ନ୍ୟୁନ ହୋଇଗଲା ପଦ୍ମଶ୍ରୀ

News Story - Posted on 2017-08-10

ବୈଷ୍ଣବ ଜେନା

 

ସମଗ୍ର ବିଶ୍ୱକୁ ଅହିଂସାର ବାର୍ତ୍ତା ଦେଇଥିବା ତଥା ସମଗ୍ର ବିଶ୍ୱରେ ଅହିଂସା ମାନବ ରୂପରେ ପୂଜା ପାଉଥିବା ମହାତ୍ମା ଗାନ୍ଧୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଲା ନାହିଁ। ସେହିପରି ରୁଷୀୟ ଲେଖକ ଲିଓ ଟଲଷ୍ଟୟଙ୍କୁ ନୋବେଲ‌୍‍ ସାହିତ୍ୟ ପୁରସ୍କାର ମିଳିଲା ନାହିଁ। ଏହି ପ୍ରସଙ୍ଗରେ ଗତ ୫୦ ଓ ୬୦ ଦଶକରେ ବିଶ୍ୱରେ ବହୁ ବିତର୍କ ହୋଇଛି। ଶେଷରେ ଯେଉଁ ନିଷ୍କର୍ଷ ବାହାରିଲା ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ମହାତ୍ମା ଗାନ୍ଧିଙ୍କ କ୍ଷେତ୍ରରେ ନୋବେଲ‌୍‍ ଶାନ୍ତି ଏବଂ ଟଲଷ୍ଟୟଙ୍କ ନିକଟରେ ନୋବେଲ‌୍‍ ସାହିତ୍ୟ ପୁରସ୍କାର ଅତ୍ୟନ୍ତ ନ୍ୟୁନ ବୋଲି ମତପ୍ରକାଶ ପାଇଥିଲା। ଯାହାକି ସମଗ୍ର ବିଶ୍ୱ ଗ୍ରହଣ କରିନେଇଥିଲା।

 

ଏଭଳି ନଜିର‌୍‍ ଓଡ଼ିଶାରେ ବି କିଛି କମ‌୍‍ ନାହିଁ। ଆମ ରାଜ୍ୟର ଜଣେ ସୁପୁତ୍ର ହେଉଛନ୍ତି ସଂଗୀତଜ୍ଞ ଅକ୍ଷୟ ମହାନ୍ତି। ତାଙ୍କୁ ପଦ୍ମଶ୍ରୀ ମିଳିଲା ନାହିଁ କିମ୍ୱା ଦାଦା ସାହେବ ଫାଲ‌୍‍କେ ପୁରସ୍କାର ମିଳିଲା ନାହିଁ। ସଂଗୀତ ରଚନା, ନିର୍ଦ୍ଦେଶନା, କଣ୍ଠଦାନ ଓ ସାହିତ୍ୟ କ୍ଷେତ୍ରରେ ତାଙ୍କଠାରୁ କମ‌୍‍ ଅବଦାନ ଥିବା କଳାକାରଙ୍କୁ ତାହା ସହଜରେ ମିଳିପାରିଛି। କହିବାକୁ ହେବ ଖୋକାଭାଇଙ୍କ ପାଖରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲ‌୍‍କେ ପୁରସ୍କାର ନ୍ୟୁନ ହୋଇଗଲା। ଓଡ଼ିଶାରେ ଏଭଳି ଅନେକ ବ୍ୟକ୍ତିତ୍ବ ଅଛନ୍ତି, ଯେଉଁମାନଙ୍କ ନିକଟରେ ପଦ୍ମଶ୍ରୀ ଆଦି ନ୍ୟୁନ ହୋଇଯାଇଛି। ଏହି କ୍ରମରେ ପଦ୍ମଶ୍ରୀ କିମ୍ୱା ରାଜ୍ୟସଭା ସଦସ୍ୟ ପଦବୀ ଆଉ ଜଣେ ଓଡ଼ିଶାର ସୁପୁତ୍ରଙ୍କ କ୍ଷେତ୍ରରେ ନ୍ୟୁନ ହୋଇଗଲା। ସେହି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ସ୍ୱର୍ଗତଃ ବରେନ୍ଦ୍ରକୃଷ୍ଣ ଧଳ। ଯିଏକି ଶ୍ରେଷ୍ଠ ସ୍ତମ୍ଭକାର, ସାମ୍ୱାଦିକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ, ପୁସ୍ତକମେଳା ଆନ୍ଦୋଳନର ଅଗ୍ରଦୂତ, ଲେଖକ ସାମୁଖ୍ୟର ପ୍ରତିଷ୍ଠାତା ସମ୍ପାଦକ, କ୍ରୀଡା ସଂଗଠକ ଏବଂ ସର୍ବଭାରତୀୟ ସାମ୍ୱାଦିକ ସଂଘର ବର୍ତ୍ତମାନସୁଦ୍ଧା ଏକମାତ୍ର ଓଡ଼ିଆ। ସବୁକ୍ଷେତ୍ରରେ ସଫଳତା ହିଁ ସଫଳତା। ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସେ ଥିଲେ ଜଣେ ବାଗ୍ମୀ। ସମସ୍ତେ ଆଶା କରୁଥିଲେ କି ପ୍ରଥମେ ଓଡ଼ିଆ ଭାବେ ସେ କେନ୍ଦ୍ର ସରକାରଙ୍କ ସୁପାରିଶକ କ୍ରମେ ରାଜ୍ୟସଭାକୁ ମନୋନୀତ ହେବେ। ମାତ୍ର ତାହା ହେଲାନାହିଁ। ସବୁଠାରୁ ଦୁଃଖର କଥା ହେଉଛି ଯେ, ରାଜ୍ୟ ସରକାର ସ୍ୱର୍ଗତ ଧଳଙ୍କୁ ପଦ୍ମ ପୁରସ୍କାର ନିମନ୍ତେ ଆବଶ୍ୟକୀୟ ସୁପାରିଶଟିଏ କଲେନାହିଁ।

