ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା

News Story - Posted on 2017-08-10

ପ୍ରହଲାଦ କୁମାର ସିଂହ

 

ଭାରତଛାଡ଼ ଆନ୍ଦୋଳନ ଆମ ସ୍ବାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ତଥା ଗୌରବାବହ ଅଧ୍ୟାୟ। ଦେଶର ସ୍ବାଧୀନତା ପାଇଁ ଓଡ଼ିଶାବାସୀ କେତେ ବଳିଦାନ ଦେଇପାରନ୍ତି ତାହାର ପ୍ରାମାଣିକ ନିଦର୍ଶନ ରହିଯାଇଛି ସ୍ବାଧୀନତା ସଂଗ୍ରାମର ଏହି ଶେଷ ଲେଇରେ ଜାତିର ଜନକ ମହାତ୍ମାଗାନ୍ଧୀ ଦେଇଥିବା ‘କର ବା ମର’ ଆହ୍ବାନ ପରିପ୍ରେକ୍ଷୀରେ।

 

୧୯୪୨ ଅଗଷ୍ଟ ୮ ତାରିଖରେ ବମ୍ବେର ଗୋଆଲିଆ ଟ୍ୟାଙ୍କ (ଅଗଷ୍ଟକ୍ରାନ୍ତି) ମଇଦାନରେ ଅନୁଷ୍ଠିତ କଂଗ୍ରେସର ଖୋଲା ଅଧିବେଶନରେ ସ୍ବାଧୀନତା ପାଇଁ ଗାନ୍ଧିଜୀ ଦେଇଥିଲେ ‘କର ବା ମର’ ଡାକରା। ଏଥିରେ ଉଦବୁଦ୍ଧ ହୋଇ ସମଗ୍ର ଦେଶ ସହ ଓଡ଼ିଶାରେ ସୃଷ୍ଟି ହୋଇଥିଲା ଉଷ୍ମ ବାତାବରଣ। ଆଉ ସେଥିରେ ଆମ ରାଜ୍ୟରୁ ପ୍ରାଣବଳି ଦେଇଛନ୍ତି 200ରୁ ଅଧିକ ସଂଗ୍ରାମୀ।

 

ଭାରତ ଇତିହାସର ଏହି ଗରିମାମୟ ଅଧ୍ୟାୟରେ କିନ୍ତୁ ଏଯାବତ୍ ଓଡ଼ିଆମାନଙ୍କ ବଳିଦାନର ଅମରଗାଥା ଯେଭଳି ସ୍ଥାନିତ ହେବା କଥା ତାହା ହୋଇନାହଁି। ଇତିମଧ୍ୟରେ ୭୫ ବର୍ଷ ବିତି ଯାଇଛି। ବର୍ତ୍ତମାନର ପିଢିକୁ ସ୍ବଦେଶୀ ସ୍ବାବଲମ୍ବନର ଦେଶାତ୍ମବୋଧ ମନ୍ତ୍ରରେ ଅଭିମନ୍ତ୍ରିତ କରିବା ଲାଗି ଅମର ସହିଦମାନଙ୍କ ବଳିଦାନର ଗାଥା ଯେଭଳି ପଢ଼ାଯିବା କଥା ତାହା ବି ହେଉନାହିଁ। ଭାରତଛାଡ଼ ଆନ୍ଦୋଳନର ଗୁରୁତ୍ବ ଫରାସୀ ରାଷ୍ଟ୍ର ବିପ୍ଳବ କିମ୍ବା ରୁଷ ବିପ୍ଳବଠାରୁ କୌଣସି ଗୁଣରେ କମ୍ ନଥିଲେ ମଧ୍ୟ ଏହି ଗୌରବୋଜ୍ବଳ ସ୍ମୃତିର ୭୫ ବର୍ଷ ପୂର୍ତ୍ତି ଅବସରରେ ବି ତାହାର ଉପଯୁକ୍ତ ରୋମନ୍ଥନ ହେଉନାହଁି।

 

