେକ ପିଟିସନକୁ ଖାରଜ କରିଦେଇଛନ୍ତି । ତଥାପି କେତେକ କୋର୍ଟରେ ଏମିତି କିଛି ମାମଲା ବିଚାରାଧୀନ ରହିଛି । ଏସବୁ ମାମଲାରେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଜବାବୀ ସତ୍ୟପାଠ ଦାଖଲ କରିଥିବ । ସେଭଳି ସତ୍ୟପାଠର ନକଲ ୨୦୧୭ ଅଗଷ୍ଟ ୩୦ ତାରିଖ ମଧ୍ୟରେ ଆବେଦନକାରୀଙ୍କୁ ଯୋଗାଇ ଦେବାକୁ ସୂଚନା କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

 

ମୁଖ୍ୟ ସୂଚନା କମିଶନରେ ଏନେଇ ମାମଲା ଦାଏର କରିଛନ୍ତି ବିକେଏସଆର ଆୟାଙ୍ଗାର ନାମକ ଜଣେ ବ୍ୟକ୍ତି । ସୂଚନା ଅଧିକାରୀ ଆଇନ ବଳରେ ସେ ପ୍ରଥମେ ଏହି ପ୍ରଶ୍ନ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ପଚାରିଥିଲେ । ଆଗ୍ରାରେ ଥିବା ଶଙ୍ଖ ମର୍ମର ପ୍ରସ୍ତର ନିର୍ମିତ ସ୍ମୃତିପୀଠ ତାଜ ମହଲ ନା ତେଜୋ ମହାଳୟ? ସେ ଜାଣିବାକୁ ଚାହିଁଥିଲେ, ଅନେକ ଲୋକ କହୁଛନ୍ତି ଏହା ତାଜ ମହଲ ନୁହେଁ, ତେଜୋ ମହାଳୟ; ଏହାକୁ ଶାହଜାହାନ ନିର୍ମାଣ କରି ନଥିଲେ, ରାଜା ମାନ ସିଂହ ଦାନ କରିଥିଲେ । ତେଣୁ ଏ ନେଇ ଏଏସଆଇ ନିକଟରେ କି ତଥ୍ୟ ରହିଛି ତାହା ଦିଆଯାଉ ।

 

ଏହି ପ୍ରଶ୍ନର ଉତ୍ତରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଆୟାଙ୍ଗାରଙ୍କୁ କହିଛି ଯେ ଏନେଇ ସେଭଳି କୌଣସି ରେକର୍ଡ଼ ନାହିଁ । ଏହା ପରେ ଆୟାଙ୍ଗାର ମୁଖ୍ୟ ସୂଚନା କମିଶନରରେ ଆବେଦନ କରିଥିଲେ ।

 

ସୂଚନା କମିଶନ ଆଚାର୍ଯ୍ୟଲୁ ତାଙ୍କ ଆଦେଶରେ କହିଛନ୍ତି ଯେ ତାଜ ମହଲ ଏବେ ଏକ ସୁରକ୍ଷିତ ତଥା ବନ୍ଦ ମସଜିଦରେ ପରିଣତ ହୋଇଛି । ଏହାର ବନ୍ଦ ହୋଇଥିବା ବଖରାକୁ ଖୋଲିବା, ତା’ ଭିତରେ କ’ଣ ଅଛି ଦେଖିବା, ତା’ ଚଟାଣ ତଳେ କ’ଣ ଅଛି ତାହା ଜାଣିବାକୁ ପ୍ରତ୍ନତାତ୍ତ୍ୱିକ ଖନନ କରିବା ଏବେ ଆଉ ସମ୍ଭବ ନୁହେଁ । ଏହାର ଇତିହାସ ଓ ପ୍ରତ୍ନତତ୍ତ୍ୱ ସଂପର୍କୀତ ପ୍ରଶ୍ନ ମଧ୍ୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ । ତେଣୁ ଯେଉଁମାନେ ତାଜ ମହଲକୁ ତେଜୋ ମହାଳୟ ଭାବେ ଉପସ୍ଥାପିତ କରିବାକୁ ଚାହୁଁଛନ୍ତି ସେମାନେ ଆଗେ ଏହି ଢାଞ୍ଚାକୁ ବନ୍ଦ ଓ ସୁରକ୍ଷିତ ରଖିବାର ସରକାରୀ ନିଷ୍ପତ୍ତିର ପ୍ରତିବାଦ କରିବା କଥା । ଏହାର ପ୍ରତ୍ନତାତ୍ତ୍ୱିକ ଖନନ କମିଶନ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଯଦି ପୂର୍ବରୁ କିଛି ଏପରି ଖନନ ହୋଇଛି ତେବେ ସେ ସଂପର୍କୀତ ସୂଚନା ଆବେଦନକାରୀ ଆୟାଙ୍ଗାରଙ୍କୁ ଯୋଗାଇ ଦେବାକୁ କମିଶନ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

 

ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ପିଏନ ଓକ୍ ନାମକ ଜଣେ ବ୍ୟକ୍ତି ଏକ ଇତିହାସ ବହି ଲେଖିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ତାଜ ମହଲର ନାମ ପୂର୍ବରୁ ତେଜୋ ମହାଳୟ ଥିଲା । ଏହାକୁ ଜଣେ ରାଜପୁତ ରାଜା ମାନ ସିଂହ ନିର୍ମାଣ କରିଥିଲେ । ପରେ ସେ ତାହାକୁ ସମ୍ରାଟ ଶାହ ଜାହାନଙ୍କୁ ଦାନ କରିଦେଇଥିଲେ । ଓକ୍ଙ୍କ ବହିର ନାଁ ହେଉଛି ‘ତାଜ ମହଲ: ଦ ଟ୍ରୁ ଷ୍ଟୋରି’ । ସେ ଏହି ବହି ଲେଖିବା ସହିତ ୨୦୦୦ ମସିହାରେ ସୁପ୍ରିମ କୋର୍ଟରେ ଏକ ମକଦ୍ଦମା କରି ଏହାର ନାମ ତେଜୋ ମହାଳୟ ରଖିବାକୁ ଦାବି କରିଥିଲେ । କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।

 

ସେହିପରି ତାଜ ମହଲ ଆଗରେ ଲେଖାଯାଇଥିବା ‘ଏହା ଏକ ମୋଗଲ ନିର୍ମାଣ’ ଉଠାଇ ଦେବାକୁ ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି ୨୦୦୫ ଫେବୃଆରୀ ୨୧ ତାରିଖରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ବିଏସ ଚୌହାନ ଓ ଦିଲୀପ ଗୁପ୍ତା ଏହା ଏକ ବିବାଦୀୟ ପ୍ରଶ୍ନ ବୋଲି ମତ ଦେଇ ପିଟିସନ ଖାରଜ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top