 

ଏକଥା ଆମେ କହୁନୁ, ରାଜ୍ୟସ୍ତରର ଯଥା ଜାତୀୟସ୍ତରର ଗଣମାଧ୍ୟମରେ ଏହି ପ୍ରସଙ୍ଗ ଚର୍ଚ୍ଚିତ ହୋଇଥିଲା। ରାଜ୍ୟର ସର୍ବବରିଷ୍ଠ ସାମ୍ୱାଦିକ ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ପଟ୍ଟନାୟକ ତାଙ୍କ ଦ୍ୱାରା ସମ୍ପାଦିତ ଓଡ଼ିଶା ମାଟର୍ସ ଡଟ‌୍‍ କମ‌୍‍ ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇଥିଲେ। ପରବର୍ତ୍ତୀ ସମୟରେ ଏହା ଜାତୀୟ ସ୍ତରର ଆଲୋଚନାର ବିଷୟବସ୍ତୁ ହୋଇଥିଲା। ବିଦେଶରେ ରହୁଥିବା କେତେକ ଓଡ଼ିଆ ପ୍ରାଣ ବ୍ୟକ୍ତି ଶ୍ରୀ ପଟ୍ଟନାୟକଙ୍କ ଯୁକ୍ତିକୁ ସମର୍ଥନ ଜଣାଇଥିଲେ। ବିଶେଷକରି ତାମିଲ‌୍‍ନାଡୁର ଚୋ ରାମସ୍ୱାମୀଙ୍କୁ ଯେତେବେଳେ ରାଜ୍ୟସଭା ସଦସ୍ୟତା ପ୍ରଦାନ କରାଗଲା ସେତେବେଳେ ଆଲୋଚନା ଜୋର‌୍‍ଦାର ହୋଇଥିଲା। ଏକ ବଙ୍ଗଳା ଖବରକାଗଜରେ ସ୍ୱର୍ଗତ ଧଳଙ୍କ ପ୍ରତିଭା ବା ଅବଦାନକୁ କାହିଁକି ବିଚାରକୁ ନିଆଗଲା ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ସେଥିରେ ଦର୍ଶାଯାଇଥିଲା ଯେ, ଚୋ ରାମସ୍ୱାମୀ କେବଳ ବ୍ୟଙ୍ଗ ରାଜନୈତିକଧର୍ମୀ ସ୍ତମ୍ଭ ଲେଖନ୍ତି। ମାତ୍ର ବରେନ୍ଦ୍ରକୃଷ୍ଣ ଧଳ ସାହିତ୍ୟ, ରାଜନୀତି, ଅର୍ଥନୀତି, ଜାତୀୟତାବୋଧ ଏବଂ ପର୍ଯ୍ୟଟନ ଉପରେ ହଜାର ହଜାର ସ୍ତମ୍ଭ ଲେଖିଛନ୍ତି। ସବୁଥିରେ ତଥ୍ୟ ଏବଂ ପରିସଂଖ୍ୟାନ ଭରପୂର ହୋଇ ରହିଥାଏ। ପ୍ରଶାସକମାନେ ତାହାକୁ କାଟିପାରନ୍ତି ନାହିଁ। ବିଚାରପତିମାନେ ସେହି ସ୍ତମ୍ଭ ମାଧ୍ୟମରେ ତଥ୍ୟ ଆହରଣ କରିଥାଆନ୍ତି। ସେ ମଧ୍ୟ ବହୁ ପୁସ୍ତକର ରଚୟିତା। ଯଦି ତାଙ୍କୁ ପଦ୍ମଶ୍ରୀ ମିଳିଥାଆନ୍ତା ତେବେ ସ୍ୱର୍ଗତ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ପରେ ସେ ଦ୍ୱିତୀୟ ପଦ୍ମପୁରସ୍କାରପ୍ରାପ୍ତ ଓଡ଼ିଆ ସାମ୍ୱାଦିକ ହୋଇଥାଆନ୍ତେ। ମାତ୍ର ତାହା ତାଙ୍କ ଜୀବଦ୍ଦଶା ମଧ୍ୟରେ ସମ୍ଭବ ହେଲାନାହିଁ। ଆଗକୁ ହେବ ବୋଲି ବିଶ୍ୱାସ ହେଉନାହିଁ।