୧୮୦୩ ଅକ୍ଟୋବର ୧୪ ତାରିଖରେ ବ୍ରିଟିଶ୍ ଓଡ଼ିଶା ଅକ୍ତିଆର କଲା। ଏହା ପୂର୍ବରୁ ଓ ପରଠାରୁ ସଂଗ୍ରାମୀ ଓଡ଼ିଆମାନେ ବ୍ରିଟିଶ୍ ଶାସନକୁ ଲଗାତର ବିରୋଧ କରିଆସିଛନ୍ତି। ଘୁମୁସରରୁ ଖେଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବ୍ରିଟିଶ୍ ଫେଜକୁ ସଶସ୍ତ୍ର ମୁକାବିଲା କରି ଓଡ଼ିଆ ଯୋଦ୍ଧା ବାରମ୍ବାର ଘାଇଲା କରିଛନ୍ତି। ପାଇକ ବିଦ୍ରୋହ, ସିପାହୀ ବିଦ୍ରୋହ ଆଦିରେ ଏମାନେ ବ୍ରିଟିଶ୍ ଶକ୍ତିକୁ ଥରାଇ ଦେଇଛନ୍ତି। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, କୃତ୍ତିବାସ ପାଟ୍ଟଶାଣୀ, ବୀର ସୁରେନ୍ଦ୍ର ସାଏ, ଚାଖି ଖୁଣ୍ଟିଆ, ଦୋରା ବିଶୋଇ, ଚକ୍ର ବିଶୋଇ, କଷ୍ଟି ଡାକୁଆ, ବିର୍ସା ମୁଣ୍ଡା ଆଦି ବୀରପୁଙ୍ଗବମାନଙ୍କ ବ୍ରିଟିଶ୍ ବିରୋଧୀ ସଶସ୍ତ୍ର ସଂଗ୍ରାମ ଓଡ଼ିଆ ଜାତି ତଥା ଦେଶ ପାଇଁ ଅବିସ୍ମରଣୀୟ।

 

ସ୍ବାଧୀନତା ସଂଗ୍ରାମର ନେତୃତ୍ବ ମହାତ୍ମାଗାନ୍ଧୀ ନେବା ପରେ ହୋଇଥିବା ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବାଣୀ ସତ୍ୟାଗ୍ରହ, ସ୍ବଦେଶୀ ଆନ୍ଦୋଳନ, ନିଶା ନିବାରଣ ଅଭିଯାନ ଆଦିରେ ଓଡ଼ିଶାର ସତ୍ୟାଗ୍ରହୀମାନେ ଅଭୂତପୂର୍ବ ଭୂମିକା ନିଭାଇଛନ୍ତି। ଏମାନଙ୍କ ତ୍ୟାଗ ଓ ନିଷ୍ଠା ଗାନ୍ଧିଜୀଙ୍କୁ ଏତେ ଅଭିଭୂତ କରିଥିଲା ଯେ ସେ ୭ ଥର ଓଡ଼ିଶା ଗସ୍ତରେ ଆସି ଏଠି କାଟିଛନ୍ତି ଘଟଣାବହୁଳ ୬୯ ଦିନ। ଏଥିଭିତରେ ପୁଣି ପ୍ରାୟ ମାସେ ବ୍ୟାପୀ ପଦଯାତ୍ରା।

 