 

ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ ଆମର ବଡ଼ଭାଇ ସଦୃଶ୍ୟ। ସେ ବି ଆମର ଗୁରୁ ଏବଂ ମାର୍ଗଦର୍ଶକ। ୧୯୯୦ ମସିହା ପରଠାରୁ ଆମ୍ଭେ ତାଙ୍କ ସହିତ ରହିଆସିଅଛୁ। ଜଣେ ଅନୁଗାମୀ ଭାବରେ ବା ସହକର୍ମୀ ଭାବରେ ଆମ୍ୱେ ରାଜ୍ୟ ତଥା ରାଜ୍ୟ ବାହାରର କିଛି ଯାଗାକୁ ତାଙ୍କ ସହିତ ଯାଇଛୁ। ଛୋଟମୋଟ କଥାରେ ସେ ଆମକୁ ତାଙ୍କ ଘରକୁ ଡାକନ୍ତି। ଏହି କାରଣରୁ ତାଙ୍କ ପରିବାର ସହିତ ଆମର ଘନିଷ୍ଠତା ରହିଛି। ସେ ଆଧାରରେ ତିନିବର୍ଷ ତଳେ ତାଙ୍କର ପୁଅ, ବୋହୂ (ଲକୁ ଏବଂ ପ୍ରୀତି) ତଥା ଶାଳକ (ସାମ୍ୱାଦିକ ବିବେକ‌୍‍ ଜେନା) ଆମ ସହିତ ଏକ ବିଶେଷ ଆଲୋଚନା କରିଥିଲେ। ବିଷୟବସ୍ତୁ ଥିଲା ବରେନ୍ଦ୍ର ଭାଇଙ୍କ ସାମ୍ୱାଦିକ ଜୀବନର ୬୦ ବର୍ଷ ପୂର୍ତ୍ତି ଅବସରରେ ଏକ ସାରସ୍ୱତ ସଭାର ଆୟୋଜନ। ମାତ୍ର ୧୫ ବର୍ଷ ବୟସରୁ ସେ ସାମ୍ୱାଦିକତା ଆରମ୍ଭ କରିଥିଲେ। ତାଙ୍କର ୭୫ତମ ଜନ୍ମତିଥିରେ ସେହି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଥିଲେ ରାଜ୍ୟର ଅନ୍ୟତମ ବରିଷ୍ଠ ସାମ୍ୱାଦିକ ପ୍ରଦୋଷ ପଟ୍ଟନାୟକ। ଏସବୁ ପ୍ରସ୍ତୁତି ବରେନ୍ଦ୍ର ଭାଇଙ୍କ ଅଗୋଚରରେ ହୋଇଥିଲା। ରାଜଧାନୀ ଓ କଟକ ବ୍ୟତୀତ ବରେନ୍ଦ୍ର ଭାଇଙ୍କ ଜନ୍ମସ୍ଥାନ ବାଙ୍କୀ ଏବଂ ଶ୍ୱଶୁରାଳୟ ଚୌଦ୍ୱାରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ଉତ୍ସବର ତିନିଦିନ ପୂର୍ବରୁ ତାଙ୍କର ଜଣେ ବାଲ୍ୟ ବନ୍ଧୁ ତାଙ୍କୁ ସେ କଥା ଜଣାଇ ଦେଇଥିଲେ। ସେହି ବାଲ୍ୟବନ୍ଧୁ ଜଣଙ୍କ ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ। ଏହା ଜାଣିବା ପରେ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ପ୍ରକଟ କଲେ ଏବଂ ବଜ୍ର ଗମ୍ଭୀର କଣ୍ଠରେ ମୋତେ ବହୁ ପ୍ରଶ୍ନ କଲେ। ସେ କହିଲେ ଏତେବଡ଼ ଆୟୋଜନ କିପରି ତମେ କରୁଛ - ଅବଶ୍ୟ ଏହା ଏକ ଭଲ କଥା - ତେବେ ପଇସା କେଉଁଠୁ ଆଣୁଛ - ଅତିଥି କାହାକୁ ଡାକିଛ - କାହାକୁ କାହାକୁ ନିମନ୍ତ୍ରଣ କରିଛ ଏବଂ ସ୍ମରଣିକାରେ କାହା କାହାର ଲେଖା ସ୍ଥାନ ପାଇବ ବୋଲି ଚୂଡାନ୍ତ କରିଛ। ଏସବୁ ପ୍ରଶ୍ନର ଉତ୍ତର ଆମ୍ଭେ ତାକୁ ଦେବା ସହିତ ଉକ୍ତ ସଭାର ମୁଖ୍ୟଅତିଥି ଜାନକୀ ବାବୁ ହେବେ ବୋଲି ସୂଚନା ଦେଇଥିଲୁ। ପ୍ରଥମେ ସେ ଆଶ୍ଚର୍ଯ୍ୟ ପ୍ରକଟ କଲେ ଏବଂ ପରେ ସତରେ କ’ଣ ଜାନକୀ ବାବୁ ଆସିବେ ବୋଲି ଆମ୍ଭକୁ ପ୍ରଶ୍ନ କଲେ। ତେବେ କହିବା ବାହୁଲ୍ୟ ଯେ, ବିଭିନ୍ନ କ୍ଷେତ୍ରରେ ମହନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ସେହି ସଭାଟି ପରିପୂର୍ଣ୍ଣ ହୋଇଗଲା। ଅତୀତରେ ଏଭଳି ସଭା ରାଜଧାନୀରେ କ୍ୱଚିତ‌୍‍ ହୋଇଛି।

 

ସେହି ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ତିନୋଟି କଥା ବରେନ୍ଦ୍ର ଭାଇଙ୍କ ସମ୍ପର୍କରେ କହିଥିଲେ। ଯାହାକି ଅତ୍ୟନ୍ତ ଗ୍ରହଣୀୟ ହୋଇଥିଲା। ଜାନକୀ ବାବୁ କହିଥିଲେ ଯେ, ସେ ପ୍ରଥମଥର ମୁଖ୍ୟମନ୍ତ୍ରୀ ହେବାପରେ ଓଡ଼ିଶାର ସାମ୍ୱାଦିକ ଏବଂ ସାହିତ୍ୟିକମାନଙ୍କୁ ମର୍ଯ୍ୟାଦାବନ୍ତ କରିବା ପାଇଁ ଚାହିଁଥିଲେ। ତେଣୁ ଲେଖକ ସାମ୍ମୁଖ୍ୟ ଗଠନ କରାଯାଇଥିଲା। ବରେନ୍ଦ୍ର ବାବୁଙ୍କୁ ତାହାର ଦାୟିତ୍ୱ ଦିଆଯାଇଥିଲା। ବରେନ୍ଦ୍ରବାବୁ ରାଜ୍ୟର ଲେଖକମାନଙ୍କୁ ନେଇ ଓଡ଼ିଶା ଏବଂ ଓଡ଼ିଶା ବାହାରେ ସାହିତ୍ୟସଭାମାନ କରାଇଥିଲେ। ଯାହାଫଳରେ ଓଡ଼ିଆ ସାହିତ୍ୟିକମାନଙ୍କର ରାଷ୍ଟ୍ରବ୍ୟାପୀ ପ୍ରଚାର ହୋଇଥିଲା। ସେମାନେ ମର୍ଯ୍ୟାଦାବନ୍ତ ହେଲେ। ତାହା ପରଠାରୁ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସାହିତ୍ୟ ସଭାମାନ ହେବା ମଧ୍ୟ ଯଥେଷ୍ଟ ଉଲ୍ଲେଖନୀୟ। ଅନ୍ୟଭାଷାରେ କହିବାକୁ ଗଲେ ବରେନ୍ଦ୍ର ବାବୁ ଓଡ଼ିଶା ସାହିତ୍ୟିକମାନଙ୍କୁ ନୂଆ ମୋଡ ଦେଇଛନ୍ତି ବୋଲି ଜାନକୀ ବାବୁ କହିଥିଲେ। ଦ୍ୱିତୀୟ ପ୍ରସଙ୍ଗରେ ଜାନକୀ ବାବୁ କହିଥିଲେ ଯେ, ଓଡ଼ିଶାରେ ପୁସ୍ତକମେଳା ଆୟୋଜନ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଏହା କେବଳ ବରେନ୍ଦ୍ର ବାବୁଙ୍କ ଯୋଗଁୁ ସମ୍ଭବ ହୋଇଛି। ବରେନ୍ଦ୍ରବାବୁ ପ୍ରଥମେ ଭୁବନେଶ୍ୱର ପୁସ୍ତକମେଳାର ଆୟୋଜନ କରିଥିବା ବେଳେ ତାଙ୍କୁ ଦେଖି ପ୍ରାୟ ୬୦ଟା ଯାଗାରେ ପୁସ୍ତକମେଳାର ଆୟୋଜନ ହେବା କିଛି କମ‌୍‍ କଥା ନୁହେଁ। ଏହାଦ୍ୱାରା ପାଠକ, ଲେଖକ ଓ ପ୍ରକାଶକ ବହୁଳଭାବେ ଉପକୃତ ହେଉଛନ୍ତି। ଶେଷରେ ସେ କହିଥିଲେ ଯେ, ତାଙ୍କର ଦୀର୍ଘ ଜୀବନକାଳ ମଧ୍ୟରେ ବହୁ ସ୍ତମ୍ଭକାରଙ୍କ ଲେଖା ସେ ପାଠକରି ଆସୁଛନ୍ତି। ମାତ୍ର ବରେନ୍ଦ୍ର ବାବୁଙ୍କ ଲେଖାର ପଟାନ୍ତର ନାହିଁ। ବରେନ୍ଦ୍ର ବାବୁ ତାଙ୍କ ସମୟର ସର୍ବଶ୍ରେଷ୍ଠ ସ୍ତମ୍ଭକାର, ଯାହାର କି ପ୍ରତିଦ୍ୱନ୍ଦ୍ୱୀ ନାହାଁନ୍ତି ବୋଲି ଜାନକୀ ବାବୁ ମନ୍ତବ୍ୟ ଦେଇଥିଲେ।