୧୯୪୨ ଜୁଲାଇ ମାସରେ ୱାର୍ଦ୍ଧାଠାରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ବ୍ରିଟିଶ୍ ଶାସନର ଅବସାନ ପାଇଁ ପ୍ରସ୍ତାବ ଗୃହୀତ ହେବା ପରେ ବମ୍ବେରେ କଂଗ୍ରେସର ଖୋଲା ଅଧିବେଶନ ଆରମ୍ଭ ହେଲା ଅଗଷ୍ଟ ୮ ତାରିଖରେ। ଏହି ଅଧିବେଶନରେ ଲକ୍ଷାଧିକ ସ୍ବାଧୀନତା ପିପାସୁ ଯୋଗ ଦେଇଥିବା ବେଳେ ଏମାନଙ୍କ ମଧ୍ୟରେ ଥିଲେ କଂଗ୍ରେସ କାର୍ଯ୍ୟକାରୀ କମିଟିର ପ୍ରାୟ ୨୦୦ ସଦସ୍ୟ। ଓଡ଼ିଶାରୁ ଏଥିରେ ପ୍ରତିନିଧିତ୍ବ କରିଥିଲେ ମାଳତୀ ଚୌଧୁରୀ, ହରେକୃଷ୍ଣ ମହତାବ, ସୁରେନ୍ଦ୍ର ନାଥ ଦ୍ବିବେଦୀ, ପ୍ରହଲାଦ ରାୟ ଲାଠ ଓ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଭଳି ୫ ଜଣ ଯୋଗଜନ୍ମା। ତେବେ ଅଗଷ୍ଟ ୯ ସୂର୍ଯ୍ୟୋଦୟ ପୂର୍ବରୁ ଗାନ୍ଧିଜୀଙ୍କ ସମେତ ବହୁ ନେତାଙ୍କୁ ଗିରଫ କରାଗଲା। ପୋଲିସ ଆଖିରେ ଧୂଳିଦେଇ ମାଳତୀ ଦେବୀ ଓ ସୁରେନ୍ଦ୍ର ଦ୍ବିବେଦୀ ଓଡ଼ିଶା ଚାଲି ଆସିବା ପରେ ଏଠାରେ ଆନ୍ଦୋଳନ ତୀବ୍ରତର ହେଲା। ସେତେବେଳକୁ ରାଜ୍ୟର ପ୍ରାୟ ସବୁ ଆଗଧାଡ଼ିର ସ୍ବାଧୀନତା ସଂଗ୍ରାମୀ ଜେଲରେ।

 

୧୯୪୨ ବେଳକୁ ଓଡ଼ିଶାରେ ସ୍ବାଧୀନତା ଆନ୍ଦୋଳନର ବାର୍ତ୍ତା ଗାଁ ଗହଳରେ ଏମିତିକି ବଣ ଜଙ୍ଗଲ, ପାହା ପର୍ବତ ଘେରା ଆଦିବାସୀ ଅଞ୍ଚଳରେ ପହଞ୍ଚି ସାରିଥିଲା। ସ୍ବାଧୀନତାର ସ୍ବାଦ ଚାଖିବା ପାଇଁ ଜୀବନକୁ ବଳିଦେବା ଲାଗି ମଧ୍ୟ ସଂଗ୍ରାମୀମାନେ ପଛାଉ ନଥାନ୍ତି।

 

ଭଦ୍ରକର ବାସୁଦେବପୁର ନିକଟବର୍ତ୍ତୀ ଇରମଠାରେ ଭାରତଛାଡ଼ ଆନ୍ଦୋଳନ କାଳରେ ପଞ୍ଜାବର ଜାଲିଆନାୱାଲାବାଗ୍ ନରସଂହାରର ପୁନରାବୃତ୍ତି ଘଟିଥିଲା। ଏଠି ପ୍ରାୟ ୧୦ ହଜାର ଲୋକଙ୍କ ସମାବେଶ ଉପରେ ୧୯୪୨ ସେପ୍ଟେମ୍ବର ୨୮ ତାରିଖ ଅପରାହ୍ନରେ ବ୍ରିଟିଶ୍ ପୋଲିସର ଅତର୍କିତ ଗୁଳି ବର୍ଷଣ ଯୋଗୁ ଜଣେ ମହିଳାଙ୍କ ସମେତ ୨୯ ଜଣ ସହିଦ ହୋଇଥିଲେ ଓ ୫୬ରୁ ଅଧିକ ଲୋକଙ୍କ ଆହତ ହେଲେ। ଅଗଷ୍ଟ ଆନ୍ଦୋଳନ କାଳରେ ଦେଶର ଅନ୍ୟ କୌଣସି ସ୍ଥାନରେ ଏତେ ସଂଖ୍ୟକ ଲୋକ ସହିଦ ହୋଇନାହାନ୍ତି। ଏ ହେଉଛି ଆମ ରକ୍ତତୀର୍ଥ ଇରମର ଅମରଗାଥା।

 

ସେହିପରି ବର୍ତ୍ତମାନର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡ଼ାହାଣ୍ଡିର ତୁରୀ ନଦୀ ନିକଟରେ ଅନୁରୂପ ଏକ ଗୁଳିକାଣ୍ଡରେ ଭାରତଛା ଆନ୍ଦୋଳନ ବେଳେ ୧୯ ଜଣ ସହିଦ ହୋଇଛନ୍ତି। ଆନ୍ଦୋଳନକୁ ଦବାଇବାକୁ ଯାଇ ପୋଲିସ ଗୁଳି ଚଳାଇବା ଫଳରେ ଭଦ୍ରକର ଲୁଣିଆରେ ୯ ଜଣ, ତୁଡ଼ିଗଡ଼ିଆ-ଖଇରାଡିହିରେ ୩ ଜଣ, ଯାଜପୁରର କାଇପଡ଼ା-କଳାମାଟିଆରେ ୪ ଜଣ, ମାଳକାନଗିରିର ମାଥିଲିରେ ୫ ଜଣ, ପୁରୀର ନିମାପଡ଼ାରେ ଜଣେ ସଂଗ୍ରାମୀ ସହିଦ ହୋଇଛନ୍ତି। ଢେଙ୍କାନାଳ ଗଡ଼ଜାତ ଅଞ୍ଚଳରେ ପୋଲିସ ଗୁଳିରେ ଏହି ସମୟରେ ଦୁଇ ଜଣ ସଂଗ୍ରାମୀଙ୍କୁ ହତ୍ୟା କରାଯାଇଥିବା ବେଳେ ତିନିଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ନୟାଗଡ଼, ନୀଳଗିରି ଓ ତାଳଚେର ଗଡ଼ଜାତ ଅଞ୍ଚଳରେ ପ୍ରାୟ ୧୫ ଜଣ ସହିଦ ହୋଇଛନ୍ତି। ସୋନପୁରରେ ବି ଜଣେ ମହିଳା ସତ୍ୟାଗ୍ରହୀଙ୍କୁ ସହିଦତ୍ବ ପ୍ରାପ୍ତ ହୋଇଛି। ଅନ୍ୟତମ ଯୁବ ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ବିରୋଧରେ ମିଛ ମାମଲା ରୁଜୁ କରି ବ୍ରିଟିଶ୍ ସରକାର ଫାଶୀ ଖୁଣ୍ଟରେ ଝୁଲାଇଛି।

 

ସମ୍ବଲପୁର, ବରଗଡ଼, କଳାହାଣ୍ଡି, କୋରାପୁଟଠାରୁ ଆରମ୍ଭ କରି ଗଞ୍ଜାମ, ପୁରୀ, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର ଆଦି ଅଞ୍ଚଳରେ ଭାରତଛାଡ଼ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ହଜାର ହଜାର ସତ୍ୟାଗ୍ରହୀଙ୍କ ଦ୍ବାରା କାରାଗାର ସବୁ ଭରପୂର ହୋଇଗଲା। ରେଭେନ୍ସା କଲେଜରେ ଛାତ୍ରଛାତ୍ରୀମାନେ ବ୍ରିଟିଶ୍ ପତାକା ଓହ୍ଲାଇ ତ୍ରିରଙ୍ଗା ଝଣ୍ଡା ଉଡ଼ାଇଲେ। ଅନେକ ସ୍ଥାନରେ ସ୍କୁଲ, କଲେଜ ଛାଡ଼ି ଶହ ଶହ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହେଲେ। ପରଦା ଆଢୁଆଳରୁ ବାହାରି ଓଡ଼ିଶାର ବହୁ ମହିଳା ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ଜେଲ୍ ଗଲେ। ଏମିତିକି ବହୁ ନବପରିଣୀତା ଓ ୧୪/୧୫ ବର୍ଷର କିଶୋରୀ ଝିଅମାନେ ବି କାରାବରଣ କଲେ। କେତେକ ଜେଲରେ ମା’ମାନଙ୍କ ସହିତ ଛୋଟ ଛୋଟ ଶିଶୁମାନଙ୍କୁ ଜେଲ୍ ଜୀବନ ବିତାଇବାକୁ ପଡ଼ିଲା। ଏ ମାଟି ଭୋଗର ନୁହେଁ, ତ୍ୟାଗର- ତାହାର ପ୍ରମାଣ କରିଦେଲେ ସେମାନେ।