 

ସେହି ବରେନ୍ଦ୍ର ଭାଇଙ୍କର ଆବର୍ତ୍ତମାନକୁ ଇତିମଧ୍ୟରେ ବର୍ଷେ ପୂରିଗଲାଣି। ମାତ୍ର ସେ ଆମ୍ଭମାନଙ୍କ ମଧ୍ୟରେ ଥିଲାଭଳି ପ୍ରତ୍ୟୟ ହେଉଛି। ଏବେ ମଧ୍ୟ କେତେକ ପତ୍ରପତ୍ରିକାରେ ତାଙ୍କର ଲେଖାମାନ ବାହାରୁଛି। ତାଙ୍କ ଲିଖିତ ବହି  ବିକ୍ରି ହେଉଛି, ତାଙ୍କଦ୍ୱାରା ଆରମ୍ଭ ହୋଇଥିବା ପୁସ୍ତକମେଳା ଜନାଦୃତ ହେଉଛି। ତାଙ୍କର ସାମ୍ୱାଦିକ ସାହିତ୍ୟ ଉପରେ ଗବେଷଣା ପାଇଁ କେତେକ ଉଦୀୟମାନ ଛାତ୍ର ପଞ୍ଜିକୃତ ହେବା ଆଉ ଏକ ଉଲ୍ଲେଖନୀୟ ଘଟଣା। ତାଙ୍କ ପରିବାର ପକ୍ଷରୁ ଏକ ସ୍ମାରକୀ ଟ୍ରଷ୍ଟ ଗଠନ କରାଯାଇଥିବା ବେଳେ ସାମ୍ୱାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠତା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଯାହା ହେଲେବି ତାଙ୍କ ମୃତ୍ୟୁର ମୃତ୍ୟୁ ଘଟିଛି ମାତ୍ର ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି ଏବଂ ଦିଗ‌୍‍ଦର୍ଶନ ଦେଇଚାଲିଛନ୍ତି।

 

ସଂପର୍କ- ୯୪୩୭୦୦୭୨୦୦


ପ୍ରତିକ୍ରିୟା

RABI NARAYAN MOHANTY - Email: rnn9772@gmail.com - Posted on 2017-08-10 17:16:59

Late SURENDRA MOHANTY was conferred with Padma Award. He was second to Dr. Radhanath RATH as a journalist.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top