 

ଜେଲ୍ ଭିତରେ ଓ ବାହାରେ ବ୍ରିଟିଶ୍ ଅତ୍ୟାଚାରର ବି ଅନେକ ଶିକାର ହେଲେ। କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ୟୁନ ୮୩ ଜଣ ଏହି ଆନ୍ଦୋଳନ କାଳରେ ସହିଦ ହୋଇଥିବା ଇତିହାସର ଦସ୍ତାବିଜରୁ ଜଣାପଡ଼େ। ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ସ୍ବାଧୀନତା ଲାଗି ବଳିଦାନ ଲାଗି ଚାଲିଥିଲା ଅଘୋଷିତ ପ୍ରତିଯୋଗିତା। ହଜାର ହଜାର ସଂଗ୍ରାମୀଙ୍କର ବଳିଦାନର ପୃଷ୍ଠଭୂମିରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଆମେ ହାସଲ କଲୁ କଷ୍ଟଲବ୍ଧ ସ୍ବାଧୀନତା। କିନ୍ତୁ ଏହି ସଂଗ୍ରାମର ସେନାପତି ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ସ୍ବାଧୀନତାର ୬ ମାସ ନ ପୂରୁଣୁ  ହତ୍ୟା କରାଗଲା। ଇହଲୀଳା ସମ୍ବରଣର କିଛିଦିନ ପୂର୍ବରୁ ଗାନ୍ଧିଜୀ କହିଥିଲେ ଯେ ଯେଉଁ ସ୍ବାଧୀନତା ପାଇଁ ଆନ୍ଦୋଳନ ଚାଲିଥିଲା ତାହା ୧୯୪୭ ଅଗଷ୍ଟ ୧୫ରେ ହାସଲ ହୋଇନାହିଁ। କେବଳ ରାଜନୈତିକ ନୁହେଁ ସାମାଜିକ, ଆର୍ଥିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ନୈତିକ କ୍ଷେତ୍ରରେ ସ୍ବାଧୀନତା ହାସଲ ଲାଗି ପୁଣି ନିରନ୍ତର ଲେଇ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବ ଦେଇଥିଲେ।

 

ଯେଉଁ ସ୍ବାଧୀନତା ପାଇଁ ଏତେ ବଳିଦାନ ତାହାର ସ୍ବରୂପ କ’ଣ ହେବ ସେ ସଂକ୍ରାନ୍ତରେ ଦିଆଯାଇଥିଲା ଘୋଷିତ ପ୍ରତିଶ୍ରୁତି। ଏଥିରେ ଉଲ୍ଲେଖ ଥିଲା ଯେ ସ୍ବାଧୀନ ଭାରତର ସାଧାରଣ ଲୋକଙ୍କ ହାତରେ ଶାସନର ଡୋରି ରହିବ ଏବଂ ଦେଶର ସାର୍ବଭୌମତ୍ବ, ପ୍ରତିରକ୍ଷା, ଆଇନ୍, ଆର୍ଥିକ ବ୍ୟବସ୍ଥା ତଥା ଆମଦାନୀ ଓ ରପ୍ତାନି ଉପରେ ରାଷ୍ଟ୍ରର ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ଖାଦ୍ୟ, ବସ୍ତ୍ର ଓ ବାସଗୃହର ସମସ୍ୟା ରହିବ ନାହିଁ। ସ୍ବାଧୀନ ଭାରତର ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଏତେ ଉନ୍ନତ ହେବ ଯେ ରାତି ଅଧରେ ଜଣେ ଯୁବତୀ ଯେକୌଣସି ସ୍ଥାନକୁ ଯାଇ ନିରାପଦରେ ଫେରିଆସିପାରିବ। ସ୍ବାଧୀନ ଭାରତରେ ଅସ୍ଫୃଶ୍ୟତା ରହିବ ନାହିଁ ଏବଂ ଏହା ହେବ ସର୍ବଧର୍ମ ସମନ୍ବୟର ମଞ୍ଚ। ଏଠି ପ୍ରତ୍ୟେକ ଗାଁ ସ୍ବଦେଶୀ ଆଧାରରେ ସ୍ବାବଲମ୍ବୀ ହେବ ଓ ୭ ଲକ୍ଷ ଗାଁରେ ରହିବ ୭ ଲକ୍ଷ ରିପବ୍ଲିକ। ସ୍ବାଧୀନ ଭାରତରେ ନିଶା ସମ୍ପୂର୍ଣ୍ଣ ଭାବେ ନିବାରିତ ହେବ ଏବଂ ନିଶା କାରବାରକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସରକାର ପ୍ରୋତ୍ସାହନ ଦେବେ ନାହିଁ। ଧନି ଦରିଦ୍ରର ଶୋଷଣ ଏଠି ନଥିବ ଏବଂ ନାରୀ ଓ ପୁରୁଷ ମଧ୍ୟରେ ସମାନ ଅଧିକାର ରହିବ। ଦେଶର ସର୍ବୋଚ୍ଚ କର୍ତ୍ତା ଓ ସର୍ବନିମ୍ନସ୍ତରର କର୍ମଚାରୀଙ୍କ ଦରମାରେ ଆକାଶ ପାତାଳ ଫରକ୍ ରହିବ ନାହିଁ।

 

ହଜାର ହଜାର ସହିଦଙ୍କ ବଳିଦାନ ଓ ଲକ୍ଷାଧିକ ସଂଗ୍ରାମୀଙ୍କ ସାଧନା ଯୋଗୁ ଆମେ ହାସଲ କରିଥିବା ସ୍ବାଧୀନତା ତାହାର ଘୋଷିତ ଲକ୍ଷ୍ୟ ୭୦ ବର୍ଷ ମଧ୍ୟରେ କେତେଦୂର ହାସଲ କରିଛି ତା’ର ହିସାବ ନିକାଶ କରିବାର ବେଳ ଆସିଛି। ସ୍ବଦେଶୀ ସ୍ବାବଲମ୍ବନ ଆଦିକୁ କବର ଦିଆଯାଉଥିବା ବେଳେ ଅଗ୍ନିକୁଣ୍ଡ ଆଡ଼କୁ ପତଙ୍ଗ ଟାଣିହୋଇ ଆସିବା ଭଳି ଆମ ଯୁବ ଓ ଛାତ୍ର ସମାଜର ଅବସ୍ଥା। ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ଅବସରରେ ‘କର ବା ମର’ ଗୁରୁମନ୍ତ୍ରକୁ ସ୍ମରଣ କରି ସ୍ବାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତିକୁ ସାକାର କରିବା ଲାଗି ପୁଣି ନିରନ୍ତର ସତ୍ୟାଗ୍ରହ ଲୋଡ଼ା। ଏଥିଲାଗି ଧନ ଅପେକ୍ଷା ଅଧିକ ଆବଶ୍ୟକ ପୁଛି ସଂକଳ୍ପବଦ୍ଧ ମନର।

 

ସଭାପତି, ଉତ୍କଳ ଗାନ୍ଧୀ ସ୍ମାରକ ନିଧି

ସଂପର୍କ- ୯୪୩୭୦୧୭୩୯୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top